‘ପଦ୍ମାବତୀ’କୁ ନେଇ ଅସୂୟା ରାଜନୀତି ଭାଜପା ପାଇଁ କେତେଦୂର ଶୁଭଙ୍କର ?
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୮ ନଭେମ୍ବର : ମୁକ୍ତି ଅପେକ୍ଷାରେ ଥିବା ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ନେଇ ଭାଜପାର ଉଗ୍ର ରାଜନୀତି ଦେଶବାସୀଙ୍କୁ ଚକିତ କରିଛି । ପୂର୍ବରୁ, ‘ଇନ୍ଦୁ ସରକାର’ ଚଳଚ୍ଚିତ୍ର ମୁକ୍ତିଲାଭ କଲା ବେଳେ କଂଗ୍ରେସ ପକ୍ଷରୁ ଏଭଳି ହିଂସାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇ ଥିଲା । ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ଭଂଗାରୁଜା, ଜଳାପୋଡା କରିଥିଲେ । ଏହାର କାରଣ ଥିଲା, ୧୯୭୬ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜାରି କରି ଥିବା ଜରୁରୀକାଳୀନ ପରିସ୍ଥିତି ଆଧାରରେ ଏହି ଫିଲ୍ମଟି ନିର୍ମିତ ହୋଇଥିଲା । ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ସଂଜୟଙ୍କ ଘନିଷ୍ଟ ସହଯୋଗୀମାନେ ପରିସ୍ଥିତିର ଫାଇଦା ନେଇ ଜନସାଧାରଣଙ୍କ ଉପରେ ଯେଉଁ ଅତ୍ୟାଚାର କରିଥିଲେ, ତାହାର ଏହି ଚଳଚ୍ଚତ୍ରରେ ପ୍ରତିଫଳିତ ହୋିଚି । ତେବେ, ‘ଇନ୍ଦୁ’ ଚରିତ୍ର ଇନ୍ଦିରା ଗାନ୍ଧୀଙ୍କୁ ନୁହେଁ, ବାସ୍ତବରେ ‘ଇନ୍ଦୁ’ ନାମକ ଜଣେ ସଂବେଦନଶୀଳ ମହିଳାଙ୍କୁ ବୁଝାଉଥିଲା (କାଳ୍ପନିକ ଚରିତ୍ର), ଯିଏକି ଜରୁରୀ ପରିସ୍ଥିତି ସମୟରେ ସରକାରଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ୱର ଉଠାଇ ନିର୍ଯ୍ୟାତିତ ହୋଇ ଥିଲେ ସୁଦ୍ଧା ଶେଷ ପର୍ଯ୍ୟନ୍ତ ଅନ୍ୟାୟ ବିରୋଧରେ ଲଢେଇ ଜାରି ରଖି ଥିଲେ । ‘ଇନ୍ଦୁ ସରକାର’ ଦେଖିବା ପରେ କଂଗ୍ରେସର ହିଂସାତ୍ମକ ବିରୋଧର ପରିସମାପ୍ତି ଘଟି ଥିଲା । ପ୍ରେକ୍ଷାଳୟରେ ଚଳଚ୍ଚିତ୍ରଟି ସ୍ୱାଭାବିକ ଭାବେ ଚାଲିଥିଲା । ବର୍ତମାନ ‘ପଦ୍ମାବତୀ’ କ୍ଷେତ୍ରରେ ତାହା ହିଁ ହୋଇଛି । କିନ୍ତୁ, ଫରକ ଏତିକି ଯେ, ‘ଇନ୍ଦୁ ସରକାର’କୁ କଂଗ୍ରେସ କର୍ମୀଙ୍କ ବିରୋଧ ସାମୟିକ ଥିବା ‘ପଦ୍ମାବତୀ’କୁ ବିରୋଧ ପ୍ରଥମ ଦିନ ସୁଟିଂରୁ ଆରମ୍ଭ ହୋଇଯାଇଛି । ଏହି ବିରୋଧ ପ୍ରତି ଭାଜପାର ସମର୍ଥନ ମଧ୍ୟ ପଦାରେ ପଡି ଯାଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଭଳି ଭାବେ ନୀରବ ରହୁଛନ୍ତି, ସେଥିରୁ ଏହା ପଛରେ ଥିବା ରାଜନୀତି ମଧ୍ୟ ସ୍ପଷ୍ଟ ହେଉଛି ।
୨୦୧୪ ପୂର୍ବରୁ ଦେଶରେ ଏଧରଣର ଅନେକ ଚଳଚ୍ଚିତ୍ର ନିର୍ମିତ ଓ ପ୍ରଦର୍ଶିତ ହୋଇଛି ସିନା ‘ପଦ୍ମାବତୀ’ ଭଳି ବିରୋଧ ଦେଖିବାକୁ ମିଳି ନ ଥିଲା । ‘ପଦ୍ମାବତୀ’ସୁଟିଂ ଦିନରୁ କୁ ବିରୋଧ ଆରମ୍ଭ ହୋଇଛି ଯେ ତାହାର ପରିସମାପ୍ତି କେବେ ଜଣାପଡୁ ନାହିଁ । ରାଜସ୍ଥାନରେ ସୁଟିଂ ଆରମ୍ଭ ବେଳେ ସେଟ୍ରେ ନିଆଁ ଲଗାଇ ଦିଆଯିବା ଭଳି ହିଂସାତ୍ମକ ବିରୋଧ ଦେଖିବାକୁ ମିଳିଛି । ମହାରାଣୀ ପଦ୍ମାବତୀଙ୍କ ଭଳି ଜଣେ ଆଦରଣୀୟ ବ୍ୟକ୍ତିତ୍ୱଙ୍କୁ ଚଳଚ୍ଚିତ୍ରରେ ନ୍ୟୁନ ଭାବେ ଉପସ୍ଥାପନ କରାଯାଇ ଶସ୍ତା ବଲିଉଡ୍ ଫିଲ୍ମ ବନା ଯାଇଛି ବୋଲି ରାଜପୁତ କରଣୀ ସେନା ଅଭିଯୋଗ କରିବା ସହ ଏହି ଫିଲ୍ମ ନିଷିଦ୍ଧ କରାଯିବା ଦାବିରେ ହିଂସାତ୍ମକ ପ୍ରଦର୍ଶନ ଚଳାଇଛନ୍ତି । କେନ୍ଦ୍ରରେ କ୍ଷମତାସୀନ ଥିବା ଭାଜପା ଏଥିରୁ ରାଜନୈତିକ ଫାଇଦା ପାଇବା ସକାଶେ କରଣୀ ସେନାର ଦାବି ପ୍ରତି ପୂର୍ଣ୍ଣ ସମର୍ଥନ ଜଣାିଛି । ଫଳରେ, ହିଂସା ବଢୁଛି । ଭାଜପା ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଫିଲ୍ମ ଦେଖିବା ଆଗରୁ ଏହାକୁ ନିଷିଦ୍ଧ କରାଯିବା ଦାବିରେ ଖୋଲାଖୋଲି ବିବୃତି ଦେଉଛନ୍ତି । ୨୦୧୮ରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଖିରେ ରଖି ଭାଜପାର ଏହା ରଣନୀତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ‘ବିରି ମାଡ ଦେଖି କୋଳଥ ଚେପା’ ନ୍ୟାୟରେ ସରକାରଙ୍କ ମତିଗତି ଦେଖି କେନ୍ଦ୍ରୀୟ ଫିଲ୍ମ ସାର୍ଟିଫିକେସନ୍ ବୋର୍ଡ (ସିବିଏଫସି) ମଧ୍ୟ ଚେପା ହୋଇ ଗଲାଣି । ସେନ୍ସର ସାର୍ଟିଫିକେଟ୍ ପାଇବା ସକାଶେ ‘ପଦ୍ମାବତୀ’ ପ୍ରଯୋଜନା ସଂସ୍ଥା ଯେଉଁ ଆବେଦନ କରିଥିଲେ ସେଥିରେ ବୈଷୟିକ ତ୍ରୁଟୀ ଥିବା ଦର୍ଶାଇ ସିବିଏଫ୍ସି ତାହାକୁ ଫେରାଇ ଦେଇ ‘ପଦ୍ମାବତୀ’ ଫିଲ୍ମର ମୁକ୍ତଲାଭକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି । ସେନସର୍ ସାର୍ଟିଫିକେଟ୍ ନ ମିଳିବା ଯାଏଁ ପ୍ରଯୋଜକ ଫିଲ୍ମକୁ ରିଲିଜ କରି ପାଇବେ ନାହିଁ । ଗୁଜରାଟ ନିର୍ବାଚନ ସରିବା ପର୍ଯ୍ୟନ୍ତ ଏହାକୁ ଗଡାଇ ନେବା ସକାଶେ ଯୋଜନାବଦ୍ଧ ଉଦ୍ୟମ ହୋଇଥିବା ଆଲୋଚନା ହେଉଛି । ଡ଼କ୍ୟୁମେଂରେ କି ପ୍ରକାର ବୈଷୟିକ ତୃଟୀ ରହିଛି ଜାଣିବାକୁ ଉଦ୍ୟମ ହେବାରୁ ସିବିଏଫ୍ସି ଅଧ୍ୟକ୍ଷ ପ୍ରସୁନ୍ନ ଯୋଷୀ କହିଛନ୍ତି, ‘ପଦ୍ମାବତୀ’ ‘କିମ୍ବଦନ୍ତୀ’ ଉପରେ ଆଧାରିତ ନା ‘ଇତିହାସ’ ଉପରେ ତାହା ନିର୍ମାତା ଡ଼କ୍ୟୁମେଂଟ୍ରେ ସ୍ପଷ୍ଟ କରି ନ ଥିବାରୁ ଫେରାଇ ଦିଆ ଯାଇଛି । ଯୋଷୀଙ୍କ ଯୁକ୍ତି ଦୁର୍ବଳ ହେଲେ ବି ସରକାରଙ୍କୁ ସୁହାଇଲା ଭଳି । ସିବିଏଫ୍ସି ଚାପରେ ଥିବା ଏଥିରୁ ସ୍ପଷ୍ଟ ହେଉଛି ।
କେବଳ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନୁହନ୍ତି, ବରିଷ୍ଠ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ‘ପଦ୍ମାବତୀ’କୁ ରିଲିଜ୍ କରାଇ ନ ଦେବାକୁ ଅଡ଼ି ବସି ଥିବା, ଭାଜପା ରାଜନୀତିର ଗଭୀରତା ସଂପର୍କରେ ସୂଚନା ଦେଉଛି । ‘ଓଧ ସହ ବଣଭୁଆ’ ନ୍ୟାୟରେ ସେମାନେ ଫିଲ୍ମ ନ ଦେଖି କରଣୀ ସେନା ସହ ସ୍ୱର ମିଳାଇଛନ୍ତି । ‘ପଦ୍ମାବତୀ’ର ନିର୍ମାତା, ନିଦେ୍ର୍ଦଶକ ଏବଂ ମହାରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରିଥିବା ନାୟିକା ଦୀପିକା ପାଦୁକୋନ୍ଙ୍କ ନାକ ପରେ ମୁଣ୍ଡ କାଟିବା ପର୍ଯ୍ୟନ୍ତ କଥା ଗଲାଣି । କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଦପ୍ତର ନୀରବ । ବିବାଦରେ ହସ୍ତକ୍ଷେପ କରି ତୁରନ୍ତ ତାହାର ସମାଧାନ କରାଇବା ଦିଗରେ କୌଣସି ଉଦ୍ୟମ ନାହିଁ । ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଭୂମିକା ମଧ୍ୟ ସନେ୍ଦହଜନକ । କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ପ୍ରଥମେ ‘ପଦ୍ମାବତୀ’ ବିବାଦ ଉପରେ ମତବ୍ୟକ୍ତ କରି ରାଜପୁତ ରାଜା, ମହାରାଜାଙ୍କୁ କଟୁୁ ସମାଲୋଚନା କରିଥିଲେ । ପରେ କୌଣସି ଚାପରେ ପଡି ‘ୟୁ-ଟର୍ଣ୍ଣ ମାରିଛନ୍ତି । ଭାରତରେ ‘ପଦ୍ମାବତୀ’ ମୁକ୍ତିଲାଭ କରିବା ଅନିଶ୍ଚିତ ଥିବା ବେଳେ ବି୍ରଟେନ୍ ସେନସର୍ ବୋର୍ଡ କୌଣସି ଦୃଶ୍ୟ ନକଟା ଡ଼ିସେମ୍ବର ୧ ତାରିଖରେ ଏହାର ରିଲିଜ୍ ପାଇଁ ଅନୁମତି ଦେଇ ଥିବାରୁ ପଦ୍ମାବତୀ ନିଆଁ ବ୍ରିଟେନକୁ ବ୍ୟାପିବା ଆଶଙ୍କା ସୃଷ୍ଟି ହେଲାଣି । ରାଜପୁତ ନେତାମାନେ ବ୍ରିଟିଶ ସେନସର୍ ବୋର୍ଡ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିବା ସହ ଫିଲ୍ମକୁ ପୋଡି ଦେବାକୁ ଧମକ ଦେଇଛନ୍ତି ।
‘ପଦ୍ମାବତୀ’କୁ କରଣୀ ସେନାର ବିରୋଧ କେବଳ ବଲିଉଡ୍ ଶିଳ୍ପକୁ ବିଚଳିତ କରି ନାହିଁ, ଭାରତୀୟ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି କରିଛି । ଏହା ଏକ ଶସ୍ତା ବଲିଉଡ୍ ଫିଲ୍ମ ନା ଏଥିରେ କିଛି ଦମ୍ ଅଛି, ତାହା ଫିଲ୍ମଟି ମୁକ୍ତିଲାଭ କଲା ପରେ ହିଁ ଜଣାପଡିବ । ତେବେ, ରାଜପୁତ ସଂପ୍ରଦାୟକୁ ସନ୍ତୁଷ୍ଟ କରିବା ପାଇଁ ଭାଜପାର ଚାଲ୍ ‘ସ୍ୱାଧୀନ ମତବ୍ୟକ୍ତ କରିବା ଅଧିକାର ପ୍ରତି ଆଉ ଏକ କୁଠାରାଘାତ’ ବୋଲି ଦେଶର ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଦେଶରେ ଗୋ-ରକ୍ଷକଙ୍କ ଆତଙ୍କରାଜ, ସାହିତ୍ୟକୁ ଭଗୁଆକରଣ କରିବା ଉଦ୍ୟମ, ସରକାର ବିରୋଧରେ ମତପ୍ରକାଶ କରୁଥିବା ଲେଖକ ଓ ସାମ୍ବାଦିକଙ୍କୁ ଆକ୍ରମଣ ଓ ହତ୍ୟା ଭଳି ଘଟଣା ଗଲା ତିନି ବର୍ଷ ଭିତରେ ବଢିଥିବା ସରକାରକୁ କାଠଗଡ଼ାରେ ଠିଆ କରାଇଛି । ପ୍ରତିଷ୍ଠିତ ଲେଖକମାନେ ସ୍ପଷ୍ଟ ମତ ପ୍ରକାଶ କରିବା ଅଧିକାର ଉପରେ ସରକାରୀ ଅଙ୍କୁଶର ପ୍ରତିବାଦ କରି ସେମାନେ ପାଇଥିବା ଜାତୀୟ ପୁରସ୍କାର ଫେରାଇବା ଘଟଣା ଦେଶରେ ଚହଳ ପକାଇ ଥିଲା । ଦେଶରେ ଅଣନିଶ୍ୱାସୀ ହେଲା ଭଳି ବାତାବରଣ ସୃଷ୍ଟି ହୋଇ ଥିବା ଅଭିଯୋଗ କରି ପ୍ରତିଷ୍ଠିତ ଫିଲ୍ମ ଅଭିନେତା ଅମୀର ଖାନ ଏକଘରିଆ ହୋଇ ଥିଲେ । ବିଭିନ୍ନ କଲ୍ୟାଣମୂଳକ ଓ ବ୍ୟବସାୟିକ ପ୍ରଚାର ଅଭିଯାନରୁ ତାଙ୍କୁ ବାଦ୍ ଦିଆ ଯାଇଥିଲା । କର୍ଣ୍ଣାଟକରେ ଘଟିଥିବା ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ପଛରେ କେଉଁମାନଙ୍କ ହାତ ରହିଛି, ତାହା ଆଜି ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଇତିମଧ୍ୟରେ ଅନ୍ୟ ରାଜ୍ୟରେ ମଧ୍ୟ ସାମ୍ବାଦିକଙ୍କୁ ହତ୍ୟା ଘଟଣା ଉଦ୍ବେଗର ବିଷୟ ହୋଇଛି । ସରକାର ବିଭିନ୍ନ ବୈଦୃୁ୍ୟତିକ ଗଣମାଧ୍ୟମକୁ ନିଜ ପକ୍ଷକୁ ନେଇ ବିରୋଧୀଙ୍କ କଣ୍ଠରୋଧ ଉଦ୍ୟମ କରୁଥିବା ଅଭିଯୋଗ ମଧ୍ୟ ହେଉଛି । ୨୨ ବର୍ଷ ହେଲା ଭାଜପା ଶାସନ ଚାଲି ଥିବା ରାଜ୍ୟ ଗୁଜରାଟରେ ସଂଖ୍ୟାଲଘୁ, ଦଳିତ ଏବଂ ପଛୁଆବର୍ଗ ନେତାମାନେ ଏକାଠି ହୋଇ କଂଗ୍ରେସ ସହ ହାତ ମିଳାଇବା ଏବଂ ଡ଼ିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପା ବିରୋଧରେ ମୋର୍ଚ୍ଚା ଖୋଲିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବଡ ଚ୍ୟାଲେଂଜ ହୋଇଛି । ୨୦୧୮ ପ୍ରାରମ୍ଭରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଭାଜପା ରାଜପୁତ କରଣୀ ସେନାକୁ ସନ୍ତୁଷ୍ଟ କରିବା ସକାଶେ ‘ପଦ୍ମାବତୀ’ ବିବାଦକୁ ହାୱା ଦେଉଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଥମେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ‘ପଦ୍ମାବତୀ’କୁ ନିଷିଦ୍ଧ କରାଯିବା ସକାଶେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତୀ ଇରାନୀଙ୍କୁ ଚିଠି ଲେଖି ଥିଲେ । ପରେ, ଅନ୍ୟ ଭାଜପା ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଏଥିରେ ସ୍ୱର ମିଳାଇଛନ୍ତି । ଗୁଜୁରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଶେଷରେ ଏଥିରେ ସାମିଲ ହୋଇଛନ୍ତି । କେବଳ କର୍ଣ୍ଣାଟକ ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ‘ପଦ୍ମାବତୀ’ ପ୍ରତି ହେଉଥିବା ବିରୋଧକୁ ନିନ୍ଦା କରିଛନ୍ତି । ଏହାର ନିର୍ମାତା ସଂଜୟ ଲୀଳା ବଂଶାଳୀ ଓ ନାୟିକା ଦୀପିକା ପାହୁକୋନଙ୍କ ନାକ ଓ ମୁଣ୍ଡ କାଟିବା ପାଇଁ ଜାରି କରାଯାଇଥିବା ପତୱାର ଦୃଢ ବିରୋଧ କରି ବିବୃତି ଦେଇଛନ୍ତି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଉ ପାଦେ ଆଗେି ଯାଇ ମହାରାଣୀ ପଦ୍ମାବତୀଙ୍କୁ ‘ରାଷ୍ଟ୍ରମାତା’ ଭାବେ ଘୋଷଣା କରିବା ସହ ତାଙ୍କ ପ୍ରତିମୂର୍ତୀ ସ୍ଥାପନ କରିବେ ବୋଲି କରିଥିବା ଘୋଷଣା ରାଜପୁତ କରଣୀ ସେନାର ମନୋବଳ ବଢାଇ ଥିବା ଆଲୋଚନା ହେଉଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ‘ପଦ୍ମାବତୀ’ ବିବାଦକୁ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ତେବେ, ଭାଜପାର ଏହି ରରନୀତି ଓଡ଼ିଶାରେ ଦଳର ଅଗ୍ରଗତିକୁ ରୋକିବାରେ ସହାୟକ ହେବ ଏବଂ ବିଜେଡ଼ିର ଶକ୍ତିବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି । ‘ବାହୁବଳୀ’ ପରେ ଦେଶରେ ସେଭଳି ଏକ ବଡ ବ୍ୟାନରର ବ୍ଲକ୍ ବଷ୍ଟର୍ ଫିଲ୍ମ ମୁକ୍ତିଲାଭ କରି ନ ଥିବାରୁ ସମସ୍ତେ ଡ଼ିସେମ୍ବର ୧ ତାରିଖ ‘ପଦ୍ମାବତୀ’ର ରିଲିଜ୍ ଅପେକ୍ଷାରେ ଥିଲେ । ତେବେ, ଭାଜପା ସମର୍ଥନରେ ରାଜପୁତ କରଣୀ ସେନା ପକ୍ଷରୁ ଚାଲିଥିବା ହିଂସାତ୍ମକ ବିରୋଧ ଏବଂ ସିବିଏଫ୍ସିର ଚଂଚକତା ଯୋଗୁ ଫିଲ୍ମଟି ମୁକ୍ତିଲାଭ କରୁ ନ ଥିବାରୁ ଚଳଚ୍ଚିତ୍ର ପ୍ରେମୀ ଦର୍ଶକ ନିରାଶ ହୋଇଛନ୍ତି । ‘ପଦ୍ମବତୀ’ ବିବାଦ ଭାରତୀୟ ରାଜନୀତିରେ କିଭଳି ପ୍ରଭାବ ପକାଇବ ଏବଂ ଏହା ଭାଜପା ପାଇଁ ସହାୟକ ହେବ ନା ପ୍ରତିକୂଳ ପ୍ରଭାବ ପକାଇବ, ତାହା ଦେଖିବା ସକାଶେ ସମସ୍ତେ ଗୁଜରାଟ ନିର୍ବାଚନ ପଳାଫଳକୁ ଅପେକ୍ଷା କରିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS