ଓଡ଼ିଶାରେ ପହଂଚିଲା ୫୦୦ କୋଟିର ଅଗ୍ରୀମ ସହାୟତା, ରାଜ୍ୟ ସରକାର ଖୁସି
ପ୍ରସାଦ ରାଓ
ଭୁବନେଶ୍ୱର, ମେ’୨୩
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ପଶ୍ଚିମ ବଂଗ ଓ ଓଡ଼ିଶା ଆସି ଆମ୍ଫାନ ମହାବାତ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ପଶ୍ଚିମ ବଂଗ ପାଇଁ ୧୦୦୦କୋଟି ଓ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଥିଲେ । ଘୋଷଣା ମୁତାବକ ଆଜି ଅପରାହ୍ନ ସୁଦ୍ଧା ଓଡ଼ିଶାକୁ ମିଳି ଯାଇଛି ୫୦୦ କୋଟି ଟଙ୍କା । ଏହି ଖବର ରାଜ୍ୟ ରାଜନୀତି ସରଗରମ କରିଛି । ୨୦ ତାରିଖ ମହାବାତ୍ୟା ଓଡ଼ିଶା ଉପକୂଳକୁ ଘସି ହୋଇ ପଶ୍ଚିମ ବଂଗରେ ପହଂଚିବା ପରେ ସେଠାରେ ପ୍ରଳୟ ସୃଷ୍ଟି କରିଥିଲା । ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଲାବନ୍ଦ ଅବଧିରେ ଦିଲ୍ଲୀରୁ ବାହାରି ନ ଥିବା ବେଳେ ଦୁଇ ରାଜ୍ୟର ମହାବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବା ସକାଶେ ମାତ୍ର ଗୋଟିଏ ଦିନ ପରେ ଦୁଇ ରାଜ୍ୟରେ ପହଂଚି ଥିଲେ ଏବଂ ଆକାଶ ମାର୍ଗରୁ କ୍ଷୟକ୍ଷତିର ଅନୁଧ୍ୟାନ କରି ଦୁଇ ରାଜ୍ୟ ପାଇଁ ଅଗ୍ରୀମ ସହାୟତା ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରୁ ଫେରୁ ପରଦିନ ଘୋଷଣା ଅନୁଯାୟୀ ଅଗ୍ରୀମ ସହାୟତା ପହଂଚି ଯାଇଛି । ଏହି ଦୁଇ ରାଜ୍ୟ ଅଣ-ବିଜେପି ଶାସିତ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଅଣଦେଖା କରି ନାହାନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ପୂର୍ବାଂଚଳ ରାଜ୍ୟଗୁଡିକ ପ୍ରତି ରହିଥିବା ଭଲ ପାଇବା ବୋଲି ବିଜେପି ରାଜ୍ୟ ଶାଖା ଦାବି କରିଛି । ତେବେ, ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ରାଜନୀତି ସ୍ପୃହଣୀୟ ନୁହେଁ କହି ଶାସକ ବିଜେଡ଼ି ବିଜେପିର ହର୍ଷୋଲ୍ଲାସକୁ ଏହାଇ ଯିବାକୁ ଉଦ୍ୟମ କରିଛି ।
ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କ କଟୁସମାଲୋଚକ ଭାବେ ପରିଚିତ । କରୋନା ମୁକାବିଲାରେ କେନ୍ଦ୍ର ସରକାର ପଶ୍ଚିମ ବଂଗ ପ୍ରତି ପାତରଅନ୍ତର କରୁଛନ୍ତି ବୋଲି କିଛି ଦିନ ତଳେ ମମତା ଅଭିଯୋଗ କରିବା ସହ ସଂଘୀୟ ବ୍ୟବସ୍ଥାର ଉଲଂଘନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟୁ ସମାଲୋଚନା କରିଥିଲେ । ୨୦ ତାରିଖ ମହାବାତ୍ୟାରେ କଲିକତା ସହର ସମେତ ପଶ୍ଚିମ ବଂଗ ରାଜ୍ୟ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେବା ପରେ ପ୍ରଧାନମନ୍ତ୍ରୀ ଆସି କ୍ଷୟକ୍ଷତି ଅନୁଧ୍ୟାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହ୍ୱାନ ଦେଇଥିଲେ । ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ କଲିକତା ଯାଇ ପଶ୍ଚିମ ବଂଗର ମହାବାତ୍ୟାଜନତି କ୍ଷୟକ୍ଷତି ଅନୁଧ୍ୟାନ କରିବା ଏବଂ ରାଜ୍ୟ ପାଇଁ ୧୦୦୦ କୋଟି ଟଙ୍କା ଅଗ୍ରୀମ ସହାୟତା ଘୋଷଣା କରିବା ପ୍ରଶଂସନୀୟ ବୋଲି ମମତା-ବିରୋଧୀମାନେ ଦାବି କରିଛନ୍ତି । ରାଜ୍ୟ ସରକାର ନିଜର କ୍ଷୟକ୍ଷତି ଆକଳନ ରିପୋର୍ଟ ଦାଖଲ କରିବା ପରେ କେନ୍ଦ୍ର ସରକାରଙ୍କ ଏକ ବିଶେଷଜ୍ଞ ଦଳ ରାଜ୍ୟକୁ ଯାଇ ବାସ୍ତବ କ୍ଷୟକ୍ଷତି ଅନୁଧ୍ୟାନ କରିବେ ଏବଂ ରାଜ୍ୟର ପୁନର୍ବିନ୍ୟାସରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ ସମାଲୋଚନାର ଦ୍ୱାର ବନ୍ଦ କରି ଦେଇଛନ୍ତି । ଆଗାମୀ ଦିନରେ ଏହା ପଶ୍ଚିମ ବଂଗ ରାଜନୀତିକୁ ଅଧିକ ସରଗରମ କରିବ ବୋଲି ରାଜନୈତିକ ମହଲରେ ବିଶ୍ୱାସ କରାଯାଉଛି ।
ଆମ୍ଫାନ ମହାବାତ୍ୟାରେ ରାଜ୍ୟର ୧୦ଟି ଜିଲ୍ଲା କ୍ଷୟଗ୍ରସ୍ତ ହୋଇଛି ବୋଲି ଓଡ଼ିଶା ସରକାରଙ୍କ ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ରାଜ୍ୟର ୪ଟି ଉତ୍ତର ଉପକୂଳବର୍ତୀ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଧିକ ପ୍ରଭାବିତ ଜିଲ୍ଲାରେ କଟକ ରହିଛି । ଏହାଛଡା, ମହାବାତ୍ୟାରେ ମୟୁରଭଂଜ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଥିବା ସରକାର କହିଛନ୍ତି । ମହାବାତ୍ୟା ପ୍ରଭାବିତ ୧୦ଟି ଜିଲ୍ଲାର ୯୮୩୩ ଗାଁ ଓ ୪୪ ଲକ୍ଷ ୪୪ ହଜାର ୮୯୬ ଜଣ କ୍ଷତିଗ୍ରସ୍ତ ହୋଇଛନ୍ତି । ୫୦୦ ଘର ସଂପୂର୍ଣ୍ଣ ଭାବେ ଭାଂଗି ଥିବା ବେଳେ ୧୫ ହଜାର ଘର ଆଂଶିକ ଭାବେ ଭାଂଗି ଥିବା ସରକାରୀ ଭାବେ କୁହାଯାଇଛି । ଏକ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ମହାବାତ୍ୟା ସମୟରେ ୨ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି । ତେବେ, ମହାବାତ୍ୟାରେ ରାଜ୍ୟରେ ଜଣେ ହେଲେ ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋି ନାହିଁ ବୋଲି ଏହି ରିପୋର୍ଟରୁ ସୂଚନା ମିଳିଛି । କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାରେ ବ୍ୟାପକ ଫସଲହାନୀ ଘଟିବା ସହ ବିଦ୍ୟୁତ ଓ ସଡ଼କ ଭିତ୍ତିଭୂମି ନଷ୍ଟ ହୋଇ ଥିବା ସରକାର କହିଛନ୍ତି । କେନ୍ଦ୍ରରୁ ମିଳିଥିବା ଅଗ୍ରୀମ ସହାୟତାରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ସରକାର ଦୁଇ ମାସ ହେଲା କୋଭିଡ଼-୧୯ର ମୁକାବିଲାରେ ପୂର୍ଣ୍ଣ ସମୟ ଓ ଅର୍ଥ ବ୍ୟୟ କରୁଥିବା ବେଳେ ଆମ୍ଫାନ୍ ବିପର୍ଯ୍ୟୟ ରାଜ୍ୟ ପାଇଁ ଆଉ ଏକ ବୋଝ ହୋଇଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ପରିସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ଅଗ୍ରୀମ ସହାୟତା ଯୋଗାଇ ଦେବା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସମାଲୋଚକମାନେ ମଧ୍ୟ ସ୍ୱୀକାର କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ଆଜି ପହଂଚି ଥିବା ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS