ମୁଖ୍ୟମନ୍ତ୍ରୀ ସୋମବାର କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲ ଲୋକାର୍ପଣ କଲେ
କୋରାପୁଟ, ୫ ସେପ୍ଟେମ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଏଠାରେ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲ ଉଦ୍ଘାଟନ କରିଛନ୍ତି । ଏହି ମେଡ଼ିକାଲ କଲେଜ ଓ ହସପିଟାଲ କାର୍ଯ୍ୟକ୍ଷମ ହେବା ଫଳରେ ଉପାନ୍ତ କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ମାଲକାନଗିରି ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିଛନ୍ତି । ପୂର୍ବରୁ, ଏହି ଦକ୍ଷିଣାଂଚଳ ଜିଲ୍ଲାର ରୋଗୀମାନେ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସହର ଉପରେ ଚିକିତ୍ସା ପାଇଁ ନିର୍ଭର କରୁଥିଲେ । ଗରୀବ ରୋଗୀମାନେ ୩୦୦ କିମିରୁ ଅଧିକ ଦୂର ବ୍ରହ୍ମପୁର ମେଡ଼ିକାଲ କଲେଜ ଓ ହସପିଟାଲକୁ ଆସିବାକୁ ବାଧ୍ୟ ହେଉଥିଲେ । ବହୁ ଦିନର ପ୍ରତୀକ୍ଷିତ ଏହି ମେଡ଼ିକାଲ କଲେଜ ହସପିଟାଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ଫଳରେ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । କୋରାପୁଟରେ ମେଡ଼ିକାଲ କଲେଜ ହସପିଟାଲ ପ୍ରତିଷ୍ଠା ପାଇଁ କଂଗ୍ରେସ ସରକାର ଅମଳରୁ ଅର୍ଥବରାଦ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାକୁ ଉଦ୍ଘାଟନ କରି ଶ୍ରେୟ ନେଉଛନ୍ତି ବୋଲି କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ସୋମବାର ଏଠାରେ କହିଥିବା ବେଳେ ବିଜେଡ଼ର ପୂର୍ବତନ ବିଧାୟକ ରବି ନନ୍ଦ ତାହାକୁ ଖଣ୍ଡନ କରି ସଂପୂର୍ଣ୍ଣ ଶ୍ରେୟ ବିଜେଡ଼ିର ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓଡ଼ିଶାର ଏହି ଚତୁର୍ଥ ମେଡ଼ିକାଲ କଲେଜ ହସପିଟାଲକୁ ଉଦ୍ଘାଟନ କରି ଏହାଦ୍ୱାରା ଦୀର୍ଘ ବର୍ଷର ସ୍ୱପ୍ନ ସାକାର ହୋଇଛି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏହି ମେଡ଼ିକାଲ କଲେଜ ହସପିଟାଲ ପ୍ରତିଷ୍ଠା ଦ୍ୱାରା ରାଜ୍ୟରେ ମେଡ଼ିକାଲ ସିଟ୍ ସଂଖ୍ୟା ୮୫୦କୁ ବୃଦ୍ଧି ପାଇଛି । ରାଜ୍ୟରେ ଆଉ ୨୦୦ ମେଡ଼ିକାଲ ସିଟ୍ ବୃଦ୍ଧି କରି ତାହା ୧୦୦୦ରେ ପହଂଚାଇବା ସରକାରଙ୍କ ଲକ୍ଷ୍ୟ ରହିଛି । କୋରାପୁଟରେ ପ୍ରତିଷ୍ଠିତ ଏହି ୧୦୦ ସିଟ୍ ବିଶିଷ୍ଟ ମେଡ଼ିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ସରି ପ୍ରଥମ ବ୍ୟାଚ୍ର ପାଠ ପଢା ଆରମ୍ଭ ହୋଇଛି । ଶ୍ରେଣୀ କକ୍ଷ, ଲାବୋରେଟୋରୀ, ହଷ୍ଟେଲ୍ ଓ ଅଫିସ ଗୃହ ନିର୍ମାଣ କାର୍ଯ୍ୟ ସରିଛି । ୧୯୨ କୋଟି ଟଙ୍କାରେ ନିର୍ମିର୍ତ ଏହି ମେଡ଼ିକାଲ କଲେଜ ହସପିଟାଲ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲା ସମେତ ଆଖପାଖ ଅଂଚଳକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ପାରିବ ଏବଂ ରାଜ୍ୟରେ ଡାକ୍ତର ଅଭାବ ସମସ୍ୟାର ସମାଧାନରେ ବହୁମାତ୍ରାରେ ସହାୟକ ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋରାପୁଟ ମେଡ଼ିକାଲ କଲେଜରେ ଆଡମିଶନ ନେଇ ଥିବା ବାହାର ରାଜ୍ୟର ଛାତ୍ରଛାତ୍ରୀମାନେ ଏଠାକାର ପ୍ରାକୃତିକ ପରିବେଶ ଏବଂ ନୂତନ ଶିକ୍ଷାନୁଷ୍ଠାନରେ ମେଡ଼ିକାଲ ଶିକ୍ଷା ପାଇଁ ଥିବା ସମସ୍ତ ସୁବିଧାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ର ୬ ତାରିଖ ଦିନ ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସପିଟାଲ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାଛଡା, ବାଲେଶ୍ୱର ଓ ବଲାଙ୍ଗୀରରେ ଆଉ ଦୁଇଟି ମେଡ଼ିକାଲ କଲେଜ ପ୍ରତିଷ୍ଠା ହୋଇ ଆସନ୍ତା ବର୍ଷ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୋମବାର ଦିନ ସୂଚନା ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS