ପଲିଟିକାଲ୍ ଡ଼ାଏରୀ – ଓଡ଼ିଶା: ଲମ୍ବା ଳଢେଇ ପାଇଁ ମଇଦାନ ପ୍ରସ୍ତୁତ
ଗ୍ରୀଷ୍ମ ଋତୁରେ ଓଡ଼ିଶାର ବିଭିନ୍ନ ସହରରେ ପାନୀୟ ଜଳ ସଂକଟ ଗୁରୁତର ହୁଏ । ଏହା ଜଣାଶୁଣା କଥା । ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ବା ଉପକୂଳ ଓଡ଼ିଶା – କେହି ବାଦ୍ ପଡନ୍ତି ନାହିଁ ଏହି ସଂକଟରୁ । ମହାନଦୀ, ଋଷିକୂଲ୍ୟା, ବଂଶଧାରା ସମେତ ଓଡ଼ିଶାରେ ପ୍ରବାହିତ ବିଭିନ୍ନ ନଦୀ ବର୍ଷା ଋତୁରେ ମାତ୍ରାଧିକ ବର୍ଷା ହେଲେ ବନ୍ୟାର ତାଣ୍ଡବ ସୃଷ୍ଟି କରିଥାଏ । ପରିସ୍ଥିତିର ମୁକାବିଲାରେ ସରକାର ନାକେଦମ୍ ହୋଇ ଥା’ନ୍ତି । ଗ୍ରୀଷ୍ମ ଋତୁରେ ନଦୀଗୁଡ଼ିକ ଶୁଖି ବାଲି ହିଁ ଦିଶେ । ନଦୀ କୂଳ ବାସିନ୍ଦା ବାଲିରେ ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଥିବା ବେଳେ ଅନ୍ୟାନ୍ୟ ଅଂଚଳରେ ମହିଳା ମାନେ ଦୂରଦୂରାନ୍ତକୁ ଯାଇ ମାଠିଆରେ ପିଇବା ଓ ଖାଇବା ପାଇଁ ପାଣି ସଂଗ୍ରହ କରୁଥିବା ଦୃଶ୍ୟ ଓଡ଼ିଶାରେ କିଛି ନୂଆ ନୁହେଁ । ବର୍ଷା ଦିନରେ ନଦୀରେ ପାଣି ଉଚ୍ଛୁଳି ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିବା ସହ ସମୁଦ୍ରକୁ ବହି ଯାଉଥିବା ଦେଖି ବି ଆମେ ନାଚାର । କାରଣ, ବଳକା ଜଳକୁ ଗଚ୍ଛିତ ରଖି ଚାଷ କାର୍ଯ୍ୟ ଓ ପାନୀୟ ଜଳ ଆକାରରେ ତାହାର ବିନିଯୋଗ କରିବା ସକାଶେ ସେଭଳି କିଛି ବଡ ପ୍ରକଳ୍ପ ଗଲା ୧୭ ବର୍ଷ ଭିତରେ ହୋଇ ନାହିଁ । ଦେଶରେ ବ୍ରିଟିଶ ଶାସନ ସମୟରେ ଋଷିକୂଲ୍ୟା ବୃହତ ଜଳସେଚନ ପ୍ରକଳ୍ପ ଭଳି କିଛି ବଡ ପ୍ରକଳ୍ପ ରାଜ୍ୟରେ ହୋଇଥିଲା । ଏବେ ସେସବୁ ପୋତି ହୋଇ ଜଳଧାରଣ କ୍ଷମତା କମି ଗଲାଣି । ସରକାର କେବଳ ପୁନଃରୁଦ୍ଧାର କାର୍ଯ୍ୟ ନା’ରେ କୋଟି କୋଟି ଟଙ୍କା କରୁଛନ୍ତି । ନୂଆ ପ୍ରକଳ୍ପ କିଛି ନାହିଁ । ରାଜ୍ୟରେ କଂଗ୍ରେସ ଶାସନ ଅମଳରେ ଜଳ ସେଚନ ସୁବିଧା ବୃଦ୍ଧି ସକାଶେ କିଛି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଳା ବା ଶୁଭ ଦିଆ ଯାଇଥିଲା । ବିଜେଡ଼ି ସରକାର ଅମଳରେ ସେମିତି କିଛି ହୋଇ ନାହିଁ । ‘ପିନେ କେ ଲିଏ ପାନି, କ୍ଷେତ୍ କେ ଲିଏ ପାନି’ ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦୦୦ ମସିହାର ପ୍ରଥମ ନିର୍ବାଚନୀ ସ୍ଲୋଗାନ । ଆଜି ବି ତାହା ଗୁଂଜରିତ ହେଉଛି । ବାସ୍ତବତା ଠାରୁ ବହୁ ଦୂରରେ । ରାଜ୍ୟର ସେଚ ସୁବଧା ୪୫ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଥିଲେ । ମୁଖ୍ୟମନ୍ତ୍ରୀ ଏହି ବିଭାଗ ନିଜ ଦାୟିତ୍ୱରେ ରଖିଛନ୍ତି । ୧୭ ବର୍ଷରେ ଅତି ବେଶୀରେ ୨୫ରୁ ୩୦ ପ୍ରତିଶତ ଜମିକୁ ସେଚ ସୁବିଧା ମିଳୁଛି । ବଳକା ଜମି ବର୍ଷା ଉପରେ ନିର୍ଭର କରୁଛି । ବିଭିନ୍ନ ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପଟୁ ମାଟିରେ ପୋତି ହୋଇ ଜଳ ଧାରଣ କ୍ଷମତା କମି କମି ଯାଉଥିବା ବେଳେ ସେଗୁଡ଼ିକର ପୁନଃରୁଦ୍ଧାର ପାଇଁ ଖର୍ଚ ହେଉଥିବା କୋଟି କୋଟି ଟଙ୍କାର ହିସାବ ନାହିଁ । ଏଭଳି ସ୍ଥିତିରେ ମହାନଦୀକୁ ନେଇ ଏକ ଲମ୍ବା ଲଢେଇ ପାଇଁ ରାଜ୍ୟ ସରକାର ଅଂଟା ଭିଡିବା ବିରୋଧୀଙ୍କୁ ସମାଲୋଚନାର ଖୋରାକ ଯୋଗାଇଛି । ଛତିଶଗଡ଼ ସରକାର ମହାନଦୀକୁ ନିଜର ସଂପତ୍ତି ବୋଲି ଦାବୀ କରି ନିଜ ସ୍ୱାର୍ଥରେ ନଦୀ ଜଳକୁ ବ୍ୟବହାର କରିବା ସକାଶେ ଉପର ମୁଣ୍ଡରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁ ଥିବା ବେଳେ ଆନ୍ଧ୍ର ସରକାର ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ବଂଶଧାରା ନଦୀ ଜଳଧାରାକୁ ନିଜ ସୁବିଧା ଅନୁସାରେ ମୋଡି ପୋଲାଭରମ ଭଳି ବିବଦମାନ ପ୍ରକଳ୍ପ ନିର୍ମାଣରେ ଲାଗିଛନ୍ତି । କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଏହି କାର୍ଯ୍ୟ ଚାଲିଛି । ଓଡ଼ିଶା ସରକାର ବହୁ ବିଳମ୍ବରେ ଏହାର ପ୍ରତିବାଦ କରି କୋର୍ଟ କଚେରୀର ଆଶ୍ରୟ ନେଇଛନ୍ତି ସତ, କିନ୍ତୁ ନିର୍ମାଣ କାର୍ଯ୍ୟକୁ ରୋକି ପାରି ନାହାନ୍ତି । ଓଡ଼ିଶାର ସ୍ୱାର୍ଥକୁ ନେଇ ସରକାର କେତେ ସଚେତନ, ତାହା ଏଥିରୁ ଜଣାପଡୁଛି । ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ମହାନଦୀ ବିଜେଡ଼ିର ରାଜନୈତିକ ଅସ୍ତ୍ର ଥିଲା । ଏବେ ବି ତାହା ରହିଛି । ମହାନଦୀ ଓଡ଼ିଶାର ନୁହଁ କହି ଛତିଶଗଡ଼ ବିଜେପି ସରକାର ଏକ ମୁହାଁମୁହିଁ ଅବସ୍ଥା ସୃଷ୍ଟି କରିଛନ୍ତି । ରାଜ୍ୟ ସରକାର ଓଡ଼ିଶାକୁ ମିଳୁ ଥିବା ମହାନଦୀ ପାଣି କମି କମି ଯାଉ ଥିବା ଅଭିଯୋଗ କରି ଏହା ଦ୍ୱାରା ଅଧିକ ପ୍ରଭାବିତ ହେଉଥିବା ପଶ୍ଚିମ ଓଡ଼ିଶାରୁ ଜନ ଆନେ୍ଦାଳନ ଗଢି ତୋଳିବାକୁ ଯୋଜନା କରିଥିଲେ । ଜଣେ ଗଂଜାମୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱ ଦେଇ ଥିଲେ । ତେବେ, ପଂଚାୟତ ନିର୍ବାଚନରେ ବିଜେଡ଼ି ପଶ୍ଚିମ ଓଡ଼ିଶାରୁ ହିଁ ସବୁଠୁ ବଡ ଝଟ୍କା ଖାଇଲା । ପଶ୍ଚିମ ଓଡ଼ିଶାରୁ ଆନେ୍ଦାଳନର ସୂତ୍ର୍ରପାତ କରିବା ଦାୟିତ୍ୱ ନେଇ ଥିବା ନେତା ଜଣକ ପୁରସ୍କୃତ ହେଲେ ଦକ୍ଷିଣ ଓଡ଼ିଶା କୋଟାରେ ରାଜ୍ୟ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ପଦ ପାଇ । ମହାନଦୀ ଇସ୍ୟୁ ମଝିରେ ଟିକିଏ ଧିମେଇ ଗଲା ସିନା ଏବେ ପୁଣି ଜୋର୍ ଧରିଛି । ଛତିଶିଗଡ଼ି ମନ୍ତ୍ରୀମାନେ ରହି ରହି ଚେଙ୍କ ମାରିଲେ ଓଡ଼ିଶା ନେତା ଡେଉଁଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏହା ଚାଲିବ । ଏକ ଲମ୍ବା ଲଢେଇ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ହୋଇ ସାରିଥିବା କାର୍ଯ୍ୟକଳାପରୁ ସ୍ପଷ୍ଟ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS