ହାଇପ୍ରୋଫାଇଲ୍ ହତ୍ୟା, ଅନ୍ଧାରରେ ବାଡି ବୁଲାଉଛି କ୍ରାଇମ ବାଂଚ୍ !


ପ୍ରସାଦ ରାଓ
ଭୁବନେଶ୍ୱର
ଜାନୁଆରୀ ୩୧/୨୩
ପଦ୍ମପୁର ବିଧାନସଭା ଉପ ନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତିରେ ଥିଲେ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଥିଲେ । ତେବେ, ରବିବାର (୨୯ ତାରିଖ) ଦିନ ରାଜ୍ୟରେ ଘଟିଥିବା ହାଇପ୍ରୋଫାଇଲ୍ ହତ୍ୟା ସରକାରଙ୍କ ନିଦ ହଜାଇ ଦେଇଛି । ବିଜେଡ଼ିର ବରିଷ୍ଠ ମନ୍ତ୍ରୀ ନବ କିଶୋର ଦାସଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ପଏଂଟ୍ ବ୍ଲାଙ୍କ୍ ରେଂଜରୁ ଗୁଳି କରି ହତ୍ୟା କରାଯାଇଛି । ତାହା ପୁଣି ଜଣେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ଦ୍ୱାରା । ମୁଖ୍ୟମନ୍ତ୍ରୀ ରାଜ୍ୟ ଗୃହ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ବେଳେ ଜଣେ ପୁଲିସ କର୍ମଚାରୀ ତାଙ୍କରି ଜଣେ ଖାସ୍ ମନ୍ତ୍ରୀଙ୍କୁ ହତ୍ୟା କରିବାର କାରଣ କଣ ହୋଇପାରେ ? ତିନି ଦିନ ହେଲା ରାଜ୍ୟ ପୁଲିସ ଓ କ୍ରାଇମ ବାଂଚ୍ ଏହି ପ୍ରଶ୍ନର ଉତ୍ତର ପାଇବାକୁ ଅନ୍ଧାରରେ ବାଡି ବୁଲାଉ ଥିବା ବେଳେ ବିରୋଧୀ ସରକାରଙ୍କୁ ଘେରିବାର ବଡ ସୁଯୋଗ ପାଇଛନ୍ତି । ହତ୍ୟାକାରୀ ପୁଲିସ ବିରୋଧରେ ରାଜ୍ୟ ସରକାରଙ୍କ ପୁଲିସର ତଦନ୍ତ କେତେ ନିରପେକ୍ଷ ହେବ (?) ବୋଲି ପ୍ରଶ୍ନ ଉଠାଇ ସେମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଶେଷକରି, ଦୁଇ ଦିନ ହେଲା ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ସରକାରଙ୍କ ନିକଟରେ ଏହି ଦାବି ରଖିବା ସହ ରାଜ୍ୟରେ ପୁଲିସର ଗୁଇନ୍ଦା ବ୍ୟବସ୍ଥା ଭୁଶୁଡି ପଡିଥିବା ଅଭିଯୋଗ କରିଛି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହି ହତ୍ୟା ଘଟଣା ପରେ ପରେ ତାହାର ତଦନ୍ତ ଦାୟିତ୍ୱ ଓଡ଼ିଶା କ୍ରାଇମ୍ ବ୍ରାଂଚ ହାତରେ ନ୍ୟସ୍ତ କରିବା ସହ ଅନ୍ୟ ବିରୋଧୀଙ୍କ ଦାବି ମୁତାବକ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତି ବା ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତର ତଦାରଖ କରିବାକୁ ମାନ୍ୟବର ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ମଧ୍ୟ ବିରୋଧୀଙ୍କ ଆଡୁ ତାତି କମି ନାହିଁ । ଜଣେ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେଲେ ମଧ୍ୟ ଓଡ଼ିଶା ପୁଲିସ ହିଁ ତଦନ୍ତ କରିବେ । ତେଣୁ, ତାହା ନିରପେକ୍ଷ ହେବା ନେଇ ସନ୍ଦେହ ରହିଛି ବୋଲି ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପିର ବିଧାୟକ ଜୟନାରାୟଣ ମିଶ୍ର ବିବୃତି ରଖିଛନ୍ତି ଏବଂ ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ସରକାର ସୁପାରିଶ କରିବାକୁ ଦାବି ଦୋହରାଇଛନ୍ତି । ବିରୋଧୀଙ୍କ ଦାବି ରାଜ୍ୟ ସରକାରଙ୍କୁ ରକ୍ଷଣାତ୍ମକ ସ୍ଥିତିରେ ପକାଇଛି । ଆଗେ ବିଚାର ବିଭାଗର ତଦାରଖରେ କ୍ରାଇମ ବ୍ରାଂଚ୍ ତଦନ୍ତ ସରୁ, ଫଳାଫଳ ଆସିବା ପରେ ବିରୋଧୀ ସେମାନଙ୍କ କଥା ରଖିବେ ବୋଲି ଶାସକ ଦଳ ଯୁକ୍ତି ବାଢିଛି ସିନା ରବିବାର ଘଟଣାରେ ସରକାରୀ ଦଳର ନେତା ଓ ମନ୍ତ୍ରୀମାନେ ଆତଙ୍କିତ ହୋଇ ରହିଥିବା ସରକାରଙ୍କ ଅଡୁଆ ବଢାଇଛି ।
ନୟାଗଡ ପରୀ ହତ୍ୟା ମାମଲା ତଦନ୍ତ କରି ଖୁବ କମ୍ ଦିନରେ ହତ୍ୟାକାରୀକୁ ଚିହ୍ନଟ କରିଥିବା (ବିରୋଧୀ ସେଥିରେ ସନ୍ତୁଷ୍ଟ ନଥିଲେ) ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା (ବର୍ତ୍ତମାନ ରାଜ୍ୟ କ୍ରାଇମ୍ ବ୍ରାଂଚ୍ ଏଡିଜି ଅଛନ୍ତି) ମନ୍ତ୍ରୀ ନବ ଦାସ ହତ୍ୟାର ତଦନ୍ତ ଦାୟିତ୍ୱରେ ଅଛନ୍ତି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀ ଛକରେ ରବିବାର ମଧ୍ୟାହ୍ନରେ ଏହି ହତ୍ୟା ଘଟଣା ଘଟି ଥିବାରୁ ବୋଥ୍ରା ପ୍ରତ୍ୟକ୍ଷ ଭାବେ ନିଜ ଟିମ୍ ସହ ସେହି ଦିନ ବିଳମ୍ବିତ ସନ୍ଧ୍ୟାରୁ ଘଟଣାର ତଦନ୍ତ କରୁଛନ୍ତି । ଫୋରେନ୍ସିକ୍ ଟିମ୍ ସହାୟତାରେ ତଦନ୍ତ ଚାଲିଛି । ମନ୍ତ୍ରୀଙ୍କୁ କ୍ଲୋଜ୍ ରେଂଜରୁ ଗୁଳି କରି ହତ୍ୟା କରିଥିବା ବ୍ରଜରାଜନଗର ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ସେହି ଦିନ ଘଟଣା ସ୍ଥଳରୁ କାବୁ କରାଯାଇ ସୁନ୍ଦରଗଡରେ ରଖି ଜେରା କରାଯାଉଥିଲା । ବୋଥ୍ରା ନିଜେ ତାଙ୍କୁ ଜେରା କରିଛନ୍ତି । ମନ୍ତ୍ରୀଙ୍କ ସେ ହତ୍ୟା କରିଛନ୍ତି ବୋଲି ଗୋପାଳ କ୍ରାଇମ ବ୍ରାଂଚ୍ ନିକଟରେ ସ୍ୱୀକାର କରିଥିବା କହୁଥିଲେ ମଧ୍ୟ ହତ୍ୟାର ମୋଟିଭ୍ ବା ଉଦ୍ଦେଶ୍ୟ କଣ – ତାହା ଉଗାଳି ପାରି ନାହିଁ । ଗୋପାଳ ଦାସଙ୍କୁ ସରକାର ଚାକିରୀରୁ ହଟାଇ ଦେଇଛନ୍ତି । ଗତକାଲି ତାଙ୍କୁ ଗିରଫ କରାଯାଇଥିବା ଦେଖାଇବା ପରେ ଆଜି ଝାରସୁଗୁଡା ଅଣାଯାଇ ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଛି ।
ପୁଲିସ ତାଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଜି କ୍ରାଇମ ବ୍ରାଂଚର ଗୋଟିଏ ଟିମ୍ ଗଂଜାମ ଜିଲ୍ଲାର ଜଳେଶ୍ୱରଖଣ୍ଡିରେ ପହଂଚି ଗୋପାଳଙ୍କ ପତ୍ନୀ, ପରିବାରର ଅନ୍ୟ ସଦସ୍ୟ ଓ ବନ୍ଧୁବାନ୍ଧବଙ୍କୁ ଜେରା କରୁଥିବା ଜଣାପଡିଛି । ଗୋପାଳ ବ୍ରଜରାଜନଗରରେ ରହୁଥିବା ବେଳେ ତାଙ୍କ ପତ୍ନୀ ଓ ପରିବାର ବ୍ରହ୍ମପୁର ଆଂକୁଲି ଶିଳ୍ପାଂଚଳରେ ରହନ୍ତି । ଜଳେଶ୍ୱରଖଣ୍ଡି ହେଉଛି ଗୋପାଳଙ୍କ ପୈତୃକ ଗ୍ରାମ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ତଦନ୍ତ ଜୋରଦାର ହେବା ପରେ ଗୋପାଳଙକ ପତ୍ନୀ ପୁଅ, ଝିଅଙ୍କ ସହ ଜଳେଶ୍ୱରଖଣ୍ଡି ପଳାଇଛନ୍ତି । କ୍ରାଇମ ବ୍ରାଂଚ୍ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ଗତକାଲି ସେ ବ୍ରହ୍ମପୁରରେ ଗଣମାଧ୍ୟମକୁ କହିଥିଲେ । ଆଜି ସେମାନଙ୍କୁ ଜେରା ଚାଲିଛି । ଗୋପାଳଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା ଓ ସେ ବ୍ରହ୍ମପୁର ବଡ ମେଡିକାଲର ଜଣେ ମାନସିକ ଚିକିତ୍ସା ବିଶେଷଜ୍ଞଙ୍କ ନିକଟରେ ଚିକିତ୍ସିତ ହୋଇଥିଲେ ବୋଲି ଗୋପାଳଙ୍କ ସ୍ତ୍ରୀ ସୂଚନା ଦେବା ପରେ ପୁଲିସ ସେହି ଦିଗରେ ମଧ୍ୟ ତଦନ୍ତ କରୁଛନ୍ତି । ସଂପୃକ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ କ୍ରାଇମ ବ୍ରାଂଚ୍ ତଦନ୍ତ ପରିସରଭୁକ୍ତ କରିଥିବା ଜଣାପଡିଛି ।
ରବିବାର ମଧ୍ୟାହ୍ନରେ ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀ ଛକରେ ହତ୍ୟା କରାଯାଇଥିବା ବେଳେ ହତ୍ୟା ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ସେଦିନ ସେହି ଛକରେ ମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ଥିଲେ । ପୁଲିସ ବିଭାଗ ପକ୍ଷରୁ ଗତ ମାସରେ ତାଙ୍କୁ ଇସ୍ୟୁ କରାଯାଇଥିବା ସରକାରୀ ପିସ୍ତଲରେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ଗୋପାଳଙ୍କ ବଡ ଭାଇ ମାସେ ତଳେ ସେହି ଗାନ୍ଧୀ ଛକରେ ଘର ଭଡା ନେଇ ଏକ ହୋଟେଲ ଖୋଲି ଥିଲେ । ହୋଟେଲରେ କାମ କରୁଥିବା ଚାରି ଜଣ କର୍ମଚାରୀ ବ୍ରହ୍ମପୁର ଅଂଚଳର । ଗୋପାଳ ପ୍ରତି ଦିନ ଏକାଧିକ ଥର ସେହି ହୋଟେଲକୁ ଯାଇ ଭାଇଙ୍କ ସହ କଥାବାର୍ତ୍ତା ହେଉଥିଲେ । ଭାଇ ମଧ୍ୟ ତାଙ୍କ (ଗୋପାଳଙ୍କ) ସରକାରୀ କ୍ୱାଟରରେ ରହୁଥିଲେ । ଦରମା ମିଳିଲେ ହୋଟେଲ ଘର ଭଡା ବାବଦ ଛଅ ହଜାର ଟଙ୍କା ଘର ମାଲିକଙ୍କୁ ଦେବେ ବୋଲି ଗୋପାଳ ପ୍ରତିଶ୍ରୁତି ଦେଇଥିଲେ ବୋଲି ଆଜି କ୍ରାଇମ ବ୍ରାଂଚ ଜେରା ପରେ ଘର ମାଲିକ ସେଠାକାର ଗଣମାଧ୍ୟମକୁ କହିଛନ୍ତି । ହତ୍ୟା ଦିନ ସକାଳୁ ହୋଟେଲ ବନ୍ଦ ରହିଛି । ଗୋପାଳଙ୍କୁ ଭରସା କରି ଘର ମାଲିକ ଘରଭଡା ବାବଦ ଅଗ୍ରୀମ ରଖି ନଥିଲେ ବୋଲି କହିଛନ୍ତି ।
ତେବେ, ଗୋପାଳଙ୍କ ବ୍ୟବହାର ଅତି ଉତ୍ତମ ଥିଲା, ସମସ୍ତଙ୍କ ସହ ସେ ମିଳାମିଶା କରିବା ସହ ଭଲ ବ୍ୟବହାର କରୁଥିଲେ ବୋଲି ତାଙ୍କ ସଂପର୍କରେ ଆସିଥିବା ଲୋକମାନ କହୁଥିବା ବେଳେ ଗୋପାଳଙ୍କ ପତ୍ନୀ ଗୋପଳ ମାନସିକ ରୋଗୀ ଥିଲେ ବୋଲି କହୁଥିବା ତଦନ୍ତକୁ ବିଭ୍ରାନ୍ତ କରିବାକୁ ଉଦ୍ଦିଷ୍ଟ ନୁହେଁ ତ ? ବିଭିନ୍ନ ମହଲରେ ଏଭଳି ପ୍ରଶ୍ନ ହେଉଛି । ଗୋପାଳଙ୍କ ସର୍ଭିସ ରେକର୍ଡରେ ମଧ୍ୟ ମାନସିକ ରୋଗ କଥା ଉଲ୍ଳେଖ ନାହିଁ । ଦୀର୍ଘ ବର୍ଷର ଚାକିରୀରେ ସେ ଭଲ ପ୍ରଦର୍ଶନ ପାଇଁ ଏକାଧିକ ମେଡାଲ ଜିତିଛନ୍ତି ଓ ପଦୋନ୍ନତି ମଧ୍ୟ ପାଇଛନ୍ତି । ପୁଲିସ ବିଭାଗ ଉଚ୍ଚ ଅଧିକାରୀମାନେ ଗୋପାଳ ଜଣେ ମାନସିକ ରୋଗୀ ଥିଲେ ବୋଲି କେମିତି ସୁରାକ ପାଇ ନଥିଲେ ଏବଂ ମାସେ ତଳେ ତାଙ୍କୁ କେଉଁଥିପାଇଁ ସରକାରୀ ପିସ୍ତଲ ଇସ୍ୟୁ କରାଯାଇଥିଲା ବୋଲି ବିରୋଧୀ ପ୍ରଶ୍ନ କରିବା ସହ ଏହି ହତ୍ୟାକାଣ୍ଡ ପଛରେ ବଡ ଧରଣର ଷଡଯନ୍ତ୍ର ଥିବା ସନ୍ଦେହ କରୁଛନ୍ତି । ରାଜନୈତିକ ବା ବ୍ୟବସାୟିକ କାରଣରୁ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ସେମାନେ ଆଶଙ୍କା କରୁଛନ୍ତି । ତେଣୁ, ସିବିଆଇ ତଦନ୍ତ ଦାବି ଜୋର ଧରିଛି ।
ହତ୍ୟାକାଣ୍ଡର ତିନି ଦିନ ବିତି ଥିଲେ ସୁଦ୍ଧା କ୍ରାଇମ ବ୍ରାଂଚ୍ ଏହା ପଛରେ ଥିବା ମୋଟିଭ୍ ବା ଉଦ୍ଦେଶ୍ୟକୁ ଠଉରାଇପାରୁନି । ସଂପୂର୍ଣ୍ଣ ଘଟଣାକୁ ନେଇ ରାଜ୍ୟ ପୁଲିସ ମୁଖ୍ୟ ବା ଡିଜିପି ସୁନିଲ ବଂଶଲଙ୍କ ନିରବତାକୁ ମଧ୍ୟ ବିରୋଧୀ ପ୍ରଶ୍ନ କରୁଥିଲେ । ତେବେ, ଡିଜିପି ବଂଶଲ ସୋମବାର ଗଣମାଧ୍ୟମରେ ବିବୃତି ରଖି ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ କଣ ତୃଟି ଥିଲା ତାହାର ସମୀକ୍ଷା କରାଯିବ ବୋଲି କହିଛନ୍ତି । ପୁଲିସ ଏଏସଆଇ ଗୋପାଳ ଦାସ ସେଦିନ ମନ୍ତ୍ରୀଙ୍କ ଯିବା ରାସ୍ତାରେ ଟ୍ରାଫିକ୍ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ସେ ତାଙ୍କ ମୂଳ ଦାୟିତ୍ୱ ଛାଡି ମନ୍ତ୍ରୀ ଅତି ନିକଟତର ହେବା ଓ ସୁଯୋଗ ପାଇଁ ମାତ୍ର ପାଂଚ ମିଟର ଦୂରରୁ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇବା ଯୋଜନାବଦ୍ଧ ଥିଲା ବୋଲି ସୁରକ୍ଷା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ଗୁଳି ମନ୍ତ୍ରୀଙ୍କ ଛାତିରେ ଗଳି ପଛ ପଟୁ ବାହାରି ଯାଇଥିଲା । ଫଳରେ, ହୃଦୟ ଓ ଫୁସଫୁସ ଗଭୀର କ୍ଷତି ହୋଇ ପ୍ରଚୁର ରକ୍ତସ୍ରାବ କାରଣରୁ ମନ୍ତ୍ରୀଙ୍କ ମୃତ୍ୟୁ ଘଟିଛି ବୋଲି ଭୁବନେଶ୍ୱର ଆପାଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଥିବାରୁ ଗୁଳି ଚଳାଇ ଥିବା ଗୋପାଳ ଯୋଜନାବଦ୍ଧ ଭାବେ ଏହା ଘଟାଇଛନ୍ତି ଏବଂ ନିଜ ଲକ୍ଷ୍ୟଭେଦ ଦକ୍ଷତା ସାବ୍ୟସ୍ତ କରିଛନ୍ତି ବୋଲି ସେମାନେ କହିଛନ୍ତି । ଗୁଳିକାଣ୍ଡ ସମୟରେ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ (ପିଏସଓ) କେଉଁଠି ଥିଲେ ଓ କଣ କରୁଥିଲେ (?) ତାହା ମଧ୍ୟ ପ୍ରଶ୍ନବାଚୀ ହୋଇଛି ।
ଓଡ଼ିଶା କ୍ରାଇମ ବ୍ରାଂଚ୍ ସବୁ ଦିଗରୁ ହତ୍ୟାର ତଦନ୍ତ କରୁଥିବାରୁ ଅତିଶୀଘ୍ର ହତ୍ୟାର କାରଣ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ରାଜ୍ୟ ସରକାର ବିଚଳିତ ହେବାର କାରଣ ହେଉଛି, ବିଜେଡ଼ି ଶାସନରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି, କେହି ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ବୋଲି ବିରୋଧୀ ବାରମ୍ବାର ଯେଉଁ ଅଭିଯୋଗ କରି ଆସୁଛନ୍ତି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ତାହା ସତ୍ୟ ସାବ୍ୟସ୍ତ ହୋଇଛି । ମନ୍ତ୍ରୀ ଅନେକ ସମ୍ଭାବନାକୁ ସାଂଗରେ ନେଇ ସେଦିନ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇଥିଲେ । ଶନିଦେବଙ୍କ ଆଶୀର୍ବାଦ ଆଣି ଥିବାରୁ ଏଭଳି କିଛି ଘଟିବା ନେଇ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । କିନ୍ତୁ, ବ୍ରଜରାଜନଗର ଗାନ୍ଧୀ ଛକରେ ମୃତ୍ୟୁ ତାଙ୍କୁ ଛକି ରହିଥିଲା । ମନ୍ତ୍ରୀ ସମର୍ଥକଙ୍କଠାରୁ ଫୁଲମାଳ ନେବାକୁ ଗାଡିରୁ ଓହ୍ଲାଉ ଥିବା ସମୟରେ ଗୋପାଳଙ୍କ ଗୁଳି ତାଙ୍କ ଛାତି ଭେଦି ଥିଲା । କିଛି ଘଂଟା ବ୍ୟବଧାନରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ମନ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଘୋଷଣା ହୋଇଥିଲା ।
ଗତ ୨୨ ବର୍ଷର ବିଜେଡ଼ି ଶାସନରେ ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଜଣେ ପୁଲିସ କର୍ମଚାରୀ ଗୁଳି କରି ହତ୍ୟା କରିବା ଏହା ପ୍ରଥମ ଘଟଣା । ତେବେ, ପୂର୍ବରୁ ମଧ୍ୟ କିଛି ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଚର୍ଚ୍ଚାକୁ ଆସିଛି । ୨୦୧୧ ସେପ୍ଟେମ୍ବର ୨୫ ତାରିଖରେ ତତ୍କାଳୀନ ଉମରକୋଟ (ନବରଂଗପୁର ଜିଲ୍ଲା) ବିଧାୟକ ଜଗବନ୍ଧୁ ମାଝି ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋନା ଗ୍ରାମରେ ଜମିପଟ୍ଟା ବାଂଟୁଥିବା ବେଳେ ତିନି ଜଣ ଦୁର୍ବୁତ୍ତ ତାଙ୍କୁ ପଏଂଟ୍ ବ୍ଲାଙ୍କ ରେଂଜରୁ ଟାର୍ଗେଟ୍ କରି ଥିଲେ । ଗୁଳିମାଡରେ ବିଧାୟକ ମାଝୀ ଓ ତାଙ୍କ ପିଏସଓଙ୍କ ମୃତ୍ୟୁ ଘଟିଥିଲା । ୨୦୧୪ ଫେବୃୟାରୀ ୨୧ ତାରିଖରେ ପୁରୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଦୁଇ ବର୍ଷ ତଳେ ମଧ୍ୟ ସେ ଅକ୍ରମଶର ସମ୍ମୁଖୀନ ହୋଇଥିଲେ । ଭାଗ୍ୟବଶତଃ ସେ ବଂଚି ଯାଇଛନ୍ତି । ୨୦୦୯ ଅକ୍ଟୋବର ୧୩ ତାରିଖରେ ବରିଷ୍ଠ ବିଜେଡ଼ି ନେତା ସୁଦାମ ମାରାଣ୍ଡିଙ୍କ ଉପରେ ମାଓବାଦୀଙ୍କ ଆକ୍ରମଣ ହୋଇଥିଲା । ମାରାଣ୍ଡି ସେହି ସମୟରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚ (ଜେଏମଏମ) ନେତା ଥିଲେ । ଏହି ଆକ୍ରମଣରେ ମାରାଣ୍ଡି ବର୍ତ୍ତି ଯାଇଥିଲେ ମଧ୍ୟ ତିନି ଜଣ ଯବାନ ପ୍ରାଣ ହରାଇ ଥିଲେ ।
୨୦୦୭ ଫେବୃୟାରୀ ୨୬ ତାରିଖରେ କିଛି ଦୁର୍ବୁତ୍ତ ପୂର୍ବତନ ଚଂପୁଆ ବିଧାୟକ (କଂଗ୍ରେସ) ଧନୁର୍ଜୟ ମାଝିଙ୍କ ଉପରେ ଗୁଳି ମାଡ କରିଥିଲେ । ତେବେ, ସେ ଅଳ୍ପକେ ବତ୍ତି ଯାଇଥିଲେ । ୨୦୧୩ ଡିସେମ୍ବର ୧୫ ତାରିଖରେ ବତ୍ ର୍ତମାନର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସ୍ୱାମୀ ବିଜେଡ଼ି ନେତା ଅଭିମନ୍ୟୁ ସାହୁଙ୍କୁ ଟିଟିଲାଗଡର ବନ୍ଧୁପାଳ ନିକଟରେ ହତ୍ୟା କରାଯାଇଥିଲା । ସେସବୁ ଘଟଣା ସେହି ସମୟରେ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଥିଲା । ତେବେ, ଗଲା ରବିବାର ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଜଣେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀ ଅତି ନିକଟରୁ ନିଜ ସର୍ଭିସ ରିଭଲବରରୁ ଗୁଳି କରି ହତ୍ୟା କରିବା ରାଜ୍ୟ ସରକାରଙ୍କୁ ସ୍ତବ୍ଧ କରି ଦେଇଛି । ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଘଟିଥିବା ଏହି ଅଭାବନୀୟ ଘଟଣାର ସ୍ୱର ସଂସଦରେ ଶୁଭିବା ନିଶ୍ଚିତ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS