ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର ହେଲା : ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ
ମୋଅନୁଭବ ମିଡ଼ିଆ
ନୂଆଦିଲ୍ଲୀ, ୨୪ ଅଗଷ୍ଟ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଆଜି ଦେଶବାସୀଙ୍କୁ ଉଲ୍ଲସିତ କଲା ଭଳି ଆଉ ଏକ ରାୟ ଦେଇଛନ୍ତି । ବ୍ୟକ୍ତିଗତ ଗୋପନୀୟତା ନାଗରିକଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜେ.ଏସ୍. ଖେର୍ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ନଅ ଜଣିଆ ଖଣ୍ଡପୀଠ ତାଙ୍କ ରାୟରେ ଦର୍ଶାଇ ଦେଶରେ ଆନନ୍ଦର ଲହରୀ ଖେଳାଇ ଦେଇଛନ୍ତି । ଡ଼ିଜିଟାଲ ଯୁଗରେ ବ୍ୟକ୍ତିଗତ ଗୋପନୀୟତାର କୌଣସି ଅସ୍ତିତ୍ୱ ନାହିଁ ବୋଲି ଯୁକ୍ତି ଦର୍ଶାଇ ଆସିଥିବା କେନ୍ଦ୍ର ସରକାରଙ୍କୁ ଏହି ରାୟ ବଡ ଝଟ୍କା ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ ନାଗରିକଙ୍କ ମୌଳିକ ଅଧିକାର ସଂପର୍କୀତ ସରକାରଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛି ।
ସୁପ୍ରିମ କୋର୍ଟଙ୍କ ଗୁରୁବାର ଦିନର ରାୟ ଉପରେ ସମଗ୍ର ଦେଶର ଆଖି ଥିଲା । କେନ୍ଦ୍ର ସରକାର ପ୍ରତ୍ୟେକ କ୍ଷେତ୍ରରେ ‘ଆଧାର’କୁ ବାଧ୍ୟତାମୂଳକ କରି ଚାଲି ଥିବା ବେଳେ ‘ଆଧାର’ ପାଇଁ ସଂଗୃହୀତ ଭାରତୀୟ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ, ଟିପଚିହ୍ନ ପ୍ରଭୃତି କେତେ ସୁରକ୍ଷିତ, ସେ ନେଇ ସନେ୍ଦହ ପ୍ରକାଶ ପାଉଥିଲା । ଏସବୁ ତଥ୍ୟ ନିରାପଦ ରହିିଛି ବୋଲି ସରକାର ବାରମ୍ବାର କରୁଥିଲେ ମଧ୍ୟ ବିଭିନ୍ନ ସମୟରେ ବ୍ୟକ୍ତିଗତ ତଥ୍ୟ ଚୋରୀ ଅଭିଯୋଗ ଚିନ୍ତାର କାରଣ ହୋଇ ଆସିଛି । ‘ଆଧାର’କୁ ପ୍ରତିଟି କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ସରକାର ଅଡ଼ି ବସୁଥିବା ସମୟରେ ପ୍ରତିବାଦ ହେଲେ ଆଜିର ଡ଼ିଜିଟାଲ୍ ଯୁଗରେ ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତାର କୌଣସି ଅସ୍ତିତ୍ୱ ନାହିଁଁ ବୋଲି ଯୁକ୍ତି ଦର୍ଶାଉ ଥିଲେ । ତେବେ, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କ ଏହି ଯୁକ୍ତିକୁ ଅଗ୍ରାହ୍ୟ କରି ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ନଅ ଜଣିଆ ଖଣ୍ଡପୀଠରେ ସର୍ବସମ୍ମତିରେ ଏହି ରାୟ ପ୍ରକାଶ ପାଇଛି । ଦୀର୍ଘ ଛଅ ଦିନ ଧରି ମାରାଥନ ଶୁଣାଣୀ ପରେ ମୁଖ୍ୟ ବିଚାରପତି ଜେ.ଏସ୍. ଖେର୍ଙ୍କ ଅଧ୍ୟକ୍ଷତାରେ ଗଠିତ ନଅ ଜଣିଆ ଖଣ୍ଡପୀଠ ଗତ ଅଗଷ୍ଟ ୨ ତାରିଖ ଦିନ ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖି ଥିଲେ । ଆଜି ତାହା ପ୍ରକାଶ ପାଇଛି । ଖଣ୍ଡପୀଠରେ ଥିବା ମୁଖ୍ୟ ବିଚାରପତିଙ୍କ ସହ ଅନ୍ୟ ବିଚାରପତିମାନେ ହେଉଛନ୍ତି – ଜଷ୍ଟିସ ଜେ. ଚେଲାମେଶ୍ୱର, ଜଷ୍ଟିସ ଏସ.ଏ. ବୋଦେ୍ଦ, ଜଷ୍ଟିସ ଆର.କେ. ଅଗ୍ରୱାଲ, ଜଷ୍ଟିସ ଆର.ଏଫ. ନରିମେନ୍, ଜଷ୍ଟିସ ଏ.ଏମ୍. ସାପ୍ରେ, ଜଷ୍ଟିସ ଡ଼ି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏସ.କେ. କୌଲ ଓ ଜଷ୍ଟିସ ଏସ. ଅବ୍ଦୁଲ । ଏଠାରେ ଉଲ୍ଲେଖନୀୟ ହେଉଛି, ଜଷ୍ଟିସ ଡ଼ି.ୱାଇ. ଚନ୍ଦ୍ରଚୂଡ ଆଜି ଯେଉଁ ରାୟ ଦେଇଛନ୍ତି, ତାହା ତାଙ୍କ ପିତା ଜଷ୍ଟିସ ୱାଇ.ବି. ଚନ୍ଦ୍ରଚୂଡ ୧୯୭୫ରେ ଜବଲପୁର ଏଡ଼ିଏମ୍ ବନାମ ଶିବକାନ୍ତ ଶୁକ୍ଲା ମାମଲାରେ ଦେଇଥିବା ରାୟର ଠିକ୍ ବିପରୀତ । ସେତେବେଳେ, ଜଷ୍ଟିସ ୱାଇ.ବି.ଚନ୍ଦ୍ରଚୂଡଙ୍କ ରାୟ ଥିଲା, ବ୍ୟକ୍ତିଗତ ଗୋପନୀୟତାର ବ୍ୟବହାରିକ ଜୀବନରେ କୌଣସି ଅର୍ଥ ନାହିଁ । ବ୍ୟକ୍ତିଗତ ଗୋପନୀୟତା ଅଧିକାର ସମ୍ବିଧାନ ଦ୍ୱାରା ଦିଆଯାଇଛି ନା ପୂର୍ବରୁ ରହି ଆସିଛି ଜାଣିବା ଅସମ୍ଭବ । ଆଜି ପୁଅ ଡ଼ି.ୱାଇ ଚନ୍ଦ୍ରଚୂଡ ଦେଇଥିବା ରାୟ ଠିକ୍ ଏହାର ବିପରିତ ହୋଇଥିବା ସଂପର୍କରେ ସେ ସ୍ପଷ୍ଟ କରିଛନ୍ତି ଯେ, ୧୯୭୫ରେ ତାଙ୍କ ବାପାଙ୍କ ସମେତ ଚାରି ଜଣିଆ ଖଣ୍ଡପୀଠ ଯେଉଁ ରାୟ ଦେଇଥିଲେ ତାହା କଛି ମାତ୍ରାରେ ତୃଟୀପୂର୍ଣ୍ଣ ଥିଲା ।
ବ୍ୟକ୍ତଗତ ତଥ୍ୟର ଗୋପନୀୟତା ସଂପର୍କୀତ ମାମଲାର ଶୁଣାଣୀ ବେଳେ କେନ୍ଦ୍ର ସରକାର ମଧ୍ୟ ଅତିରିକ୍ତ ସଲିସେଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ମାଧ୍ୟମରେ ନିଜ ପକ୍ଷ ରଖିଥିଲେ । ମେହେଟ୍ଟା ଯୁକ୍ତି ଦର୍ଶାଇ ଥିଲେ, ଆଜିର ଡ଼ିଜିଟାଲ ଯୁଗରେ ବ୍ୟକ୍ତିଗତ ଗୋପନୀୟତାର କିଛି ଅର୍ଥ ନାହିଁ । ୟୁଆଇଡ଼ିଏଆଇ ପକ୍ଷରୁ ଜନସାଧାରଣଙ୍କ ଠାରୁ ସଂଗ୍ରହ କରାଯାଇଥିବା ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଆଡୁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ବି.ଏନ.ଶ୍ରୀକ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ଏକ ୧୦ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ‘ୟୁଆଇଡ଼ିଏଆଇ’ର ସିଇଓ ମଧ୍ୟ ରହିଛନ୍ତି । ତେବେ, କୋର୍ଟ ତାଙ୍କ ରାୟରେ ସରକାରଙ୍କ ଏହି ଯୁକ୍ତିକୁ ବିଶେଷ ଗୁରୁତ୍ୱ ନ ଦେଇ ତାଙ୍କ ଏତିହାସିକ ରାୟ ଦେଇଛନ୍ତି ।
ବୁଧବାର ଦିନ ‘ତ୍ରିପଲ ତଲାକ୍’କୁ ଅସାମ୍ବିଧାନିକ ଘୋଷଣା କରି ଇତିହାସ ସୃଷ୍ଟି କରିଥିବା ମାନ୍ୟବର ସୁପ୍ରିମ କୋର୍ଟ ଆଜି ଗୁରୁବାର ଦିନ ନାଗରିକଙ୍କ ଗୋପନୀୟତାକୁ ମୌଳିକ ଅଧିକାର ଭାବେ ଘୋଷଣା କରି ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି । ‘ତ୍ରିପଲ୍ ତଲାକ୍’ ମାମଲାରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜେଏସ୍ ଖେର୍ଙ୍କ ଅଧ୍ୟତାରେ ୫ ଜଣିଆ ଖଣ୍ଡପୀଠ ବୁଧବାର ରାୟ ଦେଇଥିଲେ । ତିନି ଜଣ ବିଚାରପତି ‘ତି୍ରପଲ୍ ତଲାକ୍’ ଅସାମ୍ବିଧାନିକ କହିଥିବା ବେଳେ ମୁଖ୍ୟ ବିଚାରପତିଙ୍କ ସମେତ ଦୁଇ ଜଣ ବିପରୀତ ମତ ପୋଷଣ କରିଥିଲେ । ତେବେ, ବହୁମତରେ ‘ତ୍ରିପଲ୍ ତଲାକ୍’ ଅସାମ୍ବିଧାନିକ ବୋଲି ରାୟ ଘୋଷଣା ହୋଇଥିଲା । ଆଜି କିନ୍ତୁ ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତାର ମୌଳିକ ଅଧିକାରକୁ ନେଇ କୋର୍ଟଙ୍କ ରାୟ ସବସମ୍ମତ ଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ୍ ଖେର୍ଙ୍କ ସମେତ ନଅ ଜଣିଆ ଖଣ୍ଡପୀଠ ସର୍ବସମ୍ମତ ଭାବେ ଏହି ରାୟ ଦେଇ ଥିଲେ ।
ଆଜି ସୁପ୍ରିମ କୋର୍ଟ ଦେଇଥିବା ରାୟକୁ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ୱାଗତ କରିଛନ୍ତି । ତେବେ, ଦେଶବାସୀଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବାକୁ ଚାହୁଁଥିବା କେନ୍ଦ୍ର ସରକାରଙ୍କୁ ଏହା ଏକ ଝଟ୍କା ହୋଇଛି ବୋଲି ଏଆଇସିସି ଅଧ୍ୟ୪ା ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା ଉତ୍ତର ଦେଇ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ସରକାର ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବାକୁ କେବେ ଚାହିଁ ନାହାନ୍ତି । ବ୍ୟକ୍ତିଗତ ଗୋପନୀୟତା ଅଧିକାରରେ ଆବଶ୍ୟକ ସ୍ଥଳେ ଯୁକ୍ତିଯୁକ୍ତ ଭାବେ କିଛି ପରିମାଣର ଅଙ୍କୁଶ ରହିବା ଆବଶ୍ୟକ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଲି ରାଜ୍ୟସଭାରେ ଯେଉଁ ମତ ବ୍ୟକ୍ତ କରି ଥିଲେ ତାହାକୁ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ତାହା ଗ୍ରହଣ କରିଛନ୍ତି । କଂଗ୍ରେସ ଦେଶବାସୀଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସ୍ୱାଧୀନତାକୁ କେତେ ସମ୍ମାନ ଦିଏ ତାହା ୧୯୭୫-୭୬ରେ ତକ୍ରାଳୀନ କଂଗ୍ରେସ ସରକାର ଜାରୀ କରିଥିବା ଜରୁରୀ ପରିସ୍ଥିତି ସମୟରେ ଜଣାପଡିଥିଲା । ଜୟପ୍ରକାଶ ନାରାୟଣଙ୍କ ଦ୍ୱାରା ଆହୂତ ସରକାର ବିରୋଧୀ ଆନେ୍ଦାଳନରେ ଭାଗ ନେଇଥିବା ତାଙ୍କ ଭଳି ଦେଶର ବଡ ବଡ ନେତାଙ୍କୁ ରାତି ଅଧିଆ ଗିରଫ କରାଯାଇ ଜେଲ୍ରେ ଭର୍ତିର୍ କରାଯାଇଥିଲା । ପୂର୍ବତନ ୟୁପିଏ ସରକାର ‘ଆଧାର’କୁ ଆଇନରେ ପରିଣତ କରିବା ପୂର୍ବରୁ ଦେଶବାସୀଙ୍କଠାରୁ ବ୍ୟକ୍ତଗତ ତଥ୍ୟ ସଂଗ୍ରହ ଚଳାି ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ‘ଆଧାର’କୁ ଆଇନର ରୂପ ଦେଇଛନ୍ତି ।
ଅପରପକ୍ଷରେ, ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜିର କୋର୍ଟ ରାୟକୁ ସ୍ୱାଗତ କରି କହିଛନ୍ତି ଯେ, ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ହରଣ କରିବା ପାଇଁ ମୋଦୀ ସରକାରଙ୍କ ଆଡୁ ଯେଉଁ ଉଦ୍ୟମ ଚାଲି ଥିଲା ତାହାକୁ ଆଜି ବଡ ଝଟ୍କା ଲାଗିଛି । ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ, ଏହା ଦେଶବାସୀଙ୍କ ବିଜୟ ବୋଲି କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS