‘ଅନୁଗତ୍ୟ’ ଓ ‘ପେଶା’କୁ ନେଇ ଲଢେଇରେ ‘ମାନବିକତା’ ହଜି ଯାଉଛି
– ପ୍ରସାଦ ରାଓ –
ଜୁଲାଇ ୨୮ ତାରିଖ
ଆମେ ଯେତେବେଳେ ଯେଉଁ କାର୍ଯ୍ୟ କରୁଛେ ‘ଅନୁଗତ୍ୟ’ ଓ ‘ପୋଶାଦାର ମନୋଭାବ’ ମଧ୍ୟରେ ଏକ ନୀରବ ସଂଘର୍ଷ ଚାଲି ଥିବା ଲକ୍ଷ୍ୟ କରିଥିବା । ‘ଆନୁଗତ୍ୟ’ ହେଉଛି ମାନବିକତା ଏବଂ ‘ପେଶା’ ହେଉଛି ପେଟ ପୋଶିବାର ମାଧ୍ୟମ । ‘ଆନୁଗତ୍ୟ’ ଓ ‘ପେଶାଦାର ମନୋଭାବ’ କୌଣସି ନିର୍ଦ୍ଧିଷ୍ଟ ସଂସ୍ଥା ବା କାର୍ଯ୍ୟରେ ସୀମିତ ନୁହେଁ । ପେଶାଦାରମାନେ ମଧ୍ୟ ସଂସ୍ଥା ପ୍ରତି ଅନୁଗତ ରହିବା ଆବଶ୍ୟକ । ସମସ୍ତେ ଏହା ଚାହାନ୍ତି । କିନ୍ତୁ, ଦୁଇଟି ଯାକ କଳା ଏକାଠି ରହିବା ସମ୍ଭବ ନୁହେଁ । ଜଣେ କାର୍ଯ୍ୟ କ୍ଷେତ୍ରରେ ପାରଂଗମ ହୋଇପାରେ, କିନ୍ତୁ ଅନୁଗତ ନ ହେଲେ ଅନେକ ସମସ୍ୟାର ସାମନା କରେ । ଏହା ହେଉଛି ଅଲିଖିତ ବାସ୍ତବତା । ଅନେକ ସମୟରେ ଆମେ ଦେଖୁଛୁ ସଂସ୍ଥା ପ୍ରତି ଅନୁଗତ ବ୍ୟକ୍ତି ପେଶାଦାର ନୁହନ୍ତି । ଆଉ ଯିଏ ପେଶାଦାର, ଆନୁଗତ୍ୟକୁ ପସନ୍ଦ କରି ନ ଥାଏ । ଏଭଳି ମନସ୍ତତ୍ୱକୁ ସଂସ୍ଥାର ମୁଖ୍ୟ ବା ମାଲିକ କିଭଳି ଭାବେ ଗ୍ରହଣ କରିବେ ତାହା ମାଲିକଙ୍କ ମନସ୍ତତ୍ୱ ଉପରେ ନିର୍ଭର କରିଥାଏ । କାରଣ, ଅଧିକାଂଶ ମାଲିକ ଚାହାନ୍ତି ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ପେଶାଦାର ହୋଇ ଥାଆନ୍ତୁ ଏବଂ ସଂସ୍ଥା ପ୍ରତି ଅନୁଗତ ମଧ୍ୟ ହୋଇ ଥାଆନ୍ତୁ । ପୁରୁଣା ପୀଢିର କର୍ମଚାରୀମାନେ ଏହି ଦୁଇଟି ଯାକ କଳା ମଧ୍ୟରେ ସନ୍ତୁଳନ ରକ୍ଷା କରି କର୍ମ ସ୍ଥଳରେ ନିଜକୁ ସୁରକ୍ଷିତ ରଖିବାର ପ୍ରୟାସ କରିଥା’ନ୍ତି । କିନ୍ତଉ, ନୂଆ ପୀଢି ଆନୁଗତ୍ୟ ଅପେକ୍ଷା ପେଶାଦାର ମନୋଭାବକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବା ସମୟରେ ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ଏହି ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟଧାରାକୁ ମଧ୍ୟ ପ୍ରଭାବିତ କରିଥାଏ ।
ଆଜି ଏଭଳି ଏକ ବିଷୟ ଉପରେ ଆଲୋଚନା କରିବାର ଅବକାଶ ଆସିଲା କାହିଁକି ? ପାଠକମାନେ ଏହି ପ୍ରଶ୍ନ କରିପାରନ୍ତି । ଏଠାରେ ଗୋଟିଏ କଥା ସ୍ପଷ୍ଟ କରି ଦେବାକୁ ଚାହୁଁଛି । ଉଭୟ କର୍ମଚାରୀ ଓ ପରିଚାଳକ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ ସଂପାଦନା କଲା ବେଳେ ମୁଁ ନିଜେ ଏହି ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଛି । କରିଛି । ପେଶାଦାର ଭାବେ କିଛି ନିଷ୍ପତ୍ତି ନେଲା ବେଳେ ସଂସ୍ଥା ପ୍ରତି ଆନୁଗତ୍ୟ ମୋ ପାଦକୁ ଛନ୍ଦି ଦେଇଛି । ଅନୁଗତ ଭାବେ କାର୍ଯ୍ୟ କରିବା ସମୟରେ ମାଲିକ ଖୋଜିଛନ୍ତି ପେଶାଦାର ମନୋଭାବକୁ । ନା’ ଅନୁଗତ ହୋଇ ପାରୁଛି, ନା’ ପେଶାଦାର । ଏଭଳି କ୍ଷେତ୍ରରେ ଅନେକ ସମୟରେ ‘ଆନୁଗତ୍ୟ’ ନିକଟରେ ପେଶାଦାର ମନୋଭାବ ହାରି ଯାଇଥିବା ମଧ୍ୟ ଦେଖିଛି । ଏହାର ଜ୍ୱଳନ୍ତ ଉଦାହରଣ ଭାବେ ନିକଟରେ ସାମନା କରିଥିବା ଏକ ସମସ୍ୟା ଉପସ୍ଥାପନ କରିବାକୁ ଚାହୁଁଛି ।
ଦୀର୍ଘ ବର୍ଷ ଧରି ମୁଁ ଯେଉଁ ସଂସ୍ଥାର ଆଂଚଳିକ ସଂସ୍କରଣର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲି ସେହି ସଂସ୍ଥାର ଜଣେ ବ୍ଲକ ସ୍ତରୀୟ ସହଯୋଗୀ ଥିଲେ ଭବାନୀ ମିଶ୍ର । ଉଭୟ ଅନୁଗତ ଓ ପେଶାଦାର ଭାବେ ସେ ଦାୟିତ୍ୱ ତୁଲାଇ ଥିବା ମୁଁ ଦେଖିଛି । ସଂସ୍ଥା କାର୍ଯ୍ୟରେ ଆମେ ବିଳମ୍ବିତ ରାତ୍ରୀରେ ତାଙ୍କ ନିକଟରେ ପହଂଚିଲେ ସେ ବିରକ୍ତି ପ୍ରକାଶ ନ କରି ଦାୟିତ୍ୱ ସଂପାଦନ କରୁଥିଲେ । ସଂପୃକ୍ତ ସଂସ୍ଥାର ଏଜେନ୍ସି ଚଳାଇବା ସହ ସଂସ୍ଥା ପାଇଁ ବିଜ୍ଞାପନ ସଂଗ୍ରହ କରିବା ଓ ଯାହା ନିର୍ଦେଶ ଯିବ ସେହି ଅନୁସାରେ କାର୍ଯ୍ୟ କରିବା ତାଙ୍କ ଦାୟିତ୍ୱ ଥିଲା । ଏତେ ସବୁ କାମ କରି ମଧ୍ୟ ସେ ସ୍ୱଚ୍ଛଳ ନ ଥିଲେ । କଷ୍ଟେମଷ୍ଟେ ପରିବାର ଚଳାଉଥିଲେ । ମୁଁ ସଂସ୍ଥା ଛାଡିବା ପରେ ମଧ୍ୟ ଭବାନୀ ସଂସ୍ଥା ସହ ଯୋଡି ହୋଇ ରହି ଥିଲେ । ଗ୍ରାମାଂଚଳ ସାମ୍ବାଦିକ ଭାବେ ସେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ଶୁଣିଥିଲି । ତେବେ, ହଠାତ୍ ହୃଦଘାତରେ ଭବାନୀଙ୍କ ମୃତ୍ୟୁ ଘଟିଲା । ପରିବାର ପାଇଁ ଅନ୍ୟ କିଛି ରୋଜଗାର ପନ୍ଥା ନଥିଲା । ତେଣୁ, ଝିଅ ସଂଗୀତା ବାଧ୍ୟ ହୋଇ ବାପାଙ୍କ ପେଶା ଆପଣାଇଲେ । ଖବରକାଗଜର ଏଜେଂଟ ଓ ବ୍ଲକ ପ୍ରତିନିଧି ଭାବେ ସେ ଦାୟିତ୍ୱ ସମ୍ଭାଳିଲେ । ଏହା ମୋ ପାଇଁ ଖୁସିର ଖବର ଥିଲା ।
ତେବେ, ବେଶି ଦିନ ଏହା ଚାଲିଲା ନାହିଁ । ଝିଅଟିଏ ଖବରକାଗଜ ବିତରଣ କଥା ବୁଝିଲେ ଯାହା ହୁଏ । ହକର୍ ପଇସା ଖାଇ ଗଲେ । ସଂସ୍ଥାର ପରିଚାଳକ ଖବରକାଗଜ ବାବଦ ମୂଲ୍ୟ ଆଦାୟ ପାଇଁ ସଂଗୀତାଙ୍କ ପାରିଶ୍ରମିକକୁ ତାହା ସହ ଯୋଡି ଦେଲେ । କିଛି ଦିନ ପରେ ଏଜେନ୍ସି ହାତଛଡା ହେଲା । ଗ୍ରାମାଂଚଳ ପ୍ରତିନିଧି ଭାବେ ସଂଗୀତାଙ୍କୁ ଯାହା ପାଉଣା ଦିଆଯାଉଥିଲା ତାହା ମଧ୍ୟ ବନ୍ଦ ହୋଇଗଲା । କିଛି ମାସ ପରେ ଯାହା ଶୁଣିଲି ତାହା ଥିଲା ‘ଆନୁଗତ୍ୟ’ ପ୍ରତି ଶକ୍ତ ଧକ୍କା । ଗ୍ରାମାଂଚଳ ସାମ୍ବାଦିକ ଭାବେ ଦାୟିତ୍ୱ ତୁଲାଉ ଥିବା ଝିଅଟି ବୃଦ୍ଧା ମା’ଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିପାରୁ ନାହିଁ । ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାର ବରିଷ୍ଠ ଅଧିକାରୀମାନେ ତାଙ୍କ ସମସ୍ୟା ବୁଝିବେ କଣ, ଅଶାଳୀନ ବ୍ୟବହାର କରି ତାଙ୍କୁ ବିଦା କରି ଦେଇଛନ୍ତି । ଝିଅଟି କାନ୍ଦି କାନ୍ଦି ଏକଥା କହିବା ବେଳେ ମୋ ଆଖିରେ ଲୁହ ଆସିଥିଲା । ଅମଣିଷ ପଣିଆର ଔଧତ୍ୟ ଆଖି ସାମନାରେ ନାଚୁ ଥିଲା । ଆଶ୍ୱାସନା ଦେବା ବ୍ୟତୀତ ଆଉ କିଛି କରିବା ମୋ କ୍ଷମତା ବାହାରେ? ତେଣୁ ଝିଅଟିକୁ ଆଶ୍ୱାସନା ଦେଇ ପଠାଇ ଦେଲି । ଏହି ଘଟଣାରୁ ବୁଝି ପାରୁଥିବେ, ଜଣେ ଅନୁଗତ କର୍ମଚାରୀଙ୍କ ଅବର୍ତମାନରେ ଗୋଟିଏ ପେଶାଦାର ମ୍ୟାନେଜମେଂଟ କେତେ ଅମାନୁଷିକ ହୋଇ ପାରେ । କେବଳ ଭବାନୀ ମିଶ୍ର ନୁହନ୍ତି, ମୋ କାର୍ଯ୍ୟକାଳରେ ଏଭଳି ଅନେକ ଗ୍ରାମାଂଚଳ ସାମ୍ବାଦିକଙ୍କୁ ଦେଖିଛି ଯେଉଁମାନେ କି ସଂସ୍ଥା ପ୍ରତି ଆନୁଗତ୍ୟ ରଖି ପ୍ରତ୍ୟେକ ଦାୟିତ୍ୱ ନିଷ୍ଠାର ସହ ସଂପାଦନ କରିଛନ୍ତି । କିନ୍ତୁ, ଅସମୟରେ ସେମାନଙ୍କ ମୃତ୍ୟୁ ଘଟିବା ପରେ ସଂସ୍ଥା କିଛି ଆର୍ଥିକ ସହାୟତା ଦେଇ ସେହି ପରିବାରର ପିଛା ଛୁଡାଇଛି । ଏହା ହେଉଛି ‘ଆନୁଗତ୍ୟ’ ଓ ‘ପେଶାଦାର ମନୋଭାବ’ ମଧ୍ୟରେ ସଂଘର୍ଷର ଏକ ନିଚ୍ଛକ ଚିତ୍ର ।
ଆମେ ସଂସ୍ଥା ସହ ଯୋଡି ହୋଇଥିବା ସମୟରେ ଭବାନୀଙ୍କ ଭଳି ବହୁ ଗ୍ରାମାଂଚଳ ସମ୍ବାଦଦାତାଙ୍କୁ ଆମ ସହ ଯୋଡି ଥିଲୁ । ଗୁରୁଣ୍ଡିବାକୁ ଆରମ୍ଭ କରିଥିବା ସଂସ୍ଥାକୁ ଶିଖରରେ ପହଂଚାଇବାରେ ସେମାନଙ୍କ ଭୂମିକା ଥିଲା ଅନବଦ୍ୟ । ସେମାନେ ପେଶାଦାର ନ ଥିଲେ । କିନ୍ତୁ, ଅନୁଗତ ଥିଲେ । ପରବର୍ତୀ ସମୟରେ ସଂସ୍ଥା ସହ କାମ କରୁ କରୁ ପେଶାଦାର ହୋଇଥିଲେ । ଏହି ଆନୁଗତ ଓ ପେଷାଦାର କର୍ମଚାରୀମାନେ ସଂସ୍ଥାର ସଂପଦ ହେବା କଥା । କିନ୍ତୁ, ପେଶାଦାର ମ୍ୟାନେଜମେଂଟ ଆଖିରେ ସେମାନଙ୍କ ଆନୁଗତ୍ୟ ମୂଲ୍ୟହୀନ ଥିଲା । ଆଜି ମଧ୍ୟ ସେହି ଏକ ଅବସ୍ଥା ଦେଖୁଛି ଅନ୍ୟ ସଂସ୍ଥାମାନଙ୍କରେ । ସଂସ୍ଥା ଦୁଃଖରେ ଥିଲେ ‘ଆନୁଗତ୍ୟ’କୁ ଖେଜେ । ସଂକଟ ସରି ଗଲେ ବ୍ୟବହାର କରେ ପୋଶାଦାରଙ୍କ ଭଳି । ଯେଉଁଠି ଆନୁଗତ୍ୟ ନ ଥିବା ପେଶାଦାର କର୍ମଚାରୀ ସିଧାସଳଖ ନିଯୁକ୍ତି ପାଇଛନ୍ତି ସେମାନେ ନିଜ ସୁଖ ସବିଧା ଥିବା ଯାଏଁ ସଂସ୍ଥା ସହ ଯୋଡି ହୋଇ ରହିଛନ୍ତି । ସଂସ୍ଥାକୁ ପ୍ଳାଟଫର୍ମ କରି ସୁଯୋଗ ମିଳିବା କ୍ଷଣି ଅନ୍ୟତ୍ର ଡିଆଁ ମାରିଛନ୍ତି । ଏଭଳି ଟ୍ରେଂଡ୍ କେବଳ ଗଣମାଧ୍ୟମ ନୁହେଁ, ପ୍ରତ୍ୟେକ ସଂସ୍ଥାରେ ଦେଖିବାକୁ ମିଳୁଛି । ଘରୋଇ ସଂସ୍ଥାମାନଙ୍କରେ ଏହା ନିତିଦିନିଆ ଘଟଣା । ମ୍ୟାନେଜମେଂଟ ନିଜର ଆବଶ୍ୟକତାକୁ ଦେଖି କର୍ମଚାରୀ ନିଯୁକ୍ତି ଦେଉଛି । କାମ ସରି ଗଲେ ସଂପୃକ୍ତ କର୍ମଚାରୀ ଅଲୋଡା । ଭିଆରଏସ୍ ବ୍ୟବସ୍ଥା ତ ରହିଛି । ତେଣୁ, ମାଲିକ ତୁରନ୍ତ ଭିଆରଏସ୍ କଥା କହୁଛି । ନୂଆ ପୀଢିର କର୍ମଚାରୀ ଏହି ବ୍ୟବସ୍ଥା ସହ ପରିଚିତ । ତେଣୁ, ଆନୁଗତ୍ୟକୁ ଘରେ ରଖି ପେଶାଦାର ଭାବେ ସଂସ୍ଥାରେ ଯୋଗ ଦେଉଛନ୍ତି । ସଂସ୍ଥାରେ ରହି ଦକ୍ଷତାର ତାଲିମ ନେଉଛନ୍ତି ଏବଂ ସୁଯୋଗ ଦେଖି ପେଶା ବଦଳାଉଛନ୍ତି । ବିଶେଷକରି, ମ୍ୟାନେଜମେଂଟ ପ୍ରଫେସନାଲମାନେ କେବେହେଲେ ଗୋଟିଏ ସଂସ୍ଥାରେ ରହି କାର୍ଯ୍ୟ କରିବାକୁ ପସନ୍ଦ କରୁ ନ ଥିବା ଦେଖାଯାଇଛି ।
ଏହି ଟ୍ରେଂଡ ରାଜନୀତିକୁ ମଧ୍ୟ ସଂକ୍ରମିତ ହୋଇଥିବା ଆପଣମାନେ ଦେଖୁଥିବେ । ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ସମେତ ସମଗ୍ର ଦେଶରେ ଯେଭଳି ଦଳବଦଳ ଦେଖିବାକୁ ମିଳିଲା ତାହା ଏକ ବଡ ଉଦାହରଣ । ଶାସକ ଦଳ ହେଉ ବା ବିରୋଧୀ, କୋଉଠି ଆଉ ଅନୁଗତ ନାହାନ୍ତି । ନିଜ ସ୍ୱାର୍ଥରେ ଆଂଚ ଆସିଲେ ବଡ଼ ବଡ଼ ଅନୁଗତମାନେ ଳାଂଗୁଡ ଜାକି ଅନ୍ୟ ଶିବିରକୁ ଚାଲି ଯାଉଛନ୍ତି । କର୍ଣ୍ଣାଟକରେ କିଛି ଦିନ ହେଲା ଯେଉଁ ରାଜନୈତିକ ନାଟକବାଜୀ ଚାଲି ଥିଲା, ତାହା ଏହି ଖେଳର ଏକ ଅଂଶ । କ୍ଷମତାସୀନ ମେଂଟ ସରକାରକୁ ଗାଦିଚ୍ୟୁତ କରିବାକୁ ବିରୋଧୀ ଷଡଯନ୍ତ୍ରର ମୋହରା ହେଲେ ଶାସକ ମେଂଟର ବିଧାୟକ, ମନ୍ତ୍ରୀ । ଦଳ ଓ ଆନୁଗତ୍ୟ ଚୁଲିକୁ ଗଲା । ମେଂଟ ସରକାର ପାରୁ ପର୍ଯ୍ୟନ୍ତ ଉଦ୍ୟମ କରି ସରକାରକୁ ରଖି ନ ପାରିବାରୁ କ୍ଷମତାରୁ ଓହରିଲେ । ବିରୋଧୀ କ୍ଷମତାସୀନ ହେଲେ । ଗୋଟିଏ ସରକାରକୁ କ୍ଷମତାଚ୍ୟୁତ କରି ବିରୋଧୀଙ୍କୁ କ୍ଷମତାସୀନ କରିବାରେ ସହାୟକ ହେବା ପେଶାଦାର ମନୋଭାବ ବୋଲି ଯୁକ୍ତି କରାଯାଇପାରେ । ତେବେ, ‘ଆନୁଗତ୍ୟ’ ଭଳି ଏକ ମାନବବାଦୀ ଶବ୍ଦର କି ଆବଶ୍ୟକତା ରହିଛି ? ଆଜିର ରାଜନୀତି ‘ସେବା’ ନୁହେଁ ‘ପେଶା’ ହୋଇସାରିଛି । ଜଣେ ପେଶାଦାର ନିଜର ଅଭିବୃଦ୍ଧି ତଥା କ୍ଷମତା ନିଶାକୁ ଚରିତାର୍ଥ କରିବା ପାଇଁ ସମର୍ଥନ ବା ଦଳ ବଦଳାଇଲେ କ୍ଷତି କଣ ? ଏହି ଯୁକ୍ତିର ସହାୟତା ନେଇ ‘ଦଲ୍ ବଦଲୁ’ମାନେ ‘ଦଳଡ଼ିଆଁ’ କରୁଥିବା ବେଳେ ସେମାନଙ୍କୁ କାବୁରେ ରଖିବା ପାଇଁ ଥିବା ‘ଦଳବଦଳ ନିରୋଧ ଆଇନ’ କେବଳ ଅନ୍ୟକୁ ବୋକା ବନାଉଛି ।
ମୋ ମତରେ,‘ଆନୁଗତ୍ୟ’ ହେଉଛି ନିଜେ କାର୍ଯ୍ୟ କରୁଥିବା ସଂସ୍ଥାକୁ ଭଲ ପାଇବା, ସଂସ୍ଥାର ଉନ୍ନତି ସହ ନିଜକୁ ଯୋଡି ଉନ୍ନତିର ସ୍ୱପ୍ନ ଦେଖିବା ଏବଂ ସଂସ୍ଥାକୁ ଆଗକୁ ନେବାକୁ ଦିନ, ରାତି ଏକାଠି କରି ଦେବା । ଆଜିର ଦିନରେ ଏତେ ଅନୁଗତ ମିଳିବା କଷ୍ଟ । ସେହିପରି, ‘ପେଶାଦାର ମନୋଭାବ’ର ପରିଭାଷା ହେଉଛି, ଉଚିତ ମୂଲ୍ୟ ବିନିମୟରେ କାର୍ଯ୍ୟ କରିବା ଏବଂ ନିଜକୁ ଘଂଟା କଂଟା ସହ ଯୋଡି କାର୍ଯ୍ୟ ସଂପାଦନ କରିବା । ମାଲିକର ମନ ଜାଣିବାକୁ ଚାପଲୁସୀର କରି ପାରିଲେ ଆପଣ ବାସ୍ତବରେ ପେଶାଦାର ହୋଇପାରିବେ । ‘ଅନୁଗତ୍ୟ’ରେ କୌଣସି ଦ୍ୱିଧା ବା ସଂକୋଚ ନ ଥାଏ । କିନ୍ତୁ, ପେଶାଦାର ହେବାକୁ ହେଲେ ନିଜ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ପଡିଥାଏ । ଏକବିଂଶ ଶତାବ୍ଦୀରେ ‘ଅନୁଗତ’ ଶବ୍ଦଟି ହଜି ଗଲାଣି । ପେଶାଦାର ହେବାକୁ ଯାଇ ଚାଟୁକାରମାନେ ନୀରିହଙ୍କୁ ଶୋଷଣ କରୁଛନ୍ତି । ଆଜିର ଯୁବ ପୀଢି ‘ଅନୁଗତ୍ୟ’କୁ ଗୁରୁତ୍ୱ ନ ଦେଇ ଅଧିକରୁ ଅଧିକ ପେଶାଦାର ହେବାକୁ ଚାହୁଁ ଥିବାରୁ ଦେଶରେ ଯେଉଁ ନୂଆ ଧାରା ଆରମ୍ଭ ହୋଇଛି ତାହା ପାରିବାରବାଦକୁ ଧ୍ୱଂସମୁଖୀ କରିଛି । ‘ପ୍ୟାକେଜ୍’ ସାମନାରେ ବୃଦ୍ଧ ବାପା, ମା’ଙ୍କ ଅସହାୟତା ସନ୍ତାନକୁ ଦିଶୁ ନାହିଁ । ପରିବାରଠାରୁ ଦୂରେଇ ସନ୍ତାନମାନେ ସୁଖ, ସମୃଦ୍ଧି ଖୋଜୁ ଥିବା ବେଳେ ଜରାଶ୍ରମରେ ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ସଂଖ୍ୟା କ୍ରମଶଃ ବଢିି ଚାଲିଥିବା ଲକ୍ଷ୍ୟ କରାଯାଉଛି । ପୁଅ, ବୋହୁ, ନାତି, ନାତୁଣିଙ୍କ ସ୍ନେହ ପାଇବା ଆଜି ବୃଦ୍ଧ, ବୃଦ୍ଧାଙ୍କ ପାଇଁ ସ୍ୱପ୍ନର ବାଲିଘର । ‘ଆନୁଗତ୍ୟ’କୁ ପଛକୁ ଠେଲି ଆଗକୁ ମାଡି ଚାଲି ଥିବା ପେଶାଦାର ଜୀବନ ଆଗାମୀ ଦିନରେ କିଭଳି ଭୟଙ୍କର ରୂପ ନେବ ତାହା ଆମେ କଳନା କରିପାରୁନୁ । କିନ୍ତୁ, ଯେତିକି ସଂକେତ ମିଳିଛି ସେଥିରୁ ଆମେ ସଚେତନ ନ ହେଲେ ‘ମୂଲ୍ୟବୋଧ’ ଶବ୍ଦ ମଧ୍ୟ ସମାଜରୁ ହଜି ଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS