ପଲିଟିକାଲ୍ ଡ଼ାଏରୀ – ଓଡ଼ିଶା : ଦଳିତ ବନାମ ଦଳିତି..
ଯିଏ ଯାହା କହିଲେ ବି ଭାରତ ଭଳି ଏକ ବିବିଧତା ସଂପନ୍ନ ଦେଶରେ ଜାତି, ଭାଷା, ଧର୍ମ ଓ ସଂସ୍କୃତିକୁ ଛାଡି ରାଜନୀତି କଥା ଚିନ୍ତା କରାଯାଇ ପାରେନି, ଏହା ସ୍ପଷ୍ଟ ହୋଇଛି ବର୍ତମାନ ଚାଲି ଥିବା ଜାତି ଭିତ୍ତିକ ରାଜନୀତିରୁ । ‘ବିକାଶ’ କଥା କହିଲେ କାନକୁ ଭଲ ଲାଗେ । କିନ୍ତୁ ‘ବିକାା’ ନା’ରେ ବେଶୀ ଦିନ ରାଜନୀତି କରି ହୁଏ ନାହିଁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ବର୍ଷ ଶାସନ କାଳରେ ଲୋକଙ୍କ ନାଡି ଚିପି ଏ କଥା ଉପଲବ୍ଧୀ କରି ସାରିଛନ୍ତି । ତେଣୁ, ୨୦୧୭ରେ ନିଜର ଚାଲ୍ ବଦଳାଇଛନ୍ତି । ‘ସବ୍କା ସାଥ୍, ସବ୍କା ବିକାଶ’ କାର୍ଯକ୍ରମ ଲୋକ ସମ୍ମୁଖରେ ରଖି ସେ ୨୦୧୪ରେ କ୍ଷମତାକୁ ଆସିଥିଲେ । ଦେଶରେ ଆଉ ଜାତି, ଧର୍ମକୁ ନେଇ ରାଜନୀତି ଚଳିବ ନାହିଁ ବୋଲି ମୋଦୀ ସେତେବେଳେ ତାଙ୍କ ଭାଷଣରେ କହିଥିଲେ । ବିକାଶ କଥା କହିଥିବା ପ୍ରଧାନମନ୍ତ୍ରୀଙ୍କ ତିନି ବର୍ଷ ଶାସନର ଉପଲବ୍ଧୀ ମଧ୍ୟରେ ରହିଛି, ଗ୍ରାମାଂଚଳ ଗରୀବ ଲୋକଙ୍କୁ ବ୍ୟାଙ୍କ ସେବା ସହ ଯୋଡିବା, ଜିରୋ ବାଲାନ୍ସ ଆକାଉଂଟ୍ ଖୋଲାଇ ସରକାର ବିଭିନ୍ନ ଯୋଜନା ବାବଦରେ ଦେଉଥିବା ସବୁସିଡ଼ି ବ୍ୟାଙ୍କ୍ ଆକାଉଂଟ୍ ମାଧ୍ୟମରେ ସେମାନଙ୍କ ପାଖରେ ପହଂଚାଇବା, ଉଜ୍ଜଳା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗରୀବ ପରିବାରର ଘରେ ଜାଳେଣି କାଠ ଓ ଘସି ବଦଳରେ ରନ୍ଧନ ଗ୍ୟାସ୍ର ବ୍ୟବହାରକୁ ଉପଲବ୍ଧ କରାଇବା ପ୍ରଭୃତି । ମୋଦୀଙ୍କ ବିମୁଦ୍ରାକରଣ ପଦକ୍ଷେପକୁ ବିରୋଧୀ ସମାଲୋଚନା କଲେ ସିନା, ଦେଶବାସୀ ତାହାକୁ ସକାରାତ୍ମକ ଭାବେ ଗ୍ରହଣ କରିଥିବା ବିଭିନ୍ନ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ଏସବୁ ସତ୍ୱେ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ୨୦୧୭ରେ ‘ବିକାଶ’ ଛାଡି ରାଷ୍ଟ୍ରପତି ନିର୍ବାଚନରେ ‘ଦଳିତ କାର୍ଡ’ ଖେଳିବା ସମସ୍ତଙ୍କୁ ଚକିତ କରିଛି । ସମସ୍ତେ ଆଶା କରିଥିଲେ, ମୋଦୀ ଓ ଶାହା ଜଣେ କେହି ବିକାଶ ପୁରୁଷ ବା ନାରୀଙ୍କୁ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରି ବିଜେପି ପ୍ରତି ଏକ ସକାରାତ୍ମକ ଭାବ ସୃଷ୍ଟି କରିବେ । ତେବେ, ତାହା ନ କରି ‘ଦଳିତ’ ରାଜନୀତିକୁ ପ୍ରୋତ୍ସାହନ ଦେବା ସମସ୍ତଙ୍କୁ ଚକିତ କରିଛି । ଦଳିତ ଓ ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ ନ କଲେ ଦେଶରେ ଅଧିକ ଦିନ ରାଜନୀତି କରିବା ସମ୍ଭବ ନୁହେଁ, ତାହା ବିଜେପି ସ୍ୱୀକାର କରୁଥିବା ରାଷ୍ଟ୍ରପତି ପ୍ରାର୍ଥୀ ଚୟନରୁ ଜଣାପଡୁଛି । ବିଜେପିର ବରିଷ୍ଠ ନେତା ଏଲ.କେ. ଆଡଭାନୀ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପାରନ୍ତି ବୋଲି ପ୍ର୍ରଥମେ ଆଶା କରାଯାଉ ଥିଲା । ତେବେ, ବାବରି ମସଜିଦ ଭଙ୍ଗା ମାମଲାରେ ତାଙ୍କୁ ଏମିତି ଛନ୍ଦି ଦିଆଗଲା ଯେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଦୁଆର ବନ୍ଦ ହୋଇ ଗଲା । ସୁଷମା ସ୍ୱରାଜ, ସ୍ୱମୀନାଥନ, ଭେଙ୍କାୟା ପ୍ରମୁଖଙ୍କୁ ନେଇ କିଛି ଦିନ ରୁଟି ସେକା ହେଲା ସିନା ମୋଦୀ-ଶାହାଙ୍କ ସିନ୍ଦୁକରୁ ବାହାରିଲା ରାମନାଥ କୋବିନ୍ଦ କାର୍ଡ । କୋବିନ୍ଦ ସେତେଟା ପରିଚିତ ନା’ ନୁହେଁ । ତେବେ, ସେ ଜଣେ ବରିଷ୍ଠ ଓକିଲ । ୟୁପିର କାନପୁରରେ ଜନ୍ମ । ୨୦୧୫ରେ ବିହାର ରାଜ୍ୟପାଳ ଦାୟିତ୍ୱ ନେଇ ସଫଳତାର ସହ ତୁଲାଇଛନ୍ତି । ସେ ଦଳିତ ଶ୍ରେଣୀର । ବିଜେପି ସରକାର ଦଳିତ ବିରୋଧୀ ବୋଲି ଯେଉଁ ଛାପ ରହିଛି ତାହା ଧୋଇବା ସହ ବିରୋଧୀଙ୍କୁ ଝଟ୍କା ଦେବା ମୋଦୀ-ଶାହାଙ୍କ ଚାଲ୍ । ତେଣୁ, କୋବିନ୍ଦଙ୍କୁ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଗଲା । ସେ ତୁରନ୍ତ ବିହାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ୨୩ ତାରିଖ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତଶ କୁମାର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଏସପି ନେତ୍ରୀ ମାୟାବତୀ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନାସ୍ୱାମୀ ଓ ଏଆଇଏଡ଼ିଏମକେର ପନିର ସେଲଭମ୍ ଗୋଷ୍ଠୀ ସମେତ ସମସ୍ତ ଏନଡ଼ିଏ ଅଂଶୀଦାରମାନେ କୋବିନ୍ଦଙ୍କ ପ୍ରାର୍ଥୀତ୍ୱକୁ ତୁରନ୍ତ ସମର୍ଥନ ଜଣାଇ ଥିଲେ । ପରେ, ବିଏସପି ମୀରା କୁମାରଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇଛି । ଦଳିତଙ୍କ ଭୋଟ ହାତ ଛଡା ନ କରିବାକୁ ଚାହୁଁ ଥିବା ନେତାମାନେ ବିରୋଧୀ ଗୋଷ୍ଠୀର ପ୍ରାର୍ଥୀ ଘୋଷରା ପୂର୍ବରୁ ମୋଦୀ-ଶାହାଙ୍କୁ ସନ୍ତୁଷ୍ଟ କରିବାରେ ଯେଉଁ ବ୍ୟସ୍ତତା ଦେଖାଇଲେ, ତାହା ସନେ୍ଦହର କାରଣ ହୋଇଛି । ମହାରାଷ୍ଟ୍ରର ଶିବ ସେନା ପ୍ରଥମେ ଆଡଭାନୀଙ୍କ ସପକ୍ଷରେ ଯୁକ୍ତି ବାଢି କୋବିନ୍ଦଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇ ନ ଥିଲା । ପରେ କିନ୍ତୁ ଉଦ୍ଧବ ଠାକରେ ମୋଦୀ-ଶାହାଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇଲେ । ସେ ବିଜେପିକୁ ଅଡ଼ୁଆରେ ପକାଇବାକୁ ଚାହୁଁ ନ ଥିବାରୁ କୋବିନ୍ଦଙ୍କ ପ୍ରତି ସମର୍ଥନ ଜଣାଇଲେ ବୋଲି ଉଦ୍ଧବ ସଫେଇ ଦେଇଛନ୍ତି । ବିଳମ୍ବର ହେଲେ ବି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଂଟ ବିଜେପିକୁ ଝଟକା ଦେଲା ଭଳି ଦଳିତ ନେତ୍ରୀ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାରଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା ନୂଆଦିଲ୍ଲୀରେ ବୈଠକ ହୋଇ ମୀରାଙ୍କ ସଂପର୍କରେ ନିଷ୍ପତ୍ତି ନିଆ ଯାଇଥିଲା । ବାମ ଦଳ ଓ ଆରଜେଡ଼ି ମେତ ୧୭ ବିରୋଧୀ ଦଳଙ୍କ ପ୍ରାର୍ଥୀ ହୋଇଛନ୍ତି ମୀରା । ପ୍ରାର୍ଥୀ ଘୋଷଣା ପୂର୍ବରୁ ସୋନିଆ ଗାନ୍ଧୀ ମୀରାଙ୍କୁ ଭେଟି ଆଲୋଚନା କରିଥିଲେ । ମୀରା ଜଣେ ପୂର୍ବତନ କୂଟନିତିଜ୍ଞ (ଭାରତୀୟ ବିଦେଶ ସେବା) ଏବଂ ଆଇନଜୀବୀ । ତାଙ୍କ ପିତା ସ୍ୱର୍ଗତ ଜଗଜ୍ଜୀବନ ରାମ ଜଣେ ବରିଷ୍ଠ କଂଗ୍ରେସ ନେତା ଏବଂ ଦେଶର ଉପ ପ୍ରଧାନମନ୍ତ୍ରୀ ଥିଲେ । ଜଣେ ପ୍ରଭାବଶାଳୀ ଦଳିତ ନେତା ଭାବେ ତାଙ୍କ ପରିଚିତି ରହିଛି । ମୀରା ପାଂଚ ଥର ପାଲିଆମେଂଟ୍କୁ ନିର୍ବାଚିତ ହେବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମନ୍ତ୍ରୀ ପରିଷଦରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ଦାୟିତ୍ୱ ତୁଲାଇ ଥିଲେ । ଦେଶର ପ୍ରଥମ ମହିଳା ବାଚସ୍ପତି ଭାବେ ସେ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ସବୁ ଠାରୁ ବଡ଼ କଥା ହେଉଛି, ମୀରା କୁମାର ବିହାରର ଝିଅ । ଅଭିଜ୍ଞତା ଓ ଲୋକପ୍ରିୟତା ଦୃଷ୍ଟିରୁ କୋବିନ୍ଦଙ୍କ ଠାରୁ ଯଥେଷ୍ଟ ଆଗୁଆ । ତେଣୁ, କେିବନ୍ଦଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇ ସାରିଥିବା ନେତାମାନେ ମୀରାଙ୍କ ପ୍ରାର୍ଥୀତ୍ୱକୁ ନେଇ ମନ ବଦଳାଇ ପାରନ୍ତି ବୋଲି ମିଳିତ ବିରୋଧୀ ମେଂଟ ଆଶା ରଖିଛି । ମୀରା କୁମାର ବିହାରୀ କନ୍ୟା ହୋଇ ଥିବା ଦୃଷ୍ଟିରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ମନ ପରିବର୍ତନ କରିବା ଉଚିତ ବୋଲି ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପରମର୍ଶ ଦେବା ସହ ବିହାରରେ ଆରଜେଡ଼-ଜେଡ଼ିୟୁ ମେଂଟ ନ ଭାଂଗିବାକୁ ତାଙ୍କୁ ଅନୁରୋଧ କରିଛନ୍ତି । ତେବେ, ନୀତିଶ ମନ ବଦଳାଇବାକୁ ମନା କରିବା ସହ ଆଗରୁ କଂଗ୍ରେସ କାହିଁକି ମୀରାଙ୍କୁ ହତାଦର କରିଥିଲା ବୋଲି ପ୍ରଶ୍ନ କରିଛନ୍ତି । ବିଏସପି ମୁଖ୍ୟ ମାୟାବତୀ ମୀରାଙ୍କ ନାମ ଘୋଷଣା ପରେ କୋବିନ୍ଦଙ୍କ ପ୍ରତି ପୂର୍ବରୁ ଘୋଷଣା କରିଥିବା ସମର୍ଥନରେ ପରିବର୍ତନ କରିଥିବା ଏବଂ ମୀରାଙ୍କ ପ୍ରାର୍ଥତ୍ୱକୁ ନେଇ ଶରଦ ପାୱାରଙ୍କ ଆଭିମୁଖ୍ୟ ମଧ୍ୟ ବଦଳି ଥିବା ରାଜନୀତିକ ମହଲରେ ଚର୍ଚାର ବିଷୟ ହେଉଛି । ଜୁଲାଇ ୧୭ରେ ରାଷ୍ଟ୍ରପତି ପଦ ପାଇଁ ଭୋଟ ହେବାକୁ ଥିବାରୁ ମୀରାଙ୍କ ପ୍ରତି ସମର୍ଥନ ବଢି ପାରେ ବୋଲି ବିରୋଧୀ ମେଂଟ ଆଶା କରୁଛି । କିନ୍ତୁ, ବିଜେପି କହୁଛି ଏନଡ଼ିଏ ପ୍ରାର୍ଥୀଙ୍କ ସପକ୍ଷରେ ଶତକଡା ୬୩ ଭାଗ ଭୋଟ ଥିବାରୁ କୋବିନ୍ଦ ରାଷ୍ଟ୍ରପତି ହେବା ନିଶ୍ଚିତ । ଇତିମଧ୍ୟରେ, ମୀରା ପ୍ରାର୍ଥୀ ହେବା ପରେ ବିବୃତି ଦେଇ, ଦେଶର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଭୋଟଦାତାଙ୍କୁ ନିବେଦନ କରିଥିବା ଜଣାପଡିଛି ।
ଦେଶରେ ରାଷ୍ଟ୍ରପତି ନିର୍ବାଚନରେ ଥରଟିଏ ମାତ୍ର ସହମତି ଭିତ୍ତିରେ ହୋଇତିଲା । ବାକି ସବୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ହୋଇଛି । ଏହା ଗଣତନ୍ତ୍ରର ପ୍ରକୃତ ନିଦର୍ଶନ ବୋଲି କୁହାଯାଇପାରେ । ଅତୀତରେ ଅବଦୁଲ କଲାମଙ୍କ ଭଳି ବ୍ୟକ୍ତିତ୍ୱ ସ୍ୱାଧୀନତା ସଂଗ୍ରୀମୀ ଲକ୍ଷ୍ମୀ ସେହେଗାଲଙ୍କ ସହ ନିର୍ବାଚନ ଲଢିଥିବା ବେଳେ ବର୍ତମାନ ରାଷ୍ଟ୍ରପତି ଥିବା ପ୍ରଣବ ମୁଖାର୍ଜୀଙ୍କ ବିପକ୍ଷରେ ପୂର୍ବତନ ଲୋକସଭା ବାଚସ୍ପତି ପି.ଏ.ସାଂଗାମା ନିର୍ବାଚନ ଲଢି ଥିଲେ । ସଂଖ୍ୟା ଖେଳରେ ସର୍ବଦା ଶାସକ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି । ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏହାର ପୁନରାବୃତ୍ତି ଘଟିବାକୁ ଯାଉଛି । “ଦଳିତ ବନାମ ଦଳିତ’ ଲଢେଇରେ ବିରୋଧୀ ପ୍ରାର୍ଥୀ ମୀରା କୁମାର ଶାସକ ମେଂଟରେ ଯଦି କିଛି ଫାଟ ସୃଷ୍ଟି କରି ପାରିଲେ ହିଁ ଭୋଟ ଯୁଦ୍ଧ ରୋମାଂଚକର ହେବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS