କରୋନା ଡାଏରୀ (୧୩)..ଆଖି ନାହିଁ, କାନ ନାହିଁ, ବାଜି ଗଲେ ଦୋଷ ନାହିଁ…
ଭୁବନେଶ୍ୱର, ଜୁନ୍ ୨୯
ପ୍ରସାଦ ରାଓ
ମୋଅନୁଭବ.କମ୍
ପିଲା ଦିନେ ଆମେ ଖେଳୁ ଥିଲୁ ଚକା ଭଉଁରୀ ଖେଳ । ଚକା ଚକା ବୁଲିବା ସମୟରେ ଗାଉ ଥିଲୁ – ‘ଆଖି ନାହିଁ, କାନ ନାହିଁ, ବାଜି ଗଲେ ଦୋଷ ନାହିଁ’ । ଭଉଁରୀ ମାରୁ ମାରୁ ଯଦି କାହା ଦେହରେ ହାତ ବାଜି ଯାଉଥିଲା ଏହି ନ୍ୟାୟରେ କ୍ଷମା ମିଳି ଯାଉଥିଲା । ଆଜି ସେହି ଖେଳ ଚାଲିଛି ଓଡ଼ିଶା ଶାସନରେ । ରାଜ୍ୟ ସଚିବାଳୟ ବା ନୂତନ ନାମକରଣ ହୋଇଥିବା ଲୋକସେବା ଭବନରେ । ସଚିବାଳୟ ହେଉଛି ରାଜ୍ୟର ହୃତପିଣ୍ଡ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ ଶାସନ ସଚିବ ସଚିବାଳୟରେ ବସି ଆଇନ ପ୍ରଣୟନ କରିଥା’ନ୍ତି । ସେଠି ଯାହା ନିଷ୍ପତ୍ତି ହୁଏ ତାହା ରାଜ୍ୟର ହିତ ପାଇଁ ହୁଏ ବୋଲି ବିଚାର କରାଯାଏ ଓ କାର୍ଯ୍ୟକାରୀ ହୁଏ । ମନ୍ତ୍ରୀ ପରିଷଦ ଓ ସଚିବସ୍ତରୀୟ ବୈଠକଗୁଡିକ ସେଇଠି ହୁଏ ଏବଂ ଗଣମାଧ୍ୟମ ଜରିଆରେ ସରକାରଙ୍କ ନିଷ୍ପତ୍ତି ସବୁ ଜନତାଙ୍କୁ ଜଣାଇ ଦିଆଯାଏ । ତେବେ, କିଛି ବର୍ଷ ହେଲା ହୃତପିଣ୍ଡ ଠିକ୍ ଭାବରେ କାମ କରୁ ନ ଥିବା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ସଚିବାଳୟ ବା ଲୋକସେବା ଭବନର ତୃତୀୟ ମହଲା ଏକ ଅସ୍ୱଚ୍ଛ ପରଦାରେ ଢାଂକି ହେବା ଦିନ ଠାରୁ ଏଭଳି ଅବସ୍ଥା ଦେଖା ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ କେଉଁ କଥା ପହଂଚିବ ଓ କେଉଁ କଥା ପହଂଚିବ ନାହିଁ, ତାହା ନିଷ୍ପତ୍ତି ନେଉଛି ଏକ ‘କୋଟେରୀ’ ବା ନିର୍ଦ୍ଧିଷ୍ଟ ଗୋଷ୍ଠୀ । ଏହି ଗୋଷ୍ଠୀରେ କିଛି ଆଇଏଏସ୍, ଆଇପିଏସ୍ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର ବୋଲି ଦାବି କରୁଥିବା ଶାସକ ଦଳର କିଛି ନେତା ଅଛନ୍ତି । ଅନେକ ସମୟରେ ଏହି ‘କୋଟେରୀ’ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଅଣଦେଖା କରିଥାଏ ବୋଲି କୁହାଯାଏ । ସରକାରଙ୍କ ଆଖି, ନାକ କୁହାଯାଉଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ମଧ୍ୟ ‘କୋଟେରୀ’ ପ୍ରଭାବରୁ ମୁକ୍ତ ନୁହେଁ । ତେଣୁ, କୋଟେରୀ ଯେତିକି ଚାହେଁ ସେତିକି ତଥ୍ୟ ହିଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚି ଥାଏ । ବଳକା କଥା ଅସ୍ୱଚ୍ଛ ପରଦା ଅନ୍ତରାଳରେ ରହି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚି ପାରୁ ନାହିଁ । ଏଭଳି ଏକ ଅନୁମାନ କରାଯାଇ ପାରେ ପୁରୀ ରଥଯାତ୍ରାକୁ ନେଇ ବାଦବିବାଦ ପରେ ।
ପରଂପରା ଓ ବିଧିବିଧାନ ଅନୁସାରେ ଶ୍ରୀଜଗନ୍ନାଥ ମୂଳପୀଠ ପୁରୀରେ ପ୍ରତି ବର୍ଷ ଚତୁର୍ଦ୍ଧା ମୂର୍ତୀଙ୍କ ରଥଯାତ୍ରା ହୁଏ । ଅକ୍ଷୟ ତୃତୀୟାରୁ ରଥଯାତ୍ରା ବିଧିବିଧାନ ଆରମ୍ଭ ହୋଇ ନୀଳାଦ୍ରି ବିଜେରେ ସରିଥାଏ । ପୁରୀ ଗଜପତି ଏହି ରଥଯାତ୍ରା ପରିଚାଳନା କରିଥା’ନ୍ତି ଏବଂ ଏହା ଏକ ଧର୍ମୀୟ କାର୍ଯ୍ୟ ହୋଇଥିବାରୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ । ରଥଯାତ୍ରାରୁ ନୀଳାଦ୍ରି ବିଜେ ୧୨ ଦିନିଆ ସେବା ପରିଚାଳନା ଦାୟିତ୍ୱ ଶ୍ରୀମନ୍ଦିର ପରିଚାଳନା କମିଟିର ଷହାଇଥିବା ବେଳେ ଏହି ୧୨ ଦିନ ପୁରୀ ମୂଳପୀଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଥିବାରୁ ଆୟୋଜନ ଓ ଆଇନ ଶୃଙ୍ଖଳା ରକ୍ଷାରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ, ପୁରୀ ଗଜପତି ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଭାବେ ରଥଯାତ୍ରା ବିଧି ପାଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଅନୁମତି ଲୋଡନ୍ତି । ଅକ୍ଷୟ ତୃତୀୟାରୁ ଆରମ୍ଭ ହୁଏ ସମନ୍ୱୟ ବୈଠକ । ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟରେ ବାରମ୍ବାର ରଥଯାତ୍ରା ପ୍ରସ୍ତୁତି ବୈଠକ ହୋଇ ବିଭିନ୍ନ ନିଷ୍ପତ୍ତି ନିଆଯାଏ ଏବଂ ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ସମୀକ୍ଷା ହୋଇଥାଏ । ସରକାର ଓ ମନ୍ଦିର ପରିଚାଳନା କମିଟି ମଧ୍ୟରେ ଭାବନାର ଆଦାନ ପ୍ରଦାନ ମାଧ୍ୟମରେ ସମସ୍ତ ନୀତି ସଂପାଦନ ହେଉ ଥିବାରୁ ରଥଯାତ୍ରାରେ ରାଜ୍ୟ ସରକାରଙ୍କ ଭୂମିକା ମଧ୍ୟ ଗୁରୁତ୍ୱ ବହନ କରେ ।
୨୦୨୦ ରଥଯାତ୍ରାର କାହାଣୀ ଭିନ୍ନ । କରୋନା ମହାମାରୀ ରାଜ୍ୟ ସରକାରଙ୍କୁ ମାର୍ଚ୍ଚ ମାସରୁ ବ୍ୟସ୍ତ ରଖିଥିବା ବେଳେ ସରକାରରେ ସମନ୍ୱୟ ଅଭାବରୁ ରଥଯାତ୍ରା ପରଂପରା ଭଙ୍ଗ ପାଇଁ ଅପଚେଷ୍ଟା ହୋଇଛି । ଶେଷ ପର୍ଯ୍ୟନ୍ତ ରଥଯାତ୍ରାକୁ ନେଇ ବିଭ୍ରାନ୍ତି ଲାଗି ରହିବା ଦ୍ୱାରା ସରକାର ଅପଦସ୍ତ ହୋଇଛନ୍ତି । ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ସେବକ ଭାବେ ବିଦିତ ଓ ପୂଜିତ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିର୍ବିବାଦୀୟ ବ୍ୟକ୍ତି ହୋଇ ସୁଦ୍ଧା ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ରାଜ୍ୟର ଦୁଇଟି ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ମାଧ୍ୟମରେ ସେ ରାଜ୍ୟ ସରକାରଙ୍କ ମୁଖା ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସେ ସିଧାସଳଖ ସମାଲୋଚନା କରି ନାହାନ୍ତି ସତ, କିନ୍ତୁ ରଥଯାତ୍ରାକୁ ନେଇ ଜୁନ ୧୮ ତାରିଖ ସୁପ୍ରିମ କୋର୍ଟ ରାୟ ପଛରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମ କୋର୍ଟରେ ରଥଯାତ୍ରା ମାମଲା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କୁ ସେ ସିଧାସଳଖ ଦାୟି କରିଛନ୍ତି ।
କରୋନା ମହାମାରୀ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ଜୁନ ୨୩ ତାରିଖ ପୁରୀ ରଥଯାତ୍ରା ବନ୍ଦ କରାଯିବାକୁ ସୁପ୍ରିମ କୋର୍ଟରେ ଓଡ଼ିଶା ବିକାଶ ମଂଚ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯେଉଁ ଆବେଦନ କରିଥିଲେ ତାହା ଉପରେ ୧୮ ତାରିଖ ଦିନ ସୁପ୍ରିମ କୋର୍ଟର ତିନି ଜଣିଆ ବେଂଚ୍ ଶୁଣାଣୀ କଲା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଓକିଲ ରଥଯାତ୍ରା ହେବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ନ ଥିଲେ । ଓଲଟା, ବିକାଶ ପରିଷଦର ଦଲିଲକୁ ଅବିକଳ ଖଣ୍ଡପୀଠଙ୍କ ନିକଟରେ ଉପସ୍ଥାପନ କରି ରଥଯାତ୍ରା ବନ୍ଦ କରାଯିବା ସପକ୍ଷରେ କୋର୍ଟ ରାୟ ଦେବା ରାସ୍ତାକୁ ସୁଗମ କରିଥିଲେ ବୋଲି ପୁରୀ ଗଜପତି ଅଭିଯୋଗ କରି ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ରାଜ୍ୟ ସରକାର କେବଳ ତାଙ୍କୁ ନୁହେଁ, ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ମଧ୍ୟ ଗଲା ଦୁଇ ମାସ ହେଲା ଉପେକ୍ଷିତ କରିଆସି ଥିବା ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଥରେ ମଧ୍ୟ ରଥଯାତ୍ରାକୁ ନେଇ ଆଲୋଚନା କରି ନଥିବା ଅଭିଯୋଗ କରି ରଥଯାତ୍ରା ହେବା ନେଇ ରାଜ୍ୟ ସରକାରଙ୍କ ପ୍ରତିକୂଳ ମନୋଭାବକୁ ରାଜ୍ୟବାସୀଙ୍କ ସାମନାରେ ଥୋଇଛନ୍ତି ।
ପୁରୀ ଗଜପତିଙ୍କ ଅଭିଯୋଗ ହେଉଛି, ଅକ୍ଷୟ ତୃତୀୟରୁ ଆରମ୍ଭ କରି ରଥଯାତ୍ରା ପର୍ଯ୍ୟନ୍ତ ଦୀର୍ଘ ଦୁଇ ମାସ ଧରି ସେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଲଗାତର ଚିଠି ଲେଖି ଥିଲେ ମଧ୍ୟ କୌଣସି ଉତ୍ତର ପାଇ ନ ଥିଲେ ବା ଆଲୋଚନା ପାଇଁ ତାଙ୍କୁ ଡକା ଯାଇ ନଥିଲା । ଚିଠି ସବୁ ତୃତୀୟ ମହଲା ଦେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚି ଥିଲା କି ନାହିଁ, ସେ ଜାଣି ନାହାନ୍ତି । କାରଣ, ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଥିବା କୌଣସି ଚିଠିର ଉତ୍ତର ମିଳି ନଥିଲା । ରାଜ୍ୟ ସରକାର ତାଙ୍କ ଚିଠିର ଉତ୍ତର ଦେବାର ସୌଜନ୍ୟତାକୁ କେବଳ ଭୁଲି ନ ଥିଲେ, ଥରୁଟିଏ ମଧ୍ୟ ତାଙ୍କୁ ଡାକି ରଥଯାତ୍ରା ପରଂପରା କେମିତି ହେବ ସେ ସଂପର୍କରେ ଆଲୋଚନା କରିବାକୁ ଆଗ୍ରହ ଦେଖାଇ ନଥିଲେ । ଏପରିକି, କରୋନା ପରିସ୍ଥିତିରେ ଶ୍ରୀଜଗନ୍ନାଥଙ୍କ ମୂଳପୀଠ ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରା କରିବା ସକାଶେ ସେ ଦେଇଥିବା ପ୍ରସ୍ତାବଗୁଡିକ ଉପରେ ରାଜ୍ୟ ସରକାର ଚକାମାଡି ବସି ଯାଇ ଥିଲେ । କେବଳ ସେ ନୁହନ୍ତି, ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମଧ୍ୟ ଗତ ଦୁଇ ମାସ ଧରି ରାଜ୍ୟ ସରକାରଙ୍କ ଉପେକ୍ଷାର ଶିକାର ହୋଇଛନ୍ତି ବୋଲି ଗଜପତି ଦିବ୍ୟସିଂହ ଦେବଙ୍କ ଅଭିଯୋଗ ନିଶ୍ଚିତ ଭାବେ ଗୁରୁତର । କିନ୍ତୁ, ଏହା ଉପରେ ରାଜ୍ୟ ସରକାରଙ୍କ ଆଡୁ କୌଣସି ପ୍ରତିକ୍ରିୟା ମିଳି ନାହିଁ । ଏହା ବିରୋଧୀଙ୍କ ଚାଲ୍ ବୋଲି ସରକାର କହିବାର ବାଟ ନ ଥିବାରୁ ସରକାର ନିରବ ରହିବାକୁ ମାଧ୍ୟ ହୋଇଥିବା ଅନୁମାନ କରାଯାଉଛି । ସାଂପ୍ରତିକ ଓଡ଼ିଶା ରାଜନୀତିରେ ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବଙ୍କ କୌଣସି ଭୂମିକା ନ ଥିବାରୁ ବା ତାଙ୍କର ରାଜନୈତିକ ଅଭିଳାଷ ମଧ୍ୟ ନ ଥିବାରୁ ଶାସକ ଦଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାର ସୁଯୋଗ ମଧ୍ୟ ନାହିଁ ।
ରାଜ୍ୟ ସରକାରଙ୍କ ଗତ ଦୁଇ ମାସର କାର୍ଯ୍ୟକଳାପକୁ ନେଇ ପୁରୀ ଗଜପତି ଏତେଦୂର ବ୍ୟଥିତ ଯେ ସେ ନିଜ ଚାପି ରଖି ନ ପାରି ବୈଦ୍ୟୁତିକ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିବା ଅନୁମାନ କରାଯାଉଛି । ପୁରୀ ଗଜପତି ଦିବ୍ୟସିଂହ ଦେବ ଚଳିତ ବର୍ଷ ରଥଯାତ୍ରା ଆୟୋଜନକୁ ନେଇ ସରକାରଙ୍କ ଉପରେ କ୍ଷୁବ୍ଧ ହେବାର ପ୍ରମୁଖ କାରଣ ହେଉଛି ଅକ୍ଷୟ ତୃତୀୟା ପୂର୍ବରୁ ସରକାରଙ୍କ ଆଡୁ ଆରମ୍ଭ ହୋଇଥିବା ଅସହଯୋଗ । ଅକ୍ଷୟ ତୃତୀୟାରେ ତିନି ଠାକୁରଙ୍କ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହୋଇଥାଏ । କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୨ ତାରିଖରୁ ରାଜ୍ୟରେ ସଂପୂର୍ଣ୍ଣ ତାଲାବନ୍ଦ ଲାଗୁ କରାଯାଇ ସମସ୍ତ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇ ଦିଆଗଲା । ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ ହେଲେ ଜନସମାଗମ ଅଧିକ ହେବ ଓ ସାମାଜିକ ଦୂରତା ରକ୍ଷା ସମ୍ଭବ ହେବ ନାହିଁ ଦର୍ଶାଇ ସରକାର ସେସବୁ ମଧ୍ୟ ବନ୍ଦ କରି ଦେଲେ । ଏପ୍ରିଲ ୨୬ ତାରିଖ ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହେଲା ନାହିଁ । ଚଳିତ ବର୍ଷ ରଥଯାତ୍ରା ହେବା ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଲା । ସରକାର ନିଜ ମତିଗତି ସ୍ପଷ୍ଟ ନ କରିବାରୁ ସେ ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଭାବେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ଚାହିଁଲେ । କିନ୍ତୁ, ରାଜ୍ୟ ସରକାର ଆଡୁ କୌଣସି ଉତ୍ତର ମିଳିଲା ନାହିଁ । ସେ (ଗଜପତି) ଛତିଶା ନିଯୋଗ ଓ ଶ୍ରୀମନ୍ଦିର ସେବାୟତମାନଙ୍କ ସହ ଆଲୋଚନା କରିବା ପରେ ସମସ୍ତେ ମିଶି ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ । ଶ୍ରୀଜଗନ୍ନାଥ ପରଂପରା ଓ ବିଧିବିଧାନ ଅନୁସାରେ ଶାସ୍ତ୍ରାନୁସାରେ ଗଜପତି ନିଜେ ବିଧି ସଂପାଦନ କରିବାକୁ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ପରାମର୍ଶ ଦେବା ପରେ ରଥକାଠ ଅନୁକୂଳ ହେଲା ।
କରୋନା କଟକଣା ଲାଗୁ ଥିବାରୁ ତିନି ଠାକୁରଙ୍କ ରଥ ନିର୍ମାଣ ସକାଶେ ରାଜ୍ୟ ସରକାରଙ୍କ ଅନୁମତିର ଆବଶ୍ୟକ ଥିଲା । ସରକାର ଅନୁମତି ନ ଦେଇ ସମୟ ଗଡାଇଲେ । ଶ୍ରୀମନ୍ଦିରର ସେବାୟତମାନେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଅନୁମତି ଲୋଡିଲେ । ମେ’ ୭ରେ କେନ୍ଦ୍ର ସରକାର ଗୃହ ମନ୍ତ୍ରଣାଳୟ ଅନୁମତି ମିଳିବା ପରେ କରୋନା କଟକଣା ମଧ୍ୟରେ ଶ୍ରୀମନ୍ଦିର ପରିସର ରଥ ଚକଡାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ପୁରୀ ଗଜପତି ମହାରାଜା ଭକ୍ତଶୂନ୍ୟ ଥାଇ କରୋନା କଟକଣା ମଧ୍ୟରେ ଚଳିତ ବର୍ଷର ରଥଯାତ୍ରା କରାଯିବାକୁ ଅକ୍ଷୟ ତୃତୀୟା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଥିବା ଚିଠିର ଉତ୍ତର ତାଙ୍କୁ ମିଳିଲା ନାହିଁ । ବିଧି ଅନୁସାରେ ରଥ ପରଂପରା ରକ୍ଷା କରାଯିବାକୁ ପୁରୀ ଶଙ୍କରାଚାର୍ଯ୍ୟ ଦେଇଥିବା ପରାମର୍ଶ ତାଙ୍କୁ ଆତ୍ମବଳ ପ୍ରଦାନ କରିଥିଲା ଏବଂ ତାହାକୁ ଭିତ୍ତି କରି ସେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ଚନ୍ଦନ ଯାତ୍ରା ଓ ସ୍ନାନଯାତ୍ରା କାର୍ଯ୍ୟ ନିଜ ଆଡୁ ସଂପାଦନ କରିଥିଲେ । ରଥଯାତ୍ରା ସମୟକୁ ମଧ୍ୟ ପରିସ୍ଥିତି ଏକାଭଳି ଥିଲା । ରାଜ୍ୟ ସରକାରଙ୍କ ତାଙ୍କ ଚିଠିର ଉତ୍ତର ଦେଉ ନ ଥିଲେ ବା ତାଙ୍କୁ ଡାକି ଆଲୋଚନା କରୁ ନ ଥିଲେ । ଅନ୍ୟପକ୍ଷରେ, ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲି ଥିବାରୁ ସରକାର ରଥଯାତ୍ରା ହେବା ଚାହୁଁ ନାହାନ୍ତି ବୋଲି ଆଭାସ ମଧ୍ୟ ମିଳୁ ନ ଥିଲା । ଜୁନ ୨୨ ତାରିଖ ସୁଦ୍ଧା ତିନି ରଥର ନିର୍ମାଣ କାର୍ଯ୍ୟ ସାରିବାକୁ ଓଡ଼ିଶା ହାଇକୋର୍ଟଙ୍କ ଦେଇଥିବା ନିର୍ଦେଶ ଅନୁସାରେ କାର୍ଯ୍ୟ ଚାଲି ଥିଲା ।
ତଥାପି, ମେ’ ୩୦ତାରିଖରେ ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ରଥଯାତ୍ରା ଭକ୍ତଶୂନ୍ୟ ଭାବେ ସଂପାଦନ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଗ୍ରହଣ କରିଥିବା ପ୍ରସ୍ତାବ ସଂପର୍କରେ ସରକାରଙ୍କୁ ପ୍ରାଂଜଳ ଭାବେ ଜଣାଇ ଥିଲେ । କୋଭିଡ଼ ଓ ରଥଯାତ୍ରା ମଧ୍ୟରେ ସମନ୍ୱୟ ରକ୍ଷା କରି ଭକ୍ତଙ୍କ ଉପସ୍ଥିତି ବିନା ଚଳିତ ବର୍ଷ ରଥଯାତ୍ରା ହେବ ଏବଂ ଶ୍ରୀମନ୍ଦିରର ଦୁଇରୁ ତିନି ହଜାର ସେବାୟତଙ୍କୁ କୋଭିଡ଼ ପରୀକ୍ଷା କରାଯାଇ ରଥଟଣାରେ ନିୟୋଜିତ କରାଯିବ ବୋଲି ମନ୍ଦି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥର ରଥଯାତ୍ରାରେ କୌଣସି ଅସୁବିଧା ହେବ ନାହିଁ ବୋଲି ମଧ୍ୟ ସେ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ । ଜୁନ ୫ ତାରିଖ ଦିନ ତିନି ଠାକୁରଙ୍କ ସହ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ଓ ସ୍ନାନବେଦୀରେ ସ୍ନାନ ସଫଳତାର ସହ ସଂପନ୍ନ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଭକ୍ତଶୂନ୍ୟ ଭାବେ କରୋନା କଟକଣା ମଧ୍ୟରେ ରଥଯାତ୍ରା ହେବାରେ କିଛି ଅସୁବିଧା ନାହିଁ ବୋଲି ଜଣାଇ ଥିଲେ ସୁଦ୍ଧା ସରକାର ନିରୁତ୍ତର ଥିଲେ । ଜୁନ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ସମସ୍ତଙ୍କ ଧାରଣା ଥିଲା ଚଳିତ ବର୍ଷ ପୁରୀରେ ରଥଯାତ୍ରା ହେବ । ସେହି ଦିନ ସନ୍ଧ୍ୟାରେ ରଥଯାତ୍ରା ବନ୍ଦ ହେଲା ବୋଲି ସୁପ୍ରିମ କୋର୍ଟ ରାୟ ଆସିବା ପରେ ସରକାରଙ୍କ ମନୋଭାବ ପଦାକୁ ଆସିଲା ବୋଲି ପୁରୀ ଗଜପତି କହିଛନ୍ତି ।
ଗଜନତିଙ୍କ କହିବା ଅନୁଯାୟୀ, ୧୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟ ସରକାର ଯାହା ତଥ୍ୟ ଚାହିଁଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ତାହା ଯୋଗାଇ ଦେଇଛି । ସୁପ୍ରିମ କୋର୍ଟରେ ସରକାର ନିଜ ପକ୍ଷ ରଖିବା ପୂର୍ବରୁ କାହାରି ସହ ଯୋଗାଯୋଗ ରଖି ନ ଥିଲେ ବା ଶ୍ରୀମନ୍ଦିର ପରିଚାଳନା କମିଟିକୁ ଆଲୋଚନା ପାଇଁ ଡାକି ନ ଥିଲେ । ୧୮ ତାରିଖ ସନ୍ଧ୍ୟାରେ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ରାୟ ହସ୍ତଗତ ହେବା ପରେ ସରକାରଙ୍କ ମତିଗତିକୁ ନେଇ ସମସ୍ତେ ଚକିତ ରହି ଯାଇଥିଲେ । ଜୁନ ୨୩ରେ ପୁରୀରେ ରଥଯାତ୍ରା ହେଲେ ୧୦ରୁ ୧୨ ଲକ୍ଷ ଜନସମାଗମ ହେବ ଏବଂ କରୋନା ମହାମାରୀ ବ୍ୟାପି ଅଧିକ ସଂଖ୍ୟାରେ ଜୀବନ ବିପନ୍ନ ହେବ ବୋଲି ଓଡ଼ିଶା ବିକାଶ ପରିଷଦ ମୂଳ ମାମଲାରେ ଯେଉଁ ଦାବି କରି ଆସିଛି ରାଜ୍ୟ ସରକାରଙ୍କ ଓକିଲ ସାଲଭେ ସୁପ୍ରିମ କୋର୍ଟରେ ତାହା ଅବିକଳ ଉପସ୍ଥାପନ କରି ମାମଲାର ଶୁଣାଣୀ କରୁଥିବା ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କୁ ତୁରନ୍ତ ନିର୍ଣ୍ଣୟ ନେବାର ପଥ ପରିସ୍କାର କରି ଦେଇଥିଲେ । ଜୁନ ୫ ତାରିଖ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରଶାସନ ‘ଭକ୍ତ ଶୂନ୍ୟ’ ରଥଯାତ୍ରା କରିବାକୁ ଯେଉଁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଥିଲେ ତାହା ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ ହୋଇ ନ ଥିଲା । ରାଜ୍ୟ ସରକାରଙ୍କ ଓକିଲ ସାଲଭେ ରଥଯାତ୍ରା ହେବା ସପକ୍ଷରେ ପଦୁଟିଏ ଯୁକ୍ତି ଦର୍ଶାଇ ନଥିଲେ । କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠରେ ମାମଲା ପରିଚାଳନା ପାଇଁ ଦିନେ, ଦୁଇ ଦିନ ସମୟ ମାଗି ଥିଲେ ମଧ୍ୟ ତାହା ଦିଆ ଯାଇ ନ ଥିଲା ।
୧୯ତାରିଖରୁ ସୁପ୍ରିମ କୋର୍ଟର ଛୁଟି ଆରମ୍ଭ ହେଉ ଥିବାରୁ ମୁଖ୍ୟ ବିଚାରପତିଙ୍କ ସମେତ ଖଣ୍ଡପୀଠର ଅନ୍ୟ ଦୁଇ ବିଚାରପତି ଛୁଟିରେ ଯିବା ନିଶ୍ଚିତ ଥିଲା । ତେଣୁ, ୧୮ ତାରିଖ ସନ୍ଧ୍ୟାରେ ଆସି ଥିବା ରାୟ ପରିବର୍ତନ ହେବା ଆଶା କ୍ଷୀଣ ଦେଖି ସମସ୍ତେ ବ୍ୟତିବ୍ୟସ୍ତ ହୋଇ ଥିଲେ । ତଥାପି ୧୯ ତାରିଖ ନୟାଗଡ଼ର ଆଫତାବ ହୁସେନ ନାମକ ଯୁବକଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ସୁପ୍ରିମ କୋର୍ଟରେ ୧୮ ତାରିଖ ରାୟ ଉପରେ ରିଭ୍ୟୁ ଓ ରିକଲ୍ ପିଟିସନ୍ ଦାଖଲ କର ଶ୍ରୀଜଗନ୍ନାଥଙ୍କ ଚମକ୍ରାରକୁ ଅପେକ୍ଷା କରିଥିଲେ । କେବଳ ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରା ନିମନ୍ତେ ଅନୁମତି ଦିଆଯିବାକୁ ସେମାନେ ନିବେଦନ କରି ଥିଲେ । ଆଫତାବ ହୁସେନ ପିଟିସନରେ ତାଙ୍କ ଯୁକ୍ତି ଥିଲା, ସେ ସଂଖ୍ୟାଲଘୁ ସଂପ୍ରଦାୟର ହୋଇଥିବାରୁ ତାଙ୍କୁ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ ଅଧିକାର ନାହିଁ । କେବଳ ବାହାରୁ ହିଁ ସେ ଦର୍ଶନ ଅଧିକାର ରଖନ୍ତି । ରଥଯାତ୍ରା ବନ୍ଦ କରି ତାଙ୍କୁ ଏହି ଅଧିକାରରୁ ବଂଚିତ କରାଯିବା ଆଇନ ସମ୍ମତ ନୁହେଁ ବୋଲି ଆଫତାବ କୋର୍ଟକୁ ଜଣାିବା ସହ ରଥଯାତ୍ରାକୁ ୧୮ ତାରିଖ ନେଇଥିବା ନିଷ୍ପତ୍ତିର ସମ୍ୟକ ପରିବର୍ତନ ପାଇଁ ପ୍ରାର୍ଥନା କରିଥିଲେ । ରଥଯାତ୍ରାକୁ ମାତ୍ର ଦୁଇ ଦିନ ସମୟ ଥିବା ବେଳେ ସୁପ୍ରିମ କୋର୍ଟ ବିଚାରପତିମାନେ ଛୁଟିରେ ଚାଲି ଯିବାରୁ ଅବସରକାଳୀନ ବିଚାରପତି ରିଭ୍ୟୁ ପିଟିସନଗୁଡିକ ଶୁଣାଣୀ ପାଇଁ ଗ୍ରହଣ କରିବେ କି ନାହିଁ, ତାହା ଏକ ଦ୍ୱନ୍ଦ୍ୱ ଥିଲା । ତେବେ, ଅବକାଶକାଳୀନ ବିଚାରପତି ଭାବେ ଦାୟିତ୍ୱ ତୁଲାଉ ଥିବା ଜଷ୍ଟିସ ରବିନ୍ଦ୍ର ଭଟ୍ଟ ରିଭ୍ୟୁ ପିଟିସନଗୁଡିକ ବିଚାର ପାଇଁ ଗ୍ରହଣ କରି ୨୨ ତାରିଖ ସିଙ୍ଗଲ୍ ବେଂଚରେ ସେସବୁ ଶୁଣାଣୀ ହେବ ବୋଲି ଧାର୍ଯ୍ୟ କରିଥିଲେ । ସିଙ୍ଗଲ୍ ବେଂଚ ରିଭ୍ୟୁ ପିଟିସନର ଶୁଣାଣୀ କଲେ ମଧ୍ୟ ତିନି ଜଣିଆ ଖଣ୍ଡପୀଠ ଦେଇଥିବା ରାୟରେ ପରିବର୍ତନ କରିବା ଅଧିକାର ରଖି ନଥିବାରୁ ୨୨ ତାରିଖ ମଧ୍ୟାହ୍ନ ସୁଦ୍ଧା ରଥଯାତ୍ରାକୁ ନେଇ ସଂଶୟ ଦୂର ହୋଇ ନ ଥିଲା ।
ତେବେ, ପ୍ରଭୁ ଜଗନ୍ନାଥ ଚାହୁଁ ଥିଲେ ୨୩ ତାରିଖ ପୁରୀ ବଡ଼ଦାଣ୍ଡରେ ତିନି ଠାକୁରଙ୍କ ରଥ ଗଡୁ । ସେ ତାଙ୍କ ଚମକ୍ରାର ଦେଖାଇଲେ । କୋଭିଡ଼ ନମୁନା ପରୀକ୍ଷାରେ ନେଗେଟିଭ୍ ବାହାରି ଥିବା ଶ୍ରୀମନ୍ଦିରର ସେବାୟତଙ୍କ ଦ୍ୱାରା ୨୩ ତାରିଖ ବଡ଼ଦାଣ୍ଡରେ ଭକ୍ତଶୂନ୍ୟ ରଥଟଣା ହେଉ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ପୁରୀ ଗଜପତି ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଥିବା ବୋଧହୁଏ ସରକାରଙ୍କ ଉପରେ ପ୍ରଭାବ ପକାଇଥିଲା । ୧୮ ତାରିଖ ସୁପ୍ରିମ କୋର୍ଟଙ୍କ ୧୮ ତାରିଖ ରାୟକୁ ପ୍ରଥମେ ସ୍ୱାଗତ କରିଥିବା ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ପରେ ମତ ବଦଳାଇ ରଥଯାତ୍ରା ହେବା ସପକ୍ଷରେ ଗଣମାଧ୍ୟମକୁ ଦୁଇଟି ବାଇଟ୍ ଦେଇ ଥିଲେ । ୨୨ ତାରିଖ ସକାଳ ସୁଦ୍ଧା ନିରାଶାର ଛାଇ ଥିବା ବେଳେ ହଠାତ୍ କେନ୍ଦ୍ର ସରକାର ରଥଯାତ୍ରା ମାମଲାରେ ହସ୍ତକ୍ଷେପ କରି ପୁରୀ ରଥଯାତ୍ରାରେ କେବେ ହେଲେ ୧୦ରୁ ୧୨ ଲକ୍ଷ ଜନସମାଗମ ହୁଏ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସିଙ୍ଗଲ୍ ବେଂଚ୍ ବିଚାରପତି ରବିନ୍ଦ୍ର ଭଟ୍ଟଙ୍କୁ ବୁଝାଇବାକୁ ସକ୍ଷମ ହୋଇଥିଲେ । ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରଶାସନ କୋଭିଡ କଟକଣା ମଧ୍ୟରେ ଭକ୍ତଶୂନ୍ୟ ଭାବେ ରଥଯାତ୍ରା କରିବାକୁ ଚାହୁଁ ଥିବା ଏବଂ ଚଳିତ ବର୍ଷ ରଥଯାତ୍ରା ନ ହେଲେ ଶ୍ରୀଜଗନ୍ନାଥ ପରଂପରା ଭଂଗ ହେବା ସହ ୧୨ ବର୍ଷ ପର୍ଯ୍ୟନ୍ତ ଆଉ ରଥଯାତ୍ରା ହୋଇା ପାରିବ ନାହିଁ ବୋଲି କୁହାଯାଉଥିବା ସଂପର୍କରେ ସଲିସିଟର ଜେନେରାଲ ମେହେଟ୍ଟା ବିଚାରପତି ରବିନ୍ଦ୍ର ଭଟ୍ଟଙ୍କୁ ବୁଝାଇବା ପରେ ଜଷ୍ଟିସ ଭଟ୍ଟ ତାହା ନାଗପୁରରେ ଛୁଟି କଟାଉ ଥିବା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡେଙ୍କୁ ଜଣାଇ ଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡେ ନିଜେ ସବୁ ବିଷୟ ବୁଝିବା ପରେ ୧୮ ତାରିଖ ଦିନ ତାଙ୍କ ସହ ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ବିଚାପତିଙ୍କୁ ଯୋଗାଯୋଗ କରି ଭିଡ଼ିଓ କନଫରେନସିଂ ମାଧ୍ୟମରେ ମୋଡ଼ିଫିକେସନ୍ ଆବେଦନ ସବୁ ଶୁଣାଣୀ କରି ୨୩ ତାରିଖ କେବଳ ପୁରୀ ମୂଳପୀଠରେ ରଥଯାତ୍ରା କରାଯିବାକୁ ଅନୁମୋଦନ ଦେଇ ରାୟ ପ୍ରକାଶ କରି ଥିଲେ ।
ଗଜପତିଙ୍କ କହିବା ଅନୁସାରେ, ଏହା ଥିଲା ପ୍ରଭୁ ଜଗନ୍ନାଥଙ୍କ ଏକ ବଡ଼ ପରୀକ୍ଷା । କିଏ କଣ ଜାଣିବାକୁ ସେ ଚାହୁଁଥିଲେ । ଶେଷ ପର୍ଯ୍ୟନ୍ତ ସେ ହସ୍ତକ୍ଷେପ କରି ନ ଥିଲେ । ତେବେ, ୨୨ତାରିଖ ମଧ୍ୟାହ୍ନ ସୁଦ୍ଧା ସେ ଯାହା କିଛି ଗୋଳିଆ କରି ରଖି ଥିଲେ ତାହା ଅପରାହ୍ନରେ ନିଜେ ସଜାଡି ଦେଲେ । ୨୦୧୫ରେ ହୋଇଥିବା ନବକଳେବର ସ୍ୱରୂପ ସଂପୂର୍ଣ୍ଣ ଭିନ୍ନ । ପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ପରୀକ୍ଷା ନେଉଛନ୍ତି ବୋଲି କହି ରଥଯାତ୍ରାର ଶ୍ରେୟ ବଡ଼ ଠାକୁରଙ୍କୁ ଦେଇଛନ୍ତି । ତେବେ, ରାଜ୍ୟ ସରକାର ରଥାଯାତ୍ରା ହେବା ସପକ୍ଷରେ ସୁପ୍ରିମ କୋର୍ଟଙ୍କ ୨୨ ତାରିଖ ରାୟକୁ ସ୍ୱାଗତ କରିବା ସହ ୨୩ ତାରିଖ ଶୃଙ୍ଖଳିତ ଭାବେ ରଥଯାତ୍ରା କରାଇବା ଏବଂ ରଥଯାତ୍ରା ପର ନୀତିଗୁଡିକ ମଧ୍ୟ ଶୃଙ୍ଖଳିତ ଭାବେ କରାଇବାକୁ ସମସ୍ତ ପଦକ୍ଷେପ ନେଇଥିବା ସ୍ୱାଗତଯୋଗ୍ୟ । ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ରଥ ଦକ୍ଷିଣ ମୋଡ ନେଇ ସାରିଛି । ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ବାହୁଡିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ପୁରୀରେ ୩୦ ତାରିଖ ରାତିରୁ ସରକାର କର୍ଫ୍ୟୁ ଜାରି କରି ବାହୁଡା ଯାତ୍ରା ପାଇଁ ପଦକ୍ଷେପ ନେଲେଣି । ଦୁଇ ମାସ ଆଗରୁ ଯଦି ସରକାର ଏଭଳି ତତ୍ପରତା ଦେଖାଇ ରଥଯାତ୍ରା ନିଷ୍ପତ୍ତି ନେଇ ଥା’ନ୍ତେ ତାହା ହେଲେ ସବୁ କାର୍ଯ୍ୟ ସୁରୁଖୁରରେ ହୋଇଥା’ନ୍ତା ଏବଂ ପୁରୀ ଗଜପତିଙ୍କୁ ମିଡ଼ିଆ ସାମନାକୁ ଆସି କ୍ଷୋଭ ପ୍ରକାଶ କରିବାକୁ ପଡି ନ ଥା’ନ୍ତା । ଚକା ଭଉଁରୀ ଖେଳିବା ଭଳି ରାଜ୍ୟ ସରକାର ଶ୍ରୀଜଗନ୍ନାଥଙ୍କ ସହ ଖେଳିଲେ ସିନା ବଦନାମ ହେବା ଛଡା ଆଉ କିଛି ପାଇଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାମାନେ ଏହି ଅଭିଜ୍ଞତାରୁ କିଛି ଶିଖିବେ ବୋଲି ଆମେ ଆଶା କରୁଛୁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS