ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ‘ତ୍ରିପଲ୍ ତଲାକ୍’ ଅସାମ୍ବିଧାନିକ
ମୋଅନୁଭବ ମିଡ଼ିଆ
ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଜିର ଐତିହାସିକ ରାୟ ଭାରତରେ ବସବାସ କରୁଥିବା ମୁସଲିମ ସଂପ୍ରଦାୟ ମହିଳାଙ୍କ ପାଇଁ ଏକ ସୁଖଦ ଖବର ହୋଇଛି । ଦୀର୍ଘ ଦିନ ଧରି ସେମାନେ ଏଭଳି ଏକ ରାୟକୁ ଅପେକ୍ଷା କରିଥିଲେ । ଲଗାତର ତିନିଥର ‘ତଲାକ୍’ କହି ପତ୍ନୀଙ୍କୁ ଛାଡପତ୍ର ଦେବା ସହ ସମସ୍ତ ସଂପର୍କ ତୁଟାଇ ଦେଉଥିବା ମୁସଲିମ୍ ସଂପ୍ରଦାୟର ପୁରୁଷମାନଙ୍କ ପାଇଁ ଏହି ରାୟ ଚଡକ ହୋଇଥିବା ବେଳେ ମହିଳାମାନଙ୍କୁ ଆଶ୍ୱସ୍ତ କରିଛିି । ତିନି ଥର ତଲାକ୍ କହି ଛାଡପତ୍ର ଦେବାର ଯେଉଁ ଅସାମ୍ବିଧାନିକ ପରଂପରା ଚାଲି ଆସିଥିଲା, ତାହା ମାନ୍ୟବର ସୁପ୍ରିମ କୋର୍ଟଙ୍କ ଏହି ରାୟ ଦ୍ୱାରା ନିଷିଦ୍ଧ ହୋଇଯିବ ଏବଂ ସେମାନେ ସମ୍ମାନର ସହ ସମାଜରେ ଜିଇଁ ପାରିବେ ବୋଲି ‘ତ୍ରିପଲ୍ ତଲାକ୍’ ବିରୋଧରେ ସଂଗ୍ରାମ ଚଳାଇ ଆସିଥିବା ସାହିରା ବାନୋଙ୍କ ସମେତ ବିଭିନ୍ନ ମୁସଲିମ୍ ମହିଳା ସଂଗଠନ ମତ ପ୍ରକାଶ କରିଛନ୍ତି ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜେଏସ୍ ଖେର୍, ବିଚାରପତି ଶେଖ୍ ଅବଦୁଲ ନଜିର, ବିଚାରପତି କୁରିଆନ ଯୋଶେଫ୍, ବିଚାରପତି ଆର.ଏଫ.ନରିମେନ ଓ ବିଚାରପତି ୟୁ ୟୁ ଲଳିତଙ୍କୁ ନେଇ ଗଠିତ ପାଂଚ ଜଣିଆ ଖଣ୍ଡପୀଠ ଏହି ସ୍ପର୍ଶକାତର ମାମଲାର ବିଚାରଣା କରି ଅଗଷ୍ଟ ୨୨ ତାରିଖ ମଙ୍ଗଳବାର ଦିନ ରାୟ ପ୍ରକାଶ କରିଛନ୍ତି । ଖଣ୍ଡପୀଠର ଦୁଇ ଜଣ ବିଚାରପତି ତିନି ଥର ତଲାକ୍ କହି ପତ୍ନୀଙ୍କୁ ଛାଡପତ୍ର ଦେବା ମୁସଲିମ୍ ସଂପ୍ରଦାୟର ସାମ୍ବିଧାନକ ଅଧିକାରର ଏକ ଅଂଶ କହି ଏହାକୁ ଅସାମ୍ବିଧାନିକ ଘୋଷଣା କରାଯିବା ସପକ୍ଷରେ ନ ଥିଲେ ମଧ୍ୟ ଅନ୍ୟ ତିନି ଜଣ ‘ତ୍ରିପଲ୍ ତଲାକ୍’ କୋରାନ ଅନୁମୋଦିତ ନୁହେଁ ଏବଂ ଏହା ମୁସଲିମ୍ ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି କହି ଏହାକୁ ଅସାମ୍ବିଧାନିକ ଦର୍ଶାଇଛନ୍ତି । ତିନି-ଦୁଇ ମତରେ ‘ତ୍ରିପଲ୍ ତଲାକ୍’ ଅସାମ୍ବିଧାନକ ବୋଲି ରାୟ ପ୍ରକାଶ ପାଇଛି ।ଚୂଡାନ୍ତ ରାୟ ମୁସଲିମ୍ ମହିଳାଙ୍କ ସପକ୍ଷରେ ଯାଇଛି ।
ଦେଶର ମୁଖ୍ୟ ବିଚାରପତି ଜେଏସ୍ ଖେର୍ ଓ ବିଚାରପତି ଅବଦୁଲ ନଜିର ତିନି ତଲାକ୍ ପରଂପରାକୁ ଅସିଦ୍ଧ କରାଯିବା ବିପକ୍ଷରେ ମତ ଦେଇଥିଲେ । ତେବେ, ଛଅ ମାସ ପାଇଁ ଏହାକୁ ନିଷିଦ୍ଧ କରାଯାଇ ସଂସଦରେ ଏକ ବିକଳ୍ପ ଆଇନ ଆଣିବା ପର୍ଯ୍ୟନ୍ତ ସାଂସଦମାନଙ୍କୁ ସମୟ ଦିଆଯିବା ସପକ୍ଷରେ ଦୁହେଁ ମତ ଦେଇଥିଲେ । କିନ୍ତୁ, ବିଚାରପତି କୁରିଆନ ଯୋଶେଫ୍, ଆରଏଫ ନରିମେନ୍ ଓ ୟୁ ୟୁ ଲଳିତ ବିଭିନ୍ନ କାରଣ ଦର୍ଶାଇ ଏହି ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କରାଯିବା ସପକ୍ଷରେ ଦୃଢ ମତ ପ୍ରକାଶ କରି ଏହି ଐତିହାସିକ ରାୟ ଘୋଷଣା ପାଇଁ ବାଟ ଫିଟାଇ ଥିଲେ । ୩୯୫ ପୃଷ୍ଠାର ରାୟରେ ‘ତିନି ଥର ତଲାକ୍ କହି ଛାଡପତ୍ର’ ଦେବା ବ୍ୟବସ୍ଥା କୁରାନ ଅନୁମୋଦିତ ନୁହେଁ ଏବଂ ମୁସଲିମ୍ ମହିଳାଙ୍କ ସମ୍ବିଧାନିକ ଅଧିକାରକୁ ଏକପାଖିଆ ଭାବେ କ୍ଷୁର୍ଣ୍ଣ କରୁଛି ବୋଲି ଦର୍ଶାଯାଇ ଏହି ବ୍ୟବସ୍ଥାକୁ ନିଷିଦ୍ଧ କରାଯିବା ସପକ୍ଷରେ ମତ ପ୍ରକାଶ ପାଇଛି ।
‘ତ୍ରିପଲ୍ ତଲାକ୍’ ନିଷିଦ୍ଧ କରାଯିବା ପାଇଁ ସାହିରା ବାନୋଙ୍କ ସମେତ ପାଂଚ ଜଣ ମହିଳାଟ୍ରିଟ୍ ପିଟିସନ୍ ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଣା ଚାଲି ଥିଲା । ଗତ ମେ’ ମାସରେ ସବୁ ପକ୍ଷର ଶୁଣାଣୀ ଶେଷ କରିବା ପରେ ଖଣ୍ଡପୀଠ ରାୟ ସଂରକ୍ଷିତ ରହିଥିଲା । ମଙ୍ଗଳବାର ଏହି ବହୁ ପ୍ରତିକ୍ଷୀତ ରାୟ ପ୍ରକାଶ ପାଇଛି । ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ୍ ଲ’ ବୋର୍ଡ ‘ତ୍ରିପଲ୍ ତଲାକ୍’କୁ ମୁସଲିମ୍ ସଂପ୍ରଦାୟର ଏକ ଧାର୍ମୀକ ଭାବନା ବୋଲି ଉଲ୍ଲେଖ କରି ଏହି ପ୍ରଥା ନିଷିଦ୍ଧ କରାଯିବା ବିରୋଧରେ ଦୃଢ ମତ ପ୍ରକାଶ କରିଥିଲା । ତେବେ, ସମଗ୍ର ଭାରତରେ ଥିବା ମୁସଲିମ୍ ମହିଳାମାନେ ସଂଗଠିତ ଭାବେ ‘ତ୍ରିପଲ୍ ତଲାକ୍’ ବ୍ୟବସ୍ଥାର ଉଚ୍ଛେଦ ପାଇଁ ଦାବି କରି ଆସୁଥିଲେ । ରାୟ ପ୍ରକାଶ ପରେ ଏହି ମହିଳା ସଂଗଠନମାନେ ତାହାକୁ ସ୍ୱାଗତ କରିଛନ୍ତି ଏବଂ ତୁରନ୍ତ ତାହାକୁ କାର୍ଯକାରୀ କରାଯିବାକୁ ସର୍ବେଚ୍ଚ ନ୍ୟାୟାଳୟକୁ ନିବେଦନ କରିଛନ୍ତି । ସୁପ୍ରିମ କୋର୍ଟଙ୍କ ରାୟ ମୁସଲିମ୍ ମହିଳାଙ୍କ ଶାରୀରିକ ଶୋଷଣ ଓ ନିର୍ଯାତନାରୁ ମୁକ୍ତି ଦେଇଛି ବୋଲି ମହିଳା ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି ।
ଉତ୍ତରାଖଣ୍ଡ ବାସିନ୍ଦା ସାହିରା ବାନୋ (୩୫) ତାଙ୍କ ମା’ ଘରକୁ ବୁଲି ଯାଇଥିବା ବେଳେ ସ୍ୱାମୀ ରିଜୱାନ ଅହମ୍ମଦ ୨୦୧୫ ଅକ୍ଟୋବର ୧୫ ତାରଖରେ ଚିଠି ଲେଖି ତିନି ଥର ତଲାକ୍ ଜଣାଇ ବିବାହ ବିଚ୍ଛେଦ କରିଥିଲେ । ଏଥିରେ ଦୁଇ ଜଣଙ୍କୁ ସାକ୍ଷୀ ରଖା ଯାଇଥିଲା । ଆଲହାବାଦରେ ଘରବାଡି ବ୍ୟବସାୟ କରୁଥିବା ରିଜୱାନ ତାଙ୍କ ନାବାଳକ ପୁଅ ଦୁଇ ଜଣଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ । ନିର୍ଯାତିତା ସାହିରା ଅନ୍ୟ ଉପାୟ ନ ପାଇ ‘ତ୍ରିପଲ୍ ତଲାକ୍’ ବିରୋଧରେ ଲଢେଇ ଆରମ୍ଭ କରି ଥିଲେ । ୨୦୧୬ ଫେବୃଆରୀ ୨୩ ତାରିଖରେ ସେ ଏକ ରିଟ୍ ପିଟିସନ୍ ମାଧ୍ୟମରେ ସିୁପ୍ରିମ କାର୍ଟଙ୍କ ଦ୍ୱାରସ୍ଥ ହୋଇ ‘ତ୍ରିପଲ୍ ତଲାକ୍’ ଭଳି ଏକ କୁପ୍ରଥାର ଉଚ୍ଛେଦ କରାଯିବାକୁ ନିବେଦନ କରିଥିଲେ । ପରେ ଅନ୍ୟ କିଛି ପୀଡ଼ିତା ମହିଳା ଅନୁରୂପ ରିଟ୍ ପିଟିସନ ଦାଏର କରି ସର୍ବୋଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ଲୋଡି ଥିଲେ । ମଙ୍ଗଳବାର ପ୍ରକାଶ ପାଇଥିବା ମାନ୍ୟବର ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ରାୟକୁ ସାହିରା ସ୍ୱାଗତ କରିବା ସହ ଏହା ଏକ ‘ ଐତିହାସିକ ରାୟ’ ବୋଲି କହିଛନ୍ତି । ତୁରନ୍ତ ତାହା କାର୍ଯ୍ୟକାରୀ କରାଯିବା ସକାଶେ ସେ ନିବେଦନ କରିଛନ୍ତି ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ୱିଟ୍ କରି ସୁପ୍ରିମ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି । ଏହି ରାୟ ଦେଶରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସହାୟକ ହେବ ବୋଲି ମୋଦୀ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS