କରୋନା ଡାଏରୀ (୧୪)…ବାହାଘର ତିଥିରେ କରୋନା ଚିନ୍ତା
ପ୍ରସାଦ ରାଓ
ଭୁବନେଶ୍ୱର
ଜୁଲାଇ ୧୬
ଇଂରାଜୀରେ କଥା ଅଛି – ‘ମ୍ୟାରେଜେସ୍ ଆର୍ ମେଡ୍ ଇନ୍ ହେଭେନ୍’ । କିନ୍ତୁ, କରୋନା ମହମାରୀ ଏହି ବ୍ୟକ୍ତି ଭାବନାକୁ ସଂପୂର୍ଣ୍ଣ ବଦଳାଇ ଦେଇଛି । ଆଜିର ଦିନରେ ବିବାହ ଉତ୍ସବ ଆଉ ଭଗବାନଙ୍କ ହାତରେ ନୁହେଁ, ସରକାର ଓ ସରକାରୀ କଳର ନିୟନ୍ତ୍ରଣକୁ ଚାଲି ଯାଇଛି । ସରକାର ଜାରି କରିଥିବା କୋଭିଡ଼ ନିର୍ଦେଶାବଳୀ ପ୍ରକାରେ ବିବାହ ଉତ୍ସବଟିଏ ଆୟୋଜନ କରୁଥିବା କର୍ତା ସରକାର ବା ସଂପୃକ୍ତ ପ୍ରଶାସନର ପୂର୍ବାନୁମତି ନେବାକୁ ବାଧ୍ୟ । ସେଥିରେ ପୁଣି ଅନେକ କଟକଣା । ବିବାହ କାର୍ଯ୍ୟ କରାଉ ଥିବା କର୍ତା କେତେ ସଂଖ୍ୟାରେ ଅତିଥିଙ୍କୁ ନିମନ୍ତ୍ରଣ କରିବେ, ଉତ୍ସବ ସ୍ଥଳରେ କି କି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ ଏବଂ କେଉଁ ବୟସର ଅତିଥିମାନେ ବିବାହ ଉତ୍ସବରେ ଯୋଗ ଦେବେ ଓ କେଉଁମାନେ ଯୋଗ ଦେବା ଉପରେ କଟକଣା ରହିଛି, ତାହାର ଏକ ବିସ୍ତୃତ ନିର୍ଦେଶାବଳୀ ସରକାର ଜାରି କରିଛନ୍ତି । ସେଥିରେ କିଛି ଟିକିଏ ଏପାଖ ସେପାଖ ହେଲେ ଜେଲ୍ ଓ ଜୋରିମାନାର ଭୟ ରହିଛି । ତେଣୁ, ପରିସ୍ଥିତିକୁ ଆଖିରେ ରଖି ଅନେକ ବିବାହ ତାରିଖ ଗଡାଇବାକୁ ବାଧ୍ୟ ହେଉଥିବା ଏବଂ ଆଗାମୀ ସମୟରେ ଭଲ ଦିନ ଫେରିବ ବୋଲି ଆଶା ରଖି ସମୟକୁ ଅପେକ୍ଷା କରୁଥିବାର ଏକ କରୁଣ ଚିତ୍ର ସାମନାକୁ ଆସୁଛି ।
୨୦୨୦ ବର୍ଷ ଜୁନ ଓ ଜୁଲାଇ ମାସରେ ବାହାଘର ତିଥି ଥିଲେ ମଧ୍ୟ କରୋନା କଟକଣା ଭୟରେ ଅନେକ ଏସବୁ ତିଥିକୁ ଏଡାଇ ଯାଇ ନଭେମ୍ବର, ଡ଼ିସେମ୍ବର ଆଡକୁ ତିଥି ଧାର୍ଯ୍ୟ କରିଛନ୍ତି । କିନ୍ତୁ, ଦେଶରେ ତଥା ଆମ ରାଜ୍ୟରେ ଜୁଲାଇ ମାସର କରୋନା ସଂକ୍ରମଣ ସ୍ଥିତିକୁ ଦେଖିଲେ ନଭେମ୍ବର, ଡ଼ିସେମ୍ବରରେ ସ୍ଥିତି ସୁଧୁରି ଥିବ ବୋଲି ଚିନ୍ତା କରିବା କଷ୍ଟକର ହେଉଛି । ତଥାପି, ମଣିଷର ଆଶା, କିଏବା ତାହାକୁ ନକାରି ପାରିବ ? ଆଜି ସମସ୍ତଙ୍କ ପାଟିରୁ ଗୋଟିଏ କଥା ଶୁଣିବାକୁ ମିଳୁଛି, କି କରୋନା ମହାମାରୀ ବ୍ୟାପିଲା ଯେ ବାହାଘର ସିଜିନ୍ ମାନ୍ଦା ହୋଇ ଗଲା ! ଗୋଟିଏ ପଟେ ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ମାଡି ମାଡି ଚାଲିଛି । ସଂକ୍ରମଣକୁ ସୀମିତ କରିବା ପାଇଁ ସରକାରଙ୍କ ଆଡୁ କଟକଣା ପରେ କଟକଣା ଜାରି ହେଉଛି । ଅନ୍ୟପଟେ, କାଁ ଭାଁ ଯେତିକି ବିବାହ ଉତ୍ସବ ହେଉଛି ସେଠି ବର, କନିଆ କୋଭିଡ଼ କଟକଣା ମାନି ଫୁଲ ମାଳ ଗଳାଇ ବାହା ହୋଇଯିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଭୋଜିଭାତ କଲେ ସିନା କୋଭିଡ଼ କଟକଣା ଭାଂଗିବା ଅପରାଧରେ ବନ୍ଧା ହେବ ବା ଜରିମାନା ଦେବ । ଯଦି ଉତ୍ସବ ଓ ଭୋଜିଭାତ ନ ଥିବ, ପ୍ରଶାସନ ବା ସରକାରକୁ ଡରିବାର କିଛି କାରଣ ନାହିଁ ।
ତେବେ, କିଛି ମାତ୍ରାଧିକ ଉତ୍ସାହିତ କର୍ତା ପ୍ରଶାସନ ଆଖିରେ ଧୁଳି ଦେଇ ଭୋଜଭାତ ଓ ଜାକଜମକ ବାହାଘର କରି ଗିରଫ ହେଉଥିବା ଏବଂ ଜୋରିମାନା ଗଣୁ ଥିବା ଚିତ୍ର ବି ସାମନାକୁ ଆସୁଛି । କେତେକେ କ୍ଷେତ୍ରରେ ବର ବା କନିଆ ଘର ଭୋଜି ଭାତ ରାନ୍ଧି ଅତିଥିଙ୍କୁ ଖୁଆଇବା ପରେ ବା ଖୁଆଇବା ସମୟରେ ପୁଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଂଚି ହଣ୍ଡାହାଣ୍ଡି ଜବତ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ବୁଲୁଛି । ବ୍ରହ୍ମପୁର ସହରର ଜଣେ ଛୋଟକାଟିଆ ହୋଟେଲ ମାଲିକ ନିକଟରେ (ଜୁଲାଇ ୨ ତାରିଖରେ) ପୁଅ ବାହାଘର କଲେ । ବାହାଘର ଦିନ ହିଁ ପ୍ରଶାସନର ଅନୁମତି ଆଣି ବରଯାତ୍ରୀ ଶୋଭାଯାତ୍ରା କଲେ । ଗୋପାଳପୁର ସମୁଦ୍ର ବେଳାଭୂମିରେ ଥିବା ଏକ ତାରକା ହୋଟେଲରେ ବାହାଘର ହେଲା । ଶୋଭାଯାତ୍ରା ଓ ବିବାହ ଉତ୍ସବରେ ଶତାଧିକ ଲୋକ ଯୋଗ ଦେଇଥିବା ଭିଡ଼ିଓ ଭାଇରାଲ୍ ହେବା ପରେ ପୁଲିସ ଓ ପ୍ରଶାସନ ତାହାକୁ ଭିତ୍ତି କରି ବର, ବରପିତା ଓ ବରପିତାଙ୍କ ତିନି ଭାଇଙ୍କୁ ଗିରଫ କଲେ । ବର ଓ କନିଆ ପକ୍ଷ ପଚାଶ ହଜାର ଲେଖାଏଁ ଏକ ଲକ୍ଷ ଟଙ୍କା ଜରିମାନା ଭରିଲେ । ବିବାହ ୁତ୍ସବ ଅନୁଷ୍ଠିତ ହୋଇଥିବା ତାରକା ହୋଟେଲ ମଧ୍ୟ ସପ୍ତାହକ ପାଇଁ ସିଲ୍ ହେଲା । ଏହି ଘଟଣା ପରେ ମଧ୍ୟ ଅନେକଙ୍କ ଆଖି ଖୋଲିନି । ରାଜଧାନୀ ଭୁବନେଶ୍ୱରରେ ଜଣେ ପ୍ରଭାବଶାଳୀ ବ୍ୟବସାୟୀ କୋଭିଡ଼ କଟକଣାକୁ ଉଲଂଘନ କରି ପାର୍ଟି ଆୟୋଜନ କରିବା, ସେଥିରେ ବହୁ ସଂଖ୍ୟାରେ ଅତିଥି ଉପସ୍ଥିତ ରହି ଭବ୍ୟ ପାର୍ଟିର ଉପଭୋଗ କରିଥିବା ଏବଂ ପୁଲିସ ସେଠାରେ ପହଂଚି କିଛି ତଳିଆ ଲୋକଙ୍କ ଠାରୁ କିଛି କିଛି ଜରିମାନା ଆଦାୟ କରି ଘଟଣାର ରଫାଦଫା କରି ଦେଇଥିବା ଖବର ଆମ ପୁଲିସ ଓ ପ୍ରଶାସନର ନିର୍ଭିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏଠି ଆମ କହିବା କଥା ହେଉଛି, ବିବାହ ଉତ୍ସବ ହେଉ ବା ବଡ଼ ଲୋକିଆ ପାର୍ଟି ହେଉ, ସାଧାରଣ ଜନତାର ସ୍ୱାସ୍ଥ୍ୟ ଅପେକ୍ଷା କଣ ଅଧିକ ମହତ୍ୱ ରଖେ ? ଆରେ ବାବୁ, ଟିକିଏ ଅଟକି ଗଲେ କ୍ଷତି କଣ ?? କୋଭିଡ ଯାଉ, ଯାହା କଲେ ବି କେହି ରୋକିବାକୁ ନ ଥିବେ । ଦେଶ ଓ ରାଜ୍ୟ ଏକ ଅଦୃଶ୍ୟ ଶତ୍ରୁ ସହ ଲଢୁ ଥିବା ବେଳେ ଆକେ ଏତେ ଆଡମ୍ବର କରିବା ଅର୍ଥ କଣ ! ଟିକିଏ ନିରାଡମ୍ବର ହୋଇ ଗଲେ ବା ଉତ୍ସବକୁ କିଛି ଦିନ ଟାଳି ଦେଲେ ଅସୁବିଧା କଣ ?
ସବୁ ଜାଣି ବି ଆମେ ବେଳେ ବେଳେ ଅଜଣା ଚାଉଳ ଖାଉ । ପଚାରିଲେ କହୁ, ବାହାଘର ହେଉଛି ଏଭଳି ଉତ୍ସବ ଯେଉଁଠି ଦୁଇଟି ପରିବାର କେବଳ ନୁହଁ, ସେହି ଦୁଇ ପରିବାର ସହ ସଂପୃକ୍ତ ସମସ୍ତଙ୍କ ଭାବାବେଗ ଜଡିତ । ସ୍ୱଚ୍ଛଳ, ଅସ୍ୱଚ୍ଛଳ – ସମସ୍ତେ ଚାହାଁନ୍ତି ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଧୁମଧାମ୍ ବାହାଘର ହେଉ । ଉତ୍ସବକୁ ଅଧିକ ସ୍ମରଣୀୟ କରିବା ପାଇଁ ହଳଦୀ, ମେହେନ୍ଦି ଭଳି କାର୍ଯ୍ୟକ୍ରମ ଥାଏ । ହୋଟେଲ, କଲ୍ୟାଣ ମଣ୍ଡପ ନ ମିଳିଲେ ଘର ପାଖ ଖୋଲା ପଡିଆ ବା ଘର ଛାତ ଉପରେ ଟେଂଟ୍ ଟାଣି ବିବାହ ଉତ୍ସବ କରାଯାଏ ସିନା ହଳଦୀ, ମେହେନ୍ଦି, ନାଚ, ଗୀତ, ସେଲ୍ ଫି ଓ ଭିଡ଼ିଓ ସୁଟିଂର ମଜା ନେବା ପାଇଁ ଖୋଜା ପଡେ ହୋଟେଲ ବା କଲ୍ୟାଣ ମଣ୍ଡପକୁ । ତେବେ, ଓଡ଼ିଶାରେ ମାର୍ଚ୍ଚ ୧୫ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ୨୨ ତାରିଖରୁ ତାଲାବନ୍ଦ ଲାଗୁ ହେଲା । ଦେଶରେ ମାର୍ଚ୍ଚ ୨୫ରୁ । ତାଲାବନ୍ଦ, ସଟ୍ ଡାଉନ୍, ତାଲା ଖୋଲା-ଏକ, ଦୁଇ ହୋଇ ଏବେ ସପ୍ତାହ ସପ୍ତାହ ଧରି ସଟ୍ ଡାଉନ୍ ଲାଗୁ ହେଲାଣି । କେନ୍ଦ୍ର ସରକାର କିଛି କିଛି ବ୍ୟବସାୟିକ ଓ ସାମାଜିକ କାର୍ଯ୍ୟକଳାପକୁ କୋହଳ କରିଥିଲେ ମଧ୍ୟ ଓଡ଼ିଶାରେ ତାହା ଲାଗୁ ନ ହୋଇ ଜିଲ୍ଲାପାଳ, ସରପଂଚଙ୍କ କଥାରେ ସହର ଓ ଗ୍ରାମାଂଚଳରେ ଏକାଧିକ ଦିନ ଚାବି ପଡି ଯାଉଛି ।
୨୦୨୦ ମାର୍ଚ୍ଚ ପୂର୍ବରୁ ଏଭଳି ସ୍ଥିତି ନଥିଲା । ସେହି ସମୟରେ ଯେତେ ସବୁ ବାହାଘର ହୋଇ ଗଲା ସମସ୍ତେ ଶାନ୍ତିରେ ଅଛନ୍ତି । ମାର୍ଚ୍ଚ ୨୨ ପରେ ବିବାହ ଋତୁରେ ରାସ୍ତାରେ ଆଉ ‘ଡ଼ିଜେ’ର କର୍ଣ୍ଣ ବିଦାରକ ଶବ୍ଦ ଶୁଭୁ ନାହିଁ । କାଁ ଭାଁ କେଉଁଠି ବରଯାତ୍ରୀଙ୍କ ବେଢଙ୍ଗିଆ ନୃତ୍ୟ ଦେଖିବାକୁ ମିଳୁ ନାହିଁ । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂଆ ନିର୍ଦେଶାବଳୀ ଅନୁସାରେ, ବିବାହ ଉତ୍ସବରେ ବର, କନିଆ, ପରିବାର ସଦସ୍ୟ, ବନ୍ଧୁ ବାନ୍ଧବ, ସାଂଗସାଥୀ, ବିବାହ କାର୍ଯ୍ୟ ତୁଲାଇବା ପାଇଁ ନିୟୋଜିତ ପୁରୋହିତ ଏବଂ ଭୋଜି ରାନ୍ଧିବା ଓ ବାଢିବା କାର୍ଯ୍ୟରେ ନିୟୋଜିତ କ୍ୟାଟରିଂ ଷ୍ଟାଫ୍ ଙ୍କୁ ମିଶାଇ ସର୍ବାଧିକ ୫୦ ଜଣ ବିବାହ ଉତ୍ସବ ସ୍ଥଳରେ ଉପସ୍ଥିତ ରହି ପାରିବେ । ୬୫ ବର୍ଷରୁ ଉଦ୍ଧ୍ୱର୍ ଏବଂ ୧୦ ବର୍ଷରୁ କମ୍ ବୟସ ପିଲା, ବିଭିନ୍ନ ରୋଗରେ ପିଡ଼ିତ ବ୍ୟକ୍ତି, ପ୍ରେଗନେଂଟ୍ ଥିବା ମହିଳା ବିବାହ ଉତ୍ସବରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଇନ୍ଫ୍ଲୁଏଂଜା ଲକ୍ଷଣ ଥିବା ବ୍ୟକ୍ତ ଓ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ବ୍ୟକ୍ତବିଶେଷ ବିବାହ ଉତ୍ସବରେ ଯୋଗ ଦେବାକୁ ମନା । ବିବାହ ଅନୁଷ୍ଠାନ ହେଉଥିବା ସ୍ଥାନରେ ଯଥେଷ୍ଟ ପରିମାଣର ସାବୁନ, ହ୍ୟାଣ୍ଡ୍ ୱାସ୍, ପାଣି ଓ ସାନିଟାଇଜର୍ ରଖାଯିବା ଆବଶ୍ୟକ । ଅତିଥିମାନେ ପାନ, ଗୁଟୁଖା ଖାଇ ବାହାରେ ଯେମିତି ଛେପ ନ ପକାନ୍ତି ତାହା ଜଗିବା ଦାୟିତ୍ୱ ଉତ୍ସବ ଆୟୋଜନ କରିଥିବା କର୍ତାଙ୍କ । ସରକାରଙ୍କ ଏହି ସଂଶୋଧିତ କୋଭିଡ଼ ନିର୍ଦେଶାବଳୀ ଜୁଲାଇ ୧୨ରେ ଆସିଛି । ଏହା କୋଭିଡ଼ ମହାମାରୀକୁ ନେଇ ରାଜ୍ୟ ସରକାର କେତେ ଚିନ୍ତିତ, ତାହା ସ୍ପଷ୍ଟ କରୁଛି ।
ମାର୍ଚ୍ଚ ତୃତୀୟ ସପ୍ତାହରେ ରାଜ୍ୟରେ କରୋନା କଟକଣା ଆରମ୍ଭ ସମୟରେ ଜୁନ, ଜୁଲାଇ ସୁଦ୍ଧା ସ୍ଥିତି ସୁଧୁରିବ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ, ମେ’ ମାସରେ ଦେଶର ଅଧିକ କରୋନା ପ୍ରଭାବିତ ରାଜ୍ୟରୁ ଲକ୍ଷ ଲକ୍ଷ ସଂଖ୍ୟରେ ପ୍ରବାସୀ ଶ୍ରମିକ ଘରକୁ ଫେରିବା ଦ୍ୱାରା କେରାନା ମହାମାରୀ ଅଣାୟତ୍ ତ ହୋଇ ଏବେ ସହର, ଗାଁ – ସବୁ ଆଡେ ମାଡି ଯାଇଛି । ଏହି ଲେଖା ପ୍ରସ୍ତୁତି ବେଳକୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାରରୁ ଅଧିକ । ଚିକିତ୍ସାଧିନଙ୍କ ସଂଖ୍ୟା ୪,୮୧୩ । କରୋନାରେ ମୃତ୍ୟୁ ହେଲାଣି ୭୯ । ପ୍ରତିଦିନ ସଂଖ୍ୟା ବଢୁଛି ଓ ରାଜ୍ୟ ଗଣସଂକ୍ରମଣ ଆଡକୁ ମୁହାଁଉ ଥିବା ଅନୁମାନ କରାଯାଉଛି । ସରକାର ଓ ଜନସାଧାରଣଙ୍କ ପାଇଁ ବଡ଼ ସମସ୍ୟା ହେଉଛି, ଏହି ମହାମାରୀର କେମିତି ବ୍ୟାପୁଛି ତାହା ଅନ୍ଦାଜରେ କୁହାଯାଉଛି । ହାତ, ଆଖିକୁ ପରିଷ୍କାର ପରିଚ୍ଛନ୍ନ ଏବଂ ନାକ, ପାଟି ମାସ୍କରେ ଘୋଡାଇ ରଖିଲେ ଜଣେ ନିରାପଦ ରହି ପାରିବ ବୋଲି ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି । ତେବେ, ବାୟୁ ଦ୍ୱାରା ଏହି ରୋଗ ବ୍ୟାପୁଛି ବୋଲି ଏବେ ‘ହୁ’ କହିବା ପରେ ଆଗାମୀ ଦିନରେ କରୋନା ମହାମାରୀ କେତେ ଭୟଂକର ହେବାକୁ ଯାଉଛି, ତାହା ଅନୁମାନ କରି ହେଉଛି ।
ସରକାରୀ ରିପୋର୍ଟ ଅନୁଯାୟୀ, ଆଜି ସୁଦ୍ଧା ରାଜ୍ୟରେ ଯେତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିରୁ ୮୦ ପ୍ରତିଶତ ହେଉଛନ୍ତି ଆସିଂପଟମିକ ବା ଲକ୍ଷଣ ବିହୀନ । ସରକାର ସିଂପଟମିକ (ଲକ୍ଷଣ ଯୁକ୍ତ), ଆସିଂପଟମିକ (ଲକ୍ଷଣ ବିହୀନ)- ଏଭଳି ଦୁଇ ଭାଗରେ ବିଭାଜନ କରି କରୋନା ରୋଗକୁ ଦେଖୁଛନ୍ତି ଏବଂ ଚିକିତ୍ସାର ବ୍ୟବସ୍ଥା କରୁଛନ୍ତି । ଲକ୍ଷଣ-ଯୁକ୍ତ ରୋଗୀ ତୁରନ୍ତ ସ୍ୱତନ୍ତ୍ର କୋଭିଡ଼ ହସପିଟାଲଗୁଡିକୁ ସ୍ଥାନାନ୍ତର ହେଉଛନ୍ତି । ଯେଉଁମାନେ ଆସିଂପଟମିକ ବା ଲକ୍ଷଣ ବିହୀନ, ସେମାନଙ୍କୁ କୁହାଯାଉଛି ଘରୋଇ ଓ ସରକାରୀ ସଂଗରୋଧ ବ୍ୟବସ୍ଥାରେ ରହିବାକୁ । ତେବେ, ବାହାରେ ଚଳପ୍ରଚଳ କରୁଥିବା ଲୋକଙ୍କ ମଧ୍ୟରୁ କରୋନା ପରୀକ୍ଷା ବିନା ଲକ୍ଷଣ ବିହୀନ ରୋଗୀଙ୍କୁ ରୋଗୀଙ୍କୁ ଚିହ୍ନଟ କରିବା କେବଳ ମୁସ୍କିଲ ନୁହେଁ, ଅସମ୍ଭବ । ଏହି ଭାଇରସକୁ ନିଷ୍କ୍ରିୟ କରିବା ଭଳି ଟୀକା ବା ବଟିକା ନ ବାହାରିବା ଯାଏଁ ଆମକୁ କରୋନା ସହ ସହବାସରେ ରହିବାକୁ ବଡିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିସାରିଛି । ଏଭଳି ଅବସ୍ଥାରେ ସ୍ୱତଃ ମନରେ ଭୟ ଆସୁଛି, ଆମ ନିକଟରେ ଥିବା ଅତି ନିଜ ଲୋକଟି ‘ଲକ୍ଷଣ ବିହୀନ’ (ଆସିମ୍ପଟମିକ୍) ନୁହଁ ତ ? ଗଲା ମାର୍ଚ୍ଚ ତୃତୀୟ ସପ୍ତାହରୁ ରାଜ୍ୟରେ ତଥା ଦେଶରେ କୋନା କଟକଣା ଲାଗୁ କରାଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆଇସିଏମଆର୍ ନିର୍ଦେଶାବଳୀ ପ୍ରକାରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତିନି ମାସରୁ ଅଧିକ ହେଲା ମାସ୍କ୍ ଡ୍ରେସ୍ କୋଡ୍ ରେ ସାମିଲ ହୋଇ ସାରିଛି । ମୁହଁରେ ମାସ୍କ୍, ହାତରେ ଗ୍ଲୋବ୍ସ ଏବଂ ୬ ଫୁଟ୍ ଦୂରତା ରକ୍ଷା ସମସ୍ତଙ୍କ ପାଇଁ ନିତାନ୍ତ ଆବଶ୍ୟକ ବୋଲି ସରକାର କହୁଛନ୍ତି । ସାମାଜିକ ଦୂରତା ରକ୍ଷା ପାଇଁ ମନ୍ଦିର, ମସଜିଦ୍, ପାର୍କ, ଗୀର୍ଜା ଘର, ସପିଂ ମଲ୍, ସ୍ୱିମିଂ ପୁଲ୍, ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ଉତ୍ସବ, ରାଜନୈତିକ କାର୍ଯ୍ୟକଳାପ ନିଷିଦ୍ଧ ହୋଇଛି । ତଥାପି, ଅଧିଂକାଶଙ୍କ ଚେତନା ଉଦୟ ହୋଇ ନାହିଁ । ଆମେ ମାସ୍କ୍ ଯେଉଁ ଭଳି ପିନ୍ଧୁଛେ, ତାହା ପୁଲିସ ଓ ପ୍ରଶାସନ ଆଖିରେ ଧୁଳି ପକାିଲା ଭଳି- ନିଜର ସୁରକ୍ଷା ପାଇଁ ନୁହେଁ ।
ସରକାର କେବଳ ବିବାହ ଭଳି ଆନନ୍ଦଦାୟକ ଉତ୍ସବ ନୁହେଁ, ମୃତ ବ୍ୟକ୍ତଙ୍କ ଶେଷକୃତ୍ୟ ଉପରେ ମଧ୍ୟ କଡା କଟକଣା ଲାଗାଇଛନ୍ତି । ନିକଟରେ, ପୁରୀ ଜିଲ୍ଲାପାଳ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ଶବଦାହ ଉପରେ କଟକଣା ଜାରି କରିଛନ୍ତି । ପୁରୀ ଜିଲ୍ଲା ବାହାର ଲୋକ ଯେମିତି ପୁରୀରେ ପ୍ରବେଶ କରି ନ ପାରିବେ ସେଥି ପାଇଁ ଜିଲ୍ଲାକୁ ଚାରିପଟୁ ସିଲ୍ କରି ଦିଆଯାଇଛି । କେବଳ ସ୍ୱର୍ଗଦ୍ୱାରରେ ଶବଦାହ ନୁହେଁ, ଶ୍ୱେତଗଂଗାରେ ଶେଷକୃତ୍ୟ ଓ ମହୋଦଧୀରେ ଅସ୍ଥି ବିସର୍ଜନକୁ ମଧ୍ୟ ଜିଲ୍ଲା ବାହାର ଲୋକଙ୍କ ପାଇଁ ନିଷିଦ୍ଧ କରାଯାଇଛି । ଜୁଲାଇ ୩୧ ପର୍ଯ୍ୟନ୍ତ ତାହା ବଳବତ୍ ତର ରହିଛି । ପୁରୀ ଜିଲ୍ଲାପାଳଙ୍କ କଟକଣା ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି କରିଛି ସତଳ, କିନ୍ତୁ ଏପିଡେମିକ୍ ଡ଼ିଜିଜ୍ ଆଇନକ ଡରି ବଏହାର କେହି ବିରୋଧ କରିବାକୁ ସାହାସ କୁଳାଉ ନାହାନ୍ତି । ବିବାହ ଭଳି ଶେଷକୃତ୍ୟରେ ମଧ୍ୟ ୨୦ରୁ ଅଧିକ ଲୋକ ଏକାଠି ହେବା ଉପରେ ସରକାର କଟକଣା ଲଗାଇଛନ୍ତି । ସମସ୍ତଙ୍କ ପାଇଁ ମାସ୍କ ଓ ପିପିଇ କିଟ୍ ବାଧ୍ୟତାମୂଳକ କରାଯାଇଛି । ଶେଷକୃତ୍ୟ କର୍ମ କରାଉଥିବା କର୍ତା ଏହି କାର୍ଯ୍ୟରେ ଯୋଗ ଦେଉଥିବା ଲୋକଙ୍କୁ ସଂକ୍ରମଣ-ମୁକ୍ତ ରଖିବା ପାଇଁ ସାବୁନ ଓ ସାନିଟାଇଜର୍ ଗଚ୍ଛିତ ରଖିବାକୁ ସରକାରୀ ନିର୍ଦେଶନାମା ରହିଛି ।
କରୋନା ମହାମାରୀର ଚାପ ଆଉ ଏକ ବଡ ସମସ୍ୟା ସୃଷ୍ଟି କରିଛି । ରାଜଧାନୀରେ ବାହାଘର, ବ୍ରତଘର ଭଳି ଉତ୍ସବ ମଧ୍ୟ ହୋଟେଲରେ ଆୟୋଜିତ ହୋଇଥାଏ । କରୋନା ମହାମାରୀ ଆରମ୍ଭ ହେବା ପୂର୍ବରୁ ବିଏମ୍ସି ଅଗ୍ନିଶମ ବିଭାଗର ନୋ-ଅବଜେକ୍ସନ୍ ସାଟିଫିକେଟ୍ ନ ଥିବା ଆଳରେ ବହୁ ସଂଖ୍ୟକ କଲ୍ୟାଣ ମଣ୍ଡପକୁ ବନ୍ଦ କରି ଦେଇଥିଲେ । ବିଭିନ୍ନ ହୋଟେଲରେ ମଧ୍ୟ ଚଢାଉ ଚାଲିଥିଲା । କରୋନା ସଂକ୍ରମଣ ପରେ ମାର୍ଚ୍ଚ ମାସ ୨୨ ତାରିଖରୁ ଜୁନ ମାସ ପହିଲା ପର୍ଯ୍ୟନ୍ତ ସରକାର ହୋଟେଲ୍, ରେଷ୍ଟୁରାଂଟ୍ ଗୁଡିକୁ ବନ୍ଦ କରି ଦେଲେ । ପାଖାପାଖି ଚାରି ମାସ ବନ୍ଦ ରହିବା ପରେ ହୋଟେଲ, ରେଷ୍ଟୁରାଂଟ ଖୋଲିଛି ସିନା କରୋନା କଟକଣା ଭିତରେ ଚାଲୁଛି । କଡା କଟକଣା ଯୋଗୁ ଅଧିକାଂଶ ହୋଟେଲ ମାଲିକ ସେମାନଙ୍କ ହୋଟେଲ ଖୋଲିବାକୁ ଚାହୁଁ ନାହାନ୍ତି । କାରଣ, ଚାରି ମାସର କ୍ଷତି କେିମତି ଭରଣା ହେବ ତାହାର ବାଟ ପାଉ ନାହାନ୍ତି । ମୂଳଧନ ସଂକଟ ସହ ହୋଟେଲ ଚଳାଇବା ପାଇଁ ବିଭିନ୍ନ ବ୍ୟାଙ୍କରୁ ସେମାନେ ଆଣିଥିବା ଋଣ ଉପରେ ସରକାର ସୁଧ ଛାଡ ଘୋଷଣା କରି ନାହାନ୍ତି । କେବଳ, ସୁଧ ପୈଠ କରିବାକୁ ଅଧିକ ସମୟ ଦେଇଛନ୍ତି । ହୋଟେଲଗୁଡିକ ବନ୍ଦ ଥିବା ସମୟର ବିଦ୍ୟୁତ ବିଲ୍ ଦେୟ ଏବଂ ଅନ୍ୟାନ୍ୟ ମେଂଟେନାନ୍ସ ଖର୍ଚ୍ଚ କେମିତି ତୁଲାଇବେ ସେ ନେଇ ଚିନ୍ତାରେ ଅଛନ୍ତି ହୋଟେଲ ବ୍ୟବସାୟୀ । ଏହାଛଡା ୩୩ ପ୍ରତିଶତ କର୍ମଚାରଙ୍କୁ ନେଇ ହୋଟେଲ ଖୋଲିବାକୁ ସରକାରୀ ନିଦେ୍ର୍ଦଶ ରହିଛି । ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜେସନ୍ ବାବଦରେ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ହେଟେଲ ଖୋଲିଲେ ମଧ୍ୟ ରାତି ୯ଟାରୁ ପରଦିନ ସକାଳ୫ଟା ପର୍ଯ୍ୟନ୍ତ ରାତ୍ରୀକର୍ଫ୍ୟୁ ଜାରି ଥିବାରୁ ଏବଂ ବାର୍ ଚଳାଇବାକୁ ସରକାରୀ ଅନୁମତି ନ ଥିବାରୁ ଗ୍ରାହକଙ୍କ ଆଗମନ କମ୍ ରହୁଛି । ଏଭଳି ପରିସ୍ଥିତିରେ ହୋଟେଲ ଖୋଲି ଖର୍ଚ୍ଚାନ୍ତ ହେବା ଅପେକ୍ଷା ହୋଟେଲ ବନ୍ଦ ରଖିବାକୁ ଅଧିକାଂଶ ହୋଟେଲ ମାଲିକ ପସନ୍ଦ କରୁଛନ୍ତି । ଏହାଦ୍ୱାରା, କାଁ ଭାଁ ହେଉଥିବା ବାହାଘର ବା ଅନ୍ୟ ଉତ୍ସବ ପାଇଁ ହୋଟେଲ ବୁକ୍ିଂ ବଡ ସମସ୍ୟା ହୋଇଛି ।
ସରକାରଙ୍କ କୋଭିଡ଼ କଟକଣା ଝିଅମାନଙ୍କୁ ଅଧିକ ସମସ୍ୟାରେ ପକାଇଛି । ଘରୁ ବାହାରିଲେ ମାସ୍କ୍ ପିନ୍ଧିବା ଜରୁରୀ । ବିବାହ ଭଳି ଗର୍ଜିଅସ୍ ଉତ୍ସବରେ ମାସ୍କ୍ ପିନ୍ଧି ସାମିଲ ହେବାକୁ କୋଉ ଝିଅ ବା ଚାହିଁବ ? ‘ୱାର୍କ ଆଟ୍ ହୋମ୍’ ପରିସ୍ଥିତି ଯୋଗୁ ସେମାନଙ୍କ ଜୀବନଶୈଳୀରେ କିଛିମାତ୍ରାରେ ପରିବର୍ତନ ଆସିଛି ସତ, କିନ୍ତୁ ମେକଅପ୍ ତ ଜୀବନର ଗୋଟିଏ ଅବିଚ୍ଛିନ୍ନ ଅଙ୍ଗ ! ତେବେ, ମୁହଁରେ ମାସ୍କ୍ ପିନ୍ଧିବାକୁ ବାଧ୍ୟ ହେବା ପରେ ଝିଅଙ୍କ ମେକପ୍ ସ୍ପୃହା ଅନେକାଂଶରେ କମି ଥିବା ଦେଶୀ, ବିଦେଶୀ କଲର୍ କସ୍ମେଟିକ୍ ପ୍ରସ୍ତୁତକାରୀ ସଂସ୍ଥାଙ୍କ ରିପୋର୍ଟରୁ ସୂଚନା ମିଳୁଛି । କେତେକ ନାମୀ ଦାମୀ କସ୍ମେଟିକ୍ ପ୍ରସ୍ତୁତକାରୀ ସଂସ୍ଥା ସେମାନଙ୍କ କାରବାର ସଂପର୍କରେ ଯାହା କହିଛନ୍ତି ସେଥିରୁ ଜଣାପଡୁଛି, କରୋନା କଟକଣା ଲାଗୁ ହେବା ପରେ ଝିଅମାନେ ଗାଢ ରଂଗର ଲିପଷ୍ଟିକ୍ ବ୍ୟବହାର କମାଇ ଦେଇ ଆଖି ଓ ଭୃଲତା ସଜାଇବାକୁ ଗୁରୁତ୍ୱ ଦେଉ ଥିବାରୁ କସ୍ମେଟିକ୍ ବଜାରରେ ଲିପଷ୍ଟିକ୍ ର ଚାହିଦା ୩୬ ପ୍ରତିଶତରୁ ୩୨ ପ୍ରତିଶତକୁ କମି ଥିବା ବେଳେ ଆଖି ଓ ଭୃଲତା ସଜାଇବା ପାଇଁ ବିକ୍ରି ଉତ୍ପାଦର ଚାହିଦା ୩୨ରୁ ୩୬ ପ୍ରତିଶତକୁ ବୃଦ୍ଧି ପାଇଛି । ଅବଶ୍ୟ, ଆଜି କାଲି ବଜାରରେ ମିଳୁ ଥିବା ଷ୍ଟାଇଲିସ୍ ମାସ୍କ୍ ଝିଅମାନଙ୍କ ଚିନ୍ତାକୁ କିଛି ପରିମାଣରେ କମ୍ କରିଛି । କିନ୍ତୁ ବିବାହ କରିବାକୁ ଥିବା ଝିଅଟି ଏବେ ମଧ୍ୟ ଚିନ୍ତାରେ । ବିବାହ ବେଦୀରେ ବର ସହ ମାସ୍କ୍ ପିନ୍ଧି ବସିଲେ ଷ୍ଟିଲ୍ ଓ ଭିଡ଼ିଓରେ ମୁହଁ କେମିତି ଦିଶିବ ? ଏହି ଚିନ୍ତାର ସରଳ ଉପାୟ ହେଉଛି, ଟ୍ରାନ୍ସପରାଂଟ ମାସ୍କ୍ । କୋଭିଡ଼ ସମସ୍ୟା ସହ ଅଧିକ ଦିନ ସହବାସ କରିବାକୁ ପଡିବ ବୋଲି ହୃଦବୋଧ କରିବା ପରେ ଆମ କସ୍ମେଟିକ୍ କଂପାନୀମାନେ ଟ୍ରାନ୍ସପରେଂଟ୍ ମାସ୍କ୍ ପ୍ରସ୍ତୁତି ଆଡକୁ ହିଁ ଯିବେ, ଏଥିରେ କୌଣସି ସନ୍ଦେହ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS