କରୋନା ଡାଏରୀ (୪)…ଜୁନ୍ ମାସରେ କରୋନା ‘ଅରଣା ମଇଁଷି’ ନ ହେଉ
ପ୍ରସାଦ ରାଓ
ଭୁବନେଶ୍ୱର, ମେ’୨୫
କରୋନା ଭାଇରସ୍ ଜନିତ ରୋଗ ବା କୋଭିଡ଼-୧୯ର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗଲା ମାର୍ଚ୍ଚ ତୃତୀୟ ସପ୍ତାହରୁ ଦେଶରେ ତାଲାବନ୍ଦର ଲାଗୁ କରିଥିଲେ ସୁଦ୍ଧା କରୋନା ମହାମାରୀରେ ଲଗାମ ଲାଗି ନାହିଁ। ପ୍ରତି ଦିନ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଚିକିତ୍ସା ପରେ ରୋଗୀ ସୁସ୍ଥ ହେବା ସଂଖ୍ୟା ବଢିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁ ଥିବା ଲକ୍ଷ୍ୟ କରାଯାଉଛି । ପ୍ରଥମେ ପ୍ରଥମେ କରୋନାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାର ହିସାବ ରଖିବାରେ ଯେଉଁ ଆଗ୍ରହ ରହୁ ଥିଲା ତାହା ଧୀରେ ଧୀରେ କମିବାରେ ଲାଗିଛି । କାରଣ, ସକାଳର ହିସାବ ସନ୍ଧ୍ୟାକୁ ବଦଳି ଯାଉଛି । କାରଣ, ଆଜି ସୁଦ୍ଧା କୋଭିଡ଼-୧୯କୁ ନିଶ୍ଚିହ୍ନ କରିବା ସକାଶେ ଭାରତରେ ବା ବିଶ୍ୱରେ କୌଣସି ଟୀକା ବା ଔଷଧ ବାହାରି ପାରି ନାହିଁ । ବିଶ୍ୱର ଶକ୍ତିଶାଳୀ ଓ ବିତ୍ତଶାଳୀ ରାଷ୍ଟ୍ରମାନ ମଧ୍ୟ କୋଭିଡ଼-୧୯କୁ ହରାଇବାର ବାଟ ପାଇ ନାହାନ୍ତି । ଏହାର ଔଷଧ ବା ଟୀକା ପ୍ରସ୍ତୁତ କରିବାକୁ ଅହରହ ଉଦ୍ୟମ ଚାଲିଛି ସିନା ସେମିତି କିଛି ଆଖିଦୃଶିଆ ସଫଳତା ଆଜି ଯାଏଁ ମିଳି ନାହିଁ । ସମସ୍ତେ ଚାହିଁଛନ୍ତି ଭାରତ ଆଡକୁ । ଆୟୁର୍ବେଦ ଚିକିତ୍ସା ବିଦ୍ୟାରେ ସିଦ୍ଧହସ୍ତ ଭାରତ ଯେ କିଛି ଚମତ୍କାର ଦେଖାଇବ, ସେ ବିଶ୍ୱାସ ସମସ୍ତଙ୍କ ରହିଛି । ତେବେ, ଆଜି ସୁଦ୍ଧା କୌଣସି ସଫଳତା ମିଳି ନ ଥିବାରୁ କୋଭିଡ଼-୧୯କୁ ନେଇ ଜୀବନ ବିତାଇବାର ସଂକଳ୍ପ ନେଇ ସରକାର ଧୀରେ ଧୀରେ ତାଲାବନ୍ଦଠାରୁ ଦୂରେଇବାର ପ୍ରୟାସ ଆରମ୍ଭ କରିଥିବା ଆଜିର ଦିନରେ ଦେଖିବାକୁ ମିଳୁଛି ।
ଦୁଇ ମାସର ତାଲାବନ୍ଦ ଦେଶରେ କରୋନା ସକ୍ରମଣକୁ ଅବିଶ୍ୱସନୀୟ ଭାବରେ ରୋକିବାରେ ସମର୍ଥ ହୋଇଛି ବୋଲି ସରକାର ଏବେ ଦାବି କଲେଣି । କିନ୍ତୁ, ଦେଶରେ ଯେ କରୋନା ସଂକ୍ରମଣ ଧାରା ଅବ୍ୟାହତ ରହିଛି, ତାହ ନିଃସନ୍ଦେହରେ କୁହାଯାଇପାରେ । ଏହି ମହାମାରୀ ଦେଶର ଜନଜୀବନକୁ କେବଳ ନୁହେଁ, ଦେଶର ଅର୍ଥନୀତିକୁ ମଧ୍ୟ ଏକପ୍ରକାର ପଂଗୁ କରିଦେଇଛି । ତାଲାବନ୍ଦ ଓ କର୍ଫ୍ୟୁ ଭିତରେ ଲୋକେ ଘରେ ବସି ରହିବାକୁ ବାଧ୍ୟ ହୋଇଛନ୍ତି । କେହି ବିରୋଧ ବା ପ୍ରତିବାଦ କରିବାର ଅବକାଶ ନାହିଁ । ପ୍ରଥମେ ପ୍ରଥମେ କରୋନା ସଂକ୍ରମଣର ଭୟ ଏବଂ ପରେ ପୁଲିସ ମାତ୍ରାଧିକ୍ୟର ଭୟ ଘର ଭିତରେ ଆବଦ୍ଧ ରହିବାକୁ ଜନସାଧାରଣଙ୍କୁ ଏକପ୍ରକାର ବାଧ୍ୟ କରି ଥିଲା । ଯେଉଁମାନେ ଅମାନିଆ ହେଲେ ସେମାନଙ୍କୁ ସାବାଡ କରିବାକୁ ସରକାର ପୁଲିସକୁ ଲଗାଇ ଦେଲେ । ମାତ୍ରାଧିକ କ୍ଷମତା ବଳରେ ପୁଲିସ ରାସ୍ତାଘାଟରେ ବଳ ପ୍ରୟୋଗର ଅନେକ କାହାଣୀ ରହିଛି । ତେବେ, ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ସରିବାକୁ ଯାଉଥିବା ବେଳେ ସ୍ଥିତିରେ କିଛିଟା ପରିବର୍ତନ ଆସିଛି । ସରକାର ଜୀବନ ସହ ଜୀବୀକାକୁ ଯୋଡି ଯେଭଳି କାହାଣୀ ଶୁଣାଉଛନ୍ତି ଏବଂ ପଂଗୁ ଅବସ୍ଥାରେ ପହଂଚି ଯାଇଥିବା ଭାରତୀୟ ଅର୍ଥନୀତିକୁ ସଜାଡିବା ପାଇଁ ଯେଭଳି ପ୍ୟାକଜ୍ ପରେ ପ୍ୟାକେଜ୍ ଘୋଷଣା କରୁଛନ୍ତି ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସହାୟତାର ପରିଚାୟକ ହୋଇଛି ।
ସରକାରୀ ଭାଷାରେ ଦେଶରେ କୃଷି, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଏବଂ ଶ୍ରମଶକ୍ତିକୁ ପୁନରୁଜ୍ଜୀବିତ କରିବା ଦିଗରେ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହା ଦେଶକୁ ପୁଣି ଥରେ ଆଗେଇ ନେବାରେ ସହାୟକ ହେବ । ଏଥିସକାଶେ, ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହୋଇଛି । ମୃତପ୍ରାୟ ଅର୍ଥନୀତିରେ ନୂତନ ରକ୍ତ ସଂଚାରରେ ତାହା ସହାୟକ ହେବ ବୋଲି କୁହାଯାଉଛି । ବାସ୍ତବରେ, ଦେଶର ସାଧାରଣ ଜନଜୀବନକୁ ଏହି ପ୍ୟାକେଜ୍ କେତେଦୂର ଶକ୍ତି ଯୋଗାଇ ପାରିବ ବର୍ତମାନ ଠାରୁ ଆକଳନ କରିବା ସମ୍ଭବ ନୁହେଁ । କାରଣ, ସରକାରଙ୍କ ସମସ୍ତ ପ୍ୟାକଜ୍ ବ୍ୟାଙ୍କ୍-କୈନ୍ଦ୍ରୀକ । ବ୍ୟାଙ୍କ୍ ସୁଲଭ ସୁଧ ହାରରେ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ କୃଷି କ୍ଷେତ୍ରକୁ ଋଣ ଯୋଗାଇ ଦେଲେ ହିଁ ପୁଣି ଥରେ ଦେଶରେ ବେପାର, ବଣିଜ ଆରମ୍ଭ ହୋଇ ପାରିବ ଏବଂ ଧୀରେ ଧୀରେ ଅର୍ଥନୀତିରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି । ତେବେ, ଅସଂଗଠିତ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନ ରହି କିଭଳି ଭାବେ ବ୍ୟାଙ୍କ୍ ଋଣ ପହଂଚି ପାରିବ ଏବଂ ଦେଶର ୯୦ ପ୍ରତିଶତ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ତାହାର ଫାଇଦା ନେଇ ପାରିବେ, ସେ ଦିଗରେ କୌଣସି ଫଳପ୍ରଦ ନୀଳନକ୍ସା ସରକାରଙ୍କ ନିକଟରେ ଥିଲା ଭଳି ମନେ ହେଉ ନାହିଁ ।
ଦେଶରେ ଚାରିଟି ପର୍ଯ୍ୟାୟ ( ମାର୍ଚ୍ଚ ୨୨ରୁ ମେ’ ୩୧)ରେ ଲାଗୁ ହୋଇଥିବା ତାଲାବନ୍ଦରେ ସର୍ବାଧିିକ କ୍ଷତିଗ୍ରସ୍ତ ହୋଇଛନ୍ତି ସମାଜର ଦୁର୍ବଳ ଶ୍ରେଣୀର ଲୋକମାନେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି, କୃଷକ ଓ କୃଷିଜୀବୀଙ୍କୁ କେବେ ବି ଗୁରୁତ୍ୱ ଦେଇ ନାହାନ୍ତି । ଜଳ ସେଚନର ବିସ୍ତାର, ଫସଲ ଉତ୍ପାଦନ ସକାଶେ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା, ଉତ୍ପାଦନ ପରେ ସେମାନଙ୍କ ଫସଲକୁ ସୁରକ୍ଷିତ ରଖିବା ଦିଗରେ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ଓ ଗୋଦାମ ଘର ନିର୍ମାଣ କରିବା ଏବଂ ଉତ୍ପାଦିତ ଫସଲ ବାବଦରେ ଉଚିତ ଲାଭଜନକ ମୂଲ୍ୟ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସରକାର କେବେ ଦୃଷ୍ଟି ଦେଇ ନାହାନ୍ତି । ଅପରପକ୍ଷରେ, ଚାଷୀଙ୍କୁ ଲାଭଜନକ ମୂଲ୍ୟ ମିଳିବାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସର୍ବଦା ବିବାଦୀୟ ରହିଛି । ଉଚିତ ମୂଲ୍ୟ ଦାବି କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ପୁଲିସର ଲାଠି ମାଡ଼ ଭାରତରେ ନୂଆ ନୁହେଁ । ଦେଶର ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସେହି ଏକା ଅବସ୍ଥା । ହଜାର ହଜାର କୋଟି ଟଙ୍କା ଋଣ ହଡପ୍ କରୁଥିବା ପ୍ରଭାବଶାଳୀ ବ୍ୟବସାୟୀମାନେ ବ୍ୟାଙ୍କ୍ ଓ ସରକାରଙ୍କୁ ଚୁନ ଲଗାଇ ଦେଶ ଛାଡି ପଳାଉ ଥିବା ବେଳେ ସେମାନଙ୍କ ଅନାଦେୟ ଋଣ (ଏନପିଏ) ଭାରଣା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟଗ୍ରତା ଦେଖାଉଛି । କିନ୍ତୁ, ଛୋଟ ମୋଟ ଶିଳ୍ପ ଓ ବ୍ୟବସାୟ ସଂସ୍ଥାଙ୍କ ଠାରୁ କଡାଗଣ୍ଡା ସୁଧ ସହ ଋଣ ଆଦାୟ ହେଉଛି । ଋଣ ଦେବା କ୍ଷେତ୍ରରେ ମଧ୍ୟ ବ୍ୟାଙ୍କଗୁଡିକ ଯେଭଳି ଫନ୍ଦିଫିକର କରନ୍ତି, ତାହା କାହାରିକୁ ଅଛପା ନାହିଁ । ବ୍ୟାଙ୍କ୍ ଋଣରେ ନିଜ ବ୍ୟବସାୟ ପରିଚାଳନା କରୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥା ଗଲା ଦୁଇ ମାସର ତାଲାବନ୍ଦରେ ସବୁଠାରୁ ଅଧିକ ହନ୍ତସନ୍ତ ହେଉଛନ୍ତି ।
ସେମାନଙ୍କୁ ପୁନଃ ଉତ୍ପାଦନକ୍ଷମ କରିବା ସକାଶେ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜ୍ ରୁ ୩ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ୍ ମାଧ୍ୟମରେ ଋଣ ଆକାରରେ ଦେବାକୁ ଘୋଷଣା କରିଛନ୍ତି ସିନା ଶ୍ରମଶକ୍ତି ଉପରେ ନିର୍ଭରଶୀଳ ଶିଳ୍ପ ଓ ବାଣିଜ୍ୟ ସଂସ୍ଥାମାନେ କିଭଳି ଭାବେ ସେମାନଙ୍କ ଉତ୍ପାଦନ ଓ ବ୍ୟବସାୟ ଆରମ୍ଭ କରିବେ ତାହାର ରୂପରେଖ ପ୍ରସ୍ତୁତ ହୋଇ ନାହିଁ । କାରଣ, ଶିଳ୍ପ ଓ ବାଣିଜ୍ୟ ସଂସ୍ଥା ପୁନର୍ବାର କାରବାର ଆରମ୍ଭ କରିବାକୁ ଚାହିଁଲେ ମଧ୍ୟ ସେମାନଙ୍କ ନିକଟରେ ଆବଶ୍ୟକ ଶ୍ରମଶକ୍ତି ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର କରୋନାକୁ ଡ଼ରି ହଠାତ୍ ଦେଶରେ ତାଲାବନ୍ଦ ଘୋଷଣା କଲେ ଏବଂ ତାଲାବନ୍ଦ କଟକଣା କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଯାଇ ଶିଳ୍ପ ଓ ବାଣିଜ୍ୟ ସଂସ୍ଥାଙ୍କୁ ବନ୍ଦ କରି ଦେବାରୁ ଏସବୁ ସଂସ୍ଥାରେ କାମ କରି ପେଟ ପୋଷୁ ଥିବା କୋଟି କୋଟି ଶ୍ରମିକ ଓ ସେମାନଙ୍କ ପରିବାର ବେକାର ହୋଇ ଗଲେ । ସୁରକ୍ଷାର ଅଭାବ, ରୋଜଗାର ନ ଥିବା ଏବଂ ସଂପୃକ୍ତ ରାଜ୍ୟ ସରକାରମାନଙ୍କ ସଂବେଦନହୀନତା ପ୍ରବାସୀ ଶ୍ରମିକଙ୍କ ଦୁଃଖର କାରଣ ହେଲା । ସେମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ନିଜ ନିଜ ଘରକୁ ଫେରିବାର ସଂଘର୍ଷ ଆଜି ସୁଦ୍ଧା ଜରି ରଖିଛନ୍ତି ।
ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁଃଖ ବୁଝିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ/ଏପ୍ରିଲ ମାସରେ ରାଜ୍ୟର କିଛି ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦେଇ ନିଶ୍ଚିନ୍ତ ହୋଇଥିଲେ । ତେବେ, ଏହି ଆଇଏଏସ୍ ଓ ଆଇପିଏସ୍ ଅଧିକାରୀମାନେ କିଭଳି ଏହି ଦାୟିତ୍ୱ ସଂପାଦନ କଲେ ତାହା ଆଜି ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଉପୁଜି ଥିବା ସଂକଟରୁ ସ୍ପଷ୍ଟ ହେଉଛି । ତୃତୀୟ ପର୍ଯ୍ୟାୟ ତାଲାବନ୍ଦର ଶେଷ ଚରଣ ପର୍ଯ୍ୟନ୍ତ ଏହି ଶ୍ରମିକମାନେ ପରିବାର ସହ ବିଦେଶରେ ପଡି ରହି ନିର୍ଯ୍ୟାତନାର ଶିକାର ହେଲେ । ଅନେକ ଶ୍ରମିକ ପାଦରେ ଚାଲି ଚାଲି ବା ଅନ୍ୟ ଉପାୟରେ ହଜାର ହଜାର କିମି ଅତିକ୍ରମ କରି ରାଜ୍ୟରେ ପହଂଚିବାର ପ୍ରୟାସ କଲେ । ସରକାର ପରିସ୍ଥିତି ଅସମ୍ବାଳ ହେଉଥିବା ଦେଖି ମେ’ ପହିଲା (ଶ୍ରମିକ ଦିବସ)ରୁ ସେମାନଙ୍କୁ ରାଜ୍ୟକୁ ଫେରାଇବା ଆଣିବା ଦିଗରେ ପଦକ୍ଷେପ ନେଲେ । ପ୍ରଥମେ ବସ୍ ଓ ପରେ କେନ୍ଦ୍ର ସରକାର ଚାଲୁ କରିଥିବା ସ୍ୱତନ୍ତ୍ର ଶ୍ରମିକ ରେଳ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ବ୍ୟବସ୍ଥା ହେଲା । ଆଜି ସୁଦ୍ଧା ଏହା ଚାଲିଛି । ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରୁଛନ୍ତି ବା ରାଜ୍ୟରେ ଫସି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକ ନିଜ ରାଜ୍ୟକୁ ଫେରୁଛନ୍ତି ।
ମହାରାଷ୍ଟ୍ର, ଗୁଜରାଟ୍, ଦିଲ୍ଲୀ, ତାମିଲନାଡୁ, ମଧ୍ୟ ପ୍ରଦେଶ ଭଳି ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟରେ ପାଖାପାଖି ଦୁଇ ମାସ କାଳ ଜୀବନ ଯାନ୍ତ୍ରଣା ମଧ୍ୟରେ ରାଜ୍ୟକୁ ଫେରିବା ଉଦ୍ୟମ କରିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଏବେ କରୋନା-ବାହକ ହୋଇ ଭିଟାମାଟିକୁ ଫେରୁଛନ୍ତି । ଫଳରେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣ ବୃଦ୍ଧି ପାଇଛି । ଓଡ଼ିଶାର ଗଂଜାମ ଜିଲ୍ଲା ଗ୍ରୀନ୍ ଜୋନରୁ ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲାରେ ପରିଣତ ହେବା ଏହାର ଏକ ଜ୍ୱଳନ୍ତ ଉଦାହରଣ । ତେବେ, ରାଜ୍ୟରେ ଏପର୍ଯ୍ୟାନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ, ଯେଉଁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଥିରୁ ଅଧିକାଂଶ ହେଉଛନ୍ତି ପ୍ରବାସରୁ ଫେରିଥିବା ଶ୍ରମିକ ଏବଂ ସେମାନେ ସମସ୍ତେ ସଂଗରୋଧ କେନ୍ଦ୍ରରେ ଅଛନ୍ତି – ଏକଥା କହି ରାଜ୍ୟ ସରକାର ନିଜ ପିଠି ନିଜେ ଥାପୁଡାଉଛନ୍ତି । କିନ୍ତୁ, ଦୁଇ ମାସ ପୂର୍ବରୁ ଏହି ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣି ଥିଲେ ଆଜି ଏଭଳି ଅବସ୍ଥା ହୋଇ ନ ଥାନ୍ତା ବୋଲି ସ୍ୱୀକାର କରିିବାକୁ ନାରାଜ । ଏହି ପ୍ରବାସୀ ଓଡ଼ିଆମାନେ ଦୁଇ ମାସ ତଳେ ରାଜ୍ୟକୁ ଫେରି ଆସି ଥିଲେ ବୋଧହୁଏ ପରିବାର ସହ ସେମାନେ ସୁସ୍ଥ ଥା’ନ୍ତେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ନ ଥା’ନ୍ତା ଏବଂ ଜୁନ୍ ମାସରେ ତାଲାବନ୍ଦ ଉଠି କଳକାରଖାନାରେ ଉତ୍ପାଦନ ଆରମ୍ଭ ବେଳକୁ ସେମାନେ ନିଜ ନିଜ କର୍ମକ୍ଷେତ୍ରକୁ ଫେରି ଜୀବୀକା ଉପାର୍ଜନ କରିବାର ସୁଯୋଗ ପାଇଥା’ନ୍ତେ । ଉଭୟ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବରୁ ଆଜି ଦେଶର କୋଟି କୋଟି ଶ୍ରମଶକ୍ତି ରୋଗାକ୍ରାନ୍ତ ହେବା ସହ ଅତ୍ୟନ୍ତ ତୀକ୍ତ ଅନୁଭବ ନେଇ ନିଜ ନିଜ ରାଜ୍ୟକୁ ଫେରିଛନ୍ତି ବା ଫେରୁଛନ୍ତି ।
ଏବେ ଦେଶରେ କଳା କାରଖାନା ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛି । କିନ୍ତୁ, କୁଶଳୀ ଓ ଅର୍ଦ୍ଧ କୁଶଳୀ ଶ୍ରମଶକ୍ତିର ଅଭାବ ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଯେଉଁ ଶ୍ରମିକମାନେ ସପରିବାର ତାଲାବନ୍ଦ ସମୟରେ ସରକାରଙ୍କ ଦ୍ୱାରା ଘୋର ଅବହେଳାର ଶିକାର ହୋଇଛନ୍ତି ସେମାନେ କୌଣସି ଉପାୟରେ ଘରେ ପହଂଚିଛନ୍ତି । ଏବେ ସେମାନେ କର୍ମ କ୍ଷେତ୍ରକୁ ଫେରିବା ସ୍ୱପ୍ନ ମଧ୍ୟ ଦେଖୁ ନଥିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଯେଉଁ ପ୍ୟାକେଜ୍ ରେ ସଂଗଠିତ ବା ପଂଜୀକୃତ ଶ୍ରମଶକ୍ତିର ଥଇଥାନ ଏବଂ କର୍ମସଂସ୍ଥାନ ବ୍ୟବସ୍ଥା ରହିଛି । କିନ୍ତୁ, ଅସଂଗଠିତ ଓ ଅଣ-ପଂଜୀକୃତ ଶ୍ରମିକଙ୍କ ହିସାବ କାହାରି ପାଖରେ ନାହିଁ । ସେମାନେ କିଭଳି ଭାବେ ସରକାରୀ ପ୍ୟାକଜ୍ ରୁ ଲାଭବାନ ହେବେ, ତାହା ଏବେ ଏକ ବଡ଼ ପ୍ରଶ୍ନ ହୋଇଛି ।
ଇତିମଧ୍ୟରେ, ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଅବଧି ମେ’ ୩୧ରେ ସରିବାକୁ ଯାଉଛି । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲାଗୁ ଥିବା କଟକଣା ସବୁ ଧୀରେ ଧୀରେ କୋହଳ ହେବାରେ ଲାଗିଛି । କରୋନା ନିପାତର କୌଣସି ଔଷକ୍ଷ ନ ଥିବାରୁ କରୋନା ସହ ହିଁ ବଂଚିବାକୁ ପଡିବ ବୋଲି ସରକାର କହିଲେଣି । ଦେଶରେ ଦୁଇ ମାସ ହେଲା ବନ୍ଦ ଥିବା ସେବା ସବୁ ଆରମ୍ଭ ହେଲାଣି । ରେଳ, ସଡକ ଓ ଆକାଶ ମାର୍ଗରେ ସରକାରୀ ଓ ଘରୋଇ ଯାତ୍ରୀ ପରିବହନ ସେବା ସହ ସହରାଂଚଳରେ ଅଟୋ, ଟ୍ୟାକ୍ସି, ସରକାରୀ ଓ ବେସରକାରୀ ବସ୍ , ଘରୋଇ ଯାନବାହନ ଚଳାଚଳ ଆରମ୍ଭ ହେଲାଣି । ଅବଶ୍ୟ ସର୍ତ ଭିତ୍ତିରେ । ହୋଟେଲ୍, ରେଷ୍ଟୁରାଂଟ୍, ମଲ୍, ସିନେମା ହଲ୍, ଜିମ୍ ଖୋଲିନି ସତ, କିନ୍ତୁ ଯେକୌଣସି ମୂହୁର୍ତରେ ଜୀବୀକା ପ୍ରସଙ୍ଗ ଉଠାଇ ସରକାର ସେସବୁ ଖୋଲିବାକୁ ଅନୁମତି ଦେଇ ପାରନ୍ତି । ରାଜ୍ୟ ବାହାରୁ ବ୍ୟବସାୟ ବା ସରକାରୀ କାର୍ଯ୍ୟରେ ୭୨ ଘଂଟା ପାଇଁ ଆସୁଥିବା ଅଧିକାରୀମାନେ ଆଉ ସଂଗରୋଧ ରହିବେ ନାହିଁ ବୋଲି ଓଡ଼ିଶା ସରକାର ଗତକାଲି (ମେ’ ୨୪ ତାରିଖ)ଘୋଷଣା କରିଛନ୍ତି । ତେବେ, ଏହି ଅତିଥିମାନେ ଓଡ଼ିଶା ଆସିଲେ କେଉଁଠି ରହିବେ (?) – ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଜ୍ୟରେ ହୋଟେଲ ଓ ରେଷ୍ଟୁରାଂଟ୍ ଖୋଲିବା ଦିଗରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାର ଏହା ଏକ ଚତୁର ଉଦ୍ୟମ କୁହାଯାଇପାରେ । ଏହାପରେ, ବାହାରୁ ଆସୁଥିବା ଅତିଥିମାନେ କେଉଁଠୁ ମାର୍କେଟିଂ କରିବେ ଏବଂ ନିଜର ମନୋରଂଜନ କେମିତି କରିବେ ବୋଲି ପ୍ରଶ୍ନ ଉଠାଇ ମଲ୍ ଓ ସିନେମା ହଲ୍ ଖୋଲିବା ପ୍ରୟାସ ହେବା କିଛି ଅସମ୍ଭବ ନୁହେଁ ।
ସରକାର ଅନ୍ ଲାଇନ୍ ରେ ବିଦେଶୀ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଆପାତତଃ ଏହା କାର୍ଯ୍ୟକାରୀ ହେବାରେ କିଛି ସମସ୍ୟା ରହିଛି । କିନ୍ତୁ, ସରକାରୀ କଳ ତାହାର ସମାଧାନ ରାସ୍ତା କଲେଣି । ସରକାର ରାଜ୍ୟ ରାଜ୍ୟ ମଧ୍ୟରେ ୨୪ ଘଂଟିଆ ବସ୍ ଓ ଟ୍ରେନ୍ ସେବା, ସହର ଭିତରେ ସିଟି ବସ୍ ଓ ଅଟୋ ରିକ୍ସା ଚଳାଚଳ ଏବଂ ରାଜ୍ୟରେ ୨୪ ଘଂଟିଆ ଓଲା, ଉବ୍ବର୍, ଘରୋଇ ଯାନବାହନ ଏବଂ ଟ୍ୟାକ୍ସି ଚଳାଚଳ ନିମନ୍ତେ ଅନୁମତି ଦେଇସାରିଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସଂଗରୋଧ ସମୟ ୧୪ ଦିନରୁ ୨୮ ଦିନକୁ ସରକାର ବଢାଇ ଥିଲେ । ଏବେ ତାହା ୭ ଦିନକୁ କମାଇଛନ୍ତି । ୭ ଦିନ ସରକାରୀ ସଂଗରୋଧ ଓ ପର ୭ ଦିନ ଘରେ ସଂଗରୋଧରେ ରହିବା ବ୍ୟବସ୍ଥା ହୋଇଛି । ଏସବୁ ଦେଖିଲେ ସରକାର କରୋନାକୁ ଆଉ ଡ଼ରୁ ନାହାନ୍ତି – ଏଭଳି ଏକ ବାର୍ତା ଜନସାଧାରଣରେ ପହଂଚିଛି । ସନ୍ଧ୍ୟା ୭ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଜାରି ଥିବା କର୍ଫ୍ୟୁ ଉଠାଇ ନିଆ ଗଲେ ଜନସାଧାରଣ ଅଧିକ ନିରଙ୍କୁଶ ରହିବ । କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇ ନ ଥିବାରୁ ସରକାର ଧୀରେ ଧୀରେ ଯେଭଳି କୋହଳ ହେଲେଣି ତାହା ଆଗାମୀ ଦିନରେ ବଡ ସଂକଟ ନ ହେଉ, ଏତିକି ଆମେ ଆଶା କରୁଛୁ । ନହେଲେ, ବେକରୁ ପଘା ଖସାଇ ଦେଇଥିବା ଗାଈ ଯେଭଳି ନିୟନ୍ତ୍ରଣହୀନ ହୋଇପଡିବ, କରୋନା ସେଭଳି ନିୟନ୍ତ୍ରଣହୀନ ହେବାକୁ ସମୟ ଲାଗିବ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS