ଓଡ଼ିଶାରେ କଂଗ୍ରେସ ଉପରେ ଅମିତ ଶାହାଙ୍କ ଛାଇ !


– ପ୍ରସାଦ ରାଓ –
ଭୁବନେଶ୍ୱର,୧୩ ଅଗଷ୍ଟ: ଶୁଣିବାକୁ ଅଜବ ଲାଗୁ ଥିବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତ ବିଜେଡ଼ି ପଛରେ ଲାଗିଛନ୍ତି । ଓଡ଼ିଶା କଂଗ୍ରେସରେ କେମିତି ପଡ଼ିଲା ତାଙ୍କ ଛାଇ ! କଥାଟା ସ୍ପଷ୍ଟ କରି ଦେବା ଉଚିତ ହେବ । ଅମିତ ଶାହା କେବଳ ବିଜେପି ରାଷ୍ଟ୍ରୀୟ ସଭାପତିର ପରିଚିତ ରଖି ନାହାନ୍ତି । ବିଭିନ୍ନ ଦଳକୁ ଭାଂଗି ଦେଶବ୍ୟାପୀ ପଦ୍ମର ବିସ୍ତାରଣ, ତାଙ୍କର ଅନ୍ୟତମ ପରିଚିତି ହୋଇଛି । ବିହାର ଜନତା ନିକଟରେ ଏହି କରିସ୍ମା ଦେଖିଛନ୍ତି । ଉତ୍ତର ପ୍ରଦେଶରେ କେବଳ ସମାଜବାଦୀ ପାର୍ଟି ନୁହେଁ, ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ମଧ୍ୟ ବିଭାଜନର ଦ୍ୱାରଦେଶରେ । “ମାୟାବତୀ ହଟାଓ” ଅଭିଯାନରେ ଲାଗି ପଡିଛନ୍ତି ଅତୀତରେ ତାଙ୍କ ବିଶ୍ୱସ୍ତ ଥିବା ନେତାମାନେ । ଗୁଜୁରାଟ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ଅତ୍ୟନ୍ତ ଶକ୍ତିଶାଳୀ ନେତା କୁହାଯାଉଥିବା ଅହମ୍ମଦ ପଟେଲଙ୍କୁ ଧୁଳି ଚଟାଇବା ସକାଶେ ଶାହା ଯେଉଁ ଜାଲ ବୁଣି ଥିଲେ, ଶେଷମୂହୁର୍ତରେ ତାହା ଛିଣ୍ଡି ଗଲା ସିନା, ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ନାକେଦମ୍ କରି ଦେଇଥିଲା । ତାମିଲନାଡୁରେ ଏବେ ଏଆଇଡ଼ିଏମ୍କେର ଦୁଇ ବିରୋଧୀ ଗୋଷ୍ଠୀଙ୍କୁ ଏକାଠି କରି ୟୁପିଏରେ ଥିବା ଡ଼ିଏମକେକୁ କ୍ଷମତାଠାରୁ ଦୂରେଇ ରଖିବାର ଉଦ୍ୟମ ଚାଲିଥିବା ବେଳେ କେରଳରେ କମ୍ୟୁନିଷ୍ଟ ସରକାରକୁ ନାକେଦମ୍ କରିବା ସକାଶେ ବିଜେପି ଓ ଆରଏସ୍ଏସ୍ କର୍ମୀଙ୍କ ହତ୍ୟା ଘଟଣାକୁ ଜାତୀୟ ଗଣମାଧ୍ୟମରେ ସବୁଠାରୁ ବଡ଼ ଇସ୍ୟୁ କରାଯାଇଛି । ନିକଟରେ କେନ୍ଦ୍ର ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ କେରଳ ଯାଇ ମୃତ ବିଜେପି କର୍ମୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଏଭଳି ବିଜେପି-ଆରଏସ୍ଏସ୍ ବିରୋଧୀ ହିଂସାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କେରଳ କମ୍ୟୁନିଷ୍ଟ ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି । ଅମିତ ଶାହା ନିକଟରେ କର୍ଣ୍ଣାଟକ ଗସ୍ତରେ ଯାଇଥିଲେ । ସେଠାକାର କଂଗ୍ରେସ ସରକାର ନିକଟରେ ସରି ଥିବା ରାଜ୍ୟସଭା ନିର୍ବାଚନ ସମୟରେ ଗୁଜୁରାଟ କଂଗ୍ରେସ ବିଧାୟକଙ୍କୁ ଶରଣ ଦେଇ ଅହମ୍ମଦ ପଟେଲଙ୍କୁ ସହାୟତା କରି ଥିବାରୁ ଅମିତଙ୍କ କୋପର ଶିକାର ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।
ଏସବୁ ସହିତ ଓଡ଼ିଶା କଂଗ୍ରେସର ସଂପର୍କ କଣ ବୋଲି ପ୍ରଶ୍ନ ହୋଇପାରେ । ଖୋଲାଖୋଲି କହିଲେ, ବିଜେପି ଓ ତାହାର ଅଧ୍ୟକ୍ଷ ଅମିତ ଶାହାଙ୍କ ଏହି ରଣନୀତି ଜାତୀୟ ସ୍ତରରେ କଂଗ୍ରେସ ପାଇଁ ଯେଉଁ ଚ୍ୟାଲେଂଜ ସୃଷ୍ଟି କରିଛି, ତାହାର ପ୍ରଭାବ ଓଡ଼ିଶା କଂଗ୍ରେସ ଉପରେ ମଧ୍ୟ ରହିଛି । ୨୦୧୭ ପଂଚାୟତ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସି ଗଲା । ବିଜେପିର କୌଣସି ଆଖିଦୃଶିଆ ଜନାଧାର ନ ଥାଇ ଦ୍ୱିତୀୟ ସ୍ଥାନକୁ ଉଠିବା ସହ ଓଡ଼ିଶାରେ ଶାସକ ବିଜେଡ଼ି ପାଇଁ ସିଧାସଳଖ ବିପଦ ଭାବେ ମୁଣ୍ଡ ଟେକିଛି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁକାବିଲା କରିବ କଣ, ଦଳ ଭିତରେ ଥିବା ବିଭିନ୍ନ ଗୋଷ୍ଠୀ ପରସ୍ପର ସହ ମୁକାବିଲା କରିବାରେ ସମୟ ବିତାଉଛନ୍ତି । ଅଖିଳ ଭାରତ କଂଗ୍ରେସ କମିଟୀ ଓଡ଼ିଶା କଂଗ୍ରେସକୁ ଆଡ଼ ଆଖିରେ ଚାହୁଁ ନ ଥିଲା । ନିଜ ଭିତରେ କଳି କରୁ ଥିବା ରାଜ୍ୟ କଂଗ୍ରେସ ନେତାମାନେ ଦଳ ଦଳ ହୋଇ ଦିଲ୍ଲୀ ଦରବାରକୁ ଯାଇ ଅଧିଆ ପଡୁ ଥିଲେ ବି ଏଆଇସିସି ସଭାପତି ସୋନିଆ ଗାନ୍ଧୀ ବା ଉପ ସଭାପତି ରାହୁଲ ଗାନ୍ଧୀ ସେମାନଙ୍କୁ କେବେ ଗୁରୁତ୍ୱ ଦେଇ ନ ଥିଲେ । ରାଜ୍ୟ ନେତାମାନେ କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ଦିନ ଦିନ ଧରି ଅପେକ୍ଷା କରୁଥିଲେ । ଦୈବାତ୍ ଭେଟ ହୋଇ ଗଲେ ପରସ୍ପର ବିରୋଧରେ ଫେରାଦ ହେବା ଛଡା ରାଜ୍ୟ ନେତାଙ୍କ ପାଖରେ କଥା ହେବା ପାଇଁ ଆଉ କିଛି ଇସ୍ୟୁ ରହୁ ନ ଥିଲା । କ୍ଷମତା ପାଇଁ ରାଜ୍ୟ କଂଗ୍ରେସରେ ନିମ୍ନସ୍ତରର ଲଢେଇ ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ଆଉ ଉଜ୍ୱଳ ନୁହେଁ ବୋଲି କେନ୍ଦ୍ରୀୟ ନେତୃତ୍ୱ ମନରେ ଧାରଣା ସୃଷ୍ଟି କରି ସାରିଛି । ତେଣୁ, ନେତୃତ୍ୱ ପରିବର୍ତନ ଦାବି ଉଠିବା ମାତ୍ରେ କେନ୍ଦ୍ରୀୟ ନେତୃତ୍ୱ ହାତଝାଡି ବସି ପଡୁଛନ୍ତି ।
ଜାତୀୟ ରାଜନୀତିରେ କଂଗ୍ରେସକୁ ନିଶ୍ଚିହ୍ନ କରିବା ପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହା ଅଂଟା ଭିଡି ନ ଥିଲେ ବୋଧହୁଏ ଏଆଇସିସିର ଓଡ଼ଶା ପ୍ରତି ଅବହେଳା ପୂର୍ବବତ୍ ଥାଆନ୍ତା । ୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଏବଂ ଓଡ଼ିଶାରେ ଶାସକ ବିଜେଡ଼ିକୁ ହଟାଇ କ୍ଷମତା ଦଖଲ କରିବାକୁ ବିଜେପି ଅତ୍ୟନ୍ତ ସକ୍ରୀୟ ହୋଇପଡି ଥିବାରୁ ଏଆଇସିସି ଓଡ଼ିଶା ନେତାଙ୍କ ଭିତରେ ଚାଲି ଥିବା କଳି ତୁଟାଇବା ପ୍ରୟାସ ଆରମ୍ଭ କରିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ ନେତୃତ୍ୱ ପରିବର୍ତନ ହେବ କି ନାହିଁ, ଯଦି ହେବ – କିଏ ନେତୃତ୍ୱ ନେବାକୁ ଯୋଗ୍ୟ – ତାହା ଅନୁଧ୍ୟାନ କରିବା ପାଇଁ ଏଆଇସିସି ଦ୍ୱାରା ନିଯୁକ୍ତ ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳ ଦୁଇ ଦିନ ହେଲା ରାଜଧାନୀରେ ପହଂଚି ଦଳର ଜିଲ୍ଲା ସଭାପତିଙ୍କ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ, ବିଭିନ୍ନ ଛାମୁଆ ସଂଗଠନର କାର୍ଯ୍ୟକର୍ତା ଓ ରାଜ୍ୟରେ ଦଳାୟ ସଂଗଠନ ଦାୟିତ୍ୱରେ ଥିବା କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଦଳର ସଂଗଠନ କେମିତି ସୁଦୃଢ ହେବ, ତାହା ମୁଖ୍ୟ ପ୍ରସଙ୍ଗ ଥିବା ବେଳେ ଆଲୋଚନା ହେଉଛି – କିଏ ପିସିସି ସଭାପତି ହେବ । ପ୍ରସାଦ ହରିଚନ୍ଦନ ଯଦି ହଟିବେ, ତେବେ, କିଏ ହେବ ଓଡ଼ିଶାରେ ଦଳର ମଂଗୁଆଳ? ନିରଂଜନ ନା ଭକ୍ତ ଦାସ! ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳରେ ଥିବା ଏକମାତ୍ର ଓଡ଼ିଆ ତାମ୍ରଧ୍ୱଜ ସାହୁ ଓଡ଼ିଶା କଂଗ୍ରେସ ରାଜନୀତି ସହ କେତେଦୂର ଅଭ୍ୟସ୍ତ କହି ହେଉ ନାହିଁ । ଅନ୍ୟ ଦୁଇ ଜଣ – ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଓ ଗୌରବ ଗୋଗୋଇ ଓଡ଼ିଶା ରାଜନୀତି ଠାରୁ ବହୁ ଦୂରରେ । ତେଣୁ, ସେମାନଙ୍କ ରିପୋର୍ଟ ନିରପେକ୍ଷ ହେବା ଆଶା କରାଯାଇପାରେ । ଅଭିଯୋଗ ଉଠିଛି – ଏଆଇସିସି ପଠାଇ ଥିବା ପର୍ଯବେକ୍ଷକଙ୍କ ସମ୍ମୁଖରେ ହାଜର ହେବାକୁ ଥିବା ରାଜ୍ୟ କଂଗ୍ରେସ ବିଧାୟକ ଦଳକୁ ଭାଗ ଭାଗ କରିବା ଅପପ୍ରୟାସ ହୋଇଥିଲା । କିନ୍ତୁ, ତାହା ସମ୍ଭବ ହେଲା ନାହିଁ । ଦଳର ସବୁ ବିଧାୟକ ଏକାଠି ଅଛନ୍ତି । ସିଏଲ୍ପି ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଏକାଠି ହୋଇ ଆଲୋଚନା କରିଛନ୍ତି । ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ପୁନର୍ବାର ପିସିସି ଦାୟିତ୍ୱ ଦିଆଯିବାକୁ ସେମାନେ ଦାବୀ ଉପସ୍ଥାପନ କରୁଛନ୍ତି । ନିରଞ୍ଜନଙ୍କ ପଲ୍ଲା ଭାରି ବୋଲି ମିଡ଼ିଆରେ ମଧ୍ୟ ଯୋରଦାର ପ୍ରଚାର ଚାଲିଛି ।
ସିଏଲ୍ପିରେ ଫାଟ ଉଦ୍ୟମ ଅଭିଯୋଗ ଉଦ୍ଦିଷ୍ଟ ଥିଲା ବର୍ତମାନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉଦେ୍ଦଶ୍ୟରେ । ପ୍ରସାଦ ଓ ତାଙ୍କ ଶ୍ୱଶୁର ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟଙ୍କ ବିରୋଧରେ ବର୍ଷାଧିକ ହେଲା ବିରୋଧୀଙ୍କ ଆଡୁ ଅଭିଯାନ ଚାଳିଛି । ମହାନଦୀ ଜଳ ବିବାଦ ଇସ୍ୟୁକୁ ନେଇ ରାଜ୍ୟ କଂଗ୍ରେସ ଆଡୁ ଆନେ୍ଦାଳନ ବେଳେ ସିଏଲ୍ପି ସହ ପ୍ରସାଦଙ୍କ ମନ ଫଟାଫଟି ଏବଂ ନିରଂଜନଙ୍କ କ୍ୟାମ୍ପ୍ ସହ ସିଏଲ୍ପିର ଘନିଷ୍ଟତା ଆଲୋକକୁ ଆସିଥିଲା । ୨୦୧୭ ପଂଚାୟତ ନିର୍ବାଚନ ପରେ ‘ପ୍ରସାଦ ହଟାଓ’ ଓ ‘ନିରଂଜନଙ୍କୁ ଫେରାଅ’ ଅଭିଯାନ ଯୋର ଧରିଛି, ଯାହାକି ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ତେବେ, ଏଆଇସିସି କେବଳ ନିରଂଜନ ପଟ୍ଟନାୟକଙ୍କୁ ନୁହେଁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ମଧ୍ୟ ସମ୍ଭାବ୍ୟ ପିସିସି ସଭାପତି ତାଲିକାରେ ରଖି ରାଜ୍ୟ କଂଗ୍ରେସରେ ଦ୍ୱନ୍ଦ୍ୱ ବଢାଇ ଦେଇଛି । ଓଡ଼ିଶାରେ ଦଳକୁ ନିରଂଜନ ହିଁ ସବୁ ଦୃଷ୍ଟିରୁ ସମ୍ଭାଳି ପାରିବେ – ଏହା ହେଉଛି ସିଏଲ୍ପିର ମତ । ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା କୋରାପୁଟ ଜିଲ୍ଲାର ବିଧାୟକ ତାରା ପ୍ରସାଦ ବାହିନୀପତି ନିରଂଜନ କ୍ୟାମ୍ପ୍ର ନେତୃତ୍ୱ ନେଉ ଥିବା ବେଳେ ପୁଣି ଥରେ ଦଳରେ ପଟ୍ଟନାୟକ ପରିବାରର ପ୍ରାଧାନ୍ୟ ଦେଖିବାକୁ ଚାହୁଁ ନ ଥିବା ରାଜ୍ୟର ପୁରୁଖା କଂଗ୍ରେସ ନେତାମାନେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଲଢେଇରେ ‘ବଳୀର ଛେଳି’ ଭାବେ ଆଗକୁ ଠେଲିଛନ୍ତି । ଭକ୍ତ କଳାହାଣ୍ଡିରୁ ତାଙ୍କର କଂଗ୍ରେସ ବିରୋଧୀ ରାଜନୀତି ଆରମ୍ଭ କରିଥିଲେ । ଅଶି ଦଶକରେ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳରେ ସଂଖ୍ୟାଲଘୁ ଜାତି, ଜନଜାତି ପରିବାର ଅର୍ଥାଭାବରୁ କେମିତି ‘ପିଲା ବିକ୍ରି’ କରିବାକୁ ବାଧ୍ୟ ହେଉଛନ୍ତି, ତାହା ସେ ସମଗ୍ର ଦେଶବାସୀଙ୍କ ଦୃଷ୍ଟିକୁ ଆଣି ଚଚର୍୍ାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲେ । ରାଜ୍ୟ ଓ ଜାତୀୟସ୍ତର ଗଣ ମାଧ୍ୟମଗୁଡ଼ିକ ଏହି ଖବରକୁ ଚାଂଚଲ୍ୟକର ଭାବେ ପରିବେଷଣ କରି ତକ୍ରାଳୀନ ଜାନକୀବଲ୍ଲଭ ପଟ୍ଟନାୟକ ସରକାରଙ୍କୁ ଅଡୁଆରେ ପକାଇ ଥିଲେ । ଆନ୍ତର୍ଜତିକ ସ୍ତରରେ ମଧ୍ୟ ଏହି ଖବର ଚର୍ଚ୍ଚାରେ ଥିଲା । ରାଜ୍ୟରେ କଂଗ୍ରେସ ବିରୋଧୀ ରାଜନୀତିରେ ଭକ୍ତ ହୀରୋ ପାଲଟି ଯାଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ପରବର୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭିପି ସିଂହ ଓ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ଘନିଷ୍ଟତା ତାଙ୍କୁ କେନ୍ଦ୍ରୀୟ ରାଜନୀତିକୁ ଟାଣି ନେଇ ଥିଲା । ସେ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ । ପରବର୍ତୀ ସମୟରେ ସେ କଂଗ୍ରେସ ରାଜନୀତିକୁ ଆସି ଅଲୋଡା ହୋଇ ପଡିଛନ୍ତି । ପୂବତନ ସାଂସଦ ପ୍ରଦୀପ ମାଝୀଙ୍କ ଭଳି ନୂତନ ପୀଢିର କଂଗ୍ରେସ ଯୁବ ନେତାମାନେ ଭକ୍ତଙ୍କୁ ପିସିସି ସଭାପତି କରିବାକୁ ଚାହୁଁଥିବା ଆଲୋଚନା ହେଉଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଠାରୁ ଆରମ୍ଭ କରି ଅଧିକାଂଶ ପୁରୁଖା କଂଗ୍ରେସ ନେତା ରବିବାର ଦିନ ମିଡ଼ିଆ ସମ୍ମୁଖରେ କହିଛନ୍ତି ଯେ, ନିରଂଜନ ହୁଅନ୍ତୁ ବା ଯେ କେହି ହୁଅନ୍ତୁ, ଏଆଇସିସି ଯାହାକୁ ପିସିସି ସଭାପତି କରିବ ତାଙ୍କ ସହ ଦଳର ସବୁ ନେତା ରହିବେ ଏବଂ ରାଜ୍ୟରେ ଦଳର ସଂଗଠନକୁ ସୁଦୃଢ କରିବା ସକାଶେ କାମ କରିବେ । ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଜୟଦେବଙ୍କ ଲବି ହିଁ ନିରଂଜନଙ୍କୁ ପିସିସି ସଭାପତି ପଦରୁ ହଟାଇ ରାଜ୍ୟ କଂଗ୍ରେସ ନେତୃତ୍ୱ ହାତେଇ ଥିଲା । ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଦଳର ପୁରୁଖା ନେତାମାନେ ଏବେ ଯେତେ ନିରୀହ ଭାବେ ନିଜକୁ ଉପସ୍ଥାପନ କରୁଛନ୍ତି, ସେମାନେ ସେତେ ନିରୀହ ନୁହନ୍ତି । ସମୟ, ସୁଯୋଗ ଦେଖି ପୁଣି ମୁଣ୍ଡ ଟେକିବେ । ନିରଂଜନ ହୁଅନ୍ତୁ ବା ଭକ୍ତ – ଯିଏ ବା ପିସିସି ସଭାପତି ହେବେ ଓଡ଼ିଶା କଂଗ୍ରେସକୁ ଗୋଷ୍ଠୀ କନ୍ଦଳରୁ ମୁକୁଳାଇ ପାରିବେ ନାହିଁ ।
ରହିଲା ଅମିତ ଶାହାଙ୍କ ଛାଇ କଥା । ଓଡ଼ିଶା କଂଗ୍ରେସ ,ବେ ଯେଉଁ ସ୍ଥିତିରେ ରହିଛି ଦଳକୁ ଭାଂଗିବା ଶାହାଙ୍କ ପାଇଁ ବାମ ହାତର ଖେଳ । ଏବେ ଭାରତୀୟ ରାଜନୀତିରେ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଡି ରାଜନୈତିକ ଦଳମାନଙ୍କ ଭଙ୍ଗା-ଗଢାର ମୁଖ୍ୟ କାରପଟଦାର ହୋଇଛନ୍ତି । ଜନସାଧାରଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ରହଣୀୟତା ବୃଦ୍ଧି ପାଇବା ସହ ଦେଶର ରାଜନୈତିକ ଚିତ୍ର ମଧ୍ୟ ବଦଳୁଛି । ରାଜ୍ୟର କିଛି ପୁରୁଖା କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାକୁ ଦେଖି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବାକୁ ଗୋଡ ଟେକି ବସିଛନ୍ତି । କେବଳ ଇଂଗିତ ମିଳିଲେ ହେଲା । କିଛି ମାସ ତଳେ ଜଣେ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ନେଇ ଏଭଳି ଚର୍ଚ୍ଚା ହୋଇଥିଲା । ବିଜେପି ମୁଖ୍ୟ ଅମିତ ଶାହାଙ୍କ ଗଂଜାମ ଜିଲ୍ଲା ଗସ୍ତ ବେଳେ ସଂପୃକ୍ତ ନେତା ବିଜେପିରେ ଯୋଗ ଦେବାର ଥିଲା । ତେବେ, ରାଜ୍ୟ କଂଗ୍ରେସ ବିଧାୟକ ଦଳର ନେତା ମିଶଙ୍କ ହସ୍ତକ୍ଷେପ ଯୋଗୁ ତାହା ଅଟକି ଯାଇଥିଲା । ଅତୀତରେ, ରାଜ୍ୟ କଂଗ୍ରେସର ଭବିଷ୍ୟତ ଅଂଧକାର ଜାଣି ଦଳର ବହୁ ପୁରୁଖା ନେତା ଓ କର୍ମୀ ବିଜେଡ଼ିକୁ ଚାଲି ଯାଇଥିଲେ । ବିଜେଡ଼ି ମଧ୍ୟ ସେମାନଙ୍କୁ ଭଲ ଭାବେ ଥଇଥାନ କରିଛି । ଏବେ, କିଛିଟା ସରକାର ବିରୋଧୀ ଜନମତକୁ ନେଇ ବିଜେଡ଼ି ସଂକଟରେ ଥିବାରୁ ଏବଂ ବିଜେପିର ଅଭିବୃଦ୍ଧି ଘଟୁଥିବାରୁ କିଛି କଂଗ୍ରେସ ନେତା ବିଜେପିକୁ ମୁହାଁଇବା ଅସମ୍ଭବ ନୁହେଁ । ଏହାକୁ ରୋକିବା ପାଇଁ ଯେଉଁ ଅର୍ଥ ବଳର ଆବଶ୍ୟକତା ରହିଛି, ତାହା ନିରଂଜନ ପଟ୍ଟନାୟକଙ୍କ ପାଖରେ ଅଛି । ଏହାଛଡା, କଂଗ୍ରେସ ସଂଗଠନକୁ ଭିତିରିଆ ସହାୟତା କରିବା ପାଇଁ ବଳିଷ୍ଠ ମିଡ଼ିଆ ତାକତ୍ ମଧ୍ୟ ନିରଂଜନଙ୍କ ସହିତ ରହିଛି । ଏହି ଦୁଇ ଶକ୍ତିର ଉପଯୋଗ କରି ନିରଂଜନ ନିଜ ସପକ୍ଷରେ ଦଳର ନିଷ୍ପତ୍ତିକୁ ଟାଣି ପାରନ୍ତି ବୋଲି ଅନେକ ଆଶା କରୁଛନ୍ତି । ଏଆଇସିସି ନେତୃତ୍ୱ ମଧ୍ୟ ଏସଂପର୍କରେ ସଚେତନ । ତେବେ, ପଟ୍ଟନାୟକ ପରିବାର ହାତରେ ପୁଣି ଥରେ କ୍ଷମତା ଟେକି ଦେବା କଂଗ୍ରେସ ପାଇଁ ବୁମେରାଂ ହୋଇପାରେ ବୋଲି ଆଶଙ୍କା କରି ଦଳର ହାଇକମାଣ୍ଡ୍ ନିଷ୍ପତ୍ତିୁ ଝୁଲାଇ ରଖିଛନ୍ତି । ପର୍ଯ୍ୟବେକ୍ଷକ ପଠାଇ ଦଳର ବିଭିନ୍ନ ଗୋଷ୍ଠୀ ଠାରୁ ମତାମତ ସଂଗ୍ରହ କରିବା କେବଳ ଏକ ନାଟକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ସତ କଥାକୁ ଏଡାଇ ଦିଆ ଯାଇ ନପାରେ, କ°ଗ୍ରେସ ଦଳର ସାଙ୍ଗଠନିକ ଗତିବିଧି ଆଉ ନେତାଙ୍କ କାର୍ଯକଳାପକୁ ଅତି ନିକଟରୁ ଦେଖିଛୁ, ପ୍ରଥମ କଥା ହେଲା ଦଳୀୟ ଦୁର୍ବଳତା ସ୍ବୀକାର କରିବାକୁ ସମସ୍ତେ ନାରଜ । ଲୋକ କିନ୍ତୁ ଏ ବିଷୟ ଜାଣନ୍ତି, ତେଣୁ କରି ଏ ଦଳଠାରୁ ଦୁରେଇ ଯାଇଛନ୍ତି । ଦଳ ସ°ଗଠନ ଅନେକ ରୋଗାକ୍ରାନ୍ତ । ସଦ୍ୟତମ ରୋଗ ହେଲା କ୍ଷମତା ଲୋଭରେ ନେତାଏ ଗୋଡ କାଢି ବସିଛନ୍ତି ବିଜେପରେ ମିଶିବାକୁ । ଏହି ଗୋଷ୍ଠୀର ନେତାଙ୍କ ଲମ୍ବି ତାଲିକା ବିଜେପି ହାତରେ ଅଛି । ଏହି ନେତାଙ୍କ ପଛରେ ଗୁଇନ୍ଦା ଲଗାଇ ଦିଆ ଯାଇଛି । ବିଜେପି ମୂଲଚାଲକୁ ଓହ୍ଲାଇ ନାହି । କାରଣ ରାଜ୍ୟରେ ବିଜେଡି ସରକାରକୁ ଭାଙ୍ଗିବାର କ୍ଷମତା ବିଜେପି ନା କ°ଗ୍ରେସର ନାହି, ତେଣୁ କରି ଉଭୟ ଏଆଇସିସି ତଥା ବିଜେପି ଏହି ଗୋଷ୍ଠୀକୁ ଝଲାଇ ରଖିଛନ୍ତି । ଆରଏସଏସ୍ ସ°ଗଠନ ସବୁଜ ପତ୍ର ନ।ମିଳିବା ଯାଏ ଏହି ଗୋଷ୍ଠୀ ଅଗତ୍ୟା ଏମିତି ଲାଳାୟିତ ହୋଇ ରହିଥିବେ । ଓଡିଶା କ°ଗ୍ରେସର ଗୋଷ୍ଠୀ କନ୍ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବାବୁଙ୍କ ପୂର୍ବରୁ ରହିଛି । ଦ୍ବନ୍ଦ୍ବ ସମାଧନର କୂଟନୀନୀ ଜାନକୀ ବାବୁ ଜାଣିଥିଲେ । ତାଙ୍କର ଦଳୀୟ ସମାଲୋଚକମାନେ କହି ବୁଲୁଥିଲେ ଜାନକୀ ବାବୁକ୍କ ପରେ ହି ଦଳ ଉଧେଇବ । ଏବେ ତଙ୍କ ଆନୁପସ୍ଥିତିରେ ଦଳ ରସାତଳ । ଗତ ସାଧାରଣ ନିର୍ବାଚନ ଆଉ ପଞ୍ଚାୟତ ନିର୍ବାଚନର ଏହା ସ୍ପଷ୍ଟ ହୋଇ ସାରଛି । କ°ଗ୍ରେସ ଯୁବ ନେତା ସୃଷ୍ଟି କରିବା, ଯୁବକଙ୍କୁ ପିସିସି ସ°ଗଠନିକ କ୍ଷମତା ନ ଦେବାରୁ ଚଳିତ ସ°କଟ ଉପୁଜିଛି । ଆପଣଙ୍କ ଲେଖାରୁ ଜଣା ପଡୁଛି ପରସ୍ପର ଲଢୁଥିବା ଗୋଷ୍ଠୀରେ ମାତ୍ର ଦୁଇ ଜଣ ବିକଳ୍ପ ନେତୃତ୍ବ ଅଛନ୍ତି ପିସିସି ଦାୟୀତ୍ବ ନେବାକୁ । ଏତେବଡ ଦଳରେ ନେତା ମରୁଡିର ଏହା ଦୟନୀୟ ସ୍ଥିତିକୁ ଇଙ୍ଗୀତ କରୁଛି । କ୍ଷମତା ରଜନୀତିରୁ ୧୭ ବର୍ଷଧରି ଦୂରେଇ ରହିଥିବା ତୃଣମୂଳ ସ°ଗଠକ, କର୍ମୀ ନିଜ ଦଳ କଥା ଭୁଲି ଗଲେଣି । ଦଳ ଠାରୁ ଦୂରେଇ ଗଲେଣି । ପସିସି ନେତୃତ୍ବ କନ୍ଦଳ ଆଉ ନେତୃତ୍ବ ବିହୀନ ସ°ଗଠନ ଉପରେ କ°ଗ୍ରେସ କର୍ମୀ ଆଉ ଭରସୀ ପାରୁ ନାହାନ୍ତି । ଏହି ପୃଷ୍ଠଭୂମୀ ପିସିସି ନେତୃତ୍ବ ପରିବର୍ତ୍ତନ ହେଉ କି ନ ହେଉ କ°ଗ୍ରେସ ସ°ଗଠନକୁ ତୃଣମୂଳ ସ୍ଥରରୁ ପୁନ ସକ୍ରିୟ କରିବା ଜରୂରୀ । ଏହି ଦକ୍ଷତା ଆଉ କ୍ଷମତା ଥିବା ସଙ୍ଗଠକଙ୍କୁ ଦାୟୀତ୍ବ ଦିଆଯିବା ଉଚିତ ହେବ ।