ଦିଲ୍ଲୀ ବିଧାନସଭା ନିର୍ବାଚନ – ବିଜେପି ପାଇଁ ଅଗ୍ନିପରୀକ୍ଷା !
ପ୍ରସାଦ ରାଓ
୨୯ ଜାନୁୟାରୀ
ନିର୍ବାଚନ ଆସିଲେ ଅନେକ ପ୍ରସଙ୍ଗ ଚର୍ଚ୍ଚାକୁ ଆସେ । ଜାତୀୟ ଠାରୁ ଆରମ୍ଭ କରି ଆଂଚଳିକ ପର୍ଯ୍ୟନ୍ତ ଅନେକ ସମସ୍ୟା ଥଣ୍ଡାବାକ୍ସରୁ ବାହାରି ଆସି ନିର୍ବାଚନ ତାତିକୁ ବଢାଇ ଥାଏ । ଶାସକ ଓ ବିରୋଧୀ ଉଭୟେ ନୈତିକତାକୁ ଭୁଲି କ୍ଷମତା ଦଖଲର ବାଟ ଖୋଜନ୍ତି । ୨୦୧୪ରେ ଦେଶରେ ବିଜେପି ନେତୃତ୍ୱରେ ଏନଡ଼ିଏ ସରକାର କ୍ଷମତାର ଡ଼ୋର ଧରିବା ପରେ ରାଜନୀତି ଅଧିକ ଆକ୍ରମଣ-ଧର୍ମୀ ହୋଇଥିବା ପରବର୍ତୀ ସମୟରେ ଅନୁଷ୍ଠିତ ବିଭିନ୍ନ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଛି । ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଆକ୍ଷେପ କରିବାରେ ସମସ୍ତ ଶାଳୀନତା ଓ ସଂଜମତାକୁ ଭୁଲି ବ୍ୟକ୍ତିଗତ କୁତ୍ସାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଧର୍ମ ଓ ଜାତିକୁ ନେଇ ରାଜନୀତି ଚରମ ସୀମାରେ ପହଂଚିଛି । ଫେବୃୟାରୀ ୮ ତାରିଖରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ପ୍ରଚାରରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳୁଛି । ନୂଆଦିଲ୍ଲୀର ସାହିନ୍ ବାଗ୍ ରେ ୪୦ରୁ ଅଧିକ ଦିନ ହେଲା ହେଲା ଚାଲି ଥିବା ସିଏଏ (ନାଗରିକତା ସଂଶୋଧନ ଆଇନ) ବିରୋଧୀ ପ୍ରତିବାଦ ଏବଂ ଅବରୋଧକୁ ବିଜେପି ଦେଶ- ବିରୋଧୀ କହି ବିରୋଧୀଙ୍କୁ ଘେରୁ ଥିବା ବେଳେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଏଏପି) ସତର୍କତାର ସହ ଗୋଟି ଚାଳନା କରୁଛନ୍ତି । ଭାରତୀୟ ଜାତୀୟ ଗଣମାଧ୍ୟମ ‘ସାହିନ୍ ବାଗ୍ ଅବରୋଧ’କୁ ନେଇ ଦିଲ୍ଲୀ ନିର୍ବାଚନର ଫଳାଫଳକୁ ଆକଳନ କରୁଛି । କିଛି ଗଣମାଧ୍ୟମ ଏହି ଅବରୋଧ ବିଜେପି ସପକ୍ଷରେ ଯିବ ବୋଲି ଆକଳନ କରୁଥିବା ବେଳେ ଆଉ କିଛି କଂଗ୍ରେସ ଓ ଏଏପିକୁ ନେଇ ଆକଳନ କରୁଛନ୍ତି । ତେବେ, ଏହା ନିଶ୍ଚିତ ଯେ, ସିଏଏକୁ ନେଇ ଶାସକ ବିଜେପି ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ପ୍ରଚାର ଦିଲ୍ଲୀ ବିଧାନସଭା ନିର୍ବାଚନରେ ଜନମତକୁ ପ୍ରଭାବିତ କରିବ । କାହା ସପକ୍ଷରେ ଜନମତ ରହିଛି, ତାହା ସ୍ପଷ୍ଟ ହେବ ଏହି ଭୋଟ ଫଳାଫଳରୁ ।
୨୦୨୦ରେ ଦେଶରେ ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ନିର୍ବାଚନ ଫେବୃୟାରୀ ୮ରେ ଦିଲ୍ଲୀରେ ହେଉଛି । ବିହାର ବିଧାନସଭା ନିର୍ବାଚନ ବର୍ଷର ଶେଷ ଭାଗରେ ହେବ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ର ସରକାର ଆସାମରେ ଏନଆରସି (ଜାତୀୟ ନାଗରିକତା ପଂଜୀକରଣ) କରାଇବା ପରେ ଏଥିରୁ ହୋଇଥିବା ରାଜନୈତିକ କ୍ଷତି ଭରଣା ପାଇଁ ସିଏଏ କାର୍ଯ୍ୟକାରୀ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସିଏଏ ବା ନାଗରିକତା ସଂଶୋଧନ ଆଇନ ଜାନୁୟାରୀ ୧୩ରୁ ସମଗ୍ର ଦେଶରେ ଲାଗୁ ହୋଇଛି । ଏହା ଆଇନରେ ପରିଣତ ହେବା ପୂର୍ବରୁ ଦେଶବ୍ୟାପୀ ବିରୋଧ ଆରମ୍ଭ ହୋଇଛି । ତଥାପି, କେନ୍ଦ୍ର ସରକାର ଲୋକସଭା ଓ ରାଜ୍ୟସଭାରେ ତାହା ଗୃହୀତ କରାଇ ନେବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲେ । ରାଜ୍ୟସଭାରେ ସିଏବି (ସଂଶୋଧନ ବିଲ୍) ଗୃହୀତ ହେବା ପରେ ତୁରନ୍ତ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଦେଶବ୍ୟାପୀ ଲାଗୁ ହୋଇଛି ।
ସିଏଏ ବିରୋଧରେ ଦେଶର ବିଭିନ୍ନ ଅଂଚଳରେ ଯେଉଁ ଆନ୍ଦୋଳନର ସୂତ୍ରପାତ ହେଲା ତାହା ଉଗ୍ର ରୂପ ନେଇ ଦିଲ୍ଲୀ ସମେତ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶରେ ବ୍ୟାପକ ହିଂସାର କାରଣ ସାଜି ଥିଲା । ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଏବଂ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଛାତ୍ରଛାତ୍ରୀଙ୍କ ବିରୋଧ ଏତେ ଉଗ୍ର ଥିଲା ଯେ ଶାସକ ଦଳ ପୁଲିସ ଓ ନିଜର ସମର୍ଥକଙ୍କୁ ଲଗାଇ ବର୍ବରତାର ସହ ତାହାକୁ ଦମନ କରିବାକୁ ପଛାଇ ନ ଥିଲେ । ଏହି ବର୍ବରତା ସମଗ୍ର ଦେଶର ଛାତ୍ର ସମାଜକୁ ଏକାଠି କରି ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଅଧିକ ଶାଣିତ କରିଥିଲା । ଆଜି ମଧ୍ୟ ସିଏଏ ବିରୋଧରେ ପ୍ରତିବାଦ, ଅବରୋଧ ଓ ଆନ୍ଦୋଳନ ଚାଲିଛି । ଦିଲ୍ଲୀ ନିର୍ବାଚନରେ ଏହା ମୁଖ୍ୟ ପ୍ରସଙ୍ଗ ହୋଇଛି । ବିଭିନ୍ନ ଶ୍ରମିକ ସଂଗଠନ ସିଏଏକୁ ବିରୋଧ କରିବା ସହ ଦେଶର ବେକାର ସମସ୍ୟା ଲଗାମଛଡା ହୋଇଥିବା, ମହିଳାଙ୍କ ଅସୁରକ୍ଷା ଭାବ ବଢିଥିବା, ଅର୍ଥନୀତିକ କ୍ଷେତ୍ରରେ ସରକାରଙ୍କ ବିଫଳତା ଯୋଗୁ ମୁଦ୍ରାସ୍ଫୀତି ବଢିବା ସହ ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଏବଂ ଦେଶର ଆଂଗୁଠି ଆଗରେ ଗଣି ହେଉଥିବା କିଛି ବିତ୍ତଶାଳୀ ପରିବାରଙ୍କୁ ସୁହାଇଲା ଭଳି କେନ୍ଦ୍ର ସରକାର ସରକାରୀ ଉଦ୍ୟୋଗର ଘରୋଇକରଣ ନୀତିକୁ ଆପଣାଇବା ପ୍ରଭୃତି ଅଭିଯୋଗ କରି ଜାନୁୟାରୀ ୮ରେ ‘ଭାରତ ବନ୍ଦ’ ପାଳନ କରିଥିଲେ । ଆଜି (ଜାନୁୟାରୀ ୨୯) ଆଉ ଏକ ‘ଭାରତ ବନ୍ଦ’ ପାଳିତ ହୋଇଯାଇଛି । ସିଏଏ ଓ ଦେଶବ୍ୟାପୀ ଏନଆରସି ଲାଗୁ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ବିରୋଧରେ ଏହି ବନ୍ଦ ପାଳନ ହୋଇଛି । ଜନସାଧାରଣ ଏଭଳି ବାରମ୍ବାର ‘ବନ୍ଦ’ ଡାକାରାକୁ ସମର୍ଥନ କରୁ ନାହାନ୍ତି ସତ, ତେବେ କେନ୍ଦ୍ର ସରକାରଙ୍କ ମୁକାବିଲା ମନୋଭାବକୁ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି ।
ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ପ୍ରାରମ୍ଭରୁ ସିଏଏ ଓ ଏନଆରସିକୁ ବିରୋଧ କରି ରାଜ୍ୟରେ ଏହି କେନ୍ଦ୍ରୀୟ ଆଇନକୁ ଲାଗୁ ହେବାକୁ ଦେବେ ନାହିଁ ବୋଲି ଧମକ ଦେଇ ସାରିଛନ୍ତି । ୟୁପିର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସପି ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟ ମୁଖ୍ୟ ଅଖିଳେଶ ଯାଦବ ସିଏଏ ଓ ଏନଆରସିକୁ ବିରୋଧ କରୁଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଏଏକୁ ସମର୍ଥନ ଦେଇଥିବା ବେଳେ ରାଜ୍ୟରେ ଏନଆରସି ଲାଗୁ ହେବ ନାହିଁ ବୋଲି ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟକୁ ପ୍ରତିଶ୍ରୁତି ଦେଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସିଏଏକୁ ସମର୍ଥନ କରିଥିବା ବେଳେ ଏନଆରସି କଣ (?) ବୋଲି ପ୍ରଶ୍ନ କରି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେବେ, ଏହାକୁ ନେଇ ଜନତା ଦଳ (ୟୁନାଇଟେଡ) ବା ଜେଡ଼ିୟୁରେ ସଂକଟ ଚରମ ସୀମାରେ ପହଂଚିଛି । ନୀତୀଶ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ସିଏଏକୁ ସମର୍ଥନ କରିବା ଜେଡ଼ିୟୁର ବହୁ ନେତା ପସନ୍ଦ କରୁ ନ ଥିବାରୁ ଦଳ ବିଭାଜନ ଆଡକୁ ଗତି କରୁଥିବା ସୂଚନା ମିଳୁଛି । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ କେହି ନାପସନ୍ଦ କରୁ ନ ଥିଲେ ମଧ୍ୟ ରାଜ୍ୟରେ ମାସ ମାସ ଧରି ଇଂଟରନେଟ୍ ସେବାକୁ କେନ୍ଦ୍ର ସରକାର ଅଚଳ କରି ଦେବା ଏବଂ ରାଜ୍ୟର ତିିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼.ଫରୁକ ଅବଦୁଲା, ପୁଅ ଓମାର ଅବଦୁଲ୍ଲା ଏବଂ ମୁଫତି କନ୍ୟା ସୁଶ୍ରୀ ମେହେବୁବା ମୁଫତିଙ୍କୁ ସରକାର ଛଅ ମାସ ହେଲା ଅଟକବନ୍ଦୀ ରଖିବା କଥାକୁ ଆର୍ନ୍ତର୍ଜାତିକ ସମୁଦାୟ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଜାତୀୟ ସୁରକ୍ଷା ନାମରେ କେନ୍ଦ୍ର ସରକାରଙ୍କ ଏତେ ଏତେ ଦିନ ଇଂଟରନେଟ୍ ସେବା ଅଚଳ କରି ରଖିବା ସାଧାରଣ ଜନତା (ଜମ୍ମୁ-କଶ୍ମୀର ବାସିନ୍ଦା)ଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଟିପ୍ପଣୀ ଦେବା ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଅସନ୍ତୋଷ ଓ ସରକାରଙ୍କ ମନମାନିକୁ ସ୍ପଷ୍ଟ କରୁଛି ।
ଏହି ପରିସ୍ଥିତିରେ ଦେଶର ଅନେକ ରାଜ୍ୟ ସିଏଏ, ଏନଆରସି ଓ ଏନପିଏକୁ ବିରୋଧ କରି ନିଜ ନିଜ ରାଜ୍ୟରେ ତାହାକୁ ଲାଗୁ କରିବେ ନାହିଁ ବୋଲି ଚେତାବନୀ ଦେବା ଦେଶର ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ବରିଷ୍ଠ ସମ୍ବିଧାନ ବିଶେଷଜ୍ଞମାନେ ଚେତାଇ ଦେବା ପରେ ଏବେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି । କଂଗ୍ରେସ ଶାସିତ ରାଜ୍ୟ ପଂଜାବ ପ୍ରଥମେ ସିଏଏ ଓ ଏନଆରସିକୁ ବିରୋଧ କରି ରାଜ୍ୟ ବିଧାନସଭାରେ ସଂକଳ୍ପ ଗୃହୀତ କରାଇବା ପରେ କେରଳ, ରାଜସ୍ଥାନ ସମେତ ଅନ୍ୟ କିଛି ରାଜ୍ୟ ନିଜ ନିଜ ରାଜ୍ୟ ବିଧାନସଭାରେ ଏଭଳି ସଂକଳ୍ପ ପାରିତ କରାଇଛନ୍ତି । ସବୁ କଂଗ୍ରେସ ଶାସିତ ରାଜ୍ୟ ସିଏଏକୁ ବିରୋଧ କରିବେ ବୋଲି ଦଳର କେନ୍ଦ୍ରୀୟ ନେତୃତ୍ୱ ସ୍ପଷ୍ଟ କରି ସାରିଛି । କମ୍ୟୁନିଷ୍ଟ ଶାସିତ ରାଜ୍ୟ କେରଳ ସିଏଏ-ବିରୋଧରେ ସୁପ୍ରିମ କୋର୍ଟକୁ ଗଲାଣି । ତେବେ, ବିରୋଧୀ ଯାହା କରନ୍ତୁ ନା କାହିଁକି କେନ୍ଦ୍ର ସରକାର ସିଏଏରୁ ହଟିବେ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବିଭିନ୍ନ ନିର୍ବାଚନ ସଭାରେ କହିବା ପରିସ୍ଥିତିକୁ ଅଧିକ ମୁକାବିଲାତ୍ମକ କରିଛି । ସିଏଏ,ଏନଆରସି ଓ ଏନପିଆର (ଜାତୀୟ ଜନସଂଖ୍ୟା ରିଜେଷ୍ଟ୍ରାର)କୁ ବିରୋଧ କରୁଥିବା ରାଜନୈତିକ ଦଳ, ବ୍ୟକ୍ତି ଓ ଅନୁଷ୍ଠାନ ‘ଦେଶ-ବିରେଧୀ’ ଓ ‘ବିଶ୍ୱାସଘାତକ’ ବୋଲି କେନ୍ଦ୍ରୀୟ ନେତାମାନେ ବାରମ୍ବାର ବିଷୋଦଗାର କରିବା ଦ୍ୱାରା ଦେଶର ରାଜନୈତିକ ସମୀକରଣ ବଦଳିଛି । ଗୋଟିଏ ପଟେ ଦକ୍ଷିଣପନ୍ଥୀ ଚିନ୍ତାଧାରା ତାହାର ଉଗ୍ରତା ଦେଖାଉ ଥିବା ବେଳେ ଅନ୍ୟପଟେ କମ୍ୟୁନିଷ୍ଟ ଓ କଂଗ୍ରେସ ଭଳି ଉଦାରବାଦୀ ଦଳ ତାହାର ମୁକାବିଲା ପାଇଁ ସଂଗଠିତ ହେଉଥିବା ଭାରତୀୟ ରାଜନୀତିକୁ କେଉଁ ଆଡକୁ ନେବାକୁ ଯାଉଛି, ତାହା ଏବେ ପ୍ରଶ୍ନବାଚୀ ହୋଇଛି ।
ୟୁପି, ବାଂଗାଲୁରୁ, ତାମିଲନାଡୁ, ନୂଆଦିଲ୍ଲୀ ସମେତ ଦେଶର ବହୁ ଅଂଚଳରେ ସିଏଏ ଓ ଏନଆରସିକୁ ବିରୋଧ କରି ସତ୍ୟାଗ୍ରହ ଓ ଅବରୋଧ ଚାଲି ଥିବା ବେଳେ ଜାମିଆ ମିଲିଆ ଓ ଜେଏନୟୁରେ ପୁଲିସ ଓ ଗୁଣ୍ଡାଙ୍କ ବର୍ବରତା ସିଏଏ ବିରୋଧୀ ଆନ୍ଦୋଳନକୁ ନୂଆ ମୋଡ ଦେଇଥିଲା । ସମଗ୍ର ଦେଶରେ ଛାତ୍ର ସମାଜ ତାତି ଉଠି ଆନ୍ଦୋଳନକୁ ତେଜିବାରୁ ତାହାରି ଆଢୁଆଳରେ ବ୍ୟାପକ ହିଂସା ଦେଖିବାକୁ ମିଳି ଥିଲା । କେନ୍ଦ୍ର ଓ ରାଜ୍ୟରେ ହିଂସା ଏବଂ ଏହାକୁ ଦମନ କରିବା ପାଇଁ ହୋଇଥିବା ମାତ୍ରାଧିକ ଶକ୍ତି ପ୍ରୟୋଗକୁ ସୁପ୍ରିମ କୋର୍ଟ ମଧ୍ୟ ପରୋକ୍ଷରେ ନିନ୍ଦା କରିଛନ୍ତି । ଉଭୟ ପକ୍ଷ ଶାନ୍ତି ଫେରାଇ ଆଣିଲେ ହିଁ ସୁପ୍ରିମ କୋର୍ଟ ଏସଂପର୍କରେ ହୋଇଥିବା ସମସ୍ତ ମାମଲାର ବିଚାରଣା କରିବେ ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏ.ଏସ.ବୋବଡ଼େ ସ୍ପଷ୍ଟ କରିବା ମାଧ୍ୟମରେ ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତିକୁ ନେଇ ନିଜର କ୍ଷୋଭ ବ୍ୟକ୍ତ କରିଥିଲେ । ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଖିରେ ରଖି ବିଜେପିର ତୁଂଗରୁ ତଳ ପର୍ଯ୍ୟନ୍ତ ନେତାମାନେ ଯେଭଳି ଲଗାମଛଡା ମନ୍ତବ୍ୟମାନ ଦେଉଛନ୍ତି ତାହା ଦେଶରେ ଉଦାରବାଦୀ ଧର୍ମନିରପେକ୍ଷ ଶକ୍ତି ଓ ଦକ୍ଷିଣପନ୍ଥୀଙ୍କ ମଧ୍ୟରେ ଚାଲି ଥିବା ଆଦର୍ଶଗତ ଳଢେଇକୁ ଅଧିକ ଜଟିଳ କରୁଛି । ସିଏଏକୁ ବିରୋଧ କରୁଥିବା ଦଳ, ନେତା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ହେଉଛନ୍ତି ‘ଦେଶ ବିରୋଧୀ’ ବୋଲି କହୁଥିବା କେନ୍ଦ୍ର ସରକାର ଏବେ ମୁସଲିମ୍ ବହୁଳ ଦିଲ୍ଲୀର ‘ସାହିନ୍ ବାଗ୍’ ଅଂଚଳକୁ ପାକିସ୍ତାନ ସହ ତୁଳନା କଲେଣି । ସିଏଏକୁ ବିରୋଧ କରୁଥିବା ଗୋଷ୍ଠୀଙ୍କୁ ଆକ୍ଷେପ କରିବାକୁ ଯାଇ ବିଜେପିର ବରିଷ୍ଠ ନେତାମାନେ ସାହିନ୍ ବାଗ୍ ର ଉଦାହରଣ ଦେଇ ‘ଦିଲ୍ଲୀରେ ଏଭଳି ଅନେକ ଛୋଟ ଛୋଟ ପାକିସ୍ତାନ ସୃଷ୍ଟି ହେଲାଣି’ ବୋଲି ମନ୍ତବ୍ୟ ଦେବା ସଂଖ୍ୟାଲଘୁ ସଂପ୍ରଦାୟକୁ କ୍ଷୁବ୍ଧ କରିବା ସହ ଦିଲ୍ଲୀ ନିର୍ବାଚନକୁ ‘ରାଷ୍ଟ୍ରବାଦ’ ବନାମ ‘ଦେଶଦ୍ରୋହୀ’ରେ ରୂପାନ୍ତରିତ କରିଛି ।
ଦିଲ୍ଲୀ ନିର୍ବାଚନରେ ‘ସାହିନ୍ ବାଗ୍’ ବିଜେପି ପାଇଁ ବଡ ମୁଦ୍ଦା ହୋଇଥିବା ବେଳେ ସିଏଏ ଓ ଏନଆରସିକୁ ବିରୋଧ କରୁଥିବା ଲୋକମାନେ ‘ଦେଶଦ୍ରୋହୀ’ ବୋଲି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଭଳି ଦଳର ବଡ଼ ନେତା ମାନେ ମନ୍ତବ୍ୟ ଦେବା କପିଳ ମିଶ୍ରାଙ୍କ ଭଳି କୁଜି ନେତା (ଦିଲ୍ଲୀରେ ବିଜେପି ପ୍ରାର୍ଥୀ)ଙ୍କୁ ବିଶୃଙ୍ଖଳ ମନ୍ତବ୍ୟ ଦେବା ପାଇଁ ବେଶ୍ ଉତ୍ସାହିତ କରି ଥିଲା । ଦିଲ୍ଲୀରେ ଅନେକ ଛୋଟ ଛୋଟ ପାକିସ୍ତାନ (ସାହିନ୍ ବାଗ୍) ସୃଷ୍ଠି ହୋଇଛି ବୋଲି ମନ୍ତବ୍ୟ ଦେଇ ମିଶ୍ରା ଭାରତୀୟ ନିର୍ବାଚନ କମିସନଙ୍କ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । ତେବେ, ଦିଲ୍ଲୀ ବିଜେପି ମୁଖ୍ୟ ଏଥିରୁ ନ ଚେତି ପାଦେ ଆଗକୁ ଯାଇ ‘ଦେଶଦ୍ରୋହୀଙ୍କୁ ଗୁଳି ମାରି ଦିଆଯିବା ଉଚିତ’ ବୋଲି ନିର୍ବାଚନ ସଭାରେ ମନ୍ତବ୍ୟ ଦେବା ଏବଂ ଦଳର ବରିଷ୍ଠ ନେତାମାନେ ଥଟ୍ଟାମଜାରେ ବିରୋଧୀଙ୍କୁ ‘ଟୁକୁଡେ ଟୁକୁଡେ ଗ୍ୟାଂଗ୍’ ବୋଲି ଆକ୍ଷେପ କରିବା ଶାସକ ଦଳର ଆତ୍ମବଡିମାକୁ ପ୍ରଦର୍ଶନ କରୁଛି । କେନ୍ଦ୍ର ସରକାର ଦେଶରେ କାର୍ଯ୍ୟକାରୀ କରିଥିବା ନାଗରିକତା ସଂଶୋଧନ ଆଇନ-୨୦୧୯କୁ କାହିଁକି ବିରୋଧ ହେଉଛି, ତାହା ଅନେକ ଭାରତୀୟ ଜାଣି ପାରୁ ନାହାନ୍ତି । ତେଣୁ, ସିଏଏକୁ ନେଇ ଦେଶବ୍ୟାପୀ ବିଭ୍ରାନ୍ତି ରହି ଥିବା ମଧ୍ୟ ଦେଖିବାକୁ ମିଳୁଛି ।
ବାସ୍ତବରେ, ଦେଶରେ ପୁରୁଷାନୁକ୍ରମେ ବସବାସ କରି ଆସୁଥିବା ଏବଂ ଦେଶର ନାଗରିକ ଥିବା ଭାରତୀୟ (ସେ ହିନ୍ଦୁ ହୁଅନ୍ତୁ ବା ମୁସଲମାନ୍)ଙ୍କ ପାଇଁ କ୍ଷତିକାରକ ନୁହେଁ; ବରଂ ପଡୋଶୀ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଉତ୍ପିଡନର ଶୀକାର ହୋଇ ଭାରତକୁ ଆଶ୍ରା ପାଇଁ ଚାଲି ଆସି ଥିବା ସଂଖ୍ୟାଲଘୁ ହିନ୍ଦୁ, ଶିଖ୍, ଖ୍ରୀଷ୍ଟିଆନ୍, ପାର୍ଶି, ବୌଦ୍ଧ, ଜୈନଙ୍କୁ ନାଗରିକତ୍ୱ ପ୍ରଦାନ କରି ସୁରକ୍ଷା ଯୋଗାଇ ଦେବା ଏହାର ମୌଳିକ ଲକ୍ଷ୍ୟ
ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସିଏଏ-ବିରୋଧୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ତେବେ, ସଂଶୋଧିତ ଆଇନରେ ଏହି ତିନି ଦେଶରୁ ଉତ୍ପିଡନର ଶିକାର ହୋଇ ଆଶ୍ରୟ ନେବାକୁ ଭାରତ ଚାଲି ଆସିଥିବା ମୁସଲମାନ ଧର୍ମାବଳମ୍ବୀଙ୍କ ସଂପର୍କରେ ସରକାରଙ୍କ ନୀତି କଣ, ତାହା ଉହ୍ୟ ରହିବା ଦ୍ୱାରା ନିଜକୁ ଧର୍ମନିରପେକ୍ଷ ଓ ଉଦାରବାଦୀ ବୋଲି ଦାବି କରୁଥିବା ରାଜନୈତିକ ଦଳ ଏବଂ ମୁସଲମାନ ସଂପ୍ରଦାୟ କ୍ଷୁବ୍ଧ ହେବା ସ୍ୱାଭାବିକ । ଆସାମରେ ଏନଆରସି ପ୍ରକ୍ରିୟା ଚାଲି ଥିବା ବେଳେ ଆବଶ୍ୟକ କାଗଜପତ୍ର ନ ଥିବା ଯୋଗୁ ଭାରତୀୟ ନାଗରିକମାନେ ମଧ୍ୟ ଯେଭଳି ନାଗରିକତା ହରାଇଲେ ଦେଶରେ ସେଭଳି ପରିସ୍ଥିତି ସୃଷି ହେବା ନେଇ ଆଶଙ୍କା କରୁଛନ୍ତିି । ଏହାଛଡା, ବିରୋଧୀଂକ ‘ଡ଼ିଟେନସନ୍ ସେଂଟର’କୁ ନେଇ ପ୍ରଚାର (ସତ ହେଉ ବା ମିଛ) ସଂଖ୍ୟାଲଘୁଙ୍କୁ ବେଶ୍ ଡ଼ରାଉଛି । ଦେଶବ୍ୟାପୀ ମୁସଲମାନ ସଂପ୍ରଦାୟ ଏଭଳି ଏକ ଆଶଙ୍କାକୁ ନେଇ ଅଧିକ ଆତଙ୍କିତ ଥିବାରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ରାଜନୈତିକ ଦଳମାନେ ସିଏଏ-ବିରୋଧୀ ଆନ୍ଦୋଳନରୁ ଅଧିକ ଫାଇଦା ପାଇବେ ବୋଲି ଆଶାବାଦୀ । ତେବେ, ତାହା ବିଜେପିକୁ ମଧ୍ୟ ନିଜର ଭୋଟବ୍ୟାଙ୍କକୁ ଏକତ୍ରୀକରଣ କରିବାରେ ସହାୟକ ହୋଇଥିବା କୁହାଯାଉଛି ।
ଦିଲ୍ଲୀର ୭୦ ଆସନ ବିଶିଷ୍ଟ ବିଧାନସଭାର ପାଇଁ ଫେବୃୟାରୀ ୮ରେ ନିର୍ବାଚନ ହେଉଛି । ୨୦୧୫ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ନେତୃତ୍ୱାଧୀନ ‘ଆମ୍ ଆଦମୀ ପାର୍ଟି’ ବା ଏଏପି ସମସ୍ତଙ୍କୁ ଚକିତ କଲା ଭଳି ୭୦ରୁ ୬୭ ଆସନରେ ବିଜୟ ହାସଲ କରିଥିଲା । ଏକଦା କଂଗ୍ରେସ ଓ ବିଜେପି ଦିଲ୍ଲୀ ବିଧାନସଭାରେ ଏକାଧିପତି ରହିଥିବା ବେଳେ ୨୦୧୫ ନିର୍ବାଚନରେ ‘୦’ (କଂଗ୍ରେସ) ଓ ‘୩’ (ବିଜେପି)କୁ ଖସି ଥିଲେ । ଦେଶରେ ଲୋକପାଳ ନିଯୁକ୍ତି ଓ ଚରମସ୍ତରରେ ପହଂଚି ଥିବା ଦୁର୍ନୀତିର ମୂଳୋତ୍ପାଟନ ଦାବିରେ ଆନ୍ନା ହଜାରେଙ୍କ ନେତୃତ୍ୱରେ ୟୁପିଏ-୨ ସରକାର ସମୟରେ ହୋଇଥିବା ଜନ-ଆନ୍ଦୋଳନର ଅନ୍ୟତମ ସାରଥୀ ଥିଲେ କେଜରୀୱାଲ । ତେଣୁ, ଦିଲ୍ଲୀବାସୀ ତାଙ୍କ ପ୍ରତି ଏଭଳି ଆସ୍ଥା ପ୍ରକଟ କରି ଏଏପିକୁ ବହୁମତ (୩୬)ରୁ ଯଥେଷ୍ଟ ଅଧିକ ଆସନ ଦେବା ସ୍ୱାଭାବିକ ଥିଲା । କେନ୍ଦ୍ରରେ ଶାସନରେ ଥିବା ବିଜେପି ଏହାକୁ ସହଜରେ ଗ୍ରହଣ କରି ନ ପାରି କେଜରୀୱାଲ ସରକାରକୁ ବିଭିନ୍ନ ବାଟରେ ହଇରାଣ ହରକତ କରିଥିଲା । ଦିଲ୍ଲୀ କେନ୍ଦ୍ର ଶାସିତ ଅଂଚଳ ହୋଇ ଥିବାରୁ ପ୍ରଶାସନିକ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏଲ୍.ଜି (ଲେଫ୍ଟନାଂଟ ଗଭର୍ଣ୍ଣର) ହେଉଛନ୍ତି ସର୍ବଶକ୍ତିମାନ । ଦିଲ୍ଲୀ ପୁଲିସ ମଧ୍ୟ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ । ପ୍ରତି କଥାରେ ଉଭୟ ଏଲ.ଜି ଓ ଦିଲ୍ଲୀ ପୁଲିସ କେଜରୀୱାଲ ସରକାରକୁ ପଂଗୁ କରି ଦେବାକୁ ପଛାଇ ନାହାନ୍ତି । ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ସେମାନେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି । ତଥାପି, ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ତାଙ୍କ ସରକାର ସୁପ୍ରିମ କୋର୍ଟଙ୍କ ଠାରୁ ଅମ୍ଳଜାନ ପାଇ ଯାହା କାମ କରିଛନ୍ତି, ତାହା ଆଜି ଭୋଟରଙ୍କ ସାମନା କରିବାରେ ଏଏପିକୁ ସାହସ ଦେଇଛି । ଦିଲ୍ଲୀବାସୀ ଏହି ସରକାର ଅମଳରେ ସ୍ୱଳ୍ପ ମୂଲ୍ୟରେ ବିଦ୍ୟୁତ ଏବଂ ମାଗଣାରେ ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ପାଇଛନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ ମୁଖ୍ୟମନ୍ତ୍ରୀ କେଜରୀୱାଲ ଉଲ୍ଲେଖନୀୟ ସଂସ୍କାର ଆଣି ଥିବା କୁହାଯାଉଛି । କେବଳ ଦିଲ୍ଲୀବାସୀ ନୁହନ୍ତି, ସମଗ୍ର ଦେଶ ଏଏପିର ଏହି ଉପଲବ୍ଧୀକୁ ସ୍ୱୀକାର କରୁଛି । ପାଂଚ ବର୍ଷ ଭିତରେ ବିଭିନ୍ନ ପ୍ରତିବନ୍ଧକ ସତ୍ୱେ ଏହି ଉପଲବ୍ଧୀକୁ ନେଇ କେଜରୀୱାଲ ଦିଲ୍ଲୀ ଭୋଟରଙ୍କ ସାମନାକୁ ଯାଇଛନ୍ତି । ତାଙ୍କ ସରକାର ଦିଲ୍ଲୀବାସୀଙ୍କ ପାଇଁ ଯାହା କିଛି କାମ କରିଛନ୍ତି ତାହାକୁ ଆଖିରେ ରଖି ଭୋଟ ଦେବାକୁ ସେ ଆମ୍ ଆଦମୀ ପାର୍ଟି ତରଫରୁ ଦିଲ୍ଲୀବୀସୀଙ୍କୁ ନିବେଦନ କରିଥିବା ବେଳେ ବିଜେପି ସିଏଏ, ଏନଆରସି, ଏନପିଆର, ‘ସାହୀନ୍ ବାଗ୍’, ‘ମିନି ପାକିସ୍ତାନ’ ଭଳି ମୁଦ୍ଦାକୁ ନେଇ ନିର୍ବାଚନ ଲଢୁଛି । ଦିଲ୍ଲୀବାସୀ କାହାକୁ ଗ୍ରହଣ କରୁଛନ୍ତି, କିଏ ଶିଶୁପାଳ ହେଉଛି ତାହା ଫେବୃୟାରୀ ୧୧ ଦିଲ୍ଲୀ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିବ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS