ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସର ସବୁ ନେତା ଏକାଠି – ଏଭଳି ବାର୍ତା ଦେଲା ପିସିସି
ଭୁବନେଶ୍ୱର, ୨୬ ଅକ୍ଟୋବର: ସମ୍ମାନଜନକ ବିଜେପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ସକାଶେ ରାଜ୍ୟ କଂଗ୍ରେସର ସବୁ ନେତା ଏକାଠି କାମ କରିବେ, ଏଭଳି ଏକ ବାର୍ତା ଦେଇଛି ପ୍ରଦେଶ କଂଗ୍ରେସ କମିଟି । ବୁଧବାର ଦିନ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ସମସ୍ତ ସିନିୟର ନେତାଙ୍କ ମଧ୍ୟରେ ଉପ ନିର୍ବାଚନ ପରିଚାଳନା ଦାୟିତ୍ୱ ବାଂଟି ଦିଆଯାଇଥିବା ସୂଚନା ମିଳିଛି । ୨୦୦୪ରୁ କଂଗ୍ରେସର ଗଡ଼ ହୋଇ ରହି ଥିବା ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତିବା ସକାଶେ ବିଜେଡ଼ି ଓ ବିଜେପି ଯେତେ ଯାହା ଫନ୍ଦିଫିକର କଲେ ବି କଂଗ୍ରେସର ବିଜୟ ସୁନିଶ୍ଚିତ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି । ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ଦଳ ଛାଡି ବିଜେଡ଼ିକୁ ଚାଲି ଯାଇଥିଲେ ବି ସୁବଳଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ କଂଗ୍ରେସ ସହ ଅଛନ୍ତି । ସେମାନେ ହିଁ କଂଗ୍ରେସକୁ ଜିତାଇବେ ବୋଲି ପ୍ରସାଦ କହିଛନ୍ତି ।
କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ଯୋଗୁ ବିଜେପୁର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବାକୁ ଯାଉଛି । ୨୦୦୪ରୁ ଶ୍ରୀ ସାହୁ ଲଗାତର ତିନି ଥର ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିଲେ । ନିର୍ବାଚନ କମିସନ ଭୋଟ ତାରିଖ ଘୋଷଣା କରି ନାହାନ୍ତି । ତଥାପି, ଉଭୟ ଶାସକ ବିଜେଡ଼ି ଓ ବିଜେପି ବହୁ ଆଗରୁ ନିର୍ବାଚନ ପ୍ରସ୍ତୁତି ଚଳାଇଛନ୍ତି । ବିଜେଡ଼ି ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ନିଜ ଦଳରେ ସାମିଲ କରି ଉପ ନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ଘୋଷଣା କରି ସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ଓ ଏଥି ଅନ୍ତର୍ଗତ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କୋଟି କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି । ୨୦୧୪ ନିର୍ବାଚନରେ ଏହି ଆସନରୁ ପରାଜିତ ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି । ସାହୁଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟରେ ଚାଲିଥିବା ନିର୍ବାଚନ ମାମଲା ବିଧାୟକଙ୍କ ମୃତ୍ୟୁ ଘଟି ଥିବା ଯୋଗୁ ଖାରଜ ହୋଇଯିବା ପରେ ନିର୍ବାଚନ ତାରିଖ ଘୋଷଣାର ଆଇନଗତ ପ୍ରତିବନ୍ଧକ ହଟି ଯାଇଛି । ଶାସକ ଦଳ ପୁରା ଦମ୍ରେ ଉପ ନିର୍ବାଚନ ଜିତିବାକୁ କାର୍ଯ୍ୟ ଆରମ୍ଭ କରି ଦେଇଥିବା ବେଳେ ବିଜେପି ମଧ୍ୟ ଏହି ଉପ ନିର୍ବାଚନକୁ ସମ୍ମାନରେ ପ୍ରଶ୍ନ ଭାବେ ନେଇଛି । ୨୦୧୪ ନିର୍ବାଚନରେ ବିଜେଡ଼ିର ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଦଳୀୟ ପ୍ରାର୍ଥୀ ଆଚାର୍ଯ୍ୟଙ୍କ ପରାଜୟର କାରଣ ହୋଇଥିବା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ବିଜେପିରେ ସାମିଲ କରାଯାଇଛି । ଆନୁଷ୍ଠାନିକ ଭାବେ ତାଙ୍କ ନାମ ଘୋଷଣା ହୋଇ ନଥିଲେ ମଧ୍ୟ ବିଜେଡ଼ି ଭୋଟବ୍ୟାଙ୍କରେ ବଡ ଧରଣର କଣା କରିବା ଲକ୍ଷ୍ୟ ରଖି ଦଳ ପାଣିଗ୍ରାହୀଙ୍କୁ ହିଁ ପ୍ରାର୍ଥୀ କରିବା ନିଶ୍ଚିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ବିଜେପୁର ଉପ ନିର୍ବାଚନ ଖେଳରେ ବହୁ ବିଳମ୍ବରେ କଂଗ୍ରେସର ପ୍ରବେଶ ହୋଇଛି । ଝାରସୁଗୁଡା ବିଧାୟକ ନବ ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ପ୍ରାର୍ଥୀ ଚୟନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କମିଟି ଦୁଇଟି ନାମ ସୁପାରିଶ କରିଛି । ଏଆଇସିସି ଯେଉଁ ନାମରେ ମୋହର ମାରିବ ସେ ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କୁ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକ ଦାୟିତ୍ୱ ଦଳର ତିନି ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା ଓ ଶରତ ପଟ୍ଟନାୟକଙ୍କୁ ଦିଆଯାଇଛି । ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜେପୁର ବିଧାନସଭା ଉପ ନିର୍ବାଚନ ପରିଚାଳନାର ମୋଟାମୋଟି ସମସ୍ତ ଦାୟିତ୍ୱ ବୁଝିବାକୁ ଅନୁରୋଧ କରାଯାଇଥିବା ପିସିସି ସଭାପତି କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ରାଜ୍ୟ କଂଗ୍ରେସ ନେତୃତ୍ୱକୁ ନେଇ ଗତ ପଂଚାୟତ ନିର୍ବାଚନ ପରଠାରୁ ଦଳ ଭିତରେ ତୀବ୍ର ଅନ୍ତଦ୍ୱର୍ନ୍ଦ୍ୱ ଲାଗି ରହିଛି । ବିଜେପୁର ଉପ ନିର୍ବାଚନ ପୂର୍ବରୁ ପିସିସି ସଭାପତି ପରିବର୍ତନ ପାଇଁ ନିରଂଜନଙ୍କ ନେତୃତ୍ୱରେ ଅଭିଯାନ ଚାଲିଥିଲା । ରାଜ୍ୟ ବିରୋଧୀ ଦଳ ନେତା ମିଶ୍ର ମଧ୍ୟ ନିରଂଜନଙ୍କ ସହ ବିଭିନ୍ନ ସମୟରେ ଦିଲ୍ଲୀ ଯାଇ ଏଆଇସିସି ଉପ ସଭାପତି ରାହୁଲ ଗାନ୍ଧୀଙ୍କୁ ଭୋଟି ଥିଲେ । ବିଧାୟକ ନବ ଦାସଙ୍କ ସମେତ ରାଜ୍ୟର ପ୍ରାୟ ସବୁ କଂଗ୍ରେସ ବିଧାୟକ ନିରଂଜନଙ୍କୁ ପିସିସି ସଭାପତି କରାଯିବାକୁ ଏଆଇସିସି ନିକଟରେ ଦାବି କରି ବର୍ତମାନର ପିସିସି ସଭାପତି ହରିଚନ୍ଦନଙ୍କୁ ଏକ ଘରିଆ କରି ଦେଇଥିଲେ । କଂଗ୍ରେସର ସାଂଗଠନିକ ନିର୍ବାଚନ ଚାଲି ଥିବାରୁ ଏବଂ ରାହୁଲଙ୍କୁ ଏଆଇସିସି ସଭାପତି କରିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବାରୁ ପିସିସି ସଭାପତି ପରିବର୍ତନ ନିଷ୍ପତ୍ତି ଲଟକି ଯାଇଛି । ପରସ୍ପର ମୁହଁକୁ ଚାହୁଁ ନଥିବା ନେତାମାନେ ଏବେ ଏକାଠି ହୋଇ ବିଜେପୁର ଉପ ନିର୍ବାଚନ ପରିଚାଳନା କରିବେ ବୋଲି ପିସିସି ସଭାପତି ହରିଚନ୍ଦନଙ୍କ ଖୁଲାସା ରାଜନୈତିକ ମହଲକୁ ବିସ୍ମିତ କରିଛି । ବୋଧହୁଏ, ବିଜେଡ଼ି, ବିଜେପିର ଉପ ନିର୍ବାଚନ ପ୍ରସ୍ତୁତି ଦେଖି ଏଆଇସିସି ସେମାନଙ୍କୁ ଏକାଠି ହୋଇ ନିର୍ବାଚନ ପରିଚାଳନା କରିବାକୁ ହୁକୁମ ଦେଇଛି । ନ ହେଲେ, ଏମାନେ କୋଉଠି ଏକାଠି ହୁଅନ୍ତେ (!) ବୋଲି ଜଣେ ରାଜନୈତିକ ପର୍ଯ୍ୟବେକ୍ଷକ ମନ୍ତବ୍ୟ ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS