‘ମିଶ୍ରଣ ପର୍ବ’ ବିଜେପିର ଦୁର୍ବଳତା ପଦାରେ ପକାଇଛି


– ପ୍ରସାଦ ରାଓ –
ଭୁବନେଶ୍ୱର, ୩ ଅକ୍ଟୋବର: ବରଗଡ଼ ଜିଲ୍ଲାର ବରପାଲିଠାରେ ସୋମବାର ଅନୁଷ୍ଠିତ ‘ମିଶ୍ରଣ ପର୍ବ’ ବିଜେପିର ଦୁର୍ବଳତାକୁ ପଦାରେ ପକାଇଛି । ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ବିଧିବଦ୍ଧ ଭାବେ ବିଜେପିରେ ଗ୍ରହଣ କରାଗଲା ବୋଲି ବିଜେପୁର ଭୋଟରଙ୍କୁ ଜଣାଇବା ସକାଶେ ଏହି ପର୍ବର ଆୟୋଜନ କରାଯାଇଥିଲା । ପାଣିଗ୍ରାହୀ ତାଙ୍କ ସମର୍ଥକମାନଙ୍କ ସହ ବିଜେପିରେ ଯୋଗ ଦେଇଥିବା ଦଳର ବରିଷ୍ଠ ନେତାମାନେ ମଂଚ ଉପରେ ଘୋଷଣା କଲା ବେଳେ ଏତେଦୂର ଉତ୍ସାହିତ ଜଣା ପଡୁଥିଲେ ଯେ ପାଣିଗ୍ରାହୀଙ୍କ ବିନା ବିଜେପିର ‘୨୦୧୯ ସ୍ୱପ୍ନ’ ସାକାର ହୋଇ ନ ଥା’ନ୍ତା, ଏଭଳି ଏକ ବାତାବରଣ ଦୃଶ୍ୟମାନ ହୋଇଥିଲା । ପାଣିଗ୍ରାହୀ ମଧ୍ୟ ଅତି ଉତ୍ସାହର ସହ ୨୦୧୯ରେ ୧୨୦ରୁ ଅଧିକ ବିଧାନସଭା ଆସନ ଦଖଲର ଅଭିଯାନ ଏହିଠାରୁ ଆରମ୍ଭ ହେଲା ବୋଲି ବିଜେପିର ତୁଂଗ ନେତାମାନଙ୍କ ଗହଣରେ ଉଦ୍ଘୋଷଣ କରିଥିଲେ । ବିଜେପୁର ବିଧାନସଭା ଉପ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଘୋଷିତ ହୋଇଥିବା ରୀତା ସାହୁଙ୍କୁ ମୁକାବିଲା କରିବା ସକାଶେ ବିଜେପିର କେହି ପ୍ରାର୍ଥୀ ନଥିଲେ, ପୂର୍ବତନ ବିଧାୟକ ପାଣିଗ୍ରାହୀ ଏହି କମି ପୂରଣ କରିଛନ୍ତି – ଏଭଳି ଏକ ବାର୍ତା ସୋମବାରର ‘ମିଶ୍ରଣ ପର୍ବ’ ମାଧ୍ୟମରେ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ବିଜେପୁରର ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ବିଧିବଦ୍ଧ ଭାବେ ନିଜ ସମର୍ଥକଙ୍କ ସହ ବିଜେଡ଼ିରେ ଯୋଗ ଦେବା ପରେ ପୂର୍ବତନ ବିଜେଡ଼ି ବିଧାୟକ ପାଣିଗ୍ରାହୀଙ୍କ ଦଳୀୟ ଟିକଟ ପାଇବା ଆଶା ମଉଳି ଯାଇଥିଲା । ତେଣୁ, ସେ ବିଜେପିରେ ଯୋଗ ଦେବାକୁ ଗୋଡ କାଢି ବସିଥିଲେ । ରୀତାଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ନେଇ ବରଗଡ ଜିଲ୍ଲାର ବିଜେଡ଼ି ନେତାଙ୍କ ଆଡୁ ଚାପା ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ପରିବର୍ତନ କରି ପାରନ୍ତି ବୋଲି ପାଣିଗ୍ରାହୀ ଆଶା କରିଥିଲେ । ତାହା ନ ହେବାରୁ ଏବଂ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରୀତାଙ୍କ ପ୍ରାର୍ଥୀତ୍ୱ ନେଇ ସୃଷ୍ଟି ହୋଇଥିବା କୁହେଳିକୁ ଦୂର କରିବା ସକାଶେ ରୀତାଙ୍କୁ ହିଁ ଦଳ ଆଡୁ ପ୍ରାର୍ଥୀ କରାଯିବ ବୋଲି ତୁରନ୍ତ ଘୋଷଣା କରିବାରୁ ପାଣିଗ୍ରାହୀ ବିଜେପିରେ ଯୋଗ ଦେବା ପ୍ରସ୍ତୁତିକୁ ତ୍ୱରାନ୍ୱୀତ କରିଥିଲେ । ବିଜେଡ଼ିରେ ବିଦ୍ରୋହର ମଂଜି ବୁଣିବା ସକାଶେ ୨୦୧୪ ବିଧାନସଭା ନିର୍ବାଚନରେ ଦଳର ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇବା ସକାଶେ ତାଙ୍କୁ ବିଦ୍ରୋହୀ ପ୍ରାର୍ଥୀ ଭାବେ ମଇଦାନକୁ ଛଡା ଯାଇଥିଲା ବୋଲି ସେ ବାଣ ଛାଡିବା ସହ ଦଳର ତକ୍ରାଳୀନ ବରିଷ୍ଠ ନେତା କଳ୍ପତରୁ ଦାସ ତାଙ୍କୁ ପ୍ରାର୍ଥୀ ହେବାକୁ ପ୍ରବର୍ତାଇ ଥିବା ଏବଂ ଏହା ପଛରେ ବିଜେଡ଼ି ସୁପ୍ରିମୋଙ୍କ ସମର୍ଥନ ରହିଛି ବୋଲି ତାଙ୍କୁ କୁହାଯାଇଥିବା ସୂଚନା ଦେଇଥିଲେ । ଏହାଦ୍ୱାରା,୨୦୧୪ ନିର୍ବାଚନରେ ବିଜେପୁର ଆସନରୁ ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ହାରିବା ପଛରେ ଦଳର ମୁଖ୍ୟ ନବୀନଙ୍କ ହାତ ଥିଲା ବୋଲି ସେ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ନିକଟରେ ବାର୍ତା ପହଂଚାିବାକୁ ଚାହିଁ ଥିଲେ । କଳ୍ପତରୁ ଜୀବୀତ ନ ଥିବାରୁ ପାଣିଗ୍ରାହୀଙ୍କ ଅଭିଯୋଗର ସତ୍ୟାସତ୍ୟ ଜାଣିବା ଉପାୟ ନାହିଁ । ତେବେ, ପାଣିଗ୍ରାହୀଙ୍କ ଏହି ଗୁଗ୍ଲିକୁ ନବୀନ ‘ପୁରା ମିଛ’ କହି କାଟି ଦେଇଛନ୍ତି । ଏବେ, ପାଣିଗ୍ରାହୀଙ୍କ ବିଜେପିରେ ଯୋଗଦାନ ଭଳି ‘ବିଜେପୁର ଉପ ନିର୍ବାଚନରୁ ଓଡ଼ିଶାରେ ବିଜେପିର ବିଜୟ ପର୍ବ ଆରମ୍ଭ’ ବୋଲି ରାଜ୍ୟ ବିଜେପି ବରିଷ୍ଠ ନେତାମାନଙ୍କ ‘ମିଶ୍ରଣ ପର୍ବ’ ଅବସରରେ ବାହାସ୍ପୋଟକୁ ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡ଼ିର ବରିଷ୍ଠା ନେତାମାନେ ‘ଫୁସ୍କି’ ମାରି ଉଡାଇ ଦେଇଛନ୍ତି । ବିଜେପୁର ଉପ ନିର୍ବାଚନ ବା ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର କୌଣସି ପ୍ରଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାମାନେ ସେମାବାର ‘ମିଶ୍ରଣ ପର୍ବ’କୁ ନେଇ ପ୍ରତିକ୍ରିୟାରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ରୀତା ସାହୁଙ୍କ ଉପ ନିର୍ବାଚନରେ ବିଜେପୁରରେ ପ୍ରଚାର କରିବେ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ପ୍ରଚାର ପାଇଁ ଯିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଡୁ ସ୍ପଷ୍ଟ କରି ଦିଆଯାଇଛି ।
ସୋମବାର ବରପାଲିଠାରେ ଆୟୋଜିତ ‘ମିଶ୍ରଣ ପର୍ବ’ରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଓଡ଼ିଶା ଦାୟିତ୍ୱରେ ଥିବା ବିଜେପି ପ୍ରଭାରୀ ଅରୁଣ ସିଂହ, ଦୁଇ କେନ୍ଦ ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଜେପିର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି । ସାହୁ ପୂର୍ବତନ ବିଧାୟକ ପାଣିଗ୍ରାହୀଙ୍କୁ ବିଜେପିରେ ନିଆଯିବା ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ତାଙ୍କୁ ମନାଇବା ସକାଶେ ଦଳର ବରିଷ୍ଠ ନେତାମାନେ ଉଦ୍ୟମ କରୁଥିବା ଦଳର ପୂର୍ବତନ ସଭାପତି ସିଂହଦେଓ ସୂଚନା ଦେଇଛନ୍ତି । ବିଜେପୁରର ପୂର୍ବତନ ବିଧାୟକ ପାଣିଗ୍ରାହୀଙ୍କୁ ସୋମବାର ଦଳରେ ଗ୍ରହଣ କରାଯାଇଥିଲେ ମଧ୍ୟ ବିଜେପୁର ଉପ ନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ କରାଯାଉଥିବା ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ । ତେବେ, ଏହି ଉତ୍ସବ କେବଳ ପାଣିଗ୍ରାହୀଙ୍କୁ ଦଳରେ ଗ୍ରହଣ କରିବା ସକାଶେ ଥିଲା, ଦଳ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ସିଂହଦେଓ କହିଛନ୍ତି । ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ସେମାବାର ‘ମିଶ୍ରଣ ପର୍ବ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରି ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ସରକାର ଚାଷିଙ୍କ ପାଇଁ କୃଷି ଋଣ ଛାଡ କରିଥିବା ବେଳେ ଓଡ଼ିଶାର ନବୀନ ସରକାର ଚାଷିଙ୍କ ପ୍ରତି ଅବହେଳା କରି ଆସୁୁଥିବା ଅଭିଯୋଗ କରିଛନ୍ତି ।
ଏଥର ଅଧିକାର ପାଇଁ ଲଢେଇ ହେବ । ବିଜେପୁର ଉପ ନିର୍ବାଚନରେ ବିଜେଡ଼ି ‘ଅନୁକଂପା ଭୋଟ’ ଉପରେ ଆଶ୍ରିତ ହୋଇ ଭୋଟ ଲଢୁଥିବା ବେଳେ ଭୋଟର ତାହାକୁ ପ୍ରତ୍ୟାଖାନ କରି ସରକାର ବିରୋଧରେ ଥିବା ଅସନ୍ତୋଷର ପରିପ୍ରକାଶ କରିବେ ବୋଲି ବିଜେପି ଦୃଢତାର ସହ କହିଛି । ତେବେ, ବିଜେପିର ‘ବିଜେଡ଼ି ଭୋଟ ବିଭାଜନ’ ରାଜନୀତି ବିଜେପୁର ଉପ ନିର୍ବାଚନରେ କାଟୁ କରିବ ନାହିଁ ବୋଲି ବିଜେଡ଼ି ପାଲଟା ଉତ୍ତର ଦେଇଛି । ଦୁଇ ମାଙ୍କଡ଼ଙ୍କ କଳିରୁ ବିଲେଇ ଫାଇଦା ନେଲା ଭଳି କଂଗ୍ରେସ ବିଜେପି-ବିଜେଡ଼ି କଳିରୁ ଫାଇଦା ନେବା ଲକ୍ଷ୍ୟରେ ଥିବା ଜଣାପଡିଛି । ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଭୟ ବିଜେଡ଼ି ଓ ବିଜେପିକୁ କଟୁ ସମାଲୋଚନା କରିଛନ୍ତି । ଦୁଇ ଦଳର ସରକାର ଜନତାଙ୍କ ସମସ୍ୟା ପ୍ରତି କେବେ ଧ୍ୟାନ ଦେଇ ନାହାନ୍ତି ବୋଲି ସେ କାଲିର ‘ମିଶ୍ରଣ ପର୍ବ’ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ତେବେ, ବିଜେପୁର ଉପ ନିର୍ବାଚନକୁ ନେଇ କଂଗ୍ରେସ ତାହାର ରଣନୀତି ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନ ଥିବାରୁ ପୁରୁଣା ଗଡ଼ ରକ୍ଷା ଦିଗରେ ଦଳ ଆଗ୍ରହୀ ଥିବା ଭଳି ଜଣାପଡୁ ନାହିଁ । ୨୦୦୪ରୁ ଏହି ବିଧାନସଭା ଆସନ ଦଳର ଗଡ଼ ରହି ଆସିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS