ମାନବିକତା ମରି ନାହିଁ …
ଭୁବନେଶ୍ୱର (ପ୍ରସାଦ ରାଓ): ମୋ ହ୍ୱାଟସ୍ଆପ୍ ପେଜ୍ରେ ବୁଧବାର ରାତିରେ ଏପରି ଗୋଟିଏ ଖବର ପାଇଲିି, ଯାହାକି ଆଜି ବି ମାନବିକତା ବଂଚି ରହିଥିବାର ଆଭାସ ଦେଉଛି । ଖବରଟି ହେଉଛି ଏହି ଭଳି । ବିଦ୍ୟା ନାମକ ଜଣେ ମହିଳା ଥାଂପାନୁର ରେଳ ଷ୍ଟେସନ୍ ନିକଟରେ ଦେଖିଲେ ଜଣେ ବୃଦ୍ଧା ଭୋକ ମେଂଟାଇବା ପାଇଁ ନିକଟରେ ପଡି ଥିବା ଅଳିଆ ଗଦାରୁ କିଛି ଗୋଟାଇ ଖାଉଛନ୍ତି । ବିଦ୍ୟା ପାଖ ଚା’ ଦୋକାନରୁ କିଛି ଖାଦ୍ୟ ଆଣି ବୃଦ୍ଧାଙ୍କୁ ଦେଲେ ଏବଂ ବୃଦ୍ଧା ଜଣକ ତାହା ଖାଇବା ସମୟରେ କିଛି କଥାବାର୍ତା ମଧ୍ୟ ହେଲା । କଥାଛଳରେ ବିଦ୍ୟା ଜାଣିଲେ, ଅସହାୟା ବୃଦ୍ଧା ଜଣକର ନାମ ହେଉଛି ଭାତ୍ସା ଏବଂ ସେ ମାଲ୍ଲାପୁରମ୍ର ଏକ ପବ୍ଲିକ୍ ସ୍କୁଲ୍ରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ବିଦ୍ୟା ତାହା ଶୁଣି ଚକିତ ହେଲେ ଏବଂ ବୃଦ୍ଧାଙ୍କ ଫଟୋଟିଏ ଉଠାଇ ସଂଗେ ସଂଗେ ପୋଷ୍ଟ୍ କଲେ ଫେସ୍ ବୁକ୍ରେ । ଫଟୋଟି ଅପଲୋଡ ହେବା ପରେ ସଂପୃକ୍ତ ପବ୍ଲିକ ସ୍କୁଲର ବହୁ ପୁରାତନ ଛାତ୍ରଛାତ୍ରୀ ତାହା ଦେଖି ଆଗେଇ ଆସିଲେ ସେମାନଙ୍କ ପ୍ରିୟ ଗଣିତ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ମାଲ୍ଲାପୁରମ ଫେରାଇ ନେଇ ତାଙ୍କର ଉପଯୁକ୍ତ ଯତ୍ନ ନେବାକୁ । ପରଦିନ ସକାଳେ ଦଳ ଦଳ ଛାତ୍ରଛାତ୍ରୀ ପହଂଚି ଯାଇଥିଲେ ତ୍ରିଭାନ୍ଦ୍ରମ୍ ଷ୍ଟେସନ୍ରେ ଏବଂ ସାଙ୍ଗରେ ନେଇ ଯାଇଥିଲେ ସେମାନଙ୍କ ପୁରାଣା ଗଣିତ ଶିକ୍ଷୟତ୍ରୀ ଭାତ୍ସାଙ୍କୁ ମାଲ୍ଲାପୁରମ୍ । ଏହା ହେଉଛି ମାନବିକତା ଏବଂ ସାମାଜିକ ଗଣମାଧ୍ୟମର ଅପାର ଶକ୍ତିର ନମୂନା । ଖବରଟି ନିଶ୍ଚିତ ଭାବେ ରୋଚକ । ତେବେ, ଯେତିକ ତଥ୍ୟ ହ୍ୱାଟସ୍ଆପ୍ରେ ମିଳିଛି, ସେତିକି ହିଁ ଏଠାରେ ଉପସ୍ଥାପିତ କରିଛି । ଆମେ ଅନ୍ୟକୁ ସମାଲୋଚନା କରିବାରେ ସମୟ ନଷ୍ଟ କରୁଛେ, ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରୁଛେ । ତାହା ଅପେକ୍ଷା ଅସହାୟ ଲୋକଙ୍କୁ ସହାୟତାରେ ଏହି ମାଧ୍ୟମକୁ ବ୍ୟବହାର କରାଗଲେ ଏଭଳି ଅନେକ ଭାତ୍ସାଙ୍କ ଉପକୃତ ହୋଇ ପାରିବେ । ଭାତ୍ସାଙ୍କ ଅତ୍ୟନ୍ତ ଦୁର୍ବଳ ମୂହୁର୍ତରେ ସହାୟତାର ହାତ ବଢାଇ ଥିବା ବିଦ୍ୟା ଏବଂ ଏହି ଖବର ହ୍ୱାଟସ୍ଆପ୍ରେ ପ୍ରସାରିତ କରି ମରି ଯାଉଥିବା ମାନବିକତାର ପୁନରୁଜ୍ଜୀବିତ କରି ଥବା ବନ୍ଧୁଙ୍କୁ ‘ମୋଅନୁଭବ’ର କୃତଜ୍ଞତା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS