‘ସରକାର-ବରୋଧୀ’ ଜନମତ ନବୀନଙ୍କ ପାଇଁ ଚିନ୍ତାର କାରଣ ହୋଇଛି
ଭୁବନେଶ୍ୱର, ୨୩ ଅକ୍ଟୋବର: ଯିଏ ଯାହା କହୁନା କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଆଂଟି ଇନ୍କମ୍ବେନ୍ସି’ ଭୟ ଘାରି ଥିବା ଦେଖିବାକୁ ମିଳୁଛି । ଦେଶର ଯୁବ ଓ ଛାତ୍ର ସମାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅଧିକ ଆକୃଷ୍ଟ ହେବା ଏବେ ବିଜେଡ଼ି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସରକାର ଯେତେ ଭୁରୁଡୁ ମାରନ୍ତୁ ନା କାହିଁକି ‘ବାଘକୁ ଫାଗର ଭୟ’ ଭଳି ବିଜେପି ଓ ବିଜେଡ଼ିର ଅବସ୍ଥା ହୋଇଛି । ଦୁଇ ଦଳ ପରସ୍ପରକୁ ଛକୁ ଥିବା ଏବଂ ଯୁବ ଓ ଛାତ୍ର ସମାଜକୁ ନିଜ ଆଡକୁ ଟାଣିବାର ଭରପୁର ପ୍ରୟାସ କରୁଥିବା ସେମାନଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ଜଣାପଡୁଛି । ବିଜେପି ଯୁବ ନେତୃତ୍ୱର ପ୍ରତୀକ ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପସ୍ଥାପିତ କରି ‘୨୦୧୯ ଓଡ଼ିଶା ଦଖଲ’ ଅଭିଯାନକୁ ଶାଣିତ କରିଥିବା ବେଳେ ସରକାର ବିରୋଧୀ ଜନମତକୁ ପ୍ରସମିତ କରି ପୁନର୍ବାର ପଂଚମ ଥର ପାଇଁ ରାଜ୍ୟରେ କ୍ଷମତାସୀନ ହେବାକୁ ଚାହୁଁ ଥିବା ବିଜେଡ଼ିର ‘ରକ୍ଷାତ୍ମକ ରଣନୀତି’ ରବିବାର ଦିନ ଅଧିକ ସ୍ପଷ୍ଟ ହୋଇ ଯାଇଛି । ରାଜ୍ୟର ଯୁବ ଓ ଛାତ୍ର ସମାଜ ବିଜେଡ଼ି ଠାରୁ ଦୂରେଇ ଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଭବ କରିବା ପରେ ସେମାନଙ୍କୁ ମନାଇବା ସକାଶେ ସାଂସଦ (ଓଲିଉଡ଼ ଅଭିନେତା) ଅନୁଭବ ମହାନ୍ତି ଓ ଗୋପାଳପୁର ବିଧାୟକ ତଥା ପୂର୍ବତନ ଯୁବ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଦୁଇ ଜଣିଆ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ରାଜ୍ୟର ସବୁ ଅଂଚଳ ଗସ୍ତ କରି ଯୁବକ ଓ ଛାତ୍ରମାନଙ୍କୁ ସଂଗଠିତ କରିବ ଏବଂ ସରକାରଙ୍କ ବିଭିନ୍ନ ସଫଳତା ସଂପର୍କରେ ସେମାନଙ୍କୁ ଅବଗତ କରାଇବ ବୋଲି ରବିବାର ଦିନ ବିଜେଡ଼ି ପ୍ରବକ୍ତାମାନେ ସୂଚନା ଦେଇଛନ୍ତି । ଏଥିପାଇଁ ଟିମ୍ରେ ଭଲ ବକ୍ତାଙ୍କୁ ରଖା ଯାଇଥିବା ପ୍ରକାଶ । କେନ୍ଦ୍ର ବିଜେପି ସରକାରଙ୍କ ଆଡୁ ରାଜ୍ୟ ସରକାରଙ୍କ ବିରୋଧରେ ଚାଲି ଥିବା ଅପପ୍ରଚାରକୁ ପ୍ରତିହତ କରିବାକୁ ଟିମ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ରବିବାର ଦିନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଦେକର ଓଡ଼ିଶା ଗସ୍ତରେ ଆସି ରାଜଧାନୀର ବିଭିନ୍ନ ଅଂଚଳ ବୁଲିବା ସହ ବସ୍ତିବାସିନ୍ଦାଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରିବା ଏବଂ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ବିଜେପିର ‘ଉଗ୍ର ରଣନୀତି’କୁ ଅଧିକ ଉଜାଗର କରିଥିବା ବେଳେ ବିଜେଡ଼ି ମଧ୍ୟ କମ୍ ଉଗ୍ର ନୁହେଁ, ତାହା ପ୍ରତିପାଦିତ କରିବାକୁ ଦଳ ପକ୍ଷରୁ ପ୍ରୟାସ ଚାଲିଛି । ୨୦ ତାରିଖ କେନ୍ଦ୍ର ପ୍ରେଟ୍ରାଲିୟମ ମନ୍ତ୍ରୀ ପ୍ରଧାନ ଭୁବନେଶ୍ୱର ନାଲକୋ ନଗରରେ ‘ପିଏନ୍ଜି’ (ପାଇପ୍ ଲାଇନ୍ ମାଧ୍ୟମରେ ଘରକୁ ଘର ରଂଧନ ଗ୍ୟାସ୍ ଯୋଗାଣ) ଯୋଜନାର ଶୁଭାରମ୍ଭ କରିବା ବଳେ ସେହିଦିନ, ଏକା ସମୟରେ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଇନ୍ଡୋର ଷ୍ଟାଡିୟମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ୧୧୩ ସହରାଂଚଳ ପାଇଁ ୧୮୨ଟି ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କରିବା ଏବଂ ୧୦୧ ସହରାଂଚଳ ପାଇଁ ୫୫୫ଟି ନୂଆ ପାନୀୟ ଜଳ ପ୍ରକଳ୍ପର ଶୁଭ ଦେବା ‘ଉଗ୍ର ରାଜନୈତିକ ମୁକାବିଲା’ର ସୂଚନା ଦେଉଛି । ଉଭୟଙ୍କ ଟାର୍ଗେଟ୍ ଥିଲେ ରାଜ୍ୟର ମହିଳା ଭୋଟର । ମହିଳାମାନଙ୍କୁ ପିଇବା ପାଣି ସଂଗ୍ରହ ବେଳେ ଯେଭଳି ହିନସ୍ତା ହେବାକୁ ନ ପଡିବ, ସେଥି ପାଇଁ ରାଜ୍ୟ ସରକାର ନୂଆ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ମହିଳାଙ୍କୁ ଧୂଆଁ, ଧୁଳିରୁ ରକ୍ଷା କରିବା ପାଇଁ ସ୍ୱଚ୍ଛ ଇଂଧନ ଯୋଗାଇ ଦେବା ସକାଶେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଉଦ୍ଦିଷ୍ଟ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଝାଇ ଦେଇଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର କେତେଦୂର ପ୍ରତିଶ୍ରୁତି ରକ୍ଷା କରିବେ, ତାହା ସମୟ କହିବ । ଦୂର୍ଗା ପୂଜା, ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀ, ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସନ୍ତୁଷ୍ଟ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇଥିବା ବେଳେ ପନିପରିବାର ଆକାଶଛୁଆଁ ବୃଦ୍ଧି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ବାଇଗଣ କିଲୋ ଶହେ ଟଙ୍କା ଓ ପିଆଜ କିଲୋ ୪୦ ଟଙ୍କା ଦେଇ କିଣିବା ଅବସ୍ଥାରେ ନାହାନ୍ତି ଗରୀବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ । ଦର ନିୟନ୍ତ୍ରଣରେ ସରକାରୀ ଉଦାସୀନତାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଯେଭଳି ଅଶାନ୍ତି ଦେଖା ଦେଲାଣି ସରକାର ତାହାର କେମିତି ମୁକାବିଲା କରିବେ ବୋଲି ଏବେ ପ୍ରଶ୍ନ ହେଉଛି । ବିଜେପି ଏହାକୁ ଅସ୍ତ୍ର କରି ସରକାର-ବିରୋଧୀ ଜନମତକୁ ଅଧିକ ତୀବ୍ର କରିବା ସୁଯୋଗ ହାତଛଡା କରି ନପାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS