ଅସମୟରେ ଚାଲି ଗଲେ, ସ୍ୱପ୍ନ ରହି ଗଲା ଅଧୁରା
ପ୍ରସାଦ ରାଓ
ମେ’୩୧
ରାଜନୀତିରେ ମଣିଷ ସ୍ୱପ୍ନ ଦେଖେ ଅପହଂଚ ଦୂରତାରେ ପହଂଚିବା ପାଇଁ । କିଏ ପହଂଚି ପାରେ, କାହାର ସ୍ୱପ୍ନ ଅଧୁରା ରହିଯାଏ । ତିନି ଦିନ ତଳେ (ମେ’ ୨୯ ତାରିଖ ଶୁକ୍ରବାର) ସଟ୍ ସର୍କିଟ୍ ଯୋଗୁ ରୁନ୍ଧି ହୋଇ ପ୍ରାଣ ହରାଇ ଥିବା ବିଜେଡ଼ି ନେତା ଅଲେଖ ଚୌଧୁରୀ ସ୍ୱପ୍ନ ଦେଖି ଥିଲେ ରାଜ୍ୟ ବିଧାନସଭାରେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟ କରିବା ପାଇଁ । କିନ୍ତୁ, ଶେଷ ପର୍ଯ୍ୟନ୍ତ ତାହା ସାକାର ହେଲା ନାହିଁ । କଂଗ୍ରେସ ଦଳରେ ରହି ସ୍ୱପ୍ନକୁ ସାକାର କରିବା ସକାଶେ ସେ ଦୀର୍ଘ ବର୍ଷ ସଂଘର୍ଷ କଲେ । ନିରାଶ ହେବା ପରେ ବିଜୁ ଜନତା ଦଳର ହାତ ଧରିଲେ । ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ସଫଳତାର ସ୍ୱାଦ ଚାଖିଲେ । କିନ୍ତୁ, ଅଲେଖ ରହି ଗଲେ ପଛରେ । ରାଜନୀତିରେ ଥିଲା ତାଙ୍କର ବିରାଟ ଅଭିଜ୍ଞତା । ବିଭିନ୍ନ ଦାୟିତ୍ୱପୂର୍ଣ୍ଣ ରାଜନୈତିକ ପଦ ପଦବୀରେ ଥାଇ ଅନୁଭବ ହାସଲ କରିଥିଲେ । ସମର୍ଥକଙ୍କ ମଧ୍ୟରେ ଥିଲା ତାଙ୍କ ପ୍ରତି ଅଗାଧ ବିଶ୍ୱାସ । ଜନସାଧାରଣରେ ଥିଲା ଆସ୍ଥା । ତେବେ, ରାଜନୀତିର ମାରପେଂଚ ଭିତରେ ସେ ନିର୍ବାଚନ ଯୁଦ୍ଧରେ ହାରି ଯାଇଥିଲେ । ଦଳ ବଦଳରୁ ମଧ୍ୟ ତାଙ୍କୁ କୌଣସି ଫାଇଦା ମିଳି ନଥିଲା । ଶେଷରେ, ସେ ହାରି ଗଲେ ନିୟତି ହାତରେ ।
ଶୁକ୍ରବାର ସକାଳୁ ସକାଳୁ ଅଲେଖ ବାବୁଙ୍କ ଦୁଃଖଦ ଦେହାନ୍ତ ଖବର ମୋ ମନକୁ ଆନ୍ଦୋଳିତ କରିଥିଲା । ୧୯୮୭ରୁ ତାଙ୍କ ସହ ଥିଲା ମୋର ସଂପର୍କ । ଜଣେ ରାଜନେତା ଓ ଖବରଦାତାର ସଂପର୍କ । ଅନେକ ସମୟରେ ଖବର ଓ ରାଜନୈତିକ ସମାଲୋଚନାକୁ ନେଇ ତାଙ୍କ ସହ ମୋର ମତପାର୍ଥକ୍ୟ ହୋଇଛି । କିନ୍ତୁ, ତାହା ମର୍ଯ୍ୟାଦାର ସୀମା ଭିତରେ । ମନ ଭିତରେ ଯାହା କ୍ଷୋଭ ଥିଲେ ମଧ୍ୟ ସେ ହସ ହସ ମୁହଁରେ ମୋତେ ସ୍ୱାଗତ କରିଛନ୍ତି। ଜଟିଳ ରାଜନୈତିକ ସମସ୍ୟା ସମୟରେ ପରାମର୍ଶ ମଧ୍ୟ ଗ୍ରହଣ କରିଛନ୍ତି । ଆମ ସଂପର୍କ ସେତେ ନିବିଡ ନ ହେଲେ ମଧ୍ୟ ସୌହାର୍ଦ୍ଧ୍ୟପୂର୍ଣ୍ଣ ଥିଲା । କିଛି ଦିନ ତଳେ ଫୋନ୍ ରେ କଥା ହୋଇଥିଲେ ଏବଂ ଭୁବନେଶ୍ୱର ଆସିଲେ ଦେଖା କରିବାକୁ ପ୍ର୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହି ହୃଦୟବାନ ମଣିଷଟି ହଠାତ୍ ଅସମୟ (ମାତ୍ର ୬୯ ବର୍ଷ ବୟସରେ) ଏକ ଦୁଃଖଦ ଦୁର୍ଘଟଣାରେ ଆମ ସମସ୍ତଙ୍କୁ ଛାଡି ଚାଲି ଯିବ, ଏହା ମୋର କଳ୍ପନା ବାହାରେ ଥିଲା । ମୋର ଜଣେ ସାମ୍ବାଦିକ ବଂଧୁ ତଥା ପୂର୍ବତନ ସହଯୋଗୀ ଏହି ଖବର ଦେବା ବେଳେ କହିଲେ – ‘ଆପଣଙ୍କ ସହ ଅଲେଖ ବାବୁଙ୍କ ସଂପର୍କ ପୁରୁଣା, ତେଣୁ ଖବରଟି ଦେବା ଉଚିତ ମନେ କଲି’ । ବାସ୍ତବରେ ଏହା ଥିଲା ମୋ ପାଇଁ ଏକ ନିଷ୍ଠୁର ସତ୍ୟ ।
ଶୁକ୍ରବାର ଭୋର ୨ଟା ସମୟରେ ଅଲେଖ ବାବୁଙ୍କ ଦେହାନ୍ତ କେମିତି ହେଲା, ତାହା ଆଉ ଖବର ନୁହେଁ । ଆଂଚଳିକ ଓ ଜାତୀୟ ଗଣମାଧ୍ୟମରେ ପରଦିନ ଏହା ବିସ୍ତୃତ ଭାବେ ପ୍ରକାଶ ପାଇଛି । ତେବେ, ଏହି ସ୍ତମ୍ଭରେ ଆଲୋଚନ କରିବାକୁ ଚାହୁଁଛି ତାଙ୍କର ରାଜନୈତିକ ଜୀବନ ଓ ସଂଘର୍ଷର କଥା । ଅଲେଖ ବାବୁଙ୍କ ଅକାଳ ମୃତ୍ୟୁର ସୂଚନା ପାଉ ପାଉ ମୋର ପ୍ରଥମ ପ୍ରତିକ୍ରିୟା ଯାହା ଥିଲା ମୁଁ ‘ଫେସ୍ ବୁକ୍’ରେ ପୋଷ୍ଟ୍ କରି ସାରିଛି । ପାଠକଙ୍କ ପ୍ରତିକ୍ରିୟା ମଧ୍ୟ ପାଇଛି । ପ୍ରାୟ ସମସ୍ତେ ଅଲେଖ ବାବୁଙ୍କୁ ଜଣେ ‘ରାଜନୈତିକ ଯୋଦ୍ଧା’ ଭାବେ ସ୍ୱୀକାର କରିବାକୁ କୁଂଠା ପ୍ରକାଶ କରି ନାହାନ୍ତି । ଭାବୁଛି, ଜଣେ ଦିବଂଗତ ନେତା ପାଇଁ ଏହାଠୁ ବଡ଼ ଉପଲବ୍ଧୀ କଣ ହୋଇପାରେ ?
ରାଜଧାନୀରୁ ଯାଇ ଗଞ୍ଜାମ ଜିଲ୍ଲାରେ ଗୋଟିଏ ପ୍ରତିଷ୍ଠିତ ସମ୍ବାଦପତ୍ରରେ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରିବା ଅବସରରେ ମୁଁ ଅନେକ ରାଜନେତାଙ୍କୁ ଭେଟିଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମଚନ୍ଦ୍ର ରଥ, ପୂର୍ବତନ ଉପ ବାଚସ୍ପତି ଚିନ୍ତାମଣୀ ଦ୍ୟାନ ସାମନ୍ତରାଙ୍କ ଭଳି କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ସମାଲୋଚନା କରିବାର ସୁଯୋଗ ପାଇଛି । ଆଜି ରାଜ୍ୟ ବିଧାନସଭାର ବାଚସ୍ପତି ଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ରାଜନୈତିକ ଜୀବନର ପ୍ରାରମ୍ଭକୁ ଦେଖିଛି । ୨୦୦୦ ମସିହାରେ ରାଜ୍ୟ ବିଧାନସଭାର ଉପ ବାଚସ୍ପତି ହୋଇଥିବା ରାମଚନ୍ଦ୍ର ପଣ୍ଡାଙ୍କ ସାମ୍ବାଦିକତା ଜୀବନରେ ଜଣେ ସହକର୍ମୀ ଭାବେ ତାଙ୍କ କାମ କରିବାର ସୁଯୋଗ ପାଇଛି । ସେହି ସମୟରେ କଂଗ୍ରେସ ରାଜନୀତିରେ ଗଜରୁ ଥିବା ଅଲେଖ ଚୌଧୁରୀଙ୍କ ନିର୍ଭୀକ ପଣକୁ ଚ୍ୟାଲେଂଜ କରିବାର ସୁଯୋଗ ମଧ୍ୟ ପାଇଛି । ବର୍ତମାନର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବ୍ରହ୍ମପୁର ବିଧାୟକ ଶିବ ଶଂକର ସାହାଣୀ ଓ କଂଗ୍ରେସ ନେତା ଅଲେଖ ଚୌଧୁରୀଙ୍କ ମଧ୍ୟରେ ଯେଉଁ ରାଜନୈତିକ ଛକାପଂଝା ଚାଲିଥିଲା, ତାହା ମଧ୍ୟ ଅତି ନିକଟରୁ ଦେଖିଛି । ତେଣୁ, ଆଜି ଅଲେଖଙ୍କ ବିୟୋଗରେ ଏହି ସ୍ତମ୍ଭରେ କିଛି ରାଜନୀତି କଥା ଲେଖିବାକୁ ଉଚିତ ମନେ କରିଛି ।
୧୯୮୭ ମସିହାର ଏକ ଖରାଟିଆ ସକାଳ । ଘରେ ପହଂଚି ଥିଲେ ତକ୍ରାଳୀନ ଭୂ-ଉନ୍ନୟନ ବ୍ୟାଙ୍କର ଜଣେ ପରିଚିତ ଅଧିକାରୀ । ‘ଡ଼େପୁଟୀ ସ୍ପିକର୍ ଡାକୁଛନ୍ତି’ କହି ଅପେକ୍ଷା କରିଥିଲେ ମୋ ଉତ୍ତରକୁ । ଦୁଇ ଦିନ ପୂର୍ବରୁ ମୁଁ ଦୈନିକ ‘ସମ୍ବାଦ’ ଫିଚର୍ ପୃଷ୍ଠାରେ ତକ୍ରାଳୀନ ରାଜ୍ୟ ବିଧାନସଭା ଉପ ବାଚସ୍ପତି ଚିନ୍ତାମଣୀ ଦ୍ୟାନ ସାମନ୍ତରାଙ୍କ ନିର୍ବାଚନ ମଣ୍ଡଳୀର ଗୋଟିଏ ଗାଁ ଉପରେ ଏକ ଅନୁସଂଧାନମୂଳକ ରିପୋର୍ଟ ଲେଖି ଥିଲି । ଉପ ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ କି ପ୍ରକାର ଅରାଜକତା ଚାଲିଛି – ତାହା ଥିଲା ରିପୋର୍ଟର ନିର୍ଯ୍ୟାସ । ତେଣୁ, ବିଧାନସଭା ଉପ ବାଚସ୍ପତିଙ୍କ ଡକରା ମୋତେ ଚକିତ କରି ନ ଥିଲା । ତେବେ, ତାଙ୍କ ପ୍ରତିକ୍ରିୟାକୁ ନେଇ ମନରେ ଆଶଙ୍କା ଥିଲା । ଭୂ-ଉନ୍ନୟନ ବ୍ୟାଂକ ଅଧିକାରୀ ଜଣକ ମୋତେ ଡାକି ନେଲେ ବସିସି ବ୍ୟାଙ୍କ (ବ୍ରହ୍ମପୁର ସେଂଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ)କୁ । ପରିସରରେ ଥିବା ଅତିଥି ଭବନରେ ଉପ ବାଚସ୍ପତି ଦୁଇ ଜଣ ଯୁବକଙ୍କ ସହ ଅପେକ୍ଷାରେ ଥା’ନ୍ତି । ମୁଁ ପହଂଚିବା ଦେଖି ଉପ ବାଚସ୍ପତି ପ୍ରତିକ୍ରିୟା ବ୍ୟକ୍ତ କରିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଦୁଇ ଯୁବକ ଖିଂଖାରି ଉଠିଲେ । ‘ଯାହା ଲେଖିଛ, ତାହାର ପ୍ରତିବାଦ ଛାପିବ’ – ଏହା ଥିଲା ସେମାନଙ୍କ ଏକପ୍ରକାର ନିର୍ଦେଶ । ସାମ୍ବାଦିକର ମୁହଁ ଟାଣ । ତେଣୁ, ଦମ୍ଭର ସହ ମୋର ଉତ୍ତର ଥିଲା – ଯାହା ପ୍ରକାଶ ପାଇଛି ତାହା ସଂପୂର୍ଣ୍ଣ ତଥ୍ୟ ଭିତ୍ତିକ ଏବଂ ପ୍ରତ୍ୟକ୍ଷ ଅନୁସଂଧାନ ଉପରେ ଆଧାରିତ । ଆପଣମାନ ଯଦି ପ୍ରତିବାଦ ଜଣାଇବାକୁ ଚାହୁଁଛନ୍ତି, ଲେଖିତ ଭାବେ ଦିଅନ୍ତୁ – ସଂପାଦକଙ୍କ ନିକଟକୁ ପଠାଇ ଦେବି’ ।
ଉତ୍ୟକ୍ତ ଯୁବକ ଦ୍ୱୟ ଡରାଇବାର ଉପକ୍ରମ କଲେ । କିନ୍ତୁ, ଲିଖିତ ପ୍ରତିବାଦ ଦେଲେ ନାହିଁ । କୋଠରୀରୁ ବାହାରି ଆସିବା ପରେ ସଂପୃକ୍ତ ଯୁବକ ଦ୍ୱୟଙ୍କ ପରିଚୟ ଜାଣିବାକୁ ଚାହିଁଲି । ବ୍ୟାଙ୍କ ଅଧିକାରୀ ଜଣକ କହିଲେ – ଦୁଇ ଯୁବକଙ୍ ମଧ୍ୟରୁ ଜଣେ ହେଉଛନ୍ତି ଗୋଷଇଁନୂଆଗାଁର । ସେ କାଉନସିଲର୍ ଅଛନ୍ତି । ନାମ ହେଉଛି ଅଲେଖ ଚୌଧୁରୀ । ଅନ୍ୟ ଜଣକ ହେଉଛନ୍ତି ସେହି ଗାଁର ଏବଂ ତାଙ୍କ ସହଯୋଗୀ । ବ୍ରହ୍ମପୁର ସହରର ଗୋଷାଇ ନୂଆଗାଁକୁ କିଏ ନ ଜାଣେ । ଦୁର୍ଦ୍ଦାନ୍ତ ଗାଁ ଭାବେ ଗୋଷାଇଁ ନୂଆଗାଁ ପରିଚିତ । ତେଣୁ, ମୁଁ ତୁରନ୍ତ ମୋ ସହଯୋଗୀ ବାର୍ତା ସଂପାଦକଙ୍କୁ ଜଣାଇଲି । ସେ ମଧ୍ୟ ଲିଖିତ ପ୍ରତିବାଦ ଆସିଲେ ବିଚାର କରିବା କହି କଥାଟାକୁ ଟାଳି ଦେଲେ । ଏହା ପରେ ଏକ ଛକାପଂଝାର ବାତାବରଣ ଭିତରେ କିଛି ଦିନ କାମ କରିବାକୁ ପଡିଲା । ପରେ କିନ୍ତୁ ସବୁ କିଛି ସ୍ୱାଭାବିକ ହୋଇ ଗଲା । ଏହା ପରର କାହାଣୀ ହେଉଛି, ଗୋଷାଇ ନୂଆଗାଁ ରାଜନୀତିର । ତକ୍ରାଳୀନ ବ୍ରହ୍ମପୁର ନଗରପାଳ ଚନ୍ଦ୍ର ଶେଖର ସାହୁ ଓ କଂଗ୍ରେସ ଯୁବ ନେତା ଅଲେଖ ଚୌଧୁରୀଙ୍କ ରାଜନୈତିକ ଛକାପଂଝାର । ଦୁହେଁ ଗୋଟିଏ ଗାଁରୁ କଂଗ୍ରେସ ରାଜନୀତିରେ ଥିଲେ । ସମସାମୟିକ । ଦୁହିଁଙ୍କ ରାଜନୈତିକ ଓ ବ୍ୟକ୍ତିଗତ ପ୍ରତିପତ୍ତି ଥିଲା । ତେବେ, ଉଚ୍ଚାଭିଳାଷ ଦୁହିଁଙ୍କ ମଧ୍ୟରେ କଂଟା ହୋଇ ରହିଥିଲା । ରାଜ୍ୟ କଂଗ୍ରେସ ରାଜନୀତିରେ ଥିବା ଷ୍ଟଲୱାର୍ଟମାନେ ଏହି ଦୁଇ ଗୋଷ୍ଠୀକୁ ନିୟନ୍ତ୍ରଣ କରୁଥିଲେ । ଗୋଟିଏ ପଟେ ପ୍ରଭାବଶାଳୀ କଂଗ୍ରେସ ନେତା (ସେହି ସମୟରେ ସୁପର ଚିଫ୍ ମିନିଷ୍ଟର୍ ଭାବେ ପରିଚିତ) ବସନ୍ତ ବିଶ୍ୱାଳ । ଅନ୍ୟ ପଟେ, ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକ ।
ସେତେବେଳେ ନଗରପାଳ ଥିବା ସାହୁ ସୁପର ଚିଫ୍ ମିନିଷ୍ଟର୍ ବସନ୍ତ ବିଶ୍ୱାଳ ଗୋଷ୍ଠୀର ବୋଲି ପରିଚିତି ରଖିଥିବା ବେଳେ ଅଲେଖ ଚୌଧୁରୀ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ପଟ୍ଟଶିଷ୍ୟ କଂଗ୍ରେସ ଯୁବନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବା ଲୁଲୁ ମହାପାତ୍ରଙ୍କ ଘନିଷ୍ଟ । ଅଶି ଦଶକରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଂଝା ବାହାରକୁ ଜଣା ପଡୁ ନ ଥିଲା ସିନା ଭିତରେ ପରସ୍ପରର ତିଂଟି କାଟିବା ଭଳି ଥିଲା । ଚନ୍ଦ୍ର ଶେଖର ବ୍ର୍ରହ୍ମପୁର ନଗରପାଳ ଭାବେ ଲୋକପ୍ରିୟତାର ଚରମ ସୀମାରେ ଥିଲେ । ଅଲେଖ ଯୁବ କଂଗ୍ରେସ ସଂଗଠନ ସହ ଯୋଡି ହୋଇ ବେଶ୍ ପ୍ରଭାବଶାଳୀ ଥିଲେ । ଦୁହିଁଙ୍କ ଟାର୍ଗେଟ୍ ରେ ଥିଲା ବ୍ରହ୍ମପୁର ବିଧାନସଭା ଆସନ । ରାଜ୍ୟ କଂଗ୍ରେସ ନେତୃତ୍ୱ ଏହାର ସୁଯୋଗ ନେଇ ଗଞ୍ଜାମ ଜିଲ୍ଲାକୁ ଅକ୍ତିଆରରେ ରଖିବାକୁ ସର୍ବଦା ଉଦ୍ୟମ କରୁଥିଲେ । ବିଶେଷକରି, ନିର୍ବାଚନ ରାଜନୀତିରେ ତାହା ପ୍ରତିଫଳିତ ହେଉଥିଲା । ଜେବିଙ୍କ ତୂଣୀରରେ ଆଉ ଏକ ଅସ୍ତ୍ର ମଧ୍ୟ ଥିଲା । ତାହା ହେଉଛି, ବ୍ରହ୍ମପୁର ବିଧାୟକ ଥିବା ଶିବ ଶଂକର ସାହାଣୀଙ୍କ ଆନୁଗତ୍ୟ । ୧୯୮୫ରୁ ୯୦ ପର୍ଯ୍ୟନ୍ତ ସାହାଣୀ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅତ୍ୟନ୍ତ ଅନୁଗତ ଭାବେ ପରିଚିତ ଥିଲେ । କିନ୍ତୁ, ଦ୍ୱିତୀୟ ଥର ପାଇଁ ତାଙ୍କୁ ବିଧାୟକ ହେବାର ସୁଯୋଗ ମିଳି ନ ଥିଲା । ୧୯୯୦ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମଚନ୍ଦ୍ର ରଥ ବ୍ରହ୍ମପୁର ବିଧାନସଭା ଆସନରୁ ଦଳର ପ୍ରାର୍ଥୀ ହେବାକୁ ସୁଯୋଗ ପାଇଥିଲେ । କିନ୍ତୁ, ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ଘଟିଥିଲା । ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳ କଂଗ୍ରେସକୁ ମୂଳପୋଛ କରିଥିଲା । କଂଗ୍ରେସ ପ୍ରାର୍ଥୀ ରଥ ହାରିଥିଲେ ଏବଂ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ଜଣେ ବିଦାୟୀ ପୁଲିସ ଅଧିକାରୀ ବିନାୟକ ମହାପାତ୍ର ବ୍ରହ୍ମପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଗଂଜାମ ଜିଲ୍ଲାର ୧୫ ବିଧାନସଭା ଆସନରୁ କଂଗ୍ରେସକୁ ମାତ୍ର ଗୋଟିଏ (ଗଜପତି ଜିଲ୍ଲାର ରାମଗିରି ଆସନ) ଆସନ ମିଳିଲା । ଜିଲ୍ଲାରେ ଜନତା ଦଳ ୧୧ଟି ଓ ସିପିଆଇ ୩ଟି ବିଧାନସଭା ଆସନରେ ବିଜୟୀ ହୋଇ କଂଗ୍ରେସର ମୂଳଦୂଆ ଦୋହଲାଇ ଦେଲେ । ୧୯୯୦ରେ କଂଗ୍ରେସ ହାତଛଡା କରିଥିବା ବ୍ରହ୍ମପୁର ବିଧାନସଭା ଆସନକୁ ଆଜି ସୁଦ୍ଧା ଫେରି ପାଇ ନାହିଁ ।
୧୯୯୫ ନିର୍ବାଚନରୁ ଆରମ୍ଭ ହୋଇଥିବା ବ୍ରହ୍ମପୁର ବିଧାନସଭା ଆସନ ଟିକଟ ପାଇଁ କଂଗ୍ରେସରେ ମହାଯୁଦ୍ଧ । ପୂର୍ବତନ ନଗରପାଳ ସାହୁ ଓ କଂଗ୍ରେସ ଯୁବ ନେତା ଅଲେଖ ଚୌଧୁରୀ ଦଳରୁ ଟିକଟ ଲବିରେ ଥିଲେ । ଟିକଟ ମିଳିଲା ଚନ୍ଦ୍ରଶେଖରଙ୍କୁ । ସେ ପଟୁଆରରେ ଯାଇ ନାମାଂଙ୍କନପତ୍ର ଦାଖଲ କଲେ । କିନ୍ତୁ, ଶେଷ ମୂହୁର୍ତରେ ଅଲେଖ ଚୌଧୁରୀ ନାମାଙ୍କନପତ୍ର ଦାଖଲ କରିବା ଏବଂ କଂଗ୍ରେସ ହାଇକମାଂଡ୍ ଚୌଧୁରୀଙ୍କୁ କଂଗ୍ରେସ ପ୍ରାର୍ଥୀର ମାନ୍ୟତା ଦେବା ଜିଲ୍ଲା କଂଗ୍ରେସ ରାଜନୀତିର ମୋଡ ବଦଳାଇ ଦେଲା । କ୍ଷୁବ୍ଧ ଚନ୍ଦ୍ରଶେଖର କଂଗ୍ରେସରୁ ଇସ୍ତଫା ଦେଲେ ନାହିଁ ସତ, କିନ୍ତୁ ଅଲେଖଙ୍କ ପରାଜୟର ଅସ୍ତ୍ର ହେଲେ । ବିଜେଡ଼ି ପ୍ରାର୍ଥୀ ଥିବା ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇ ସୁଦ୍ଧା କଂଗ୍ରେସ ଗୋଷ୍ଠୀ ବିବାଦର ସୁଯୋଗ ନେଇ ବିଧାନସଭାକୁ ନିର୍ବାଚିତ ହେଲେ । ଏହା ପରଠାରୁ ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ରାଜନୀତି ବଦଳି ଗଲା । ଚ୍ୟାଉ ବାବୁ ବରମ୍ବାର ବିଧାୟକ ହୋଇ ଚାଲିଲେ । କଂଗ୍ରେସ ହାରି ହାରି ଚାଲିଛି ।
୧୯୯୫ରେ ବ୍ରହ୍ମପୁରରୁ କଂଗ୍ରେସ ପ୍ରାର୍ତୀ ହୋଇ ଅଲେଖ ହାରିବା ପରେ ୨୦୦୦ ନିର୍ବାଚନରେ ଜାନକୀ ବାବୁ ଉଭୟ ଚନ୍ଦ୍ରଶେଖର ବା ଅଲେଖଙ୍କୁ ହତାଦାର କରି ଲୁଲୁ ମହାପାତ୍ରଙ୍କ ଅନ୍ୟତମ ପଟ୍ଟଶିଷ୍ୟ ବିକ୍ରମ ପଣ୍ଡାଙ୍କୁ ପ୍ରାର୍ଥୀ କଲେ । ଅଲେଖ ଏହାର ପ୍ରତିବାଦ କରି ନିର୍ବାଚନ ସମୟରେ ଧାରଣାରେ ବସି ଥିବା ବେଳେ ଚନ୍ଦ୍ରଶେଖର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଂକନପତ୍ର ଦାକଲ କଲେ । ଜନସଂପର୍କ ଦୃଷ୍ଟିରୁ ଚନ୍ଦ୍ର ଶେଖର ଉଭୟ କଂଗ୍ରେସ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ବିଜେଡ଼ି ପ୍ରାର୍ଥୀ ଡ. ଚ୍ୟାଉ ପଟ୍ଟନାୟକଙ୍କ ଠାରୁ ଆଗୁଆ ଥିଲେ । ତେବେ, କଂଗ୍ରେସ ଭୋଟରୁ ପ୍ରାୟ ୩ ହଜାର ବିକ୍ରମଙ୍କ ଖାତାକୁ ଚାଲି ଯିବାରୁ ଚ୍ୟାଉ ବାବୁ ଖୁବ୍ କମ୍ ଭୋଟ ବ୍ୟବଧାନରେ ବିଜୟୀ ହେଲେ । ୨୦୦୪ ନିର୍ବାଚନରେ କଂଗ୍ରେସ ବିକ୍ରମଙ୍କୁ ଦ୍ୱତୀୟ ଥର ପାଇଁ ପ୍ରାର୍ଥୀ କଲା । ଏଥର ଅଲେଖ ଚୌଧୁରୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ୧୫,୯୬୫ ଭୋଟ ହାତେଇ ଥିବା ବେଳେ ବିକ୍ରମ ଦ୍ୱତୀୟ ସ୍ଥାନରେ ରହି ଚ୍ୟାଉ ବାବୁଙ୍କଠାରୁ ପରାଜିତ ହେଲେ । ୨୦୦୯ ନିର୍ବାଚନରେ ପୁଣି ଥରେ ବିକ୍ରମ କଂଗ୍ରେସରୁ ପ୍ରାର୍ଥୀ ରହିଲେ । ତେବେ, ରାଜ୍ୟରେ ବିଜେଡ଼ି-ବିଜେପି ମେଂଟ ତୁଟି ଯିବାରୁ ବିଜେପି ବ୍ରହ୍ମପୁର ବାସିନ୍ଦା ତଥା ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କୁ ଦଳର ପ୍ରାର୍ଥୀ କଲା । ବ୍ରହ୍ମପୁର ବିଧାନସଭା ଆସନରେ ବିଜେଡିÿ ବିଧାୟକ ଭାବେ ଲଗାତର ତିନ ଥର ଜିତି ହାଟ୍ରିକ କିଥିବା ଡ. ଚ୍ୟାଉ ପଟ୍ଟନାୟକ ଚତୁର୍ଥ ଥର ପାଇଁ ପ୍ରାର୍ଥୀ ରହିଲେ । ବିଜେପି ପ୍ରାର୍ଥୀ ପଣ୍ଡା ଏହି ନିର୍ବାଚନରେ ମାତ୍ର ୬,୫୧୫ ଭୋଟ ପାଇଲେ । ମାତ୍ର ୩, ୮୪୫ ଭୋଟ ବ୍ୟବଧାନରେ ଚ୍ୟାଉ ବାବୁଙ୍କ ବିଜୟ ହେଲା । ୨୦୧୪ ନିର୍ବାଚରେ ମଧ୍ୟ କଂଗେରସ ପ୍ରାର୍ଥୀ ହୋଇ ବିକ୍ରମ ପଣ୍ଡା ହାରିଲେ ଏବଂ ବିଜେଡ଼ିରୁ ପ୍ରାର୍ଥୀ ଥିବା ଡ. ଚ୍ୟାଉ ପଟ୍ଟନାୟକ ପଂଚମ ଥର ପାଇଁ ବ୍ରହ୍ମପୁର ଆସନରୁ ବିଧାନ ସଭାକୁ ଗଲେ ।
୨୦୦୯ ନିର୍ବାଚନରେ ଅଲେଖ ବାବୁଙ୍କୁ କଂଗ୍ରେସ ଆସିକା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା । ତେବେ, ସେ ପାଖାପାଖି ୧୬ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । କଂଗ୍ରେସ ରାଜନୀତିରେ ଭବିଷ୍ୟତ ଅନିଶ୍ଚିତ ଦେଖି ଅଲେଖ ବାବୁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଯାଇ ଥିଲେ । କିନ୍ତୁ, ବିଜେଡ଼ିରେ ମଧ୍ୟ ତାଙ୍କ ଦକ୍ଷତାର ଉଚିତ ମୂଲ୍ୟ ମିଳି ନାହିଁ । ବ୍ରହ୍ମପୁର ଆସନରୁ ଲଗାତର ଚାରି ଥର ନିର୍ବାଚନ ଲଢି ବିଜେଡ଼ି ଠାରୁ ପରାଜିତ ହୋଇଥିବା କଂଗ୍ରେସ ଯୁବ ନେତା ବିକ୍ରମ ପଣ୍ଡା ଓ ଅଲେକଙ୍କ ରାଜନୈତିକ ଶତୃ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ୨୦୧୯ ନିର୍ବାଚନର ଠିକ୍ ପୂର୍ବରୁ ବିଜେଡ଼ିରେ ଯୋଗ ଦେଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ମୁତାବକ ଚନ୍ଦ୍ରଶେଖରଙ୍କୁ ବ୍ରହ୍ମପୁର ଲୋକସଭା ଆସନ ଓ ବିକ୍ରମଙ୍କୁ ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ କରି ସଂସଦ ଓ ବିଧାନସଭାକୁ ନିର୍ବାଚିତ କରାଇଲେ । କିନ୍ତୁ, ପାଂଚ ବର୍ଷ ଧରି ବିଜେଡ଼ିରେ ଅଲେଖ ଚୌଧୁରୀଙ୍କୁ ଏହି ସୁଯୋଗ ମିଳିଲା ନାହିଁ । ଅଲେଖ ଚୌଧୁରୀ କଂଗ୍ରେସରେ ଥିବା ସମୟରେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଥିଲେ । ଦ୍ୱିତୀୟ ଥର ପାଇଁ ସରକାରଙ୍କ ଦ୍ୱାରା ମନୋନୀତ ସଭାପତି ହୋଇଥିଲେ । ୨୦୧୫ରେ ସେ ବିଜେଡ଼ିରେ ଥାଇ ସମବାୟ ନିର୍ବାଚନରେ ଭାଗ ନେଇ ପୁନର୍ବାର ବିସିସିବି ସଭାପତି ହେଲେ । ନବୀନ ବାବୁ କିଛି ରାଜନୈତିକ ଆସାଇନମେଂଟ୍ ଦେଇ ଅଲେଖ ବାବୁଙ୍କ ଦକ୍ଷତାର ଉପଯୋଗ କରିଥିଲେ । ତାଙ୍କ ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ମଧ୍ୟ କରାଯାଇଥିଲା । ତେବେ, ବ୍ରହ୍ମପୁର ବିଧାନସଭା ଆସନରୁ ବିଧାୟକ ହେବାର ସ୍ୱପ୍ନ ତାଙ୍କର ଅଧୁରା ରହି ଗଲା । ଅପରପକ୍ଷରେ, କଂଗ୍ରେସରେ ଥିବା ସମୟରେ ସେ ୧୦ ବର୍ଷ କାଳ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭାବେ କାର୍ଯ୍ୟ ସଂପାଦନ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ୧୧ତମ ଲୋକସଭା (୧୯୯୬) ନିର୍ବାଚନରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ନିର୍ବାଚନ ପରିଚାଳନାର ସୁଯୋଗ ପାଇଥିଲେ । ନରସିଂହ ରାଓ ୧୯୯୬ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ସଂସଦକୁ ଯାଇଥିଲେ । ଏଥିରୁ ଜଣାପଡୁଛି, ବିଜେଡ଼ିକୁ ଯିବା ପରେ ରାଜନୈତିକ ଦୃଷ୍ଟିରୁ ବିଶେଷ ଲାଭବାନ ହୋଇ ନାହାନ୍ତି ଅଲେଖ ବାବୁ । ତଥାପି ତାଙ୍କ ସନ୍ତୁଷ୍ଟି ଥିଲା ଏବଂ ସେ ନିଜ ସମର୍ଥକଙ୍କୁ ସନ୍ତୁଷ୍ଟ କରିପାରୁଥିଲେ । ଅଲେଖ ବାବୁଙ୍କ ଅବର୍ତମାନରେ ତାଙ୍କ ସହଯୋଗୀ, ସମର୍ଥକ କେବଳ ନୁହନ୍ତି, ସମସ୍ତ ବର୍ଗର ଜନସାଧାରଣ ଯେଭଳି ତାଙ୍କୁ ଝୁରୁଛନ୍ତି, ତାହା ହିଁ ହେଉଛି ଏହି ଦିବଙ୍ଗତ ନେତାଙ୍କ ବାସ୍ତବ ପରିଚୟ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS