ଇଜିପ୍ଟ୍ ପିଆଜ ଅପେକ୍ଷାରେ ଓଡ଼ିଶା ଖାଉଟୀ

ମୋଅନୁଭବ.କମ୍
୨୩ ଡ଼ିସେମ୍ବର
ଯୁଆଡ଼େ ଦେଖ ଚାଲିଛି ପିଆଜ ଚର୍ଚ୍ଚା । ଏମିତିକି ସଂସଦରେ ପିଆଜ ଦରକୁ ନେଇ ତାତି ଦେଖିବାକୁ ମିଳିଛି । ହାଣ୍ଡିଶାଳା ହେଉ କି ଛୋଟ ବଡ଼ ହୋଟେଲ, ରେସ୍ତୋରାଁ – କେଉଁଠି ପିଆଜର ବାସନା ନାହିଁ । ବଜାରରେ ପିଆଜ ଅଛି, କିନ୍ତୁ ମିଳୁଛି ସୁନା ଦରରେ । ଲୋକଙ୍କ ପରିବା ଡ଼ାଲାରେ ତାହା ଅପହଂଚ । ମାସେ ଉପରେ ହେଲାଣି ଏଭଳି ସ୍ଥିତି । ସରକାର କହୁଛନ୍ତି ପିଆଜ ଆମଦାନୀ କମିଛି । ତେଣୁ ଦର ଅଧିକ ରହିଛି । ନୁଆ ବର୍ଷ ଶେଷ ଆଡକୁ ଦର କମିବ । ରାଜ୍ୟର ଖୋଲା ବଜାରରେ ପିଆଜ କିଲେ ୧୨୦ରୁ ୧୩୦ । ଅନ୍ ଲାଇନ୍ ରେ ପିଆଜ କିଲୋ ୧୫୦ । କେତେକ ସ୍ଥାନରେ ପିଆଜ ଗୋଟା ୧୫ ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ପିଆଜ ଦର କଟକରେ ଥିଲା କିଲୋ ୧୫୦ ଟଙ୍କା । ଭୁବନେଶ୍ୱରରେ ୧୩୦, ପିପିଲି ଓ ସମ୍ବଲପୁରରେ ୧୨୦ । ନବରଙ୍ଗପୁର, ନୂଆପଡ଼ା, ଆନନ୍ଦପୁର ଓ ବ୍ରହ୍ମପୁରରେ କିଲୋ ୧୦୦ ପ୍ଲସ୍ । ଆଜିର ଦର କାଲି ବଦଳୁଛି । ତେଣୁ ଦରକୁ ନେଇ ସବୁଠି ଅନିଶ୍ଚିତତା । ରାଜ୍ୟ ସରକାର ପିଆଜ ଦରକୁ ନିୟନ୍ତ୍ରଣ କରିବା ସକାଶେ ଇଜିପ୍ଟ୍ ପିଆଜ ମଗାଇ ଥିବା କହୁଛନ୍ତି ସିନା ବିଦେଶୀ ପିଆଜର ଦର୍ଶନ ନାହିଁ । ଝାରପଡା ପରିବା ବଜାରର ଜଣେ ବ୍ୟବସାୟୀଙ୍କୁ ପ୍ରଶ୍ନ ହେବାରୁ ତାଙ୍କ ଉତ୍ତର ଥିଲା, ‘ବିଦେଶୀ ପିଆଜ ଆସିଲେ ଆପଣ କଣ ଜାଣିବେ ନାହିଁ ?’
ଜଣେ ଚାଷୀଙ୍କ ଭାଗ୍ୟ ବଦଳାଇଛି ପିଆଜ
ପିଆଜ କାହାକୁ କନ୍ଦାଉଛି ତ କାହାର ଭାଗ୍ୟ ବଦଳାଉଛି । କର୍ଣ୍ଣାଟକର ଜଣେ ଚାଷୀ ତାଙ୍କ ଜମିରେ ପିଆଜ ଚାଷ କରି ସ୍ୱାଭାବିକ ବ୍ୟବସାୟ କରି ଯାହା ଲାଭ ପାଇଥା’ନ୍ତେ ପିଆଜର ଆକାଶଛୁଆଁ ଦର ବୃଦ୍ଧି ପରେ ସେ ତାହାର ବହୁ ଗୁଣ ଅଧିକ ଲାଭ କରିଥିବା ଖବର ଗଣମାଧ୍ୟମରେ ଚହଳ ପକାଇଛି । ୪୨ ବର୍ଷ ବୟସ୍କ ଏହି ଚାଷୀ ମଲ୍ଲିକାର୍ଜୁନଙ୍କ ଘର କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ଡୋଡାସିଡାଭାନାହାଲ୍ଲୀ ଗ୍ରାମରେ । ସେ ଋଣ ଆଣି ଚଳିତ ବର୍ଷ ନିଜ ଜମିରେ ପିଆଜ ଚାଷ କରିଥିଲେ । ଭଲ ଫସଲ ମିଳି ନ ଥିଲେ ସେ ଋଣ ଯନ୍ତାରେ ଫସିବା ଥା’ନ୍ତେ । କିନ୍ତୁ, ଭଗବାନ ବଡ଼ ଲୋକ । ମଲ୍ଲିକାର୍ଜୁନ ତାଙ୍କ ଜମିରୁ ୨୪୦ ଟନ୍ (୨୦ ଟ୍ରକ୍) ପିଆଜ ଉତ୍ପାଦନ କରିଥିବା ବେଳେ ବଜାରରେ ପିଆଜର କିଲୋ ୨୦୦ ଟଙ୍କା ପାଖାପାଖି ପହଂଚିବାରୁ ଆଶାତୀତ ଲାଭ ହୋଇଛି । ମଲ୍ଲିକାର୍ଜୁନଙ୍କ କହିବା ଅନୁଯାୟୀ, ସେ ଚଳିତ ବର୍ଷ ପିଆଜ ଚାଷ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଯଦି ମୂଲ୍ୟ ସ୍ୱାଭାବିକ ଥା’ନ୍ତା ତେବେ ସେ ତାଙ୍କ ଉତ୍ପାଦନ ବାବଦରେ ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୁନାଫା କମାଇ ଥା’ନ୍ତେ । କିନ୍ତୁ, ମହାରାଷ୍ଟ୍ରରେ ଅଦିନିଆ ବର୍ଷାରେ ପିଆଜ ଫସଲ ନଷ୍ଟ ଓ ଦେଶର ବିଭିନ୍ନ ଅଂଚଳରେ ପିଆଜର ଆକାଶଛୁଆଁ ଦର ତାଙ୍କ ଭାଗ୍ୟ ବଦଳାଇ ଦେଇଛି । କର୍ଣ୍ଣାଟକରେ ମଧ୍ୟ ପିଆଜ କିଲେ ୨୦୦ରେ ପହଂଚିଛି । ମଲ୍ଲିକାର୍ଜୁନ ପିଆଜ ବିକି ଯେଉଁ ମୁନାଫା ପାଇଲେ ସେଥିରେ ସେ ନିଜ ଋଣ ଶୁଝିବା ସହ ଘରଟିଏ କରିବା ଯୋଜନାରେ ଅଛନ୍ତି । ବାଂଗାଲୁରୁରୁ ପ୍ରାୟ ୨୦୦ କିମି ଦୂରରେ ରହୁଥିବା ଏହି ଚାଷୀଙ୍କ ୧୦ ଏକର ଜମି ଥିବା ବେଳେ ସେ ଅଧିକ ଚାଷ ଜମି କିଣିବା ଯୋଜନାରେ ମଧ୍ୟ ଥିବା ଗଣମାଧ୍ୟମକୁ କହିଛନ୍ତି । ପିଆଜ ଚାଷ ପାଇଁ ସେ ଅଧିକ ୧୦ ଏକର ଜମି ଲିଜ୍ରେ ନେଇଛନ୍ତି । ୫୦ ଜଣ ଶ୍ରମିକଙ୍କୁ ପିଆଜ ଚାଷରେ ନିୟୋଜିତ କରିଛନ୍ତି । ସେ ୨୦୦୪ରୁ ପ୍ରତି ବର୍ଷ ବର୍ଷା ଋତୁରେ ଜମିରେ ପିଆଜ ଚାଷ କରୁ ଥିଲେ । ଗତ ବର୍ଷ ପିଆଜ ଚାଷରୁ ସେ ୫ ଲକ୍ଷ ଟଙ୍କା ଲାଭ କରିଥିଲେ । ଚଳିତ ବର୍ଷ ଏତେ ଅଧିକ ଲାଭ ହେବ ବୋଲି ସେ ଆଶା କରି ନ ଥିଲେ । ଅକ୍ଟୋବର ପର୍ଯ୍ୟନ୍ତ ଆର୍ଥିକ ସଂକଟରେ ଥିବା ମଲ୍ଲିକାର୍ଜୁନ ନଭେମ୍ବର ପ୍ରଥମ ସପ୍ତାହରେ ପିଆଜ କୁଇଂଟାଲ ପ୍ରାୟ ୭ ହଜାର ଟଙ୍କା ଦରରେ ବିକି ଥିଲେ । ହଠାତ ଦର କୁଇଂଟାଲ ପିଛା ୧୨ ହଜାର ଟଙ୍କାକୁ ବଢି ଯିବାରୁ ଦୁଇ ଗୁଣ ଲାଭ ହୋଇଛି । ଜମିରୁ ପିଆଜ ଚୋରୀ ଯିବାର ଆଶଙ୍କା ଥିବାରୁ ପରିବାରର ସମସ୍ତ ସଦସ୍ୟ ପିଆଜ ଚାଷକୁ ଜଗୁ ଥିବା ମଲ୍ଲିକାର୍ଜୁନ କହିଛନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS