ବିବାଦ ଘେରରେ ଦିଲ୍ଲୀ ଆଇଏଏସ୍ ଅଧିକାରୀ ଓ ତାଙ୍କ କୁକୁର …


ପ୍ରସାଦ ରାଓ
ମେ’ ୨୬
ନୂଆଦିଲ୍ଲୀରୁ ମିଳିଛି ଏକ ରୋଚକ ଖବର । ଦିଲ୍ଲୀ ସରକାରର ଜଣେ ପ୍ରଭାବଶାଳୀ ଆଇଏଏସ୍ ଅଧିକାରୀ ସନ୍ଧ୍ୟା ୭ଟା ପରେ ନିଜ କୁକୁରକୁ ଧରି ଏକ ଖେଳ ପଡିଆ (ଷ୍ଟାଡିୟମ)ରେ ବୁଲାଚଳା କରିବେ ବୋଲି ସେଠାରେ ପ୍ରଶିକ୍ଷଣ ନେଉଥିବା ଖେଳାଳୀଙ୍କୁ ସନ୍ଧ୍ୟା ୭ଟା ପୂର୍ବରୁ ଷ୍ଟାଡିୟମ ଖାଲି କରିବାକୁ କୁହାଯାଇଥିଲା । କିଛି ମାସ ହେଲା ଏଭଳି ଚାଲୁ ଥିବା ଦେଖି ଖେଳଳୀ ଓ କ୍ରୀଡ଼ା ପ୍ରଶିକ୍ଷକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏସଂପର୍କରେ ଏକ ଦୈନିକ ଇଂରାଜୀ ଦୈନିକରେ ଖବର ପ୍ରକାଶ ପାଇବା ପରେ ଦିଲ୍ଲୀ ସରକାର ତୁରନ୍ତ ହସ୍ତକ୍ଷେପ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଖେଳାଳୀଙ୍କ ପ୍ରଶିକ୍ଷଣ ପାଇଁ ଷ୍ଟାଡିୟମ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଦାୟିତ୍ୱରେ ଥିବା ପ୍ରଶାସକଙ୍କୁ ନିର୍ଦେଶ ଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ଆଜି ସକାଳେ ଏକ ‘ଟ୍ୱିଟ୍’ କରି ଘଟଣାଟି ଖବର କାଗଜରେ ପ୍ରକାଶ ପାଇବା ପରେ ସରକାରଙ୍କ ନଜରକୁ ଆସିଥିବା ଏବଂ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ରାତି ଖୋଳାଳୀଙ୍କ ପ୍ରଶିକ୍ଷଣ ପାଇଁ ରାତି ୧୦ଟା ପର୍ଯ୍ୟନ୍ତ ଷ୍ଟାଡିୟମ ଖୋଲା ରଖିବ ବୋଲି ଷ୍ଟାଡିୟମ ପ୍ରଶାସକଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି । ଦିଲ୍ଲୀ ସହରର ମଧ୍ୟଭାଗରେ ଥିବା ତ୍ୟାଗରାଜ ଷ୍ଟାଡିୟମ ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡା ନିମନ୍ତେ ନିର୍ମିତ ହୋଇଥିଲା ଏବଂ ତାହା ଦିଲ୍ଲୀ ସରକାରଙ୍କ ପରିଚାଳନାଧୀନ ରହିଛି । ଏହି ଷ୍ଟାଡିୟମରେ ପ୍ରଶିକ୍ଷଣ ପାଇଁ ବିଶେଷ ସୁବିଧା ସୁଯୋଗ ଥିବାରୁ ଜାତୀୟ ଓ ରାଜ୍ୟସ୍ତରୀୟ କ୍ରୀଡାବିତଙ୍କ ସମେତ ଫୁଟବଲ ଖେଳାଳୀମାନେ ମଧ୍ୟ ପ୍ରଶିକ୍ଷଣ ପାଇଥାନ୍ତି । ଷ୍ଟାଡିୟମ ପୂର୍ବରୁ ରାତି ୮ଟାରୁ ସାଢେ ୮ଟା, ଏପରିକି ୯ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା ଏବଂ ଖେଳାଳୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା । ତେବେ, ଦିଲ୍ଲୀର ପ୍ରମୁଖ ଶାସନ ସଚିବ (ରାଜସ୍ୱ) ସଂଜୀବ ଖିରୱାର ରାତି ୭ଟା ପରେ ତାଙ୍କ କୁକୁର ସହ ଷ୍ଟାଡିୟମରେ ବୁଲାଚଲା କରିବେ ବୋଲି ଗଲା କିଛି ମାସ ହେଲା ସନ୍ଧ୍ୟା ସାଢେ ୬ଟାରୁ ୭ଟା ମଧ୍ୟରେ ଖେଳାଳୀ ଓ ପ୍ରଶିକ୍ଷକମାନଙ୍କୁ ଷ୍ଟାଡିୟମରୁ ଘଉଡାଇ ଦିଆଯାଉଥିଲା । ଏସଂପର୍କରେ ଷ୍ଟାଡିୟମ ପ୍ରଶାସକ ଅଜିତ ଚୌଧୁରୀଙ୍କ ଯୁକ୍ତି ହେଉଛି, ସରକାରୀ ଭାବେ ଷ୍ଟାଡିୟମ ଖୋଲା ରହିବା ସମୟ ହେଉଛି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା । ତେବେ, ଗରମ ଓ ଗୁଳୁଗୁଳି ଯୋଗୁଁ ଖେଳାଳୀଙ୍କ ପ୍ରଶିକ୍ଷଣ ପାଇଁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଷ୍ଟାଡିୟମ ଖୋଲା ରହୁଥିଲା । ସବୁ ସରକାରୀ କାର୍ଯ୍ୟାଳୟ ସନ୍ଧ୍ୟା ୭ଟା ଯାଏଁ ଖୋଲୁଛି । ଏହା ମଧ୍ୟ ଏକ ସରକାରୀ କାର୍ଯ୍ୟାଳୟ ହୋଇଥିବାରୁ ସନ୍ଧ୍ୟା ୭ଟାରେ ବନ୍ଦ କରିବାକୁ ପଡୁଛି ବୋଲି ଚୌଧୁରୀ କହିଥିବା ବେଳେ ଏସଂପର୍କିତ କୌଣସି ସରକାରୀ ନିର୍ଦେଶନାମା ଦେଖାଇ ନଥିଲେ । ସେ ସନ୍ଧ୍ୟା ୭ଟାରେ ଘରକୁ ଚାଲି ଯାଉଥିବା ଦର୍ଶାଇ ତାହା ପରେ କିଏ ଷ୍ଟାଡିୟମକୁ ଆସୁଛି ସେ ଜାଣନ୍ତି ନାହିଁ ବୋଲି ସଫେଇ ଦେଇଥିଲେ । ସଂପୃକ୍ତ ଆଇଏଏସ୍ ଅଫିସର ନିଜ କୁକୁର ସହ ମଂଗଳବାର ରାତି ସାଢେ ୭ଟା ସମୟରେ ଷ୍ଟାଡିୟମରେ ବୁଲାଚଲା କରୁଥିବା ଏବଂ କୁକୁରଟି ଟ୍ରାକ୍ ଓ ଫୁଟବଲ ପଡିଆରେ ଅବାଧରେ ଘୁରି ବୁଲୁଥିବା ବେଳେ ଷ୍ଟାଡିୟମର ସୁରକ୍ଷା କର୍ମୀମାନେ ନିରବରେ ତାହା ଦେଖୁଥିବା ସଂପୃକ୍ତ ଖବର କାଗଜ ଫଟୋ ସହ ପ୍ରକାଶ କରିଛି । ବିବାଦରେ ଫସି ଥିବା ଆଇଏଏସ୍ ଅଧିକାରୀ ଖିରୱାର କହିଛନ୍ତି, ଷ୍ଟାଡିୟମଟି ହେଉଛି ଖେଳାଳୀଙ୍କର । ସେ ରାତିରେ କୁକୁରକୁ ନେଇ ଷ୍ଟାଡିୟମକୁ ଯାଉଥିଲେ ମଧ୍ୟ କେବେ କୌଣସି ଖେଳାଳୀଙ୍କୁ ଷ୍ଟାଡିୟମ ଛାଡି ପଳାଇବାକୁ କହି ନାହାନ୍ତି ବା କୁକୁରକୁ ଟ୍ରାକ୍ ଓ ଫିଲ୍ଡରେ ବୁଲିବା ପାଇଁ ଖୋଲା ଛାଡି ନାହାନ୍ତି । ଷ୍ଟାଡିୟମରେ କେହି ନଥିବା ସମୟରେ କୁକୁରକୁ ଖୋଲା ଛଡା ଯାଉଛି । ତେବେ, ଏହା ଯଦି ଆପତ୍ତିଜନକ, ‘ଆମେ କୁକୁରକୁ ନେଇ ବୁଲାଚଳା ବନ୍ଦ କରିଦେବୁ’ ବୋଲି ଖିରୱାର କହିଛନ୍ତି । ଅପରପକ୍ଷରେ, ଷ୍ଟାଡିୟମକୁ ପ୍ରଶିକ୍ଷଣ ପାଇଁ ଆସୁଥିବା ଖେଳାଳୀଙ୍କ ଅଭିଭାବକମାନେ ଖିରୱାରଙ୍କ କାର୍ଯ୍ୟକୁ ‘କ୍ଷମତାର ଦୁରୁପଯୋଗ’ ବୋଲି କହିଛନ୍ତି । ଯେଉଁ ପିଲାମାନେ ପ୍ରଶିକ୍ଷଣ ପାଇଁ ଷ୍ଟାଡିୟମକୁ ଆସୁଛନ୍ତି ସେମାନଙ୍କ ପ୍ରଶିକ୍ଷଣରେ ବାଧା ଉପୁଜିବା ଗ୍ରହଣୀୟ ନୁହେଁ । ଏପରିକି, ରାତିରେ ଷ୍ଟାଡିୟମରେ କେହି ନାହାନ୍ତି କହି କୁକୁର ବୁଲାଇବା କେତେଦୂର ଯୁକ୍ତିସଂଗତ ବୋଲି ଜଣେ ଅଭିଭାବକ ପ୍ରଶ୍ନ କରିଛନ୍ତି । କିଛି ଆଥେଲେଟ୍ କହିଛନ୍ତି, ତ୍ୟାଗରାଜ ଷ୍ଟାଡିୟମରେ ସମସ୍ୟା ହେବାରୁ ସେମାନେ ତିନି କିମି ଦୂର ‘ସାଇ’(ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ)ର ଜବାହାରଲାଲ ନେହେରୁ ଷ୍ଟାଡିୟମକୁ ଯାଇ ପ୍ରଶିକ୍ଷଣ ନେଉଛନ୍ତି । ତେବେ, ଜେଏଲଏନ ଷ୍ଟାଡିୟମରେ ରାତି ସାଢେ ୭ଟା ପରେ ଫ୍ଲାଡ୍ ଲାଇଟ୍ ଜଳୁଛି । ଗ୍ରୀଷ୍ମାବକାଶ ଯୋଗୁଁ ଷ୍ଟାଡ଼ୟମରେ ବେଶ୍ ଭିଡ଼ ହେଉଥିବାରୁ ଓ ମୁଖ୍ୟ ଷ୍ଟାଡିୟମ ‘ଟ୍ରାକ୍’ଗୁଡିକର ନବୀକରଣ ଚାଲୁ ରହି ଥିବାରୁ ସ୍ଥାନାଭାବ ଯୋଗୁଁ ପିଲାଙ୍କୁ ରାତି ସାଢେ ୮ଟା ପର୍ଯ୍ୟନ୍ତ ତାଲିମ ଦେବା ସମ୍ଭବ ହେଉଛି ବୋଲି ଜେଏଲଏନ ଷ୍ଟାଡିୟମର ଜଣେ କୋଚ କହିଛନ୍ତି । ତ୍ୟାଗରାଜ ଷ୍ଟାଡିୟମ ସମସ୍ୟା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବା ପରେ ଷ୍ଟାଡିୟମ ପ୍ରଶିକ୍ଷଣ କାର୍ଯ୍ୟ ପାଇଁ ରାତି ୧୦ଟା ଯାଏଁ ଖୋଲା ରଖିବାକୁ ନିର୍ଦେଶ ହୋଇଥିବାରୁ ଖେଳାଳୀଙ୍କ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି ।
ମୋଅନୁଭବ.କମ
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS