୨୦୧୯ରେ କାହାର ବିଜୟ ହେବ-‘ଆତ୍ମବିଶ୍ୱାସ’ ନା ‘ଅହଂକାର’ର !
ଭୁବନେଶ୍ୱର,୩୧ ଅକ୍ଟୋବର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ କେଉଁ ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାସୀନ ହେବ (?) ବୋଲି ପ୍ରଶ୍ନ ହେଲେ ଯେ କେହି ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଡକୁ ଆଂଗୁଠି ଦେଖାଇବ । କାରଣ, କଂଗ୍ରେସ ବା ବିଜେପି ଯେତେ ବାହାସ୍ପୋଟ ମାରିଲେ ବିଜେଡ଼ିର ମୁକାବିଲା କରିବା ସ୍ଥିତିରେ ନାହାନ୍ତି । ନବୀନଙ୍କ ବିକଳ୍ପ ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପ୍ରସ୍ତୁତ କରୁଛି । ମନ୍ତ୍ରୀ ପ୍ରଧାନ ମଧ୍ୟ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଦ୍ୱାରା ଧାର୍ଯ୍ୟ ‘୧୨୦ ପ୍ଲସ୍’ ଟାର୍ଗେଟ୍କୁ ନେଇ ବିଜେଡ଼ିର ମୁକାବିଲା କରିବାକୁ ହାତଗୋଡ ଛାଟୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ସେ ଓଡ଼ିଶାରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ ବି ବିଧାନସଭାରୁ ପ୍ରାର୍ଥୀ ହେବେ କି ଲୋକସଭାରୁ, ତାହା ସେ ନିଜେ ଜାଣନ୍ତି ନାହିଁ । ଦଳ ଯାହା ନିଷ୍ପତ୍ତି ନେବ, ସେହି ଅନୁସାରେ ସେ କାର୍ଯ୍ୟ କରିବେ କହି ମିଡ଼ିଆକୁ ଟାଳି ଦେଇଛନ୍ତି । ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ୍ କରୁ ଥିବାରୁ ସେ ବିଜେପି ସଭାପତି ଶାହାଙ୍କ ‘ଅବାସ୍ତବ’ ଟାର୍ଗେଟ୍କୁ ହାସଲ କରିବା ସକାଶେ ଦଳର ଯୁବ ବ୍ରିଗେଡ୍କୁ ଧରି ନବୀନ-ବିରୋଧୀ ମୋର୍ଚ୍ଚା ଖୋଲିଛନ୍ତି ।
ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ପଂଚମ ଥର ରାଜ୍ୟ ମୁଖ୍ୟମନ୍ତ୍ରୀ ହେବା ନେଇ ଦୃଢ ଆଶାବାଦୀ । ତାଙ୍କ ଯୁକ୍ତି ହେଉଛି, ଗଲା ୧୭ ବର୍ଷ ମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଆଶାତୀତ ବିକାଶ ହୋଇଛି । ଚାଉଳ ଉତ୍ପାଦନଠାରୁ ଆରଂଭ କରି ମହିଳା ସଶକ୍ତୀକରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଜ୍ୟ ଏକ ନମ୍ବର । ଚାଷୀ ଆତ୍ମହତ୍ୟାର କଳଙ୍କ ସରକାରଙ୍କ ପିଛା ଛାଡୁନି ସିନା କେନ୍ଦ୍ର ସରକାର ବାରଂବାର ରାଜ୍ୟକୁ କୃଷିକର୍ମଣ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରୁଛନ୍ତି । ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ‘ଓଡ଼ିଶାର ବିକାଶ’ । ଏକଥା ରାଜ୍ୟବାସୀ ଜାଣନ୍ତି । ତେଣୁ, ୨୦୧୯ରେ ପୁଣି ଥରେ ବିଜେଡ଼ି ହାତକୁ କ୍ଷମତା ଆସିବ । ନିକଟରେ ମୁଖ୍ୟମନ୍ତ୍ରୀ ଏକ ମିଡ଼ିଆ ଆଲୋଚନାରେ ଭାଗ ନେଇ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଶାହାଙ୍କ ‘୧୨୦ ପ୍ଲସ୍’ ସ୍ଲୋଗାନ ‘ଏକ ଅବାସ୍ତବ ପରିକଳ୍ପନା’ ବୋଲି ମତ ଦେଇ ଏଭଳି ପରିକଳ୍ପନାରେ ସେ ବିଶ୍ୱାସ କରିନ୍ତି ନାହିଁ ବୋଲି କହିଥିଲେ । ନବୀନଙ୍କ ଆତ୍ମବିଶ୍ୱାସ ଭରା ଉତ୍ତର ପ୍ରଶ୍ନକର୍ତାଙ୍କୁ ଆଚମ୍ବିତ କରିଥିଲା ଏବଂ ପ୍ରଶ୍ନକର୍ତା ନମ୍ରତାର ସହ ଏହି ଉତ୍ତରକୁ ଗ୍ରହଣ କରି ଥିଲେ ।
ଦେଶରେ ଆଗୁଆ ନିର୍ବାଚନ ହେବା ସମ୍ଭାବନାକୁ ଆଖିରେ ରଖି ସବୁ ଦଳରେ ପ୍ରସ୍ତୁତି ଯୋର୍ ଧରିଛି । ବିଜେଡ଼ି ମଧ୍ୟ ପ୍ରସ୍ତୁତ ହେଉଛି । ନିର୍ବାଚନ କମିସନ ଜଣାଇ ସାରିଲେଣି ଯେ, କେନ୍ଦ୍ର ସରକାର ଚାହିଁଲେ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ୨୦୧୮ ସେପ୍ଟେମ୍ବର ପରେ ଯେକୌଣସି ସମୟରେ କରାଇବାକୁ କମିସନ ପ୍ରସ୍ତୁତ । କେନ୍ଦ୍ର ସରକାର ଓ ଯେଉଁ ସବୁ ରାଜ୍ୟରେ ୨୦୧୮ ଶେଷ ଭାଗ ବା ୨୦୧୯ ପ୍ରଥମ ଭାଗରେ ନିର୍ବାଚନ ହେବାକୁ ଅଛି, ସେସବୁ ରାଜ୍ୟର ସହମତ ହେଲେ ଆଗୁଆ ନିର୍ବାଚନ କରାଇବାରେ କୌଣସି ଅସୁବିଧା ନାହିଁ । କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କଥା ନିଜ ଆଡୁ ଉଠାଇ ଥିଲେ । ଏବେ ଅଧିକାଂଶ ରାଜ୍ୟ ସରକାର ଓ ରାଜନୈତିକ ଦଳ ସହମତି ପ୍ରକାଶ କଲେଣି । ଓଡ଼ିଶାରେ ମଧ୍ୟ ଶାସକ ବିଜେଡ଼ି ସମେତ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମଧ୍ୟ ଆଗୁଆ ନିର୍ବାଚନ ହେଲେ କିଛି ଅସୁବିଧା ନାହିଁ ବୋଲି ଜଣାଇ ଦେଲେଣି । ତେଣୁ, ନିର୍ବାଚନ ଖୁବ୍ଶୀଘ୍ର ହେବା ନିଶ୍ଚିତ ହୋଇଯାଇଛି । ତେଣୁ, ରାଜ୍ୟରେ ଏବେ ଏକମାତ୍ର ଆଲୋଚନାର ପ୍ରସଙ୍ଗ ହୋଇଛି, ଶାସକ ବିଜେଡ଼ି ଓ ବିରୋଧୀଙ୍କ ନିର୍ବାଚନ ପ୍ରସ୍ତୁତି । ଆଗାମୀ ନିର୍ବାଚନରେ ରାଜ୍ୟର ଭୋଟରମାନେ ପୁଣି ଥରେ ବିଜେଡ଼କୁିି କ୍ଷମତା ଆଣିବେ ନା ବିଜେପିର ‘୧୨୦ ପ୍ଲସ୍’ ଟାର୍ଗେଟ୍ କମାଲ୍ ଦେଖାଇବ (?), ବିଜେଡ଼ି-ବିଜେପି ମଧ୍ୟରେ ନିର୍ବାଚନ ବୁଝାମଣାର ସଂଭାବନା ଅଛି କି(!), ଦେଶରେ ସାଂପ୍ରଦାୟିକ ଶକ୍ତିଙ୍କୁ ପ୍ରତିହତ କରିବା ସକାଶେ କଂଗ୍ରେସ ଯେଉଁ ମହାମେଂଟ କଥା କହୁଛି ସେଥିରେ ବିଜେଡ଼ି ସାମିଲ ହେବା ସମ୍ଭାବନା କେତେ (?)- ଏଭଳି ଅନେକ ପ୍ରଶ୍ନ ଭୋଟରଙ୍କ ମନକୁ ଆନେ୍ଦାଳିତ କରୁଛି ।
ବିଜେଡ଼ି-ବିଜେପି ବୁଝାମଣା ସମ୍ଭାବନାକୁ ଦୁଇ ଦଳ ଅସ୍ୱୀକାର କରିସାରିଛନ୍ତି । ତେବେ, କଂଗ୍ରେସ ସହ ବିଜେଡ଼ିର ବୁଝାମଣା ସମ୍ଭାବନାକୁ ନେଇ ଶାସକ ଦଳରେ ଭିନ୍ନମତ ରହିଥିବା ଲକ୍ଷ୍ୟ କରାଯାଉଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଠିକ୍ ଭାବେ ଠଉରାଇ ପାରୁ ନ ଥିବା ବିଜେଡ଼ି ନେତାମାନେ ସତର୍କତାର ସହ ମନ୍ତବ୍ୟ ଦେଉଥିବା ବେଳେ ଦାମୋଦର ରାଉତଙ୍କ ଭଳି ଦଳର କୁହାଳିଆ ନେତା ନିଜର ସ୍ୱଭାବସୁଳଭ ଢଙ୍ଗରେ ‘କଂଗ୍ରେସ ଅଛୁଆଁ ନୁହେଁ’, ‘ସାଂପ୍ରଦାୟିକ ଶକ୍ତିଙ୍କୁ କ୍ଷମତା ଠାରୁ ଦୂରେଇ ରଖିବା ସକାଶେ କଂଗ୍ରେସ ଭଳି ଧର୍ମନିରପେକ୍ଷ ଶକ୍ତିଙ୍କ ସହ ବୁଝାମଣାରେ କିଛି ଅସୁବିଧା ନାହିଁ’ଁ ଭଳି ମନ୍ତବ୍ୟ ଦେଇ ଶାସକ ଦଳରେ ନିଆଁ ଲଗାଇଛନ୍ତି । ଏହାକୁ ନେଇ ବିଜେପି ନିଜେ ଚିନ୍ତିତ ଥିଲେ ବି ବାହାରକୁ କହୁଛି – ବିଜେପି ଭୟରେ ବିଜେଡ଼ି କଂଗ୍ରେସ ସହ ବୁଝାମଣା ସମ୍ଭାବନାକୁ ଖୋଲା ରଖିଛି । ବିଜେଡ଼ି ଓ ବିଜେପି ମଧ୍ୟରେ ଚାଲିଥିବା ଟଣାଓଟରାରୁ ଆନନ୍ଦ ନେଉଛି କଂଗ୍ରେସ । ଦଳର ନେତାମାନେ ଚିମୁଟିଲା ଭଳି ବିବୃତି ଦେଉଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ବିରୋଧୀ ଦଳ ମୁଖ୍ୟ ନରସିଂହ ମିଶ୍ର ବିଜେଡ଼ି-କଂଗ୍ରେସ ବୁଝାମଣା ସମ୍ଭାବନାକୁ ସ୍ୱାଗତ କରିବା ସହ ବିଜେଡ଼ି ସଭାପତିଙ୍କ ଆଡୁ ବିଧିବଦ୍ଧ ପ୍ରସ୍ତାବ ମିଳିଲେ କଂଗ୍ରେସ ହାଇକମାଣ୍ଡ୍ ବିଚାର କରିବେ ବୋଲି ମନ୍ତବ୍ୟ ଦେଇ ବିବାଦକୁ ଅଧିକ ପ୍ରଜ୍ୱଳିତ କରିଛନ୍ତି । ତେବେ, ବିଜେଡ଼ି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ସମ୍ଭାବନାକୁ ରୋକଠୋକ୍ ଭାବେ ଅଗ୍ରାହ୍ୟ କରିଛନ୍ତି । ବିଜେଡ଼ି ଉଭୟ ବିଜେପି ଓ କଂଗ୍ରେସ ସହ ସମଦୂରତା ବଜାୟ ରଖିବା ନୀତିରେ ଅଟଳ ରହିଛି କହି ସେ ଗୋଟିଏ ଧାଡିରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି । ତେବେ, ସମାଲୋଚକଙ୍କ ମତରେ ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ । ନିର୍ବାଚନ ପାଖେଇ ଆସିଲେ ବିଭିନ୍ନ ସମ୍ଭାବନାର ବାଟ ଖୋଲେ । ଅମିତ ଶାହାଙ୍କ ଟାର୍ଗେଟ୍ ହାସଲ ପାଇଁ ବିଜେପି ଦାନ୍ତ କାମୁଡୁଛି । ଅତ୍ୟନ୍ତ ବ୍ୟକ୍ତଗତ ସ୍ତରକୁ ଓଲ୍ହାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ିକୁ ସମାଲୋଚନା କରୁଛି । ରାଜ୍ୟ ସରକାର ଯେତେ ‘ବିକାଶ’ କଥା କହିଲେ ବି ‘ପରିବର୍ତନ’ ସପକ୍ଷରେ ଏକ ଅନ୍ତଃସ୍ରୋତ କାମ କରୁଥିବା ବିଜେଡ଼ି ଭଲ ଭାବେ ଜାଣିଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସକାଶେ ବିଜେଡ଼ି ସୁପ୍ରିମୋ ନବୀନ ବାବୁ ଉଦ୍ୟମ କରୁଛନ୍ତି । ତଥାପି, ଅବସ୍ଥା ଅସମ୍ଭାଳ ହେଲେ ସେ ବୁଝାମଣା କଥା ଚିନ୍ତା କରିପାରନ୍ତି ବୋଲି କିଛି ସମାଲୋଚକ ମତ ଦେଇଛନ୍ତି । ଯୁବ ଭୋଟରଙ୍କ ମଧ୍ୟରେ ବିଜେଡ଼ି ଶାସନକୁ ନେଇ କିଛିଟା ସନେ୍ଦହ ରହି ଥିବା ଲକ୍ଷ୍ୟ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳତା ଓ ସ୍ୱଚ୍ଛତାକୁ ନେଇ ସେମାନଙ୍କ ମନରେ କୌଣସି ସନେ୍ଦହ ନାହିଁ । ତେବେ, ମୁଖ୍ୟମନ୍ତ୍ରୀଙ୍କ ଚାରି ପାଖେ ଘେରି ରହି ଥିବା ନେତା, ଅଫିସରଙ୍କ ସ୍ୱଚ୍ଛତା ନେଇ ସେମାନଙ୍କ ମନରେ ସନେ୍ଦହ ରହିଛି । ତେଣୁ, ନବୀନ କେବଳ ‘ବିକାଶ’କୁ ନେଇ ଭୋଟରେ ବିଜୟୀ ହେବାର ଦୃଢୋକ୍ତି ପ୍ରକାଶ ନ କରି ଯୁବ ପୀଢିଙ୍କୁ ସନ୍ତୁଷ୍ଟ କଲା ଭଳି ଆଖିଦୃଶିଆ କର୍ମ ନିଯୁକ୍ତି ବ୍ୟବସ୍ଥା କରିବା ଉଚିତ ବୋଲି ମତ ପ୍ରକାଶ ପାଉଛି । ନହେଲେ, ନବୀନଙ୍କ ‘ଆତ୍ମବିଶ୍ୱାସ’କୁ ଶକ୍ତ ଧକ୍କା ଲାଗିବ ଏବଂ ଅନ୍ୟମାନେ ଏହାକୁ ‘ଅହଂକାର’ର ପରାଜୟ ବୋଲି କହିବାର ସୁଯୋଗ ପାଇବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS