ଦେଶର ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ୧୮ରୁ, ତେବେ ତାହାର ରୂପରେଖ ଭିନ୍ନ ହେବ: ପ୍ରଧାନମନ୍ତ୍ରୀ
ପ୍ରସାଦ ରାଓ
ନୂଆଦିଲ୍ଲୀ
ମେ’୧୨
ଦେଶରେ ଜାରି ଥିବା ତୃତୀୟ ପର୍ଯ୍ୟାୟ ତାଲାବନ୍ଦର ଅବଧି ମେ’୧୭ରେ ସରିବାକୁ ଯାଉଛି । ଏହା ପରେ କରୋନା ଭୂତାଣୁ ଜନିତ ରୋଗର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ରଣନୀତି କଣ ହେବ ? ଏହି ପ୍ରଶ୍ନକୁ ନେଇ ସମଗ୍ର ଦେଶରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ସମ୍ବୋଧିତ କରି ଏହି ଦୁବିଧା ଦୂର କରିଛନ୍ତି । ମେ’ ୧୮ରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ହେଉଥିବା ସେ ତାଙ୍କ ଭାଷଣରେ ସ୍ପଷ୍ଟ କରିବା ସହ ଏହାର ରୂପରେଖ କଣ ହେବ, ତାହା ୧୮ ତାରିଖ ପୂର୍ବରୁ ସ୍ପଷ୍ଟ କରିଦିଆଯିବ ବୋଲି କହିଛନ୍ତି । ତେବେ, ଦେଶକୁ ଆତ୍ମନିର୍ଭରଶୀଳ କରିବା ସରକାରଙ୍କ ଏକମାତ୍ର ଆଭିମୁଖ୍ୟ ହୋଇଥିବାରୁ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଗତିଶୀଳ କରିବା ସକାଶେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ପ୍ରସ୍ତୁତ ହୋଇଥିବା ପ୍ରଧାମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ୟାକେଜର ବିସ୍ତୃତ ରୂପରେଖ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ପର୍ଯ୍ୟାୟକ୍ରମେ ସୂଚନା ଦେବେ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାତିରେ ଦେଶକୁ ସମ୍ବୋଧିତ କରିବା ପୂର୍ବରୁ ଗତକାଲି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ କରିଥିଲେ । କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ନିତାନ୍ତ ଆବଶ୍ୟକ ହୋଇ ଥିବାରୁ ଦେଶରେ ତାଲାବନ୍ଦ ଅବଧି ବୃଦ୍ଧି କରାଯିବା ସପକ୍ଷରେ ଅନ୍ୟୁନ ପାଂଚ ଜଣ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ତେବେ, କରୋନା ଯୋଗୁ ସ୍ଥାଣୁ ଅବସ୍ଥାରେ ପହଂଚି ଯାଇଥିବା ଦେଶର ଅର୍ଥନୀତିକୁ ପୁନର୍ବାର ଗତିଶୀଳ କରିବା ଦିଗରେ ସରକାର ଗୁରୁତ୍ୱ ଦେବାକୁ ପ୍ରାୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଦେଶରେ ତାଲାବନ୍ଦ ଅବଧି ବୃଦ୍ଧି କରାଯିବା ସଂପର୍କରେ ମତାମତ ଦେବାକୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ ମଧ୍ୟ ଆଜି ନିଜକୁ ରୋକି ନ ପାରି ମେ’ ୧୮ରୁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ କଥା ଘୋଷଣା କରିଛନ୍ତି । ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦର ରୂପରେଖ କଣ ହେବ, ସେ ନେଇ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ଅଧିକ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଠାରରେ ବହୁ କଥା କହିଛନ୍ତି । ଦେଶବାସୀଙ୍କୁ ପୁଣି ଥରେ ଆତ୍ମନିର୍ଭରଶୀଳତା ଓ ବିକାଶର ସ୍ୱପ୍ନ ଦେଖାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏଥରର ତାଲାବନ୍ଦ ସଂପୂର୍ଣ୍ଣ ଭିନ୍ନ ଧରଣର ହେବ । ଦେଶକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ତାଙ୍କ ସରକାରର ଲକ୍ଷ୍ୟ ହୋଇଥିବାରୁ ତାହାକୁ ବାସ୍ତବ ରୂପ ଦେବା ସକାଶେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି । ଏକବିଂଶ ଶତାବ୍ଧୀ ହେଉଛି ଭାରତର । ଭାରତୀୟ ଆତ୍ମନିର୍ଭରଶୀଳ ହେଲେ ସବୁ କ୍ଷେତ୍ରରେ ବିଶ୍ୱ ଭାରତ ହାତକୁ ଅନାଇବ । ଏହି ଆତ୍ମନିର୍ଭରଶୀଳ ଆଣିବା ଦିଗରେ ଯେଉଁ ଦଢ ସଂକଳ୍ପର ଆବଶ୍ରକତା ରହିଛି ତାହା ‘ଆମ ପାଖରେ ଅଛି’ ବୋଲି ସେ କହିଥିଲେ । ପ୍ରତ୍ୟେକ ଭାରତୀୟ ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ୱଦେଶରେ ଉତ୍ପାଦିତ ସାମଗ୍ରୀ ବ୍ୟବହାର କଲେ ଆତ୍ମନିର୍ଭରଶୀଳତା ଆସି ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶରେ ଖଦୀ ଉଦ୍ୟୋଗ ଦୟନୀୟ ଅବସ୍ଥାରେ ଥିବା ସମୟରେ ସମସ୍ତେ ଖଦୀର ବ୍ୟବହାର କରିବାକୁ ସେ ନିବେଦନ କରିଥିଲେ । ଦେଶବାସୀ ତାହା ଗ୍ରହଣ କରି ବହୁଳ ଭାବେ ଖଦୀର ବ୍ୟବହାର କରିବାରୁ ଏବେ ଖଦୀ ଓ ସିଲ୍କ୍ ର ଆଦର ଏବଂ ଚାହିଦା ବଢିଛି । ଅନ୍ୟମାନେ ଭରତୀୟ ସାମଗ୍ରୀକୁ ଆମଦାନୀ କରି ବ୍ରାଣ୍ଡିଂ କରିବା ସହ ସେମାନଙ୍କ ସପ୍ଲାଇ ଚେନ୍ ମାଧ୍ୟମରେ ଭାରତରେ ପହଂଚାଇ ବିକୁଛନ୍ତି । ଆମେ ସେସବୁ ଦ୍ରବ୍ୟର ଗୁଣଗାନ କରୁଛେ । ଏବେ ଭାରତ ନିଜେ ସବୁ କିଛି ଉତ୍ପାଦନ କରିବା ସହ ତାହାର ବ୍ରାଣ୍ଡିଂ କରିବ ଏବଂ ନିଜର ସପ୍ଲାଇ ଚେନ୍ ମାଧ୍ୟମରେ ବାହାରକୁ ପଠାଇ ନିଜେ ସ୍ୱାବଲମ୍ବୀ ହେବ । କରୋନା ସମୟରେ ଦେଶବାସୀ ସ୍ୱାବଳମ୍ବୀ ହେବା ଓ ନିଜ ପାଖରେ ମିଳୁ ଥିବା ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାର ଯେଉଁ ଅଭିଜ୍ଞତା ଅର୍ଜନ କରିଛନ୍ତି ତାହା ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି ।
କରୋନାକୁ ନେଇ ସମଗ୍ର ବିଶ୍ୱ ବର୍ତମାନ ଯେଭଳି ସଂଘର୍ଷର ରାସ୍ତା ଦେଇ ଗତି କରୁଛି ତାହାର କିଛିଟା ପ୍ରଭାବ ଭାରତ ଉପରେ ମଧ୍ୟ ପଡିଛି । ଦେଶକୁ ଆତ୍ମନିର୍ଭରଶୀଳ କରିବାର ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନାର ମୁକାବିଲା ପାଇଁ ମାସ୍କ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ ହୋଇଥିବା ଦର୍ଶାଇ ବିଶ୍ୱର ଦୃଷ୍ଟି ଏବେ ଭାରତ ଉପରେ ବୋଲି ସେ କହିଛନ୍ତି । ୫୦ ଦିନର ତାଲାବନ୍ଦ ଅବଧିରେ ଦେଶର ସବୁ ବର୍ଗର ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସମସ୍ତଙ୍କ ପ୍ରତି ସେ ସମବେଦନା ଜ୍ଞାପନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରାୟ ଅଧଘଂଟା କାଳ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଜି ଯେଉଁ ଆତ୍ମନିର୍ଭରଶୀଳତାର ମନ୍ତ୍ର ଦେଇଛନ୍ତି ତାହା ଯଦି ବାସ୍ତବ ରୂପ ନିଏ ତେବେ ଭାରତ ବିଶ୍ୱରେ ସବୁଠାରୁ ଶକ୍ତଶାଳୀ ରାଷ୍ଟ୍ରରେ ପରିଣତ ହୋଇପାରିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS