ବିଜେପୁରକୁ ନେଇ ବାକ୍ ଯୁଦ୍ଧ, କାହାର ବିଲୟ ଘଟିବ -ବିଜେଡ଼ିର ନା କଂଗ୍ରେସର?
– ପ୍ରସାଦ ରାଓ –
ଭୁବନେଶ୍ୱର,୨୮ ସେପ୍ଟେମ୍ବର: ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଉପ ନିର୍ବାଚନକୁ ନେଇ କଂଗ୍ରେସ, ବିଜେପି ଓ ବିଜେଡ଼ି ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ବଢିବାରେ ଲାଗିଛି । ବିଜେପି ଶାସକ ଦଳର ଜଣେ ପୂର୍ବତନ ବିଧାୟକଙ୍କ ମାଧ୍ୟମରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାଠଗଡାକୁ ଟାଣି ଥିବା ବେଳେ ବିଜେଡ଼ି ଉପ ସଭାପତି ତଥା ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଜେପୁରରେ କଂଗ୍ରେସର ଆଉ ସତ୍ତା ନାହିଁ, ସୁବଳ ସାହୁଙ୍କ ପରିବାର ବିଜେଡ଼ିରେ ମିଶିବା ପରେ କଂଗ୍ରେସ ବିଜେଡ଼ିରେ ବିଳୟ ହୋଇଯାଇଛି ବୋଲି କହି ‘କଂଗ୍ରେସ ମହୁ ଫେଣା’ରେ ହାତ ମାରିଛନ୍ତି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରତିକ୍ରିୟା ବ୍ୟକ୍ତ କରି ନଥିଲେ ମଧ୍ୟ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରି ନବୀନ ପଟ୍ଟନାୟକ ଦୁଇ, ତିନି ବର୍ଷ ପରେ ଅବସର ନେଲେ ବିଜେଡ଼ିର ସତ୍ତା ରହିବ ନାହିଁ, ଦଳ କଂଗ୍ରେସରେ ବିଲୟ ହେବ ବୋଲି ମନ୍ତ୍ରୀ ପାତ୍ରଙ୍କୁ ପାଲଟା ଜବାବ ଦେଇଛନ୍ତି ।
ବିଜେପୁରର ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ଗତ ୨୩ ତାରିଖ ନିଜ ପରିବାର ଓ ସମର୍ଥକମାନଙ୍କ ସହ ବିଜେଡ଼ିରେ ଯୋଗ ଦେବା ପରେ ବିଜେଡ଼ି, ବିଜେପି ଓ କଂଗ୍ରେସରେ ରାଜନୈତିକ ପାଣିପାଗ ଝଡର ରୂପ ନେଉଛି । ବିଜେଡ଼ି ବିଜେପୁର ଆସନ ନିଜ ଦଖଲକୁ ନେବା ସକାଶେ ‘ଅନୁକଂପା’ ଭୋଟର ମୁକାବିଲା କଲା ଭଳି ଜଣେ ପ୍ରାର୍ଥୀଙ୍କ ତଲାସରେ ଥିଲା । ଦିଗଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରାଜ୍ୟ କଂଗ୍ରେସ ନେତୃବର୍ଗଙ୍କ ଉପରେ ଆସ୍ଥା ରଖି ନ ପାରି ବିଜେଡ଼ିରେ ଯୋଗ ଦେବାକୁ ନିଷ୍ପତ୍ତି ଘୋଷଣା କରିଥିଲେ । ତାଙ୍କୁ ଦଳ ଭିତରେ ଆବଦ୍ଧ ରଖି ପ୍ରାର୍ଥୀ କରିବା ସକାଶେ କଂଗ୍ରେସ ଆଡୁ ମଧ୍ୟ କୌଣସି ପ୍ରୟାସ ହୋଇ ନଥିଲା । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁଯୋଗକୁ ହାତଛଡା ନ କରି ରୀତାଙ୍କୁ ବିଜେଡ଼ି ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଦେଇ ବିଜେଡ଼ିକୁ ଟାଣି ଥିଲେ । ରୀତା ବିଜେଡ଼ିରେ ଯୋଗ ଦେବା ପରେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳର କିଛି ପଶ୍ଚିମ ଓଡ଼ିଶା ନେତା ବିଭ୍ରାନ୍ତି ସୃଷ୍ଟି ଉଦ୍ୟମ କରିଥିଲେ । ତେବେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଦଳରେ ବିଦ୍ରୋହର ପଦଧ୍ୱନୀ ସତ୍ୱେ ନିଜ ପ୍ରତିଶ୍ରୁତି ରକ୍ଷା କରି ସୋମବାର ଦିନ ରୀତାଙ୍କୁ ବିଜେପୁର ବିଧାନସଭା ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଜେଡ଼ିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜ ଆଭିମୁଖ୍ୟରେ ପରିବର୍ତନ କରି ରୀତାଙ୍କ ବିଜୟ ନିଶ୍ଚିତ ବୋଲି କହିଥିବା ବେଳେ ଆଉ କିଛି ନେତା ଏହି ନିଷ୍ପତ୍ତି ବିରୋଧରେ ଦଳର ନେତୃତ୍ୱକୁ ଚ୍ୟାଲେଂଜ କରିବାକୁ ପଛାଇ ନାହାନ୍ତି । ପୂର୍ବତନ ବିଜେଡ଼ି ବିଧାୟକ ଅଶୋକ ପାଣିଗ୍ରାହୀ ବିଜେଡ଼ି ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ । ରୀତାଙ୍କ ନାମ ଘୋଷଣା ପରେ ସେ ଦଳରେ ବିଭ୍ରାନ୍ତି ସୃଷ୍ଟି ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି । ତାଙ୍କ ପଛରେ ବିଜେପିର ସମର୍ଥନ ଥିବା କୁହାଯାଉଛି । ନବୀନଙ୍କୁ କାଠଗଡାକୁ ଟାଣିବା ସକାଶେ ପାଣିଗ୍ରାହୀଙ୍କ ସଦ୍ୟ ଅଭିଯୋଗ ହେଉଛି, ୨୦୧୪ ନିର୍ବାଚନରେ ବିଜେପୁର ଆସନରୁ ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ହରାଇବା ସକାଶେ ତାଙ୍କୁ ମୋହରା ଭାବେ ବ୍ୟବହାର କରାଯାଇଥିଲା । ଦିବଙ୍ଗତ ବିଜେଡ଼ି ନେତା କଳ୍ପତରୁ ଦାସଙ୍କ ଇଂଗିତରେ ସେ ବିଦ୍ରୋହୀ ପ୍ରାର୍ଥୀ ହୋଇଥିଲେ ଏବଂ ଏହା ପଛରେ ନବୀନଙ୍କ ସହମତି ଥିବା ତାଙ୍କୁ କୁହାଯାଇ ଥିିଲା । ପାଣିଗ୍ରାହୀ ଭୋଟ ବିଭାଜନ କରିବାରୁ କମ୍ ଭୋଟରେ ଆଚାର୍ଯ୍ୟ ହାରିଥିଲେ । ପାଣୀଗ୍ରାହୀ ବିଜେପିରେ ଯୋଗ ଦେଉ ଥିବା ସଂପର୍କରେ କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା । ବର୍ତମାନ ବିଜେପୁର ଉପ ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନାକୁ ନେଇ ଚର୍ଚ୍ଚା ହେଉଛି । ତେଣୁ, ସେ ବିଜେପି ଇଂଗିତରେ ବିଜେଡ଼ିରେ ବିଭେଦ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ବିଜେଡ଼ି ପକ୍ଷରୁ ଅଭିଯୋଗ ହୋଇଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ହରାଇବା ସକାଶେ ତାଙ୍କୁ (ଅଶୋକଙ୍କୁ) ମୋହରା ଭାବେ ବ୍ୟବହାର କରାଯାଇଥିବା ଅଭିଯୋଗକୁ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ମଧ୍ୟ ‘ଡ଼ାହା ମିଛ’ କହି ଦୃଢ ଅସ୍ୱୀକାର କରିଛନ୍ତି । ନବୀନ ନିଜ ଆଡୁ ରୀତା ସାହୁଙ୍କୁ ବିଜେଡ଼ି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ସତ୍ୱେ ବରଗଡ଼ ଜିଲ୍ଲା ବିଜେଡ଼ିରେ ବିଦ୍ରୋହ ଥମିବା ନା’ ନେଉ ନାହିଁ । କିଛି ବିଜେଡ଼ି ନେତା ରୀତାଙ୍କୁ ‘ରାହୁଲ-ବିଜେଡ଼ି’ ବୋଲି ଆକ୍ଷେପ କରି ବୟାନବାଜୀ କରୁଥିବା ଦେଖିବାକୁ ମିଳୁଛି, ଯାହାକି ବିଜେପିକୁ ସୁହାଇଲା ଭଳି ହୋଇଛି । ଏହି ପରିସ୍ଥିତିରେ, ରାଜ୍ୟ ବିଜେଡ଼ି ଉପ ସଭାପତି ରାଜ୍ୟ ଖାଦ୍ୟ, ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ବିଦ୍ରୋହୀଙ୍କୁ ଚିମୁଟିଲା ଭଳି ମନ୍ତବ୍ୟ ଦେଇ ନିଆଁରେ ଘିଅ ଢାଳୁ ଥିବା ଅଭିଯୋଗ ହେଉଛି । ରୀତା ସାହୁ ବହୁ ସଂଖ୍ୟାରେ କଂଗ୍ରେସ ସମର୍ଥକଙ୍କ ସହ ବିଜେଡ଼ିରେ ଯୋଗଦାନ କରିଥିବାରୁ ବିଜେପୁରରେ କଂଗ୍ରେସ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି ବୋଲି ମନ୍ତବ୍ୟ ଦେଇ ପାତ୍ର କହିଛନ୍ତି ଯେ, କଂଗ୍ରେସର ବହୁ ନେତା ଇତିମଧ୍ୟରେ ଦଳ ଛାଡିଛନ୍ତି । ଫଳରେ, ରାଜ୍ୟରେ କଂଗ୍ରେସ ବିଜେଡ଼ିରେ ବିଲିନ ହେବାରେ ଲାଗିଛି । ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ବିଜେଡ଼ିରେ ବିଲିନ ହେବା ଛଡା ଅନ୍ୟ ଗତି ନାହିଁ କହି ମନ୍ତ୍ରୀ କଂଗ୍ରେସ-ବିଜେଡ଼ି ବାକ୍ ଯୁଦ୍ଧର ସୂତ୍ରପାତ କରିଛନ୍ତି । ପିସିସି ଏହାର ଉତ୍ତର ଦେଉ ବା ନ ଦେଉ ରାଜ୍ୟରେ କଂଗ୍ରେସର ମଂଗ ଧରିବାକୁ ଆଶାୟୀ ଥିବା ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କିନ୍ତୁ ତୁରନ୍ତ ଉତ୍ତର ରଖିଛନ୍ତି । ମନ୍ତ୍ରୀଙ୍କ ମନ୍ତବ୍ୟକୁ ଖଣ୍ଡନ କରି ସେ କହିଛନ୍ତି ଯେ, ପାତ୍ର ଯାହା କହିଛନ୍ତି ସେଥିରେ ସତ୍ୟତା ରହିଛି । ତେବେ, କଂଗ୍ରେସ ବିଜେଡ଼ିରେ ନୁହେଁ, ବିଜେଡ଼ି କଂଗ୍ରେସରେ ବିଲିନ ହେବାକୁ ଯାଉଛି । ଓଡ଼ିଶାରେ ନବୀନଙ୍କୁ ନେଇ ବିଜେଡ଼ି । ନବୀନ ଅତି ବେଶିରେ ଆଉ ଦୁଇରୁ ତିନି ବର୍ଷ ଭିତରେ ଅବସର ନେବାକୁ ଯାଉଛନ୍ତି । ନବୀନ ଅବସର ନେବା ପରେ ବିଜେଡ଼ି ନେତାଏ କଂଗ୍ରେସରେ ମିଶିବାକୁ ଧାଇଁବେ ଏବଂ ବିଜେଡ଼ିର ସତ୍ତା ଲିଭି ଯିବ । ବିଜେପୁର ବିଧାନସଭା ଉପ ନିର୍ବାଚନ ପ୍ରେକ୍ଷାପଟ୍ଟରେ ବିଜେଡ଼ି ମନ୍ତ୍ରୀ ପାତ୍ର ଓ ପୂର୍ବତନ ପିସିସି ସଭାପତି ପଟ୍ଟନାୟକଙ୍କ ମଧ୍ୟରେ ଏଭଳି ହାଲ୍କା ବାକ୍ୟ ବିନିମୟ ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏକ ‘ୱାର୍ମଅପ୍ ଗେମ୍’ ବୋଲି ତଥ୍ୟାଭିଜ୍ଞ ମହଲରେ ଏବେ ଚର୍ଚ୍ଚା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS