ବକ୍ସିଂ ଚାଂପିଅନ୍ ମେରି କୋମ୍ ଯୌନ ଉତ୍ପିଡନ ଅଭିଯୋଗର ତଦନ୍ତ କରିବେ


ପ୍ରସାଦ ରାଓ
ଜାନୁଆରୀ ୨୩/୨୩
ଦେଶର କିଛି ଷ୍ଟାର୍ କୁସ୍ତି କ୍ରୀଡାବିତ୍ ଭାରତୀୟ କୁସ୍ତି ମହାସଂଘ ବା ରେସଲର୍ସ ଫେଡେରେସନ ଅଫ୍ ଇଣ୍ଡିଆ (ଡବ୍ଲୁ୍ୟଏଫଆଇ) ସଭାପତି ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପିଡନ ଅଭିଯୋଗ ଆଣି ତାଙ୍କ ବରଖାସ୍ତ ଦାବିରେ ତିନି ଦିନ ଦିଲ୍ଲୀର ଯନ୍ତର ମନ୍ତ୍ରରରେ ଧାରଣାରେ ବସିବା ଘଟଣା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ରହିଛି । ଏଭଳି ଏକ ଗୁରୁତର ଅଭିଯୋଗ ବିଶ୍ୱରେ ଦେଶର ଛବିକୁ ମଧ୍ୟ ମଳିନ କରିଛି । ବ୍ରିଜ ଭୂଷଣ ସରଣ ସିଂହ ହେଉଛନ୍ତି ଛଅ ଥରର ସାଂସଦ । ତାଙ୍କ ବିରୋଧରେ ଖେଳାଳୀମାନେ ଗୁରୁତର ଯୌନ ଉତ୍ପିଡନ ଅଭିଯୋଗ ଆଣି ଦିଲ୍ଲୀର ରାଜରାସ୍ତାରେ ଧାରଣା ଦେବା ପରେ ମଧ୍ୟ ସିଂହ ନିଜ ପଦବୀରୁ ନହଟି ଓଲଟା ଧାରଣା ଦେଇଥିବା ରେସଲରମାନଙ୍କୁ ନିନ୍ଦିତ କରିବା ଉଦ୍ୟମ କରିଛନ୍ତି । ବିଶ୍ୱସ୍ତରରେ ତାଙ୍କ ପତିଆରା ବଢୁଥିବାରୁ ତାଙ୍କୁ ନିନ୍ଦିତ କରିବା ପାଇଁ ଏକ ଷଡଯନ୍ତ୍ର ହୋଇଛି ଏବଂ ସେ ତାହାର ଶିକାର ହୋଇଛନ୍ତି ବୋଲି ସିଂହ ଦାବି କରୁଛନ୍ତି । କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର ବିଳମ୍ବିତ ରାତିରେ ଧାରଣାରତ କୁସ୍ତି ଖେଳାଳୀଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ ଯାହାକି ଶନିବାର ଭୋର ପର୍ଯ୍ୟନ୍ତ ଚାଲି ଥିଲା । ତେବେ, ଧାରଣାରେ ବସି ଥିବା ରେସଲରମାନେ ଫେଡେରେସନ୍ ସଭାପତି ସିଂହଙ୍କ ବହିଷ୍କାର, ଫେଡେରେସନର ପରିଚାଳନା ପରିଷଦ ଭଂଗ ଏବଂ ନୂତନ କମିଟି ଗଠନ କରାଯାଇ ଫେଡେରେସନର ପରିଚାଳନା ଭାର ନ୍ୟସ୍ତ କରାଯିବା ଦାବିରେ ଅଟଳ ରହିବାରୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଶନିବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବ୍ରିଜ୍ ଭୂଷଣଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପିଡନ ଏବଂ ଖେଳାଳୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗର ତଦନ୍ତ ପାଇଁ ପୂର୍ବତନ ବକ୍ସିଂ ବିଶ୍ୱ ଚାଂପିଅନ ମେରୀ କୋମଙ୍କ ନେତୃତ୍ୱରେ ଏକ ଓଭରସାଇଟ୍ କମିଟି ଗଠନ କରାଯାଇଥିବା କେନ୍ଦ୍ର କ୍ରୀଡା ମନ୍ତ୍ରୀ ଠାକୁର ଆଜି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ବିଜେପି ସାଂସଦ ବ୍ରିଜ୍ ଭୂଷଣଙ୍କ ସରକାର ଫେଡେରେସନ୍ ସଭାପତି ପଦରୁ ଅବ୍ୟାହତି ଦେବା ବଦଳରେ ଓଭରସାଇଟ୍ କମିଟିକୁ ଚାରି ସପ୍ତାହ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ସରକାରଙ୍କ ହସ୍ତଗତ ନହେବା ପର୍ଯ୍ୟନ୍ତ ଡବ୍ଲୁ୍ୟଏଫଆଇ ସଭାପିତ ସିଂହ ମହାସଂଘ କାର୍ଯ୍ୟକଳାପରୁ ଦୂରେଇ ରହିବେ ବୋଲି କୁହାଯାଇଛି । ସାମୟିକ ଭାବେ ଓଭରସାଇଟ୍ କମିଟି ଫେଡେରେସନର କାର୍ଯ୍ୟ ତଦାରଖ କରିବାକୁ ମଧ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଓଭରସାଇଟ୍ କମିଟିରେ ବକ୍ସିଂ ଚାଂପିଅନ୍ ମେରୀ କୋମଙ୍କ ସହ ଅଲିଂପିକ୍ ମେଡାଲ ବିଜେତା ରେସଲର୍ ଯୋଗେଶ୍ୱର ଦତ୍ତ, ପୂର୍ବତନ ବ୍ୟାଡମିଂଟନ ଖେଳାଳୀ ତଥା ମିଶନ ଅଲିଂପିକ୍ ସେଲ୍ ସଭ୍ୟା ତୃପ୍ତି ମୁରୁଗୁଣ୍ଡେ, ଟାର୍ଗେଟ୍ ଅଲିଂପିକ୍ ପୋଡିଅମ୍ ସ୍କିମର ପୂର୍ବତନ ସିଇଓ ରାଜେଶ ରାଜଗୋପାଳନ ଓ ପୂର୍ବତନ ସାଇ (ଏସଏଆଇ) କାର୍ଯ୍ୟନିର୍ବାହୀ ନିର୍ଦେଶକ (ଟିମ୍) ରାଧିକା ଶ୍ରୀମନ୍ ସଦସ୍ୟ ଅଛନ୍ତି । ଏହି କମିଟର୍କୁସ୍ତି ଖେଳାଳୀଙ୍କୁ ଯୌନ ଉତ୍ପିଡନ, ନିର୍ଯ୍ୟାତନା, ଅଯଥା ହସ୍ତକ୍ଷେପ, ଫେଡେରେସନରେ ଆର୍ଥିକ ଅନିୟମିତତା ଓ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗର ତଦନ୍ତ କରିବେ । ସାମୟିକ ଭାବେ ଫେଡେରେସନର ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟର ପରିଚାଳନା କରିବେ ଏବଂ ଚାରି ସପ୍ତାହ ମଧ୍ୟରେ ତଦନ୍ତ ସାରି କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ନିକଟରେ ରିପୋର୍ଟ ଦାଖଲ କରିବେ ବୋଲି ଟର୍ମସ୍ ଅଫ୍ ରେଫରେନ୍ସ ରଖା ଯାଇଛି । ଅପରପକ୍ଷରେ, କ୍ରୀଡା ମନ୍ତ୍ରଣାଳୟ ଡବ୍ଲୁ୍ୟଏଫଆଇ ସଭାପତି ସିଂହଙ୍କ ସପକ୍ଷରେ ଶୁକ୍ରବାର ହରିୟାଣାର ଗୋଣ୍ଡାଠାରେ ମନ୍ତବ୍ୟ ରଖି ଥିବା ଫେଡେରେସନର ସହକାରୀ ସଂପାଦକ ବିନୋଦ ତୋମାରଙ୍କୁ ଶନିବାର ବରଖାସ୍ତ କରି ଧାରଣାର ନେତୃତ୍ୱ ନେଇ ଆସୁଥିବା ବିଶ୍ୱ ରିସଲିଂ ତାରକା ଭିନେଶ ଫେଗୋଟ, ବଜରଂଗ ପୁନିଆ, ସାକ୍ଷୀ ମଲ୍ଲିକ, ରବି ଦହିଆ, ଦୀପକ ପୁନିଆ ପ୍ରମୁଖଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । କ୍ରୀଡା ମନ୍ତ୍ରୀ ଠାକୁରଙ୍କ ପଦକ୍ଷେପ ପରେ ଶନିବାର ଧାରଣା ପ୍ରତ୍ୟାହାର ହୋଇଛି । ତଥାପି, ବ୍ରିଜ୍ ଭୂଷଣ ଡବ୍ଲୁ୍ୟଏଫଆଇ ସଭାପତି ପଦରୁ ଇସ୍ତଫା ନଦେଇ ତାଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପିଡନ ଅଭିଯୋଗ ରାଜନୀତି ଦ୍ୱାରା ପ୍ରେରିତ କହି ରେସଲରମାନଙ୍କ ଅଭିଯୋଗକୁ ଗୌଣ କରିବାକୁ ଉଦ୍ୟମ କରିଛନ୍ତି । ସେମାନେ ସିଂହଙ୍କ ବିରୋଧରେ ମୁହଁ ଖୋଲିଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ଭିନେଶ ଫୋଗୋଟଙ୍କ ଭଳି ଚାପିଅନ୍ ରେସଲରମାନେ ଚେତାବନୀ ଦେଇଥିବା ବେଳେ ସିଂହ କହିଛନ୍ତି, ସେ ମୁହଁ ଖୋଲିଲେ ସୁନାମୀ ଆସି ଯିବ । କେନ୍ଦ୍ର ସରକାର ବିଜେପି ସାଂସଦ ତଥା ଡବ୍ଲୁ୍ୟଏଫଆଇ ସଭାପତି ବ୍ରିଜ୍ ଭୂଷଣ ସରଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାରେ ବିଳମ୍ବ କରିଥିଲେ ମଧ୍ୟ ଇଣ୍ଡିଆନ ଅଲିଂପିକ୍ସ ଆସୋସିଏସନ୍ (ଆଇଓଏ) ଚାଂପିଅନ୍ କୁସ୍ତି ଖେଳାଳୀଙ୍କ ଯୌନ ଉତ୍ପିଡନ ଅଭିଯୋଗ ପାଇବା ପରେ ଶୁକ୍ରବାର ଏକ ସାତ ଜଣିଆ ତଦନ୍ତ କମିଟି ଗଠନ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଇ ଥିଲେ । ନୂତନ ଭାବେ ଆଇଓଏ ସଭାପତି ଦାୟିତ୍ୱ ନେଇଥିବା ଦେଶର ପୂର୍ବତନ ଧାବିକା ଚାଂପିଅନ୍ ପିଟି ଉଷା ଆଇଓଏର ଆଥେଲେଟସ୍ କମିଶନ୍ ଅଧ୍ୟକ୍ଷ ର୍ଥିବା ମେରୀ କୋମଙ୍କୁ ଯୌନ ଉତ୍ପିଡନ ଅଭିଯୋଗର ତଦନ୍ତ ଦାୟିତ୍ୱ ଦେଇଛନ୍ତି । ମେରୀ କୋମଙ୍କ ସହ ଆଇଓଏ ଯୁଗ୍ମ ସଂପାଦକ ଅଳକାନନ୍ଦା ଅଶୋକ, ଯୋଗେଶ୍ୱର ଦତ୍ତ, ଡୋଲା ବାନାର୍ଜୀ, ଆଇଓଏ କୋଷାଧ୍ୟକ୍ଷ ସହଦେବ ଯାଦବ ଏବଂ ଜଣେ ମହିଳା ଓ ଜଣେ ପୁରୁଷ ଆଇନଜୀବୀଙ୍କୁ ନେଇ ଆଇଓଏର ଏହି ସାତ ଜଣିଆ କମିଟି ଗଠନ ହୋଇଛି । ଶୁକ୍ରବାର ଆଇଓଏର ଏମର୍ଜେନ୍ସି କାଉନସିଲ୍ ବୈଠକ ହୋଇ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ସେଥିରେ ଆନ୍ତର୍ଜାତିକ ଅଲିଂପିକ କମିଟିର ଆଥେଲେଟ୍ସ କମିଶନ ସଦସ୍ୟ ଅଲିଂପିଆନ ଅଭିନବ ବିନ୍ଦ୍ରା ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ଯେଉଁ କୁସ୍ତି ଖେଳାଳୀମାନେ ଯୌନ ଉତ୍ପିଡନର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ସେମାନଙ୍କୁ କମିଟି ନାମଗୋପନ ରଖିବା ସର୍ତ୍ତରେ ଭୋଟିବ ଓ ଡବ୍ଲୁ୍ୟଏଫଆଇ ସଭାପତି ସିଂହଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବ ବୋଲି ସୂଚନା ମିଳିଛି । ସିଂହ ଶାସକ ଦଳର ସାଂସଦ ଅଛନ୍ତି ଏବଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁ୍ୟଏଫଆଇ) ସଭାପତି ଭାବେ ତାଙ୍କର ବିଶେଷ ପ୍ରତିପତ୍ତି ରହିଛି । ବିଶ୍ୱସ୍ତରର କୁସ୍ତି ଖେଳାଳୀମାନେ ସିଂହଙ୍କ ବିରୋଧରେ ଯୌନ ଉତ୍ପିଡନ ଅଭିଯୋଗ ଆଣି ଏକାଧିକ ଦିନ ଧାରଣାରେ ବସିବା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା ଏବଂ ସମାଧାନର ରାସ୍ତା ଖୋଜିଲା । ପ୍ରତିପତ୍ତି ନଥିବା ଖେଳାଳୀ ଏକାଭଳି ଅଭିଯୋଗ କରିଥିଲେ କ୍ରୀଡା ମନ୍ତ୍ରଣାଳୟ କିଭଳି ପ୍ରତିକ୍ରିୟା ବ୍ୟକ୍ତ କରିଥା’ନ୍ତା, ତାହା ବଡ ପ୍ରଶ୍ନ ହୋଇଛି । ସରକାର ଯୌନ ଉତ୍ପିଡନ ଅଭିଯୋଗର ତଦନ୍ତ ନସରିବା ପର୍ଯ୍ୟନ୍ତ ସିଂହଙ୍କୁ ଫେଡେରେସନର ଦୈନନ୍ଦିନ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାଙ୍କୁ ଫେଡେରେସନରୁ ହଟାଇ ନାହାନ୍ତି । ସେ ଶାସକ ବିଜେପିର ସାଂସଦ ଭାବେ ଅଭିଯୋଗକାରୀଙ୍କ ଉପରେ ଚାପ ପକାଇ ତଦନ୍ତକୁ ତାଙ୍କ ସପକ୍ଷରେ ନେବାକୁ ଉଦ୍ୟମ କରି ପାରନ୍ତି ବୋଲି ଅନେକ ଆଶଙ୍କା ବ୍ୟକ୍ତ କରୁଛନ୍ତି । ସରକାର ପ୍ରଥମେ ସିଂହଙ୍କୁ ବିଜେପିରୁ ନିଲମ୍ବିତ କରି ଓ ଫେଡେରେସନ ସଭାପତି ପଦରୁ ହଟାଇ ଯୌନ ଉତ୍ପିଡନ ମାମଲାର ତଦନ୍ତ କରାଇ ଥିଲେ ବୋଧହୁଏ ପୀଡିତ କୁସ୍ତି ଖେଳାଳୀମାନେ ସାହସର ସହ ମୁହଁ ଖୋଲିବା ଅଧିକ ସହଜ ହୋଇଥା’ନ୍ତା ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS