ଦୁଆର ମୁହଁରୁ ଫେରି ଯିବ କି ମୃତ୍ୟୁ ?
ପ୍ରସାଦ ରାଓ
୩୧ ଜାନୁୟାରୀ
୨୦୧୨ ଡ଼ିସେମ୍ବର ୧୨ ତାରିଖରେ ଦିଲ୍ଲୀରେ ଘଟି ଥିବା ବହୁଚଚ୍ଚିର୍ତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ୪ ଜଣ ଅପରାଧୀଙ୍କୁ କାଲି (ଫେବୃୟାରୀ ୧ ତାରିଖ) ସକାଳେ ଫାଶୀ ହେବାକୁ ଥିବା ବେଳେ ଏହି ଦଣ୍ଡାଦେଶ କାର୍ଯ୍ୟକାରୀ କରାଯିବା ଉପରେ ରହିତାଦେଶ ଜାରି ପାଇଁ ସେମାନଙ୍କ ଆଡୁ ହୋଇଥିବା ଆବେଦନର ଆଜି ଶୁଣାଣୀ ସରିଛି । ଦିଲ୍ଲୀର ଅତିରିକ୍ତ ସେସନ୍ସ ବିଚାରପତି ଧମେନ୍ଦ୍ର ରାଣା ଉଭୟ ତିହାର ଜେଲ କର୍ତୃପକ୍ଷ ଓ ଅଭିଯୁକ୍ତଙ୍କ ଓକିଲଙ୍କ ଯୁକ୍ତିର ଶୁଣିବା ପରେ ତାଙ୍କ ରାୟ ସଂରକ୍ଷିତ ରଖି ଥିବା ଜଣାପଡିଛି ।
ଫାଶୀ ପାଇବାକୁ ଥିବା ୪ ଜଣଙ୍କ ମଧ୍ୟରୁ ମାତ୍ର ଜଣକର କ୍ଷମା ଆବେଦନ ବିଚାରାଧୀନ ଥିବାରୁ ଅନ୍ୟ ତିନି ଜଣଙ୍କୁ କାଲି ନିର୍ଦ୍ଧାରିତ ସମୟରେ ଫାଶୀ ଦିଆଯାଇପାରେ ଏବଂ ଏଥିପାଇଁ ତିହାର ଜେଲ୍ ପ୍ରସ୍ତୁତ ଅଛି ବୋଲି ଜେଲ୍ କର୍ତୃପକ୍ଷ ଆଜି ପାଟିଆଲା ହାଉସ କୋର୍ଟ ବିଚାରପତିଙ୍କୁ ଜଣାଇ ଥିବା ବେଳେ ଅଭିଯୁକ୍ତଙ୍କ ଓକିଲ ଏ.ପି.ସିଂହ ଏହା ବିରୋଧରେ ଦୃଢ ଯୁକ୍ତି ଉପସ୍ଥାପନ କରି ମାମଲାରେ ସଂପୃକ୍ତ ଜଣକର କ୍ଷମା ଅବେଦନ ବି ବିଚାରଧୀନ ଥିଲେ ଅନ୍ୟ ସଂପୃକ୍ତ ଅପରାଧୀଙ୍କୁ ଫାଶୀଖୁଂଟରେ ଚଢାଇବା ଆଇନସଂଗତ ହେବ ନାହିଁ ବୋଲି କହିଛନ୍ତି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଅପେକ୍ଷାରେ ଥିବା ଚାରି ଜଣଙ୍କୁ ଫାଶୀଖୁଂଟରୁ ମୁକୁଳାଇବା ପାଇଁ ଆହୁରି ଅନେକ ଆଇନଗତ ବାଟ ଥିବା ଦର୍ଶାଇ ଓକିଲ ସିଂହ ଫେବୃୟାରୀ ୧ ତାରିଖ ସକାଳେ ହେବାକୁ ଥିବା ଫାଶୀ ଅନିର୍ଦ୍ଧିଷ୍ଟକାଳ ପାଇଁ ସ୍ଥଗିତ ରଖିବାକୁ ବିଚାରପତିଙ୍କୁ ନିବେଦନ କରିଛନ୍ତି । କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖି ଥିବା ଅପରାହ୍ନ ସୁଦ୍ଧା ଖବର ମିଳିଛି । ଫଳରେ ନିର୍ଭୟା ଦୋଷୀଙ୍କୁ ‘କାଲି ଫାଶୀ ହେବ ନା ପୁଣି ସମୟ ଗଡିବ’ ଜାଣିବା ସକାଶେ ଦେଶବାସୀଙ୍କ ଉକ୍ରଂଠା ବଢିବାରେ ଲାଗିଛି ।
୨୦୧୨ ଡ଼ିସେମ୍ବର ୧୨ ତାରିଖ ରାତିରେ ଦିଲ୍ଲୀରେ ଏହି ଲୋମଟାଂକୁରା ଘଟଣା ଘଟି ଥିଲା । ଗଣଦୁଷ୍କର୍ମ ଘଟଣାରେ ମୋଟ ୬ ଜଣ ସଂପୃକ୍ତ ଥିବା ବେଳେ ତିହାର ଜେଲରେ ଥିବା ଅବସ୍ଥାରେ ଜଣେ ନିଜ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିଲା । ଅନ୍ୟ ଜଣେ ଅଭିଯୁକ୍ତ ଘଟଣା ଘଟାଇବା ସମୟରେ ନାବାଳକ (୧୮ ବର୍ଷରୁ କମ୍ ବୟସ) ଥିବାରୁ ଜୁଭେନାଇଲ୍ କୋର୍ଟରେ ବିଚାରଣାର ସମ୍ମୁଖୀନ ହୋଇ ସର୍ବାଧିକ ତିନି ବର୍ଷ ଜେଲଦଣ୍ଡ ଭୋଗିବା ପରେ ଜେଲରୁ ମୁକୁଳିଛନ୍ତି । ଅନ୍ୟ ଚାରି ଜଣ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇ ତିହାର ଜେଲରେ ଫାଶୀ ଅପେକ୍ଷାରେ ଅଛନ୍ତି । ସେମାନେ ଫାଶୀରୁ ମୁକୁଳିବା ସକାଶେ ଆଇନରେ ଥିବା ସମସ୍ତ ବାଟକୁ ପ୍ରୟୋଗ କରି ବିଫଳ ହେବା ପରେ ସେମାନଙ୍କ ଓକିଲ ନୂଆ ନୂଆ ଫନ୍ଦି କରୁଛନ୍ତି । ଏସବୁ ନ୍ୟାୟିକ ମାରପେଂଚ ଯୋଗୁ ଫାଶୀ ଗଡି ଚାଲିବା ଦେଶର ନ୍ୟାୟିକ ବ୍ୟବସ୍ଥାର ସହନଶୀଳତାର ପ୍ରତିଫଳନ କରୁଛି । ଉଭୟ ସୁପ୍ରିମ କୋର୍ଟ ଏବଂ ଭାରତର ରାଷ୍ଟ୍ରପତି ଫାଶୀ ଦଣ୍ଡରେ ଦଣ୍ଡିତଙ୍କ ଦଣ୍ଡ କୋହଳ ଆବେଦନ ଓ ରାଜକ୍ଷମା ଆବେଦନକୁ ଖାରଜ କରି ଦେବା ପରେ ଫେବୃୟାର ୧ ତାରିଖ ସକାଳ ୬ଟାରେ ସେମାନଙ୍କୁ ଫାଶୀ ଦିଆଯିବା ଏକପ୍ରକାର ନିଶ୍ଚିତ ଥିଲା। ତେବେ, ଜଣେ ଅପରାଧୀ ବିନୟ କୁମାରଙ୍କ ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଡି ରହି ଥିବାରୁ ତାହାର ଫଇସଲା ନ ହେବା ଯାଏଁ କାହାରିକୁ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ଦୋଷୀ ପୱନ ଗୁପ୍ତା, ବିନୟ କୁମାର ଶର୍ମା ଓ ଅକ୍ଷୟ କୁମାରଙ୍କ ଓକିଲ ଏପି ସିଂହ କୋର୍ଟରେ ଯୁକ୍ତି ଦର୍ଶାଇ ଫାଶୀଦଣ୍ଡ ଏଡାଇବାର ନୂଆ ଫନ୍ଦି କରିଛନ୍ତି ।
ଅପରପକ୍ଷରେ, ନିର୍ଭୟା ମାମଲାର ୪ ଦୋଷୀ ପୱନ ଗୁପ୍ତା, ମୁକେଶ ସିଂହ, ବିନୟ ଶର୍ମା ଓ ଅକ୍ଷୟ କୁମାର ସିଂହଙ୍କୁ କାଲି ସକାଳେ ଫାଶୀ ଖୁଂଟରେ ଝୁଲାଇବାକୁ ମିରଟ୍ ରୁ ଜହ୍ଲାଦ ପୱନ କୁମାର ୩୦ ତାରିଖ ଆସି ଦିଲ୍ଲୀ ତିହାର ଜେଲରେ ପହଂଚି ଫାଶୀ ଦେବାର ସମସ୍ତ ପ୍ରସ୍ତୁତି ତଦାରଖ କରିଛନ୍ତି । ଏହିସମୟରେ ଓକିଲ ସିଂହ ନିଜ ମହକିଲଙ୍କୁ ଫାଶୀରୁ ଖସାଇବା ପାଇଁ ଆଉ ଏକ ଆଇନଗତ ଗୋଟି ଚଳାଇଛନ୍ତି, ଯାହାକି ୧ ତାରିଖ ଫାଶୀ ହେବା ନେଇ ଅନିଶ୍ଚୟତା ସୃଷ୍ଟି କରିଛି । ଦୋଷୀ ମୁକେଶ କୁମାର ସିଂହଙ୍କ ରାଜକ୍ଷମା ଆବେଦନ ଗତ ୧୭ ତାରିଖ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଖାରଜ ହୋଇଯିବା ପରେ ସେ ଏହା ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ବୁଧବାର ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରି ନ ଥିଲେ । ସେହିଦିନ ଟ୍ରାଏଲ୍ କୋର୍ଟ ଏହି ଚାରି ଜଣଙ୍କ ବିରୋଧରେ ଦ୍ୱିତୀୟ ଥର ପାଇଁ ‘ବ୍ଲାକ୍ ୱାରେଂଟ’ ଜାରି କରି ଫେବୃୟାରୀ ୧ ସକାଳ ୬ଟାରେ ସେମାନଙ୍କୁ ଫାଶୀ ଦେବାକୁ ତିହାର ଜେଲ୍ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ।
ପୂର୍ବରୁ ଜାନୁୟାରୀ ୭ରେ ସେମାନଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରା ବ୍ଲାକ୍ ୱାରେଂଟ୍ ଜାରି ହୋଇ ଫେବୃୟାରୀ ୨୨ରେ ଫାଶୀ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ, ଓକିଲ ଏ.କେ.ସିଂହ ଆଇନଗତ ଚାଲ ଚଳାଇ ତାହାକୁ ଗଡାଇ ଦେବାରେ ସକ୍ଷମ ହୋଇଥିଲେ । ଫାଶୀ ଅପେକ୍ଷାରେ ଥିବା ପୱନ ଗୁପ୍ତା ଆଜି ସୁପ୍ରିମ କୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ କରି ଅପରାଧ ଘଟାଇବା ସମୟରେ ସେ ନାବାଳକ ଥିବାର ସମସ୍ତ ଦଲିଲ୍ ଟ୍ରାଏଲ କୋର୍ଟରୁ ଆରମ୍ଭ କରି ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିଲେ ମଧ୍ୟ ସବୁଠି ତାହାକୁ ଅଣଦେଖା କରାଯାଇଛି ବୋଲି ଦର୍ଶାଇ ସୁପ୍ରିମ କୋର୍ଟ ଗତ ୨୦ ତାରିଖ ଖାରଜ କରିଥିବା ଏହି ଦଲିଲର ପୁନଃ ବିଚାର କରିବାକୁ ଆବେଦନ କରିଛନ୍ତି । ୨୦ ତାରିଖ ଦିନ ସୁପ୍ରିମ କୋର୍ଟ ପୱନଙ୍କ ବୟସକୁ ନେଇ ଆବେଦନକୁ ଖାରଜ କରି ଏହା ଉପରେ କୋର୍ଟ କୌଣସି ପରବର୍ତୀ ଆବେଦନ ଗ୍ରହଣ କରିବେ ନାହିଁ ବୋଲି କହି ଥିଲେ । ତଥାପି, ଆଜି ପୱନଙ୍କ ଓକିଲ ଏହି ରିଭ୍ୟୁ ପିଟିସନ ଦାଖଲ କରି ସମୟ ଗଡାଇବା ଉଦ୍ୟମ କରିଛନ୍ତି । ନିର୍ଭୟା ଦୋଷୀଙ୍କୁ କାଲି ସକାଳେ ଫାଶୀ ହେବାକୁ ଥିବା ବେଳେ ଏହି ଆଇନର ଖେଳ କେବଳ ପୀଡ଼ିତାଙ୍କ ପରିବାରକୁ ନୁହେଁ, ସମଗ୍ର ଦେଶବାସୀଙ୍କୁ କ୍ଷୁବ୍ଧ କରିଛି । ବିଚାର ବ୍ୟବସ୍ଥା ମଧ୍ୟ ନାକେଦମ୍ ହେଲାଣି । ତଥାପି, ନିର୍ଭୟାଙ୍କ ମା’ ଦେଶର ବିଚାର ବ୍ୟବସ୍ଥା ଉପରେ ତାଂକର ସଂପୂର୍ଣ୍ଣ ଭରସା ରହିଛି ବୋଲି କହି ନିଜକୁ ଆଶ୍ୱାସନା ଦେବା ସହ ୭ ବର୍ଷର ସଂଘର୍ଷ ପରେ ମଧ୍ୟ ସହନଶୀଳତା ଦେଖାଇଛନ୍ତି । ଦିଲ୍ଲୀର ଅତିରିକ୍ତ ସେସନ୍ସ ବିଚାରପତି ଧମେନ୍ଦ୍ର ରାଣାଙ୍କ ରାୟ କଣ ହେବ, ସେହି ଅପେକ୍ଷାରେ ସମସ୍ତେ ଅଛନ୍ତି ।
ପୀଡ଼ିତା ନିର୍ଭୟାଙ୍କ ବାସ୍ତବ ନାମ ଭିନ୍ନ । ୨୩ ବର୍ଷ ବୟଷ୍କା ଏହି ପୀଡ଼ିତା ଜଣକ ଗଣଦୁଷ୍କର୍ମର ଶିକାର ହେବା ସମୟରେ ଫିଜିଓଥେରାପି ଇଂଟର୍ଣ୍ଣ ଥିଲେ । ସେ ନିଜ ପୁରୁଷ ବଂଧୁ ଅବନିନ୍ଦ୍ର ପ୍ରତାପ ସିଂହଙ୍କ ସହ ରାତିରେ ଗୋଟିଏ ଘରୋଇ ବସରେ ଘରକୁ ଫେରୁଥିବା ବେଳେ ଦକ୍ଷିଣ ଦିଲ୍ଲୀର ମୁନିର୍କା ଠାରେ ଏହି ଛାତି ଥରା ଘଟଣା ଘଟି ଥିଲା । ସେମାନଙ୍କ ବସ ଯାତ୍ରା ସମୟରେ ବସରେ ଡ୍ରାଇଭର ସମେତ ଅଉ ଛଅ ଯାତ୍ରୀ ଥିଲେ । ଡ୍ରାଇଭର ସହ ଅନ୍ୟ ପାଂଚ ଜଣ ଚଳନ୍ତା ବସରେ ଅବନିନ୍ଦ୍ର ଓ ପୀଡ଼ିତାଙ୍କୁ ନିସ୍ତୁକ ମାଡ ମାରିବା ସହ ପୀଡ଼ିତାଙ୍କୁ ବିଭତ୍ସ ଭାବେ ଗଣଦୁଷ୍କର୍ମ କରିଥିଲେ । ସେମାନେ ପୀଡ଼ିତାଙ୍କ ଗୁପ୍ତାଂଗରେ ଲୁହା ରଡ୍ ପୁରାଇ ନିର୍ଯ୍ୟାତନା ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏଭଳି ଘୃଣ୍ୟକାଣ୍ଡ ଘଟାଇବା ପରେ ମୂମୂର୍ଷୁ ଅବସ୍ଥାରେ ନିର୍ଭୟାଙ୍କୁ ରାସ୍ତାରେ ଫିଙ୍ଗି ଦେଇ ପଳାଇ ଥିଲେ । ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା । ସମଗ୍ର ଦେଶର ଏହି ଗଣଦୁଷ୍କର୍ମକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ, ଶୋଭାଯାତ୍ରାମାନ ହୋଇଥିଲା । ଚାପର ସମ୍ମୁଖୀନ ହୋଇ କେନ୍ଦ୍ରରେ କ୍ଷମତାରେ ଥିବା ତକ୍ରାଳୀନ ୟୁପିଏ-୨ ସରକାରଙ୍କ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ନିର୍ଭୟାଙ୍କ ଚିକିତ୍ସା ଦାୟିତ୍ୱ ବହନ କରିଥିଲେ । ଘଟଣାର ଏକମାତ୍ର ପ୍ରତ୍ୟକ୍ଷ୍ୟଦର୍ଶୀ ଥିଲେ ନିର୍ଭୟାଙ୍କ ପୁରୁଷ ବଂଧୁ ଅବନିନ୍ଦ୍ର । ନିର୍ଭୟା ୧୧ ଦିନ ଦିଲ୍ଲୀରେ ଚିକିତ୍ସିତ ହେବା ପରେ ତାଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ଏୟାର-ଆମ୍ବୁଲାନ୍ସରେ ସିଂଗାପୁରର ଏକ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ, ଦୁଇ ଦିନ ପରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟି ଥିଲା । ଏହି ଜଘଣ୍ୟକାଣ୍ଡ ଘଟାଇ ଥିବା ଅପରାଧୀମାନେ ଆଜି ମୃତ୍ୟୁଦଣ୍ଡକୁ ଏହାଇବା ପାଇଁ ଆଇନର ଗଳିବାଟର ଆଶ୍ରୟ ନେଉଛନ୍ତି । ମୃତ୍ୟୁକୁ ଅତି ନିକଟରେ ଦେଖି ସେମାନେ ତାହାକୁ ଏହାଇବା ସକାଶେ କରୁଥିବା ଫନ୍ଦି କେତେଦିନ ବା ସେମାନଙ୍କୁ ସୁରକ୍ଷା ଦେବ ?
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS