ନୂଆଦିଲ୍ଲୀରେ ଆନ୍ତଃରାଜ୍ୟ ପରିଷଦ ବୈଠକ: ନବୀନ ଉଠାଇଲେ ମହାନଦୀ, ପୋଲାଭରମ ଓ ଧାନର ଲାଭଜନକ ଦର ପ୍ରସଙ୍ଗ
ନୂଆଦିଲ୍ଲୀ, ୨୬ ନଭେମ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆନ୍ତଃରାଜ୍ୟ ପରିଷଦ ବୈଠକରେ ଯୋଗ ଦେଇ ମହାନଦୀ, ପୋଲାଭରମ ଓ ଚାଷୀଙ୍କୁ ଧାନର ଲାଭଜନକ ଦର ମିଳିବା ପ୍ରସଙ୍ଗ ଉଠାଇଛନ୍ତି। ମହାନଦୀ ଜଳ ଉପରେ ରାଜ୍ୟର ବିସ୍ତୃତ ଅଂଚଳର ଅଧିବାସୀ ନିର୍ଭର କରୁ ଥିବାରୁ ନଦୀର ତଳମୁଣ୍ଡରେ ଥିବା ଅଂଚଳରେ ଯେପରି ପାଣି ପହଂଚି ପାରିବ ସେ ଦିଗରେ ଛତିଶଗଡ଼ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ଦିଦେ୍ର୍ଦଶ ଦେବା ପାଇଁ ସେ ଦାବି କରିଛନ୍ତି । ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିଲେ । ଛତିଶଗଡ଼ ସରକାର ନଦୀର ଉପର ମୁଣ୍ଡରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ନଦୀର ତଳ ମୁଣ୍ଡକୁ ଆସୁଥିବା ପାଣିକୁ ଅବରୋଧ କରୁଥିବାରୁ ତଳ ମୁଣ୍ଡର ଥିବା ଚାଷ ଜମିରେ ନଦୀ ଜଳ ଆବଶ୍ୟକ ମୁତାବକ ପହଂଚି ପାରୁ ନାହିଁ । ଫଳରେ, ନଦୀର ତଳ ମୁଣ୍ଡରେ ଥିବା ଓଡ଼ିଶାର ଚାଷୀମାନେ ଚାଷ ପାଇଁ ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି । ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ ଏକପାଖିଆ ଭାବେ ନିର୍ମାଣ କରୁଥିବା ସମସ୍ତ ପ୍ରକଳ୍ପ ତୁରନ୍ତ ବନ୍ଦ କରିବା ସକାଶେ ନିଦେ୍ର୍ଦଶ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଦୃଢ ଦାବି ଉପସ୍ଥାପନ କରିଛନ୍ତି ।
ଏହି ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଖାପାଖି ବସି ଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏହି ଦାବି ଉପସ୍ଥାପନ କରିଥିଲେ । ଦୁଇ ରାଜ୍ୟ ମଧ୍ୟରେ ମହାନଦୀ ବିବାଦର ସମାଧାନ ପାଇଁ ତୁରନ୍ତ ଟ୍ରିବ୍ୟୁନାଲ ଗଠନ କରାଯିବାକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ଗଲା ୨୦ ଦିନ ମଧ୍ୟରେ ସେ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁଇଟି ଚିଠି ଲେଖି ସାରି ଥିବା ସୂଚନା ଦେଇଛନ୍ତି । ବୈଠକରେ ରାଜସ୍ଥାନ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ କେନ୍ଦ୍ର ମନ୍ତ୍ରୀ ଯୋଗ ଦେଇଥିଲେ । କେନ୍ଦ୍ର – ରାଜ୍ୟ ମଧ୍ୟରେ ଅର୍ଥନୈତିକ ସଂପର୍କରେ ଉପରେ ପୁଂଚି କମିସନଙ୍କ ସୁପାରିଶ ଉପରେ ଆଲୋଚନା ପାଇଁ ଏହି ବୈଠକ ଡ଼କା ଯାଇଥିଲା ।
ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ଭେଟି କହିଛନ୍ତି ଯେ, ଆନ୍ଧ୍ର ପଦେଶ ସରକାରଙ୍କ ପକ୍ଷରୁ ବଂଶାଧାରା ନଦୀରେ ନିର୍ମାଣ କରାଯାଉଥିବା ପୋଲାଭରମ ପ୍ରକଳ୍ପ ମଧ୍ୟ ତୁରନ୍ତ ବନ୍ଦ କରାଯିବାକୁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ପୋଲାଭରମ ପ୍ରକଳ୍ପ ନିର୍ମାଣ ଦ୍ୱାରା ଓଡ଼ିଶାର ମାଲକାନଗିରି ଜିଲ୍ଲା ମୋଟୁ ତହସିଲର ୨୫ଟି ଜନ ବସତି ସହ ୭୬୫୬ ହେକ୍ଟର କୃଷି ଓ ଜଙ୍ଗଲ ଜମି ବୁଡ଼ି ଯିବାର ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଚାଷିଙ୍କ ପାଇଁ ଧାନର ଲାଭଜନକ ଦର କୁଇଂଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରାଯିବା ସକାଶେ ମଧ୍ୟ ଦାବି କରିଥିବା ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ସାଧାରଣ କିସମ ଧାନର କୁଇଂଟାଲ ପିଛା ଲାଭଜନକ ଦର (ଏମ୍ଏସ୍ପି) ୧୫୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଚାଷ ପାଇଁ ବ୍ୟବହୃତ ସବୁ ସାମଗ୍ରୀର ଦର ବହୁ ଗୁଣ ବଢି ଯାଇଥିବା ବେଳେ କେନ୍ଦ୍ର ସରକାର ଏମଏସପି କୁଇଂଟାଲ ପିଛା ୧୫୫୦ ଟଙ୍କା ଧାର୍ଯ୍ୟ କରିବା ଗ୍ରହଣଯୋଗ୍ୟ ହେଉ ନାହିଁ । ଗଲା ମାର୍ଚ୍ଚ ୫ ତାରିଖ ଦିନ ଓଡ଼ିଶା ବିଧାନସଭାରେ ଏକ ସର୍ବବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇ ଧାନର ଲାଭଜନକ ଦର କୁଇଂଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରାଯିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । ବାଚସ୍ପତିଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ କମିଟି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗି ଥିଲେ । କିନ୍ତୁ, ପ୍ରଧାନମନ୍ତ୍ରୀ ସମୟ ଦେଲେ ନାହିଁ । ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାର ବ୍ୟାଙ୍କ୍ ମାଧ୍ୟମରେ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା କଥା କହୁଥିବା ବେଳେ ଓଡ଼ିଶାର ୭୦ ପ୍ରତିଶତ ପଂଚାୟତରେ ବ୍ୟାଙ୍କର ଉପସ୍ଥିତି ନାହିଁ । ତେଣୁ, କେନ୍ଦ୍ର ସରକାର ଅଧିକରୁ ଅଧିକ ଗ୍ରାମାଂଚଳରେ ବ୍ୟାଙ୍କ୍ ଶାଖା ଖୋଲିବା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଓଡ଼ିଶାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ଉତ୍ତର ପୂର୍ବାଂଚଳ ରାଜ୍ୟ ଭଳି ଓଡ଼ିଶାକୁ ମଧ୍ୟ କେନ୍ଦ୍ରୀୟ ସହାୟତା ଦିଆ ଯିବାକୁ ଏବଂ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ଦେବା ବେଳେ କେନ୍ଦ୍ର – ରାଜ୍ୟ ମଧ୍ୟରେ ସେୟାରିଂ ହାର ୯୦: ୧୦ ରଖାଯିବାକୁ ସେ ଦାବି ଜଣାଇଛନ୍ତି । ବିଭିନ୍ନ ମାର୍ଗଦର୍ଶିକା କାର୍ଯ୍ୟକାରୀ କରାଯିବା ସମୟରେ ଓଡ଼ିଶା ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରାଯିବା, ୨୦୧୫ ଏପ୍ରିଲରୁ ବକେୟା ଥିବା କୋଇଲା ରୟାଲିଟି ସଂଶୋଧନ କରାଯିବା, ମାଓବାଦୀଙ୍କ ମୁକାବିଲା ସକାଶେ ଆଉ ଅଧିକ ଦୁଇ ବାଟାଲିଅନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଓଡ଼ିଶାକୁ ଯୋଗାଇ ଦେବା ପ୍ରଭୃତି ଦାବି ଶନିବାର ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS