ପାଇପ ପାଣି ଓ ପିଏନ୍ଜିକୁ ନେଇ ରାଜନୀତି ଚାଲିଛି; ପରିବା ଦର ଆକାଶ ଛୁଆଁ, କାହାରି ଚିନ୍ତା ନାହିଁ
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୩ ଅକ୍ଟୋବର: ପାଣି ଆଉ ରଂଧନ ଗ୍ୟାସ୍ – ଆଜିର ଆଧୁନିକ ସମାଜରେ ଦୁଇଟି ଯାକ ଅତ୍ୟନ୍ତ ଜରୁରୀ । ଅବଶ୍ୟ ରଂଧନ ଗ୍ୟାସ୍ ଦିନେ ଅଧେ ନ ଥିଲେ ଚଳି ଯିବ । କିନ୍ତୁ, ପିଇବା ପାଣି ନ ଥିଲେ ମୂହୁର୍ତେ ବଂଚିବା ସମ୍ଭବ ନୁହେଁ । ତେଣୁ, ପାଣି ଆଉ ରଂଧନ ଗ୍ୟାସ୍କୁ ନେଇ ଯୁଦ୍ଧରେ ସବୁ ବେଳେ ପାଣିର ପଲ୍ଲା ଭାରି ରହିବା ସ୍ୱାଭାବିକ । କିଛି ଦିନ ହେଲା ଓଡ଼ିଶା ରାଜନୀତି ଏହି ଦୁଇଟି ଅତ୍ୟାବଶ୍ୟକ ଜିନିଷକୁ ନେଇ ସରଗରମ ରହିଛି । କେନ୍ଦ୍ର ପେଟୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତି ପରିବରର ରୋଷେଇ ଘରକୁ ପାଇପ୍ ଲାଇନ ମାଧ୍ୟମରେ ରଂଧନ ଗ୍ୟାସ୍ ସଂଯୋଗର ପ୍ରତିଶ୍ରୁତି ଦେଇ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଇବା ପାଣି ସଂଗ୍ରହ ବେଳେ ରାଜ୍ୟରେ ମହିଳାମାନେ ହିନସ୍ତା ହେଉଥିବା ଦର୍ଶାଇ ରାଜ୍ୟର ପ୍ରତି ସହରାଂଚଳର ପ୍ରତି ସାହି, ଘର ଓ ଜନବସତିକୁ ପାଇପ ଜଳ ଯୋଗାଣ ପ୍ରତିଶ୍ରୁତି ଦେଇ ତାଙ୍କ ନୂଆ ଇନିଂସ ଆରମ୍ଭ କରିଛନ୍ତି । ପ୍ରଥମେ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଉପ ନିର୍ବାଚନ ଏବଂ ପରେ ୨୦୧୮ ଶେଷ ଭାଗରେ ସମ୍ଭାବ୍ୟ ସାଧାରଣ ନିର୍ବାଚନ ଦୁଇ ଦଳକୁ ଏଭଳି ‘ପ୍ରତିଶ୍ରୁତି ରାଜନୀତି’ ପାଇଁ ବାଧ୍ୟ କରିଛି । ନିଜ ନିଜ ସପକ୍ଷରେ ଧର୍ମେନ୍ଦ୍ର ଓ ନବୀନଙ୍କ ଗୋଟି ଚାଳନାକୁ ରାଜ୍ୟବାସୀ ବୁଝୁଛନ୍ତି । ତେବେ, ସବୁ କଥାରେ ଦୁଇ ନେତା ଓ ଦୁଇ ଦଳ ‘ତୁ ତୁ ମେଁ ମେଁ…’ ହେଉ ଥିବାରୁ ଏଭଳି ଘୋଷଣାକୁ ଆଉ କେହି ଗୁରୁତ୍ୱ ଦେଉ ନାହାନ୍ତି ।
ପ୍ରଥମେ ପିଇବା ପାଣି କଥା ଆଲୋଚନା କରିବା । ଓଡ଼ିଶାର ଗ୍ରାମାଂଚଳ ଓ ସହରାଂଚଳରେ ପାନୀୟ ଜଳ ହେଉଛି ମୁଖ୍ୟ ସମସ୍ୟା । ଗ୍ରାମାଂଚଳରେ ପାନୀୟ ଜଳ କହିଲେ କୂଅ, ପୋଖରୀର ଅପରିଷ୍କାର ପାଣିକୁ ବୁଝାଉଛି । ପାଇପ ଜଳ ଏବେ ବି ରାଜ୍ୟର ଅଧିକାଂଶ ଅଂଚଳରେ ଅପହଂଚ । କୂଅ, ପୋଖରୀର ଦୂଷିତ ପାଣି ପିଇ ଗ୍ରାମାଂଚଳ ଅଧିବାସୀ ବିଭିନ୍ନ ଜଳ ଜନିତ ସଂକ୍ରମଣର ଶିକାର ହେଉଛନ୍ତି । ଗ୍ରୀଷ୍ମ ଋତୁରେ ଅବସ୍ଥା ସଂଗୀନ । ଆବଶ୍ୟକତା ଅନୁସାରେ ପାନୀୟ ଜଳର ଅଭାବ ଯୋଗୁ ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳର ବାସିନ୍ଦା ନଦୀରେ ଚୁଆ ଖୋଳି ବା ଦୂରାଦୂରାନ୍ତରୁ ହାଂଡି, ମାଠିଆରେ ପାଣି ସଂଗ୍ରହ କରି ଶୋଷ ମେଂଟାଇବାକୁ ବାଧ୍ୟ ହେଉଛନ୍ତି । ଗ୍ରାମାଂଚଳକୁ ପାଇପ ଜଳ ଯୋଗାଣ ପାଇଁ ‘ଗ୍ରାମ୍ୟ ପାଇପ ଜଳ ଯୋଗାଣ ସଂସ୍ଥା’ ରହିଛି । ତେବେ, ପାଇପ ସଂଯୋଗକୁ ନେଇ ସରକାରଙ୍କ ପ୍ରତିକୂଳ ନୀତି ଯୋଗୁ ଓଡ଼ିଶାର ଅଧିକାଂଶ ଗ୍ରାମରେ ବିଶୁଦ୍ଧ ପାଇପ ପାଣି ପହଂଚିବା ସମ୍ଭବ ହୋଇ ନାହିଁ । ସେହିପରି, ସହରାଂଚଳରେ ମଧ୍ୟ ପିଇବା ପାଣି ସଂକଟ କିଛି କମ୍ ନୁହେଁ । ପାଣି ପାଇଁ ପ୍ରତିଦିନ ରାସ୍ତା କଡରେ ମହିଳାମାନେ ହାତାହାତି ହେବା ଦୃଶ୍ୟ ଅତି ସାଧାରଣ କଥା । ଉଭୟ ଗ୍ରମାଂଚଳ ଓ ସହରାଂଚଳରେ ପିଇବା ପାଣିକୁ ନେଇ ଥିବା ସଂକଟରୁ ଫାଇଦା ନିଅନ୍ତି ପ୍ୟାକେଜ୍ ପାଣି ପ୍ରସ୍ତୁତ କରୁଥିବା କଂପାନୀମାନେ। ଏହା ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇ ଥିବାରୁ ଖରା ଦିନେ ପସରା ମେଲାଇ ଦିଅନ୍ତି ଲାଇସେନ୍ସ ପାଇ ଥିବା ଓ ପାଇ ନ ଥିବା କଂପାନୀମାନେ । ଛତୁ ପୁଟିଲା ଭଳି ବିଭିନ୍ନ ଅନାମଧେୟ ବ୍ରାଂଡ୍ର ପାଣି ପାଉଚ ଓ ବୋତଲ ବଜାରରେ ବିକ୍ରି ହୁଏ । ଏହି ପିଇବା ପାଣି ପାୁଚ ବା ବୋତଲର ‘ଗୁଣବତ୍ତା’ ପରୀକ୍ଷା କରିବାକୁ ଚାହିଁଲେ ରିପୋର୍ଟ ଆସିଲା ବେଳକୁ ଗୋଟିଏ ଋତୁ ସରି ଆଉ ଗୋଟିଏ ଋତୁ ଆସି ଯାଏ । ରାଜ୍ୟ ସରକାର ତିରୋଟ୍ ସମୟ ବା ନିର୍ବାଚନ ସମୟରେ ଗ୍ରାମାଂଚଳ ଓ ସହରାଂଚଳ ପାଇଁ ବିଭିନ୍ନ ପାଇପ ଜଳ ପ୍ରକଳ୍ପ କଥା ଘୋଷଣା କରନ୍ତି । ବାସ୍ତବରେ, ସେସବୁ କାର୍ଯ୍ୟକାରୀ ହେବା ନେଇ ଜନସାଧାରଣରେ ସନେ୍ଦହ ଥାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚାରି ପାଳି (୨୦୦୦ରୁ ୨୦୧୭) ସରକାରରେ ଏଭଳି କେତେ ପ୍ରକଳ୍ପ ଘୋଷଣା କରିଛନ୍ତି ସିନା ସେଥିରୁ କେତୋଟି କାର୍ଯ୍ୟକାରୀ ହୋଇଛି, ତାହା ତଦନ୍ତ ସାପେକ୍ଷ ।
‘ପିନେକେ ଲିୟେ ପାନି, କ୍ଷେତ୍ କୋ ଲିୟେ ପାନି’ ଥିଲା ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ନିର୍ବାଚନୀ ସ୍ଲୋଗାନ । ସରକାର ପୁରୁଣା ହେବା ସହ ସ୍ଲୋଗାନ ବଦଳି ଯାଇଛି । ‘କ୍ଷେତ୍ କେ ଲିୟେ ପାନି’ ଭଳି ‘ପିନେ କେ ଲିୟେ ପାନି’ ଏକ ବିସ୍ମୃତ ଅଧ୍ୟାୟ ହୋଇ ଯାଇଛି । ବିଜେପୁର ବିଧାନସଭା ଉପ ନିର୍ବାଚନ ଏବଂ ଆଗୁଆ ସାଧାରଣ ନିର୍ବାଚନ ସମ୍ଭାବନା ଏବେ ପୁଣିଥରେ ସରକାରଙ୍କୁ ଚଳଚଂଚଳ କରି ଦେଇଛି । ବିଜେପିର ‘ବିକାଶ’ ମୁଦ୍ଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ‘ବିକାଶ’କଥା କହିବାକୁ ବାଧ୍ୟ କରିଛି । ଇତିମଧ୍ୟରେ. ରାଜ୍ୟ ସରକାରଙ୍କ ଆଡୁ ବହୁ କୋଟି ଟଙ୍କାର ପ୍ରକଳ୍ପର ଶୁଭ ଦିଆ ସରିଛି ବା ଉଦ୍ଘାଟନ କରାଯାଇଛି । ଏହି ପ୍ରକ୍ରିୟାରେ ଯୋଡି ହୋଇ ଯାଇଛି ଗଲା ଅକ୍ଟୋବର ୨୦ ତାରିଖରେ ଉଦ୍ଘାଟନ ହୋଇଥିବା ୧୮୨ଟି ଏବଂ ଶୁଭ ଦିଆଯାଇଥିବା ୫୫୫ଟି ନୂତନ ପାନୀୟ ଜଳ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କଟକ ବାରବାଟି ଇନଡ଼ୋର ଷ୍ଟାଡିୟମରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ୧୧୩ଟି ସହରାଂଚଳ (ଅର୍ବାନ ଲୋକାଲ ବଡି) ପାଇଁ ୧୫୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୮୨ଟି ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କରିଥିବା ବେଳେ ୭୮୩ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦୧ ୟୁଏଲବି (ଅର୍ବାନ ଲୋକାଲ ବଡି) ପାଇଁ ନିର୍ମାଣ ହେବାକୁ ଥିବା ୫୫୫ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ରାଜ୍ୟର ପ୍ରତ୍ୟେକ ସହରାଂଚଳରେ ପ୍ରତି ଘରକୁ ଶତକଡା ୧୦୦ ପ୍ରତିଶତ ପାଇପ ଜଳ ଯୋଗାଇ ଦିଆଯିବ ଏବଂ ଗୋଟିଏ ବର୍ଷ ଭିତରେ ସମସ୍ତ ପ୍ରସ୍ତାବିତ ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଛଡା, ପାନୀୟ ଜଳର ‘ଗୁଣାତ୍ମକ ମାନ’ ପରୀକ୍ଷା ପାଇଁ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା,ସମ୍ବଲପୁର, ବାରିପଦାରେ ଛଅଟି ୱାଟର ଟେଷ୍ଟିଂ ଲ୍ୟାବ୍ ସେ ଉଦ୍ଘାଟନ କରିଥିଲେ । ବର୍ତମାନ ପାଣିର ‘ଗୁଣବତ୍ତା’ ପରୀକ୍ଷା ପାଇଁ ଆଉ ପଡୋଶୀ ରାଜ୍ୟଙ୍କ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ, ସ୍ୱଚ୍ଛତା ଉପରେ ସବୁ କିଛି ନିର୍ଭର କରୁଛି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାରୁ ମନେ ପଡୁଛି ବ୍ରହ୍ମପୁର ସହର କଥା । ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ ଏହି ସହରର ଅଧିବାସୀ ସମ୍ମୁଖୀନ ହୋଇଥା’ନ୍ତି ଉକ୍ରଟ ପାନୀୟ ଜଳ ସଂକଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ, ସେ ଭଲ ଭାବେ ଜାଣିଛନ୍ତି ଏହି ସଂକଟ କଥା । ଥରଟିଏ ହେଲେ ବି ସେ ବ୍ରହ୍ମପୁର ବାସିନ୍ଦାଙ୍କ ପାଇଁ ରେଳ ୱାଗନ୍ରେ ପିଇବା ପାଣି ଯୋଗାଣ ବ୍ୟବସ୍ଥା କରିଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ସମସ୍ୟାର ବାରଂବାର ସବୀକ୍ଷା କରିଛନ୍ତି ସିନା ଏପର୍ଯ୍ୟନ୍ତ ସଂକଟ ଦୂର ହୋଇ ନାହିଁ । ଗଞ୍ଜାମ ଜିଲ୍ଲା ବିଜେଡ଼ିର ଗଡ଼ ବୋଲି କୁହାଯାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଲଗାତର ଭାବେ ୪ଟି ବିଧାନସଭା ନିର୍ବାଚନରେ ସହରଠାରୁ ମାତ୍ର ୨୧ କିମି ଦୂର ହିଂଜିଳି ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି । କିନ୍ତୁ, ବ୍ରହ୍ମପୁର ସହରର ପାନୀୟ ଜଳ ସଂକଟ ଯେଉଁଠି ଥିଲା, ସେଇଠି ରହିଛି । ନବୀନଙ୍କ ପିତା ବିଜୁ ପଟ୍ଟନାୟକ ୧୯୯୦ରୁ ୯୫ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବ୍ରହ୍ମପୁର ସହର ପାଇଁ ତୃତୀୟ ପାନୀୟ ଜଳ ପ୍ରକଳ୍ପ ନିର୍ମାଣର ଆବଶ୍ୟକତା ଉପଲବ୍ଧି କରିଥିଲେ । ତା’ ପୂର୍ବରୁ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ଥିବା ସମୟରେ ତୃତୀୟ ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ହୋଇ ଥିଲା । ସ୍ୱଗତଃ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ବ୍ରହ୍ମପୁର ସାଂସଦ ଥାଇ ତୃତୀୟ ପାନୀୟ ଜଳ ପ୍ରକଳ୍ପର ରୂପରେଖ ନେଇ ବହୁବାର ସମୀକ୍ଷା କରିଥିଲେ । କିନ୍ତୁ, ଆଜି ସୁଦ୍ଧା କିଛି ବାସ୍ତବ ରୂପ ନେଇ ନାହିଁ । ପ୍ରତି ନିର୍ବାଚନରେ ଏହା ମୁଖ୍ୟ ପ୍ରସଙ୍ଗ ହେଉଛି । ନିର୍ବାଚନ ସରିବା ପରେ ସମୀକ୍ଷା ଓ ପ୍ରସ୍ତାବରେ ପାଣି ସମସ୍ୟା ରହି ଯାଉଛି । ମୁଖ୍ୟମନ୍ତ୍ରୀ ବର୍ତମାନ ଯେଉଁ ‘ତ୍ରିପଲ୍ ଫାଇବ୍’ ପ୍ରକଳ୍ପ କଥା ଘୋଷଣା କରିଛନ୍ତି, ସେସବୁର ଅବସ୍ଥା ବ୍ରହ୍ମପୁର ଭଳି ନ ହେଉ, ଏହା ସମସ୍ତେ ଚାହାନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS