ଗୋପାଳପୁର ବେଳାଭୂମୀ ମହୋତ୍ସବ ଉଦଯାପିତ, ଶେଷ ସନ୍ଧ୍ୟାର ଆକର୍ଷଣ ଥିଲେ ‘ବାହୁବଳୀ’ର କଂଠଶିଲ୍ପୀ ଏଲ.ଭି.ରେଭନାଥ
ବ୍ରହ୍ମପୁରରୁ ଫଟୋ ଓ ରିପୋର୍ଟ ଏମ. ଗୋପୀକ୍ରିଷ୍ଣା, ୨୯ ଡ଼ିସେମ୍ବର: ଏଠାରୁ ୧୨ କିମି ଦୂର ଗୋପାଳପୁର ବେଳାଭୂମୀରେ ଚାଲି ଥିବା ବେଳାଭୂମୀ ମହୋତ୍ସବ ୨୮ ତାରିଖ ରାତିରେ ଉଦ୍ ଯାପିତ ହୋଇଯାଇଛି । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଉଦ୍ୟାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶେଷ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ମେଗା ଫିଲ୍ମ ‘ବାହୁବଳୀ’ରେ କଂଠଦାନ କରି ଚଳଚ୍ଚିତ୍ର ପ୍ରେମୀଙ୍କୁ ମତୁଆଲ କରି ଥିିବା ଏଲ.ଭି. ରେଭାନାଥ । ସଂସ୍କୃତି ମନ୍ତ୍ରୀ ପଣ୍ଡା ତାଙ୍କ ଭାଷଣରେ ଗୋପାଳପୁର ବିଚ୍ ଫେଷ୍ଟିଭାଲକୁ ଦିଆଯାଉ ଥିବା ଅନୁଦାନ ପରିମାଣ ଦୁଇ ଗୁଣ କରି ଆସନ୍ତା ବର୍ଷ ଠାରୁ ୧୬ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଥିଲେ । ଏହାଛଡା, ଗୋପାଳପୁର ବିଚ୍ ସାମନା ରାସ୍ତା ନିର୍ମାଣ ପାଇଁ ୧ କୋଟି ଟଙ୍କା ମଂଜୁର କରାଯିବ ବୋଲି ପଣ୍ଡା ପ୍ରତିଶ୍ରୁତି ଦେଇ ଥିଲେ । ଆସନ୍ତା ବର୍ଷରୁ ଗୋପାଳପୁର ବିଚ୍ ଫେଷ୍ଟିଭାଲ ବା ବେଳାଭୂମୀ ମହୋତ୍ସବ ସହ ବାଲୁକା କଳା ମହୋତ୍ସବ ମଧ୍ୟ ଏକାଠି ଆୟୋଜନ କରିବାକୁ ମନ୍ତ୍ରୀ ପଣ୍ଡା ଆୟୋଜକ ମାନଙ୍କୁ ପରାମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଓ ଗୋପାଳପୁର ବିଧାୟକ ଏହି ମହୋତ୍ସବର ସଂଯୋଜନା କରିଥିବା ବେଳେ ଶେଷ ଦିନର ଉତ୍ସବରେ ବ୍ରହ୍ମପୁର, ଛତ୍ରପୁର,ଆସିକା, ଖଲ୍ଲିକୋଟ, ସାନଖେମୁଣ୍ଡି ଓ ପୋଲସରା ବିଧାୟକ ଅତିଥି ଭାବେ ଯୋଗ ଦେଇଥିଲେ । ୨୮ ତାରିଖ ମହୋତ୍ସବରେ କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱରରୁ ଆସିଥିବା କଳାକାରମାନେ ଆଦିବାସୀ ନୃତ୍ୟ ପରିବେଷଣ କରିଥିବା ବେଳେ ବ୍ରହ୍ମପୁରର କଳାକାରମାନେ ଭାରତ ନାଟ୍ୟମ ଓ ଅନ୍ୟନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ୨୪ ତାରିଖରୁ ଗୋପାଳପୁରଠାରେ ଏହି ମହୋତ୍ସବ ଚାଲିଥିଲା । ବଲିଉଡ୍ ଗାୟକ ହିମେଶ ରେଶମିଆ, ନେହା କକ୍କରଙ୍କ ସମେତ ବହୁ ନାମୀ, ଦାମୀ କଳାକାର ଗୋପାଳପୁର ମହୋତ୍ସବରେ ସେମାନଙ୍କ ଯାଦୁ ଦେଖାଇବା ସହ ପାଂଚ ଦିନ ଧରି ମହୋତ୍ସବ ଦେଖିବାକୁ ଆସୁ ଥିବା ଦର୍ଶକଙ୍କ ମନୋରଂଜନ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS