ବିଜେପୁର ଉପ ନିର୍ବାଚନ ଉଭୟ ବିଜେଡ଼ି ଓ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୫ ସେପ୍ଟେମ୍ବର: ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଉଥିବା ସଂପର୍କରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା ରାଜ୍ୟ ରାଜନୀତିରେ ନୂଆ ମୋଡ ଆଣିଛି । ବିଜେଡ଼ିର ଲଢେଇ ବିଜେପି ସହ ହେବ ବୋଲି ସମସ୍ତେ ଭାବିଥିଲେ । କିନ୍ତୁ, ଏହି ଲଢେଇ ବିଜେଡ଼ି-ଅନୁଗତ ଏବଂ ଦଳରେ ନୂଆ କରି ମୁଣ୍ଡ ଟେକି ଥିବା ଅନୁକଂପା-ଆଶ୍ରିତଙ୍କ ମଧ୍ୟରେ ହେବା ନେଇ ଏବେ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ଅନୁଗତ ତାଲିକାରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଠାରୁ ଆରମ୍ଭ କରି ବରଗଡ ଜିଲ୍ଲାର ବହୁ ବିଜେଡ଼ି ନେତା ଥିବା ବେଳେ ଦିନକ ତଳେ ବିଜେଡ଼ିରେ ଯୋଗ ଦେଇ ବିଜେପୁର ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ଉଭା ହୋଇଥିବା ରୀତା ସାହୁ ଓ ତାଙ୍କୁ ସମର୍ଥକ ‘ଅନୁକଂପା-ଆଶ୍ରିତ ଗୋଷ୍ଠୀ’ର ପରିଚୟ ପାଇଛନ୍ତି । କିଛି ବିଜେଡ଼ି ନେତା ଏହି ଦୁଇ ଗୋଷ୍ଠୀକୁ ‘ବାସ୍ତବ ବିଜେଡ଼ି’ ଓ ‘ରାହୁଲ ବିଜେଡ଼ି’ ବୋଲି କଟାକ୍ଷ କରିବାକୁ ପଛାଉ ନାହାନ୍ତି । ନିର୍ବାଚନ କମିସନ ଏପର୍ଯ୍ୟନ୍ତ ଉପ ନିର୍ବାଚନ ତାରିଖ ଘୋଷଣା କରି ନାହାନ୍ତି । ଥରେ ତାରିଖ ଘୋଷଣା ହେଲେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରକୃତ ଶକ୍ତି ପ୍ରଦର୍ଶନ ହେବ ଏବଂ ବିଜେପିକୁ ତାହା ବହୁମାତ୍ରାରେ ସାହାଯ୍ୟ କରିବ ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏହି ଉପ-ନିର୍ବାଚନର ବାଟ ଖୋଲିଛି । ଯେହେତୁ, ପଶ୍ଚିମ ଓଡ଼ିଶାର ଏହି ବିଧାନସଭା ଆସନ ୨୦୦୪ରୁ କଂଗ୍ରେସର ଗଡ଼ ରହି ଆସିଛି ଏବଂ ଦିବଙ୍ଗତ ବିଧାୟକ ସାହୁ ଲଗାତର ତିନି ଥର ଏଠାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି, କଂଗ୍ରେସ ଆଶା ରଖିଥିଲା ସୁବଳଙ୍କ ପତ୍ନୀ ରୀତାଙ୍କୁ କଂଗ୍ରେସ ପ୍ରାର୍ଥୀ କରି ଅନୁକଂପା ଭୋଟରେ ଜିତାଇ ଆଣିବ । ଏହାଦ୍ୱାରା କଂଗ୍ରେସର ଗଡ଼ ଅକ୍ଷୁର୍ଣ୍ଣ ରହିବ । ତେବେ, ରାଜ୍ୟରେ କଂଗ୍ରେସ ଦଳ ଅବକ୍ଷୟ ଆଡକୁ ମୁହାଁଇ ଥିବା ବେଳେ ଶାସକ ବିଜେଡ ପ୍ରତି ରୀତା ଓ ତାଙ୍କ ପରିବାରର ଆକର୍ଷଣ କଂଗ୍ରେସର ସ୍ୱପ୍ନକୁ ଚୁରମାର କରିଛି । ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥୀ ହେବାକୁ ତିନି ଜଣ ଯୋଗ୍ୟ ନେତାଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଦଳର ଉପ-ସଭାପତି ରାହୁଲ ଗାନ୍ଧୀ ଯାହା ନାମରେ ମୋହର ମାରିବେ, ସେ ପ୍ରାର୍ଥୀ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଯେତେ ବାହାସ୍ପୋଟ ମାରିଲେ ବି ଖେଳ ଆଉ କଂଗ୍ରେସ ହାତରେ ନାହିଁ, ତାହା ଦଳର ନେତାମାନେ ଜାଣି ସାରିଲେଣି । ଅପରପକ୍ଷରେ, ବିଜେପି ୨୦୧୭ ପଂଚାୟତ ନିର୍ବାଚନରେ ବଜେପୁର ନିର୍ବାଚନ ମଂଡଳୀ ଅନ୍ତର୍ଗତ ସାତଟି ଜିଲ୍ଲା ପରିଷଦ ଜୋନ୍ରୁ ଛଅଟିରେ ବିଜୟୀ ହୋଇ ନିଜର ସ୍ଥିତି ସୁଦୃଢ କରି ପାରିଛି । ବିଜେପୁର ଉପ ନିର୍ବାଚନରେ ଜାତିଆଣ ଭୋଟ ଛଡା ସୁବଳଙ୍କ ପରିବାର ପ୍ରତି ଥିବା ‘ଅନୁକଂପା’ର ଯଥେଷ୍ଟ ଯୋଗଦାନ ରହିବ । ତେଣୁ, ସୁବଳଙ୍କ ପତ୍ନୀ ରୀତା କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ନିଶ୍ଚିତ ହେବା ଯାଏଁ ଅପେକ୍ଷା କରିଥିଲା ବିଜେପି । ୨୩ ତାରିଖ ରୀତା ନିଜ ସମର୍ଥକଙ୍କ ସହ ବିଜେଡ଼ିରେ ଯୋଗ ଦେବା ଏବଂ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କୁ ଦଳର ପ୍ରାର୍ଥୀ କରାଯାଉଥିବା ଘୋଷଣା କରିବା ବହୁ କିଛି ସ୍ପଷ୍ଟ କରି ଦେଇଛି ।
୨୦୧୪ ବିଧାନସଭା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ହୋଇ ହାରିଥିବା ଦଳର ତୁଙ୍ଗ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳରୁ ଟିକଟ ନ ପାଇ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ସୁବଳଙ୍କ ଠାରୁ ପରାଜିତ ହୋଇଥିବା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଓ ଅନ୍ୟ କେତେକ ବିଜେଡ଼ି ନେତା ବିଜେଡ଼ିରୁ ପ୍ରାର୍ଥୀ ହେବା ଆଶାରେ ଥିଲେ । ତେବେ, ବିଜେଡ଼ିର ନିଜର ଶକ୍ତି ସହ ସୁବଳଙ୍କ ପରିବାର ପ୍ରତି ଥିବା ‘ଅନୁକଂପା’ରୁ ଫାଇଦା ନେଇ ଦଳକୁ ଜିତାଇବା ପାଇଁ ବିଜେଡ଼ି ସୁପ୍ରିମୋଙ୍କ ଗୋଟି ଚାଳନା ସେମାନଙ୍କୁ ନିରାଶ କରିଛି । ଏହି ଗୋଟି ଚାଳନା ରୀତା ସାହୁଙ୍କୁ ବିଜେଡ଼ିକୁ ଟାଣିଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କ ନାମରେ ମୋହର ଲଗାଇ ସମସ୍ତ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ଟାଣିଛନ୍ତି । ରବିବାର ଯେଉଁ ପ୍ରସନ୍ନ ଆଚାର୍ଯ୍ୟ ରୀତାଙ୍କ ପ୍ରାର୍ଥୀତ୍ୱକୁ ନେଇ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ ଆଜି ସେ ନିଜକୁ ସଂଶୋଧନ କରି ଦଳ ଉପ-ନିର୍ବାଚନରେ ବହୁ ଅଧିକ ଭୋଟରେ ବିଜୟୀ ହେବା ସୁନିଶ୍ଚିତ ବୋଲି କହିଛନ୍ତି । ଏହାସତ୍ୱେ ବିଜେଡ଼ିରେ କୁହୁଳୁ ଥିବା ଅସନ୍ତୋଷ ଏତେ ଶୀଘ୍ର ପ୍ରସମିତ ହେବା ଆଶା କ୍ଷୀଣ । କାରଣ, ପ୍ରସନ୍ନ ମତ ବଦଳାଇ ଥିଲେ ମଧ୍ୟ ଦଳର ଅନ୍ୟ ଆଶାୟୀମାନେ ପରୋକ୍ଷରେ ନବୀନଙ୍କୁ କଡ଼ା ସମାଲୋଚନା କରି ରୀତାଙ୍କୁ ‘ରାହୁଳ-ବିଜେଡ଼ି’ ଭାବେ ଆକ୍ଷେପ କରିବାକୁ ପଛାଇ ନାହାନ୍ତି । ଲଢେଇ ‘ବିଜେଡ଼ି-ଅନୁଗତ’ ଓ ‘ରାହୁଳ-ବିଜେଡ଼ି’ ମଧ୍ୟରେ ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି । ୨୦୧୪ ନିର୍ବାଚନରେ ଦଳର ବିଧାୟକ ପ୍ରାର୍ଥୀ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ ହୋଇ ଅଶୋକ ପାଣିଗ୍ରାହୀ ଦଳର ୧୯,୦୦୦ ଭୋଟ ଚଳୁ କରି ଥିଲେ । ପ୍ରସନ୍ନଙ୍କ ପରାଜୟର ମୁଖ୍ୟ କାରଣ ଏହି ଦଳ ବିରୋଧୀ କାର୍ଯ୍ୟ ବୋଲି ବିଚାର କରାଯାଇ ଅଶୋକଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ତେବେ, ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ହେଉଥିବା ଉପ ନିର୍ବାଚନରେ ଅନ୍ତତଃ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଅଶୋକ ଆଶା ରଖି ଥିଲେ । ତାହା ନ ହେବାରୁ ସେ ବିଜେପି ମୁହାଁ ହୋଇଛନ୍ତି । ବିଜେଡ଼ି ତାଙ୍କୁ ପ୍ରାର୍ଥୀ କରୁ ନଥିବାରୁ ବିଜେପି ଆମନ୍ତ୍ରଣ କଲେ ସେ ତାହା ଉପରେ ବିଚାର କରିବେ ବୋଲି ଅଶୋକ ସୂଚନା ଦେଇ ସାରି ଥିବା ବେଳେ ବିଜେପି ଦଳର ଜାତୀୟ କାର୍ଯ୍ୟକାରୀଣୀ ନିଷ୍ପତ୍ତି ଅପେକ୍ଷାରେ ରହିଛି ।
ବିଜେପି ୨୦୧୯ ନିର୍ବାଚନରେ ଓଡ଼ିଶାର ୧୪୭ରୁ ୧୨୦ ବିଧାନସଭା ଆସନ ଜିତିବ ବୋଲି ବାହାସ୍ପୋଟ ମାରୁଛି । ୨୦୧୭ ପଂଚାୟତ ନିର୍ବାଚନରେ ଦଳକୁ ପଶ୍ଚିମ ଓଡ଼ିଶାରେ ବେଶ୍ ସଫଳତା ମିଳି ଥିଲା । ଏହି ଉପ-ନିର୍ବାଚନରେ ତାହା ଦାହରାଇବାକୁ ଦଳ ସୁଯୋଗ ଖୋଜୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଯେଉଁ ଗୁରୁମନ୍ତ୍ର ଦେଇ ଯାଇଛନ୍ତି, ତାହାର ମଧ୍ୟ ପରୀକ୍ଷାନିରୀକ୍ଷା କରିବା ସମୟ ଆସିଛି । ବିଜେଡ଼ିରେ ଦେଖା ଦେଇଥିବା ବିଦ୍ରୋହରୁ ଫାଇଦା ନେଇ ଏହି ଗୁରୁମନ୍ତ୍ର କାମରେ ଲଗାଇବାକୁ ରାଜ୍ୟ ବିଜେପି ନେତାମାନେ ତତ୍ପର । ତେବେ, ବିଧାୟକ ଭାବେ ସୁବଳ ଯେଉଁ ଲୋକସଂପର୍କ ଗଢି ଥିଲେ ତାହା ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତାଙ୍କ ସପକ୍ଷରେ କାମ କରିବା ଆଶା ଅଧିକ । ବିଜେଡ଼ି ରୀତା ସାହୁଙ୍କ ଭଳି ଜଣେ ରେଡିମେଡ୍ ପ୍ରାର୍ଥୀ ପାଇ ଏହି ଉପ- ନିର୍ବାଚନରେ ଅବତୀର୍ଣ୍ଣ ହେଉ ଥିବାରୁ ଅମିତ ଶାହାଙ୍କ ମାର୍ଗଦର୍ଶନ ବିଜେପି ପାଇଁ କେତେଦୂର ସହାୟକ ହେବ, ତାହା ସମୟ କହିବ । ବିଜେପୁର ଉପ-ନିର୍ବାଚନ ଉଭୟ ବିଜେଡ଼ି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଥିବାରୁ ସମସ୍ତଙ୍କ ନଜରେ ଏହି ଉପ-ନିର୍ବାଚନ ଉପରେ ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS