୨୦୧୮ ସେପ୍ଟେମ୍ବର ପରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି କରିବାକୁ ନିର୍ବାଚନ କମିସନ ପ୍ରସ୍ତୁତ
ଭୁବନେଶ୍ୱର, ୫ ଅକ୍ଟୋବର: ସରକାରଙ୍କ ଆଡୁ ପ୍ରସ୍ତାବ ଆସିଲେ ଆସନ୍ତା ବର୍ଷ ସେପ୍ଟେମ୍ବର ପରେ ଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି କରିବାକୁ ନିର୍ବାଚନ କମିସନ ପ୍ରସ୍ତୁତ ଅଛନ୍ତି ବୋଲି ନିର୍ବାଚନ କମସିନର ଓ.ପି. ରାୱତ ବୁଧବାର ଭୋପାଳଠାରେ କହିଛନ୍ତି । ଏହା ଦ୍ୱାରା ଶତାଧିକ କୋଟି ଟଙ୍କାର ନିର୍ବାଚନ ଖର୍ଚ୍ଚ ବଂଚିବ ବୋଲି ସେ ମତ ଦେଇଛନ୍ତି ।
ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ଦେଶରେ ନିର୍ବାଚନ ବାବଦ ଖର୍ଚ୍ଚ କମାଇବା ସକାଶେ ବିଧାନସଭା ସହ ଲୋକସଭା ନିର୍ବାଚନ ଏକାଠି କରାଯିବା ସପକ୍ଷରେ ମତ ଦେଇଥିଲେ । ସେ ଦୃଷ୍ଟିରୁ ନିର୍ବାଚନ କମିସନର ରାୱତ ବୁଧବାର ଭୋପାଳରେ ଦେଇଥିବା ମନ୍ତବ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି । ୨୦୧୯ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ୨୦୧୮ ସେପ୍ଟେମ୍ବରରେ ଆଠଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ରହିଛି । ମିଜୋରାମ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ୨୦୧୮ ଶେଷ ଭାଗ ଓ ୨୦୧୯ ପ୍ରଥମ ଭାଗରେ ନିର୍ବାଚନ ହେବାକୁ ଅଛି । ବାକି ଚାରିଟି ରାଜ୍ୟରେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଧାନସଭା ନିର୍ବାଚନ ହେବ । ଏକାଠି ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ହେଲେ ବିଭିନ୍ନ ଇଲୋକ୍ଟ୍ରୋନିକ ସରଂଜାମ କେତେ ପରିମାଣରେ ଆବଶ୍ୟକ ହେବ ଏବଂ କେତେ ଟଙ୍କା ଖର୍ଚ୍ଚ ବ୍ୟବସ୍ଥା କରିବାକୁ ପଡିବ, ତାହା ନିର୍ବାଚନ କମିସନ ସରକାରଙ୍କୁ ଜଣାଇ ଦେଇଥିଲେ । ନିର୍ବାଚନ ପରିଚାଳନା ପାଇଁ ୪୦ ଲକ୍ଷ ଇଲୋକ୍ଟୋନିକ ଯନ୍ତ୍ରପାତି ଦରକାର। ଭିଭିପିଏଟି (ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରାଏଲ୍) ପାଇଁ ୩,୪୦୦ କୋଟି ଓ ଇଭିଏମ୍ ମେସିନ୍ ପାଇଁ ୧୨,୦୦୦ କୋଟି ଟଙ୍କା ଆବଶ୍ୟକତା ଦର୍ଶା ଯାଇଥିଲା । କେନ୍ଦ୍ର ସରକାର ସେହି ଆବଶ୍ୟକତା ପୂରଣ କରି ଆବଶ୍ୟକ ଅର୍ଥ ଯୋଗାଇ ଦେବା ପରେ ନିର୍ବାଚନ କମିସନ ଅତିରିକ୍ତ ଯନ୍ତ୍ରପାତି ନିର୍ମାଣ ଓ ଯୋଗାଣ ପାଇଁ ବରାଦ ଦେଇ ସାରିଛନ୍ତି । ସେପ୍ଟେମ୍ବର ୨୦୧୮ ସୁଦ୍ଧା ସେସବୁ ନିର୍ବାଚନ କମିସନଙ୍କ ହସ୍ତଗତ ହୋଇଯିବ ଏବଂ ସରକାର ଚାହିଁଁଲେ ନିର୍ବାଚନ କମିସନ ସେପ୍ଟେମ୍ବର ପରେ ଯେ କୌଣସି ସମୟରେ ଏକାଠି ବିଧାନସଭା ଓ ଲୋକସଭା ନିର୍ବାଚନ କରାଇ ପାରିବେ ବୋଲି ନିର୍ବାଚନ କମିସନର ରାୱତ ସୂଚନା ଦେଇଛନ୍ତି ।
ଭୋପାଳରେ ଇଲୋକ୍ଟୋରାଲ ରେଜିଷ୍ଟ୍ରେସନ୍ ଅଫିସରମାନଙ୍କ ପାଇଁ ଏକ ‘ଆପ୍’ ଲଂଚ୍ କରିବା ଅବସରରେ ନିର୍ବାଚନ କମିସନର ଏହି ମତବ୍ୟକ୍ତ କରିଛନ୍ତି । ଗତ ବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଖର୍ଚ୍ଚ ଓ ସମୟ ବଂଚାଇବା ପାଇଁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି କରାଯିବା ସପକ୍ଷରେ ମତ ଦେଇଥିଲେ । ନୀତୀ ଆୟୋଗ ମଧ୍ୟ ଏହାର ସମ୍ଭାବନାକୁ ନେଇ ରାଜ୍ୟମାନଙ୍କ ମତାମତ ଲୋଡି ଥିଲେ । ଗତ ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳ ସହ ଏସଂପର୍କରେ ଆଲୋଚନା କରିବା ସହ ନିର୍ବାଚନ କମିସନଙ୍କ ମତାମତ ମାଗି ଥିଲେ । ଅଧିକାଂଶ ରାଜନୈତିକ ଦଳ ଏକାଠି ନିର୍ବାଚନ ହେବା ସପକ୍ଷରେ ମତ ଦେଇଥିବା ବେଳେ ଅଳ୍ପ କିଛି ଦଳ ଏହା କାର୍ଯ୍ୟକାରୀ କରିବା କଷ୍ଟକର ବୋଲି କହିଥିଲେ । ଏଭଳି ଚର୍ଚ୍ଚାରୁୁ ଦେଶରେ ଆଗୁଆ ସାଧାରଣ ନିର୍ବାଚନ ହେବାକୁ ଯାଉଛି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇ ଯାଇଥିଲା । ବର୍ତମାନ ନିର୍ବାଚନ କମିସନର ରାୱତ ଭୋପାଳରେ ଦେଇଥିବା ମନ୍ତବ୍ୟ ଏହି ସମ୍ଭାବନାକୁ ଅଧିକ ସ୍ପଷ୍ଟ କରି ଦେଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS