ବିବାଦରୁ ବ୍ୟବସାୟ: ତମିଲ ଫିଲ୍ମ ‘ମେର୍ଶାଲ’ର ପାଂଚ ଦିନରେ ୧୫୦ କୋଟିର ବ୍ୟବସାୟ
ଚେନ୍ନାଇ, ୨୩ ଅକ୍ଟୋବର: ନିକଟରେ ବିଶ୍ୱବ୍ୟାପୀ ରିଲିଜ ହୋଇଥିବା ତମିଲ ଫିଲ୍ମ ‘ମେର୍ଶାଲ’କୁ ନେଇ ବଡ଼ ଧରଣର ବିବାଦ ମୁଣ୍ଡ ଟେକିବା ପରେ ଫିଲ୍ମଟି ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ବହୁ ଗୁଣ ବଢି ଯାଇଥିବା ଜଣାପଡିଛି । ୧୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫିଲ୍ମ ଗଲା ପାଂଚ ଦିନ ଭିତରେ ସମଗ୍ର ବିଶ୍ୱରେ ୧୫୦ କୋଟି ଟଙ୍କାର ବ୍ୟସାୟ କରି ସାରିଥିବା ଫିଲ୍ମର ପ୍ରଯୋଜନା ସଂସ୍ଥା ଦାବି କରିଛି । କେବଳ ତମିଲନାଡୁରେ ଫିଲ୍ମଟି ୮୦ କୋଟି ଟଙ୍କାର ବ୍ୟବସାୟ କରିଛି ।
ତମିଲ ଭାଷାରେ ‘ମେର୍ଶାଲ’ର ଅର୍ଥ ହଉଛି ‘ସ୍ତବ୍ଧ’ । ସୁପିରଚିତ ତମିଲ ଷ୍ଟାର୍ ଇଲାପାଥି ବିଜୟ ମେର୍ଶାଲର ନାୟକ ଥିବା ବେଳେ ନାୟିକା ଅଛନ୍ତି ସାମନ୍ଥା । ଫିଲ୍ମର କାହାଣୀ ଯାହା ହୋଇଥାଉନା କାହିଁକି କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ଗୁଡ୍ସ୍ ଏଣ୍ଡ୍ ସର୍ଭିସ ଟ୍ୟାକ୍ସ ବା ଜିଏସ୍ଟି ବ୍ୟବସ୍ଥାକୁ ଏଥିରେ ସମାଲୋଚନା କରାଯାଇ ଥିବାରୁ ବିଜେପି ପକ୍ଷରୁ ତାହାର ଦୃଢ ପ୍ରତିବାଦ କରାଯାଇ ଫିଲ୍ମରେ ଥିବା ଏସଂପର୍କୀତ ସଂଳାପ ସବୁ ହଟାଇବାକୁ ଦାବି କରାଯାଇ ବୋବାଲ ସୃଷ୍ଟିି କରାଯାଇଛି । ବିବଦମାନ ସଂଳାପ ସବୁ ହଟାଇବାକୁ ସରକାରଙ୍କ ଆଡୁ ମଧ୍ୟ ଫିଲ୍ମର ପ୍ରଯୋଜନା ସଂସ୍ଥା ଉପରେ ଚାପ ପକା ଯାଉଥିବା ଖବର ନିଆଁ ଭଳି ବ୍ୟାପୀ ଯିବା ପରେ ‘ମେର୍ଶାଲ’ ଦେଖିବା ସକାଶେ କେବଳ ତମିଲ ନୁହେଁ, ଅନ୍ୟାନ୍ୟ ଭାଷାଭାଷି ଦର୍ଶକଙ୍କ ମଧ୍ୟରେ ବେଶ୍ ଆଗ୍ରହ ପ୍ରକାଶ ପାଉଛି । ଫିଲ୍ମଟି ରିଲିଜ ହୋଇଥିବା ହଲ୍ ମାନଙ୍କରେ ଟିକଟ ମିଳିବା କଷ୍ଟକର ହୋଇ ପଡିଥିବାରୁ ‘ମେର୍ଶାଲ’ ଆଶାରୁ ଅଧିକ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରୁଛି । ଏହି ତମିଲ ଫିଲ୍ମରେ କେବଳ ଜିଏସ୍ଟି ନୁହେଁ, ଦେଶକୁ ‘ଡ଼ିଜିଆଲ ଇଂଡିଆ’ ଆଡକୁ ଆଗେଇ ନେବାକୁ ଏନଡ଼ିଏ ସରକାରଙ୍କ ଉଦ୍ୟମକୁ ମଧ୍ୟ କଡା ସମାଲୋଚନା କରାଯାଇଛି । ହୋଟେଲ ଏବଂ ଔଷଧ ଶିଳ୍ପ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଅସ୍ୱାଭାବିକ ଟିକସ (ଜିଏସ୍ଟି)କୁ ଫିଲ୍ମରେ ସମାଲୋଚନା କରାଯିବାରେ କିଛି ଅସ୍ୱାଭାବିକତା ନାହିଁ, ସେ ଜିଏସ୍ଟି କାଉନସିଲ୍ର ସଭ୍ୟ ଭାବେଏହାକୁ ବିରୋଧ କରି ଆସିଛନ୍ତି ବୋଲି ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀ ମତବ୍ୟକ୍ତ କରିଥିବା ବେଳେ ‘ମେର୍ଶାଲ’ରୁ ଜିଏସ୍ଟି ଓ ‘ଡ଼ିଜିଟାଲ ଇଂଡିଆ’କୁ କଡା ସମାଲୋଚନା କଲା ଭଳି ଥିବା ସଂଳାପ ସବୁ ହଟାଇବା ପାଇଁ ବିଜେପିର ଚାପକୁ ନିଖିଳ ଭାରତ କଂଗ୍ରେସ କମିଟି ଉପ ସଭାପତି ରାହୁଲ ଗାନ୍ଧୀ କଡା ସମାଲୋଚନା କରି ଏହା ‘ସ୍ପଷ୍ଟ ମତବ୍ୟକ୍ତ କରିବାର ଅଧିକାର’ର କଣ୍ଠରୋଧ କରୁଛି ବୋଲି କହିଛନ୍ତି । ପ୍ରଖ୍ୟାତ ତମିଲ ଷ୍ଟାର କମଳ ହାସନ ଓ ରଜନୀକାନ୍ତ ମଧ୍ୟ ଏଥି ସକାଶେ କେନ୍ଦ୍ର ସରକାର ଓ ବିଜେପିକୁ ସମାଲୋଚନା କରିବା ସହ ସେମାନେ ଫିଲ୍ମ ପ୍ରଯୋଜକଙ୍କ ସହ ଅଛନ୍ତି ବୋଲି ଭିନ୍ନ ଭିନ୍ନ ଭାବେ ମତବ୍ୟକ୍ତ କରିଛନ୍ତି । ଦୁହେଁ ଖୁବ୍ ଶୀଘ୍ର ତମିଲନାଡୁରେ ନୂତନ ରାଜନୈତିକ ଦଳ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରୁଛନ୍ତି ।
ତମିଲନାଡୁର ଅନ୍ୟ ବହୁ ଚିତ୍ର ତାରକା ମଧ୍ୟ ‘ମେର୍ଶାଲ’କୁ ସମର୍ଥନ କରି ‘ମୁକ୍ତ ମତବ୍ୟକ୍ତ କରିବା ଅଧିକାର’ର କଣ୍ଠରୋଧ ଉଦ୍ୟମ ହେଉଛି ବୋଲି ସରକାରଙ୍କୁ ସମାଲୋଚନା କରି କହିଛନ୍ତି । ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦମ୍ବରମ୍, ଡ଼ିଏମ୍କେ କାର୍ଯ୍ୟକାରୀ ସଭାପତି ଏମ.କେ ଷ୍ଟାଲିନ୍ ଏବଂ ତମିଲ ଚଳଚ୍ଚିତ୍ର ଶିଳ୍ପର ବହୁ ପ୍ରତିନିଧି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପରେ ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛି। ତେବେ, ‘ମେର୍ଶାଲ’ର ପ୍ରଯୋଜନା କରିଥିବା କଂପାନୀ ମୁଖ୍ୟ ମୁରଲି ରାମସ୍ୱାମୀ ବକ୍ତବ୍ୟ ଦେଇ, ଯଦି ଏହି ଫିଲ୍ମରେ ଥିବା ସଂଳାପ ଭୁଲ ବୁଝାମଣା ସୃଷ୍ଟି କରୁଛି, ସେଗୁଡ଼ିକୁ ହଟାଇ ଦେବାକୁ ପ୍ରସ୍ତୁତ ଅଛନ୍ତି କହି ବୁଝାମଣାର ବାଟ ଖୋଲା ରଖିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS