ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ନିର୍ବାଚନ ଫେବୃୟାରୀ ୧୬ ଓ ୨୭ରେ
ପ୍ରସାଦ ରାଓ
ଜାନୁଆରୀ ୧୮/୨୩
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ତିନିଟି ଉତ୍ତର ପୂର୍ବାଂଚଳ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତ୍ରିପୁରାରେ ଫେବୃୟାରୀ ୧୬ ତାରିଖ ଭୋଟ ହେବାକୁ ଘୋଷିତ ହୋଇଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ପାଇଁ ଫେବୃୟାରୀ ୨୭ ତାରିଖ ଭୋଟ ହେବ । ତିନି ରାଜ୍ୟର ନିର୍ବାଚନ ଫଳାଫଳ ମାର୍ଚ୍ଚ ୨ ତାରିଖରେ ପ୍ରକାଶ ପାଇବ । ଏହି ତିନି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ମାର୍ଚ୍ଚ ୧୨ରୁ ୨୨ ତାରିଖ ମଧ୍ୟରେ ସରୁ ଥିବାରୁ ଫେବୃୟାରୀରେ ନିର୍ବାଚନ ହେବାକୁ ଯାଉଛି । ତ୍ରପୁରା ବିଧାନସଭା ନିର୍ବାଚନ ପାଇଁ ଜାନୁୟାରୀ ୨୧ ଏବଂ ମେଘାଳୟ ଓ ନାଗାଲାଣ୍ଡ ନିର୍ବାଚନ ପାଇଁ ଜାନୁୟାରୀ ୩୧ ତାରିଖରେ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ସୂଚନା ଦେଇଛନ୍ତି । ଏହି ତିନି ରାଜ୍ୟରେ ୬୨.୮ ଲକ୍ଷରୁ ଅଧିକ ମତଦାତା ଅଛନ୍ତି । ସେଥିରୁ ୩୧.୪୭ ଲକ୍ଷ ହେଉଛନ୍ତି ମହିଳା ମତଦାତା । ୨.୮ ଲକ୍ଷ ନୂଆ ମତଦାତା ଭୋଟର ତାଲିକାରେ ସାମିଲ ହୋଇଛନ୍ତି । ଭୋଟ ହେବାକୁ ଥିବା ତିନି ପୂର୍ବାଂଚଳ ରାଜ୍ୟରେ ୮୦ ବର୍ଷରୁ ଉଦ୍ଧ୍ୱର୍ ବୟସର ୯୭ ହଜାର ମତଦାତା ଥିବା ବେଳେ ୨,୬୦୦ ମତଦାତାଙ୍କ ବୟସ ଶହେ ବର୍ଷରୁ ଅଧିକ ଥିବା ସୂଚନା ମିଳିଛି । ଫେବୃୟାରୀ ନିର୍ବାଚନରେ ୧.୭୬ ଲକ୍ଷ ମତଦାତା ପ୍ରଥମ ଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ସିଇସି ରାଜୀବ କୁମାରଙ୍କ ସହ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଉପସ୍ଥିତ ଥିଲେ । ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ରହିଛି ଜାନୁୟାରୀ ୩୦ । ଜାନୁୟାରୀ ୩୧ ତାରିଖରେ ଯାଂଚ ଓ ଫେବୃୟାରୀ ୨ରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ଫେବୃୟାରୀ ୧୬ ତାରିଖ ଭୋଟ ହେବ । ସେହିଭଳି, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଫେବୃୟାରୀ ୭ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୮ ତାରିଖ ଯାଂଚ ଓ ୧୦ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ ହୋଇଛି । ଫେବୃୟାରୀ ୨୭ରେ ଏହି ଦୁଇ ରାଜ୍ୟରେ ଭୋଟ ହେବ । ୨୦୨୩ରେ ଏହି ଚାରିଟି ଉତ୍ତର ପୂର୍ବାଂଚଳ ରାଜ୍ୟ ସମେତ ମୋଟ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ କମିଶନ ଆଜି ତିନିଟି ଉତ୍ତର ପୂର୍ବାଂଚଳ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିବା ବେଳେ ମିଜୋରାମ ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା ହେବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଅନ୍ୟ ୫ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ହେଉଛି – ରାଜସ୍ଥାନ, ଛତିଶଗଡ, ମଧ୍ୟ ପ୍ରଦେଶ, ତେଲେଂଗାନା ଓ କର୍ଣ୍ଣାଟକ । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିବା ତିନି ଉତ୍ତର ପୂର୍ବାଂଚଳ ରାଜ୍ୟ ମଧ୍ୟରୁ ସଂପ୍ରତି ତ୍ରିପୁରାରେ ବିଜେପି ସରକାର ଥିବା ବେଳେ ମେଘାଳୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ଓ ନାଗାଲାଣ୍ଡରେ ନ୍ୟାସିନାଲିଷ୍ଟ୍ ଡ଼େମୋକ୍ରଟିକ ପ୍ରୋଗ୍ରେସିଭ ପାର୍ଟି (ଏନଡିପିପି) ସରକାର ରହିଛି । ଚଳିତ ବର୍ଷ ଆଗକୁ ନିର୍ବାଚନ ହେବାକୁ ଥିବା ଛଅଟି ରାଜ୍ୟରୁ ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଂଟ୍ (ଏମଏନଏଫ) କ୍ଷମତାରେ ଥିବା ବେଳେ କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶରେ ବିଜେପି, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଏବଂ ତେଲେଂଗାନାରେ କେ.ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ (ତେଲେଂଗାନା ରାଷ୍ଟ୍ରୀୟ ସମିତି) ସରକାର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS