ରାଜ୍ୟପାଳଙ୍କୁ ନେଇ ବିବାଦ, ଓଡ଼ିଶା ଥିଲା ବ୍ୟତିକ୍ରମ..
ପ୍ରସାଦ ରାଓ
ଜାନୁଆରୀ ୧୬/୨୩
ଦେଶର ଅଧିକାଂଶ ଅଣ-ବିଜେପି ଶାସିତ ରାଜ୍ୟ, ବିଶେଷକରି ଦକ୍ଷିଣ ଭାରତୀୟ ରାଜ୍ୟରେ ନିଯୁକ୍ତ ରାଜ୍ୟପାଳମାନେ ବିଭିନ୍ନ କାରଣରୁ ଦୀର୍ଘ ଦିନ ହେଲା ବିବାଦୀୟ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି । ବିବାଦୀୟ ରାଜ୍ୟପାଳଙ୍କ ମଧ୍ୟରେ ଅଛନ୍ତି ତାମିଲନାଡୁ ରାଜ୍ୟପାଳ ଆର.ଏନ.ରବି, ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦାରାଜନ ଓ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ । ତାମିଲନାଡୁ ରାଜ୍ୟପାଳ ରବିଙ୍କ ବିରୋଧରେ ଅଭିଯୋଗ ହେଉଛି, ରାଜ୍ୟ ସରକାର ଜନକଲ୍ୟାଣ ଉଦ୍ଦେଶ୍ୟରେ ବିଧାନସଭାରେ ଗୃହୀତ କରାଇ ଥିବା ଅଧିକାଂଶ ବିଧେୟକକୁ ରାଜ୍ୟପାଳ ଦବାଇ ବସିଛନ୍ତି । ବିଧେୟକଗୁଡିକୁ ସେ ସ୍ୱୀକୃତି ଦେଉ ନାହାନ୍ତି ବା ଖାରଜ କରି ରାଜ୍ୟ ସରକାରଙ୍କ ନିକଟକୁ ଫେରାଇ ଦେଉ ନାହାନ୍ତି । ପରାମର୍ଶ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ମଧ୍ୟ ସେସବୁ ବିଲ୍ ପଠାଯାଉ ନାହିଁ । ଫଳରେ, ରାଜ୍ୟ ସରକାର ତାମିଲନାଡୁବାସୀଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ଯାହା କରିବାକୁ ଚାହୁଁଛନ୍ତି, କରିପାରୁ ନାହାନ୍ତି । ରାଜ୍ୟପାଳ ରବି ତାମିଲନାଡୁ (ତାମିଲଙ୍କ ଦେଶ)ର ନାମ ବଦଳାଇ ‘ଥାମିଝାଗମ’ (ତାମିଲଙ୍କ ବାସସ୍ଥାନ) କରିବାକୁ ପ୍ରସ୍ତାବ ରଖିବା ଏବଂ ‘ଥାମିଝାଗମ ରାଜ୍ୟପାଳ’ ଭାବେ ଚିଠି ଲେଖିବା ମଧ୍ୟ ତାଙ୍କୁ ଅଧିକ ବିବାଦୀୟ କରିଛି ।
ନିକଟରେ, ତାମିଲନାଡୁ ରାଜ୍ୟପାଳ ରବି ବିଧାନସଭାରେ ଡ଼ିଏମକେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବିବରଣୀରେ କିଛି ପରିବର୍ତ୍ତନ କରି ପାଠ କରିବା ଏବଂ ବିବରଣୀରୁ କିଛି ଅଂଶକୁ ବାଦ୍ ଦିଆଯିବା ରାଜ୍ୟପାଳ ରବିଙ୍କ ସହ ରାଜ୍ୟ ସରକାରଙ୍କ ସଂପର୍କକୁ ଅଧିକ ତୀକ୍ତ କରିଛି । ସରକାରଙ୍କ ଦ୍ୱାରା ପ୍ରସ୍ତୁତ ମୂଳ ବିବରଣୀ ହିଁ ବିଧାନସଭା ରେକର୍ଡରେ ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଘୋଷଣା ପରେ ରାଜ୍ୟପାଳ ରବି ଯେଭଳି ଭାବେ ବିଧାନସଭାରୁ ପଳାଇଲେ ତାହା ଆଉ ଏକ ସାମ୍ବିଧାନିକ ସଂକଟ ସୃଷ୍ଟି କରିଛି । ରାଜ୍ୟପାଳ ରବିଙ୍କ ଡ଼ିଏମକେ ସରକାର ବିରୋଧୀ ଆଭିମୁଖ୍ୟ କାରଣରୁ ରାଜ୍ୟରୁ ତାଙ୍କୁ ବହିଷ୍କାର କରାଯିବା ଦାବି ଅଧିକ ଜୋରଦାର ହୋଇଛି । ‘ରବି ତୁମେ ଫେରିି ଯାଅ’ ପୋଷ୍ଟର ଚେନ୍ନାଇ ସମେତ ବିଭିନ୍ନ ଅଂଚଳରେ ଛାଇ ଯାଇଥିବା ବେଳେ ନିକଟରେ ଡ଼ିଏମକେର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରାଜ୍ୟପାଳଙ୍କ ବରଖାସ୍ତ ଦାବି କରିଛନ୍ତି ।
ତେଲେଂଗାନାରେ ମଧ୍ୟ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ସରକାର ସହ ସେଠାକାର ରାଜ୍ୟପାଳ ତାମିଲସାଇ ସୌନ୍ଦାରାଜନ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ରାଜ୍ୟପାଳ ତାମିଲସାଇ କେନ୍ଦ୍ରରେ କ୍ଷମତାରେ ଥିବା ଦଳ ବିଜେପିର ଏଜେଂଟ୍ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଟିଆରଏସ୍ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ବୋଲି ଟିଆରଏସ୍ ସରକାର ଅଭିଯୋଗ କରୁଥିବା ବେଳେ ରାଜ୍ୟପାଳ ସରକାର ଅସଭ୍ୟ ଆଚରଣରୁ ଦୂରେଇ ରହି ଅଧିକ ସଂସ୍କୃତି ସଂପନ୍ନ ହେବା ଉଚିତ ବୋଲି ଟ୍ୱିଟ୍ କରିବା କେସିଆର ସରକାର ଓ ରାଜ୍ୟପାଳ ତାମିଲସାଇଙ୍କ ମଧ୍ୟରେ ରହିଥିବା ତୀକ୍ତତାକୁ ଅଧିକ ଉଜାଗର କରିଛି । ଚଳିତ ବର୍ଷ ତେଲେଂଗାନାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ସମୟରେ ରାଜ୍ୟପାଳ ତାମିଲସାଇଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ରାଜ୍ୟରେ ଟିଆରଏସକୁ କ୍ଷମତାଚ୍ୟୁତ କରି ବିଜେପିକୁ କ୍ଷମତାସୀନ କରିବା ପାଇଁ ବିଜେପି ଓ ଆରଏସଏସର ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ନିକଟରେ ଟିଆରଏସକୁ ‘ବିଆରଏସ୍’ (ଭାରତ ରାଷ୍ଟ୍ର ସମିତି) ନାମକରଣ କରିଥିବା ଦଳର ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଆଶଙ୍କା ବ୍ୟକ୍ତ କରିଛନ୍ତି ।
କେରଳରେ ବାମପନ୍ଥୀ ସରକାର ରହିଛି । ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ଓ ରାଜ୍ୟପାଳ ଅରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଉପୁଜି ଥିବା ବିବାଦ ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ରହି ଆସିଛି । ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଚରମରେ ଥିଲା । ରାଜ୍ୟପାଳ ବିଶ୍ୱବିଦ୍ୟାଳୟ କୁଳାଧିପତି ଭାବେ କ୍ଷମତା ଜାହିର କରିଥିବା ବେଳେ ରାଜ୍ୟ ସରକାର କୁଳପତି ନିଯୁକ୍ତି କ୍ଷମତା ହାତକୁ ନେବାକୁ ପ୍ରୟାସ କରି ବିଧେୟକ ଗୃହୀତ କରାଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ତେବେ, ସିଏଏ (ନାଗରିକତା ସଂଶୋଧନ ଆଇନ)କୁ ନେଇ କେରଳର ବିଜୟନ ସରକାରଙ୍କ ସହିତ ସୃଷ୍ଟି ହୋଇଥିବା ତୀକ୍ତତାର ଇତିମଧ୍ୟରେ ପରିସମାପ୍ତି ଘଟିଛି ବୋଲି ରାଜ୍ୟପାଳ ଅରିଫ ମହମ୍ମଦ ଖାନ ରବିବାର (୧୫ ତାରିଖ) ଦିନ ଆରଏସଏସ୍ ପତ୍ରିକା ‘ପଂଚଜନ୍ୟ’ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି । ସେ କହିଛନ୍ତି, କେରଳ ରାଜ୍ୟପାଳ ଭାବେ ସେ ଦାୟିତ୍ୱ ନେବା ସମୟରେ ସିଏଏ ଆସିଲା ଏବଂ ତାହାକୁ ସମର୍ଥନ ଦେବା ତାଙ୍କ ମୌଳିକ ଓ ସାମ୍ବିଧାନକ ଦାୟିତ୍ୱ ଥିଲା । ରାଜ୍ୟର ବାମପନ୍ଥୀ ସରକାର ସିଏଏକୁ ବିରୋଧ କରୁଥିବାରୁ ବିବାଦର ସୂତ୍ରପାତ ହୋଇଥିଲା । ସମ୍ବିଧାନ ଓ ଆଇନ ବ୍ୟବସ୍ଥାକୁ ସୁରକ୍ଷା ଦେବା ତାଙ୍କ ସାମ୍ବିଧାନିକ ଦାୟିତ୍ୱ ଥିବାରୁ ତାହା ଉପରେ ଆଂଚ ଆସିଲେ ସେ ବରଦାସ୍ତ କରିବେ ନାହିଁ ବୋଲି ଖାନ କହିଛନ୍ତି ।
କେବଳ, ଏହି ତିନି ଦକ୍ଷିଣ ଭାରତୀୟ ରାଜ୍ୟ ନୁହେଁ, ଅଣ-ବିଜେପି ଶାସିତ ଅନ୍ୟ ରାଜ୍ୟରେ ମଧ୍ୟ ରାଜ୍ୟପାଳ-ରାଜ୍ୟ ସରକାର ବିବାଦ ଓ ତୀକ୍ତତା ଚର୍ଚ୍ଚାରେ ରହିଛି । ଝାଡଖଣ୍ଡ, ରାଜସ୍ଥାନ, ଛତିଶଗଡ଼ରେ ରାଜ୍ୟପାଳମାନେ କେନ୍ଦ୍ର ସରକାରଙ୍କ ଏଜେଂଟ୍ ଭାବେ କାର୍ଯ୍ୟ କରୁଥିବା ଓ ସେସବୁ ରାଜ୍ୟରେ କ୍ଷମତାରେ ଥିବା ସରକାରଙ୍କୁ ଅସ୍ଥିର କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇ ଆସୁଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିଆରୀ ବିଜେପି, ଆରଏସଏସର ଜଣେ ସଚ୍ଚା ସେବକ ଭାବେ ନିଜକୁ ପ୍ରତିପାଦିତ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସିଂଗ ଲଢେଇରେ ଲିପ୍ତ ଥିଲେ । ବର୍ତ୍ତମାନର ରାଜ୍ୟରେ ଶିବସେନାର ସିନ୍ଧେ ଗୋଷ୍ଠୀ ଓ ବିଜେପିର ମିଳିତ ସରକାର ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ରହିଛନ୍ତି । ଅତୀତରେ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟର ରାଜ୍ୟପାଳ ଥିବା ବର୍ତ୍ତମାନର ଉପ ରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମଧ୍ୟରେ ସଂପର୍କ ମାତ୍ରାଧିକ ତୀକ୍ତ ଥିଲା । ଉପ ରାଷ୍ଟ୍ରପତି ନିର୍ବାଚନ ଲଢିବା ପୂର୍ବରୁ ସେ ଆସାମ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ମମତାଙ୍କ ସହ ବୁଝାମଣା କରିଥିବା ଆଲୋଚନା ହେଉଛି ।
ତେବେ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହେଉଛନ୍ତି ଏକ ବ୍ୟତିକ୍ରମ । ୨୦୧୮ରେ ସେ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ । ଆସନ୍ତା ମେ’ ମାସରେ ତାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ଓଡ଼ିଶାରେ ପାଂଚ ବର୍ଷ କାର୍ଯ୍ୟକାଳ ଭିତରେ ସେ ନିଜକୁ ଜଣେ ‘ନିର୍ବିବାଦୀୟ’ ରାଜ୍ୟପାଳ ଭାବେ ପ୍ରତିଷ୍ଠା କରିଛନ୍ତି । ରାଜ୍ୟରେ ଲଗାତର ୨୨ ବର୍ଷରୁ ଅଧିକ ସମୟ ହେଲା କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡ଼ି) ସମେତ ସବୁ ରାଜନୈତିକ ଦଳ ସହ ସର୍ବଦାତାଙ୍କ ସଂପର୍କ ସୌହାର୍ଦ୍ଧ୍ୟପୂର୍ଣ୍ଣ ରହିଛି । ପ୍ରଫେସର ଗଣେଶୀ ଲାଲ ଜଣେ ବାଗ୍ନୀ, ଅତ୍ୟନ୍ତ ଭଦ୍ର ଓ ସୁଶୀଳ । ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଜନଜୀବନ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ତାଙ୍କ ବିଶେଷ ଆଗ୍ରହ ଓ ଅଗାଧ ଜ୍ଞନ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ସମ୍ମାନସ୍ପଦ କରିଛି । ତେବେ, ନିକଟରେ ସେ ଦେଇଥିବା ଏକ ପ୍ରସ୍ତାବ ସ୍ଥିର ଜଳରେ ଗୋଡିଟିଏ ଫିଙ୍ଗିଲା ଭଳି ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଛି ।
ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ଆରାଧ୍ୟ ଦେବତା । କେବଳ ଓଡ଼ିଶା ବା ଓଡ଼ିଆଙ୍କ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ମହିମା ସୀମିତ ନାହିଁ, ସମଗ୍ର ବିଶ୍ୱକୁ ତାହା କବଳିତ କରି ରଖିଛି । ତେଣୁ, ଶ୍ରୀଜଗନ୍ନାଥଙ୍କୁ ବିଶ୍ୱର ଠାକୁର ବିବେଚନା କରାଯାଏ । କେବଳ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ପୂଜାପାର୍ବଣ ସମୟରେ ନୁହେଁ, ବର୍ଷର ବାର ମାସ ପୁରୀ ବଡଦାଣ୍ଡରେ ଦେଶୀ, ବିଦେଶୀ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ କୌଣସି କଟକଣା ନଥିଲେ ମଧ୍ୟ ଅଣ-ହିନ୍ଦୁ ଭକ୍ତ ଓ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ନିଷିଦ୍ଧ ରହି ଆସିଛି । ତେଣୁ, ଅଣ-ହିନ୍ଦୁ ଏବଂ ବିଦେଶୀ ଭକ୍ତ ବା ପର୍ଯ୍ୟଟକ ମନ୍ଦିର ବାହାରୁ ଠାକୁର ଦର୍ଶନ କରିଥା’ନ୍ତି । କେବଳ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଅବସରରେ ସେମାନଙ୍କୁ ତିନି ଠାକୁରଙ୍କ ସିଧାସଳଖ ଦର୍ଶନ ମିଳିଥାଏ । ଶହ ଶହ ବର୍ଷ ଧରି ଏହି ବିଧି ବିଧାନ ଚାଲି ଆସିଛି । ରାଜ୍ୟପାଳ ଗଣେଶୀ ଲାଲ ଶ୍ରୀଜଗନ୍ନାଥଙ୍କ ଜଣେ ପରମ ଭକ୍ତ । ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କ ପ୍ରଗାଢ ଜ୍ଞାନ ରହିଛି । ରାଜ୍ୟପାଳ ସବୁ ଜାଣି ପୁରୀ ଶ୍ରୀମନ୍ଦିରରେ ବିଦେଶୀଙ୍କୁ ପ୍ରବେଶ ଅନୁମତି ମିଳିବା ସପକ୍ଷରେ ଯୁକ୍ତି ରଖିବା ସ୍ଥିର ଜଳରେ ଟେକା ଫିଙ୍ଗିଲା ଭଳି ହୋଇଛି ।
ବର୍ଷ ବର୍ଷ ଧରି ପୁରୀ ଧାମ ଓ ଶ୍ରୀଜଗନ୍ନାଥଙ୍କ ଉପରେ ନିଜର ଏକଚାଟିଆ ଅଧିକାର ସାବ୍ୟସ୍ତ କରି ଆସୁଥିବା ସେବାୟକ ଓ ଅନ୍ୟମାନେ ଓଡ଼ିଶା ରାଜ୍ୟପାଳଙ୍କ ପ୍ରସ୍ତାବରେ ସହମତ ନଥିବା ବେଳେ ରାଜ୍ୟପାଳଙ୍କ ଯୁକ୍ତି ହେଉଛି, ବିଦେଶୀ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ଦେବା ସହ କଳା ଠାକୁର ଶ୍ରୀଜଗନ୍ନାଥଙ୍କ ଆଖିରେ ଆଖି ମିଳାଇବା ସୁଯୋଗ ମିଳିବା ଆବଶ୍ୟକ । ଏହାଦ୍ୱାରା, ଶ୍ରୀଜଗନ୍ନାଥ ସଂସ୍କୃତି ଅଧିକ ବ୍ୟାପୃତ ହେବ ଏବଂ ପୁରୀ ଆସୁଥିବା ବିଦେଶୀ ଭକ୍ତମାନେ ମଧ୍ୟ ସିଧାସଳଖ ସେମାନଙ୍କ ଭକ୍ତିଭାବ ଅର୍ପଣ କରିବାର ସୁଯୋଗ ପାଇବେ । ପୁରୀ ଆସୁଥିବା ବିଦେଶୀ ଭକ୍ତମାନେ ଯଦି ମନ୍ଦିର ସେବାୟତ, ପୁରୀ ଗଜପତି ମହାରାଜା ଓ ପୁରୀ ଗୋବଦ୍ଧନ ମଠ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ପାରୁଛନ୍ତି ଶ୍ରୀମନ୍ଦିରରେ ପ୍ରବେଶ କରିବା ଓ ମନ୍ଦିର ଗର୍ଭଗୃହକୁ ଯାଇ କଳା ଠାକୁରଙ୍କୁ ଦର୍ଶନ କରିବାରେ ଅସୁବିଧା ରହିଲା କେଉଁଠି ? ବିଦେଶୀ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ମିଳିଲେ ଅଧିକରୁ ଅଧିକ ସଂଖ୍ୟାରେ ବିଦେଶୀ ପୁରୀ ଆସିବେ ଓ ପର୍ଯ୍ୟଟନ ଶିଳ୍ପ ମଧ୍ୟ ବଢିବ ।
ନିକଟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ବୌଦ୍ଧିକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ ଏହି ସ୍ପର୍ଶକାତର ପ୍ରସଙ୍ଗ ଉଠାଇ ବିରୁଡି ବସାରେ ହାତ ମାରିଛନ୍ତି । ଏହା ରାଜ୍ୟପାଳଙ୍କ ସାମୟିକ ଭାବାବେଗ ନଥିଲା, ଏକ ସୁଚିନ୍ତିତ ମତ ଥିଲା – ତାହା ପରବର୍ତ୍ତୀ ସମୟରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପୃଷ୍ଟି କରିଥିବା ସୂଚନା ମିଳିଛି । ରାଜ୍ୟପାଳଙ୍କ ଏଭଳି ଏକ ପ୍ରସ୍ତାବକୁ ଶ୍ରୀମନ୍ଦିର ସେବାୟତମାନେ ବିରୋଧ କରୁଥିବା ବେଳେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ରାଜ୍ୟପାଳଙ୍କ ଆଡୁ କୌଣସି ଲିଖିତ ପ୍ରସ୍ତାବ ମିଳି ନାହିଁ କହି କଥାକୁ ଟାଳି ଦେଇଛନ୍ତି । ରାଜ୍ୟ ସରକାର ମଧ୍ୟ ମାପିଚୁପି ବକ୍ତବ୍ୟ ରଖୁଛନ୍ତି । ଅପରପକ୍ଷରେ, ବିଜେପିରେ ଏକପ୍ରକାର କୋଣଠେସା ହୋଇ ରହିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ବକ୍ତବ୍ୟ ରଖି ସେ ସେବାୟତଙ୍କ ସହ ଏକମତ ବୋଲି କହିଛନ୍ତି । ଅନ୍ୟତମ ବିଜେପି ନେତା (ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା) ଜୟ ନାରାୟଣ ମିଶ୍ର ମଧ୍ୟ ପୁରୀ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ଆଡକୁ କଥା ଠେଲି ଦେଇଛନ୍ତି । ରାଜ୍ୟପାଳଙ୍କ ପ୍ରସ୍ତାବକୁ ନେଇ ରାଜ୍ୟ କଂଗ୍ରେସରେ ଭିନ୍ନମତ ଥିବା ଦେଖିବାକୁ ମିଳୁଛି ।
ତେବେ, ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ଗବେଷକମାନେ କହୁଛନ୍ତି, ଅଣ-ହିନ୍ଦୁ, ବିଦେଶୀ ଭକ୍ତ ଓ ପର୍ଯ୍ୟଟକମାନେ ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉମାନଙ୍କ ସିଧାସଳଖ ଦର୍ଶନ ପାଉ ଥିବାରୁ ବର୍ଷ ତମାମ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତିର କି ଆବଶ୍ୟକତା ବା ରହିଛି ? ଏଠାରେ ଉଲ୍ଲେଖନୀୟ ଯେ, ୧୯୮୪ରେ ଦେଶର ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଗାନ୍ଧୀ ଅଣ-ହିନ୍ଦୁଙ୍କୁ ବିବାହ କରିଥିବାରୁ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇ ନଥିଲେ । ମନ୍ଦିର ନିକଟରେ ଥିବା ରଘୁନନ୍ଦନ ଲାଇବ୍ରେରୀରୁ ସେ ଶ୍ରୀଜୀଉଙ୍କ ଦର୍ଶନ କରି ଫେରିବାକୁ ବାଧ୍ୟ ହୋଇଥିଲେ । ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ପରାମର୍ଶଦାତା ଥିବା ପ୍ୟାରିମାହନ ମହାପାତ୍ର ମଧ୍ୟ ଶ୍ରୀମନ୍ଦିରରେ ଅଣ-ହନ୍ଦୁ ଭକ୍ତଙ୍କ ପ୍ରବେଶ ଅନୁମତି ସପକ୍ଷରେ ପ୍ରସ୍ତାବ ଦେଇ ବିରୋଧର ସମ୍ମୁଖୀନ ହୋଇଥିଲେ । ଓଡ଼ିଶାରେ ଆଉ ମାତ୍ର ପାଂଚ ମାସ କାର୍ଯ୍ୟକାଳ ଥିବା ରାଜ୍ୟପାଳ ଗଣେଶୀ ଲାଲ ହଠାତ ଶ୍ରୀମନ୍ଦିରେ ବିଦେଶୀଙ୍କ ପ୍ରବେଶ ଅନୁମତି ପ୍ରସଙ୍ଗ ଉଠାଇ ବିବାଦୀୟ ହେବାର ରହସ୍ୟ କଣ ହୋଇପାରେ !
୨୦୨୪ରେ ରାଜ୍ୟରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଓଡ଼ିଶା ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରି ନିଜର ବିସ୍ତାର ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବା ସହ ତାହାକୁ ଅମଳ କରିବା ଆରମ୍ଭ କରି ଦେଇଛି । ଓଡ଼ିଶାରେ ‘ହିନ୍ଦୁତ୍ୱ’ ରାଜନୀତିର ପ୍ରଭାବ ନଥିବା ବିଜେପି ଭଲରେ ଜାଣେ । ତେବେ, ପୁରୀ ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ରାଜ୍ୟବାସୀ ସଂବେଦନଶୀଳ, ଏହା କାହାରିକୁ ଅଛପା ନାହିଁ । ଗଲା ଚାରି ବର୍ଷରୁ ଅଧିକ ସମୟ ହେଲା ରାଜ୍ୟପାଳ ଗଣେଶୀ ଲାଲ ନିଜକୁ ରାଜନୈତିକ ବିବାଦରୁ ଦୂରେଇ ରଖି ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ଜୟ କରିଛନ୍ତି । କାର୍ଯ୍ୟକାଳ ସରିବାକୁ ମାତ୍ର କିଛି ମାସ ଥିବା ବେଳେ ସେ ପୁରୀ ଶ୍ରୀମନ୍ଦିର ଭଳି ଏକ ସଂବେଦନଶୀଳ ପ୍ରସଙ୍ଗ ଉଠାଇ ବିତର୍କକୁ ଚାଲି ଆସିବା ପଛରେ ବିଜେପି-ଆରଏସଏସର କିଛି ସୁଚିନ୍ତିତ ରାଜନୀତି ନାହିଁ ତ ? ଆଜି ଦିନରେ ଓଡ଼ିଶାବାସୀଙ୍କ ମନରେ ଏଭଳି ଏକ ପ୍ରଶ୍ନ ଉଠିବା କିଛି ଅସ୍ୱାଭାବିକ ନୁହେଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS