ପ୍ରଧାନମନ୍ତ୍ରୀ ହେବା ଯୋଗ୍ୟତା ମମତାଙ୍କ ରହିଛି – ଅମର୍ତ୍ତ୍ୟ ସେନ୍
ପ୍ରସାଦ ରାଓ
ଜାନୁଆରୀ ୧୪/୨୩
ଦେଶରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇସାରିଛି । ତେଣୁ, ୨୦୨୪ ଲୋକସଭା ନିର୍ବାଚନ ଏକପାଖିଆ ହୋଇ ବିଜେପି ସପକ୍ଷରେ ଯିବ ବୋଲି ଧରି ନେବା ଭୁଲ ହେବ ବୋଲି ପ୍ରଖ୍ୟାତ ଅର୍ଥନୀତିଜ୍ଞ ତଥା ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ କୋଲକାତାରେ କହିଛନ୍ତି । ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ସେନ୍ କହିଛନ୍ତ, ୨୦୨୪ ନିର୍ବାଚନରେ ଦେଶର ଅଧିକାଂଶ ଆଂଚଳିକ ଦଳଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ତଥା ନିଖିଳ ଭାରତ ତୃଣମୂଳ କଂଗ୍ରେସ ପାର୍ଟିର୍ (ଏଆଇଟିଏମସି) ମୁଖ୍ୟା ମମତା ବାନାର୍ଜୀ ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ହେବେ କି (?) ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ମମତାଙ୍କ ପ୍ରଧାନମନ୍ତ୍ରୀ ହେବା ଯୋଗ୍ୟତା ରହିଛି । ତେବେ, ସେ ସମସ୍ତ ବିଜେପି ବିରୋଧୀ ଶକ୍ତିଙ୍କୁ ଗୋଟିଏ ମଂଚରେ ସଂଗଠିତ କରି ଏକକ ନେତୃତ୍ୱ ଦେବାକୁ କେତେଦୂର ସକ୍ଷମ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
୨୦୨୪ ନିର୍ବାଚନରେ ବିଭିନ୍ନ ଆଂଚଳିକ ଦଳଙ୍କ ପ୍ରଭାବ ଦର୍ଶାଇବାକୁ ଯାଇ ୯୦ ବର୍ଷ ବୟସ୍କ ସେନ୍ କହିଛନ୍ତି, ତାମିଲନାଡୁରେ ଡ଼ିଏମକେର ଗୁରୁତ୍ୱ ରହିଛି । ପଶ୍ଚିମ ବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସିର ପ୍ରଭାବ କାହାରିକୁ ଅଛପା ନାହିଁ । ସେହିଭଳି, ୟୁପିରେ ସମାଜବାଦୀ ପାର୍ଟି ବିଜେପି ବିରୋଧୀ ଶକ୍ତି ହୋଇ ରହିଛି । ତେବେ, ଦଳ ଏହି ଶକ୍ତିକୁ କେତେଦୂର ବିସ୍ତାରିତ କରିପାରିବ, ତାହା ଉପରେ ଅନେକ କିଛି ନିର୍ଭର କରୁଛି । ବିଜେପି ଦେଶକୁ ହିନ୍ଦୁତ୍ୱ ଆଡକୁ ନେଇ ହିନ୍ଦୁ ଭୋଟ ଧ୍ରୁବୀକରଣ ରାଜନୀତିରେ ସଫଳ ହୋଇଥିବାରୁ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ଅନ୍ୟ କୌଣସି ରାଜନୈତିକ ଦଳ ମୁକାବିଲା କରିବା ସ୍ଥିତିରେ ନାହାନ୍ତି ବୋଲି ବର୍ତ୍ତମାନଠାରୁ ଭାବି ନେବା ଭୁଲ ହେବ ବୋଲି ସେ କହିଛନ୍ତି । ସେନ୍ କହିଛନ୍ତି, ୨୦୨୪ ନିର୍ବାଚନରେ ବିଜେପିର ମୁକାବିଲା ପାଇଁ ଏନସିପି, ଜନତା ଦଳ (ୟୁ) ସମେତ ଅନେକ ଆଂଚଳିକ ରାଜନୈତିକ ଦଳର ନେତୃବର୍ଗ କଂଗ୍ରେସକୁ ନେଇ ଏକ ବିକଳ୍ପ ବିରୋଧୀ ମେଂଟ ଗଠନର ଆହ୍ୱାନ ଦେଲେଣି । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଦ୍ୱିପାକ୍ଷିକ ହେଲେ ବିଜେପିକୁ ପରାଜିତ କରିବା ସମ୍ଭବ ଥିବା ସେମାନେ ବିଚାର କରୁଛନ୍ତି ।
ବିଜେପି ଦେଶର ଚିନ୍ତାଧାରାକୁ ‘ହିନ୍ଦୁ-ଭାରତ’ ଓ ‘ହିନ୍ଦୀ-ଭାଷୀ’ ଭାରତ ମଧ୍ୟରେ ସୀମିତ କରି ଦେଲାଣି । ତେଣୁ, ଦେଶରେ ବିଜେପିର ବିକଳ୍ପର ଆବଶ୍ୟକତା ରହିଛି । ତାହା ନହେବା ଦୁଃଖଦାୟକ ହେବ । ବିଜେପି ବାହାରକୁ ସୁଦୃଢ ଓ ଶକ୍ତିଶାଳୀ ଦିଶୁଥିଲେ ମଧ୍ୟ ଭିତରେ କିଛି ଦୁର୍ବଳତା ରହିଛି । ତେଣୁ, ବିରୋଧୀ ରାଜନୈତିକ ଦଳମାନେ ୨୦୨୪ ନିର୍ବାଚନରେ ବିଜେପିକୁ ପରାଜିତ କରିବାକୁ ବାସ୍ତବରେ ଯଦି ଆଗ୍ରହୀ ତେବେ ସେମାନେ ଏକାଠି ବସି ଆଲୋଚନା କରି ପାରିବେ ବୋଲି ସେ ଭାବୁଛନ୍ତି । ମମତା ବାନାର୍ଜୀ ଦେଶର ଭବିଷ୍ୟତ ପ୍ରଧାନମନ୍ତ୍ରୀ ବୋଲି ସେ ଭାବୁଛନ୍ତି କି (?) ବୋଲି ପ୍ରଶ୍ନର ଉତ୍ତରରେ ସେନ୍ କହିଛନ୍ତି, ମମତା ପ୍ରଧାନମନ୍ତ୍ରୀ ହେବା ଯୋଗ୍ୟତା ରଖନ୍ତି । ତେବେ, ସେ ବିଜେପି ବିରୋଧୀ ଶକ୍ତିଙ୍କୁ ସଂଗଠିତ କରି ନେତୃତ୍ୱ ଦେବା ସହ ରାଜନୈତିକ ମତଭେଦର ପରିସମାପ୍ତି ଘଟାଇବାରେ ସକ୍ଷମ ବୋଲି ଏଯାବତ୍ ପ୍ରଦର୍ଶନ କରିପାରି ନାହାନ୍ତି ।
୨୦୧୯ ସାଧାରଣ ନିର୍ବାଚନ ସମୟରେ ମମତାଙ୍କ ତୃଣମୂଳ କଂଗ୍ରେସ ପାର୍ଟି, ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରବାବୁ ନାଇଡୁଙ୍କ ତେଲେଂଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ), ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ଏକ ଫେଡେରାଲ ଫ୍ରଂଟ୍ ଗଠନ କରିଥିଲେ । ସେହି ବର୍ଷ ଜାନୁଆରୀରେ କୋଲକାତାରେ ଟିଏମସି ପକ୍ଷରୁ ଆୟୋଜନ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ନେତାଙ୍କ ବୈଠକରେ କର୍ଣ୍ଣାଟକର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ତଥା ଜେଡ଼ିଏସ୍ ନେତା ଏଚ.ଡି.କୁମାରସ୍ୱାମୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡା, ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ, ଡିଏମକେ ନେତା ଏମ.କେ.ଷ୍ଟାଲିନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନ୍ୟାସନାଲ୍ କନଫରେନ୍ସ (ଏନସି) ନେତା ଫରୁକ ଅବଦୁଲ୍ଲା ଓ ଓମର ଅବଦୁଲ୍ଲା ଏବଂ ଅରୁଣାଚଳ ପ୍ରଦେଶର ଜିଓଂଗ ଅପାଂଗ ପ୍ରମୁଖ ଯୋଗ ଦେଇ ବିରୋଧୀ ଏକତା ଆଲୋଚନାକୁ ଆଗେଇ ନେଇଥିଲେ । ଦେଶରେ କଂଗ୍ରେସର ସ୍ଥିତି ଏତେଦୂର ଦୁର୍ବଳ ହେଲାଣି ଯେ ୨୦୨୪ ନିର୍ବାଚନରେ କଂଗ୍ରେସ ଏକାକୀ ବିଜେପିର ବିକଳ୍ପ ଭାବେ ନିର୍ବାଚନ ଲଢି ଜିତିବା ସମ୍ଭବ ନୁହେଁ । ତେଣୁ, ଆଂଚଳିକ ଦଳମାନେ ଦେଶରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ମେଂଟ ଗଠନ କଥାକୁ ଗ୍ରହଣ କରିପାରୁ ନାହାନ୍ତି । ତଥାପି, କଂଗ୍ରେସ ହେଉଛି ଏକମାତ୍ର ରାଜନୈତକି ଦଳ ଯିଏକି ବିରୋଧୀ ମେଂଟକୁ ସର୍ବଭାରତୀୟ ମାନ୍ୟତା ଦେବାରେ ସକ୍ଷମ ହେବ, ଯାହାକି ଅନ୍ୟ କୌଣସି ରାଜନୈତିକ ଦଳ ଦେଇ ପାରିବେ ନାହିଁ ବୋଲି ସେନ୍ କହିଛନ୍ତି । ତେବେ, କଂଗ୍ରେସରେ ମଧ୍ୟ ବିଭେଦ ରହିଥିବା ସେନ୍ କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୫୪୩ ଲୋକସଭା ଆସନରୁ ୩୦୩ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ମାତ୍ର ୫୨ଟି ଆସନ ମିଳିଥିଲା । ଅବଶ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ବିଭିନ୍ନ କାରଣରୁ ଜନଅସନ୍ତୋଷ ଥିଲା ଏବଂ ବିରୋଧୀ ସେଥିରୁ ଫାଇଦା ପାଇବା ଆଶା ରଖି ଥିଲେ । ତେବେ, ନିର୍ବାଚନ ପ୍ରଚାର ଅଭିଯାନ ଚାଲିଥିବା ସମୟରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଭାରତୀୟ ଯବାନଙ୍କ ଉପରେ ପାକ୍ ପ୍ରୟୋଜିତ ଆତଙ୍କବାଦୀ ଆକ୍ରମଣ ହୋଇ ୪୦ରୁ ଅଧିକ ଯବାନଙ୍କ ମୃତ୍ୟୁ ଘଟିବା ଏବଂ ଏହି ଅକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ପାକିସ୍ତାନର ବାଲକୋଟରେ ‘ଏୟାର୍ ଷ୍ଟ୍ରାଇକ୍’ କରାଯାଇ ଆତଙ୍କବାଦୀଙ୍କୁ ନିପାତ କରାଯିବା ୨୦୧୯ ନିର୍ବାଚନକୁ ସଂପୂର୍ଣ୍ଣ ପ୍ରଭାବିତ କରିଥିଲା । ବିଜେପି ରାଷ୍ଟ୍ରବାଦ ନାମରେ ନିର୍ବାଚନ ଲଢି ବିପୁଳ ଜନସମର୍ଥନ ଗୋଟାଇ ଥିଲା । କିନ୍ତୁ, ୨୦୨୪ ନିର୍ବାଚନରେ ବିଜେପି ଏକପାଖିଆ ନିର୍ବାଚନ ଜିତିବା ଭଳି ଅବସ୍ଥା ନାହିଁ ।
ଯଦି ବିଜେପି ଲୋକସଭା ନିର୍ବାଚନରେ ୨୦୧୯ ତୁଳନାରେ ୫୦ କମ୍ ଆସନ ପାଏ ଓ ବିରୋଧୀଙ୍କ ଖାତାକୁ ସେସବୁ ଆସନ ଯାଏ ତେବେ ଗଣିତ ବଦଳି ଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଥିରୁଭୁନାଥପୁରମ ସାଂସଦ ଶଶି ଥରୁର ଶୁକ୍ରବାର ଦିନ କେଝିକୋଡେଠାରେ ଆୟୋଜିତ କେରଳ ସାହିତ୍ୟ ଉତ୍ସବରେ ଉଦବୋଧନ ଦେଇ କହିଛନ୍ତି । ଥରୁରୁ କହିଛନ୍ତି, ଗତ ଆଠ ବର୍ଷ ମଧ୍ୟରେ ବିଜେପି କେବଳ ନିର୍ବାଚନ ବିଜୟ ଦେଖିନି, ଅନେକ ରାଜ୍ୟରେ ପରାଜୟ ମଧ୍ୟ ଦେଖିଛି । ତେଣୁ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ସମ୍ଭବ ନୁହେଁ ବୋଲି କହିବା ଠିକ୍ ନୁହେଁ । ଅଣ-ବିଜେପି ଶାସିତ ରାଜ୍ୟରୁ ବିଜେପି କେତେ ସଂଖ୍ୟକ ଲୋକସଭା ଆସନ ପାଇବ ତାହା ଉପରେ ଗଣିତ ନିର୍ଭର କରୁଛି । ଆଉ କଂଗ୍ରେସରେ ବଂଶବାଦ କଥା ଯେଉଁମାନେ କହୁଛନ୍ତି, ସେମାନେ ଅନ୍ୟ ରାଜନୈତିକ ଦଳଙ୍କୁ ମଧ୍ୟ ଦେଖନ୍ତୁ ବୋଲି ଥରୁର କହିବା ସହ ଅଖିଳେଶ ଯାଦବ (ୟୁପି), ତେଜସ୍ୱୀ ଯାଦବ (ବିହାର), ଏମ.କେ.ଷ୍ଟାଲିନ (ତାମିଲନାଡୁ), ମହାରାଷ୍ଟ୍ରର ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଓ ପୁତୁରା ଅଜିତ ପାୱାରଙ୍କ ଉଦାହରଣ ଦେଇଛନ୍ତି । ବିଜେପି ମଧ୍ୟ ବଂଶବାଦରୁ ଉଦ୍ଧ୍ୱର୍ରେ ନଥିବା ସେ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS