ୟୁପିରେ ଝୁଲା ବିଧାନସଭା ହେଲେ ଅଣ-ବିଜେପି ସରକାର ଗଠନରେ ‘ଆପ୍’ ସହାୟକ ହେବ ?


ପ୍ରସାଦ ରାଓ
ଫେବୃୟାରୀ ୨୨
ୟୁପିରେ ଯଦି ଝୁଲା ବିଧାନସଭା ହୁଏ ତେବେ ନିର୍ବାଚନ-ପର ବୁଝାମଣାରେ ସାମିଲ ହେବାକୁ ‘ଆମ୍ ଆଦମୀ ପାର୍ଟି’ ପ୍ରସ୍ତୁତ ଥବା ଦଳର ମୁଖ୍ୟ ତଥା ଜାତୀୟ ଆବାହକ ଅରବିନ୍ଦ କେଜରୀୱାଲ କହିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଶାସକ ବିଜେପିକୁ କ୍ଷମତାଠାରୁ ଦୂରେଇବା ପାଇଁ ତାଙ୍କ ଦଳ ଅନ୍ୟମାନଙ୍କ ସହ ନିର୍ବାଚନ ପରବର୍ତ୍ତୀ ବୁଝାମଣାରେ ସାମିଲ ହେବ । ସୋମବାର ଦିନ ଲକ୍ଷ୍ନୌଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି । କେଜରୀୱାଲ କହିଛନ୍ତି, ୟୁପିରେ ଯଦି ଝୁଲା ବିଧାନସଭା ହୁଏ ‘ଆପ୍’ ବିଜେପି ବିରୋଧୀ ମେଂଟ ସରକାରରେ ସାମିଲ ହୋଇ ରାଜ୍ୟବାସୀଙ୍କୁ ଦେଉଥିବା ସମସ୍ତ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବ । ତେଣୁ, ୟୁପି ଭୋଟର ନିଃସଂକୋଚରେ ‘ଆପ୍’ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ । ପଂଜାବର ବିଚ୍ଛିନ୍ନତାବାଦୀ ଶକ୍ତିଙ୍କ ସହ ତାଙ୍କର ସଂପର୍କ ରହିଛି ବୋଲି ଯେଉଁ ଅଭିଯୋଗ ହୋଇଛି, ତାହାର ଉତ୍ତରରେ କେଜରୀୱାଲ କହିଛନ୍ତି, ଗାଜିଆବାଦର ଜଣେ କବି ସ୍ୱପ୍ନରେ ଦେଖିଛନ୍ତି ଯେ କେଜରୀୱାଲ ଜଣେ ଆତଙ୍କବାଦୀ । ତେଣୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ‘ର’, ଏନଆଇଏ, ସିବିଆଇ ଓ ଇଡ଼ି ଭଳି ଜାତୀୟ ଅପରାଧ ଅନୁସଂଧାନ ସଂସ୍ଥାଙ୍କ ଉପରେ ନିର୍ଭର ନକରି ଓ ସେମାନଙ୍କୁ ହଟାଇ ଏହି କବିଙ୍କୁ ନିଯୁକ୍ତି ଦେବା ଆବଶ୍ୟକ । ଏହି କବି କହି ପାରୁଛନ୍ତି କିଏ ଆତଙ୍କବାଦୀ ଓ କିଏ ନୁହଁ । ଯେଉଁ ହିନ୍ଦି ବ୍ୟଂଗ କବିଙ୍କୁ ନେଇ କେଜରୀୱାଲ ଏଭଳି ଟିପ୍ପଣୀ କରିଛନ୍ତି ସେ ହେଉଛନ୍ତି ‘ଆପ୍’ର ଜଣେ ପୂର୍ବତନ ସହଯୋଗୀ କବି କୁମାର ବିଶ୍ୱାସ । ଖାଲିସ୍ଥାନୀ ବିଚ୍ଛନ୍ନତାବାଦୀ ସଂଗଠନ ଏସଜେଏଫ ସହ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସଂପର୍କ ରହିଛି, ପଂଜାବରେ ବିଭାଜନ ଘଟି ଯଦି ସ୍ୱତନ୍ତ୍ର ଖାଲିସ୍ଥାନ ରାଷ୍ଟ୍ର ପ୍ରତିଷ୍ଠା ହୁଏ ତେବେ ସେ ତାହାର ପ୍ରଥମ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ଅତୀତରେ କେବେ କାଳେ କେଜରୀୱାଲ ତାଙ୍କୁ କହିଥିଲେ ବୋଲି ପଂଜାବରେ ବିଧାନସଭା ପାଇଁ ମତଦାନ ହେବାର ଠିକ୍ ପୂର୍ବରୁ ବ୍ୟଂଗ କବି କୁମାର ବିଶ୍ୱାସ ଏକ ଭିଡ଼ିଓ ଜାରି କରିଥିଲେ । ଏହି ଭିଡ଼ିଓକୁ ଆଧାର କରି କଂଗ୍ରେସ ଓ ବିଜେପି କେଜରୀୱାଲଙ୍କୁ ଘେରିବାରୁ ନିର୍ବାଚନ ରାଜନୀତି ସରଗରମ ରହିଛି । ବିଶ୍ୱାସ ଏଭଳି ଅଭିଯୋଗ ଆଣିଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କେନ୍ଦ୍ର ସରାରଙ୍କ ଗୃହ ମନ୍ତ୍ରଣାଳୟ ବ୍ୟଂଗ କବିଙ୍କୁ ‘ୱାଇ’ କାଟାଗୋରୀ ସୁରକ୍ଷା ଦେଇଥିବା ବେଳେ ପଂଜାବର କଂଗ୍ରେସ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚନ୍ନିଙ୍କ ଚିଠିକୁ ଭିତ୍ତି କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ଅଭିଯୋଗର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପିର ବରିଷ୍ଠ ନେତାମାନେ ୟୁପି ନିର୍ବାଚନରେ ଏହାକୁ ଏକ ବଡ଼ ପ୍ରସଙ୍ଗ କରିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରୟଙ୍କା ଗାନ୍ଧୀ ମଧ୍ୟ ସେଥିରେ ସ୍ୱର ମିଳାଇଛନ୍ତି । ଏଭଳି ସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଅଭିଯୋଗକୁ ଖଣ୍ଡନ କରିବା ସହ ଦିଲ୍ଲୀବାସୀଙ୍କୁ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଓ ପରିବହନ ସୁବିଧା ଯୋଗାଇ ଦେଉଥିବା ସେ ହେଉଛନ୍ତି ଜଣେ ‘ସ୍ୱିଟ୍ ଆତଙ୍କବାଦୀ’ ବୋଲି ନିଜକୁ କଟାକ୍ଷ କରିଛନ୍ତି । କୁମାର ବିଶ୍ୱାସଙ୍କ ଭିଡ଼ିଓ ଆଧାରରେ ବିଜେପି ଓ କଂଗ୍ରେସ ‘ଆପ୍’ ମୁଖ୍ୟ କେଜରୀୱାଲଙ୍କୁ ବଡ଼ ଆତଙ୍କବାଦୀ ବୋଲି ବର୍ଣ୍ଣନା କରୁଥିବା, ନିକଟରେ ସରିଥିବା ପଂଜାବ ବିଧାନସଭା ନିର୍ବାଚନ ଏବଂ ବର୍ତ୍ତମାନ ଚାଲି ଥିବା ୟୁପି ବିଧାନସଭା ନିର୍ବାଚନରେ ତାହା ଉଭୟ ଦଳର ବଡ ନିର୍ବାଚନ ପ୍ରସଙ୍ଗ ହୋଇଥିବା ବେଳେ କେଜରୀୱାଲ କହିଛନ୍ତି, କଂଗ୍ରେସ ଓ ବିଜେପି ଦୀର୍ଘ ୭୦ ବର୍ଷ ହେଲା ଶାସନରେ ଥିବାରୁ ସେମାନେ ଦେଶବାସୀଙ୍କ ଉନ୍ନତି ପାଇଁ କଣ କାମ କରିଛନ୍ତି ତାହା ଜନସାଧାରଣରେ ଉପସ୍ଥାପନ ନକରି ‘କେଜରୀୱାଲ ଜଣେ ଆତଙ୍କବାଦୀ’ କହି ଭୋଟ ମାଗୁ ଥିବା ଲଜ୍ୟାର ବିଷୟ । ପ୍ରଧାନମନ୍ତ୍ରୀ ମୋଦୀ ଗତ ରବିବାର ଦିନ ସମାଜବାଦୀ ପାର୍ଟିର ନିର୍ବାଚନୀ ଚିହ୍ନ ‘ସାଇକଲ’କୁ କଟାକ୍ଷ୍ୟ କରିବାକୁ ଯାଇ ‘ଯେଉଁମାନେ ସାଇକଲ ଚଳାଉଛନ୍ତି ସେମାନେ ଆତଙ୍କବାଦୀ’ ବୋଲି ଏକ ତାଙ୍କ ନିର୍ବାଚନୀ ଭାଷଣରେ ମନ୍ତବ୍ୟ ଦେଇଥିଲେ । ଏହା ସାଇକଲ ଚଳାଉ ଥିବା ସମସ୍ତଙ୍କ ପାଇଁ ଅପମାନସୂଚକ ବୋଲି ‘ଆପ୍’ ମୁଖ୍ୟ କହିଛନ୍ତି । ପ୍ରଥମେ ତିନି ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ଥିବା ଚାଷୀଙ୍କୁ ସରକାର ଆତଙ୍କବାଦୀ କହିଲେ । ଏବେ, ସାଇକଲ ଚଲାଉ ଥିବା ଲୋକଙ୍କୁ କହିଲେଣି ଆତଙ୍କବାଦୀ । ଏହାଠାରୁ ଅଧିକ ଦୁଃଖଦାୟକ କଣ ହୋଇ ପାରେ (?) ବୋଲି କେଜରୀୱାଲ ପ୍ରଶ୍ନ କରିଛନ୍ତି । କେଜରୀୱାଲ ‘ଆପ୍’ ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନ ପ୍ରଚାର ପାଇଁ ଲକ୍ଷ୍ନୌ ଗସ୍ତରେ ଯାଇଥିବା ଅବସରରେ ଏହି ଜନସଭା କରିଥିଲେ । ପଂଜାବ ବିଧାନସଭା ନିର୍ବାଚନ ୨୦ ତାରିଖ ସରିଛି । ୟୁପିରେ ଚାଲିଥିବା ସାତ ପର୍ଯ୍ୟାୟ ବିଧାନସଭା ନିର୍ବାଚନରୁ ତିନିଟି ପର୍ଯ୍ୟାୟ ସରିଲାଣି । ଫେବୃୟାରୀ ୨୩, ୨୭, ମାର୍ଚ୍ଚ ୩ ଓ ୭ରେ ବାକି ଚାରି ପର୍ଯ୍ୟାୟ ଭୋଟ ସରିବ ମାର୍ଚ୍ଚ ୧୦ରେ ଫଳାଫଳ ଘୋଷଣା ହେବ । ଅନ୍ତତଃ ମାର୍ଚ୍ଚ ୭ ପର୍ଯ୍ୟନ୍ତ ‘ଆତଙ୍କବାଦ’ ଯେ ୟୁପି ରାଜନୀତିର କେନ୍ଦ୍ରବିନ୍ଦୁ ରହିବ, ଏଥିରେ କିଛି ସନ୍ଦେହ ନାହିଁ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS