ସୁରତରେ ‘ସୋୱା’ ତରଫରୁ ଉତ୍କଳ ଦିବସ ପାଳିତ
ସୁରତ, ୦୨ ଏପ୍ରିଲ (ରାଜେଶ କୁମାର ପାଢୀ): ଗୁଜରାଟର ସୁରତ ସହରକୁ ଏକ ‘ମିନି ଓଡ଼ିଶା’ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସହରରେ ବସବାସ କରନ୍ତି ଓଡ଼ିଶାର ବିଭିନ୍ନ ଅଂଚଳରୁ କର୍ମ ସଂସ୍ଥାନର ସନ୍ଧାନରେ ଯାଇ ଥିବା ଲକ୍ଷାଧିକ ଓଡ଼ିଆ । ବିଭିନ୍ନ ଲୁଗା କଳ, ହୀରା କାରଖାନା ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥା ସେମାନଙ୍କୁ ରୋଜଗାର ଦେଇଛି । ପ୍ରବାସୀ ହୋଇ ବି ସେମାନଙ୍କ ମଧ୍ୟରେ ଓଡ଼ିଆ ସଂସ୍କୃତି ବଂଚି ରହିଛି । କର୍ମକ୍ଲାନ୍ତ ଜୀବନରେ ମଧ୍ୟ ସେମାନେ ଜନ୍ମ ମାଟିର ମମତାକୁ ଭୁଲି ନାହାନ୍ତି । ଗତ ରବିବାର (ଏପ୍ରିଲ ୧ ତାରିଖ) ଦିନ ସେମାନେ ସୁରତର ନାନାପୁର ସ୍ଥିତ ଜୀବନ ଭାରତୀ ସ୍କୁଲର ଅଡ଼ିଟୋରିୟମରେ ଉପସ୍ଥିତ ରହି ଉତ୍କଳ ଦିବସ ପାଳନ କରିଛନ୍ତି ।
ରବିବାର ସନ୍ଧ୍ୟା ସାଢେ ୭ଟା ସମୟରେ ସୁରତ ଓଡ଼ିଆ ୱେଲଫେୟାର ଆସୋସିଏସନ୍ (ସୋୱା) ତରଫରୁ ଏହି ଅଡ଼ିଟୋରିୟମରେ ୮୩ ତମ ଉତ୍କଳ ଦିବସ ପାଳନ କରାଯାଇଥିଲା । ଏଥିରେ ଏସଜିସିସିଆଇର ଅଧ୍ୟକ୍ଷ ତଥା ସି.ଏ ପି.ଏମ. ଶାହା ମୁଖ୍ୟ ଅତିଥି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ସୁରତ ମହାନଗର ସଂଘ ଚାଳକ ସୁରେଶ ଭାଇ ମାଷ୍ଟର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିଲେ । ଶ୍ରୀ ମାଷ୍ଟର ଅଣ ଓଡ଼ିଆ ହୋଇ ମଧ୍ୟ ସରଳ ଓ ସୁ୍ନ୍ଦର ଭାବେ ଓଡ଼ିଶାର ଗୌରବ ଗାଥା, ଐତିହ୍ୟ ଓ ପରଂପରାର ଉପସ୍ଥାପନା କରିଥିଲେ । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନିଜକୁ ଓଡ଼ିଶା ବାହାରେ ଗୁଜରାତରେ ବହୁ ସଂଖ୍ୟକ ଓଡ଼ିଆଙ୍କ ଗହଣରେ ପାଇ ଗର୍ବିତ ମନେ କରୁଥିବା କହିଥିଲେ । ସମସ୍ତଙ୍କୁ ସେ ପବିତ୍ର ଉତ୍କଳ ଦିବସରେ ଅଭିନନ୍ଦନ ଜଣାଇ ଥିଲେ । ଏହି ସମାବେଶରେ ସୁରତ ଓ ଆଖପାଖ ଅଂଚଳର ହଜାରରୁ ଅଧିକ ଓଡ଼ିଆ ଭାଇ,ଭଉଣୀ ଯୋଗ ଦେଇ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଶିତ ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟର ଆନନ୍ଦ ନେଇ ଥିଲେ । ଶେଷରେ, ସୋୱା-ରୁଚି ମସଲା ୨୦୧୮ ସମ୍ମାନରେ ତିନି ଯୋଡା ଦମ୍ପତ୍ତିଙ୍କୁ ସମ୍ମାନୀତ କରା ଯାଇଥିଲା । ‘ସୋୱା’ ଟିମ୍ ର ବିଦେଶୀ ସାହୁ, ତପନ ମହାରଣା, ସୁମନ ଦାସ, କ୍ଷେତ୍ର ମୋହନ ପୃଷ୍ଟି, ଚିତ୍ତରଂଜନ ଭାଇ, ସବାସ ଗନ୍ତାୟତ, ଭାଗିରଥୀ ବେହେରା, ଅଶୋକ ସାହୁ, ମୁକ୍ତିକାନ୍ତ ଦାସ, ରାଜେଶ ପାଢୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS