ବ୍ରହ୍ମପୁର କଂଗ୍ରେସରେ ଇସ୍ତଫାର ସୁଅ, ବିଜେଡ଼ିରେ ବିଦ୍ରୋହ ?
ବ୍ରହ୍ମପୁର, ୦୨ ଏପ୍ରିଲ (ମୋ ଅନୁଭବ): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ପିସିସି ସାଧାରଣ ସଂପାଦକ ବିକ୍ରମ ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ନିକଟରେ ଦଳରୁ ଇସ୍ତଫା ଦେବା ପରେ ବ୍ରହ୍ମପୁର କଂଗ୍ରେସରେ ଇସ୍ତଫାର ସୁଅ ଛୁଟିଛି । ବ୍ରହ୍ମପୁର ମହାନଗର ନିଗମରେ ବର୍ତମାନ ଥିବା ୧୧ ଜଣ କଂଗ୍ରେସ କାଉନସିଲରଙ୍କ ମଧ୍ୟରୁ ଦୁଇ ଦିନ ମଧ୍ୟରେ ୧୦ ଜଣ ଇସ୍ତଫା ଦେଇଛନ୍ତି । ସେହିପରି, ଗଞ୍ଜାମ ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ଜାତି ଓ ଜନଜାତିି ସେଲର ସଭାପତି ତଥା ପିସିସି ସଭ୍ୟ ବନମାଳୀ ସେଠୀ ରବିବାର ଦିନ ଦଳରୁ ଇସ୍ତାଫା ଦେଇ ଥିବା ଖବର ମିଳିଛି । ୨୦୧୪ ନିର୍ବାଚନରେ ସେ ଛତ୍ରପୁର ସଂରକ୍ଷିତ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢି ଥିଲେ । କଂଗ୍ରେସରୁ ଇସ୍ତଫା ଦେଇଥିବା ବ୍ରହ୍ମପୁର ମହାନଗର ନିଗମ କାଉନସିଲରମାନେ ହେଉଛନ୍ତି -ରଂଜିତ ନାୟକ, ଆର. ମୁରଲୀ ମୋହନ, ଗୀତା ମାଧେଇ, ସଂଜିତ ପାତ୍ର, ଲିଲି ବେହେରା, ଏମ. ମିନାକ୍ଷୀ, ଅନିଲ ନାୟକ, ବି. ଶ୍ରୀନୀବାସ ରାଓ, ମୀନତି ବିଶୋୟୀ ଓ ପ୍ରିୟଙ୍କା ଚୌଧୁରୀ ।
୪୦ ୱାର୍ଡ ବିଶିଷ୍ଟ ବ୍ରହ୍ମପୁର ମହାନଗର ନିଗମରେ କଂଗ୍ରେସର ୧୪ ଜଣ କାଉନସିଲର ଥିଲେ । ସେଥିରୁ ୨ ଜଣ ପୂର୍ବରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗ ଦେଇ ଥିବା ବେଳେ ଜଣକର ମୃତ୍ୟୁ ଘଟିଛି । ବାକି ୧୧ କଂଗ୍ରେସ କାଉନସିଲରଙ୍କ ମଧ୍ୟରୁ ୧୦ ଜଣ ଇସ୍ତଫା ଦେଇ ଥିବାରୁ ମହାନଗର ନିଗମ ପ୍ରାୟତଃ କଂଗ୍ରେସ ଶୂନ୍ୟ ଅବସ୍ଥାରେ ପହଂଚିଛି । ଏକମାତ୍ର ୪୦ ନମ୍ବର ୱାର୍ଡ କାଉନସିଲର କଂଗ୍ରେସରେ ଅଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସାହୁ ଓ ପିସିସି ସାଧାରଣ ସଂପାଦକ ପଣ୍ଡାଙ୍କ ସମେତ ଏହି କାଉନସିଲର ଓ କଂଗ୍ରେସ ନେତାମାନେ ୪ ତାରିଖ ବ୍ରହ୍ମପୁର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହେବାକୁ ଥିବା ମିଶ୍ରଣ ପର୍ବରେ ବିଜେଡ଼ିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଅପରପକ୍ଷରେ, ଏହି କଂଗ୍ରେସ ନେତାମାନେ ବିଜେଡ଼ିରେ ଯୋଗ ଦେଉଥିବା ନେଇ ବିଜେଡ଼ିରେ ବିଦ୍ରୋହର ସୂତ୍ରପାତ ହୋଇଥିବା ଖବର ମିଳିଛି । ବିଜେଡ଼ିର କିଛି ପୁରୁଖା ନେତା ଓ କର୍ମୀ ଏହାକୁ ବିରୋଧ କରି ଦଳୀୟ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ହାଇକମାଣ୍ଡ ତାଳିପକା ଉଦ୍ୟମ କରୁଥିବା ପ୍ରକାଶ ।
ପୂର୍ବରୁ ଗଞ୍ଜାମ ଜିଲ୍ଲା ବିଜେଡ଼ି ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ରହିଛି । ବ୍ରହ୍ମପୁର ବିଜେଡ଼ିରେ ଦଳର ପୁରୁଖା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବ୍ରହ୍ମପୁର ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଓ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ମଧ୍ୟରେ ବହୁ ଦିନରୁ ପତିଆରା ଲଢେଇରେ ଅଛନ୍ତି । ଗୋପାଳପୁର ବିଧାୟକ ପାଣିଗ୍ରାହୀ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ପଦରୁ ବିଦାୟ ହେବା ପରେ ବର୍ତମାନ ଦଳର ଜିଲ୍ଲା ସଭାପତି । ବିଜେଡ଼ିରେ ଚାଲିଥିବା ଛକାପଂଝା ଭିତରେ କଂଗ୍ରେସରୁ ବିଜେଡ଼ିକୁ ଯାଉଥିବା ନେତାମାନେ କେଉଁ ଗୋଷ୍ଠୀକୁ ଆପଣାଇବେ ତାହା ଦେଖିବାକୁ ବିଭିନ୍ନ ମହଲରେ ଉତ୍ସୁକତା ପ୍ରକାଶ ପାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS