ଅଲ୍ବିଦା ପ୍ରଣବ, ଲୋଧୀ ରୋଡ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ
ପ୍ରସାଦ ରାଓ
ମୋଅନୁଭବ.କମ୍
ନୂଆଦିଲ୍ଲୀ/ସେପ୍ଟେମ୍ବର ୦୧
ଦେଶର ତ୍ରୟୋଦଶ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଶେଷକୃତ୍ୟ ଆଜି ଲୋଧୀ ରୋଡ ସ୍ଥିତ ଶ୍ମଶାନଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହୋଇଛି । ପୁଅ ଅଭିଜିତ ମୁଖାର୍ଜୀ ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀଙ୍କ ପାର୍ଥିବ ଶରୀରରେ ଅଗ୍ନି ସଂଯୋଗ କରି ତାଙ୍କୁ ଇହଧାମରୁ ବିଦାୟ ଦେଇଥିଲେ । କୋଭିଡ଼ କଟକଣା ଯୋଗୁ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀର ୧୦, ରାଜାଜୀ ମାର୍ଗ ସ୍ଥିତ ସରକାରୀ ବାସଭବନରୁ ଗନ୍ କ୍ୟାରେଜ ବଦଳରେ ଏକ ଭ୍ୟାନରେ ଶ୍ମଶାନଘାଟକୁ ନିଆଯାଇ ଦାହ କରାଯାଇଥିଲା । ମୁଖାର୍ଜୀଙ୍କ ପାର୍ଥିବ ଶରୀର ଶ୍ମଶାନଘାଟକୁ ନିଆଯିବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦ, ଉପ ରାଷ୍ଟ୍ରପତି ଭେଂକାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଜୁଆଲ୍ କ୍ୟାବିନେଟ୍ ବୈଠକ ହୋଇ ପୂର୍ବ ରାଷ୍ଟ୍ରପତି ମୁଖାର୍ଜୀଙ୍କ ଦେହାନ୍ତରେ ଶୋକ ପ୍ରକଟ କରାଯାଇଛି ଏବଂ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି । ଭାରତର ସାମଗ୍ରୀକ ବିକାଶରେ ପୂର୍ବ ରାଷ୍ଟ୍ରପତି ମୁଖାର୍ଜୀଙ୍କ ବଳିଷ୍ଠ ଯୋଗଦାନ ଉପରେ ମଧ୍ୟ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇଥିଲା । ଆରଏସଏସ ମୁଖ୍ୟ ମୋହନ ଭାଗବତ୍, କମ୍ୟୁନିଷ୍ଟ ନେତା ଡି. ରାଜା ମଧ୍ୟ ସ୍ୱର୍ଗତ ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଂଜଳୀ ଜଣାିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ପୂର୍ବ ରାଷ୍ଟ୍ରପତି ମୁଖାର୍ଜୀ ଗତ ଅଗଷ୍ଟ ୧୦ ତାରିଖ ଦିନ ତାଙ୍କ ୧୦, ରାଜାଜୀ ମାର୍ଗ ସ୍ଥିତ ସରକାରୀ ବାସଭବନ ବଗିଚାରେ ବୁଲାବୁଲି କରୁଥିବା ବେଳେ ପାଦ ଖସି ପଡି ଯାଇଥିଲେ ଏବଂ ମସ୍ତିଷ୍କରେ ଗଭୀର ଆଘାତ ଲାଗି ଥିଲା । ତୁରନ୍ତ ତାଙ୍କୁ ଦିଲ୍ଲୀରେ ଥିବା ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ କରୋନା ପରୀକ୍ଷା ହୋଇଥିଲା । ସେ କରୋନା ପଜେଟିଭ୍ ଥିବା ଜଣାପଡିବା ପରେ ମଧ୍ୟ ମସ୍ତିଷ୍କରେ ଗଭୀର ଆଘାତ ଲାଗି ରକ୍ତ ଜମାଟ ବାନ୍ଧି ଥିବାରୁ ଅଭିଜ୍ଞ ସେନା ଡ଼ାକ୍ତରୀ ଦଳ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ପରେ ମୁଖାର୍ଜୀଙ୍କ ଆଉ ଚେତନା ଫେରି ନ ଥିଲା । ପ୍ରାୟ ତିନି ସପ୍ତାହ ଧରି ମୁଖାର୍ଜୀ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଗତକାଲି ପରଲୋକ ଗମନ କରିଛନ୍ତି । ଦୁଇ ସପ୍ତାହରୁ ଅଧିକ ହେଲା ସେ କୋମାରେ ଥିଲେ ଏବଂ ତାଙ୍କୁ ଭେଂଟିଲେଟରରେ ରଖା ଯାଇଥିଲା । ୧୯ ତାରିଖ ଦିନ ତାଙ୍କ ଫୁସଫୁସ୍ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କ ଜୀବନ ରକ୍ଷା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରି ଶେଷରେ ସଫଳ ହୋଇ ନାହାନ୍ତି । ୮୪ ବର୍ଷ ବୟସରେ ଏହି ମହାନ ବ୍ୟକ୍ତିତ୍ୱଙ୍କ ଦେହାନ୍ତ ଘଟିଛି । ମୁଖାର୍ଜୀଙ୍କ ମୃତ୍ୟୁରେ ଗୋଟିଏ ଯୁଗର ଅବସାନ ଘଟିଛି ବୋଲି ସମସ୍ତେ ସ୍ୱୀକାର କରିଛନ୍ତି । ଭାରତର ଏହି କୃତି ସନ୍ତାନଙ୍କ ମୃତ୍ୟୁରେ ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ଏବଂ ସମଗ୍ର ଦେଶରେ ଜାତୀୟ ପତାକାକୁ ଅର୍ଧନମିତ ରଖାଯାଇଛି ।
ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ପଶ୍ଚିମ ବଂଗ ବୀରଭୂମ ଜିଲ୍ଲାର କିରନାହର ସହର ନିକଟସ୍ଥ ମିରାତୀ ଗ୍ରାମରେ । ତାଙ୍କ ପିତା କାମଦା କିଂକର ମୁଖାର୍ଜୀ ୧୯୨୦ରେ କଂଗ୍ରେସ ଦଳରେ ସକ୍ରିୟ ରହିବା ସହ ୧୯୫୨ରୁ ୧୯୬୪ ପର୍ଯ୍ୟନ୍ତ ପଶ୍ଚିମ ବଂଗ ବିଧାନ ପରିଷଦରେ ସଦସ୍ୟ ଥିଲେ । କାମଦା କିଂକର ବରଭୂମ ଜିଲ୍ଲା କଂଗ୍ରେସ କମିଟି ସଭାପତି ମଧ୍ୟ ରହିଥିଲେ । ସ୍ୱାଧାନତା ସଂଗ୍ରାମରେ ଭାଗ ନେଇ ସେ (କାମଦା କିଂକର)୧୦ ବର୍ଷରୁ ଅଧିକ ସମୟ ଜେଲରେ ମଧ୍ୟ ଥିଲେ । ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ୧୯୩୫ ଡ଼ସେମ୍ବର ୧୧ ତାରିଖରେ । ସେ କଲିକତା ବିଶ୍ୱ ବିଦ୍ୟାଳୟରୁ ଇତିହାସ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କରିଥିଲେ । ଆଇନରେ ମଧ୍ୟ ସେ ଡ଼ିଗ୍ରୀ କରିଥିଲେ । ଜଣେ ଓକିଲ, ଅଧ୍ୟାପକ ଓ ସାମ୍ବାଦିକ ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ପରେ କଂଗ୍ରେସ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
୧୯୬୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜନୀତିକୁ ଆଣି ରାଜ୍ୟସଭା ସଦସ୍ୟ କରାଇ ଥିଲେ । ୪୩ ବର୍ଷ ଧରି ପ୍ରଣବ ଦା’ (ଏହି ନାମରେ ସେ ଦେଶବ୍ୟାପୀ ପରିଚିତ) ପ୍ରତ୍ୟକ୍ଷ ରାଜନୀତିରେ ରହି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ପି.ଭି.ନରସିଂହ ରାଓ ଏବଂ ଡ. ମନମୋହନ ସିଂହଙ୍କ ସରକାରରେ ଅର୍ଥ, ବୈଦେଶିକ. ପ୍ରତିରକ୍ଷା, ବିଣିଜ୍ୟ, ଶିଳ୍ପ, ଇସ୍ପାତ, ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ସଂଭାଳି ଥିଲେ । ରାଜନୀତି, କୂଟନୀତି ଓ ଅର୍ଥନୀତିରେ ପାରଂଗମ ତଥା ବିଦ୍ୱାନ ନେତା ଭାବେ ସେ ଭାରତୀୟ ରାଜନୀତିରେ ପରିଚିତ ଥିଲେ । ପ୍ରଧାନମନ୍ତ୍ରୀ ଥବା ଅବସ୍ଥାରେ ଇନ୍ଦିରା ଗାନ୍ଧୀ ୧୯୮୪ରେ ନିଜ ଦେହରକ୍ଷୀଙ୍କ ଗୁଳିରେ ନିହତ ହେବା ପରେ ତାଙ୍କ ମନ୍ତ୍ରୀ ପରିଷଦରେ ଦ୍ୱିତୀୟ ସ୍ଥାନରେ ଥିବା ପ୍ରଣବ ଦା’ ପରବର୍ତୀ ପ୍ରଧାନମନ୍ତ୍ରୀ ହେବାର ସମସ୍ତଙ୍କ ଯୋଗ୍ୟତା ରଖି ଥିଲେ ମଧ୍ୟ ତାଙ୍କୁ ସେହି ସୁଯୋଗ ମିଳି ନ ଥିଲା । ରାଜନୀତିରେ କୌଣସି ଅଭିଜ୍ଞତା ନ ଥିବା ବା ସଂସଦର କୌଣସି ଗୃହରେ ସଦସ୍ୟ ନ ହୋଇ ଇନ୍ଦିରା-ପୁତ୍ର ରାଜୀବ ଗାନ୍ଧୀ ପ୍ରଣବଙ୍କୁ ଏହି ସୁଯୋଗ ନ ଦେଇ ନିଜେ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସିବାରୁ ପ୍ରଣବ ଦା’ଙ୍କ ଆତ୍ମା କ୍ଷତାକ୍ତ ହୋଇଥିଲା ସତ, କିନ୍ତୁ ଶେଷ ପର୍ଯ୍ୟନ୍ତ ସେ କଂଗ୍ରେସର ହାତ ଛାଡି ନାହାନ୍ତି । କିଛି ଦିନ ପାଇଁ ସେ ଦଳ ଭିତରେ କୋଣଠେସା ଅନୁଭବ କରି ନୂଆ ଦଳ (ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ) ଗଢି ଥିଲେ ସିନା ପରେ ରାଜୀବଙ୍କ ସହ ବୁଝାମଣା କରି ନେଇ ୧୯୮୯ରେ ନିଜ ଦଳକୁ କଂଗ୍ରେସରେ ବିଲୟ ଘଟାଇ ଥିଲେ ।
୧୯୯୧ ମସିହାରେ ରାଜୀବ ଗାନ୍ଧୀଙ୍କ ହତ୍ୟା ହୋଇଥିଲା । ଶ୍ରୀଲଙ୍କାର ଏକ ତାମିଲ ଉଗ୍ରବାଦୀ ଗୋଷ୍ଠୀ ରାଜୀବ ଗାନ୍ଧୀଙ୍କୁ ମାନବ ବୋମା ଦ୍ୱାରା ଉଡାଇ ଦେବା ପରେ ପୁଣି ଥରେ ପ୍ରଣବ ଦା’ ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ସୃଷ୍ଟି ହୋଇଥିଲା । ତେବେ, ପି.ଭି.ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେଲେ ଏବଂ ପ୍ରଣବ ମୁଖାର୍ଜୀଙ୍କୁ ସେ ଯୋଜନା କମିସନ୍ ଦାୟିତ୍ୱ ଅର୍ପଣ କରିଥିଲେ । ୧୯୯୫ରେ ପ୍ରଣବ ଦା’ ନିସିଂହ ରାଓ ସରକାରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳି ଥିଲେ । ରାଜୀବଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୋନିଆ ଗାନ୍ଧୀ କଂଗ୍ରେସର ନେତୃତ୍ୱ ନେଇଥିଲେ ଏବଂ ୨୦୦୪ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୧ ସରକାର କ୍ଷମତାସୀନ ହୋଇଥିଲା । ଡ. ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ହେଲେ । କଂଗ୍ରେସ ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇ ଆସିଥିବା ପ୍ରଣବ ମୁଖାର୍ଜୀ ୨୦୦୪ରୁ ୨୦୦୬ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ୨୦୦୬ରୁ ୨୦୦୯ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ୟୁପିଏ-୨ ସରକାରରେ ୨୦୦୯ରୁ ୨୦୧୨ କେନ୍ଦ୍ର ଅର୍ଥ ମନ୍ତ୍ରୀ ରହିଥିଲେ । ୨୦୧୨ ଜୁଲାଇ ୨୫ ତାରିଖ ସେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ୨୦୧୭ ଜୁଲାଇ ୨୫ ପର୍ଯ୍ୟନ୍ତତ ୫ ବର୍ଷ କାଳ ଏହି ଦାୟିତ୍ୱ ସଂପାଦନ କରିଥିଲେ ।
ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀଙ୍କୁ ଦେଶ ୨୦୦୮ରେ ‘ପଦ୍ମ ଭୂଷଣ’ ଓ ୨୦୧୯ରେ ‘ଭାରତ ରନ୍ନ’ ସମ୍ମାନରେ ଭୂଷିତ କରିଥିଲା । ୨୦୧୩ରେ ତାଙ୍କୁ ବାଂଲାଦେଶ ଲିବରେସନ୍ ୱାର୍ ଅନର ମଧ୍ୟ ମିଳିଛି । ଏହି ଦିବଂଗତ ନେତାଙ୍କୁ ସମ୍ମାନ ଜଣାଇ ବାଂଲାଦେଶ ସରକାର ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ପୁରୀ ଶ୍ରୀଜଗନ୍ନାଥ ଧାମ ସହ ସ୍ୱର୍ଗତ ମୁଖାର୍ଜୀଙ୍କ ସଂପର୍କ ନିବିଡ଼ ଥିଲା । ରାଷ୍ଟ୍ରପତି ଥାଇ ସେ ତିନି ଥର ପୁରୀ ଆସିଥିବା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଥିବା ସମୟରେ ଦୁଇ ଥର ପୁରୀ ଆସିଛନ୍ତି ବୋଲି ତାଙ୍କ ସହ ସମୟ କାଟିଥିବା ପୁରୀ ଶ୍ରୀମନ୍ଦିର ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ଗଣମାଧ୍ୟମକୁ କହିଛନ୍ତି । ରାଷ୍ଟ୍ରପତି ନ ଥିବା ସମୟରେ ପ୍ରଣବ ପୁରୀ ଆସିଲେ ହୋଟେଲରେ ରହୁଥିଲେ ଏବଂ ରାଷ୍ଟ୍ରପତି ଥାଇ ପୁରୀ ଆସିଲେ ରାଜଭବନରେ ରହୁ ଥିଲେ । ପରିବାର ସହ ପୁରୀ ସମୁଦ୍ର କୂଳରେ ସମୟ ବିତାଇବାକୁ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଭଲ ପାଉ ଥିଲେ ବୋଲି ଏହି ଶ୍ରୀମନ୍ଦିର ଦଇତାପତି ସେବକ ଜଣକ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS