ରାଜଧାନୀ ଏବେ ବି ‘ରେଡ୍ ଜୋନ୍’ କାଟାଗୋରୀରେ, କଟକଣା ହଟିବାର ନାହିଁ
ଭୁବନେଶ୍ୱର
୨୬ ଏପ୍ରିଲ୍
ମୋଅନୁଭବ.କମ୍
ପ୍ରାରମ୍ଭରୁ ଓଡ଼ିଶା ରାଜଧାନୀ ଭୁବନେଶ୍ୱର କରୋନା ଭାଇରସ୍ ଡ଼ିଜିଜ୍ ବା କୋଭିଡ଼-୧୯ର ହଟସ୍ପଟ୍ ରହିଛି । ରାଜ୍ୟର ଅନ୍ୟ କିଛି ଜିଲ୍ଲାରୁ ନୂଆ କରୋନା କେସ୍ ଆସୁଥିବା ବେଳେ ରାଜଧାନୀରେ କିଛି ଦିନ ହେଲା ନୂଆ କେସ୍ ଆସିବା ବନ୍ଦ ଥିବାରୁ ତାଲାବନ୍ଦ କଟକଣାରେ କିଛିଟା କୋହଳ ହେବ ବୋଲି ରାଜଧାନୀ ବାସିନ୍ଦା ଆଶା କରିଥିଲେ । ତେବେ, ବର୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ କଟକଣା ଢିଲା ହେଲେ ପରିସ୍ଥିତି ଅସମ୍ଭାଳ ହୋଇପାରେ, ଏହି ଆଶଙ୍କାରେ ରାଜ୍ୟ ସରକାର ଓ ଭୁବନେଶ୍ୱର ପୌର ପ୍ରଶାସନ ରାଜଧାନୀକୁ ‘ରୋଡ୍ ଜୋନ୍ କାଟାଗୋରୀ’ରୁ ମୁକ୍ତ କରିବାକୁ ପ୍ରସ୍ତୁତ ନୁହନ୍ତି । ଭୁବନେଶ୍ୱର ମହାନଗର ନିଗମ ସ୍ଥିତି ପରଖୁଛି । ରାଜଧାନୀ ବାସିନ୍ଦା ବ୍ୟତିବ୍ୟସ୍ତ ନ ହୋଇ ପ୍ରଶାସନକୁ ଏଥିରେ ସହଯୋଗ କରନ୍ତୁ ବୋଲି ସରକାରଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଡ.ଅଜିତ ତ୍ରିପାଠୀ ଓ ଦ୍ୱୈତ ନଗରୀ ପୁଲିସ କମିସନର୍ ଡ.ସୁଧାଂଶୁ ଷଡଙ୍ଗୀ ଆଜି ଅପରାହ୍ନରେ ଟ୍ୱିଟଡ୍ମାଧ୍ୟମରେ ଅନୁରୋଧ କରିଛନ୍ତି ।
୨୬ ତାରିଖ ଅପରାହ୍ନ ସୁଦ୍ଧା ରାଜ୍ୟରେ କରୋନା ପଜେଟିଭ୍ କେସ୍ ସଂଖ୍ୟା ୧୦୩ ଥିବା ବେଳେ ସେଥିରୁ କେବଳ ରାଜଧାନୀ ଭୁବନେଶ୍ୱରର ସଂଖ୍ୟା ହେଉଛି ୪୬ । ଭୁବନେଶ୍ୱରର ବମିଖାଲ, ସୂର୍ଯ୍ୟ ନଗର, ସତ୍ୟ ନଗର, ଝାରପଡା, କପିଳ ପ୍ରସାଦ, ଯଦୁପୁର ପ୍ରଭୃତି ଅଂଚଳରୁ କରୋନା ସଂକ୍ରମଣ କେସ୍ ସାମନାକୁ ଆସିବା ପରେ ରାଜ୍ୟ ସରକାର ଏସବୁ ଅଂଚଳକୁ କଂଟେନମେଂଟ୍ ଏରିଆ ବା ସଂକ୍ରମିତ ଅଂଚଳ ଘୋଷଣା କରି ସିଲ୍ କରି ଦେଇଥିଲେ । ପର୍ଯ୍ୟାୟକ୍ରମେ ସବୁ ଅଂଚଳ ‘କଂଟେନମେଂଟ ମୁକ୍ତ’ ହୋଇଛି । ତେଣୁ, ଦେଶର ଅନ୍ୟାନ୍ୟ ଅଂଚଳ ଭଳି ମେ’ ୩ ତାରିଖ ପରେ ରାଜଧାନୀବାସୀଙ୍କୁ ମଧ୍ୟ ନିଶ୍ୱାସ ନେବାର ସୁଯୋଗ ମିଳିବ ବୋଲି ସମସ୍ତେ ଆଶା ରଖି ଥିଲେ । କିନ୍ତୁ, ମୁଖ୍ୟ ଶାସନ ସଚିବ ଓ ପୁଲିସ କମିସନରଙ୍କ ଟ୍ୱିଟ୍ ନିରାଶ କରିଛି । ଯେଉଁ ସବୁ ଅଂଚଳରୁ ନୂଆ କରୋନା କେସ୍ ଆସିବ ନାହିଁ ସେସବୁ ଅଂଚଳରେ ବ୍ୟବସାୟିକ କାର୍ଯ୍ୟକଳାପ ଆରମ୍ଭ ହେବ ବୋଲି ସରକାରଙ୍କ ନିଷ୍ପତ୍ତି ରାଜଧାନୀବାସୀଙ୍କ ପାଇଁ ଲାଗୁ ନ ଥିବା ଆଜି ସ୍ପଷ୍ଟ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ସବୁଜ ସଂକେତ ମିଳିବା ଯାଏଁ ରାଜଧାନୀ ବାସିନ୍ଦା ପୂର୍ବବତ୍ ବିଭିନ୍ନ ସୁବିଧାରୁ ବଂଚିତ ରହିବେ, ନିଃସନ୍ଦେହରେ ଏହା କୁହାଯିବ ।
ତଥାପି, ରାଜଧାନୀବାସୀଙ୍କ ପାଇଁ ଖୁସିର ଖବର ରହିଛି । ତାହା ହେଉଛି, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ସ୍ଥିର ରହିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ‘ଏକ’ରୁ ଆଗକୁ ଯାଇ ନାହିଁ । ରାଜଧାନୀର ବିିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହୋଇ ୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜଧାନୀରେ ମୃତ୍ୟୁ ସଂଖ୍ୟା ବଢି ନ ଥିବା ଓ ଚିକିତ୍ସାଧୀନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଉଥିବା ସରକାର ଓ ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତିର ଖବର ହୋଇଛି । ରାଜଧାନୀ ଭୁବନେଶ୍ୱର ବା ଖୋର୍ଦ୍ଧା ଜିଲ୍ଲା କରୋନା ହଟସ୍ପଟ୍ ଭାବେ ଯେଉଁ ଚର୍ଚ୍ଚାରେ ଥିଲା ତାହା ରାଜ୍ୟର ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ହଟି ଯାଇଛି । ଏହି ତିନି ଜିଲ୍ଲା ଏବେ କରୋନାର ନୂଆ ହଟସ୍ପଟ୍ ହୋଇଛନ୍ତି । ପଡୋଶୀ ପଶ୍ଚିମ ବଂଗରୁ ବହୁ ସଂଖ୍ୟାରେ କରୋନ ବାହକ ଏହି ତିନି ଜିଲ୍ଲାକୁ ପଶି ଆସିବା ଦ୍ୱାରା ନୂଆ ରୋଗୀ ସଂଖ୍ୟା ବଢିଛି । ୨୬ ତାରିଖ ସକାଳ ସୁଦ୍ଧା ଯାଜପୁର ଜିଲ୍ଲାରୁ ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଜଣେ ମାତ୍ର ସୁସ୍ଥ ହୋଇଥିବା ଜଣାପଡିଛି । ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରୁ ୧୬ ଜଣ ଆକ୍ଟିଭ୍ ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ୧୪ ଜଣ ଚିକିତ୍ସାଧୀନ ଅଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ଏହି ତିନି ଜିଲ୍ଲାକୁ ୬୦ ଘଂଟା ପାଇଁ ସଂପୂର୍ଣ୍ଣ ସଟ୍ ଡାଉନ୍ କରାଯାଇ ନୂଆ ନୂଆ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଉଦ୍ୟମ ହୋଇଥିଲା । ତିନି ଜିଲ୍ଲାରୁ ସଟ୍ ଡାଉନ୍ ଉଠିଛି ଏବଂ ତିନି ଜିଲ୍ଲାର ଜନସାଧାରଣ କଂଟାକ୍ଟ ଟ୍ରେସିଂ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଛନ୍ତି ବୋଲି ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଏସବୁ ହଟସ୍ପଟ୍ ବ୍ୟତୀତ ରାଜ୍ୟର ଅନ୍ୟ ୬ ଜିଲ୍ଲାରୁ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହି ସବୁ ଜିଲ୍ଲା ମଧ୍ୟରୁ ସୁ୍ନ୍ଦରଗଡ଼ରୁ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୩ ଜଣ ଚିକିତ୍ସାଧୀନ ଥିବା ଓ ୩ ଜଣ ସୁସ୍ଥ ହୋଇଥିବା, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣଙ୍କ ମଧ୍ୟରୁ ଜଣେ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଓ ଜଣେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ ଓ ପୁରୀ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନେ ସମସ୍ତେ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ରାଜ୍ୟର ମୋଟ ୩୦ ଜିଲ୍ଲାରୁ ୧୦ଟି ଜିଲ୍ଲାରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି । ମୋଟ ୧୦୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୩୪ ଜଣ ସୁସ୍ଥ ହେଲେଣି । ଜଣକର ମୃତ୍ୟୁ ଘଟି ଥିବା ବେଳେ ୬୮ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୨୬ ତାରିଖ କୋଭିଡ୍ -୧୯ ଅପ୍ଡେଟ୍ ରିପୋର୍ଟରୁ ଏହି ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS