ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷି ବିରୋଧୀ – ଆନ୍ନା ହଜାରେ
ଭୁବନେଶ୍ୱର,୨୩ ନଭେମ୍ବର: ଗାନ୍ଧିବାଦୀ ନେତା ତଥା ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ଦିନ ଏଠାରେ ପହଂଚିବା ପରେ ଜାତୀୟ ସ୍ତରରେ ସେ ଚାଷିଙ୍କ ସମସ୍ୟାକୁ ନେଇ ଆନେ୍ଦାଳନ କରିବେ ବୋଲି ସୂଚନା ଦେଇଛନ୍ତି । ଦେଶରେ ଚାଷି ଆତ୍ମହତ୍ୟା ବୃଦ୍ଧି ପାଉତିବା ବେଳେ ଜଣେ ହେଲେ ଶିଳ୍ପପତି ଆତ୍ମହତ୍ୟା କରିବା ନଜିର ଅଛି କି ବୋଲି ଆନ୍ନା ପ୍ରଶ୍ନ କରିଥିଲେ । ସେ କହିଲେ ଯେ, ବିଗତ ୨୨ ବର୍ଷ ମଧ୍ୟରେ ଦେଶର ୧୨ ଲକ୍ଷ ଚାଷି ଆତ୍ମହତ୍ୟା କରିଛନ୍ତି । କିନ୍ତୁ, ଜଣେ ହେଲେ ଶିଳ୍ପପତି ଆତ୍ମହତ୍ୟା କରି ନାହାନ୍ତି । ରାଜ୍ୟର ଚାଷିମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ସେ ଏଠାରେ କୃଷକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ପରେ ସାମ୍ବାଦିକଙ୍କୁ ଭେଟି ଏଭଳି ମନ୍ତବ୍ୟ ଦେଇଛନ୍ତି । ଚାଷିଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ମିଳିବା ଉପରେ ଯୋର୍ ଦେଇ ଆନ୍ନା କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷିଙ୍କ ପ୍ରତି ଅବହେଳା କରି ଆସୁଛନ୍ତି । ଉଭୟ ସରକାର ଚାଷିଙ୍କ ସମସ୍ୟା ଗୁରୁତ୍ୱର ସହ ବିଚାର କରିବା ଆବଶ୍ୟକ ।
ଚାଷିଙ୍କ ସମସ୍ୟା ନେଇ ସେ ଜାତୀୟ ସ୍ତରରେ ଆନେ୍ଦାଳନ କରିବେ ବୋଲି ସୂଚନା ଦେଇ ଆନ୍ନା କହିଲେ, ଚାଷିଙ୍କ ସମସ୍ୟାର ସମାଧାନ ଏବଂ ଉପଯୁକ୍ତ ଜନ ଲୋକପାଳ ଆଇନ କାର୍ଯ୍ୟକାରୀ କରାଯିବା ଦାବିରେ ଆସନ୍ତା ଫେବୃୟାରୀ ମାସରେ ନୂଆଦିଲ୍ଲୀ ଠାରେ ଧାରଣାର ଆୟୋଜନ କରାଯିବ । ରାଜ୍ୟରେ ଚାଷି ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉ ଥିବା ଉଦ୍ବେଗର ବିଷୟ । ସରକାର ଚାଷିଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିବା ଉପରେ ଆନ୍ନା ଗୁରୁତ୍ୱ ଦେଇଥିଲେ । କୌଣସି କାରଣରୁ ଫସଲ ନଷ୍ଟ ହେଲେ ଚାଷି ପେନସନ୍ ଅର୍ଥରେ ଅନ୍ତତଃ ନିଜ ପରିବାର ପୋଷଣ କରିପାରିବେ ବୋଲି ସେ କହିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପ ସପକ୍ଷବାଦୀ ଓ ଚାଷି ବିରୋଧୀ ବୋଲି ଉଲ୍ଲେଖ କରି ଆନ୍ନା କହିଲେ, ଚାଷିଙ୍କ ଦାବି କଥା ଉଠିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନ୍ଧ, ବଧିର ଭଳି ଆଚରଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଶାସନ ଭାର ସମ୍ଭାଳିବା ପରେ କିଛି ପରିବର୍ତନ ଆସିବ ବୋଲି ସେ ଆଶା କରିଥିଲେ । ତେଣୁ ସେ ତିନି ବର୍ଷ ହେଲା ନୀରବ ରହିଥିଲେ । କିନ୍ତୁ, ମୋଦୀ ସରକାର ଚାଷିଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ସମୟରେ ମୋଦୀ ପ୍ରତିଶ୍ରୁତି ଦେଇଥିଲେ ଯେ, ତାଙ୍କ ସରକାର କ୍ଷମତାସୀନ ହେଲେ ଚାଷିଙ୍କୁ କୃଷି ଉତ୍ପାଦନ ପାଇଁ ହେଉଥିବା ଖର୍ଚ୍ଚର ଦେଢ ଗୁଣ ଅଧିକ ଲାଭଜନକ ଦର ଦେବ । ଯଦି ପ୍ରତିଶ୍ରୁତି ରକ୍ଷା କରି ପାରୁନ, କାହିଁକି ପ୍ରତିଶ୍ରୁତି ଦେଉଛ (!) ବୋଲି ଆନ୍ନା ପ୍ରଶ୍ନ କରିଥିଲେ । କେବଳ ଚାଷିଙ୍କ ଭୋଟ ହାତେଇବା ପାଇଁ ମୋଦୀଙ୍କ ଏହା କୌଶଳ ଥିଲା ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ଦେଶର ସମସ୍ତ ଚାଷି ଏକାଠି ହୋଇ ଏଭଳି ମିଥ୍ୟା ପ୍ରତିଶ୍ରୁତି ଓ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ । ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନ ଥିବାରୁ ସେ ପୁଣି ଥରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସ୍ଥିର କରିଛନ୍ତି ବୋଲି ଆନ୍ନା କହିଥିଲେ ।
ମୋଦୀ ସରକାର କ୍ଷମତାକୁ ଆସିଲେ ବିଦେଶରେ କଳାଧନ ଗଚ୍ଛିତ ରଖି ଥିବା ଭାରତୀୟଙ୍କ କଳାଧନକୁ ଜବତ କରାଯାଇ ଦେଶର ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରାଯିବ ବୋଲି ବୋଦୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, ତାହା ହେଲା ନାହିଁ । ଦେଶରେ ଏକ ଫଳପ୍ରଦ ଲୋକପାଳ ଆଇନ କାର୍ଯ୍ୟକାରୀ କରିବା ପ୍ରତିଶ୍ରୁତି ମଧ୍ୟ ରକ୍ଷା କରାଯାଇ ନାହିଁ । ଦୁଇ ଦିନ ପାର୍ଲାମେଂଟ ଅଧିବେଶନ ଚାଲିଲା । ଯେଉଁ ଲୋକପାଳ ଆଇନ ପାରିତ କରାଗଲା ତାହା କୌଣସି କାମକୁ ନୁହଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଗ୍ରାମସଭାର ମତାମତ ଅନୁସାରେ ଦେଶର ସମସ୍ତ ନୀତି ନିର୍ଦ୍ଧାରଣ ହେବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମ ସଭାକୁ ଅଣ ଦେଖା କରି ସମସ୍ତ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରି ଆନ୍ନା କହିଲେ, ଅନ୍ୟ ଦୁଇଟି ବିଷୟ ଅପେକ୍ଷା ଗ୍ରାମସଭା ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ ।
ଦେଶରେ ଦୁର୍ନୀତି ବିରୋଧୀ ଆନେ୍ଦାଳନର ମୁଖ୍ୟ ପୂରୋଧା ଭାବେ ପରିଚିତ ଆନ୍ନା ହଜାରେ ବୁଧବାର ଏଠାରେ ପହଂଚିବା ପରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରାଯାଇ ରାଜ୍ୟ ଅତିଥି ଭବନକୁ ପାଛୋଟି ଅଣା ଯାଇଥିଲା । ସେଠାରେ ସେ ସାମ୍ବାଦିକମାନଙ୍କୁ ଭେଟି ଥିଲେ । ଗୁରୁବାର ଦିନ ଜଗତସିଂପୁର ଠାରେ ଏହି କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଏକ କୃଷକ ସମାବେଶକୁ ସେ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS