କରୋନା ଡାଏରୀ (୧୧)…ଫିକା ଫିକା ରଜ, ରଥଯାତ୍ରା ବି ଫିକା ପଡିବ
ପ୍ରସାଦ ରାଓ
ଭୁବନେଶ୍ୱର, ଜୁନ୍ ୧୩
ମୋଅନୁଭବ.କମ୍
କରୋନା ପ୍ରଭାବରେ ଚଳିତ ବର୍ଷ ସବୁ ପର୍ବ ମାନେ୍ଦଇଛି । ଦୋଳ ପୂର୍ଣ୍ଣମୀ ଓ ହୋଲି ଉତ୍ସବ ସିନା ପ୍ରଭାବହୀନ ରହିଲା, ତତ୍ପରବର୍ତି ସବୁ ପର୍ବପାର୍ବଣ, ଉତ୍ସବ, ମହୋତ୍ସବରେ ଗ୍ରହଣ ଲାଗିଛି । ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ରେ ଚିହ୍ନଟ ହେବା ପରେ ସରକାର ଛାନିଆ ହୋଇ ମାର୍ଚ୍ଚ ୨୨ରୁ ରାଜ୍ୟରେ ‘ସଂପୂର୍ଣ୍ଣ ତାଲାବନ୍ଦ’ ଘୋଷଣା କଲେ । ଚାରି ପର୍ଯ୍ୟାୟରେ ତାହା କାର୍ଯ୍ୟକାରୀ ହୋଇ ପଂଚମ ପର୍ଯ୍ୟାୟ ଚାଲିଛି । ରାଜ୍ୟର ସମସ୍ତ ପର୍ବପର୍ବାଣୀ ଏଥିରେ ପ୍ରଭାବିତ ହୋଇଛି । ରବିବାରଠାରୁ ଚାରି ଦିନ ଧରି ରାଜ୍ୟରେ ଉତ୍ସାହ ଉଦ୍ଦିପନା ମଧ୍ୟରେ ପାଳନ ହେବାକୁ ରଜ ମହୋତ୍ସବ ମଧ୍ୟ ଏବର୍ଷ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ଭିତରେ ପାଳନ ହେବାକୁ ଯାଉଛି । ଝିଅମାନେ ସଜବାଜ ହୋଇ ଦୋଳି ଖେଳିବେ ଓ ପାନ ଖାଇବେ କଣ, ଘର ଭିତରେ ବନ୍ଦ ରହି ଝରକା ବାହାରର ଖାଁ ଖାଁ ଦୃଶ୍ୟ ଦେଖିବାକୁ ବାଧ୍ୟ । ସରକାରୀ ପ୍ରୋତ୍ସାହନରେ ଦୋଳି ଖେଳ ଓ ପିଠାପଣା (ପୋଡପିଠା) ବିକ୍ରି ପୂର୍ବ ବର୍ଷମାନଙ୍କରେ ବିଶେଷ ଆକର୍ଷଣ ଥିଲା । ଏଥର, ସେସବୁ ମଧ୍ୟ ବନ୍ଦ । ତାଲାବନ୍ଦରେ ରାଜ୍ୟକୁ ପର୍ଯ୍ୟଟକ ଆସିବା ବନ୍ଦ ହୋଇଯାଇଛି । ଏସବୁ ଦେଖିବ ଓ ଉପଭୋଗ କରିବ ବା କିଏ !
ତାଲାବନ୍ଦ ସମୟରେ ସବୁଠାରୁ ବଡ଼ ଆକର୍ଷଣ ହେଉଛି, ସରକାର ତୁରନ୍ତ ମନ୍ଦିରଗୁଡିକରେ ୧୪୪ ଧାରା ଲଗାଇ ଭକ୍ତଙ୍କୁ ଦୂରେଇ ରହିବାକୁ ତାଗିଦ କରିବା । ସାତ ଜଣରୁ ଅଧିକ ଏକାଠି ହୋଇ ପାରିବ ନାହିଁ, ସାମାଜିକ ଦୂରତା ବଜାୟ ରଖିବ, ପରସ୍ପର ଠାରୁ ଛଅ ଫୁଟ ବ୍ୟବଧାନ ବଜାୟ ରଖିବ – ଏଭଳି ପ୍ରଚାର ଶୁଣିଶୁଣି ମଣିଷ ବିରକ୍ତ ହୋଇ ଗଲାଣି । ତେଣୁ, କଟକଣା ଟିକିଏ କୋହଳ ହେଲେ ବଜାରଘାଟରେ ଲୋକ ହାଉଜାଉ ହେଉଛନ୍ତି । ହାତରେ ହାତ ଛନ୍ଦି ବୁଲୁଛନ୍ତି । ଯେମିତି କୋଭିଡ଼ ଛୁଟିରେ ଯାଇଛି । ଦିନେ ଦୁଇ ଦିନ କଟକଣା ନ ମାନିଲେ ଚଳିବ । ସେଭଳି ଅବସ୍ଥା ହେବାରୁ ଶୁକ୍ରବାର (ଜୁନ ୧୨ ତାରିଖ) ଦିନ ସରକାର ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ରଜ ପାଇଁ କୋହଳ କରିଥିବା କଟକଣାକୁ ପୁଣି ଥରେ ଟାଇଟ୍ କରିବାକୁ ବାଧ୍ୟ ହେଲେ । ରାତି ୧୦ଟା ଯାଏଁ ଖୋଲିବାକୁ ଥିବା ଦୋକାନ ବଜାର ସନ୍ଧ୍ୟା ସୁଦ୍ଧା ସିଲ୍ ହୋଇଗଲା । ବ୍ୟବସାୟୀମାନେ ତିିନି ମାସ କାଳ ବେପାର ବନ୍ଦ ଯୋଗୁ ଯାହା କ୍ଷତି ସହି ଥିଲେ ଗୋଟିଏ ଦିନରେ ତାହା ଭରଣା କରିବାକୁ ଚାହିଁଥିଲେ ମଧ୍ୟ ପ୍ରଶାସନ କାଳ ହେଲା । ଏଥି ପାଇଁ କିଏ ପ୍ରଶାସନକୁ ଦାୟୀ କରୁଛି ତ କିଏ ଲୋକଙ୍କୁ । ହାଉଜାଉ ହୋଇ କିଣାବିକା କରି ନ ଥିଲେ ବୋଧହୁଏ ସମସ୍ତେ ଲାଭରେ ଥାଆନ୍ତେ । ସରକାର ତ ମଉକା ଖୋଜୁ ଥିଲେ । ସେହି ମଉକା ଦେଲେ ଅମାନିଆ ବ୍ୟବସାୟୀ ଓ ଗ୍ରାହକମାନେ । ରଜ ବଜାର କିଛି ଘଂଟା ଭିତରେ ଚଉପଟ ହୋଇଗଲା ।
ରାଜ୍ୟରେ ମାର୍ଚ୍ଚ ୨୨ରୁ ସମସ୍ତ ମନ୍ଦିର ଓ ଧର୍ମପୀଠ ବନ୍ଦ ରହିଛି । ଭକ୍ତଙ୍କ ଉପସ୍ଥିତି ବିନା ନିତିଦିନିଆ ଠାକୁର ସେବା ହେଉଛି । କେନ୍ଦ୍ର ସରକାର ମାର୍ଚ୍ଚ ୨୫ରୁ ଲାଗୁ କରିଥିବା ତାଲାବନ୍ଦ କଟକଣାକୁ ଇତିମଧ୍ୟରେ କୋହଳ କରି ଜୁନ ୮ ତାରିଖରୁ ଦେଶର ସମସ୍ତ ମନ୍ଦିର ଓ ଧର୍ମପୀଠକୁ ଖୋଲିବାକୁ ନିର୍ଦେଶ ଦେଇଛନ୍ତି । କିନ୍ତୁ, ଓଡ଼ିଶା ସରକାର ତାହା ନ ମାନି ଜନ୍ ୩୦ ପର୍ଯ୍ୟନ୍ତ ସମୟ ଗଡାଇଛନ୍ତି । ଅବଶ୍ୟ ମନ୍ଦିର, ମଲ୍ ଓ ଧର୍ମପୀଠ ସବୁ କରୋନା ସଂକ୍ରମଣ ବଢାଇବାର ପ୍ରମୁଖ ସ୍ଥଳ । ତଥାପି, ଲୋକଙ୍କ ଆଶା ଥିଲା ଜୁନ୍ ୮ରୁ ରାଜ୍ୟରେ ମନ୍ଦିର, ମଲ୍ ଖୋଲିଲେ ରଜ ମାର୍କେଟିଂ ଓ ମହୋତ୍ସବ ଜମିବ । କିନ୍ତୁ, ରାଜ୍ୟ ସରକାର ତାହା କରାଇ ଦେଲେ ନାହିଁ । ରାଜ୍ୟର ଉପକୂଳବର୍ତୀ ଜିଲ୍ଲା ପୁରୀ, କଟକ, ଭଦ୍ରକ, ଯାଜପୁର, ବାଲେଶ୍ୱର କେନ୍ଦ୍ରାପଡାରେ ରଜର ପ୍ରଭାବ ଅଧିକ ଥାଏ । ତେଣୁ, ସବୁ ମନ୍ଦିରରେ ଲାଗିଛି ୧୪୪ ଧାରା । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଯେତେବେଳେ କଟକଣାରୁ ବାଦ୍ ପଡିନି ଗାଁ ଗହଳର ମନ୍ଦିକୁ ବା ପଚାରେ କିଏ ?
ତାଲାବନ୍ଦ କଟକଣା ଓ ସାମାଜିକ ଦୂରତା ରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ ଯୋଗୁ ଗଲା ଜୁନ୍ ୫ ତାରିଖ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଭକ୍ତଙ୍କ ଉପସ୍ଥିତି ବିନା ସଂପାଦିତ ହେଲା । କଟକଣା ଯୋଗୁ ଶ୍ରୀମନ୍ଦିରର ମାତ୍ର ସେବକ ଏହି କାର୍ଯ୍ୟରେ ନିୟୋଜିତ ହେବାର ସୁଯୋଗ ପାଇଲେ । ତାହା ମଧ୍ୟ କୋଭିଡ଼ ଟେଷ୍ଟ୍ ପରେ । ହଜାର ହଜାର ସଂଖ୍ୟାରେ ପୁଲିସ ଏବଂ ମୁଷ୍ଠିମେୟ ସେବକଙ୍କ ଗହଣରେ ରାତି ଅଧିଆ ପହଂଡି ସରିଲା । ୫ ତାରିଖ ଅପରାହ୍ନ ବେଳକୁ ତିନି ଠାକୁରଙ୍କ ସ୍ନାନ ଓ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ କାର୍ଯ୍ୟ ସମାପିତ ହେଲା । ଭକ୍ତମାନେ ଚର୍ମ ଚକ୍ଷୁରେ ଚତୁର୍ଦ୍ଧା ମୁରତୀଙ୍କ ସ୍ନାନ ଓ ଗଜାନନ ବେଶ ଦର୍ଶନର ସୁଯୋଗ ପାଇଲେ ନାହିଁ ସିନା ସରକାରୀ ପ୍ରୋତ୍ସାହନରେ ଟିଭି ପରଦାରେ ଏହା ଦେଖି କୃତ୍ୟକୃତ୍ୟ ହେଲେ । ଜୁନ ୨୩ ତାରିଖରେ ହେବାକୁ ଥିବା ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ଏହିଭଳି ସଂପାଦନ ହେବାର ସମ୍ଭାବନା ରହିଛି । ରଥଯାତ୍ରାରେ ପୁରୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂରତୀ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀସୁଦର୍ଶନ୍ତିନିଟି ଭିନ୍ନ ଭିନ୍ନ ରଥରେ ବିଜେ ହୋଇ ମା’ ଗୁଣ୍ଡିଚାଙ୍କ ମନ୍ଦିରକୁ ଯାଇଥା’ନ୍ତି ଏବଂ ସେଠାରେ ନବ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ବାହୁଡାରେ ଶ୍ରୀମନ୍ଦିରକୁ ଫେରିଥା’ନ୍ତି । କରୋନା କଟକଣା ନ ଥିଲେ ବଡ଼ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥା’ନ୍ତା । ତିନି ଠାକୁରଙ୍କ ରଥକୁ ଭକ୍ତମାନେ ଆଡମ୍ବର ସହକାରେ ମାଉସୀମା ମନ୍ଦିର ଯାଏଁ ଟାଣି ନେଇ ଥା’ନ୍ତେ । ତିନି ଠାକୁରଙ୍କୁ ରଥରେ ଦର୍ଶନ କରିବାର ସୌଭାଗ୍ୟ ଭକ୍ତଙ୍କୁ ମିଳି ଥା’ନ୍ତା । ବାହୁଡା ଦିନ ମଧ୍ୟ ଏକାଭଳି ଦୃଶ୍ୟ ଦେଖିବାକୁ ମିଳି ଥା’ନ୍ତା । ଚତୁର୍ଦ୍ଧା ମୂରତୀ ରଥରେ ବସି ଶ୍ରୀମନ୍ଦିର ନିକଟକୁ ଫେରିବା ପରେ ତିନି ଠାକୁରଙ୍କ ସୁନା ବେଶ, ଅଧର ପଣା ଓ ନିଳାଦ୍ରୀ ବିଜେ ଦୃଶ୍ୟ ଦେଖିବା ପାଇଁ ଏତେ ଭକ୍ତଙ୍କ ସମାଗମ ହୋଇଥାନ୍ତା ଯେ ସୋରିଷ ପକାଇବାକୁ ସ୍ଥାନ ନ ଥା’ନ୍ତା । କିନ୍ତୁ, ଚଳିତ ବର୍ଷ କରୋନା କଟକଣା ଭକ୍ତଙ୍କୁ ଭଗବାନଙ୍କଠାରୁ ଦୂରେଇ ଦେଇଛି ।
ଚଳିତ ବର୍ଷ ପୁରୀ ରଥଯାତ୍ରା ହେବ କି ନାହିଁ ସନ୍ଦେହରେ ଥିଲା । ତେବେ, ମନ୍ଦିରର ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଚାପରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଅନୁମତି ଆଣି କରୋନା କଟକଣା ମଧ୍ୟରେ ଶ୍ରୀମନ୍ଦିର ପରିସରରେ ତିନି ଠାକୁରଙ୍କ ରଥ ନିର୍ମାଣ ପାଇଁ ଅନୁମତି ଦେଲେ । ଆଉ ମାତ୍ର ନଅ ଦିନ ପରେ ରଥଯାତ୍ରା ହେବାକୁ ଥିବାରୁ ତିନି ରଥର ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟ ପ୍ରସ୍ତୁତି କାର୍ଯ୍ୟ ପ୍ରାୟତଃ ସରିଲାଣି । କେବଳ, ରାଜ୍ୟ ସରକାରଙ୍କ ଅନୁମତି ଅପେକ୍ଷାରେ ରହିଛି ଜନ୍ ୨୩ ରଥଟଣା । ଚଳିତ ବର୍ଷ ରଥଯାତ୍ରା କରାଇ ନ ଦେବାକୁ କିଛି ଲୋକ ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । କରୋନା ସଂକ୍ରମଣ ବ୍ୟାପିବା ଆାଙ୍କାରେ ରଥଯାତ୍ରା ବନ୍ଦ କରାଯିବାକୁ କୋର୍ଟ ନିର୍ଦେଶ ଦେବା ପାଇଁ ଆବେଦନ ହୋଇଥିଲା । ତେବେ, କୋର୍ଟ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡି ଦେଇ ନିଜ ହାତ ଝାଡିଛନ୍ତି । ରାଜ୍ୟ ସରକାର ମଧ୍ୟ ନିଷ୍ପତ୍ତିକୁ ୧୧ ତାରିଖ ଯାଏଁ ଟାଳିବା ପରେ ଗତକାଲି (୧୨ ତାରିଖ) ଘନ ଘନ ବୈଠକ ହୋଇଥିବା ଏବଂ ଭକ୍ତଙ୍କ ଉପସ୍ଥିତି ବିନା ରଥଯାତ୍ରା କରାଯିବାକୁ ଶ୍ରୀମନ୍ଦିର ସେବାୟତମାନଙ୍କ ଚାପ ଉପରେ ବିଚାର ଚାଲି ଥିବା ସୂଚନା ମିଳିଛି । ସୋମବାର ଦିନ ସରକାର ରଥଯାତ୍ରାକୁ ନେଇ ନିଜ ନିଷ୍ପତ୍ତି ଘୋଷଣା କରି ପାରନ୍ତି ବୋଲି ସେବାୟତମାନେ ଆଶା କରୁଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ମହାନ ପରଂପରା ରକ୍ଷା କରିବା ସକାଶେ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ଅହରହ ଉଦ୍ୟମ ସରକାରଙ୍କୁ ଅନୂକୁଳ ନିଷ୍ପତ୍ତି ନେବାରେ ବାଧ୍ୟ କରିବ ବୋଲି ଆଶା କରାଯାଉଛି । ତେବେ, ଚଳିତ ବର୍ଷ ଭକ୍ତଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିର ସେବାୟତ ଓ ପୁଲିସ ଭାଇମାନେ ରଥ ଟାଣିବା ଧାର୍ଯ୍ୟ ହୋଇ ପାରେ ବୋଲି ଶ୍ରୀମନ୍ଦିର ସେବାୟତଙ୍କ ସୂତ୍ରରୁ ସୂଚନା ମିଳିଛି । ସେବାୟତଙ୍କ ସଂଖ୍ୟା ଦଶ ହଜାରରୁ ଅଧିକ । ତେଣୁ, ଏହି କାର୍ଯ୍ୟ ସଂପାଦନରେ କିଛି ଅସୁବିଧା ହେବ ନାହିଁ ବୋଲି ସେବାୟତ ସଂଘ କର୍ମକର୍ତାମାନେ ଗଣମାଧ୍ୟମକୁ କହିଛନ୍ତି । ଭକ୍ତମାନେ ସ୍ୱଚକ୍ଷୁରେ ନୁହେଁ, ଟିଭି ପରଦାରେ ରଥଯାତ୍ରାର ମହାନ ପରଂପରାକୁ ଉପଭୋଗ କରିବାକୁ ଉଭୟ ସରକାର ଓ ବୈଦ୍ୟୁତିକ ଗଣମାଧ୍ୟମ ସୁଯୋଗ ସୃଷ୍ଟି କରିବା ନିଶ୍ଚିତ ।
ଲେଖାଟି ଆରମ୍ଭ ହୋଇଥିଲା ‘ରଜ ପର୍ବ’କୁ ନେଇ । ତେଣୁ, ଓଡ଼ିଶାର ଏହି ମହାନ ପରଂପରା ସଂପର୍କରେ ଏଠାରେ ସାମାନ୍ୟ ଝଲକ ଦେବା ଉଚିତ ମନେ କରୁଛି । ଏହା ହେଉଛି ମା’ ମହାଲକ୍ଷ୍ମୀ ବା ଭୂ-ଦେବୀଙ୍କ ପର୍ବ । ଜୁନ୍ ମାସର ମଧ୍ୟ ଭାଗରେ ମୌସୁମୀ ଆଗମନ ସମୟରେ ଏହି ପର୍ବ ପାଳିତ ହୋଇଥାଏ । ପୌରାଣିକ ତଥ୍ୟ ଅନୁସାରେ ଭୂ-ଦେବୀ ବା ମାଟି ମା’ ମିଥୁନ ସଂକ୍ରାନ୍ତି ପୂର୍ବ ଦିନ ରଜସ୍ୱଳା ହୋଇ ତିନି ଦିନ ତୃଷାର୍ତ ନୟନରେ ମୌସୁମୀ ବର୍ଷାର ଅପେକ୍ଷା କରିଥା’ନ୍ତି । ମା’ ଭୂ-ଦେବୀ ରଜସ୍ୱଳା ଥିବାରୁ ଋତୁସ୍ରାବ ସମୟରେ ମହିଳାମାନେ ଯେଭଳି ଏହାର ଧର୍ମ ପାଳନ କରିଥା’ନ୍ତି, ସେହିଭଳି ରଜ ଉତ୍ସବରେ ମଧ୍ୟ ଓଡ଼ିଆ ଝିଅ, ବୋହୂମାନେ ସମସ୍ତ ଦୈନନ୍ଦିନ କାର୍ଯ୍ୟରୁ ଅବ୍ୟାହତି ନେଇ ରଜ ଉତ୍ସବରେ ମସଗୁଲ ହୋଇଥା’ନ୍ତି । ଭୂ-ଦେବୀ ରଜସ୍ୱଳା ହେବାର ଅର୍ଥ ହେଉଛି ମାଟି ମା’ ତାହାର ପର୍ଯ୍ୟାପ୍ତ ଉତ୍ପାଦନ ଶକ୍ତିସଂଭୂତ ରହିଥାଏ ଏବଂ ପର୍ଯ୍ୟାପ୍ତ ମୌସୁମୀ ବର୍ଷା ହେଲେ କୃଷି ଉତ୍ପାଦନ ଭଲ ହୋଇଥାଏ । ତେଣୁ, ରଜ ଉତ୍ସବ ଓଡ଼ିଶାର ଗ୍ରାମାଂଚଳରେ ଅନ୍ତତଃ ଚାରି ଦିନ ପାଳନ କରାଯାଉ । ପ୍ରଥମ ଦିନଟି ‘ପହିଲି ରଜ’, ଦ୍ୱିତୀୟ ଦିନଟି ‘ରଜ ସଂକ୍ରାନ୍ତୀ’, ତୃତୀୟ ଦିନଟି ଭୂ-ଦାହ ବା ‘ବାସି ରଜ’ ଏବଂ ଚତୁର୍ଥ ଦିନଟି ‘ବସୁମତୀ ସ୍ନାନ’ ଭାବେ ପାଳନ ହୋଇଥାଏ । ଓଡ଼ିଆ ଘରର ଝିଅ, ବୋହୂମାନେ ଶିଳ,ଶିଳପୁଆକୁ ବଟା ହଳଦୀର ଲେପ ଦେଇ ଫୁଲ, ସିନ୍ଦୁରରେ ସଜାନ୍ତି ଏବଂ ଫଳମୂଳ ଭୋଗ ଲାଗି ଥାଏ । ଶିଳ, ଶିଳପୁଆ ହେଉଛି ମାଟି ମା’ ବା ଭୂ-ଦେବୀଙ୍କ ପ୍ରତୀକ ।
ଚାରି ଦିନିଆ ରଜ ମହୋତ୍ସବର ପ୍ରଥମ ଦିନ ଥାଏ ସଜବାଜ ପାଇଁ । ‘ରଜ ’ର ପ୍ରଥମ ତିନି ଦିନ ଓଡ଼ିଆ ଘରର ଝିଅ, ବୋହୂମାନେ ନିତିଦିନିଆ ଘର କାମ – କଟା, ବଟା, ରୋଷେଇରୁ ନିବୃତ୍ତ ରୁହନ୍ତି । ରନ୍ଧା ଖାଦ୍ୟ ଖାଇ ନ ଥା’ନ୍ତି । ଖାଲି ପାଦରେ ଚାଲିବା ବି ମନା । ଘରେ ଘରେ ପୋଡପିଠା ହୁଏ । ଝିଅ ବୋହୂମାନେ ନୂଆ ଶାଢୀ ପିନ୍ଧି, ହାତ ଓ ପାଦରେ ଅଳତା ଲଗାଇ ଓ ଗହଣାଗାଂଠି ପିନ୍ଧି ନିଜକୁ ସଜାଇବା ସହ ପୋଡପିଠା, ଫଳମୂଳ, ପାନ ଖାଇ ଦୋଳିରେ ଝୁଲନ୍ତି । କୃଷିଜୀବୀମାନେ ଏହି ତିନି ଦିନ ଭୂମି କର୍ଷଣ ବନ୍ଦ ରଖି ଫସଲ ଭଲ ହେବା ସକାଶେ ଭୂ-ଦେବୀ ବା ମା’ମହାଲକ୍ଷ୍ମୀଙ୍କ ନିକଟରେ ପୂଜାପାଠ କରନ୍ତି । ପହିଲି ରଜରେ ମହିଳାମାନେ ଦେହରେ ହଳଦୀ ଲଗାଇ ଗାଧାନ୍ତି । ପର ଦୁଇ ଦିନ ଗାଧୁଆ ଓ ଲୁଣ ଖିଆ ବନ୍ଦ । ଭଗବାନ ବିଷ୍ଣୁଙ୍କ ପତ୍ନୀ ଭୂ-ଦେବୀ ବା ମହଲକ୍ଷ୍ମୀ ରଜ ତିନି ଦିନ ରଜସ୍ୱଳା ଥାଇ ଚତୁର୍ଥ ଦିନ ଯେଉଁ ସ୍ନାନ କରିଥା’ନ୍ତି ତାହାକୁ ‘ବସୁମତୀ ସ୍ନାନ’ କୁହାଯାଏ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଏହା ହେଉଛି ଅନ୍ୟତମ ପରଂପରା । ଏହାର ପ୍ରମାଣ ସ୍ୱରୂପ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଶ୍ୱର୍ରେ ଭୂ-ଦେବୀଙ୍କ ପ୍ରତିମା ବିଦ୍ୟମାନ । ଜଗନ୍ନାଥ ସଂସ୍କୃତିର ଏହି ଅନ୍ୟନ୍ୟ ପରଂପରା ପ୍ରତ୍ୟେକ ଓଡ଼ିଆଙ୍କୁ କେବଳ ଆନନ୍ଦ ଦେଇ ନ ଥାଏ, ପରିବାର ଭିତରେ ସଂପର୍କର ଉତ୍ସ୍ୱକୁ ସମୃଦ୍ଧ କରିଥାଏ ଏବଂ ସାମାଜିକ ସଂପର୍କକୁ ବଢାଇଥାଏ । ତେବେ, କରୋନା ଯୁଗରେ ସାମାଜିକ ସଂପର୍କ ବଢିବା ଅର୍ଥ ହେଉଛି ଏହି ମାରାତ୍ମକ ମହାମାରୀକୁ ଘରକୁ ଡାକି ଆଣିବା । ତେଣୁ, ସାମାଜିକ ଦୂରତା ବଜାୟ ରଖାଯିବା ସକାଶେ ସରକାରଙ୍କ ସବୁ କଟକଣା । ଏହା ଦୁଃଖଦାୟକ ହେଲେ ମଧ୍ୟ ଆମେ ଗ୍ରହଣ କରିବାକୁ ବାଧ୍ୟ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS