ପ୍ରଧାନମନ୍ତ୍ରୀଙ୍କ ପିଛା ଛାଡୁନି ଗୁଜୁରାଟ ଦଂଗା ଭୂତ ?
ପ୍ରସାଦ ରାଓ
ଜାନୁଆରୀ ୨୪/୨୩
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟରେ ହୋଇଥିବା ସାଂପ୍ରଦାୟିକ ଦଂଗାର ଭୂତ ବାଇଶି ବର୍ଷ ପରେ ମଧ୍ୟ ତାଙ୍କ ପିଛା ଛାଡୁନି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ନିକଟରେ ଏକ ରାୟ ଦେଇ ୨୦୦୨ ଦଂଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦୀଙ୍କ କୌଣସି ସଂପୃକ୍ତି ନଥିବା ସ୍ପଷ୍ଟ କରିବା ପରେ ବିଜେପି ଓ କେନ୍ଦ୍ର ସରକାର ଆଶ୍ୱସ୍ତ ହୋଇଥିଲେ ଏବଂ ଏହାକୁ ବିଜୟ ଉତ୍ସବ ଭାବେ ପାଳନ କରିଥିଲେ । ଯେଉଁମାନେ ଗୁଜରାଟ ଦଂଗା ସହ ମୋଦୀଙ୍କୁ ଯୋଡିବାକୁ ପ୍ରୟାସ କରିଥିଲେ ସେମାନଙ୍କୁ ବିଜେପି କଟୁ ସମାଲୋଚନା କରିଥିଲେ । କଥା ଏଇଠି ସରିଗଲା ବୋଲି ସମସ୍ତେ ଧରି ନେଇଥିଲେ । କିନ୍ତୁ, ବ୍ରିଟେନର ସରକାରୀ ଅଧିକୃତ ଟେଲିଭିଜନ ଗଣମାଧ୍ୟମ ବିବିସି (ବ୍ରିଟିସ ବ୍ରଡକାଷ୍ଟିଂ କର୍ପୋରେସନ୍) ଦ୍ୱାରା ପ୍ରସ୍ତୁତ ଏକ ଡକୁମେଂଟାରୀ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଛି । ‘ଇଂଡିଆ: ଦି ମୋଦୀ କ୍ୱଶ୍ଚିନ୍’ ଶୀର୍ଷକ ଏହି ବିବିସି ଡକୁମେଂଟାରୀ ୨୦୦୨ ଗୁଜରାଟ ଦଂଗାକୁ ନେଇ ଆଧାରିତ ବୋଲି କୁହାଯାଉଛି ଏବଂ ଏଥିରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ ହୋଇଥିବା ଭାରତ ସରକାର ଅଭିଯୋଗ କରିବା ସହ ଦେଶରେ ଏହାର ପ୍ରସାରଣ ଉପରେ ରୋକ୍ ଲଗାଇଛନ୍ତି ।
‘ଇଂଡିଆ: ଦି ମୋଦୀ କ୍ୱଶ୍ଚିନ୍’ ନାମରେ ଦୁଇ ଭାଗରେ ପ୍ରସ୍ତୁତ କରାଯାଇଥିବା ଏହି ଡକୁମେଂଟାରୀ ବିବିସିର ଉପନିବେଶବାଦୀ ଚିନ୍ତାଧାରାର ପ୍ରତିଫଳନ କରୁଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିନ୍ଦିତ କରିବା ପାଇଁ ଏହା ବିବିସିର ‘ଏକ ଅପପ୍ରଚାର’ ଉଦ୍ୟମ ବୋଲି ଭାରତ ସରକାର ଅଭିଯୋଗ କରିବା ସହ ବିବିସିର ଦୃଢ ନିନ୍ଦା କରିଛନ୍ତି । ଦେଶରେ ଏହି ଡକୁମେଂଟାରୀର ଯେଭଳି ପ୍ରସାରଣ ହୋଇନପାରିବ ସେଥି ସକାଶେ ଏହାର ସମସ୍ତ ୟୁଟ୍ୟୁବ୍ ଲିଂକ୍ ଅଚଳ କରି ଦେଇଥିବା ବେଳେ ଏହାର ପ୍ରସାରଣ କରିବା ଅର୍ଥ ଦେଶଦ୍ରୋହ ହେବ ବୋଲି ସାମାଜିକ ଗଣମାଧ୍ୟମଗୁଡିକୁ ଚେତାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ୨୦୦୨ ଗୁଜରାଟ ଦଂଗା ମାମଲାରେ ସୁପ୍ରିମ କୋର୍ଟ କ୍ଲନ୍ ଚିଟ୍ ଦେଇଥିବାରୁ ଦେଶରେ ବିବିସିର ଏହି ଡକୁମେଂଟାରୀର ପ୍ରସାରଣ ସୁପ୍ରିମ କୋର୍ଟକୁ ନିନ୍ଦିତ କଲା ଭଳି ହେବ ବୋଲି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ତତ୍ପରତା ଏବଂ ଚେତାବନୀ ଦେଶରେ ବିବିସି ଦ୍ୱାରା ପ୍ରସ୍ତୁତ ଡକୁମମେଂଟାରୀର ପ୍ରସାରଣକୁ ଅନିଶ୍ଚିତ କରିଛି ।
ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସୁରକ୍ଷା ଦେବା ବଦଳରେ ଏହି ଡକୁମେଂଟାରୀକୁ ନେଇ ବିବିସିକୁ ଭର୍ଛନା କରିଥିବା ବେଳେ ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ୍ ବିବିସି ଦ୍ୱାରା ପ୍ରସ୍ତୁତ ଏହି ଡକୁମେଂଟାରୀକୁ ଦେଖି ନଥିବାରୁ ସେଥିରେ କଣ ଅଛି ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି । ଭାରତ ଓ ଆମେରିକା ହେଉଛି ଦୁଇଟି ଦୁଇଟି ପରିପକ୍ୱ ଏବଂ ଶକ୍ତିଶାଳୀ ଗଣତନ୍ତ୍ର ବୋଲି ଉଲ୍ଲେଖ କରି ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ବଂଧୁତା ପରିପୃଷ୍ଟ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାର ବିବିସି ଡକୁମମୋଂଟାରୀକୁ ନେଇ ନିଜ ଆଭିମୁଖ୍ୟ ସପକ୍ଷରେ ବ୍ରିଟେନ ଓ ଆମେରିକା ସରକାରଙ୍କ ଅଡୁ ଆଶାଜନକ ସମର୍ଥନ ପାଇଥିବା ବେଳେ ଦେଶରେ କିନ୍ତୁ ବିରୋଧ ଆରମ୍ଭ ହୋଇଛି । ବିବିସି ଡକୁମେଂଟାରୀକୁ କେନ୍ଦ୍ର ସରକାର ଭାରତରେ ପ୍ରଦର୍ଶନ ଉପରେ ନିଷେଧାଦେଶ ଜାରି କରିନଥିଲେ ମଧ୍ୟ ସମସ୍ତ ୟୁଟ୍ୟୁବ୍ ଲିଂକ୍ କାଟି ଦେବା ଓ ଏହାର ପ୍ରସାରଣ ନ କରିବାକୁ ସାମାଜିକ ଗଣମାଧ୍ୟମକୁ ଚେତାବନୀ ଦେବା ଦେଶରେ ‘ପ୍ରେସ୍ ସେନସରସିପ୍’ ଲାଗୁ ହେବା ସଦୃଶ ବୋଲି ବିରୋଧୀ କହିଛନ୍ତି ।
କଂଗ୍ରେସ ଏହାକୁ ପ୍ରେସ୍ ସ୍ୱାଧୀନତାର କଂଠରାଧ ଉଦ୍ୟମ କହିଥିବା ବେଳେ କେରଳର ବିଭିନ୍ନ ରାଜନୈତିକ ଗୋଷ୍ଠୀ ରାଜ୍ୟରେ ଏହି ବିବଦମାନ ଡକୁମେଂଟାରୀକୁ ସର୍ବସାଧାରଣରେ ପ୍ରଦର୍ଶନ କରାଯିବ ବୋଲି ଘୋଷଣା କରି େକେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଛନ୍ତି । ଥିରୁଭନାଥପୁରମରୁ ମିଳିଥିବା ସୂଚନା ଅନୁଯାୟୀ, ବିବିସି ଡକୁମେଂଟାରୀ ରାଜ୍ୟବ୍ୟାପୀ ସ୍କ୍ରିନିଂ କରାଯିବ ବୋଲି ସିପିଏମର ଯୁବ ଶାଖା ଡିୱାଇଏଫଆଇ ତାହାର ଫେସବୁକ୍ ପୃଷ୍ଠାରେ ଘୋଷଣା କରିଛି, ଯାହାକି ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି କରିଛି । ସିପିଏମର ଛାତ୍ର ସଂଗଠନ ଏସଏଫଆଇ ମଧ୍ୟ ଏକାପ୍ରକାର ପୋଷ୍ଟ୍ କରିଛି । ଯୁବ କଂଗ୍ରେସ ସମେତ କେରଳ ପ୍ରଦେଶ କଂଗ୍ରେସ କମିଟିର ବିଭିନ୍ନ ଶାଖା ପକ୍ଷରୁ ମଧ୍ୟ ବିବିସି ଡକୁମେଂଟାରୀ ରାଜ୍ୟବ୍ୟାପୀ ପ୍ରସାରଣ କରାଯିବ ବୋଲି ଘୋଷଣା କରାଯାଇଛି । କେରଳ ପ୍ରଦେଶ କଂଗ୍ରେସ କମିଟିର ସଂଖ୍ୟାଲଘୁ ସେଲ୍ ମଧ୍ୟ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ବିବିସିର ଏହି ଡକୁମେଂଟାରୀ ବା ବୃତ୍ତଚିତ୍ର ପ୍ରସାରଣ କରାଯିବ ବୋଲି ଘୋଷଣା କରିଛି । ଏପ୍ରକାର କିଛି ହେଲେ ତାହା ଦେଶଦ୍ରୋହ ସଦୃଶ ହେବ ବୋଲି ବିଜେପି କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନଙ୍କୁ ଚେତାଇ ଦେବା ସହ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଓ ଏଭଳି କିଛି ଉଦ୍ୟମକୁ ଅନୁମତି ନଦେବାକୁ ଆହ୍ୱାନ ଦେଇଛି ।
କେରଳ ରାଜ୍ୟ ବିଜେପି ସଭାପତି କେ.ସୁରେନ୍ଦ୍ରନ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ନିକଟରେ ଅଭିଯୋଗ ଦାଖଲ କରି ଏଭଳି ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜୟନଙ୍କୁ ଏକାଭଳି ଅନୁରୋଧ କରିଛନ୍ତି । ରାଜ୍ୟ ବିଜେପି ମୁଖ୍ୟ ସୁରେନ୍ଦ୍ରନ ଓ କେନ୍ଦ୍ର ମନ୍ତ୍ରୀ ମୁରଲୀଧରନ ବିବିସି ଡକୁମେଂଟାରୀ କେରଳରେ ପ୍ରଦର୍ଶନ ହେଲେ ତାହା ‘ଦେଶଦ୍ରୋହ’ ସଦୃଶ ହେବ ବୋଲି ଚେତାବନୀ ଦେଇଛନ୍ତି । ବିବିସିର ଡକୁମେଂଟାରୀକୁ ଭାରତ ସରକାର ନିଷିଦ୍ଧି କରିନଥିବା କହି ବିରୋଧୀ ସର୍ବସାଧାରଣରେ ତାହାର ପ୍ରଦର୍ଶନ କଥା କହୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, କେରଳରେ ବାମପନ୍ଥୀଙ୍କ ସରକାର ରହିଛି । ପଶ୍ଚିମ ବଂଗର ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ମଧ୍ୟ ବିବିସିର ଏହି ଡକୁମେଂଟାରୀ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇବା ଘଟଣାକୁ ‘ସେନସରସିପ୍’ ଲାଗୁ ଉଦ୍ୟମ ବୋଲି କହିଛି ।
ହାଇଦ୍ରବାଦରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ଏଚସିୟୁ)ର ଏକ ଛାତ୍ର ଗୋଷ୍ଠୀ ସୋମବାର ଦିନ ବିଶ୍ୱବିଦ୍ୟାଳୟ କ୍ୟାଂପସ୍ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ଡକୁମେଂଟାରୀର ସ୍କ୍ରିନିଂ କରାଇଥିଲେ । ଷ୍ଟୁଡେଂଟ ଇସଲାମିକ ଅର୍ଗାନାଇଜେସନ (ଏସଆଇଓ) ଓ ମୁସଲିମ୍ ଷ୍ଟୁଡେଂଟ ଫେଡେରେସନ୍ ପକ୍ଷରୁ ଏହି ସ୍କ୍ରିନିଂରେ ୫୦ରୁ ଅଧିକ ଛାତ୍ର ଯୋଗ ଦେଇଥିଲେ । ଏବିଭିପି ଛାତ୍ର ନେତା ମହେଶ କହିଛନ୍ତି, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମତି ନଥାଇ କ୍ୟାଂପସରେ ବୃତ୍ତଚିତ୍ରର ସ୍କ୍ରିନିଂ କରାଯାଇଛି । ଏବିଭିପି ପକ୍ଷରୁ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତପକ୍ଷଙ୍କ ନିକଟରେ ଅଭିଯୋଗ କରାଯିବା ସହ ସଂପୃକ୍ତ ଛାତ୍ର ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ହାଇଦ୍ରାବାଦ ପୁଲିସ କହିଛନ୍ତି, ବିଶ୍ୱବିଦ୍ୟାଳୟ ପରିସରରେ ଏହି ବୃତ୍ତଚିତ୍ରର ସ୍କ୍ରିନିଂ ହୋଇଥିବା ଖବର ଥିଲେ ମଧ୍ୟ କୌଣସି ଲିଖିତ ଅଭିଯୋଗ ମିଳି ନାହିଁ । ଅଭିଯୋଗ ମିଳିଲେ ତାହାର ତଦନ୍ତ କରାଯିବ । ରାଜ୍ୟରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍ ସରକାର ରହିଛି ।
କେରଳର ବାମପନ୍ଥୀ ଯୁବ ଓ ଛାତ୍ର ସଂଗଠନ ସମେତ କଂଗ୍ରେସର ଯୁବ ଓ ଅନ୍ୟାନ୍ୟ ଶାଖା ରାଜ୍ୟରେ ବିବିସି ଦ୍ୱାରା ପ୍ରସ୍ତୁତ ଡକୁମେଂଟାରୀ ପ୍ରଦର୍ଶନ ପାଇଁ ଘୋଷଣା କରିଥିବା ବେଳେ ତେଲେଂଗାନାର ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଗତକାଲି ଦୁଇଟି ଛାତ୍ର ସଂଗଠନ ଏହାର ବିଶ୍ୱବିଦ୍ୟାଳୟ କ୍ୟାଂପସରେ ତାହାର ପ୍ରଦର୍ଶନ କରାଇବା ସତ୍ତ୍ୱେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନହେବା ଅନ୍ୟ ବିରୋଧୀ ଶାସିତ ରାଜ୍ୟଙ୍କୁ ମଧ୍ୟ ଉତ୍ସାହିତ କରିପାରେ । କେନ୍ଦ୍ର ସରକାର ଏହି ଡକୁମେଂଟାରୀକୁ ଯଦି ଦେଶ ବିରୋଧୀ ବୋଲି ବିଚାର କରୁଛନ୍ତି ଓ ଏହାର ପ୍ରଦର୍ଶନ ଦ୍ୱାରା ଦେଶରେ ଥିବା ସାଂପ୍ରଦାୟିକ ସୌହାର୍ଦ୍ଧ୍ୟ ନଷ୍ଟ ହେବ ବୋଲି ଅନୁଭବ କରୁଛନ୍ତି ତେବେ ତୁରନ୍ତ ତାହାକୁ ନିଷିଦ୍ଧ କରିବା କଥା । କିନ୍ତୁ, ତାହା ନକରି କେବଳ ଡକୁମେଂଟାରୀର ପ୍ରସାରଣକୁ ରୋକିବା ଉଦ୍ୟମ କରିବା କାରଣ କଣ ହୋଇପାରେ (?) ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS