ଟିଭି ସାମ୍ବାଦିକତା ଓ ମୁଁ -୨
ଗ୍ରାମାଂଚଳ ସାମ୍ବାଦିକ ଆଜି ମଧ୍ୟ ଅବହେଳିତ..
– ପ୍ରସାଦ ରାଓ –
ଜୁଲାଇ ୧୮ ତାରିଖ
‘ଟିଭି ସମ୍ବାଦିକତା ଓ ମୁଁ’ ଶୀର୍ଷକ ପ୍ରଥମ ଲେଖାଟି ‘ମୋଅନୁଭବ.କମ୍’ ପ୍ରକାଶ କରିବା ପରେ ଜଣେ ସାମ୍ବାଦିକ ବନ୍ଧୁ ଅନୁରୋଧ କରିଥିଲେ – ‘ଓଡ଼ିଶାର ଗ୍ରାମାଂଚଳ ସାମ୍ବାଦିକଙ୍କ କଥା ଟିକେ ଲେଖନ୍ତୁ’ । ପ୍ରିଂଟ୍ ମିଡ଼ିଆ ସାମ୍ବାଦିକତା ଓ ପରିଚାଳନାରେ ମୋର ଦୀର୍ଘ ବର୍ଷର ଅଭିଜ୍ଞତା ପରେ ଏବେ ୱେବ୍ ମିଡ଼ିଆ ଓ ବୈଦ୍ୟୁତିକ ଗଣମାଧ୍ୟମ ସହ ଯୋଡି ହୋଇଛି । ତେଣୁ, ଗଣମାଧ୍ୟମର ‘ଲାଇଫ୍ ଲାଇନ୍’ ଭାବେ ସ୍ୱୀକୃତ ଗ୍ରାମାଂଚଳ ସାମ୍ବିଦକଙ୍କ ସମସ୍ୟା ଓ ସଂକଟ ବିଷୟରେ କିଛି ଲେଖିବା ଆଗ୍ରହକୁ ବନ୍ଧୁ ଜଣକ ଟିକିଏ ଉଂଖାରି ଦେଲେ । ଅତୀତରେ ସେ କିଛି ବର୍ଷ ପାଇଁ ଓଡ଼ିଶାର ଏକ ପ୍ରତିଷ୍ଠିତ ସମ୍ବାଦପତ୍ରର ଗ୍ରାମାଂଚଳ ପ୍ରତିନିଧି ଭାବେ କାର୍ଯ୍ୟ କରିଛନ୍ତି । ଏବେ ସେ ପଶ୍ଚିମ ଓଡ଼ିଶାର ଏକ ସ୍ୱେଚ୍ଛାସେବୀ ସଂଗଠନ ସହ ସଂପୃକ୍ତ । ‘ମୋଅନୁଭବ.କମ୍’ ସହ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ । ତେଣୁ, ତାଙ୍କ ଅନୁରୋଧ ରକ୍ଷା କରିବା ମୋ ପାଇଁ ପ୍ରାଥମିକତା ଥିଲା । ତେଣୁ, ଏହି ଲେଖାଟି ପ୍ରସ୍ତୁତ କଲି ।
ଗ୍ରାମାଂଚଳ ସାମ୍ବାଦିକମାନେ ହେଉଛନ୍ତି ଯେ କୌଣସି ଗଣମାଧ୍ୟମ ସଂସ୍ଥାର ‘ଲାଇଫ୍ ଲାଇନ୍’- ଏଥିରେ କିଛି ସନ୍ଦେହ ନାହିଁ । ଖବରକଗଜ ହେଉ କି ବୈଦ୍ୟୁତିକ ଗଣମାଧ୍ୟମ, ଗ୍ରମାଂଚଳ ସାମ୍ବାଦିକଙ୍କ ଖବରକୁ ନେଇ ନିଜର ପ୍ରସାର ଓ ବିକାଶ କରିଥା’ନ୍ତି । ଆଂଚଳିକ ଭାଷାର ଖବରକାଗଜ ଅଧିକ ମାତ୍ରାରେ ଗ୍ରମାଂଚଳ ସାମ୍ବାଦିକଙ୍କ ଉପରେ ନିର୍ଭର କରୁଥିବା ବେଳେ ଜାତୀୟ ସମ୍ବାଦପତ୍ରମାନେ ସେମାନଙ୍କ ରାଜ୍ୟ ପ୍ରତିନିଧିଙ୍କୁ ପ୍ରାଧାନ୍ୟ ଦିଅନ୍ତି । ଏହି ରାଜ୍ୟ ପ୍ରତିନିଧିମାନେ ଅଧିକାଂଶ ସମୟରେ ଆଂଚଳିକ ସମ୍ବାଦପତ୍ର ସହ ଜଡିତ ଗ୍ରାମାଂଚଳ ପ୍ରତିନିଧିଙ୍କୁ ଅଧିକ ତଥ୍ୟ ସଂଗ୍ରହ ଓ ଖବରର ସତ୍ୟାସତ୍ୟ ଯାଂଚ ପାଇଁ ବିନା ପାରିଶ୍ରମିକରେ ବ୍ୟବହାର କରିଥା’ନ୍ତି । ତେଣୁ, ପ୍ରିଂଟ୍ ହେଉ ବା ଇଲୋକ୍ଟ୍ରୋନିକ୍ ମିଡ଼ିଆ ହେଉ – ସମସ୍ତେ ଗ୍ରାମାଂଚଳ ସାମ୍ବାଦିକଙ୍କ ଉପରେ ଯେ ନିର୍ଭରଶୀଳ, ଏଥିରେ କିଛି ସନ୍ଦେହ ନାହିଁ । ତେଣୁ, ମୁଁ ସେମାନଙ୍କ ପାଇଁ ‘ଲାଇଫ୍ ଲାଇନ୍’ ଭଳି ଏକ ଇଂରାଜୀ ଶବ୍ଦକୁ ବ୍ୟବହାର କରିଛି । ବାସ୍ତବରେ ଗଣମାଧ୍ୟମ ପାଇଁ ଖବରର ସ୍ରୋତ ହେଉଛି ଗ୍ରାମାଂଚଳ । କାରଣ, କେନ୍ଦ୍ର ହେଉ ବା ରାଜ୍ୟ ସରକାରଙ୍କ ସବୁ ଯୋଜନା ଓ କାର୍ଯ୍ୟକ୍ରମ ଗ୍ରାମାଂଚଳରେ ଚାଲିଛି । ଦାରିଦ୍ର୍ୟ, ଅନାଟନ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଥିବା ଦୂରାବସ୍ଥା, ଚାଷି ଆତ୍ମହତ୍ୟା, ବିହନ, ସାର ଓ ସେଚ ସୁବିଧାର ଅଭାବ ଭଳି ଦେଶର ଯେତେସବୁ ଗୁରୁତର ସମସ୍ୟା ସେହି ଗ୍ରାମାଂଚଳରେ ରହିଛି । ଗ୍ରାମାଂଚଳ ସାମ୍ବାଦିକମାନେ ହିଁ ସେହି ଖବର ବିଭିନ୍ନ ଗଣମାଧ୍ୟମରେ ପହଂଚାଇ ଥାଆନ୍ତି । ସଂପାଦନା ବିଭାଗ ତାହାକୁ ବନେଇ ଚୁନେଇ ନିଜକୁ ସୁହାଇଲା ଭଳି ପ୍ରସ୍ତୁତ କରିଥାଏ ଏବଂ ଭଲ ଶୀର୍ଷକଟିଏ ଦେଇ ପ୍ରକାଶ ବା ପରିବେଷଣ କରିଥାଏ । ଆଂଚଳିକ ଖବର ପାଇଁ ଖବରକାଗଜରେ ସ୍ୱତନ୍ତ୍ର ପୃଷ୍ଠା ରହିଛି । ବୈଦ୍ୟୁତିକ ଗଣମାଧ୍ୟମରେ ସ୍ୱତନ୍ତ୍ର ‘ସ୍ଲଟ୍’ ରହୁଛି । ଅନେକ ସମୟରେ ଗ୍ରାମାଂଚଳ ଖବର ହିଁ ରାଜ୍ୟ ଓ ଜାତୀୟ ସମ୍ବାଦପତ୍ର ଓ ଗଣମାଧ୍ୟମ ପାଇଁ ବଡ଼ ଖବର ହୋଇଥାଏ । ତାହା ଦେଶବ୍ୟାପୀ ହଇଚଇ ସୃଷ୍ଟି କଲେ ବାହାଦୂରୀ ନେଇଥାଏ ସଂପୃକ୍ତ ଗଣମାଧ୍ୟମ ସଂସ୍ଥା । ଆଢୁଆଳରେ ରହି ଯାଆନ୍ତି ଗ୍ରମାଂଚଳ ସାମ୍ବାଦିକ । ଏହା ବିଡ଼ମ୍ବନା ନୁହେଁ କି ?
ଉଭୟ ଆଂଚଳିକ ଓ ଜାତୀୟସ୍ତରର ଗଣମାଧ୍ୟମ ଖବର ସଂଗ୍ରହ, ପୃଷ୍ଠିକରଣ, ନିଜର ପ୍ରସାର ସଂଖ୍ୟା ବୃଦ୍ଧି, ବିଜ୍ଞାପନ ଆୟ ବଢାଇବା ସହ ବିଭିନ୍ନ ସିଏସଆର କାର୍ଯ୍ୟ ପାଇଁ ଗ୍ରାମାଂଚଳ ସାମ୍ବାଦିକଙ୍କ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଏହି ‘ଲାଇଫ୍ ଲାଇନ୍’ମାନଙ୍କୁ କେବେ ନ୍ୟାୟ ଦିଅନ୍ତି କି ? ଆଜି ତାହା ହେଉଛି ସବୁଠୁ ବଡ଼ ପ୍ରଶ୍ନ । ଜାତୀୟ ସମ୍ବାଦପତ୍ର ବା ବୈଦ୍ୟୁତିକ ଗଣମାଧ୍ୟମ ପ୍ରିଂଟ ମିିଡ଼ିଆ ଭଳି ସବୁ ଗ୍ରାମାଂଚଳରେ ନିଜର ସ୍ୱୀକୃତ ପ୍ରତିନିଧି ନ ରଖି ପ୍ରିଂଟ୍ ମିଡ଼ିଆର ଗ୍ରାମାଂଚଳ ପ୍ରତିନିଧିଙ୍କୁ ବ୍ୟବହାର କରୁଥିବା ବେଳେ କୌଣସି ଆର୍ଥିକ ପ୍ରତିଶ୍ରୁତି ବା ପ୍ରତିବଦ୍ଧତା ନ ଥାଏ । ଅପରପକ୍ଷରେ, ଆଂଚଳିକ ସମ୍ବାଦପତ୍ରମାନେ ଅଧିକ ହେଲେ ପରିଚୟପତ୍ରଟିଏ ଦେଇ କାମ ନିଅନ୍ତି । ଏଇ କିଛି ବର୍ଷ ହେଲା ଗ୍ରାମାଂଚଳ ସାମ୍ବାଦିକମାନେ ପ୍ରକାଶିତ ସମ୍ବାଦ ଉପରେ ଲାଇନ୍ ପିଛା (ଛାପା ଗଣମାଧ୍ୟମରେ) ଓ ‘ପଏଂଟ୍’ ଭିତ୍ତିରେ (ବୈଦ୍ୟୁତିକ ଗଣମାଧ୍ୟମରେ) ପାରିଶ୍ରମିକ ପାଉଛନ୍ତି । ତାହାର ପରିମାଣ ଶ୍ରମ ତୁଳନାରେ କିଛି ନୁହଁ । ସବୁ ଠିକ୍ ଠାକ୍ ଚାଲୁ ଥିଲେ ସଂପୃକ୍ତ ସାମ୍ବାଦିକଙ୍କୁ ମୁଣ୍ଡରେ ବସାଇ ଥାଏ ଆଂଚଳିକ ଗଣମାଧ୍ୟମ । କିଛି ଏପାଖ ସେପାଖ ହେଲେ ସଂସ୍ଥା ଅସ୍ୱୀକାର କରିଦିଏ ସେମାନଙ୍କ ଅସ୍ତିତ୍ୱକୁ । ଠିକା ଭିତ୍ତିରେ କାର୍ଯ୍ୟ ସଂପାଦନା କରୁଥିବା ଗ୍ରାମାଂଚଳ ସାମ୍ବାଦିକମାନେ ମରିଚିକା ପଛରେ ଧାଇଁବା ଭଳି ଏକ ବିରାଟ ଆଶା ନେଇ ଏହି ପେଶାକୁ ଆସିଥା’ନ୍ତି । ବ୍ୟବସ୍ଥାକୁ ଦେଖିବା ପରେ ନିରାଶା ଛଡା ଅଧିକ କିଛି ମିଳି ନଥାଏ । ତେଣୁ, ଜଣେ ଜଣେ ଗ୍ରମାଂଚଳ ସାମ୍ବାଦିକ ନିଜକୁ ନିରାପଦ ରଖିବା ପାଇଁ ଏକାଧିକ ଗଣମାଧ୍ୟମ ସହ ଯୋଡି ହୋଇଯାଆନ୍ତି । ଏକାଧିକ ପରିଚୟପତ୍ର ଓ ‘ବୁମ୍’ ହୋଇଯାଏ ସେମାନଙ୍କ ପରିଚୟ ।
ଅଶି ଦଶକର ଏକ ଅଭିଜ୍ଞତା ଏଠାରେ ଉପସ୍ଥାପନ କରିବାକୁ ଚାହେଁ । ଓଡ଼ିଶାର ଏକ ଜଣାଶୁଣା ଦୈନିକ ସମ୍ବାଦପତ୍ରର ସଂପାଦନା ବିଭାଗରେ କାର୍ଯ୍ୟ ଆରମ୍ଭ କରିଥାଏ । ସମ୍ବାଦପତ୍ର ଅର୍ଥନୀତି ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ । ଗୋଟିଏ ଗୋଟିଏ ଅଂଚଳରୁ ଏକାଧିକ ବ୍ୟକ୍ତି ଗୋଟିଏ ଖବରକାଗଜ ପାଇଁ ପ୍ରତିନିଧିତ୍ୱ କରୁଥିଲେ । କାରଣ, ସେମାନଙ୍କୁ କୌଣସି ପାରିଶ୍ରମିକ ମିଳୁ ନ ଥିଲା । ସହରାଂଚଳ ସାମ୍ବାଦିକ ହୋଇଥିଲେ ପରିଚୟପତ୍ର ଓ ଟେଲିଗ୍ରାମ୍ ଅଥରିଟି ଦେଇ ସମ୍ବାଦପତ୍ରମାନେ କାମ କରାଉ ଥିଲେ । ଗ୍ରାମାଂଚଳ ପ୍ରତିନିଧିଙ୍କୁ ପାରିଶ୍ରମିକ ଦେବା ଦୂର କଥା । ପରିଚୟପତ୍ର ମିଳିଲେ ସାମ୍ବାଦିକ ହେବାକୁ ଆଗ୍ରହୀଙ୍କ ଅଭାବ ନ ଥିଲା । ଓଲଟା ଗ୍ରମାଂଚଳ ପ୍ରତିନିଧି ସଂପୃକ୍ତ ଖବରକାଗଜର ମୁଖ୍ୟାଳୟକୁ ବୁଲି ଆସିଲେ ସଂପାଦନା ବିଭାଗ କର୍ମଚାରୀମାନେ ଖୁସି ହେଉଥିଲେ । ଏହାର କାରଣ ହେଲା, ଉପହାର । ଖବର ନ ଛପିଲେ ହିଁ ଗଅମାଂଚଳରେ ସେମାନଙ୍କ ପତିଆରା ରହିବ । ତେଣୁ, ଅଧିକାଂଶ ଗ୍ରାମାଂଚଳ ପ୍ରତିନିଧି ଉପହାର ଧରି ଆସୁଥିଲେ । ଏହି ସାମ୍ବାଦିକମାନଙ୍କୁ ଅନ୍ତତଃ ପୋଷ୍ଟେଜ୍ ଖର୍ଚ୍ଚ ଦେବାକୁ ସଂପାଦକଙ୍କୁ ପ୍ରସ୍ତାବ ଦେଇ ହଟ୍ଟହଟା ହେଲି । ସଂପାଦନା ବିଭାଗ ବୈଠକରେ ମୋ ପ୍ରସ୍ତାବକୁ ନୀରବରେ ଶୁଣି ଥିବା ସଂପାଦକ ମହୋଦୟ (ଏବେ ସେ ଦିବଙ୍ଗତ) ବୈଠକ ପରେ ତାଙ୍କ ପ୍ରକୋଷ୍ଠକୁ ଡାକି ନିଜ ଦରମାରୁ ଗ୍ରାମାଂଚଳ ସାମ୍ବାଦିକଙ୍କୁ ପୋଷ୍ଟେଜ୍ ଖର୍ଚ୍ଚ ଦେବାକୁ କହି ଅସନ୍ତୋଷ ଜାହିର କରିଥିଲେ । ସେହି ଦିନଠାରୁ ସଂପାଦକଙ୍କୁ ସେଭଳି କିଛି ପ୍ରସ୍ତାବ ଦେବାକୁ ସାହାସ କରି ନ ଥିଲି ।
୧୯୮୪ ଅକ୍ଟୋବର ପର୍ଯ୍ୟନ୍ତ ଓଡ଼ିଶାରେ ଆଂଚଳିକ ଭାଷା ଖବରକାଗଜମାନଙ୍କ କାର୍ଯ୍ୟଶୈଳୀ ଥିଲା ଏଭଳି । ରାଜଧାନୀରେ କାର୍ଯ୍ୟରତ ସାମ୍ବାଦିକ ଓ ସଂପାଦନା ବିଭାଗରେ କାର୍ଯ୍ୟ କରୁଥିବା ସହ ସଂପାଦକମାନେ ସ୍ୱଳ୍ପ ପାରିଶ୍ରମିକ ପାଉ ଥିଲେ । ତାହା ମଧ୍ୟ ୨୦୦ରୁ ୫୦୦ ଟଙ୍କା ମଧ୍ୟରେ । ଜିଲ୍ଲା ଓ ଗ୍ରାମାଂଚଳ ପ୍ରତିନିଧିମାନେ ପାରିଶ୍ରମିକ ବିନା ସଂସ୍ଥାର ପରିଚୟପତ୍ରରେ କାମ ଚଳାଉ ଥିଲେ । ମାଲିକ ବିଜ୍ଞାପନ ଆୟ ଛଡା ଛପା ସଂଖ୍ୟା ବର୍ଦ୍ଧିତ ଆକାରରେ ଦେଖାଇ ରିହାତ ନ୍ୟୁଜ୍ ପ୍ରିଂଟ୍ ହାସଲ କରିବା ସହ ତାହାକୁ ବାହାରେ ବିକି ବେଶ୍ ରୋଜଗାର କରୁଥିଲେ । ଜିଲ୍ଲା ପ୍ରତିନିଧିମାନେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ପୁଲିସ ଏସ୍.ପିଙ୍କ ନାମରେ ଚିଠି ନେଇ ସନ୍ତୁଷ୍ଟ । କାରଣ, ଜିଲ୍ଲାପାଳ ଓ ଏସ୍.ପିଙ୍କୁ ଥରେ ଖବର ହୋଇ ଗଲେ ପୁଲିସ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ପକ୍କା ହୋଇ ଗଲା । ଖାଇବା, ପିଇବା ସହ ପ୍ରେସ୍ ନୋଟ୍ ମିଳି ଗଲେ ସଂପୃକ୍ତ ପ୍ରତିନିଧିଙ୍କ ଖବର ତିଆରି ହୋଇଯାଉଥିଲା । ଆଂଚଳିକ ଖବରକାଗଜମାନଙ୍କ ନିକଟରେ ଯେଉଁ ହାତ ଲେଖା ଖବର ପହଂଚୁ ଥିଲା ତାହାକୁ ଠିକ୍ ଭାବେ ସଂପାଦନା ନ କଲେ ଛାପିବା ସମ୍ଭବ ନୁହେଁ । ତେଣୁ, ସହ-ସଂପାଦକମାନେ ତାହାକୁ ନେଇ କସରତ କରୁଥିଲେ । ସଂପାଦକମାନେ ପାଠୁଆ, ଅପାଠୁଆ ବିଚାର ନ ରଖି ଖଣ୍ଡ ପିଛା ନିର୍ଦ୍ଧାରିତ ସିକ୍ୟୁରିଟି ଜମା ନେଇ ଖବରକାଗଜ ବିତରଣ ଦାୟିତ୍ୱ ସହ ଖବର ପଠାଇବାକୁ ଲୋକଙ୍କୁ ନିଯୁକ୍ତି ଦେବା ଫଳରେ ଗ୍ରାମାଂଚଳ ପ୍ରତିନିଧିତ୍ୱର ଗୁଣାତ୍ମକ ମାନ ସବୁ ବେଳେ ସମାନ ରହୁ ନଥିଲା । କିଛି ଗ୍ରାମାଂଚଳ ପ୍ରତିନିଧିମାନେ ଲେଖିବା ଆସୁ ବା ନ ଆସୁ ଏଜେନ୍ସି ଓ ଗଣମାଧ୍ୟମ ପରିଚୟପତ୍ର ଧରି ନିଜ ଅଂଚଳରେ ପତିଆରା ଦେଖାଇବା ଫଳରେ ଅନେକ ସମୟରେ ଆକ୍ରମଣ ଓ ଦୁର୍ବ୍ୟବହର ସମ୍ମୁଖୀନ ହେଉଥିଲେ । ପ୍ରସାରଣ କାର୍ଯ୍ୟ ଠିକ୍ ଠାକ୍ ଚାଲିଲେ ଓ ମଝିରେ ମଝିରେ କିଛି କିଛି ବିଜ୍ଞାପନ ଆସିଲେ ଉଭୟ ମ୍ୟାନେଜମେଂଟ ଓ ସାମ୍ବାଦିକ ଖୁସି । ଗ୍ରାମାଂଚଳ ପ୍ରତିନିଧି କମିସନ ପାଉ ଥିବାରୁ ପାରିଶ୍ରମିକର ଆବଶ୍ୟକତା ନାହିଁ ବୋଲି ମାଲିକମାନେ ଭାବୁ ଥିଲେ ।
୧୯୮୪ ଅକ୍ଟୋବରରେ ‘ସମ୍ବାଦ’ ନୂତନ ମୁଦ୍ରଣ କୌଶଳ ସହ ଓଡ଼ିଶାରେ ଆତ୍ମପ୍ରକାଶ କରିବା ଏବଂ ସାନ୍ଧ୍ୟ ସଂସ୍କରଣ ବଦଳରେ ପ୍ରାତଃ ସଂସ୍କରଣ ଆରମ୍ଭ ହେବା ପରେ ରାଜ୍ୟରେ ସାମ୍ବାଦିକତା ସ୍ୱରୂପ ବଦଳିଛି । ଜିଲ୍ଲା ସ୍ତରରେ ଦରମାପ୍ରାପ୍ତ ସାମ୍ବାଦିକ ନିଯୁକ୍ତି ପାଇଲେ । କଂପ୍ୟୁଟରରେ ପ୍ରସ୍ତୁତ ରଂଗୀନ ଖବରକାଗଜ ଦେଖି ଶିକ୍ଷିତ ଯୁବକମାନେ ସାମ୍ବାଦିକତା ପ୍ରତି ଆଗ୍ରହ ପ୍ରକାଶ କଲେ । କୌଣସି ପରିସ୍ଥିତିରେ କଂପ୍ୟୁଟର ଅଚଳ ହେଲେ ହାତ ଲେଖା ଖବର ବ୍ରୋମାଇଡ୍ ପେପର ୍ରେ ପେଷ୍ଟ୍ ହୋଇ ପ୍ଲେଟ୍ ହେବା ପରେ ଅଫସେଟ୍ ମେସିନରେ ଛପା ଯାଉଥିଲା । ଫଟୋ ପାଇଁ ଆଉ ବ୍ଲକ୍ ପ୍ରସ୍ତୁତିର ଆବଶ୍ୟକତା ନ ଥିଲା । ଆଠ ପୃଷ୍ଠା ଖବରକାଗଜର ପ୍ରଥମ ଓ ଶେଷ ପୃଷ୍ଠା ରଂଗୀନ ହେଉ ହେଉ ପରବର୍ତୀ ସମୟରେ ତାହା ୧୬ ଓ ୨୪ ପୃଷ୍ଠାରେ ପହଂଚିଲା । ଛାପାଖାନାରେ ଅଫସେଟ୍ ମେସିନ ୟୁନିଟ ସଂଖ୍ୟା ବଢିଲା । ପ୍ରଥମ ଓ ଶେଷ ପୃଷ୍ଠା ରଂଗୀନ ହେଉ ହେଉ ୨୪ ପୃଷ୍ଠା ଯାକ ରଂଗୀନ ହେବା ବ୍ୟବସ୍ଥା ଆସି ଗଲା । ଲମ୍ବା ଧଡିରେ ରହୁଥିବା ଅଫସେଟ୍ ମେସିନ ସବୁ ଅଧିକ ଜାଗା ମାଡି ବସୁଥିବା ଦେଖି ଖବରକାଗଜ ମାଲିକମାନେ ‘ଫୋର୍-ଆଇ’ ମେସିନ୍ ଆଣିବାକୁ ମନ ବଳାଇଲେ । ଏବେ ସେହି ଟାୱାର୍ ମେସିନ ସଂଖ୍ୟା ବଢିଛି, ଯାହାର ଦାମ ଲକ୍ଷରେ ନୁହେଁ କୋଟିରେ ।
ନବେ ମସିହାରେ ଓଡ଼ିଶାରେ ଆଂଚଳିକ ସଂସ୍କରଣର ଯୁଗ ଆରମ୍ଭ ହେଲା । ସମ୍ବାଦପତ୍ର ଛପା କଟକ, ଭୁବନେଶ୍ୱରରେ ସୀମିତ ନ ରହି ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଂଚଳକୁ ପ୍ରସାରିତ ହେଲା । ‘ସମ୍ବାଦ’ ତାହାର ପ୍ରଥମ ଆଂଚଳିକ ସଂସ୍କରଣ ବ୍ରହ୍ମପୁରରୁ ୧୯୯୦, ଜାନୁୟାରୀ ୫ ତାରିଖରେ ଆରମ୍ଭ କରି ଏହି ପରୀକ୍ଷା ନିରୀକ୍ଷାକୁ ଆରମ୍ଭ କରିଥିଲା । ଯାହାକି ଓଡ଼ିଶାରେ ପ୍ରଥମ । ୧୯୮୬ ରୁ ୨୦୧୩ ପର୍ଯ୍ୟନ୍ତ ମୁଁ ଏହି ସଂସ୍କରଣ ସହ ସଂପୃକ୍ତ ଥାଇ ଆଂଚଳିକ ସଂସ୍କରଣର ପ୍ରକୃତ ଅନୁଭବ ନେଇଛି । ଏହା ପରେ ରାଜ୍ୟର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସହରରେ ‘ସମ୍ବାଦ’ର ସଂସ୍କରଣ ହେବା ପରେ ଅନ୍ୟ ଖବରକାଗଜ ତାହା ଅନୁସରଣ କରିଛନ୍ତି । ଅତ୍ୟାଧୁନିକ ଛାପାଖାନା ସହ ଅଂଚଳର ଖବରର ସ୍ୱାଦ ଏବଂ ପ୍ରାତଃ ସଂସ୍କରଣ ସଂପୃକ୍ତ ଅଂଚଳରେ ଖବରକାଗଜର ପତିଆରା, ପାଠକୀୟତା ଓ ବ୍ୟବସାୟ ବଢାଇଛି । ଆଜି ଓଡ଼ିଶାର ଏଭଳି କୌଣସି ଅଂଚଳ ନାହିଁ ଯେଉଁଠାରେ କି ସମ୍ବାଦପତ୍ରର ପ୍ରାତଃ ସଂସ୍କରଣ ପହଂଚ ପାରୁ ନାହିଁ । ଛାପା ଗଣମାଧ୍ୟମରେ ଆସି ଥିବା ଏହି ପରିବର୍ତନ ଗ୍ରାମାଂଚଳ ସାମ୍ବାଦିକତାର ଗୁଣାତ୍ମକ ମାନ ବୃଦ୍ଧି କରିଛି । ସାମ୍ବାଦିକଙ୍କୁ କିଛି ମାତ୍ରାରେ ଆର୍ଥିକ ସ୍ୱଚ୍ଛଳ କରିଛି । କିନ୍ତୁ, ଗ୍ରାମାଂଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ସଂପୂର୍ଣ୍ଣ ସ୍ୱଚ୍ଛଳ ହୋଇପାରି ନାହାନ୍ତି । ଅଶି ଦଶକ ଭଳି ପରିସ୍ଥିତି ନ ଥିଲେ ମଧ୍ୟ ଗ୍ରମାଂଚଳ ସମ୍ବାଦଦାତାଙ୍କ ଭାଗ୍ୟ ଅଂଚଳର ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଓ ସହାୟତା ଉପରେ ନିର୍ଭରଶୀଳ ରହିଛି ।
ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଘ ରହିଛି । ଏହି ସଂଘଗୁଡିକ ମୁଖ୍ୟତଃ ଗ୍ରାମାଂଚଳ ସମ୍ବାଦଦାତାଙ୍କ ଉପରେ ନିର୍ଭରଶୀଳ । ସଂଗଠନ ପାଇଁ ମୋଟା ଅଂକର ସହାୟତା ଯୋଗାଡ କରିବା ଦାୟିତ୍ୱ ଅନେକଙ୍କୁ ଗ୍ରାମ୍ୟ ସାମ୍ବାଦିକରୁ ନେତା ବନାଇ ଦେଇଛି । ପ୍ରତି ବଦଳରେ ସେମାନଙ୍କୁ ମିଳୁଛି ପାହାଡ ପାହାଡ ପ୍ରତିଶୃତି । ପାଲେକର୍, ବଚ୍ଛାୱତ୍ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ବିଭିନ୍ନ ପେ’ କମିସନ ସୁପାରିଶ ଆସିଛି । ସେହି ଦରମା ହାର ସମ୍ବାଦପତ୍ର ସାମ୍ବାଦିକ ଓ କର୍ମଚାରୀଙ୍କ ପାଇଁ ଲାଗୁ ହେଉଥିଲେ ମଧ୍ୟ ଗ୍ରାମାଂଚଳ ସାମ୍ବାଦିକଙ୍କ ନିକଟରେ ପହଂଚି ପାରି ନାହିଁ । ସଂଘ ନେତାମାନେ ସେମାନଙ୍କ ପ୍ରତିଶ୍ରୁତି ରକ୍ଷା କରିପାରୁ ନାହାନ୍ତି । ଫଳରେ, ସ୍ଥିତି ବଦଳୁ ନାହିଁ। ରାଜଧାନୀରେ ବସି ଥିବା ସାମ୍ବାଦିକ ନେତାମାନେ ନିଜ ଫାଇଦାକୁ ପ୍ରାଥମିକତା ଦେଉଥିବା ବେଳେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଗ୍ରାମାଂଚଳ ସାମ୍ବାଦିକଙ୍କୁ ବର୍ଷ ବର୍ଷ ଧରି ବ୍ୟବହାର କରି ଆସୁଛନ୍ତି ।
‘ସମ୍ବାଦ’ ସମେତ କିଛି ବଡ ଖବରକାଗଜ ଗ୍ରାମାଂଚଳ ସାମ୍ବାଦିକଙ୍କୁ ପ୍ରକାଶିତ ଖବରକୁ ନେଇ ଲାଇନ୍ ପିଛା (ଏକ ଟଙ୍କା) ପାରିଶ୍ରମିକ ଦେଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଂଖେ । ଖବରକାଗଜ ଏଜେନ୍ସି, ବିଜ୍ଞାପନ ସଂଗ୍ରହ ଓ ସଂସ୍ଥାର ଅନ୍ୟାନ୍ୟ ସିଏସଆର କାର୍ଯ୍ୟକ୍ରମର ପରିଚାଳନା ଭାର ନେଉଥିବା ଗ୍ରାମାଂଚଳ ସାମ୍ବାଦିକମାନେ ଏବେ ବି ଉପଯୁକ୍ତ ପାରିଶ୍ରମିକ ନ ପାଇ ବେଠି ଖଟୁଛନ୍ତି । ଖବରକାଗଜ ମାଲିକଙ୍କ ହିସାବ ହେଉଛି, ଜଣେ ଗ୍ରାମାଂଚଳ ପ୍ରତିନିଧି ମାସକୁ ହଜାରେ ଲାଇନ ଖବର ପଠାଇଲେ ଓ ତାହା ଛପା ଗଲେ ସେ ବାବଦରେ ସଂପୃକ୍ତ ପ୍ରତିନିଧି ମାସକୁ ଏକ ହଜାର ଟଙ୍କା ପାୁରା ପାଇବେ । ଏହାଛଡା, ଖବରକାଗଜ ପ୍ରସାର ବାବଦ କମିସନ୍, ବିଜ୍ଞାପନ କମିସନ୍ ଓ ଅନ୍ୟାନ୍ୟ ସିଏସଆର କାର୍ଯ୍ୟକ୍ରମ ସଂପାଦନ କଲେ ସେ ବାବଦରେ କିଛି କିଛି ପାରିଶ୍ରମିକ ମିଳିବ । ତେଣୁ, ଜଣେ ଗ୍ରାମ୍ୟ ସାମ୍ବାଦିକ କମ୍ରେ ମାସିକ ୪ରୁ ୫ ହଜାର ଟଙ୍କା ରୋଜଗାର କରୁଛି । ତେବେ, ବାସ୍ତବତା ହେଉଛି, ଏଜେନ୍ସ ଓ ବିଜ୍ଞାପନ ବାବଦ ଅନାଦେୟ ଅର୍ଥ ସେହି ଗ୍ରାମାଂଚଳ ପ୍ରତିନିଧିଙ୍କ ମୁଣ୍ଡରେ ବୋଝ ହେଉଛି । ଏହାଛଡା, ସବୁ ପ୍ରତିନିଧି ସମାନ ଭାବେ ଖବର, ବିଜ୍ଞାପନ ଓ ପ୍ରସାରଣ ଦାୟିତ୍ୱ ତୁଲାଇବାକୁ ସକ୍ଷମ ନୁହନ୍ତି । ତେଣୁ, କାହାକୁ ପୁଳାଏ ମିଳୁଛି ତ ଆଉ କିଏ ବାକିରେ ରହିଯାଉଛି । ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତିମାନେ ରାତାରାତି ‘ସଲିବ୍ରିଟି’ ବନିବା ସକାଶେ ଆବଶ୍ୟକ ସିକ୍ୟୁରିଟି ଅର୍ଥ ଜମା ଦେଇ ସାମ୍ବାଦିକ ହୋଇଯାଉଛନ୍ତି । ବାସ୍ତବରେ ଗ୍ରାମାଂଚଳରେ ରହି ସାମ୍ବାଦିକତା କରୁଥିବା ଅନେକ ଆର୍ଥିକ ଦୁସ୍ଥିତିର ସମ୍ମୁଖୀନ ହୋଇ ଉପାର୍ଜନର ଅନ୍ୟ ବାଟ ଖୋଜୁଛନ୍ତି ।
ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ସମସ୍ୟା ପ୍ରାୟତଃ ସମାନ । ଟିଭି ସାମ୍ବାଦିକମାନେ ଆଖି ଦେଖା ଘଟଣାକୁ ଭିଜୁଆଲ୍ ଓ ବାଇଟ୍ ଦେଇ ନ ପଠାଇଲେ ତାହା ପ୍ରସାରିତ ହୁଏ ନାହିଁ । ତେଣୁ, ଭିଜୁଆଲ ମିଡ଼ିଆରେ ସାମ୍ବାଦିକ ଅପେକ୍ଷା ଭିଡ଼ିଓ ଜର୍ଣ୍ଣାଲିଷ୍ଟ୍ ବା କ୍ୟାମେରା ଚାଳକଙ୍କ ପତିଆରା ଅଧିକ । ‘ବୁମ୍’ ନ ଥିଲେ ଟିଭି ସାମ୍ବାଦିକ ଅସହାୟ । ପକେଟରେ ପରିଚୟପତ୍ର ଥାଉ ବା ନ ଥାଉ ‘ବୁମ୍’ ଥିଲେ ବାହାରେ ପରିଚୟ ମିଳିଥାଏ । ତେଣୁ, ସେମାନେ ପାରିଶ୍ରମିକ ଅପେକ୍ଷା ସଂସ୍ଥାର ‘ଲୋଗୋ’ ଥିବା ‘ବୁମ୍’ ହାତେଇବାକୁ ଗୁରୁତ୍ୱ ଦେଉଛନ୍ତି । ଛାପା ଗଣମାଧ୍ୟମ ଭଳି ବୈଦ୍ୟୁତିକ ଗଣମାଧ୍ୟମରେ ମଧ୍ୟ ଜଣେ ପ୍ରତିନିଧି ଏକାଧିକ ଚ୍ୟାନେଲର ‘ବୁମ୍’ ଧରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ନ୍ୟୁଜ୍ ଓ ଭିଜୁଆଲ ସେୟାରିଂ ଅତି ସାଧାରଣ କଥା । ମାସକରେ କିଏ କେତେ ପ୍ୟାକେଜ୍, ଭିଓ ଓ ଏଭିଓ ଦେଉଛି ତାହା ହିସାବ ନେଇ ପ୍ରସାରିତ ଖବରକୁ ଉପରେ ‘ପଏଂଟ୍’ ଅନୁସାରେ ସେମାନଙ୍କୁ ପାଉଣା ଦିଆଯାଏ । ତେବେ, ଖବର ସଂଗ୍ରହ ବାବଦ ପରିଶ୍ରମ ଓ ଖର୍ଚ୍ଚ ତୁଳନାରେ ଯାହା ପାଉଣା ମିଳେ ତାହା ଯଥେଷ୍ଟ ନ ହେଲେ ବି ପତିଆରା ପାଇଁ ସେମାନେ କାମ କରନ୍ତି ।
ପଡୋଶୀ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟରେ ସରକାର ସାମ୍ବାଦିକମାନଙ୍କୁ ବିଭିନ୍ନ ଆର୍ଥିକ ସୁବିଧା ସୁଯୋଗ ଦେବା ବ୍ୟବସ୍ଥା କରିଛନ୍ତି । ଓଡ଼ିଶାରେ ତାହା ହୋଇ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସହରାଂଚଳ ଓ ଗ୍ରମାଂଚଳ ସାମ୍ବାଦିକଙ୍କ ପାଇଁ ଏବେ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ମଧ୍ୟ ତାହା ସମସ୍ତଙ୍କ ପାଖରେ ପହଂଚି ନାହିଁ । କାରଣ, କେବଳ ସରକାରୀ ସ୍ୱୀକୃତ ସାମ୍ବାଦିକ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ନିକଟରେ ଥିବା ତାଲିକା ଭିତ୍ତିରେ ଏହି ବ୍ୟବସ୍ଥା ଲାଗୁ ହୋଇଛି । ରାଜ୍ୟର ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମରେ ଏଭଳି ଅନେକ କର୍ମଚାରୀ ଓ ସାଂବାଦିକ କାର୍ଯ୍ୟରତ ଅଛନ୍ତି ଯେଉଁମାନେ କି ଏହି ତାଲିକାରେ ନାହାନ୍ତି । ସମ୍ବାଦପତ୍ର ଓ ଗଣମାଧ୍ୟମ ସଂସ୍ଥାମାନେ ବିଭିନ୍ନ କାରଣରୁ ସମସ୍ତ କାର୍ଯ୍ୟରତ ସାମ୍ବାଦିକ, ଅଣ-ସାମ୍ବାଦିକଙ୍କ ତାଲିକା ସରକାରଙ୍କୁ ଦେଇ ନ ଥା’ନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରଣାଳୟ ଏହି ତଥ୍ୟ ସଂଗ୍ରହ କରି ସରକାରଙ୍କୁ ଦେବା କଥା । କିନ୍ତୁ, ତାହା ଠିକ୍ ଭାବେ ହେଉ ନାହିଁ । ଫଳରେ, ରାଜଧାନୀରେ ରହୁ ଥିବା ଓ ପ୍ରତିଦିନ ସଚିବାଳୟରେ ଡ଼େରା ପକାଉ ଥିବା ସାମ୍ବାଦିକମାନେ ସମସ୍ତ ସରକାରୀ ସୁଖ, ସୁବିଧା ବାଂଟି ନେଉ ଥିବା ବେଳେ ଗଣମାଧ୍ୟମର ‘ଲାଇଫ୍ ଲାଇନ୍’ ଗ୍ରାମାଂଚଳ ସାମ୍ବାଦିକ କେବଳ ହାତଟେକାକୁ ଚାହିଁ ବସିଛନ୍ତି । ଦୂର ପର୍ବତ ସୁନ୍ଦର ସଦୃଶ । ରାଜ୍ୟରେ ସରକାରୀ ଓ ଘରୋଇ ଉଦ୍ୟମରେ ସାମ୍ବାଦିକତା ଶିକ୍ଷାର ପ୍ରସାର ଘଟିଛି ଏବଂ ନୂଆ ନୂଆ ସାମ୍ବାଦିକତା ଆଡକୁ ଢଳିଛନ୍ତି ଶିକ୍ଷିତ ଯୁବକ ଯୁବତୀ । ତେବେ, ବାସ୍ତବତା କଣ ଜାଣିବା ପରେ ସେମାନେ କେତେଦୂର ଏହି ପେଶାରେ ରହିବେ, ତାହା ହିଁ ପ୍ରଶ୍ନବାଚୀ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS