ନୂଆ ପିଢି ଉପାୟଶୂନ୍ୟ..


– ପ୍ରସାଦ ରାଓ –
ଅଗଷ୍ଟ ୧୭ ତାରିଖ
ସାମ୍ବାଦିକତାରେ ସବୁ ଠାରୁ ବଡ ଆବଶ୍ୟକତା ହେଉଛି ଜ୍ଞାନ, ଅଭିଜ୍ଞତା ଓ ଉପଯୁକ୍ତ ତାଲିମ । ଜ୍ଞାନ ହେଉଛି ସଂପୂର୍ଣ୍ଣ ନିଜସ୍ୱ । ସୁଯୋଗ ମିଳିଲେ ଜ୍ଞାନ ଓ ଅଭିଜ୍ଞତାର ଅଭିବୃଦ୍ଧି ଘଟେ ଏବଂ ଉପଯୁକ୍ତ ତାଲିମ ଜଣେ ଭଲ ସାମ୍ବାଦିକ ତିଆରି କରିପାରେ । ଆଜିର ସାମ୍ବାଦିକତା ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିବା ପ୍ରତ୍ୟେକ ସାମ୍ବାଦିକ ଏହା ସ୍ୱୀକାର କରିବେ । ତେବେ, ନୂଆ ପିଢିକୁ ଏସବୁ ମିଳୁଛ କି ?
ଅଶି ଦଶକରେ ଆମେ ସମ୍ବାଦିକତା ଆରମ୍ଭ କରିବା ସମୟରେ ଓଡ଼ିଶାର ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ବ୍ୟତୀତ ଅନ୍ୟ କେଉଁଠି ସାମ୍ବାଦିକତା ପାଠ୍ୟକ୍ରମ ନ ଥିଲା । ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନରେ ଘରୋଇ ଭାବେ ସାମ୍ବାଦିକତା ତାଲିମ ନେବା ସୁଯୋଗ ଥିଲା । ସେତେବେଳେ ଆମେ ଥିଲୁ ଯୁବ ପିଢିର ସାମ୍ବାଦିକ । ଘରକୁ ଆସୁ ଥିବା ବା ପଡିଶା ଘରୁ ମାଗି ଆଣୁଥିବା ଖବରକାଗଜକୁ ପଢି ଦୁନିଆର ଖବର ଜାଣିବାକୁ ସମସ୍ତଙ୍କ ଆଗ୍ରହ ଥିଲା ସିନା ଖବରକାଗଜ କେମିତି ପ୍ରସ୍ତୁତ ହେଉଛି, ତାହାର ପ୍ରତ୍ୟକ୍ଷ ଅଭିଜ୍ଞତା ନ ଥିଲା । ପୋଷ୍ଟ୍ କାର୍ଡ ଖଣ୍ଡେ ଆଣି ନିଜ ଅଂଚଳର ସମସ୍ୟା ସେଥିରେ ଲେଖି ପୋଷ୍ଟ୍ କରି ଦେଲେ ଦୈବାତ ଯଦି ତାହା ପ୍ରକାଶ ପାଉଥିଲା ଖୁସିରେ ଛାତି କୁରୁଳି ଉଠୁଥିଲା । ତେବେ, ଖବର ଛପାଇବା ହେଲେ ପାଉଣା ଦେବାକୁ ପଡେ କି ନାହିଁ ସେ ଧାରଣା ପ୍ରାରମ୍ଭରେ ଆମର ମଧ୍ୟ ନଥିଲା ।
୧୯୭୯ରେ ମୁଁ ସାମ୍ବାଦିକତାରେ ପ୍ରବେଶ କରିବା ସମୟରେ ଖବରକାଗଜ ସଂପାଦକମାନେ ହିଁ ଥିଲେ ବାସ୍ତବ ଗୁରୁ । ବିଭିନ୍ନ ଛାପା ଗଣମାଧ୍ୟମରେ ବହୁ ଯୁବକ କାମ କରୁଥିଲେ । ସହ-ସଂପାଦକ ଓ କ୍ଷେତ୍ର ସାମ୍ବାଦିକ ଭାବେ। ଟେଲିପ୍ରିଂଟରରେ ଆସୁଥିବା ପିଟିଆଇ, ୟୁଏନଆଇ କପି ଓ ହିନ୍ଦୁସ୍ଥାନ ସମାଚର ଯୋଗଉ ଥିବା ହିନ୍ଦି ଖବର ଓଡ଼ିଆରେ ଅନୁବାଦ କରିବା ସହ ସଂପାଦକଙ୍କ ଦାୟିତ୍ୱ ଥିଲା । ଟେଲିପ୍ରିଂଟରରେ ଆସୁଥିବା କପି (ଇଂରାଜୀ ଭାଷାରେ ଖବର)କୁ ଚିରି ସିଟିଂ କରୁଥିଲୁ । ସଟିଂର ଅର୍ଥ ହେଉଛି, ଗୋଟିଏ ଗୋଟିଏ ଖବର ଏକାଧିକ ପୃଷ୍ଠାରେ ଆସୁ ଥିବାରୁ ତାହାକୁ ଖବରୱାରୀ ଗୁନ୍ଥି ଏକାଠି କରିବା । ପରେ, ସବୁ ଖବର ସଂପାଦକଙ୍କ ଟେବୁଲକୁ ଯାଉଥିଲା ଏବଂ ଖବରର ଗୁରୁତ୍ୱ ଅନୁସାରେ ସେଦିନର ଖବରକାଗଜରେ କେଉଁ କେଉଁ ଖବର ଯିବ ତାହା ସଂପାଦକ ନିଷ୍ପତ୍ତି ନେଉ ଥିଲେ । କେଉଁଟା ମୁଖ୍ୟ ଖବର ହେବ, କାହାକୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଦିଆଯିବ ତାହା ମଧ୍ୟ ସଂପାଦକଙ୍କ ନିଷ୍ପତ୍ତି ଥିଲା । ସହ ସଂପାଦକମାନେ ଖବରକୁ ଆଂଚଳିକ ଭାଷାରେ ପ୍ରସ୍ତୁତ କରି ସଂପାଦକଙ୍କୁ ଦେଉଥିଲେ । ଖବର ସବୁ ଠିକ୍ ଭାବେ ପ୍ରସ୍ତୁତ ହୋଇଚି କି ନାହିଁ ତାହା ସଂପାଦକ ଦେଖିବା ପରେ କିଛି ଅସୁବିଧା ଥିଲେ ତାଗିଦ କରିବା ସହ ପୁନର୍ବାର ଲେଖାଉ ଥିଲେ । ସଂପାଦନା କାର୍ଯ୍ୟ ସରିବା ପରେ ସଂପାଦକ ଖବରର ଶୀରୋନାମା ଦେଉଥିଲେ ଏବଂ ଖବରର ଗୁରୁତ୍ୱକୁ ଦେଇ ତାହାର ଶୀରୋନାମାର ଅକ୍ଷର ପଏଂଟ ସାଇଜ କେତେ ହେବ ତାହା ମଧ୍ୟ ଦର୍ଶାଇ କଂପୋଜ୍ ପାଇଁ ପଠାଉ ଥିଲେ । ସୀସା ଅକ୍ଷରରେ ଖବରଗୁଡିକ କଂପୋଜ ହେବା ପରେ ପ୍ରୁଫ୍ ରିଡିଂ ହୋଇ ଆପାତତଃ ନିର୍ଭୁଲ ଖବର ଛପା ହେବା ପାଇଁ ଯାଉଥିଲା ।
ଟେଲିପି୍ରଂଟରରେ ଆସୁଥିବା ଇଂରାଜୀ ଖବରକୁ ଆଂଚଳିକ ଭାଷାରେ ମର୍ମାନୁବାଦ କରିବା କାଠିକର ପାଠ ଥିଲା । ତେବେ, ବାରଂବାର ଅନୁବାଦ କରିବା ଦ୍ୱାରା ସହ ସଂପାଦକଙ୍କ ଦକ୍ଷତା ବୃଦ୍ଧି ପାଉଥିଲା । ଇଂରାଜୀ କପିର ଠିକ୍ ମର୍ମାନୁବାଦ ହୋଇ ନ ଥିଲେ ସଂପାଦକ ଖପ୍ପା ମୁହଁ ଉପରେ କପି ଫିଙ୍ଗି ଦେଉଥିଲେ । ପୁଣି ଥରେ ସେହି ଖବରକୁ ଲେଖିବାକୁ କହୁଥିଲେ । ଏହି ଧାରାରେ ସହ ସଂପାଦକମାନେ ଖବରକୁ ଠିକ୍ ଢଙ୍ଗରେ ଉପସ୍ଥାପନ କରିବାର କଳା ଶିଖୁ ଥିଲେ । ଆମେ ଲେଖି ଥିବା ଖବରଗୁଡିକୁ ଛପା ପରେ ଖବରକାଗଜରେ ପଢୁ ଥିଲୁ । ସେହି ଖବରକୁ ଅନ୍ୟମାନେ କିଭିଳି ଉପସ୍ଥାପନ କରିଛନ୍ତି ତାହା ମଧ୍ୟ ଅନୁଧ୍ୟାନ କରି ନିଜର ଲେଖନୀ ଶୈଳୀକୁ ପରିମାର୍ଜିତ କରୁଥିଲୁ । ବରିଷ୍ଠ ସାମ୍ବାଦିକମାନେ ବିଧାନସଭାରୁ ଯେଉଁ ସବୁ ଖବର ଦେଉଥିଲେ ତାହା ସଂପାଦନା କରି ଆମେ ସଂସଦ ଓ ବିଧାନସଭାରେ ବ୍ୟବହାର ହେଉଥିବା ବୈଷୟିକ ଶବ୍ଦ ଗୁଡିକ ସଂପର୍କରେ ଜ୍ଞାନ ଆହରଣ କରୁଥିଲୁ । ଅଭିଜ୍ଞତାକୁ ପରଖିବା ସଂପାଦକମାନେ ସ୍ୱାଧୀନ ଭାବେ ଖବର ସଂପାଦନାର ସୁଯୋଗ ଦେଉଥିଲେ । ସଂପାଦକଙ୍କ ଭରସାଯୋଗ୍ୟ ହୋଇ ପାରିଲେ ଅଧିକ ଦାୟିତ୍ୱ ମିଳୁ ଥିଲା । ତେଣୁ, କାମରେ ସଂପାଦକଙ୍କୁ ଖୁସି କରିବା ପ୍ରତିଯୋଗିତା ମଧ୍ୟ ଆମ ଭିତରେ ରହି ଥିଲା । ଭାଷାକୁ ମାର୍ଜିତ କରିବା ଦୈଡରେ ଆମେ ଫିଚର, ସାହିତ. କଳା ସମାଲୋଚନା ଭଳି ନୂଆ ନୂଆ ସ୍ତମ୍ବରେ ହାତ ମାରୁଥିଲୁ । ଭାଷା ଓ ଲେଖନୀ ରେ ଉନ୍ନତି ଦେଖିଲେ କେବଳ ସଂପାଦକଙ୍କୁ ନୁହେଁ, ଯାହା ସଂପର୍କରେ ଆମେ ଲେଖୁ ଥିଲୁ ସେମାନେ ମଧ୍ୟ ପ୍ରଶଂସା କରୁଥିଲେ । ତାହା ଥିଲା ଆମ ପାଇଁ ପୁରସ୍କାର । ସଂପାଦନା ସହ କ୍ଷେତ୍ର ସାମ୍ବାଦିକତା (ଫିଲ୍ଡ ରିପୋର୍ଟିଂ) ପ୍ରତି ଆଗ୍ରହ ନୂଆ ନୂଆ ଫିଚର ପ୍ରସ୍ତୁତି ଆଡକୁ ଟାଣି ନେଇ ଥିଲା ।
ଏହା ଥିଲା ଅଶି ଦଶକ କଥା । ଅଶି ଦଶକ ଶେଷ ଭାଗ ଓ ନବେ ଦଶକରେ ଓଡ଼ିଶାରେ ସାମ୍ବାଦିକତାର ରୂପରେଖ ବଦଳିଲା । ଓଡ଼ିଆ ଖବର କାଗଜ କଂପ୍ୟୁଟର ଅକ୍ଷର ଓ ଅଫ୍ ସେଟ୍ ଛପେଇରେ ସମୃଦ୍ଧ ହେବା ସହ ନୂଆ ନୂଆ ପ୍ରତିଶ୍ରୁତି ରଖି ଗ୍ରାହକଙ୍କୁ ଆକୃଷ୍ଟ କଲା । ଆଉ ଏକ ବଡ ପରିବର୍ତନ ଥିଲା ପ୍ରତଃ ସଂସ୍କରଣ । ପୂର୍ବରୁ ସବୁ ଖବରକାଗଜ ସନ୍ଧ୍ୟାରେ ଛପା ହେଉଥିଲା । ପାଠକମାନେ ସେହି ଦିନ ସଂଧ୍ୟାର ଖବର ପର ଦିନ ସନ୍ଧ୍ୟାରେ ପାଉ ଥିଲେ । ତେଣୁ ସହ ସଂପାଦକମାନେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ କାମ କରି ଅପରାହ୍ନ ୪ଟାରେ ସେ ଦିନର ଖବରକାଗଜଟି ଦେଖୁ ଥିଲେ । ପାଠକ ପାଉ ଥିଲେ ପର ଦିନ ସକାଳେ । ପ୍ରାତଃ ସଂସ୍କରଣ ହେବା ପରେ ବିଳମ୍ବ ରାତ୍ରୀର ଖବର ଭୋର ଭୋର ପାଠକଙ୍କୁ ମିଳିବା ପରେ ଖବରକାଗଜର ଗୁରୁତ୍ୱ ବହୁ ଗୁଣରେ ବଢି ଗଲା । ରଂଗୀନ ଛପାରେ ପୂର୍ବ ରାତିର ନିଜର ଖବର ଫଟୋ ସହ ସକାଳୁ ସକାଳୁ ପାଇପାର ଅନୁଭବ ଥିଲା ନିଆରା । ଏହା ପରେ ଆରମ୍ଭ ହେଲା ଆଂଚଳିକ ସଂସ୍କରଣର ଯୁଗ । ୧୯୯୦ ପୂର୍ବରୁ ଓଡ଼ିଆ ଦୈନିକ ସବୁର ପ୍ରକାଶନ ସ୍ଥଳ ସୀମିତ ଥିଲା କଟକ, ଭୁବନେଶ୍ୱର, ବ୍ରହ୍ମପୁର,ବାଲେଶ୍ୱର ଓ ସମ୍ବଲପୁରରେ । ତେବେ, କଟକ, ଭୁବନେଶ୍ୱରରୁ ପ୍ରକାଶିତ ଖବରକାଗଜ ରାଜ୍ୟର ଏବଂ ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱରରୁ ପ୍ରକାଶ ପାଉଥିବା ଖବରକାଗଜ ଆଂଚଳିକ ଭାବେ ବିଚାର କରାଯାଉଥିଲା । ରାଜଧାନୀରୁ ପ୍ରକାଶ ପାଉଥିବା ଖବରକାଗଜ ସବୁ ୧୨ରୁ ୧୬ ଘଂଟା ବିଳମ୍ବରେ ରାଜ୍ୟର ବିଭିନ୍ନ ଅଂଚଳରେ ପହଂଚିଲା ବେଳକୁ ଖବର ବାସି ହୋଇ ଯାଉଥିଲା । ତେଣୁ, ଆଂଚଳିକ ସଂସ୍କରଣ ପ୍ରକାଶନର ଆବଶ୍ୟକତା କଥା ଚିନ୍ତା କଲା ଓଡ଼ିଶାର ଏକ ପ୍ରମୁ୍ଖ ସମ୍ବାଦପତ୍ର । ବ୍ରହ୍ମପୁରରୁ ତାହାର ପ୍ରଥମ ଆଂଚଳିକ ସଂସ୍କରଣ (ପ୍ରାତଃ) ଆରମ୍ଭ କଲା ବ୍ରହ୍ମପୁରରୁ । ‘ସମ୍ବାଦ’ର ଏହି ପ୍ରାତଃ ସଂସ୍କରଣ ଓଡ଼ଆ ସାମ୍ବାଦିକତା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିଲା । ଓଡ଼ିଶାର ସମ୍ବାଦପତ୍ର ପାଠକମାନେ ପ୍ରାତଃ ସଂସ୍କରଣରେ ସଜ ଖବର ମିଳୁ ଥିବାରୁ ସାନ୍ଧ୍ୟ ସଂସ୍କରଣ ଖବରକାଗଜ ସବୁକୁ ଉପେକ୍ଷା କଲେ । ରଂଗୀନ ଛପେଇ, ସବୁ ବୟସର ପାଠକଙ୍କ ରୁଚିକୁ ଦେଖି ଖବରକାଗଜ ପ୍ରସ୍ତୁତି ଏବଂ ‘ଆଜିର ଖବର ଆଜି’ ସ୍ଲୋଗାନ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଚଳିତ କଲା ।
ଆରମ୍ଭ ହେଲା ପ୍ରଥମ ଓ ଶେଷ ପୃଷ୍ଠା ରଂଗୀନ କରିବା, ପାଠକଙ୍କୁ ୧୬ ପୃଷ୍ଠାର ଖବରକାଗଜ ଯୋଗାଇବା ଏବଂ ପ୍ରାତଃ ସଂସ୍କରଣ ଛାପି ପାଠକଙ୍କୁ ସଜ ଖବର ଦେବାର ଯୁଗ । ସମୟକ୍ରମେ ଓଡ଼ିଶାର ଅନ୍ୟ ସମ୍ବାଦପତ୍ର ମାଲିକମାନେ ଏହି ଧାରାରେ ପଡି ଗଲେ । ତେବେ, ୨୦୧୨/୧୩ ବେଳକୁ ଆଂଚଳିକ ସଂସ୍କରଣ ଛାପୁ ଥିବା କିଛି ଖବରକାଗଜ ଖର୍ଚ୍ଚକାଟ୍ ପାଇଁ ରାଜ୍ୟର ଦୁଇ ତିନିଟି ଷ୍ଟ୍ରାଟେଜିକ୍ ସ୍ଥାନରେ ଛାପାଖାନା ରଖି ସବୁ ଅଂଚଳରେ ପ୍ରାତଃ ସଂସ୍କରଣ ପହଂଚାଇବା ଉଦ୍ୟମ କରୁଛନ୍ତି । ରାଜ୍ୟରେ ଏଭଳି କିଛି ଅଂଚଳ ଅଛି ଯେଉଁଠାରେ କି ବାସ୍ତବ ପ୍ରାତଃ ସଂସ୍କରଣ ପହଂଚି ପାରୁ ନାହିଁ । ସେମାନଙ୍କ ନିକଟରେ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତର ଖବର ହିଁ ପହଂଚୁଛି । ତଥାପି, ପ୍ରାତଃ ସଂସ୍କରଣର ସ୍ୱାଦ ମିଳୁଛି । ଆଂଚଳିକ ସଂସ୍କରଣଗୁଡିକ ପାଠକ ସଂଖ୍ୟା ବୃଦ୍ଧି କରିବା ସହ ବିଜ୍ଞାପନ ବାବଦରେ ବେଶ୍ ଆୟ କରୁଛନ୍ତି । ଉଭୟ ଖବରକାଗଜ ପ୍ରସ୍ତୁତି, ବିତରଣ, ବିଜ୍ଞାପନ ସଂଗ୍ରହ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ପରିଚାଳନା କରିବାରେ ବହୁ ସଂଖ୍ୟାରେ ଯୁବକ, ଯୁବତୀ ନିଯୁକ୍ତ ଅଛନ୍ତି । ଅଭିଜ୍ଞ ଓ ଶିକ୍ଷାନବିସ । ଶିକ୍ଷାନବିସଙ୍କୁ ତାଲିମ ଦେଉଛନ୍ତି ଅଭିଜ୍ଞ ପେଶାଦାରମାନେ । ତେବେ, ବର୍ତମାନ ସମସ୍ୟା ଦେଖା ଦେଇଛି ସାମ୍ବାଦିକତା ଓ ମ୍ୟାନେଜମେଂଟ ପାଠ୍ୟକ୍ରମ ସାରି ଗଣମାଧ୍ୟମରେ ନୁଯୁକ୍ତି ପାଇଁ ଆସୁଥିବା ଫ୍ରେସର୍ଂକ କ୍ଷେତ୍ରରେ ।
ଓଡ଼ିଶାରେ ଗଲା ୩୦ ବର୍ଷ ମଧ୍ୟରେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ସଂଖ୍ୟା ବହୁ ଗୁଣ ବଢିଛି । ବହୁ ସଂଖ୍ୟାରେ ଯୁବକ, ଯୁବତୀ ଗଣମାଧମର ବିଭିନ୍ନ ଦୈନନ୍ଦିନ କାର୍ଯ୍ୟ ସହ ଯୋଡି ହୋଇ ରହିଛନ୍ତି । ତେବେ, ଏହି ଶିଳ୍ପରେ ପୂର୍ବ ଭଳି କର୍ମନିଯୁକ୍ତିର ସୁଯୋଗ ନାହିଁ । ଆଗୁଠି ଆଗରେ ଗଣି ହେଲା ଭଳି କିଛି (ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ) ସଂସ୍ଥା ଆର୍ଥିକ ସ୍ୱଚ୍ଛଳ । ଅଧିକାଂଶ ନିଜକୁ ବଂଚାଇ ରଖିବା ପାଇଁ ସଂଘର୍ଷରତ । ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଓ କେନ୍ଦ୍ରୀୟ ସଂସ୍ଥାରୁ ମିଳୁ ଥିବା ବିଜ୍ଞାପନ ଆୟର ସିଂହଭାଗ ଚାଲି ଯାଉଛି ବଡ ଖବରକାଗଜ ବା ବୈଦ୍ୟୁତିକ ଚ୍ୟାନେଲକୁ । ଅନ୍ୟମାନେ ଯାହା ପାଉଛନ୍ତି ସେଥିରେ ଅଧିକ କର୍ମନିଯୁକ୍ତି ସୃଷ୍ଟିରୁ ସୁଯୋଗ ରହୁନି । ଅପରପକ୍ଷରେ, କାଟଛାଂଟ ଚାଲିଛି । ସମସ୍ତେ ଖୋଜୁଛନ୍ତି ସ୍ୱଳ୍ପ ଦରମାରେ ଅଭିଜ୍ଞ କର୍ମଚାରୀ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରେ ରାଜ୍ୟର ଅନ୍ୟ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଯୁକ୍ତ ତିନି କଲେଜମାନରେ ସାମ୍ବାଦିକତା ପାଠ୍ୟକ୍ରମ ଖୋଲି ସାରିଛି । ଘରୋଇ ଉଦ୍ୟମରେ ମଧ୍ୟ ସାମ୍ବାଦିକତା ଶିକ୍ଷାଦାନ ଚାଲିଛି । ଛାପା ଗଣମାଧ୍ୟମ ଓ ବିଭିନ୍ନ ଘରୋଇ ଅନୁଷ୍ଠାନ ଦ୍ୱାରା ଚାଲି ଥିବା ସାମ୍ବାଦିକତା ପାଠ୍ୟକ୍ରମକୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସ୍ୱୀକୃତି ଦେଇଛି । ସେସବୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଧିନରେ ପରୀକ୍ଷା ଦେଇ ଉତ୍ତିର୍ଣ୍ଣ ହେଉଛନ୍ତି । ବିଜେଏମ୍ ସି ଓ ଏମଜେଏମ୍ ସି ପାଠ୍ୟକ୍ରମରେ ପୁଅଙ୍କ ଅପେକ୍ଷା ଝିଅଙ୍କ ସଂଖ୍ୟା ଅଧିକ ରହୁଥିବା ଦେଖିବାକୁ ମିଳୁଛି । ଢେଙ୍କାନାଳରେ ‘ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ମାସ୍ କମ୍ୟୁନିକେସନ୍’ (ଆଇଆଇଏମସି)ପ୍ରତିଷ୍ଠା ହେବା ପରେ ସାମ୍ବାଦିକତା ଶିକ୍ଷାର ଗୁଣାତ୍ମକମାନ ବଢିଛି । ସାମ୍ବାଦିକତା ଏକ ସମ୍ମାନଜନକ ବା ଗ୍ଲାମରସ୍ ପେଶାରେ ପରିଣତ ହୋଇ ଥିବାରୁ ଅଧିକ ସଂଖ୍ୟାର ମେଧାବୀ ଛାତ୍ରଛାତ୍ରୀ ସାମ୍ବାଦିକତା ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଶିକ୍ଷା ସମାପନ ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଇଂଟର୍ଣ୍ଣସିପ୍ କରି ନିଯୁକ୍ତିର ଆଶା ରଖୁଛନ୍ତି । ତେବେ, ଅଭିଜ୍ଞତାର କଥା ଆସିଲେ, ସରକାରୀ ଓ ଘରୋଇ ଉଦ୍ୟମରେ ଚାଲି ଥିବା ସାମ୍ବାଦିକତା ଶିକ୍ଷାନୁଷ୍ଠାନଗୁଡିକରେ ବାସ୍ତବ କ୍ଷେତ୍ର ଅଭିଜ୍ଞତାର ସୁଯୋଗ କମ୍ ରହିଛି । ଏହା ‘ଶୂନ’ ବୋଲି କୁହାଯାଇପାରେ । ଏଭଳି ପରିସ୍ଥିତିରେ ଫ୍ରେସର୍ ନିଯୁକ୍ତି ପାଇଁ ଅଭିଜ୍ଞତା ଯୋଗାଡ କରିବେ କେଉଁଠୁ ?
ନିଜସ୍ୱ ଗଣମାଧ୍ୟମ ସଂସ୍ଥା ଥିବା ଘରୋଇ ଶିକ୍ଷାନୁଷ୍ଠାନମାନେ ଲକ୍ଷାଧିକ ଟଙ୍କା ଫି’ ନେଇ ଛାତ୍ରଛାତ୍ରୀଙ୍କୁ ଆଡମିଶନ ଦେବା ବେଳେ କର୍ମନିଯୁକ୍ତିର ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ, ପାଠ୍ୟକ୍ରମ ସରିବା ପରେ ତାହା ରକ୍ଷା କରାଯାଉନାହିଁ । ଫଳରେ, ସାମ୍ବାଦିକତା ଛାତ୍ରଛାତ୍ରୀମାନେ ଏକପ୍ରକାର ଅନିଶ୍ଚିତ ଭବିଷ୍ୟତ ଦେଇ ଗତି କରୁଛନ୍ତି । ଏମଜେଏମ୍ ସି କରିଥିବା ଫ୍ରେସର୍ଙ୍କୁ ସ୍ୱଳ୍ପ ଷ୍ଟାଇପେଣ୍ଡରେ ଛଅ ମାସିଆ ଇଂଟର୍ଣ୍ଣ ରଖା ଯାଇ ବିଦାୟ କରା ଯାଉଥିବା ବେଳେ ଅନ୍ୟତ୍ର ସେମାନଙ୍କୁ ଅଭିଜ୍ଞତା ନ ଥିବା ଆଳ ଦେଖାଇ କର୍ମନିଯୁକ୍ତି ମିଳୁ ନାହିଁ । ଏଠି ପ୍ରଶ୍ନ ଉଠୁଛି, ଯେଉଁ ସଂସ୍ଥାମାନେ ଲକ୍ଷାଧିକ ଟଙ୍କା ଫି’ ନେଇ ସେମାନଙ୍କୁୁ ସାମ୍ବାଦିକତା ଶିକ୍ଷା ଦେଇଥିଲେ ସେହି ସଂସ୍ଥାମାନେ କୃତୀ ଛାତ୍ରଛାତ୍ରୀଙ୍କୁ ନିଜ ସଂସ୍ଥାରେ ଇଂଟର୍ଣ୍ଣ ରଖି ଅଯୋଗ୍ୟ କହିବା କାହାର ଦୁର୍ବଳତା ? ଏଥିରୁ, ସାମ୍ବାଦିକତା ଶିକ୍ଷାଦାନ ନାମରେ ରାଜ୍ୟରେ ଚାଲି ଥିବା ହରିଲୁଟ୍ ର ଚିତ୍ର ସାମନାକୁ ଆସୁଛି । ଯେଉଁ ଛାତ୍ରଛାତ୍ରୀମାନେ ସାମ୍ବାଦିକତାକୁ ପେଶା କରିବା ପାଇଁ ପାଠ ପଢି ଥିଲେ ସେମାନେ ଘରେ ବସି ରହିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତାର ଶରବ୍ୟ ହେଉଥିବା ତୃଟୀଯୁକ୍ତ ସାମ୍ବାଦିକତା ଶିକ୍ଷା ବ୍ୟବସ୍ଥା ଆଡକୁ ଅଂଗୁଳି ନିର୍ଦେଶ କରୁଛି । ସାମାଜିକ ଗଣମାଧ୍ୟମର ବହୁଳ ପ୍ରସାର ପରେ ଏହି ଯୁବକ, ଯୁବତୀମାନେ ତାହାକୁ ବିକଳ୍ପ ବୋଲି ଧରି ନେଇ କାମ କରୁଛନ୍ତି ସିନା ସାମାଜିକ ଗଣମାଧ୍ୟମକୁ ସ୍ୱୀକୃତି ଦେବାରେ ରାଜ୍ୟ ସରକାରଙ୍କ କୌଣସି ସ୍ପଷ୍ଟ ନୀତି ନ ଥିବାରୁ ତାହା ବାସ୍ତବ ବିକଳ୍ପ ହୋଇପାରୁନାହିଁ । ପୂର୍ବ ଅଭିଜ୍ଞତା ନ ଥିଲେ ଗଣମାଧ୍ୟମରେ ନିଯୁକ୍ତି ନ ତିବା ବେଳେ ସେମାନେ ଅଭିଜ୍ଞ ହେବେ କେମିତି ? ଏଭଳି ଏକ ଅସଂମଜସ ପରିସ୍ଥିତିରେ ଆଜିର ଯୁବ ପିଢି ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ।
ମୂଳରୁ କହିଛି, ଓଡ଼ିଶାରେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ଦ୍ୱାରା ଅଧିକ ସଂଖ୍ୟାରେ ଝିଅ ସାମ୍ବାଦିକତାକୁ ପେସା କରିବାକୁ ଉତ୍ସାହିତ ହୋଇଛନ୍ତି । ସଫଳତାର ସହ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରିଥିବା ଯୁବକ, ଯୁବତୀଙ୍କ ମଧ୍ୟରୁ କିଛି ବିଭିନ୍ନ ସରକାରୀ ଓ ଘରୋଇ ଉଦ୍ୟୋଗରେ ଜନସଂପର୍କ ଅଧିକାରୀ ଭାବେ କାର୍ଯ୍ୟ କରିବା ସୁଯୋଗ ପାଉ ଥିଲେ । ଏବେ ସେହି ସୁଯୋଗ ମଧ୍ୟ ସୀମିତ । ତେଣୁ, ଜାତୀୟ ଓ ଆଂଚଳିକ ଗଣମାଧ୍ୟମରେ ଆଙ୍କରିଂ, କପି ଏଡିଟିଂ, ରିପୋର୍ଟିଂ, ବୁଲେଟିନ୍ ପ୍ରସ୍ତୁତି, ଭିଜୁଆଲଏଡିଟିଂ ପ୍ରଭୃତି କାର୍ଯ୍ୟରେ ନିୟୋଜିତ ହେବାକୁ ସେମାନେ ଧାଉଁଛନ୍ତି । ଅଭିଜ୍ଞତାର ଅଭାବ ଦର୍ଶାଇ ସେମାନଙ୍କୁ ପ୍ରାରମ୍ଭରୁ ନିରୁତ୍ସାହିତ କରାଯାଉଛି । ଯେଉଁମାନେ ନିଯୁକ୍ତି ପାଉଛନ୍ତି ସେମାନଙ୍କୁ ବିଳମ୍ବ ରାତ୍ରୀ ପର୍ଯ୍ୟନ୍ତ କାମ କରାଇବାରେ ଅସୁବିଧା ରହୁ ଥିବା ଦେଖି ଗଣମାଧ୍ୟମ ସଂସ୍ଥା ସବୁ ପୁରୁଷ କର୍ମଚାରୀ ନିଯୁକ୍ତିକୁ ପ୍ରାଧାନ୍ୟ ଦେଉଛନ୍ତି । ଏହାଛଡା, କାର୍ଯ୍ୟରତ ମହିଳାଙ୍କ ପାଇଁ ଜାତୀୟ ଗଣମାଧ୍ୟମ ସବୁ ଯେଭଳି ସୁରକ୍ଷା ବ୍ୟବସ୍ଥା କରିଛନ୍ତି ଓଡ଼ିଶାରେ ତାହା ନାହିଁ । ଏସବୁ ସତ୍ୱେ ସାମ୍ବାଦିକତା ପାଠ୍ୟକ୍ରମ ପ୍ରତି ନୂଆ ପିଢିର ଆଗ୍ରହ କମି ନାହିଁ । ନିଜ ପ୍ରୋଫାଇଲକୁ ଆକର୍ଷଣୀୟ କରିବାକୁ ହେଉ ବା ବୈଦ୍ୟୁତିକ ଗଣମାଧ୍ୟମର ଗ୍ଲାମରକୁ ଦେଖି ହେଉ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କାର ଫି’ଦେଇ ଆଡମିଶନ ନେଉଛନ୍ତି । ସେମାନଙ୍କୁ ତାଲିମ ଦେଇ ଯୋଗ୍ୟ କରିବା ଦାୟିତ୍ୱ ସଂପୃକ୍ତ ଶିକ୍ଷାନୁଷ୍ଠାନଗୁଡିକର । ଆଂଚଳିକ ଗଣମାଧ୍ୟମର ଦାୟିତ୍ୱ ମଧ୍ୟ କିଛି କମ୍ ନୁହେଁ । ତେବେ, ଏହି ଦାୟିତ୍ୱ ତୁଲାଇବାକୁ ଅଶି, ନବେ ଦଶକର ସେହି ‘ସଂପାଦକ’ମାନେ ନାହାନ୍ତି । ଯେଉଁମାନେ ସଂପାଦନା ଦାୟିତ୍ୱ ତୁଲାଉଛନ୍ତି ସେମାନେ ନିଜକୁ ହିଁ ‘ଭଗବାନ’ ମନେ କରୁଥିବାରୁ ନୂଆ ପିଢି ଉପାୟଶୂନ୍ୟ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS