ରାଜନୀତିରେ ସବୁ ସମ୍ଭବ
– ପ୍ରସାଦ ରାଓ –
ଜୁଲାଇ ୨୬ ତାରିଖ
ରାଜନୀତିରେ ସବୁ କଥା ସମ୍ଭବ, ତାହା ପ୍ରମାଣିତ ହୋଇଛି ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳରୁ । ବିଜେଡ଼ି ଏହି ନିର୍ବାଚନ ଜିତିଛି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା ବିଧାୟକ ନିର୍ବାଚିତ ହେବା ପରେ ଆଜି (୨୬ ତାରିଖ) ବିଧାନସଭାକୁ ଯାଇ ବାଚସ୍ପତିଙ୍କ ଦ୍ୱାରା ଶପଥ ଗ୍ରହଣ କରିଛନ୍ତି । ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେବା ସହ ନିର୍ବାଚନ ମଣ୍ଡଳୀରେ ବାକି ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଜେପୁରରୁ ରୀତା ସାହୁଙ୍କୁ ଜିତାଇବା ବେଳେ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀର ସବୁ ଦାୟିତ୍ୱ ମୁଣ୍ଡାଇବାକୁ ଯେଭଳି ପ୍ରତିଶ୍ରୁତି ଦେଇଥିଲେ ସାବିତ୍ରୀଙ୍କ ପାଇଁ ମଧ୍ୟ ସେଭଳି ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ, ପାଟକୁରାବାସୀ ସାବିତ୍ରୀଙ୍କୁ ନିର୍ବାଚିତ କରି ଅଂଚଳର ବିକାଶ ତ୍ୱରାନ୍ୱିତ ହେବା ନେଇ ଆଶାବାଦୀ ହେବା ସ୍ୱାଭାବିକ । ତେବେ, ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ବିଜେଡ଼ି ମୁଖ୍ୟ ସନ୍ତୁଷ୍ଟ ନଥିବା ଆଲୋଚନା ହେଉଛି । ବିଜେଡ଼ି ବଡ଼ ବ୍ୟବଧାନରେ ବିଜୟଙ୍କୁ ପରାଜିତ କରିବା ଲକ୍ଷ୍ୟ ରଖିଥିଲା । କିନ୍ତୁ, ତାହା ହୋଇ ନାହିଁ । ଭୋଟ ବ୍ୟବଧାନ କମି ଯିବା ବିଜେଡ଼ି ମୁଖ୍ୟଙ୍କୁ ଅସନ୍ତୁଷ୍ଟ କରିଛି । ଅପରପକ୍ଷରେ, ବିଜେପି ହାରିଥିଲେ ମଧ୍ୟ ୨୦୧୪ ତୁଳନାରେ ୫୬ ହଜାର ଅଧିକ ମିଳି ଥିବାରୁ ସନ୍ତୁଷ୍ଟ । ବିଜୟ ମହାପାତ୍ରଙ୍କ ପ୍ରାର୍ଥୀତ୍ୱ ପାଇଁ ହେଉ ବା ଅନ୍ୟ ଯେ କୌଣସି କାରଣରୁ ଏହି ଭୋଟ ବିଜେପି ଖାତାକୁ ଆସିଛି । ପାଟକୁରା ନିର୍ବାଚନ ଫଳାଫଳରେ କଂଗ୍ରେସ ସବୁଠାରୁ ଅଧିକ ଦୁଃଖି ହେବା କଥା । କାରଣ, ଦଳ ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ ନିର୍ବାଚନରେ ଦୟନୀୟ ପ୍ରଦର୍ଶନ କରିଛି । ୨୦୧୪ ନିର୍ବାଚନରେ ଜୟନ୍ତ ମହାନ୍ତି କଂଗ୍ରେସ ପ୍ରାର୍ଥୀ ହୋଇ ପାଟକୁରାରୁ ୪୨ ହଜାରରୁ ଅଧିକ ଭୋଟ ପାଇଥିଲେ । ୨୦୧୯ରେ ସେ ମାତ୍ର ୨,୧୦୪ ଭୋଟ ପାଇଛନ୍ତି । ଗଲା ପାଂଚ ବର୍ଷ ମଧ୍ୟରେ ଦଳ ଏହି ବିଧାନସଭା କ୍ଷେତ୍ରରେ ୪୦ ହଜାର ଭୋଟ ହରାଇବା ଦଳ ପାଇଁ ଚିନ୍ତାର କାରଣ ହେବା ସ୍ୱାଭାବିକ । କିନ୍ତୁ, ରାଜ୍ୟ କଂଗ୍ରେସ ନେତୃତ୍ୱ ସେ ନେଇ ଚିିନ୍ତିତ ଥିବା ଜଣା ପଡୁ ନାହିଁ । ତେଣୁ, ସହମତିରେ କଂଗ୍ରେସ ଭୋଟ ଅନ୍ୟ ଦଳକୁ ସ୍ଥାନାନ୍ତର ହୋଇଥିବା ଅନୁମାନ କରାଯାଇପାରେ ।
ପାଟକୁରା ଭୋଟ ଫଳାଫଳ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିନ୍ତିତ କରିଥିବା ଭୋଟ ଫଳାଫଳ ପରବର୍ତୀ ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି । ଭୋଟ କମିବାର କାରଣ ସଂପର୍କରେ ସେ ଖୋଳତାଡ କରୁଛନ୍ତି । ମୁଖ୍ୟମନ୍ତ୍ରୀ ବିବ୍ରତ ହେବାର କାରଣ ହେଉଛି ପାଟକୁରା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇବା ପାଇଁ ସମସ୍ତ ଶକ୍ତି ବିନିଯୋଗ କରିଥିଲେ । ନିଜେ ଦିନକ ପାଇଁ (ଜୁଲାଇ ୧୭) ପାଟକୁରା ଯାଇ ରୋଡ଼-ସୋ’ ଓ ସଭା କରିଥିଲେ । ପାଟକୁରା ନିର୍ବାଚନ ସଭା ଓ ରୋଡ଼-ସୋ’ରେ ବିପୁଳ ଜନସମାଗମ ଭୋଟରେ ରୂପାନ୍ତରିତ ହେବା ଆଶା କରାଯାଇଥିଲା । କିନ୍ତୁ, ଦଳ ମାତ୍ର ୧୭ ହଜାର ଭୋଟ ବ୍ୟବଧାନରେ ବିଜୟୀ ହେଲା । ଅନ୍ୟପଟେ, ବିଜେପି ୨୦୧୪ରେ ପାଇଥିବା ଭୋଟ ଠାରୁ ଅଧିକ ୫୭ ହଜାର ଭୋଟ ପାଇଛି । ଏହା ବିଜୟ ମହାପାତ୍ରଙ୍କ ବ୍ୟକ୍ତିତ୍ୱ ପାଇଁ ସମ୍ଭବ ହୋଇଛି ନା ଅନ୍ୟ କିଛି କାରଣରୁ, ତାହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ପାଟକୁରା ନିର୍ବାଚନ ପରିଚାଳନା ଦାୟିତ୍ୱ ଯେଉଁମାନେ ନେଇ ଥିଲେ ସେମାନଙ୍କୁ ଡାକି ତର୍ଜମା କରୁଛନ୍ତି । ବୁଥ୍ ୱାରୀ ତଥ୍ୟ ଉପସ୍ଥାପନ କରିବାକୁ ସେ ଏହି ନେତାମାନଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ପାଟକୁରା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଜୟନ୍ତ ମହାନ୍ତିଙ୍କ ୪୦ ହଜାର ଭୋଟ କୁଆଡେ ଗଲା, ତାହାର ତର୍ଜମା ଚାଲିଛି । ଏହି ଭୋଟ ଉଭୟ ବିଜେଡ଼ି ଓ ବିଜେପିକୁ ଯାଇଥିବା ଅନୁମାନ କରାଯାଉଥିବା ବେଳେ ବିଜେପି ଭାଗକୁ ଅଧିକ ଯାଇଥିବା ଭୋଟ ଫଳାଫଳରୁ ଅନୁମାନ କରାଯାଉଛି ।
ତେବେ, ରାଜ୍ୟ କଂଗ୍ରେସ ନେତୃତ୍ୱ ପାଟକୁରା ଭୋଟ ଫଳାଫଳକୁ ନେଇ ଚିନ୍ତିତ ଥିବା ମନେ ହେଉ ନାହିଁ । ଏହାର କାରଣ ହେଉଛି, ଜାତୀୟ ସ୍ତରରେ କଂଗ୍ରେସ ପାଖାପାଖି ଦୁଇ ମାସ ହେଲା ମୂରବୀଶୂନ୍ୟ ରହିଛି । ରାଜ୍ୟରେ ମଧ୍ୟ ଏକା ଅବସ୍ଥା । ୨୦୧୯ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ନିଜକୁ ଦାୟି କରି ପିସିସି ସଭାପତି ପଦରୁ ନିରଂଜନ ପଟ୍ଟନାୟକ ଇସ୍ତଫା ଦେଇ ସାରିଛନ୍ତି । କିନ୍ତୁ, ଏଆଇସିସିରେ ତାହା ଗୃହୀତ ହୋଇ ନାହିଁ । ସେହିଭଳି, ନିର୍ବାଚନ ବିପର୍ଯ୍ୟୟ ପାଇଁ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନିଜକୁ ଦାୟି କରି ଇସ୍ତଫା ଦେବା ପରେ ଜାତୀୟ ସ୍ତରରେ କଂଗ୍ରେସ ଦିଗହରା ହୋଇଛି । ପାଟକୁରା ନିର୍ବାଚନ ବେଳକୁ ଉଭୟ ଜାତୀୟ ଓ ରାଜ୍ୟସ୍ତରରେ କେହି ମୁରବୀ ନଥିବାରୁ କଂଗ୍ରେସ ନେତାମାନେ ଦଳର ପ୍ରାର୍ଥୀଙ୍କ ପ୍ରଚାର ଓ ନିର୍ବାଚନ ଖର୍ଚ୍ଚ ତୁଲାଇବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି । ବସ୍ତୁତଃ ପିସିସି ସଭାପତି ଭାବେ କାମ ଚଳାଉ ଥିବା ନିରଂଜନ ପଟ୍ଟନାୟକ ଔପଚାରିକତା ଦୃଷ୍ଟିରୁ ପାଟକୁରା ଯାଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ । ବିଜେଡ଼ି ଓ ବିଜେପି ନିଜର କ୍ଷମତା ଏବଂ ଅର୍ଥ ବଳରେ ନିର୍ବାଚନ ଜିତିବାକୁ ପ୍ରୟାସ କରିଥିବା ବେଳେ କଂଗ୍ରେସ ନେତୃତ୍ୱର ଉଦାସୀନତା ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ନିରାଶ କରିଥିବା ସ୍ୱାଭାବିକ । ତେଣୁ, କଂଗ୍ରେସ ଭୋଟ ଦୁଇ ଅଣ କଂଗ୍ରେସ ଦଳକୁ ଚାଲି ଯାଇଥିବା ଅନୁମାନ କରାଯାଉଛି । ଓଡ଼ିଶାରେ ଦୀର୍ଘ ସମୟ ଧରି କଂଗ୍ରେସ ଦଳ କ୍ଷମତାରେ ଥିଲା । ସେହି ସମୟରେ ଯେଉଁମାନେ ଉପକୃତ ହୋଇଛନ୍ତି ସେମାନ ଅସମୟରେ ଦଳର ସ୍ୱାଭିମାନ ରକ୍ଷା ପାଇଁ ଆଗେଇ ନ ଆସି ଦଳୀୟ ପ୍ରାର୍ଥୀଙ୍କ ହାତ ଛାଡି ଦେବା ରାଜ୍ୟରେ କଂଗ୍ରେସର ଦୟନୀୟ ସ୍ଥିତିକୁ ବୟାନ କରୁଛି ।
ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ପାଟକୁରା ବିଧାନସଭା ନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ବେଳେ ୮ ଜଣ ଅମାନତ ହରାଇଛନ୍ତି । ସାତ ଜଣ ପ୍ରାର୍ଥୀ ‘ନୋଟା’ରେ ପଡି ଥିବା ଭୋଟରୁ କମ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମହାନ୍ତି ସେମାନଙ୍କ ଠାରୁ କିଛି ଅଧିକ ଅର୍ଥାତ ୨୧୦୪ ଭୋଟ ପାଇଛନ୍ତି । ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ସର୍ବାଧିକ ୯୬,୦୧୭ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଛି ୭୮,୦୯୭ ଭୋଟ । ବିଜେଡ଼ି ଓ ବିଜେପି ମଧ୍ୟରେ ଭୋଟ ବ୍ୟବଧାନ ରହିଛି ୧୭, ୯୨୦ । ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ପାଟକୁରାରେ ୨୬,୧୩୧ ଭୋଟ ପାଇ ଥିବା ବେଳେ ୨୦୧୪ ନିର୍ବାଚନରେ ୪୨,୧୩୮ ଭୋଟ ପାଇ ଥିଲା । ୨୦୧୯ରେ କଂଗ୍ରେସକୁ ମାତ୍ର ୨,୧୦୪ ଭୋଟ ମିଳିବା ସମସ୍ତଙ୍କୁ ବିସ୍ମିତ କରିଛି । ବିଜେପି ୨୦୦୯ରେ ପାଟକୁରା ବିଧାନସଭା କ୍ଷେତ୍ରରେ ୪୪,୯୯୦ ଭୋଟ ପାଇ ଥିବା ବେଳେ ୨୦୧୪ରେ ତାହା ୨୧, ୫୮୮ ଖସି ଆସିଥିଲା । କିନ୍ତୁ, ୨୦୧୯ରେ ତାହା ୭୧,୭୨୫କୁ ବୃଦ୍ଧି ପାଇଛି । ସେହିଭଳି, ବିଜେଡ଼ି ୨୦୦୯ରେ ପାଟକୁରାରୁ ୭୧, ୭୨୫ ଭୋଟ ଓ ୨୦୧୪ରେ ୮୯, ୮୫୩ ଭୋଟ ପାଇଥିବା ବେଳେ ୨୦୧୯ରେ ୯୬ ହଜାର ୦୧୭ ଭୋଟ ପାଇଛି । କଂଗ୍ରେସ ଭୋଟରୁ ସର୍ବାଧିକ ପରିମାଣ ବିଜେଡ଼ିକୁ ଆସିବ ବୋଲି ଦଳର ସୁପ୍ରିମୋ ଆଶା କରିଥିବା ବେଳେ ମାତ୍ର ୬ ହଜାର ଅଧିକ ଭୋଟ ମିଳିବା ଏବଂ ବିଜେପି ଭୋଟ ୨୧,୫୦୦ (୨୦୧୪)ରୁ ୭୮,୦୯୭କୁ ବଢି ଯିବା ଶାସକ ଦଳ ପାଇଁ ଉଦ୍ବେଗର ବିଷୟ ହେବା ସ୍ୱାଭାବିକ ।
ବିଜୟ ମହାପାତ୍ର ବିଜେପିରୁ ପ୍ରାର୍ଥୀ ଥିଲେ ମଧ୍ୟ କୌଣସି ବଡ଼ ବିଜେପି ନେତା (ପ୍ରଧାନମନ୍ତ୍ରୀ ବା ଦଳର ରାଷ୍ଟ୍ରିୟ ସଭାପତି) ତାଙ୍କ ପାଇଁ ପ୍ରଚାରରେ ଆସି ନ ଥିଲେ । ବିଜୟଙ୍କୁ ବୋଝ ଭାବୁ ଥିବା ବିଜେପିର କିଛି ନେତା ଔପଚାରିକତା ଦୃଷ୍ଟିରୁ ନିର୍ବାଚନ ପ୍ରଚାରରେ ସାମିଲ ଥିଲେ ସିନା ଆନ୍ତରିକତା ଥିବା ଭଳି ଲାଗୁ ନ ଥିଲା । ବିଜୟଙ୍କ ଆତ୍ମବିଶ୍ୱାସ ଓ ଲୋକସଂପର୍କ ନିର୍ବାଚନ ଲଢେଇର ଆଧାର ଥିଲା ଏହା ସତ୍ୱେ ତାଙ୍କ ଖାତାକୁ ଯେଉଁ ମାତ୍ରାରେ ଭୋଟ ଯାଇଛି ତାହା ତାଙ୍କ ଲୋକପ୍ରିୟତାର ପରିଚୟ ଦେଉଛି । ମୁଖ୍ୟମନ୍ତ୍ରୀ ଶେଷ ମୂହୁର୍ତରେ ନିର୍ବାଚନ ମଇଦାନକୁ ଓହ୍ଲାଇ ନ ଥିଲେ ଓ ପାଟକୁରାବାସୀଙ୍କ ଦାୟିତ୍ୱ ମୁଣ୍ଡାଇବାକୁ ପ୍ରତିଶ୍ରୁତି ଦେଇ ନ ଥିଲେ ଫଳାଫଳ ବିଜୟଙ୍କ ସପକ୍ଷରେ ଯିବା କିଛି ଅସମ୍ଭବ ନ ଥିଲା । ପାଟକୁରାରେ ଶାସକ ଦଳର ଭୋଟ ପରିଚାଳନା ଦାୟିତ୍ୱରେ ଯେଉଁମାନେ ଥିଲେ ସେମାନେ ଯେତେ ବାହାସ୍ପୋଟ ମାରନ୍ତୁ ନା କାହିଁକି ନିର୍ବାଚନ ମଣ୍ଡଳୀରେ ବିଜୟ ମହାପାତ୍ରଙ୍କ ବ୍ୟକ୍ତିଗତ ପତିଆରାକୁ ଅସ୍ୱୀକାର କରି ପାରିବେ ନାହିଁ ।
ଏହା ସତ୍ୟ ଯେ, ୨୦୦୦ ମସିହାରୁ ବିଜୟ ବିଧାନସଭା ବାହାରେ ଅଛନ୍ତି । ବିଜୟ ବିଜେଡ଼ିର ପ୍ରତିଷ୍ଠାତା ସଦସ୍ୟ ହୋଇ ସୁଦ୍ଧା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସଂପର୍କ ଖରାପ ଥିବାରୁ ୨୦୦୦ ମସିହାରେ ଶେଷ ମୂହୂର୍ତରେ ଦଳୀୟ ଟିକଟରୁ ବଂଚିତ ହୋଇଥିଲେ । ତାଙ୍କ ସ୍ଥାନରେ ଦଳ ଅତନୁ ସବ୍ୟସାଚୀଙ୍କୁ ପ୍ରାର୍ଥୀ କରିଥିଲା । ତେବେ, ବିଜୟ ସମର୍ଥିତ ତ୍ରିଲୋଚନ ବେହେରାଙ୍କ ଠାରୁ ଅତନୁ ହାରିଥିଲେ । ତ୍ରିଲୋଚନ ବିଧାୟକ ନିର୍ବାଚିତ ହେବା ପରେ ବିଜୟଙ୍କୁ ଧୋକା ଦେଇ ବିଜେଡ଼ିରେ ଯୋଗ ଦେଇଥିଲେ । ଏହା ପରେ ବିଜୟ ୨୦୦୪ରେ ତାଙ୍କରି ଦ୍ୱାରା ଗଠିତ ଓଡ଼ିଶା ଗଣ ପରିଷଦରୁ ପ୍ରାର୍ଥୀ ହୋଇ ଅତନୁଙ୍କ ଠାରୁ ପରାଜିତ ହୋଇ ଥିଲେ । ୨୦୦୯ ନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ଥିଲେ । ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲା ତାଙ୍କୁ ପରାଜିତ କରିଥିଲେ । ୨୦୧୪ ନିର୍ବାଚନରେ ଅତନୁ ପୁଣି ଥରେ ମହାକାଳପଡା ନିର୍ବାଚନ ମଣ୍ଡଳୀରେ ବିଜୟଙ୍କୁ ପରାଜିତ କରି ବିଧାନସଭାରେ ବିଜୟଙ୍କ ପ୍ରବେଶକୁ ରୋକି ଥିଲେ । ବିଜେପିର ଜାତୀୟ କାର୍ଯ୍ୟକାରୀଣୀ ସଦସ୍ୟ ଥାଇ ମଧ୍ୟ ଓଡ଼ିଶାରେ ଦଳ ଭିତରେ କୋଣଠେସା ହୋଇ ରହିଥିବା ବିଜୟ ମହାପାତ୍ର ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇ ବିଜେଡ଼ିକୁ ଫେରିବା ଉଦ୍ୟମ କରିଥିଲେ । କିନ୍ତୁ, ନବୀନ ସେହି ସୁଯୋଗ ନ ଦେବାରୁ ବିଜୟ ପୁଣି ଥରେ ବିଜେପିକୁ ଫେରି ପାଟକୁରାରୁ ପ୍ରାର୍ଥୀ ହୋଇଥିଲେ । ଏଥର, ଓଡ଼ିଶାରେ ବିଜେପି ମୁକାବିଲାତ୍ମକ ସ୍ଥିତିରେ ଥିଲା, ବିଜୟଙ୍କ ବିଜୟକୁ ନେଇ ସମସ୍ତେ ଆଶାବାଦୀ ଥିଲେ । ବିଜେଡ଼ି ବିଜୟଙ୍କ ମୁକାବିଲା ପାଇଁ ହସପିଟାଲ ଶଯ୍ୟାରୁ ବେଦ ପ୍ରକାଶଙ୍କୁ ଉଠାଇ ଆଣି ପ୍ରାର୍ଥୀ କରିଥିଲା । ଭୋଟ ପୂର୍ବରୁ ଏପ୍ରିଲ ୨୦ ତାରିଖରେ ବେଦ ପ୍ରକାଶଙ୍କ ଦେହାନ୍ତ ହେବରୁ ପାଟକୁରା ନିର୍ବାଚନ ସ୍ଥଗିତ ରହିଥିଲା । ମେ’ ମାସରେ ହେବାକୁ ଥିବା ଉପ ନିର୍ବାଚନ ‘ଫନି’ ପାଇଁ ସ୍ଥଗିତ ରହିଲା । ଶେଷରେ, ଜୁଲାଇ ୨୦ରେ ହୋଇଥିବା ନିର୍ବାଚନରେ ବିଜେଡ଼ି ତାହାର ସମସ୍ତ ଶକ୍ତି ଖଟାଇ ବିଜୟଙ୍କୁ ପରାଜିତ କରିଛି । ବିଜୟଙ୍କ ଏହି ଚତୁର୍ଥ ପରାଜୟ ବିଜେଡ଼ିକୁ ଆଶ୍ୱସ୍ତ କରିଛି । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରି ପାରି ନାହିଁ । ଭୋଟ ବ୍ୟବଧାନ କମିବାର କାରଣ ଖୋଜା ଚାଲି ଥିବାରୁ ଆଜି ନ ହେଲେ କାଲି କାହା ମୁଣ୍ଡରେ ନବୀନଙ୍କ ଚଡ଼କ ପଡିବ, ଏଥିରେ କିଛି ସନ୍ଦେହ ନାହିଁ । ତେବେ, ରାଜନୀତିରେ ଏସବୁ ସ୍ୱାଭାବିକ ବୋଲି କହୁଛନ୍ତି ରାଜନୈତିକ ବିଶ୍ଲେଷକମାନେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS