– ଶ୍ରୀକାନ୍ତଙ୍କ ‘ଖଣି ମାଫିଆ’ ପ୍ରସଂଗ: କଂଗ୍ରେସ ଓ ସରକାରଙ୍କ ପାଇଁ ଚ୍ୟାଲେଂଜ୍ – କଳଙ୍କ ମୁକ୍ତ ହେବାକୁ ଚାହିଁବେ କି ସରକାର ?


– ପ୍ରସାଦ ରାଓ –
ଭୁବନେଶ୍ୱର, ୨୧ ଅଗଷ୍ଟ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସେହି ପୂର୍ବ ପତିଆରା ଆଉ ନାହିଁଁ । ଅଶି ଦଶକରେ ବିରୋଧୀ ଦଳରେ ଥିବା ଶ୍ରୀକାନ୍ତ-ବିଜୟ-ନଳିନୀଙ୍କ ପତିଆରା ଯେଉଁମାନେ ଦେଖିଛନ୍ତି, ସେମାନେ ଏହା ନିଃସନେ୍ଦହରେ କହିବେ । ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତି ଆଉ ଇହଜଗତରେ ନାହାନ୍ତି । ବିଜୟ ମହାପାତ୍ର ବିଜେପିରେ ଥାଇ ମଧ୍ୟ ଅଲୋଡା । ତିନି ନେତା ଏକଦା ବିଜୁ ପଟ୍ଟନାୟକଙ୍କ ବିଶ୍ୱସ୍ତ ଅନୁଗାମୀ ଥିଲେ ଏବଂ ଓଡ଼ିଶାରେ କଂଗ୍ରେସ ବିରୋଧୀ ରାଜନୀତିକୁ ପ୍ରଭାବିତ କରୁଥିଲେ । ଜେବି ପଟ୍ଟନାୟକଙ୍କ ଭଳି ଚତୁର ରାଜନେତା ମୁଖ୍ୟମନ୍ତ୍ରୀ ଥାଇ ସୁଦ୍ଧା ବିଧାନସଭାକୁ ମ୍ୟାନେଜ୍ କରିବା ସକାଶେ ଏମାନଙ୍କୁ ମନାଇ ରଖିବାକୁ ବାଧ୍ୟ ହେଉ ଥିଲେ । ଶ୍ରୀକାନ୍ତ ବିରୋଧୀ ରାଜନୀତି ଛାଡି କଂଗ୍ରେସରେ ଯୋଗ ଦେବା ପରେ ଆଉ ସେ ପୂର୍ବ ପତିଆରା ନାହିଁ । ୨୦୧୪ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ତାଙ୍କୁ କଂଗ୍ରେସରେ ଏକପ୍ରକାର କୋଣଠେସା କରି ଦେଇଛିି । ତଥାପି, ତାଙ୍କ ବିବୃତି ବିରୋଧୀଙ୍କୁ ନ ହେଲେ ବି ନିଜ ଦଳର ନେତାମାନଙ୍କୁ ଦୋହଲାଇ ଦେଉଛି । ତେବେ, ମଝିରେ ମଝିରେ ବିବୃତି ଓ ଖୋଲା ଚିଠି ମାଧ୍ୟମରେ ସେ ଦଳରେ ନିଜ ଉପସ୍ଥିତି ଜାହିର କରୁଛନ୍ତି । ଶ୍ରୀକାନ୍ତଙ୍କ ସଦ୍ୟ ବିବୃତି ହେଉଛି ‘ଖଣି ମାଫିଆ’ଙ୍କ ସଂପର୍କରେ, ଯାହା କି ଦଳର ଗୋଟିଏ ଗୋଷ୍ଠୀକୁ ଅଡୁଆରେ ପକାଇଛି । ପିସିସି ସଭାପତି ପରିବର୍ତନ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ଥିବା ସମୟରେ ଶ୍ରୀକାନ୍ତଙ୍କ ‘ଖଣି ମାଫିଆ’ଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରିବା ଉଦେ୍ଦଶ୍ୟମୂଳକ ବୋଲି କଂଗ୍ରେସର ଗୋଷ୍ଠୀ ଅଭିଯୋଗ କରୁଚନ୍ତି । ଶ୍ରୀକାନ୍ତଙ୍କ ବିବୃତି ଥିଲା – ସବୁ ରାଜନୈତିକ ଦଳ ‘ଖଣି ମାଫିଆ’ଙ୍କ ନିୟନ୍ତ୍ରଣରେ । ସେମାନେ ଅନ୍ୟ କାହାକୁ ରାଜନୀତି କରିବାକୁ ଦେଉ ନାହାନ୍ତି । ଓଡ଼ିଶାରେ କଂଗ୍ରେସ ମଧ୍ୟ ଏଥିରୁ ମୁକ୍ତ ନୁହେଁ । ଏହି ବିବୃତିରେ ସତ୍ୟତା ରହିଛି । ତେବେ, ଏହି ପ୍ରସଙ୍ଗ ଉଠିବା ସମୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ପୁନର୍ବାର ଦଳରେ ସଭାପତି କରିବା ପାଇଁ ରାଜ୍ୟ କଂଗ୍ରେସ ବିଧାୟକମାନେ ମେଳି କରୁଥିବା ବେଳେ ଶ୍ରୀକାନ୍ତଙ୍କ ବିବୃତି ନିରଂଜନଙ୍କ ସଭାପତି ହେବା ରାସ୍ତାରେ କଂଟା ପକାଇଲା ଭଳି ହୋଇଛି ବୋଲି ନିରଂଜନ ସମର୍ଥକ ଗୋଷ୍ଠୀ ଆଲୋଚନା କରୁଛନ୍ତି ।
ଶ୍ରୀକାନ୍ତ ‘ଖଣି ମାଫିଆ’ ବିବୃତିରେ କାହାରି ନାମ ନିଆଯାଇ ନାହିଁ । ତଥାପି, ପ୍ରତିକ୍ରୀୟା କାହିଁରେ କଣ । ପିସିସି ସଭାପତି ହେବାକୁ ଆଶାୟୀ ଦଳର ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ ତୁରନ୍ତ ପ୍ରତିକ୍ରୀୟା ବ୍ୟକ୍ତ କରି ଶ୍ରୀକାନ୍ତ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ସିବିଆଇ ତଦନ୍ତ କରାଇଲେ ନାହିଁ କାହିଁକି (?) ବୋଲି ପ୍ରଶ୍ନ କରିଛନ୍ତି । ଶ୍ରୀକାନ୍ତ ଚିରାଚରିତ ଉତ୍ତର ହେଉଛି – ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ । ଖଣି ମାଫିଆଙ୍କ ସହ ରାଜ୍ୟ ସରକାରଙ୍କ ମଧୁର ସଂପର୍କ ଯୋଗୁ ସେ ୟୁପିଏ ସରକାରରେ ମନ୍ତ୍ରୀ ଥାଇ ମଧ୍ୟ କିଛି କରିପାରିଲେ ନାହିଁ । ଏବେ ଦୁଇ ନେତାଙ୍କ ମଧ୍ୟରେ ସିଧାସଳଖ ବିବୃତି ଯୁଦ୍ଧ ଚାଲି ଥିବା ବେଳେ ଗୋଟିଏ ଆଂଚଳିକ ଖବରକାଗଜ ଶ୍ରୀକାନ୍ତଙ୍କ ନାମ ନ ନେଇ ନିରଂଜନଙ୍କୁ ପିସିସି ସଭାପତି କରାଇ ନ ଦେବା ସକାଶେ ଏହା ଏକ ଚକ୍ରାନ୍ତ ବୋଲି ଅଭିଯୋଗ କରିଛି । ଖଣି ବେପାରୀଙ୍କୁ ବ୍ଲାକ୍ମେଲ୍ କରିବା ସକାଶେ ଏହା ଏକ ସୁଚିନ୍ତିତ ଯୋଜନା ବୋଲି ହାଲ୍କା ଭାବେ ଏହି ଖବରକାଗଜରେ ସମାଲୋଚନା କରାଯାଇ ଅସମୟରେ ଏହି ପ୍ରସଂଗ ଉଠାଯାଇ ଥିବାରୁ କଂଗ୍ରେସ ହାଇକମାଂଡଙ୍କୁ ବିଭ୍ରନ୍ତ କରିବା ପାଇଁ ଏହା ଉଦ୍ଦିଷ୍ଟ ଥିବା କୁହାଯାଇଛି । ଏହା ଉପରେ ଶ୍ରୀକାନ୍ତଙ୍କ ପ୍ରତିକ୍ରୀୟା ସାମନାକୁ ଆସି ନାହିଁ । ତେବେ, ପିସିସି ମୁଖ୍ୟ ପଦ ଦଳରେ ଚାଲିଥିବା ଛାୟାଯୁଦ୍ଧ ଏଥରୁ ଅଧିକ ଉଜାଗର ହୋଇଛି ।
ଓଡ଼ିଶା କଂଗ୍ରେସରେ ପଦପଦବୀ ପାଇଁ ଛାୟାଯୁଦ୍ଧ କିଛି ନୂଆ ନୁହେଁ । ଅତୀତରେ, ସ୍ୱର୍ଗତ ନନ୍ଦିନୀ ଶତପତୀ ଓ ଜାନକୀବଲ୍ଲଭ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ କ୍ଷମତା ପାଇଁ ଦଳରେ ଏଭଳି ଛାୟାଯୁଦ୍ଧ ଦେଖିବାକୁ ମିଳି ଥିଲା । ୧୯୭୬ରେ ନନ୍ଦିନୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ବିନାୟକ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦସ୍ତଖତ ସଂଗ୍ରହ ଅଭିଯାନ ହେଉ ବା ଅଶି ଓ ନବେ ଦଶକରେ ଜେବିଙ୍କୁ କ୍ଷମତାରୁ ହଟାଇବା ପାଇଁ ଅସନ୍ତୁଷ୍ଟଙ୍କ ଲଗାତର ଅଭିଯାନ – ଓଡ଼ିଶା କଂଗ୍ରେସରେ ଚାଲି ଆସିଥିବା ଛାୟାଯୁଦ୍ଧର ଜ୍ୱଳନ୍ତ ଉଦାହରଣ ହୋଇ ଆସିଛି । କ୍ଷମତା ପାଇଁ ଅନ୍ତଦ୍ୱର୍ନ୍ଦ୍ୱକୁ ଏଡାଇବା ସକାଶେ ୧୯୮୦ରୁ ୮୫ ଜେବିଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ବସନ୍ତ ବିଶ୍ୱାଳଙ୍କୁ ଏତେ ଅଧିକ କ୍ଷମତାଶାଳୀ କରାଯାଇଥିଲା ଯେ ରାଜ୍ୟବାସୀଙ୍କ ସମ୍ମୁଖରେ ସେ ‘ସୁପର ଚିଫ୍ ମିନିଷ୍ଟର୍’ ଭାବେ ପରିଚିତ ଥିଲେ । ୧୯୮୫ରୁ ୯୦ କଂଗ୍ରେସ ଶାସନ କାଳରେ କ୍ଷମତା ସଂଘର୍ଷକୁ ଏଡାଇବା ପାଇଁ ଦୁଇଟି ଉପ-ମୁଖ୍ୟମନ୍ତ୍ରୀ ପଦ ସୃଷ୍ଟି କରାଯାଇ ବସନ୍ତ ବିଶ୍ୱାଳ ଓ ହେମାନନ୍ଦ ବିଶ୍ୱାଳଙ୍କୁ ଅବସ୍ଥାପିତ କରାଯାଇଥିଲା । ୧୯୯୦ରୁ ୯୫ ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଅଣ-କଂଗ୍ରେସ ସରକାର କ୍ଷମତାରେ ଥିଲେ । ଏହି ସରକାରରେ ମଧ୍ୟ ବିଜୁଙ୍କ ପଛକୁ ଦୁଇ ନମ୍ବର ପଦବୀରେ କିଏ (?) – ତାହା ପ୍ରମାଣିତ କରିବା ପାଇଁ ତକ୍ରାଳୀନ ପ୍ରଭାବଶାଳୀ ଦୁଇ ମନ୍ତ୍ରୀ ବିଜୟ ମହାପାତ୍ର ଓ ରାମକୃଷ୍ଣ ପଟ୍ଟନାୟକଙ୍କ ମଧ୍ୟରେ ଛାୟାଯୁଦ୍ଧ ଦେଖିବାକୁ ମିଳି ଥିଲା । ୧୯୯୫ରେ ଜେବିଙ୍କ ତୃତୀୟ ପାଳି ଅତ୍ୟନ୍ତ ସଂଘର୍ଷପୂର୍ଣ ଥିଲା । କ୍ଷମତାର ଅପବ୍ୟବହାର, ପ୍ରିୟାପ୍ରୀତି ଓ ଅଇନଶୃଙ୍ଖଳାରେ ଅବନତି ଭଳି ଅଭିଯୋଗ ସହ ଦଳ ଭିତରେ ଅସନ୍ତୁଷ୍ଟଙ୍କ ଗତିବିଧି ବଢି ଯିବା ଜେବିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟିବାକୁ ବାଧ୍ୟ କରିଥିଲା । ଅସମୟରେ ଜେବିଙ୍କୁ ଏଆଇସିସି ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ରାଜ୍ୟରେ କ୍ଷମତା କନ୍ଦଳକୁ ଅଧିକ ଜୋରଦାର କରିଥିଲେ, ଯାହାର ପରିଣତି ଏବେ ଦଳ ଭୋଗୁଛି । ୨୦୦୦ ମସିହାରୁ ଓଡ଼ିଶାରେ ବିଜୁ-ପୁତ୍ର ନବୀନ ପଟ୍ଟନାୟକଙ୍କ ସରକାର ଚାଲିଛି । କଂଗ୍ରେସ ସବୁ ଚେଷ୍ଟା କରି ବି କ୍ଷମତାକୁ ଫେରି ପାରୁ ନାହିଁ । ରାଜ୍ୟରେ କଂଗ୍ରେସ ଏତେଦୂର ଦୁର୍ବଳ ହୋଇଯାଇଛି ଯେ, ବିଜେପି ଦୁଇ ନମ୍ବର ସ୍ଥାନରେ ଥିବା ଭ୍ରମ ସୃଷ୍ଟି ହେଲାଣି । ନବୀନ ହେଉଛନ୍ତି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏକି ଲଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ କ୍ଷମତା ଉପଭୋଗ କରୁଛନ୍ତି ଏବଂ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆତ୍ମବିଶ୍ୱାସର ସହ କହୁଛନ୍ତି ।
ଓଡ଼ିଶା କଂଗ୍ରେସରେ ବାରମ୍ବାର ନେତୃତ୍ୱ ପରିବର୍ତନ ଏବଂ ଏଆଇସିସିର ପରୀକ୍ଷାନିରୀକ୍ଷା ଦଳୀୟ କର୍ମୀଙ୍କୁ ନିରୁତ୍ସାହିତ କରିବା ସହ ନେତାଙ୍କ ଭବିଷ୍ୟତ ଅନିଶ୍ଚିତ କରି ଦେଇଛି । ବର୍ତମାନ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ଯେ, ଦଳର ବହୁ ପୁରୁଖା ନେତା ଦଳ ଛାଡିଲେଣି । ଆଉ କିଛି ଦଳ ଛାଡିବା ସକାଶେ ସମୟ ଓ ସୁଯୋଗର ଅପେକ୍ଷାରେ ଅଛନ୍ତି । ୧୭ ବର୍ଷ ଧରି କ୍ଷମତାରେ ଥିବା ବିଜେଡ଼ି ପ୍ରତି ପ୍ରତି କିଚି ମାତ୍ରାରେ ଜନ ଅସନ୍ତୋଷ ରହିଛି । ତେବେ, ନବୀନଙ୍କ ବିକଳ୍ପ ଭାବେ କୌଣସି ନେତାଙ୍କ ପାଉ ନ ଥିବାରୁ ଭୋଟର ବିଜେଡ଼ିକୁ ଭୋଟ ଦେବାକୁ ବାଧ୍ୟ ହେଉଛନ୍ତି । ବିଜେଡ଼ି ବିରୋଧରେ ଅସନ୍ତୋଷ ଏବଂ କଂଗ୍ରେସରେ ଚାଲିଥିବା ଛାୟାଯୁଦ୍ଧ ବିଜେପି ପାଇଁ ଏକ ସୁନ୍ଦର ସୁଯୋଗ ସୃଷ୍ଟି କରିଥିବା ଅନୁଭବ କରି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ୨୦୧୯ ସାଧାରଣ ନିର୍ବାଚନରେ ‘ଓଡ଼ିଶା ଦଖଲ’ର ନୀଳନକ୍ସା ପ୍ରସ୍ତୁତ କରିଛନ୍ତି । ଆଗୁଆ ସାଧାରଣ ନିର୍ବାଚନ ହେଲେ ବିଜେପି ଲାଭବାନ ହେବ ବୋଲି ଆକଳନ କରାଯାଉଥିବାରୁ ଶାହା-ମୋଦୀ ଯୋଡି ଓଡ଼ିଶା ସମେତ ପୂର୍ବାଂଚଳ ରାଜ୍ୟକୁ ଟାର୍ଗେଟ୍ କରି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଥିବା ଚର୍ଚା ହେଉଛି । ରାଜ୍ୟ ବିଧାନସଭାର ୧୪୭ ଆସନରୁ ୧୧୭ ଆସ ଏବେ ବିଜେଡ଼ି ହାତରେ ରହିଛି । ପରବର୍ତୀ ନିର୍ବାଚନରେ ବିଜେପି ୧୨୦ ଆସନ ଦଖଲ କରି ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା କରିବ ବୋଲି ଶାହା ଦେୁଥିବା ବିବଅତି ଅବାସ୍ତବ ଲାଗିଲେ ବି ବିଜେପି କର୍ମୀଙ୍କ ପାଇଁ ପ୍ରେରଣାଦାୟକ ହୋଇଛି । ରାଜ୍ୟ କଂଗ୍ରେସର ବିପର୍ଯ୍ୟସ୍ତ ଅବସ୍ଥା ଏବଂ ବିଜେଡ଼ିରେ ବିଦ୍ରୋହୀଙ୍କ ଉତ୍ସୁଙ୍ଖଳତା ବିଜେପିକୁ ସୁହାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗୁଆ ନିର୍ବାଚନର ସଂକେତ ଦେଇ ଦେଶବାସୀଙ୍କ ନାଡି ଚିପୁ ଥିବା ବଳେ ଅମିତ ଶାହାଙ୍କ ‘ଓଡ଼ିଶା ଦଖଲ’ ସ୍ୱପ୍ନକୁ ସାକାର କରିବା ପାଇଁ ଦଳର ରାଜ୍ୟ ସଂଗଠନ ଦିବାରାତ୍ରୀ ଏକାଠି କରି ଦେଇଛି । ଶାସକ ବିଜେଡ଼ି ପ୍ରତିରକ୍ଷାତ୍ମକ ସ୍ଥିତିରେ ରହିଛି ସତ, କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଓ ସଚିବାଳୟର ତୃତୀୟ ମହଲା ଛାଡି ଏବେ ରାଜରାସ୍ତାରେ ପହଂଚିଲେଣି । ଗୁପ୍ଚୁପ୍ ଦୋକାନ ସାମନାରେ ନବୀନଙ୍କ ‘ସେଲ୍ଫି’ ଉଠା ବିଜେଡ଼ି ବିବ୍ରତ ଅବସ୍ଥାର ଏକ ଉଦାହରଣ । ଆଗୁଆ ନିର୍ବାଚନ ହେଉ ବା ନ ହେଉ, ବିଜେଡ଼ି ଓ ବିଜେପିର ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏହା ଜାଣି ସୁଦ୍ଧା ରାଜ୍ୟର କଂଗ୍ରେସ ନେତାମାନେ ଦଳର ସଂଗଠନକୁ ସଜାଡିବା ବଦଳରେ କ୍ଷମତା ପାଇଁ ଛାୟାଯୁଦ୍ଧରେ ମାତିବା ଆତ୍ମଘାତୀ ହେବ ବୋଲି ଚର୍ଚ୍ଚା ହେଉଛି ।
ଓଡ଼ିଶା କଂଗ୍ରେସରେ ଚାଲିଥିବା କ୍ଷମତା କନ୍ଦଳରେ ଖଣି ପଇସାର ଗୁରୁତ୍ୱପୂର୍ଣ ଭୂମିିକା ରହି ଆସିଥିବା ଓଡ଼ିଶାବାସୀ ଜାଣନ୍ତି । ପ୍ରସାଦ ହରିଚନ୍ଦନଙ୍କ ପିସିସି ସଭାପତି ପଦରୁ ହଟାଇବା ସକାଶେ ବ୍ୟାପକ ଭାବେ ଏହି ଅସ୍ତ୍ରର ବ୍ୟବହାର ହେଉଥିବା ପ୍ରସାଦ-ସମର୍ଥକ ଅଭିଯୋଗ କରୁଥିଲେ । ଏବେ ଶ୍ରୀକାନ୍ତଙ୍କ ‘ଖଣି ମାଫିଆ’ ବିବୃତି ସେ ଥିଓରୀକୁ ବଳ ଦେଇଛି । ନିରଂଜନ ପଟ୍ଟାନାୟକ ପିସିସି ସଭାପତି ପଦ ପାଇଁ ସବୁ ଦୃଷ୍ଟିରୁ ଯୋଗ୍ୟ ବୋଲି ରାଜ୍ୟ କଂଗ୍ରେସ ବିଧାୟକ ଦଳ ଏଆଇସିସି ପର୍ଯ୍ୟବେକ୍ଷକଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପଛରେ କେତେଦୂର ଆନୁଗତ୍ୟ ରହିଛି, ତାହା ତଦନ୍ତ ସାପେକ୍ଷ । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ନିରଂଜନଙ୍କୁ ପିସିସି ସଭାପତି ପଦରୁ ହଟାଇ ଦିଆଯାଇଥିଲା । ସେଏହାକୁ ଆତ୍ମସମ୍ମାନର ପ୍ରଶ୍ନ ଭାବେ ନେଇ ପଦବୀ ଫେରି ପାଇବାକୁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଛନ୍ତି । ଏବେ, ରାଜ୍ୟ କଂଗ୍ରେସ ବିଧାୟକ ଦଳ ଓ ଅଧିକାଂଶ ନେତା ତାଙ୍କ ଦାବିଦାରୀ ପ୍ରତି ସମର୍ଥନ ଜଣାଇ ଦଳ ପୁନଃ ସଂଗଠିତ ହେବା ଚାହୁଁ ଥିବା ବେଳେ କିଛି ନେତା ଅଛନ୍ତି, ଯେଉଁମାନେ କି ନିରଂଜନଙ୍କୁ ସଭାପତି ପଦରେ ଦେଖିବାକୁ ଚାହୁଁ ନାହାନ୍ତି । ନିକଟରେ, ଦଳର ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳ ଦେଇତିବା ମନ୍ତବ୍ୟ ଏଭଳି ଧାରଣା ସୃଷ୍ଟି ପାଇଁ ଯଥେଷ୍ଟ ।
ନିରଂଜନଙ୍କୁ ପିସିସି ସଭାପତି କରାଯିବା ସକାଶେ ସମସ୍ତ ରାଜ୍ୟର କଂଗ୍ରେସ ବିଧାୟକ ମିଳିତ ଭାବେ ଏଆଇସିସି ପର୍ଯ୍ୟବେକ୍ଷକ ଟିମ୍ ନିକଟରେ ଦାବି ଉପସ୍ଥାପନ କରିଥିବା ବେଳେ ସାଂସଦ ବିଶ୍ୱାଳ ମିଡ଼ିଆ ସମ୍ମୁଖରେ ତ୍ୱରୀତ କଟାକ୍ଷ କରି ମନ୍ତବ୍ୟ ଦେଇଥିଲେ – ‘କୃଷ୍ଣ (ନୂଆ ପିସିସି ସଭାପତି) ଜନ୍ମ ସରିଲାଣି, ଅପେକ୍ଷା କର, ଜାଣିବ ସେ କିଏ’ା ରଂଜୀବଙ୍କ ମନ୍ତବ୍ୟ ହାଲ୍କା ହେଲେ ବି ସେଥିରେ ଥିଲା ଏକ ଆହ୍ୱାନ । ରଂଜୀବଙ୍କ ଏହି କଟାକ୍ଷ ପରେ ରାଜ୍ୟର କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଦୁଇ ଜଣ ରାତି ଅଧିଆ ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ଭେଟି ନିରଂଜନଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି କରାଯିବା ସକାଶେ ଲିଖିତ ଭାବେ ଅନୁରୋଧ କରିବା ଆଲୋଡ଼ନ ସୃଷ୍ଟି କରିଥିଲା । ଶ୍ରୀକାନ୍ତ ଜେନାଙ୍କ ‘ଖଣି ମାଫିଆ’ ପ୍ରସଂଗ ମଧ୍ୟ ରଂଜୀବଙ୍କ କଟାକ୍ଷ ପରବର୍ତୀ କାର୍ଯ୍ୟକ୍ରମ ଥିଲା । ତେଣୁ, ଏ ସବୁ ଯେମିତି ପ୍ରୟୋଜିତ, କେବଳ ‘ଏକ ସଂଯୋଗ’ ନୁହେଁ କୁହାଯାଇପାରେ । ଶ୍ରୀକାନ୍ତ ଉଠାଇ ଥିବା ‘ଖଣି ଚୋରୀ’ ପ୍ରସଙ୍ଗକୁ ନେଇ ରାଜନୀତି ଯାହା ହେଉନା କାହିଁକି, ଏହାର ପ୍ରାସଂଗିତକା ଏଡାଇ ଦେଇ ହେବ ନାହିଁ । ରାଜ୍ୟରେ ବେଆଇନ ଖଣି କାରବାର ବର୍ଷ ବର୍ଷ ଧରି ଚାଲି ଆସିଛି । ଖଣି ବେପାରୀମାନେ ବେଆଇନ ଖଣିଜ ସଂପଦ ଉତ୍ତୋଳନ ଓ ଚାଲାଣ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଉପାର୍ଜନ କରିବା ସହ ଓଡ଼ିଶା ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି । ସରକାର ଓ ରାଜ୍ୟ ପ୍ରଶାସନର ଭାଗିଦାରୀ ନ ଥିଲେ ଏତେବଡ ‘ଚୋରୀ’ ସମ୍ଭବ ନୁହେଁ । ତେଣୁ, ସଂପୃକ୍ତ ଅସାଧୁ ବ୍ୟବସାୟୀ ଓ ସଂସ୍ଥାଙ୍କ ବିରୋଧରେ ସିବିଆଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ସରକାର ତାହା ନ କରି ଅସାଧୁ ଖଣି କାରବାର ଅଭିଯୋଗରେ ଖଣି ମାଲିକଙ୍କ ଉପରେ ୬୦ ହଜାର କୋଟି ଟଙ୍କାର ଜରିମାନା ଲଦି ବସି ପଡିଲେ । ଖଣି ମାଲିକ ଏହା ବିରୋଧରେ ଦେଶର ସର୍ବୋଚ୍ଚ ନ୍ୟାୟଳୟର ଆବେଦନ କରି ସମୟ ଗଡାଇଲେ । ବେଆଇନ ଖଣି ଖନନ ଓ ଖଣିଜ ପଦାର୍ଥ ଚାଲାଣ ମାଧ୍ୟମରେ ରାଜ୍ୟରେ ଚାଲିଥିବା ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହଡପ ବିରୋଧରେ କିଛି ସଂଗଠନ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ସୁପ୍ରିମ କୋର୍ଟ ମାମଲା ସବୁର ବିଚାରଣା ପରେ ‘ଖଣି ମାଫିଆ’ଙ୍କ ଠାରୁ ଶତ ପ୍ରତିଶତ ଜରିମାନା ଆଦାୟ କରିବାକୁ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । କିନ୍ତୁ ସରକାର ଉଚ୍ଚ ନ୍ୟାୟାଳୟର ରାୟକୁ ତର୍ଜମା କରି (!) ୬୦ ହଜାର କୋଟି ପରିବର୍ତେ ପ୍ରାୟ ୨୦ ହଜାର କୋଟି ଟଙ୍କା ଆଦାୟ ପାଇଁ ସାନି ନୋଟିସ ଜାରୀ କରିବା ସନେ୍ଦହର ବାତାବରଣ ସୃଷ୍ଟି କରିଛି । ରାଜ୍ୟ ସରକାର ଚାହିଁଁଲେ ‘ଖଣି ଚୋରୀ’ର ସିବିଆଇ ତଦନ୍ତ କରାଇ ପାରିବେ ବୋଲି ମାନ୍ୟବର ସୁପ୍ରିମ କୋର୍ଟ କହିଥିବା ବେଳେ ସରକାର ଏହି ଦିଗକୁ ଏଡାଇ ଦେବା ପୁଡ଼ଃ ସିବିଆଇ ତଦନ୍ତ ଦାବିର ଅବକାଶ ସୃଷ୍ଟି କରିଛି । ରାଜ୍ୟରେ ଦୁଇ ପ୍ରକାର ଖଣି ଚୋରୀ ହୋଇଛି । ବିଧିବଦ୍ଧ ଭାବେ ଖଣି ଲିଜ୍ ନେଇ ଲିଜ୍ ଅଂଚଳ ବାହାରେ ମାଇନିଂ କରାଇବା ମାଧ୍ୟମରେ କିଛି ଲୋକ ଅଜସ୍ର ଅର୍ଥ ଉପାର୍ଜନ କରିଥିବା ବେଳେ ଆଉ ଦଳେ, ଖଣି ଲିଜ୍ ନ ଥାଇ ଖଣି ଖନନ ଓ ଖଣିଜ ପଦାର୍ଥ ଚାଲାଣ ମାଧ୍ୟମରେ କୋଟି କୋଟି ଟଙ୍କା ଉପାର୍ଜନ କରିଛନ୍ତି । ଖଣି ଲିଜ୍ ନ ଥାଇ ଖଣିଜ ସଂପଦ ଲୁଟି ଥିବା ବେପାରୀଙ୍କୁ ‘ଖଣି ଚୋରୀ’ କୁହାଯିବ । ସେମାନଙ୍କୁ ବିରୋଧରେ ସିବିଆଇ ତଦନ୍ତ ହେଲେ କାହାରି ଆପତ୍ତି ନାହିଁଁ ବୋଲି ନିରଂଜନଙ୍କ ମନ୍ତବ୍ୟ ଶ୍ରୀକାନ୍ତଙ୍କ ଦାବିର ଯଥାର୍ଥତା ପ୍ରତିପାଦିତ କରୁଛି । ତେଣୁ, ସରକାର ଏବେ ନିଜ ଦେହରୁ ଦାଗ ପୋଛିବା ପାଇଁ ସିବିଆଇ ତଦନ୍ତର ବାଟ ଖୋଲିବେ ନା ସିବିଆଇ ଠାରୁ ଦୂରେଇ ରହିବା ସକାଶେ ୨୦ ହଜାର କୋଟି ଟଙ୍କା ଜରିମାନା ଆଦାୟ କରି ନୀରବ ରହି ଯିବେ, ତାହା ସମୟ କହିବ । ସରକାରଙ୍କ ଭାବମୂର୍ତୀର ପ୍ରଶ୍ନ ହୋଇଥିବାରୁ ନବୀନ ସରକାର କଳଙ୍କ ମୁକ୍ତ ରହିବାକୁ ଶ୍ରୀକାନ୍ତଙ୍କ ଦାବି ମାନି ନେବେ ବୋଲି ରାଜ୍ୟବାସୀ ଆଶା ଭୁଲ ହେବ ନାହିଁ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS