– ରାଜଧାନୀଆଙ୍କ କଥା – ଅଣ୍ଡା ବେପାର ଛାଡିବେ ଛାଡିବେ ହେଲେଣି ମୁନୁ ପାତ୍ର
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୫ ନଭେମ୍ବର: ୧୫ ବର୍ଷ ହେଲା ଝାରପଡ଼ାରେ ସିଝା ଅଣ୍ଡା ବିକି ଜୀବିକା ନିର୍ବାହ କରୁଥିବା ମୁନୁ ପାତ୍ର ଅଣ୍ଡାର ଦର ବୃଦ୍ଧି ଦେଖି ଛାନିଆ । ଏଇ କିଛି ଦିନ ତଳେ ସେ ସିଝା ଅଣ୍ଡା ଗୋଟାକୁ ୭ ଟଙ୍କା ଓ ତିନିଟିକୁ ୨୦ ଟଙ୍କାରେ ବିକୁ ଥିଲେ । ଅଣ୍ଡାର ଚେପା ଛଡାଇ ସରୁ ସୂତାରେ ଦୁଇ ଫାଳ କରୁଥିଲେ । ସେଥିରେ ଟିକିଏ ଲଙ୍କା ଓ ଗୋଲମରିଚ ଗୁଣ୍ଡ, ପିଆଜ ପକାଇ ଥାଳିରେ ପରସି ଦେଉ ଥିଲେ ରାସ୍ତାରେ ଯିବା, ଆସିବା କରୁଥିବା ଲୋକଙ୍କୁ । ତା’ ସହିତ ହାତ ତିଆରି ଚଟଣି । ରସୁଣ, ଧନିଆପତ୍ରର ସୁଆଦିଆ ଚଟଣି ଯାଚି ଯାଚି ଦେଉଥିଲେ ଗ୍ରାହକଙ୍କୁ । ‘ଥରେ ଖାଇଲେ ପାଟିରୁ ଛାଡିବ ନାହିଁ’ କହି ବାହାଦୂରୀ ନେବାକୁ ଚାହୁଁଥିଲେ ସେ ।
କଂଚା ଅଣ୍ଡା ଗୋଟା ୪ରୁ ୫ଟଙ୍କା ଥିବା ସମୟରେ ୨୧୦ଟି ଅଣ୍ଡା ବିକିଲେ ୧୫୦ ଟଙ୍କା ଲାଭ ହେଉଥିଲା । ଦିନକୁ ତିନି ଶହରୁ ଚାରି ଶହ ଟଙ୍କାର ବେପାର କରୁଥିଲେ । ହଠାତ ଅଣ୍ଡା ଗୋଟା କିଣା ପଡିଲାଣି ପାଖାପାଖି ୭ଟଙ୍କା । ତାହାକୁ ସିଝାଇ ଲଙ୍କା, ଗୋଲମରିଚ ଗୁଣ୍ଡ, ପିଆଜ ଦେଇ ପରସିବାକୁ ସାହାସ କୁଳାଉନି ମୁନୁ ପାତ୍ରଙ୍କୁ । ସିଝା ଅଣ୍ଡାଟିଏ ଦେବା ଆଗରୁ ଗ୍ରାହକଙ୍କୁ ନେହୁରା ହୋଇ କହୁଛନ୍ତି – ‘ଆଉ ବେପାର କରି ହେବନି ଆଜ୍ଞା, ଗୋଟିଏ ସିଝା ଅଣ୍ଡା ୮ ଟଙ୍କା ୫୦ ପଇସାରେ ନ ବିକିଲେ ପୋସାଉ ନାହିଁ । ବେପାର ଛାଡି ଦେବାକୁ ପଡ଼ିବ’ । ତିନିଟି ଅଣ୍ଡାର କଂବାଇନ୍ଡ ରେଟ୍ ୨୦ ଟଙ୍କାରୁ ୨୫ ଟଙ୍କାକୁ ବଢାଇବାର କୈଫିୟତ ହେଉଛି ଏହି ଦର ବୃଦ୍ଧି । ୧୫ ବର୍ଷରେ ପ୍ରଥମ ଥର ପାଇଁ ୨୦୧୭ରେ ସେ ଦେଖିଲେ ଅଣ୍ଡାରେ ମହଙ୍ଗା ମାଡ । ଦିନ ଥିଲା ସିଝା ଅଣ୍ଡା ଗୋଟିକୁ ୩ଟଙ୍କା ୫୦ ପଇସା ଓ ତିନିଟିକୁ ୧୦ ଟଙ୍କାରେ ବିକୁ ଥିଲେ । ବଢି ବଢି ତାହା ୬ଟଙ୍କା ଓ ପରେ ୭ ଟଙ୍କା ହେଲା । ଏବେ ୮ଟଙ୍କା ୫୦ ପଇସା । ଝାରପଡ଼ା ହାଟରେ ପିଆଜ ଦର ହେଲାଣି କିଲୋ ୫୫ ଟଙ୍କା । ତାହା ମଧ୍ୟ ଛୋଟ ପିଆଜ । ସରକାର କହୁଛନ୍ତି ପିଆଜ କିଲୋ ୪୫ ଟଙ୍କାରେ ମିଳୁଛି । କିନ୍ତୁ, ପିଆଜ ବେପାରୀଙ୍କ କହିବା କଥ. ୪୫ ଟଙ୍କାରେ ବସ୍ତାଏ ପିଆଜ ଆଣିଲେ ସେଥିରୁ ତିନି ଭାଗ ଭଲ ପଡୁଛି, ଗୋଟିଏ ଭାଗ ପୋଚକା । ସେମାନେ କିଲୋ ୫୫ ଟଙ୍କାରେ ନ ବିକିଲେ ବେପାର କରିବେ କେମିତି? ମୁନୁ ପାତ୍ରଙ୍କ ବେପାରକୁ ମଧ୍ୟ ପିଆଜ ମାଡ କରିଛି । ପିଆଜ ଟିକିଏ ମାଗିଲେ ମୁଠାଏ ଗୁଣ୍ଡ ପିଆଜ ଧରାଉ ଥିବା ମୁନୁ ଏବେ ଗଣି ଗଣି ଚାରିରୁ ପାଂଚଟି ଛୋଟ କଟା ଖଂଡ ଧରାଉଛନ୍ତି । ଧନିଆପତ୍ର, ରସୁଣ ଚଟଣି କଥା ଭୁଲି ଯିବାକୁ ବସିଲେଣି ।
ଖୋର୍ଦ୍ଧାଜିଲ୍ଲାର ବାଣପୁରରୁ ଆସି ଝାରପଡାରେ ଘର ଭଡା ନେଇ ରହିଥିବା ମୁନୁ ପାତ୍ରଙ୍କ ଚଳଣିର ଏକମାତ୍ର ମାଧ୍ୟମ ହେଉଛି ଏହି ସିଝା ଅଣ୍ଡା ଦୋକାନ । ଓମଲେଟ୍ ମଧ୍ୟ କରୁଛନ୍ତି । ରେଟ୍ ବଢାଇବାକୁ ବାଧ୍ୟ ହୋଇଛନ୍ତି । ଗାଁରେ ଜମି ବାଡି ଥିଲା । ଭାଇ ଭାଗ ପରେ ନିଜ ଭାଗକୁ ବିକାବିକି କରି ଝିଅ ବାହାଘର କଲେ । ଏବେ ପତ୍ନୀଙ୍କ ସହ ରାଜଧାନୀରେ ଘରଟିଏ ଭଡାରେ ନେଇ ରହୁଛନ୍ତି । ସଂଜ ନଇଁଲେ ରାସ୍ତା କଡରେ ତାଙ୍କ ଅଣ୍ଡା ଦୋକାନର ପସରା ମେଲୁଛି । ପତି, ପତ୍ନୀ ଦୁହେଁ ଏହି ବେପାରରେ ଲାଗିଛନ୍ତି । ଭୁବନେଶ୍ୱର ଆସିବା ପରେ ସେ ଅନ୍ୟ ବେପାର ନ କରି ସିଝା ଅଣ୍ଡା ବେପାର ଧରିଲେ କାହିଁକି ବୋଲି ପ୍ରଶ୍ନ ହେବାରୁ ମୁନୁ କହିଲେ, ସେ ୪ ନମ୍ବର ମଧୁସୂଦନ ନଗର ଅଂଚଳରେ ସାଇକଲ ମରାମତି ଦୋକାନଟିଏ କରି ଥିଲେ । ଦେହ ଖରାପ ହେବାରୁ ଝାରପଡ଼ା ଆସି ସିଝା ଅଣ୍ଡା ବେପାର କଲେ । ଛୋଟ ବେପାର ହେଲେ ବି ଦୁଇ ପଇସା ଲାଭ ହେଉଥିଲା । ପରିବାର ଚଳି ଯାଉଥିଲା । ଏବେ ଅଣ୍ଡାର ଆକାଶଛୁଆଁ ଦର ବେପାରକୁ କେଉଁ ଦିଗରେ ନେବ କହି ହେଉ ନାହିଁ । ଗ୍ରାହକଙ୍କୁ ବଢିଲା ଦର କହିବାକୁ ଡ଼ର ଲାଗୁଛି ।
କେବଳ ମୁନୁପାତ୍ର ନୁହନ୍ତି, ରାଜଧାନୀର ଗଳିକନ୍ଦିରେ ସିଝା ଅଣ୍ଡା ବିକୁଥିବା ଛୋଟ ବେପାରୀ ଦର ବୃଦ୍ଧି ନେଇ ଚିନ୍ତାରେ । ଲୋକାଲ ବଜାରରୁ ଅଣ୍ଡା କିଣି ସେମାନେ ବେପାର କରୁଛନ୍ତି । ମୁଖ୍ୟତଃ ଖୋର୍ଦ୍ଧା ଅଂଚଳରୁ ଅଣ୍ଡା ଆସୁଛି । ସରକାରଙ୍କ ନିୟନ୍ତ୍ରଣ ନାହିଁ । ଯୋଗାଣ ମନ୍ତ୍ରୀ କହୁଛନ୍ତି, ଅଣ୍ଡା ଅତ୍ୟାବଶ୍ୟକ ସାମଗ୍ରୀରେ ଯାଉ ନାହିଁ । ତେଣୁ , ସରକାରଙ୍କ କିଛି କରିବାର ନାହିଁ । ଏଠି ପ୍ରଶ୍ନ ଉଠିପାରେ, ଅଣ୍ଡା ସିନା ଅତ୍ୟାବଶ୍ୟକ ସାମଗ୍ରୀ ନୁହଁ, ପିଆଜ ତ’ ଅତ୍ୟାବଶ୍ୟକ ସାମଗ୍ରୀରେ ଯାଉଛି ! ପିଆଜି ୫୦ ଟପି ୫୫ ହେଲାଣି, ସରକାର କଣ କରୁଛନ୍ତି ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS