– ରାଜଧାନୀର ମଣିଷ – ବିଡ଼ିଏରେ ପେନସନ୍ ନାହିଁ, ପାନ ଦୋକାନ ହୋଇଛି ଭୀମସେନଙ୍କ ପାଇଁ ଅବସର ପରର ସାହା..
ଭୁବନେଶ୍ୱର (ପ୍ରସାଦ ରାଓ): ରାଜଧାନୀ ଭୁବନେଶ୍ୱର । ଗୋଲାମ ନଗରୀ ଭାବେ ପରିଚିତ ଏହି ସହରର ପ୍ରତ୍ୟେକ ଅଧିବାସୀଙ୍କ ଜୀବନ ଜିଇଁବାର ଶୈଳୀ ଭିନ୍ନ । ନେତା, ମନ୍ତ୍ରୀ, ବିଧାୟକ, ପ୍ରଶାସକ, ସରକାରୀ କର୍ମଚାରୀ, ଛୋଟ- ବଡ ବ୍ୟବସାୟୀ, ସମସ୍ତେ ଯେ ଯାହା ଦୁନିଆରେ ବ୍ୟସ୍ତ । ଜୀବନ ଏଠାରେ ବୋହି ଯାଉଥିବା ନଦୀଟିଏ । ଆବଶ୍ୟକତା ନଥିଲେ କେହି କାହାରିକୁ ଚିହ୍ନିବାର ଅବକାଶ ନଥାଏ । ପଡିଶା ଘରେ କିଏ ରହୁଛି ଜାଣିବାକୁ ଚାହିଁ ନଥା’ନ୍ତି ପାଖ ଘର ଲୋକ । ଗୋଟିଏ ପଟେ ମନ୍ତ୍ରୀ, ଯନ୍ତ୍ରୀ, ପ୍ରଶାସକ, ସରକାରୀ କର୍ମଚାରୀ, କର୍ପୋରେଟ୍ ହାଉସ୍ ଏବଂ ଛୋଟ-ବଡ ବ୍ୟବସାୟୀଙ୍କ ଚାକଚକ୍ୟ ଭରା ଜୀବନ, ଅନ୍ୟପଟେ ଦିନକୁ ଶହେ, ଦୁଇ ଶହ ଟଙ୍କା କମାଇବା ପାଇଁ ସଂଘର୍ଷ ଜାରି ରଖିଥିବା ଖଟିଖିଆ ମଣିଷ । ଅସଂଗଠିତ ଶ୍ରମିକଙ୍କ ସଂଖ୍ୟା ସବୁଠାରୁ ଅଧିକ ହୋଇଥିଲେ ବି ଭୋଟ ସମୟ ଛଡା ଅନ୍ୟ ସମୟରେ ସେମାନେ ଅଲୋଡା । ସ୍ୱଚ୍ଛଳବର୍ଗଙ୍କ ଚାକଚକ୍ୟ ଦେଖି ସେମାନେ ଅଭିମାନ କରନ୍ତିି ସିନା ଜୀବନ ଜିଇଁବାର ସଂଘର୍ଷରୁ ସେମାନଙ୍କର ମୁକ୍ତି ନାହିଁ । କେବଳ ଭବିଷ୍ୟତ ଆଶାରେ ସେମାନେ ବଂଚି ରୁହନ୍ତି । ପଚାରିଲେ କୁହନ୍ତି, ‘ସବୁ ସେହି ଭଗବାନଙ୍କ ଇଚ୍ଛା..’
ଏଭଳି ମଣିଷଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୃହତ ରାଜଧାନୀର ଅଂଶ ହୋଇଥିବା ରାଜଧାନୀ ଉପକଂଠ ଝାରପଡା ଗାଁର ଭୀମସେନ ସାହୁ । ଗାଁରେ ଜମିବାଡି ଅଛି । ଭାଇ ଭାଗ ହୋଇ ନାହିଁ । ଆଉ ଚାଷବାସ ବି ହେଉନି । ଜମି ପଡିଆ ପଡିଛି । ଭାଇମାନେ ଛୋଟ ବଡ ବେପାର କରି ଚଳୁଥିବା ବେଳେ ଝାରପଡା ପୂଜା ମଣ୍ଡପ ସାମନାରେ ଛୋଟ ପାନ ଦୋକାନଟିଏ କରି ଚଳୁଛନ୍ତି ଭୀମସେନ । ବୟସ ହେଲାଣି । ତଥାପି, ଜୀବନ ବଦଳିବାର ଭରସା ରହିଛି । କୁହନ୍ତି, ୪୦ ବର୍ଷର ଦୋକାନ । ପ୍ରଥମେ ପୂଜା ମଣ୍ଡପକୁ ଲାଗି କରି ଥିଲା । ସାତ ବର୍ଷ ହେଲା ସ୍ଥାନ ବଦଳିଛି । ଦିନସାରା ବସି ପାନ ଭାଂଗିଲେ ପାଂଚ ସହ ରୋଜଗାର ହୋଇ ପାରନ୍ତା । କିନ୍ତୁ, ବସି ହଉ ନାହିଁ । ଦିନକୁ ଦୁଇରୁ ତିନି ଶହ ରୋଜଗାର ହେଉଛି । ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡ଼ିଏ)ରେ ଚାକିରିଟିଏ କରୁଥିଲେ । ଚାକିରୀ ଆଗରୁ କରିଥିବା ଏହି ପାନ ଦୋକାନଟି ଆଜି ତାଙ୍କ ଅବସର ଜୀବନର ଶାହା ହୋଇଛି । ଭୀମସେନଙ୍କ ଦୁଃଖ ହେଉଛି, ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ବିଡ଼ିଏ ମଧ୍ୟ ସରକାରୀ ସଂସ୍ଥା ହୋଇ ସୁଦ୍ଧା ଅବସର ପରେ ବିଡ଼ିଏ କର୍ମଚାରୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା ନାହିଁ । ତେଣୁ, ଏହି ସଂସ୍ଥାରୁ ଅବସର ଗ୍ରହଣ କରିଥିବା କର୍ମଚାରୀ ଘୋର ହିନସ୍ତାରେ ଅଛନ୍ତି । ସେ ୨୦୧୩ରେ ଅବସର ଗ୍ରହଣ କରି ଖାଲି ହାତରେ ଘରକୁ ଫେରିଲେ । ପିଏଫ୍ ଜମାରୁ ଯାହା ଅଳ୍ପ କିଛି ମିଳିଲା ବାକି ସବୁ ଶୁଝିବାରେ ସରିଗଲା । ରାଜ୍ୟର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଭାଇ ମଧ୍ୟ ବିଡ଼ିଏରେ ଚାକିରି କରୁ ଥିଲେ । ଅବସର ପରେ ସେ ମଧ୍ୟ ଖାଲି ହାତରେ ଫେରିଲେ । ସଂପୃକ୍ତ ରାଜନେତା ରାଜ୍ୟରେ ମନ୍ତ୍ରୀ ଥିଲେ । ସେତେବେଳେ ଯଦି କିଛି ହୋଇଥା’ନ୍ତା, ବିଡ଼ିଏ କର୍ମଚାରୀମାନେ ଉପକୃତ ହୋଇଥା’ନ୍ତେ । ତେବେ, ଆଶାର ଅନ୍ତ ନାହିଁ । ବେଳେ ବେଳେ ଭୀମସେନଙ୍କ ଦେଖା କରିବାକୁ ଆସୁଥିବା ବିଡ଼ିଏ କର୍ମଚାରୀମାନେ ଆଶା ଦେଉ ଯାଉଛନ୍ତି, ନିକଟ ଭବିଷ୍ୟତରେ କିଛି ହୋଇପାରେ ବୋଲି । ଯଦି ପେନସନ୍ ଲାଗୁ ହୁଏ, ଅନ୍ୟମାନଙ୍କୁ ମିଳିଲେ ତାଙ୍କୁ ମଧ୍ୟ କିଛି ମିଳିବ – ସେହି ଆଶାରେ ଦିନ କାଟୁଛନ୍ତି ଭୀମସେନ । ଭବିଷ୍ୟନିଧି ସଂସ୍ଥାରୁ ମାସିକ ମିଳୁଥିବା ୧୩୦୦ ଟଙ୍କା ପେନସନ୍ ସମୁଦ୍ରକୁ ଶଙ୍ଖେ । ପାନ ଦୋକାନ ଆୟ ହିଁ ତାଙ୍କ ପରିବାରା ସାହା ହୋଇଛି।
ଦୋକାନରେ ଗରାଖ ନଥିଲେ ଭୀମସେନ ମନେ ପକାନ୍ତି ୪୦ ବର୍ଷ ତଳର ସେହି ପୁରୁଣା ଝାରପଡା ଗାଁ କଥା । ଘନ ଜଙ୍ଗଲ ଥିଲା ରାଜଧାନୀର ଏହି ସହରତଳି ଅଂଚଳ । ଝାରପଡା ସ୍ୱତନ୍ତ୍ର କାରାଗାର ଥିଲା ଏହି ଅଂଚଳର ଲ୍ୟାଂଡମାର୍କ । ଜଂଗଲିଆ ଜାଗାକୁ ଦିନ ବେଳେ ଜନ୍ତୁ ଭୟ । କେହି ଆସୁ ନଥିଲେ ଏପଟେ । ସେହି ସମୟରେ ବଂଚିବାର ସାଦନ ଭାବେ ସେ ଖୋଲି ଥିଲେ ଏହି ପାନ ଦୋକାନଟିଏ । ଦିନକୁ ପାଂଚ ଟଙ୍କା ବେପାର ହେବା ମୁସ୍କିଲ ଥିଲା । ଭାଗ୍ୟକୁ ବିଡ଼ିଏରେ ଚାକିରିଟିଏ ପାଇଲେ ସିନା ପାନ ଦୋକାନକୁ ହାତଛଡା କଲେ ନାହିଁ । ଅବସର ପରେ ସେହି ଦୋକାନ ହିଁ ଆଜି ତାଙ୍କ ଗୁଜୁରାଣ ମେଂଟାଉଛି। ୧୯୮୦ରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଫଟୋଟିଏ ପାଇ କ୍ୟାପିଟାଲ ହାଟରେ ବନ୍ଧାଇ ଥିଲେ ୧୫ ଟଙ୍କା ଦେଇ । ସେହି ଫଟୋଟି ଶୋଭା ପାଉଛି ଦୋକାନରେ । ଯେଉଁ ଦୋକାନ ଖଣ୍ଡିକରେ ସେ ବସୁଛନ୍ତି, ତାହା ତିଆରି କରିବାକୁ ସେ କାଠବହ୍ଲା ଯୋଗାଡି ଥିବା ବେଳେ ଦୋକାନ ତିଆରି ଖର୍ଚ୍ଚ ବାବଦରେ ବଢେଇ ନେଇ ଥିଲା ୧୫ ଟଙ୍କା । ବିଡ଼ିଏ ଚାକିରି ସହ ପାନ ଦୋକାନ ଆୟରେ ସେ ଝିଅ ବାହାଘର କରିଛନ୍ତି, ପୁଅଙ୍କୁ ପାଠ ପଢାଇଛନ୍ତି ଏବଂ ଗାଁରେ ଘର ଖଣ୍ଡେ ଛାତ ଘର ବି କରିଛନ୍ତି ବୋଲି ଗର୍ବର ସହ କୁହନ୍ତି ଭୀମସେନ । ସ୍ୱଳ୍ପ ଆୟ ଯୋଗୁ ସେ ନିଜ ପରିବାର ଠାରୁ କିଭିଳି ବର୍ଷ ବର୍ଷ ଧରି ଦୂରେଇ ରହୁ ଥିଲେ, ପରିସ୍ଥିତିରେ ପଡି ପରିବାରକୁ ପାଖରେ ରଖିବା ସକାଶେ ସେ କେମିତି ଗାଁ ପାଖ ସାଂଗସାଥୀଙ୍କ ସାହାଯ୍ୟ, ସହଯୋଗ ପାଇଥିଲେ, ସ୍ୱଳ୍ପ ଆୟ ସତ୍ୱେ ସେ କିଭଳି ସ୍ୱାଭିମାନର ଜୀବନ ଜିଇଁ ଆସିଛନ୍ତି – ଏକଥା ଗପିବା ବେଳେ ଭୀମସେନ ପ୍ରଗଲ୍ଭ ହୋଇ ଉଠନ୍ତି । ଆଜି ଝାରପଡାର ରୂପ ସଂପୂର୍ଣ୍ଣ ବଦଳି ଯାଇଛି । ରାଜଧାନୀର ଏକ ସଂଭ୍ରାନ୍ତ ଅଂଚଳ ଭାବେ ଝାରପଡା ଗଢି ଉଠିଛି । ତେବେ, ଭୀମସେନଙ୍କ ପରି ଅନେକଙ୍କ ସଂଘର୍ଷ ସରି ନାହିଁ । ଶ୍ରୀରାମଚନ୍ଦ୍ରଙ୍କ ଭରସାରେ ଜୀବନ ସଂଘର୍ଷ ଜାରି ରହିଛି ।
Nice story
ଅସଂଘଠିତ ସ୍ରମିକଙ୍କ ଜୀବନ ବାସ୍ତବରେ ଅତ୍ୟନ୍ତ ଦୟନୀୟ