ବିଜୁ ବାବୁଙ୍କ ‘ଡାକୋଟା’ ବିମାନ ଓଡ଼ିଶା ଫେରିଲା
ପ୍ରସାଦ ରାଓ
ଜାନୁଆରୀ ୧୮/୨୩
କିମ୍ବଦନ୍ତୀ ପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଦ୍ୱାରା ବ୍ୟବହୃତ ଐତିହାସିକ ‘ଡାକୋଟା’(ଡିସି-୩) ଭିଟି-ଏୟୁଆଇ ବିମାନ ଦୀର୍ଘ ବର୍ଷ ଧରି କୋଲକାତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିବା ପରେ ଓଡ଼ିଶା ଫେରିଛି । ବିମାନଟିର ଓଜନ ୮ ଟନ ହୋଇଥିବା ବେଳେ ଲମ୍ବ ପ୍ରାୟ ୬୪ ଫୁଟ ୮ ଇଂଚ । ଏହାର ବିଭିନ୍ନ ଅଂଶକୁ ଅଲଗା କରାଯାଇ ତିନିଟି ଟ୍ରକରେ କୋଲକାତାରୁ ଭୁବନେଶ୍ୱର ଅଣାଯାଉଛି । ଏହି ବହୁ ଚର୍ଚ୍ଚିତ ବିମାନକୁ ଦେଖିବା ସକାଶେ କୋଲକାତା-ଭୁବନେଶ୍ୱର ଜାତୀୟ ରାଜପଥରେ ପ୍ରବଳ ଜନଗହଳି ହୋଇଥିବା ସୂଚନା ମିଳିଛି । ଓଡ଼ିଶା ପୁଲିସ ନିଜ ହେପାଜତରେ ବିମାନବାହୀ ଟ୍ରକ୍ ଗୁଡିକୁ ଭୁବନେଶ୍ୱର ଆଣୁଛନ୍ତି । ସନ୍ଧ୍ୟାରେ ଟ୍ରକ୍ ସବୁ ରାଜଧାନୀରେ ପହଂଚିବା ପରେ ବିମାନର ବିଭିନ୍ନ ଅଂଶକୁ ଯୋଡା ଯାଇ ପୂର୍ଣ୍ଣାଂଗ ବିମାନକୁ ଏଠାକାର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସର୍ବସାଧାରଣଙ୍କ ଦର୍ଶନ ଉଦ୍ଦେଶ୍ୟରେ ରଖାଯିବ । ଏଥିସକାଶେ ଏୟାରପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ୧.୧ ଏକର ଜମି ଯୋଗାଇଛନ୍ତି । ବିଜୁ ପଟ୍ଟନାୟକ ‘କଳିଙ୍ଗ ଏୟାରଲାଇନ୍ସ’ର ପ୍ରତିଷ୍ଠାତା ଥିଲେ ଏବଂ କୋଲକାତାରେ ଥିବା ଏହାର ମୁଖ୍ୟାଳୟରୁ ପ୍ରାୟ ଡଜନେ ‘ଡାକୋଟା’ ବିମାନ ଉଡାଣ ଭରୁଥିଲେ । ‘ଡାକୋଟା’ ବିମାନ ବିଜୁ ବାବୁଙ୍କ ଅତ୍ୟନ୍ତ ପ୍ରିୟ ବିମାନ ଥିଲା । ସେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ସକାଶେ ଡାକୋଟା ବିମାନକୁ ବ୍ୟବହାର କରୁଥିଲେ । ବିଜୁ ବାବୁ ନିଜେ ଡାକୋଟା ବିମାନ ଉଡାଇ ୧୯୪୭ ଏପ୍ରିଲରେ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁତାନ ଜହହିରଙ୍କୁ ଉଦ୍ଧାର କରି ଇଣ୍ଡୋନେସିଆ ସରକାରଙ୍କ ଦ୍ୱାରା ‘ଭୂମିପୁତ୍ର’ ସମ୍ବାନ ପାଇଥିଲେ । କୋଲକାତା ବିମାନ ବନ୍ଦରରେ ପଡି ରହି ଥିବା ଏହି ପରିତ୍ୟକ୍ତ ବିମାନକୁ ଫେରାଇ ଆଣିବା ପାଇଁ ଓଡ଼ିଶାର ବିଭିନ୍ନ ମହଲରେ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS